ବଡ ଖବର: ଗୋଟିଏ ଦିନରେ ଓଡିଶାରେ 15 କରୋନା ରୋଗୀ ଚିହ୍ନଟ, ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା 20ରେ ପହଁଞ୍ଚିଲା

Published: Apr 3, 2020, 11:50 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର :ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଆଜି ଗୋଟିଏ ଦିନରେ ଓଡିଶାରୁ ଏକାଥରେ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ ପ୍ରଥମ ଥର ପାଇଁ ପୁରୀ ଏବଂ ଯାଜପୁରରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ସର୍ବାଧିକ ସୂର୍ଯ୍ୟନଗର ପଜେଟିଭଙ୍କ ସଂସ୍ପର୍ଶରେ ଆସିଥିବା 7ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ ଆକ୍ରାନ୍ତଙ୍କ ସ୍ତ୍ରୀ, ଝିଅ ଏବଂ ଭଡା ରହୁଥିବା ବ୍ୟକ୍ତିମାନେ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁସାରେ ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ପରି ବମିଖାଲ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି 3 ଜଣଙ୍କୁ ଏହ୍ କୋଭିଡ19 ସଂକ୍ରାମଣ ହୋଇଛି। ସେହିପରି କଟକରୁ ଆଉ ଜଣେ, ପୁରୀରୁ ଜଣେ, ଯାଜପୁରର ଜଣେ ଏବଂ ଭଦ୍ରକରୁ 2 ଜଣଙ୍କଠାରେ ପଜେଟିଭ ଚିହ୍ନଟ ହୋଇଛି। ଫଳରେ ଓଡିଶାର ମୋଟ ପଜେଟିଭ ସଂଖ୍ୟା 20 କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ମୋଟ 1113 ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ମୋଟ 20ଟି ପଜେଟିଭ ବାହାରିଛି। କେବଳ ଆଜି ମୋଟ 282ଟି ନମୂନା ପରୀକ୍ଷା ପାଇଁ ଦିଆଯାଇଥିଲା। ସେଥିରେ ଆରଏମଆରସି ରେ 237ଟି, ଏମସରେ 25ଟି, ଏସସିବିରେ 20ଟି ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ଆଜି ପ୍ରଥମ ଥର ପାଇଁ ଏକାଥରେ 15ଟି ପଜେଟିଭ ବାହାରିଛି।

Related posts