ମହାମାରୀର ଅର୍ଥନୀତି ଓ ଅର୍ଥନୀତିର ମହାମାରୀ, ଏକ ଭୟଙ୍କର ଚକ୍ରବ୍ୟୁହରେ ଆମେ ସମସ୍ତେ

Published: May 23, 2020, 8:05 am IST

କେଦାର ମିଶ୍ର

ଓଡିଶାର ପ୍ରଥମ କ୍ଷୁଦ୍ରଗଳ୍ପ “ରେବତୀ” ଯେଉଁମାନେ ପଢିଥିବେ, ସେ ଗପର ପୃଷ୍ଠଭୂମିରେ ସେ ସମୟର ମହାମାରୀ ହଇଜାର ଭୀଷଣ ଚେହେରାକୁ ମଧ୍ୟ ଦେଖିଥିବେ। ଓଡ଼ିଆ କଥାସାହିତ୍ୟର ମହାନାୟକ ଫକୀର ମୋହନ ସେନାପତିଙ୍କ କଲମରେ ୧୫୦ ବର୍ଷ ତଳର ଓଡିଶାର ଜୀବନ ଚିତ୍ର ଓ ସେଥିରେ ମହାମାରୀର ଏକ ଅର୍ଥନୈତିକ ଚରିତ୍ର ଆମେ ଦେଖିଥିଲୁ। ହଇଜାରେ ପଡି ପାଟପୁର ଗାଁର କରଣ ଶ୍ୟାମବନ୍ଧୁ ମହାନ୍ତି ଯେତେବେଳେ ପ୍ରାଣ ହରାନ୍ତି, ତାର ତିନିମାସ ଭିତରେ ତାଙ୍କ ପରିବାରର ଅର୍ଥନୀତି ଭୁଷୁଡି ପଡେ। ଶ୍ୟାମବନ୍ଧୁଙ୍କ ଘର ଉଜୁଡିଯିବାର କାରଣ ହଇଜା ଯେତିକି ନୁହଁ, ତାଠୁ ଅଧିକ ଜମିଦାରଙ୍କର ଶୋଷଣ। ହଇଜା ପରେ ପରେ ଜମିଦାରଙ୍କର ଶୋଷଣ ଉତ୍କଟ ହୋଇଛି। ଖଜଣା ବାକି ରହିଛି ବୋଲି କହି ଶ୍ୟାମବନ୍ଧୁଙ୍କର ଦୁଇ ଦୁଧିଆଳୀ ଗାଈଙ୍କୁ ଜମିଦାର ଘର ପିଆଦା ବାନ୍ଧି ନେଇଛି। ଜମି କୋରଖ ହୋଇଛି। ମହାମାରୀ ଓ ଶାସକ ବର୍ଗର ଶୋଷଣ  କେମିତି ସମତାଳରେ ସମାଜ ଜୀବନକୁ ବିପର୍ଯ୍ୟସ୍ତ କରିପକାଏ ତାର କାହାଣୀ ଫକୀର ମୋହନ ଆମକୁ କହି ଯାଇଛନ୍ତି।

ତେବେ “ରେବତୀ” ରଚନାର ୧୨୫ ପରେ ବି ମହାମାରୀର ଚିତ୍ର ବଦଳିଛି କି? ଆଜି ୨୦୨୦ ମସିହାରେ ଯେତେବେଳେ ଏକ ଭୟଙ୍କର ମହାମାରୀର ଚିତ୍ର ଆମେ ଦେଖୁଛୁ, ସେତେବେଳେ ଫକୀର ମୋହନ ଆମକୁ ଅଧିକ ପ୍ରାସଙ୍ଗିକ ଲାଗୁଛନ୍ତି। କରୋନା ସମୟର ଯେଉଁ ଚିତ୍ର ଓ ଚରିତ୍ରମାନଙ୍କୁ ଆମେ ଦେଖୁଛୁ, ସେମାନେ ରେବତୀ ଗପରୁ ବାହାରି ଯେମିତି ଆଜିର ସମୟରେ ପହଞ୍ଚି ଯାଇଛନ୍ତି। ଲକ୍ଷ ଲକ୍ଷ ଲୋକ ଆଜି ରାସ୍ତାରେ ଘରକୁ ଫେରିବାକୁ ବିକଳ ହେଉଛନ୍ତି। ସେମାନେ ସରକାରୀ ଅବହେଳା ଓ ଶୋଷଣର ସବୁଠୁ ବଡ ଶିକାର। କୋଟି କୋଟି ଲୋକଙ୍କର ଆଜି ଜୀବିକା ଉଜୁଡି ଯାଇଛି। ମହାମାରୀର ଭୂତାଣୁ ଯେତିକି ଭୟଙ୍କର ନୁହେଁ, ତାଠୁ ଅଧିକ ଶୋଷଣ ଓ ଅମାନବୀୟ ଶାସନର ଚେହେରା ଆମେ ଦେଖୁଛୁ। ଲୋକଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇବା କଥା କହି ଲୋକଙ୍କ ମନରେ ଅଧିକ ଭୟ ପୂରେଇ ଦିଆ ଯାଇଛି।

ତେବେ ଏହି ସମୟର ସବୁଠୁ ବଡ ଖବର କିନ୍ତୁ ଆଉ ଗୋଟେ ଦିଗରୁ ଆସୁଛି। ଯେତେବେଳେ ଦେଶର ପାରମ୍ପରିକ କମ୍ପାନୀ ସବୁ ବୁଡି ଯାଉଛନ୍ତି, ସେତେବେଳେ ଗୋଟିଏ କମ୍ପାନୀ ମାଲାମାଲ ହୋଇ ଚାଲିଛି। କରୋନା ସଂକ୍ରମଣ ସମୟରେ ଏକମାତ୍ର ଭାରତୀୟ କମ୍ପାନୀ ସର୍ବାଧିକ ପୁଞ୍ଜି ଯୋଗାଡ କରିବାରେ ସମର୍ଥ ହୋଇଛି। କହିବା ବାହୁଲ୍ୟ ସେ ଆଉ କେହି ନୁହନ୍ତି, ଏ ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ। ଦେଶର ସବୁ ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନ ତାଲା ବନ୍ଦ ସମୟରେ କ୍ଷତି ସହୁଥିବା ସମୟରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଲାଭ ଉଠାଇ ଚାଲିଛି। ମହାମାରୀ ସମୟରେ ସର୍ବାଧିକ ପୁଞ୍ଜି ବିନିଯୋଗର ଦୁଆର ଏହିଠାରେ ହିଁ ଖୋଲିଛି। ଦେଶର ଖୁଚୁରା ବଜାର, ଅତ୍ୟାବଶ୍ୟକ ସାମଗ୍ରୀ ବଜାର ଓ ଯୋଗାଯୋଗ କ୍ଷେତ୍ରରେ ଅମ୍ବାନୀ ପରିବାରର ପ୍ରଭାବ କରୋନା ସଙ୍କଟ ସମୟରେ ଅଧିକ ବଳଶାଳୀ ହୋଇଛି।

ଏହି ସମୟରେ କିନ୍ତୁ ସାଧାରଣ ମଣିଷର ମେରୁଦଣ୍ଡ ପୂରା ଭାଙ୍ଗି ଯାଇଛି। ଆଜି ଦେଶରେ ଅଭୂତପୂର୍ବ ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଛି। ହେଲେ ଅର୍ଥନୀତିକୁ ନେଇ ଆମର ଶାସକ ବର୍ଗ ଏମିତି ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ଯେମିତି ସତରେ କିଛି ଘଟିନାହିଁ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଦେଶର ପ୍ରମୁଖ ଅର୍ଥନୀତିଜ୍ଞମାନେ କହୁଛନ୍ତି  ଦେଶର ଅର୍ଥନୈତିକ ଅଭିବୃଦ୍ଧି ନକାରାତ୍ମକ କ୍ଷେତ୍ରକୁ ଚାଲିଯିବ।ହେଲେ ସରକାର ଏ କଥାକୁ ଆଜି ମଧ୍ୟ ଆଡେଇ ଚାଲିଛନ୍ତି। ମହାମାରୀର ରାଜନୀତି ଆମର ଅର୍ଥନୀତିକୁ ଭୀଷଣ ଭାବରେ ପ୍ରଭାବିତ କରିବାକୁ ଯାଉଛି।

ଇତି ମଧ୍ୟରେ ବହୁ ବିଦେଶୀ ଓ ସ୍ଵଦେଶୀ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ବିଦା କରି ସାରିଲେଣି। ଇଣ୍ଡିଆ ବୁଲ-୨୦୦୦, ଓଲା ୧୪୦୦, ଉବର ୬୫୦୦, ଜମାଟୋ ୫୦୦, ସ୍ଵିଗି ୧୦୦୦, ଓୟୋ ୫୦୦୦, ଏମିତି ଛଟେଇ କରୁଥିବା କମ୍ପାନୀମାନଙ୍କର ତାଲିକା ଏବେ ବହୁତ ଲମ୍ବା। ଏପରିକି କରୋନା ସଙ୍କଟ ସମୟରେ ସର୍ବାଧିକ ପୁଞ୍ଜି ଯୋଗାଡ କରିଥିବା ରିଲାଏନ୍ସ ନିଜ କର୍ମଚାରୀଙ୍କର ଦରମା କାଟ କରିଛି। ଉପର ସ୍ତରରେ ଛଟେଇ ଯେତେ ବ୍ୟାପକ ହେବ, ତଳ ସ୍ତରରେ ଏହାର ପ୍ରଭାବ ଅଧିକ ପଡିବ। ଲମ୍ବା ସମୟ ଧରି ଲକ ଡାଉନ ରହିବା ଫଳରେ ଅସଂଗଠିତ ବଜାର ଓ କର୍ମକ୍ଷେତ୍ର ସଂପୂର୍ଣ୍ଣ ଉଜୁଡି ଯାଇଛି। ଏଥିରୁ ମୁକୁଳିବାର ବାଟ କାହାକୁ ଜଣା ନାହିଁ।

ଏ ସମ୍ପର୍କରେ ଆଲୋଚନା କରିବାକୁ କୌଣସି ପେଷାଦାର ଅର୍ଥନୀତିଜ୍ଞ ବା ଅଭିଜ୍ଞ ରାଜନେତାଙ୍କ ସହ କଥା ହେବାକୁ ଆଜିର ସରକାର ଚାହୁଁନାହାନ୍ତି। ନୀତି ଆୟୋଗ ଏହି ସମୟରେ ନିଜକୁ ଏକ ପ୍ରକାର ତାଲା ବନ୍ଦ କରି ରଖିଛନ୍ତି। ତାଲା ବନ୍ଦର ପ୍ରଭାବରେ ମଇ ୧୫ ସୁଦ୍ଧା ଦେଶରେ କରୋନା ସଂକ୍ରମଣ ଶୂନ ହୋଇଯିବ ବୋଲି କହୁଥିଲେ। ଏଥିରୁ ନୀତି ଆୟୋଗର ବାସ୍ତବ ବୁଝାମଣାକୁ ଆମେ ବୁଝିପାରିବା।

ଆଗକୁ କରୋନା ମହାମାରୀ ସହିତ ଅର୍ଥନୀତିର ମହାମାରୀକୁ ମଧ୍ୟ ଆମକୁ ସାମ୍ନା କରିବାକୁ ପଡିବ। ଅତ୍ୟଧିକ ଆତ୍ମବିଶ୍ବାସର ସହିତ କାମ କରିବାକୁ ଭଲ ପାଉଥିବା ଆଜିର ସରକାର, ଏ କ୍ଷେତ୍ରରେ କଣ କରିବେ, ତାହା ବୋଧେ ତାଙ୍କୁ ବି ଜଣାନାହିଁ!! ଏଥିରେ ସାଧାରଣ ନାଗରିକ ବା କରିବ କଣ?

Related posts