ସୁଦୂର ରୋମରୁ ରହି ସରକାରୀ କାମ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Jun 26, 2022, 8:10 am IST

ଭୁବନେଶ୍ବର : ରୋମ ଗସ୍ତରେ ଥିଲେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଜରୁରୀ ସରକାରୀ କାମ ଜାରି ରଖିଛନ୍ତି । ଓଡ଼ିଶା ସରକାରଙ୍କ ଡିଜିଟାଲ ଓ୍ବାର୍କ ପ୍ଲାଟଫର୍ମ ଓସ୍ବାସ୍ ଦ୍ବାରା ଏହା ସମ୍ଭବ ହୋଇପାରିଛି ବୋଲି ଖୋଦ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ ଏକ ଟୁଇଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଏଠାରେ (ରୋମରେ) ଥିବା କେତେକ କାର‌୍ୟ୍ୟକ୍ରମକୁ ଯିବା ପୂର୍ବରୁ, କିଛି ଜରୁରୀ ସରକାରୀ କାମ ଶେଷକରୁଛି । ଏଥିପାଇଁ ଆମର ଡିଜିଟାଲ ଓ୍ବାର୍କ ପ୍ଲାଟଫର୍ମ ଓସ୍ବାସକୁ ଧନ୍ୟବାଦ ହେବି । ପ୍ରକୃତରେ ଟେକନଲୋଜୀ ହେଉଛି ଆମ ଭବିଷ୍ୟତ ।

ସୂଚନାଯୋଗ୍ୟ ଯେ ଓସ୍ବାସ ବା ଓଡ଼ିଶା ସେକ୍ରେଟାରିଏଟ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ ବା ଓଡ଼ିଶା ସଚିବାଳୟ କାର‌୍ୟ୍ୟପ୍ରବାହ ସ୍ୱୟଂଚଳନ ବ୍ୟବସ୍ଥା ହେଉଛି ଓଡ଼ିଶା ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ନିଜସ୍ବ ଇ-ପ୍ରଶାସନ ବ୍ୟବସ୍ଥା । ଓସ୍ବାସର ଉଦ୍ଦେଶ୍ୟ ହେଉଛି ସରକାରୀ କାର‌୍ୟ୍ୟପଦ୍ଧତିକୁ ଦକ୍ଷ ଓ ପ୍ରଭାବୀ କରାଇବା, କର୍ମଚାରୀମାନଙ୍କ ଉତ୍ପାଦିକା ଶକ୍ତିରେ ଅଭିବୃଦ୍ଧି ଘଟାଇବା, ତଥ୍ୟର ଦକ୍ଷ ପରିଚାଳନା, ଉତ୍ତମ ଯୋଗାଯୋଗ ତଥା ସମନ୍ୱୟ ସ୍ଥାପନ ଏବଂ ଜ୍ଞାନ ପରିଚାଳିତ ଶାସନ ବ୍ୟବସ୍ଥା ଦିଗରେ ଅଗ୍ରଗତି । ଓଡ଼ିଶା ସରକାରଙ୍କ ଏହି ବ୍ୟବସ୍ଥାକୁ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟମାନେ ପ୍ରଶଂସା କରିଛନ୍ତି ।

Related posts