ଓଡିଶା ଦେଖୁଛି କୃଷି ବିପ୍ଳବ,ବୌଦ୍ଧ ଚାଷୀଙ୍କ ୨ କିଲୋର ମୂଳା

Published: Jan 17, 2019, 1:14 pm IST

ବୌଦ୍ଧାୟନ ଆଚାର୍ୟ

ବିକାଶ,ବିପ୍ଳବ,ବିବିଧତା । ଏସବୁକୁ ବୁଝିଥିବା ଓଡିଶା ଆଉ ପୁରୁଣା ଓଡିଶା ହୋଇ ରହିନାହିଁ । ଏହି ଓଡିଶାରେ ଏବେ ଭରପୁର ହୋଇ ରହିଛି ଅନେକ ସମ୍ଭାବନା । କୃଷକଟିଏ ଏଠି ସରକାରୀ ସହାୟତା ପାଇବା ସହ କରୁଛି ପରିଶ୍ରମ । ଆଉ କୃଷି ପ୍ରତି ନିଷ୍ଠା ଦେଉଛି ବଡ ସଫଳତା । ବୌଦ୍ଧର ଚାଷୀ ଜୀବନ ଶତପଥୀ । ଯୋଗୀଭଗରା ଭଳି ଏକ ଅପନ୍ତରା ଗାଁର ଏହି ଚାଷୀ ଏବେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ନିଜର ଏକ ଏକର ଜମିରେ ଶାଗ ସହ ମୂଳା ଚାଷ କରିଥିଲେ ଜୀବନ । ଆଉ ଏହି ଜମିରୁ ଏବେ ବାହାରିଛି ୨ କିଲୋର ବିଶାଳ ମୂଳା । ବିଶାଳ ମୂଳକୁ ଦେଖିବାକୁ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି। ସାଧାରଣତଃ କୌଣସି ହରମୋନ ବ୍ୟବହାର ନ କରି ଏତେ ବଡ ମୂଳା ବାହାରିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟର ବିଷୟ।

କେମିତି ଥିଲା ଏହି ଚାଷୀଙ୍କ ପରିଶ୍ରମ-

ଜମି ଦେଇ ବହିଯାଉଥିଲା ସାଲୁଙ୍କି ନଦୀ । ନଈ ପାଣି ସହ ମିଶିଥିଲା ଜୀବନଙ୍କର ବୁନ୍ଦା ବୁନ୍ଦା ଝାଳ । ନଦୀରେ ପାଣି କମ ଥିଲେ ବି ବିଶ୍ୱାସ ଥିଲା ପ୍ରକୃତି ସାଥ ଦେବ । ସରକାରୀ ଯୋଜନାକୁ ଆଧାର କରି ଜୀବନ ଭରସା କରିଥିଲେ । ଦିନରାତି ପରିଶ୍ରମ କରିବା ସହ ଗୋମୂତ୍ର ଓ ଜୈବିକ ସାର ଜମିରେ ପ୍ରୟୋଗ କରିଥିଲେ  । ବାହାର କୀଟନାଶକ ଅପେକ୍ଷା ଗୋବର ଖତ ସାଙ୍ଗକୁ ଉତ୍ତମ କୃଷି ପରିଚାଳନା କରିଥିଲେ  । ଏଥିରେ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ମା ଓ ପତ୍ନୀ  । ଧୀରେ ଧୀରେ ବଢ଼ିବାରେ ଲାଗିଥିଲା ମୂଳା ଗଛ, ଆଉ ଅମଳ ସମୟରେ ଯେତେବେଳେ ମାଟି ଖୋଳା ଯାଇଥିଲା ମାଟିରୁ ବାହାରିଥିଲା ଏହି ବିଶାଳ ମୂଳା । ନିଜ ସାଥିମାନେ ଚାଷ ଛାଡି ବାହାରକୁ ଚାଲିଯାଉଥିବାବେଳେ ଜୀବନ କିନ୍ତୁ ଗାଁରେ ରହିଥିଲେ । କୃଷିକୁ ମୁଖ୍ୟ ଆୟୁଧ ବନାଇଥିଲେ ।

ଏହି କାହାଣୀ କେବଳ ଜୀବନଙ୍କର ନୁହେଁ । ବରଂ ସାରା ରାଜ୍ୟର କୃଷକର ସମସ୍ୟାକୁ ନେଇ ଅନେକ ବିରୋଧ ହେଉଥିଲେ ବି ଚାଷୀ କିନ୍ତୁ ତା ବାଟରେ ଲାଗିଛି । କୌଣସି ସମାଲୋଚନା ମନ୍ତବ୍ୟକୁ କାନରେ ନ ଦେଇ ଜମିରେ ପୁରା ଦିନ କାଟୁଛି । ଉନ୍ନତ ଜ୍ଞାନକୌଶଳ ସାଙ୍ଗକୁ ଆଧୁନିକ କୃଷି ପଦ୍ଧତିକୁ ଆପଣେଉଛି ଚାଷୀ । ଆଉ ଓଡିଶା ସେଥିପାଇଁ କୃଷିକର୍ମଣ ପୁରସ୍କାର ପାଇବାରେ ସବୁଠୁ ଆଗରେ । ଚାଷୀଙ୍କ ସମସ୍ୟାକୁ ନେଇ ବାରମ୍ବାର ଚିତ୍କାର କରୁଥିବା ନେତାଙ୍କୁ ନିଶ୍ଚିତ ଏହା ବାଧିବ ।

Related posts