Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରମିଳା ବିଷୋୟୀ ଲୋକସଭାକୁ ଗଲେ କହିବେ କଣ ଓ କରିବେ କଣ- ଏ ପ୍ରଶ୍ନ ପଚାରିବାକୁ ଆମେମାନେ କେତେ ଯୋଗ୍ୟ ?
ବିଶେଷ ଖବର

ପ୍ରମିଳା ବିଷୋୟୀ ଲୋକସଭାକୁ ଗଲେ କହିବେ କଣ ଓ କରିବେ କଣ- ଏ ପ୍ରଶ୍ନ ପଚାରିବାକୁ ଆମେମାନେ କେତେ ଯୋଗ୍ୟ ?

March 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Pramila Bisoyi get BJD MP Ticket from Aska
Pramila Bisoyi get BJD MP Ticket from Aska

କେଦାର ମିଶ୍ର

ପ୍ରମିଳା ବିଷୋୟୀ, ବୟସ ସତୁରୀ, ଶିକ୍ଷାଗତ ଯୋଗ୍ୟତା ଦ୍ଵିତୀୟ ଶ୍ରେଣୀ ଓ ବୃତ୍ତିରେ ସମାଜସେବୀ। ତାଙ୍କୁ ଆସ୍କା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ କରାଗଲା ପରେ ହଠାତ ତାଙ୍କର ଦକ୍ଷତା ଓ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠା ହେଉଛି। ଏ ଦେଶର ଲୋକସଭାରେ ଜଣେ ଅଳ୍ପ ପାଠ ପଢିଥିବା ମହିଳା କଣ କରିପାରିବେ ବୋଲି ସନ୍ଦେହ ପ୍ରକଟ କରାଯାଉଛି। ସନ୍ଦେହ ଉଠିବା ସ୍ଵାଭାବିକ। ବିଜେଡି ଟିକେଟ ପାଇଲା ପରେ ପ୍ରମିଳାଙ୍କୁ ଜଣେ ସାମ୍ବାଦିକ ସେକଥା ପଚାରିଲେ ମଧ୍ୟ। ଏହାର ଉତ୍ତରରେ ପ୍ରମିଳା ଯାହା କହିଲେ, ତାହା ମୋ ମତରେ ମୁଁ ଶୁଣିଥିବା ସବୁଠୁ ଚମତ୍କାର ଉତ୍ତରମାନଙ୍କ ଭିତରୁ ଅନ୍ୟତମ। ପ୍ରମିଳାଙ୍କ କହିବା କଥା ହେଲା, ମୁଁ ଭଲ ଓଡିଆ ପଢିପାରେ ଓ ଲେଖିପାରେ। ଲୋକସଭାରେ ସେଟା କଣ ଯଥେଷ୍ଟ ନୁହେଁ? ଲୋକସଭା ଯଦି ଲୋକଙ୍କର ସଭା ତାହେଲେ ସେଠି ଲୋକଙ୍କର ଭାଷା କାହିଁକି ଚଳିବ ନାହିଁ? ପ୍ରମିଳାଙ୍କ ଶିକ୍ଷାଗତ ଯୋଗ୍ୟତା ତୁଳନାରେ ପ୍ରମିଳାଙ୍କ ଅଭିଜ୍ଞତା ଓ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ କରାଇବାରେ ତାଙ୍କର ଭୂମିକା ତାଙ୍କର ଯୋଗ୍ୟତା ହେବନାହିଁ କାହିଁକି? ଗଞ୍ଜାମ ଜିଲ୍ଲାରେ ହଜାର ହଜାର ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଏକତ୍ରୀତ କରି ମହିଳାଙ୍କ ପାଇଁ  ଆର୍ଥିକ ସ୍ଵାଧୀନତା ଯୋଗାଇବାରେ ଯେଉଁ ଭଦ୍ର  ମହିଳା ଅତ୍ୟନ୍ତ ଦକ୍ଷ ଭୂମିକା ତୁଲାଇଛନ୍ତି, ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିବା ଆମର ନିର୍ବୋଧତା ନୁହେଁ କି?

ଶିକ୍ଷାଗତ ଯୋଗ୍ୟତା ରାଜନୀତିରେ ଏକମାତ୍ର ମାପକାଠି ନୁହେଁ। ଆଜିର ପ୍ରଧାନମନ୍ତ୍ରୀ ଅନେକ ସମୟରେ “ହାର୍ଭାର୍ଡ ବନାମ ହାର୍ଡ ୱାର୍କ” ପ୍ରସଙ୍ଗ ଉଠାଇଛନ୍ତି। କେବଳ ପାଠ ପଢିଦେଲେ ରାଜନୀତିରେ ପରିବର୍ତ୍ତନ ଆସିବ ନାଇଁ। ପାଠ ସହିତ ସାମାଜିକ ଓ ରାଜନୈତିକ ଅଭିଜ୍ଞତା ରାଜନୀତି ଲାଗି ବେଶୀ ପ୍ରାସଙ୍ଗିକ। ଆଜି ସାରା ଦେଶରେ ଅନେକ ମହିଳା ନେତ୍ରୀ ଅଛନ୍ତି, ଯେଉଁ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ହୁଏତ କମ, କିନ୍ତୁ ରାଜନୀତିରେ ସେମାନଙ୍କର ଯୋଗଦାନ ଅନେକ ପ୍ରଭାବଶାଳୀ ସାମାଜିକ ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇ ପାରିଛି। ଗ୍ରାମ ପଞ୍ଚାୟତ ସ୍ତରରେ ଏହି ମହିଳାମାନେ ଇ ପରିବର୍ତ୍ତନର ସୂତ୍ରଧର ସାଜିଛନ୍ତି। ଅନେକ ସରପଞ୍ଚ ଅଛନ୍ତି, ଯେଉଁ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ହୁଏତ ପ୍ରଥମ ବା ଦ୍ଵିତୀୟ ଶ୍ରେଣୀ, କିନ୍ତୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ମହିଳାମାନେ ବିରାଟ ପରିବର୍ତ୍ତନ ଆଣିଛନ୍ତି।

ଓଡିଶାରେ  ମହିଳା ସଶକ୍ତିକରଣ ଓ ଆର୍ଥିକ ଦୃଷ୍ଟିରୁ ମହିଳାଙ୍କୁ ସ୍ବାବଲମ୍ବୀ କରିବାର ଉଦ୍ୟମ ଯୋଗୁଁ ଗ୍ରାମୀଣ ସ୍ତରରେ ଅନେକ ଉଦ୍ୟୋଗୀ ବାହାରିଛନ୍ତି। ଏମାନେ ସ୍ଥାନୀୟ ଓ ଘରୋଇ ଉତ୍ପାଦନର ବଜାର ସୃଷ୍ଟି କରି ବିରାଟ ଉଦାହରଣ ପାଲଟିଛନ୍ତି। ନଳବନ୍ତ ଗାଁ ର ସତସଙ୍ଗ ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଭୂମିକାରେ ପ୍ରମିଳା ବିଷୋୟୀଙ୍କ ଭୂମିକା କେବଳ ଆଜି ନୁହଁ, ବରଂ ବହୁ ଆଗରୁ ଚର୍ଚ୍ଚିତ। ତାଙ୍କୁ ଆଜି ବିଜୁ ଜନତା ଦଳ ଲୋକସଭା ଟିକଟ ଦେଇଛି ବୋଲି ସେ ଯେ ଚର୍ଚ୍ଚିତ, ସେକଥା କହିବା ଭୁଲ ହେବ। ବରଂ, ଗଣତନ୍ତ୍ରର ଅସଲ ଆଦର୍ଶ ହେଉଛି ପ୍ରମିଳା ବିଷୋୟୀମାନଙ୍କୁ ଏ ଦେଶର ନୀତି ଓ ନିୟମ ପ୍ରଣୟନରେ ପ୍ରମୁଖ ଭୂମିକା ଦେବା। ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ଏମାନେ ଯେଉଁ ଉଲ୍ଲେଖନୀୟ ଅଭିଜ୍ଞତା ହାସଲ କରିଛନ୍ତି, ତାକୁ ସର୍ବୋଚ୍ଚ ନୀତି ପ୍ରଣୟନ କ୍ଷେତ୍ରରେ ଉପଯୋଗ କରିବା ଆମ ଗଣତନ୍ତ୍ରର ପ୍ରଧାନ ଲକ୍ଷ୍ୟ ହେବା ଉଚିତ।

ପ୍ରମିଳାଙ୍କ ପରି ଅଭିଜ୍ଞ ନେତ୍ରୀଙ୍କୁ ହୁଏତ ତାତ୍ସଲ୍ୟ କରିବା ସହଜ। ସେ ଲୋକସଭାରେ କଣ କରିପାରିବେ ବା କହିପାରିବେ  ବୋଲି କହି ତାଙ୍କୁ ତୁଚ୍ଛ କରିଦେବା ମଧ୍ୟ ସହଜ। ହେଲେ ପ୍ରମିଳା ବିଷୋୟୀମାନେ ଯେତେବେଳେ କହିବା ଆରମ୍ଭ କରନ୍ତି ସେତେବେଳେ ବହୁ ଉଚ୍ଚ ଶିକ୍ଷିତଙ୍କ ପାଟି ଥମ ହୋଇଯାଏ। ସାମାଜିକ ଜୀବନରେ ଏମାନେ ଏମିତି ଅଭିଜ୍ଞତା ହାସଲ କରି ଆସିଥାନ୍ତି, ଯାହାକି ଶିକ୍ଷିତଙ୍କ ପାଇଁ ସାତସ୍ଵପ୍ନ। ଶିକ୍ଷାକୁ କେବଳ ଏକ ସାର୍ଟିଫିକେଟ ବୋଲି ଭାବୁଥିବା ଲୋକଙ୍କ ପାଇଁ ପ୍ରମିଳା ବିଷୋୟୀ ହୁଏତ ଗ୍ରହଣୀୟ ହୋଇ ନପାରନ୍ତି, କିନ୍ତୁ ଦେଶର ସର୍ବୋଚ୍ଚ ବିଧାୟକ ସଭାରେ ଏ ପ୍ରକାର ନେତୃତ୍ବର ସର୍ବାଧିକ ଆବଶ୍ୟକତା ରହିଛି।

ଶେଷରେ ଏକ ବ୍ୟକ୍ତିଗତ ଅନୁଭବର କଥା କହି ଏ ପ୍ରସଙ୍ଗକୁ ସାରିବା। ୧୯୯୦ ଓଡିଶା ବିଧାନସଭା ନିର୍ବାଚନରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇ ଫେରିବେ ବୋଲି ପ୍ରବଳ ହାୱା ବୋହୁଥାଏ। ସେତେବେଳେ ଆମେ ସବୁ କଲେଜ ଛାତ୍ର। ଆମ ସୋନପୁର ନିର୍ବାଚନ ମଣ୍ଡଳୀରୁ କୁନ୍ଦୁରୁ କୁଶଳ ନାମକ ଜଣେ ଇଟାଭାଟି ଶ୍ରମିକଙ୍କୁ ବିଜୁ ବାବୁ ଜନତା ଦଳର ଟିକଟ ଦେଉଛନ୍ତି ବୋଲି ଆମେ ଶୁଣୁଥିଲୁ। କୁନ୍ଦୁରୁ ବାବୁ ପ୍ରାୟ ନିରକ୍ଷର। ଏହାର ପ୍ରତିବାଦ କରିବାକୁ ଆମେ ପ୍ରାୟ ୨୦ ଜଣ ଯୁବକ ଓ ଛାତ୍ର ସେତେବେଳେ ନବୀନ ନିବାସକୁ ଆସିଥିଲୁ। ସେତେବେଳେ ବିଜୁ ବାବୁ ଆମକୁ କହିଥିଲେ- “ଗେଟ ଆଉଟ, କାନ୍ଦୁରୁ ଏ ରାଜ୍ୟର ସବୁଠୁ ଭଲ ବିଧାୟକ ହେବ”। ଆମେ ସବୁ ସେତେବେଳେ ବିଜୁ ବାବୁଙ୍କ ଉପରେ ରାଗିକି ନବୀନ ନିବାସରୁ ଫେରିଥିଲୁ। ପରବର୍ତ୍ତୀ ସମୟରେ କୁନ୍ଦୁରୁ ବାବୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଓ ସୋନପୁରରେ ବହୁ ଶିକ୍ଷିତ ବିଧାୟକ ଯାହା କରିବାକୁ ସମର୍ଥ ହୋଇନଥିଲେ, କୁନ୍ଦୁରୁଙ୍କ ନେତୃତ୍ଵରେ ତାହା ସଫଳ ହୋଇଥିଲା। ଆଜି ବି ସୋନପୁରର ସବୁଠୁ ସଫଳ ଓ ଲୋକପ୍ରିୟ ବିଧାୟକ ଭାବରେ ସ୍ଵର୍ଗତ କୁନ୍ଦୁରୁ କୁଶଳଙ୍କୁ ଲୋକ ମନେ ରଖିଛନ୍ତି। ସବୁଠୁ ଦୁଃଖର କଥା ହେଉଛି, ୧୯୯୦ ରେ ଯେଉଁ ଶିକ୍ଷିତ ନେତାଙ୍କ ଲାଗି ଆମେ ବିଜୁ ବାବୁଙ୍କ ପାଖରେ ଲବି କରିବାକୁ ଆସିଥିଲୁ ସେ ପରବର୍ତ୍ତୀ ସମୟରେ ଜଣେ ନିଶାଖୋର ବ୍ୟକ୍ତି ସାବ୍ୟସ୍ତ ହେଲେ।

ଏକଥା କହିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଗଣତନ୍ତ୍ରରେ କୁନ୍ଦୁରୁ କୁଶଳ ଓ ପ୍ରମିଳା ବିଷୋୟୀମାନେ ଲୋକଙ୍କର ଆଶା ତଥା ଅଭୀପ୍ସାକୁ ଯେମିତି ବୁଝନ୍ତି, ସେମିତି ବୋଧଶକ୍ତି ଆମ ତଥାକଥିତ ଉଚ୍ଚ ଶିକ୍ଷିତଙ୍କ ପାଖରେ ନାହିଁ।

aska Ganjam NaveenPatnaik SHG
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ରିପୋର୍ଟ ଦେଲା କମିଟି, ଏଥିରେ ଅଛି..

September 21, 2026

ଗଭୀର ଅବପାତର ରୂପ ନେବ ଲଘୁଚାପ, ସର୍ବାଧିକ ୭୫ କିଲୋମିଟର ବେଗରେ ବହିବ ପବନ

September 21, 2026

ଟିଏମସିର ନିର୍ବାଚନ ଚିହ୍ନ ଫ୍ରିଜ୍ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କପିଲ ସିବଲ

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026
Latest News

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026

ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କା: ପ୍ରସ୍ତୁତି ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.