ନିମୋନିଆ ଶିଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ ମାରାତ୍ମକ ଜୀବାଣୁଜନିତ ରୋଗ। ମୁଖ୍ୟତଃ ‘ନିମୋକୋକସ’ ଜୀବାଣୁ ଦ୍ୱାରା ଫୁସଫୁସରେ ସଂକ୍ରମଣ ହେଲେ ନିମୋନିଆ ହୋଇଥାଏ, ଯାହା ଶିଶୁର ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ୫ ବର୍ଷରୁ କମ୍ ବୟସର ଶିଶୁ, କମ୍ ଓଜନ ବିଶିଷ୍ଟ କିମ୍ବା ସମୟ ପୂର୍ବରୁ ଜନ୍ମିତ ଶିଶୁ ଏବଂ କୁପୋଷଣ ବା କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁମାନେ ଏଥିରେ ଅଧିକ ଆକ୍ରାନ୍ତ ହୁଅନ୍ତି। ଧୂଆଁମୟ ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ସଂକ୍ରମିତ ବ୍ୟକ୍ତିଙ୍କ କାଶ ଓ ଛିଙ୍କ ଦ୍ୱାରା ଏହା ବ୍ୟାପିଥାଏ। ତେବେ ସଠିକ୍ ସମୟରେ ପି.ସି.ଭି ଟିକାକରଣ, ପ୍ରଥମ ୬ ମାସ କେବଳ ମା’ କ୍ଷୀର, ସ୍ୱଚ୍ଛତା ଓ ଉପଯୁକ୍ତ ଯତ୍ନ ଦ୍ୱାରା ଏଥିରୁ ଶିଶୁକୁ ରକ୍ଷା କରାଯାଇପାରିବ।
ନିମୋନିଆ ଆଶଙ୍କା:
– ଧୂଆଁ ପାଖରେ ଦୀର୍ଘ ସମୟ ଧରି ବସି ରହିଲେ ଏବଂ ଜଳବାୟୁରେ ପରିବର୍ତ୍ତନ ହେଲେ ନିମୋନିଆ ହେବାର ଆଶଙ୍କା ଅଧିକ ଥାଏ।
– ସେହିପରି ଶିଶୁର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ଏବଂ ପୁଷ୍ଟିକର ଖାଦ୍ୟ ନ ଖାଇଲେ ନିମୋନିଆ ହୋଇପାରେ।
– ଓଜନ କମ୍ ଥିବା ଶିଶୁ କିମ୍ବା ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ କ୍ଷେତ୍ରରେ ଏହି ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ।
କିପରି ସତର୍କ ରହିବେ?
– ନିମୋନିଆ ହୋଇଥିବା ଶିଶୁକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖିବେ। ଖାଲି ପାଦରେ ବାହାରକୁ ଯିବାକୁ ଦେବେ ନାହିଁ।
– ପିଇବା ପାଣି ଫୁଟାଇ ଦେବା ସହ ତାକୁ ଘୋଡ଼ାଇ ରଖିବେ।
– ଶିଶୁଙ୍କୁ ଖୁଆଇବା ପୂର୍ବରୁ ଭଲ ଭାବରେ ହାତ ସଫା କରିବେ।
– ଘରେ ଧୂଆଁ ନ କରି ଝରକା କବାଟ ଖୋଲା ରଖିବେ।
– ଶିଶୁ ଜନ୍ମ ପରେ ୬ ମାସ ପର୍ଯ୍ୟନ୍ତ ମା କ୍ଷୀର ଦେବେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଶିଶୁକୁ ସଠିକ ସମୟରେ ଟିକା ଦେବେ।
ଲକ୍ଷଣ:
-କାଶ ଓ ଥଣ୍ଡା ହେବ, ଶିଶୁ ଜୋରରେ ନିଶ୍ୱାସ ପ୍ରଶ୍ୱାନ ନେବ।
– ପ୍ରବଳ ଜର ହେବା ସହ ପିଲା ନିସ୍ତେଜ ଭଳି ହୋଇଯିବା। ଗୁରୁତର ହେଲେ ଶିଶୁ ଖାଦ୍ୟ ଖାଇବାକୁ ଇଚ୍ଛା ପ୍ରକାଶ କରିବ ନାହିଁ। ନିଶ୍ୱାସ ନେବାବେଳେ ଛାତି ତଳ ଭିତରକୁ ପଶିଯିବ ଏବଂ ନାକ ପୁଡ଼ା ଫୁଲିଯିବ। କିଛି ଶିଶୁଙ୍କର ଓଠ ଓ ଜିଭ ନୀଳ ପଡ଼ିଯାଇଥାଏ। ସେମାନେ ଶେଯରେ ପଡ଼ି ରହିଥାନ୍ତି।
କିପରି ବ୍ୟାପେ:
ନିମୋନିଆ ସଂକ୍ରମିତ ରୋଗୀ କାଶିବା ଛିଙ୍କିବା ଦ୍ୱାରା ଏହି ଜୀବାଣୁ ବ୍ୟାପିଥାଏ। ରୋଗୀଙ୍କ ଠାରୁ ଦୂରେଇ ରହିବା ଉଚିତ। ନ ହେଲେ ସଂକ୍ରମିତ କୋଠରୀରେ ଯତ୍ନର ସହ ରଖିବା ଆବଶ୍ୟକ। ରୋଗୀର ବାରମ୍ବାର ଅମ୍ଳଜାନ ସ୍ତର ମାପି ନିରୀକ୍ଷଣ କରିବା।


