ୱାଶିଂଟନ୍: ଆମେରିକାର ମିଡଟର୍ମ ନିର୍ବାଚନରେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବା ନେଇ ଭାରତୀୟ କନସଲ୍ଟାଣ୍ଟ କମ୍ପାନୀ ଏବଂ କଣ୍ଟେଣ୍ଟ କ୍ରିଏଟରମାନଙ୍କ ଉପରେ ଅଭିଯୋଗ ଆସିଛି। ଅଲ୍ ଜଜିରାର ଏକ ରିପୋର୍ଟ ଅନୁସାରେ, ଏହି ଭାରତୀୟ କଣ୍ଟେଣ୍ଟ କ୍ରିଏଟର୍ସ ତଥା ଇନ୍ଫ୍ଲୁଏନ୍ସର ଯେଉଁମାନେ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ସେମାନେ ପ୍ରଚୁର ପରିମାଣର ଅର୍ଥ ବଦଳରେ ନକଲି ଆକାଉଣ୍ଟ ତିଆରି କରୁଛନ୍ତି ଏବଂ ସେଥିରୁ ନିଜ ପ୍ରାର୍ଥୀଙ୍କ ସମର୍ଥନରେ ପୋଷ୍ଟ ଓ ଭିଡିଓ ସେୟାର କରୁଛନ୍ତି। ଏପରିକି ବିରୋଧୀ ନେତାମାନଙ୍କ ଭାଷଣକୁ କାଟଛାଣ୍ଟ କରି ଭୁଲ ଭାବେ ଉପସ୍ଥାପନ କରୁଛନ୍ତି ଏବଂ ସେମାନଙ୍କ ବିରୋଧରେ ମିଥ୍ୟା ଦାବି ପ୍ରଚାର କରୁଛନ୍ତି। ତେବେ ଏହି କାର୍ଯ୍ୟ କେବଳ ଆମେରିକା ମଧ୍ୟରେ ସୀମିତ ନୁହେଁ। ଭାରତୀୟ କନସଲ୍ଟାଣ୍ଟମାନେ ଆଫ୍ରିକା, ଦକ୍ଷିଣ ଆମେରିକା, ଜର୍ମାନୀ, ଅଷ୍ଟ୍ରେଲିଆ ଏବଂ ପଡ଼ୋଶୀ ଦେଶଗୁଡ଼ିକର ନିର୍ବାଚନରେ ମଧ୍ୟ କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଛି।
ଆମେରିକାରେ ନଭେମ୍ବର ୩ ରେ ମିଡଟର୍ମ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାର ଅଛି। ଏହାରି ମଧ୍ୟରେ ଆମେରିକୀୟ ପ୍ରାର୍ଥୀଙ୍କ ସମର୍ଥନରେ ୨୮ଟି ନକଲି ଆକାଉଣ୍ଟ ମିଳିଥିବା ସୂଚନା ମିଳିଛି। ଆମେରିକାର ମିସିଗାନ୍ରେ ଡେମୋକ୍ରାଟିକ୍ ପାର୍ଟିର ସିନେଟ୍ ପ୍ରାଇମେରୀରେ ହେଲି ଷ୍ଟିଭେନ୍ସଙ୍କ ସମର୍ଥନରେ “ଏକ୍ସ’ରେ ଅତି କମରେ ୨୮ଟି ଆକାଉଣ୍ଟରୁ ଭିଡିଓ ସେୟାର କରାଯାଇଥିଲା। ଏହି ଭିଡିଓଗୁଡ଼ିକୁ ୭୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଅଲ୍ ଜଜିରା ଅନୁସାରେ, ଏଥିମଧ୍ୟରୁ ଅତି କମରେ ୧୫ଟି ଆକାଉଣ୍ଟ ଭାରତରୁ ପୋଷ୍ଟ କରୁଥିଲା। “ଆଣ୍ଟିବଟ୍୪ନାଭାଲନି’ ନାମକ ଏକ ଅନ୍ଲାଇନ୍ ଅପପ୍ରଚାର ଉପରେ ନଜର ରଖୁଥିବା ସଂସ୍ଥା ଏହି ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରିଥିଲା।
ଅଲ୍ ଜଜିରା ଅନୁଯାୟୀ, ଭାରତୀୟ କନସଲ୍ଟାନ୍ସି କମ୍ପାନୀଗୁଡ଼ିକ ନିର୍ବାଚନ ପ୍ରଚାର ପାଇଁ ପୁରୁଣା ସୋସିଆଲ ମିଡିଆ ପେଜ୍ କିଣନ୍ତି, ନୂଆ ଆକାଉଣ୍ଟ ତିଆରି କରନ୍ତି କିମ୍ବା ପୁରୁଣା ପେଜ୍ର ନାମ ବଦଳାଇ ସେଗୁଡ଼ିକୁ ବ୍ୟବହାର କରନ୍ତି। ଏହି ପେଜ୍ଗୁଡ଼ିକରୁ ଏଭଳି ପୋଷ୍ଟ ଏବଂ ଭିଡିଓ ସେୟାର କରାଯାଏ, ଯାହା ପ୍ରାର୍ଥୀଙ୍କ ନିଜର ଅଫିସିଆଲ୍ ଟିମ୍ ନିଜ ଆକାଉଣ୍ଟରୁ ପୋଷ୍ଟ କରିବାକୁ ଚାହାନ୍ତି ନାହିଁ। ପ୍ରକାଶ, ମେଟା ଏବଂ ଗୁଗଲ୍ ନିୟମ ଅନୁସାରେ, ରାଜନୈତିକ ବିଜ୍ଞାପନ ଦେଉଥିବା ବ୍ୟକ୍ତିଙ୍କୁ ନିଜ ପରିଚୟ ଏବଂ ବିଜ୍ଞାପନ ପାଇଁ ଟଙ୍କା ଦେଉଥିବା ବ୍ୟକ୍ତି ବା ସଂଗଠନର ସୂଚନା ଦେବାକୁ ପଡ଼ିଥାଏ। ମେଟା ନକଲି ପରିଚୟରେ ଆକାଉଣ୍ଟ ଚଳାଇବା ତଥା ଆକାଉଣ୍ଟ କିଣାବିକା କରିବା ଉପରେ ମଧ୍ୟ କଟକଣା ଲଗାଇଥାଏ। ତେବେ, ଏହି ନିୟମରୁ ବର୍ତ୍ତିବା ପାଇଁ ଭିପିଏନ୍ର ବ୍ୟବହାର କରାଯାଉଥିବା ନେଇ ଭାରତୀୟ କନସଲ୍ଟାଣ୍ଟମାନେ ଅଲ୍ ଜଜିରାକୁ କହିଛନ୍ତି। ଏହାଦ୍ୱାରା ଭାରତରେ ବସି ଅନ୍ୟ କୌଣସି ଦେଶର ଲୋକେସନ୍ ଦର୍ଶାଇ ସେଠାକାର ଲୋକଙ୍କ ନିକଟରେ ରାଜନୈତିକ ବିଜ୍ଞାପନ ପହଞ୍ଚାଯାଇପାରେ। ଭିପିଏନ୍ ବ୍ୟବହାର ଦ୍ୱାରା ଏସବୁ କରୁଥିବା ବ୍ୟକ୍ତି ନିଜ ସୂଚନାକୁ ମଧ୍ୟ ଗୋପନୀୟ ରଖିବାରେ ସଫଳ ହୋଇଥାନ୍ତି। ଏବେ ଯେଉଁ ନୂଆ ଅଭିଯୋଗ ଆସିଛି ସେଥିରେ କୁହାଯାଉଛି ଯେ, ବାସ୍ତବରେ ଏହି ଆମେରିକୀୟ ରାଜନେତାମାନେ ନିଜ ସପକ୍ଷରେ ପ୍ରଚାର ପ୍ରସାର କରିବା ପାଇଁ ଭାରତର କିଛି ପ୍ରଖ୍ୟାତ ବ୍ୟବସାୟୀମାନଙ୍କୁ ଦାୟିତ୍ୱ ଦେଉଛନ୍ତି ଏବଂ ବ୍ୟବସାୟୀମାନେ ଏହି ଇନ୍ଫ୍ଲୁଏନ୍ସରଙ୍କୁ କାମରେ ଲଗାଉଛନ୍ତି। ରାଜନୈତିକ କନସଲ୍ଟାନ୍ସି ଉପରେ ପୁସ୍ତକ ଲେଖିଥିବା ଅମୋଘ ଧର ଶର୍ମା ନିଜ ଗବେଷଣା ସମୟରେ ଜର୍ମାନୀ ଏବଂ ଅଷ୍ଟ୍ରେଲିଆରେ ଭାରତୀୟ କମ୍ପାନୀଗୁଡ଼ିକ କାମ କରୁଥିବା ସୂଚନା ମିଳିଥିବା କଥା କହିଛନ୍ତି। ସେହିପରି ଦିଲ୍ଲୀର ରାଜନୈତିକ କନସଲ୍ଟାଣ୍ଟ ତୁଷାର ଗିରି କହିଛନ୍ତି ଯେ ଭାରତରେ ନିର୍ବାଚନ ପ୍ରଚାରର ଅଭିଜ୍ଞତା ଏବେ ଅନ୍ୟ ଦେଶର ନେତାମାନଙ୍କୁ ମଧ୍ୟ ଆକର୍ଷିତ କରୁଛି। ତାଙ୍କ କହିବା ଅନୁସାରେ, ଭାରତରେ କମ୍ ଖର୍ଚ୍ଚରେ ଏଭଳି ଅଭିଯାନ ପରିଚାଳନା କରାଯାଇପାରିବ।


