ସମୀକ୍ଷା ବ୍ୟୁରୋ
ନୂଆଦିଲ୍ଲୀ ରେ ବିଜୁ ଜନତା ଦଳ ତରଫରୁ ଏକ ରାଲିର ଆୟୋଜନ କରି ରାଜ୍ୟର ଚାଷୀଙ୍କୁ ନ୍ୟାୟସଙ୍ଗତ ଭାବରେ ନିଜର ଉତ୍ପାଦନ ବିକ୍ରି ପାଇଁ ସର୍ବନିମ୍ନ ମୂଲ୍ୟ ଦେବାକୁ କେନ୍ଦ୍ର ଉପରେ ଚାପ ପ୍ରୟୋଗ କରିବାର ଉଦ୍ୟମ ହୋଇଛି। ଏକଥା ସତ ଯେ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣରେ ଓ ସ୍ବାମୀନାଥନ କମିଶନର ସୁପାରିଶ ଲାଗୁ କରିବାରେ କେନ୍ଦ୍ର ସରକାର କୌଣସି ଉଚିତ ପଦକ୍ଷେପ ନେଇ ନାହାନ୍ତି। ଭାରତର ଇତିହାସରେ ନରେନ୍ଦ୍ର ମୋଦୀ ସରକାରକୁ ସର୍ବାଧିକ କୃଷକ ବିରୋଧୀ ସରକାର ବୋଲି କହିଲେ ଅତ୍ଯୁକ୍ତି ହେବନାହିଁ। କିନ୍ତୁ ବିଜୁ ଜନତା ଦଳ, ଯିଏ ଓଡିଶାରେ ଗତ ୧୯ ବର୍ଷ ହେଲା ଶାସନ କରି ଆସୁଛି, ସେମାନେ ରାଜ୍ୟର ଚାଷୀଙ୍କ ପାଇଁ ଦିଲ୍ଲୀ ରେ ରାଲି କରିବାର କୌଣସି ଆବଶ୍ୟକତା ନାଇଁ। ବରଂ ରାଜ୍ୟର କୃଷି ଓ କୃଷକର ବିକାଶ ଲାଗି ବିଜେଡ଼ିର ନେତା ନବୀନ ପଟ୍ଟନାୟକଙ୍କ ଭୂମିକା କଣ ରହିଛି, ସେ ବିଷୟରେ ଓଡିଶାବାସୀଙ୍କୁ ଉତ୍ତର ରଖିବା ଅଧିକ ଜରୁରୀ।
କେନ୍ଦ୍ର ସରକାର କୌଣସି କୃଷକ ସଂଗଠନ ବା କୃଷି ପ୍ରସଙ୍ଗରେ ପ୍ରଶ୍ନ ଉଠାଉଥିବା ରାଜନୈତିକ ଦଳମାନଙ୍କ କଥା ଶୁଣୁନାହାନ୍ତି। ସେହି କ୍ରମରେ କେନ୍ଦ୍ର ସରକାର ଯେ ଓଡିଶାର ଦାବୀକୁ ବିଚାର କରିବେ, ତାର କୌଣସି ସମ୍ଭାବନା ନାହିଁ। କଳେ, ବଳେ, କୌଶଳେ ୨୦୧୯ ନିର୍ବାଚନ ଜିଣିବାକୁ ନୂଆ ସ୍ଲୋଗାନ ଓ ନୂଆ ସ୍ଵପ୍ନର ବ୍ଲୁ ପ୍ରିଣ୍ଟ ବିଜେପି ଶିବିରରେ ତିଆରି ଚାଲିଥିବା ବେଳେ ଓଡିଶା ନେତାଙ୍କ ଦିଲ୍ଲୀ ରାଲିର କୌଣସି ପ୍ରଭାବ କେନ୍ଦ୍ର ସରକାର ଉପରେ ପଡିବାର ନାହିଁ। ସେହିପରି ଉଚ୍ଚ ବର୍ଗ ସଂରକ୍ଷଣ ଓ ସିବିଆଇ ମାମଲାରେ ଅଲଝିଥିବା ଥିବା ଦିଲ୍ଲୀ ମିଡିଆ ପାଇଁ ଓଡିଶାର ଚାଷୀ ବଡ ଆକର୍ଷଣ ନୁହନ୍ତି। ଏପରିକି ବିଜେଡି ରାଜନୀତି ମଧ୍ୟ ଦିଲ୍ଲୀରେ ବିଶେଷ ଚର୍ଚ୍ଚାର ବିଷୟ ନୁହେଁ। ସେହି ପୃଷ୍ଠଭୂମିରେ ବିଜେଡ଼ିର ନୂଆଦିଲ୍ଲୀ ରାଲି କେବଳ ସୋସିଆଲ ମିଡିଆରେ ରୋଚକ ଖବର ହୋଇ ରହିଯାଇଛି। ଓଡିଶାର ବିରୋଧୀ ଦଳ ଗୁଡିକ ଚାଷୀ ପ୍ରସଙ୍ଗକୁ ନେଇ ବିଜେଡ଼ିକୁ ଘେରିବା ବାହାନାରେ କେବଳ ସୁଆଙ୍ଗ ଇ କରୁଛନ୍ତି।
ଚାଷ ଓ ଚାଷୀଙ୍କୁ ନେଇ ଯେଉଁ କେତୋଟି ପ୍ରମୁଖ ସମସ୍ଯା ରହିଛି, ତାହାର ସମାଧାନ କରିବା ରାଜ୍ୟ ସରକାରଙ୍କ କାମ। ତାରି ଭିତରେ ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ସ୍ବାମୀନାଥନ କମିଟି ରିପୋର୍ଟ ଲାଗୁ କରିବାର ଦାୟିତ୍ଵ କେନ୍ଦ୍ର ସରକାରଙ୍କର। କିନ୍ତୁ ଓଡିଶା ପ୍ରସଙ୍ଗରେ ଗୋଟିଏ କଥା ଦେଖିବା ରାଜ୍ୟ ସରକାରଙ୍କ ପାଇଁ ଜରୁରୀ। ଯଦିଓ ରାଜ୍ୟ ସରକାର ଓଡିଶାରେ ଚାଷୀଙ୍କ ଆୟ ଦୁଇ ଗୁଣ ବଢିଛି ବୋଲି କହୁଛନ୍ତି, ଆସାଲରେ କିନ୍ତୁ ଆମ ରାଜ୍ୟର ଚାଷୀଙ୍କ ଆୟ ଦେଶର ସବୁଠୁ କମ। କେବଳ ପଶ୍ଚିମବଙ୍ଗ କୁ ବାଦ ଦେଲେ ବାକି ସବୁ ରାଜ୍ୟରେ ଚାଷୀଙ୍କ ଆୟ ଓଡିଶା ତୁଳନାରେ ଢେର ଅଧିକ। ଓଡିଶାରେ ଗୋଟେ ଚାଷୀ ପରିବାର ମାସିକ ହାରାହାରି ୧୪୦୭ ଟଙ୍କା ରୋଜଗାର କରୁଥିବାବେଳେ ପଞ୍ଜାବରେ ଏହା ୧୦,୮୬୨ ଟଙ୍କା। ରାଜ୍ୟ ସରକାର ଚାଷୀଙ୍କ ଆୟ ଦୁଇଗୁଣ ବଢାଇବାର ଲକ୍ଷ୍ୟ ନେଇ କାମ କଲେ ଦୁର୍ଦ୍ଦିନ ସରିବନାହିଁ। ଏହାକୁ ଅତିକମରେ ଚାରି ଗୁଣ ବଢାଇବାର ସୁଯୋଗ ସୃଷ୍ଟି କରିବାକୁ ପଡିବ।
ରାଜ୍ୟର ଅଭିବୃଦ୍ଧିରେ କୃଷିର ଭୂମିକା ଦିନକୁ ଦିନ ଗୌଣ ହୋଇଚାଲିଛି। ୧୯୫୦-୫୧ ବେଳକୁ ରାଜ୍ୟର କୃଷି କ୍ଷେତ୍ର ରୁ ୫୬.୧୦% ଜିଡିପି କୁ ଆସୁଥିଲା। ୨୦୧୫-୧୬ ବେଳକୁ ତାହା ୧୫.୪% କୁ ଖସି ଆସିଛି। ରାଜ୍ୟର ୯୦% କ୍ଷୁଦ୍ର, ନାମମାତ୍ର ଓ ଭାଗ ଚାଷୀ ହୋଇଥିବାରୁ ଓ ସେମାନଙ୍କ ପାଖରେ ଜମି ପରିମାଣ ଅତ୍ୟନ୍ତ ସ୍ବଳ୍ପ ରହିଥିବାରୁ, ସେମାନଙ୍କର ଆୟରେ କୌଣସି ବ୍ୟାପକ ପରିବର୍ତ୍ତନ ଆସି ପାରୁନାହିଁ। ଚାଷୀଙ୍କୁ କେବଳ ପ୍ୟାକେଜ ଦେଇଦେଲେ ସେମାନଙ୍କ ସମସ୍ୟାର ସମାଧାନ ହେବନାହିଁ। ଏଥିପାଇଁ ଠୋସ କାର୍ଯପନ୍ଥା ସ୍ଥିର ହେବା ଜରୁରୀ।
ଚାଷର ପ୍ରଣାଳୀ ଓ କିସ୍ମ ମଧ୍ୟ ବଦଳିବା ଦରକାର। ତେବେ ଚାଷୀଙ୍କ ସମସ୍ୟା ବିଷୟରେ ଭାବିବା ଲାଗି କାହା ପାଖରେ ସମୟ ନାହିଁ। ଶାସକ ବିଜେଡି ନୂଆଦିଲ୍ଲୀରେ କୃଷକ ରାଲି କରୁଥିବାରୁ ତାଙ୍କୁ ପ୍ରତିହତ କରିବାର ଲକ୍ଷ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟ ରାଲି କରୁଛନ୍ତି କିମ୍ବା ବିଜେଡି କୁ ଗାଳି କରୁଛନ୍ତି। ରାଜନୀତିରେ ସେଟା ସ୍ଵାଭାବିକ। ତେବେ ରାଜ୍ୟର ଗଣମାଧ୍ୟମ କିନ୍ତୁ ଚାଷୀ ପ୍ରସଙ୍ଗରେ କୌଣସି ବାସ୍ତବ ତଥ୍ୟ ନରଖି କେଉଁ ନେତା କେମିତି ଦିଲ୍ଲୀ ଗଲେ, କିଏ ପିଜୁଳି ଖାଇଲେ ନା କୁକୁଡା ମାଂସ, ସେସବୁ ବାଜେ ଖବର ଛାପିବାରେ ଅଭ୍ୟସ୍ତ ହୋଇଯାଇଛି। ଚାଷର ରାଜନୀତି ଚାଷୀର ଅସ୍ତିତ୍ଵଠୁ ବହୁତ ବଡ ହୋଇଯାଇଛି।
ରାଜ୍ୟ ସରକାର ବିଜୁ କୃଷକ କଲ୍ୟାଣ ଯୋଜନା, କାଳିଆ ଇତ୍ୟାଦି କଥା କହୁଛନ୍ତି, ଭଲକଥା। କିନ୍ତୁ କେବଳ ପାଞ୍ଚ ହଜାର କି ଦଶ ହଜାର ସହାୟତାରେ ଚାଷୀର ଭାଗ୍ୟ ବଦଳିବ ନାହିଁ। କୃଷି କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ଲଗାଇବା ଓ ଚାଷୀକୁ ତାର ଜୀବିକା ର ସୁରକ୍ଷା ଦେବା, ରାଜ୍ୟ ସରକାରଙ୍କ ଦାୟିତ୍ଵ ନିଶ୍ଚୟ। ଦିଲ୍ଲୀ ରେ ରାଲି ବହୁତ ହୋଇଛି ଓ ହେବ, କିନ୍ତୁ ଚାଷୀ ଥରେ ବାଟ ହୁଡିଗଲେ ତା ଜୀବନର ଗୋଟିଏ ବର୍ଷ ଚାଲିଯିବ। ତେଣୁ ବିରୋଧୀଙ୍କ ତୁଳନାରେ ଶାସକ ବିଜୁ ଜନତା ଦଳ କୃଷକଙ୍କ ପାଖରେ ଅଧିକ ଉତ୍ତରଦାୟୀ ରହିବାକୁ ବାଧ୍ୟ।