ନୂଆଦିଲ୍ଲୀ: 2025 ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଦ୍ୱାରା ଆୟୋଜିତ ହେବ। ଟିମ୍ ଇଣ୍ଡିଆ ଦୁବାଇରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଖେଳିବ। ତେବେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟର ଅଫିସିଆଲ୍ ହୋଷ୍ଟ ରହିବ। ଦଳକୁ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ପଠାଇବାକୁ ବିସିସିଆଇ ମନା କରିଦେଇଥିଲା, ଏହା ପରେ ଦୁବାଇର ହାଇବ୍ରିଡ୍ ମଡେଲ୍ ଭାରତ ପାଇଁ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ଏହି ରିପୋର୍ଟରୁ ଜଣାପଡିଛି ଯେ, ଟୁର୍ଣ୍ଣାମେଣ୍ଟରେ ଭାରତର ଜର୍ସିରେ ଆୟୋଜକ ପାକିସ୍ତାନର ନାମ ଲେଖାଯିବ ନାହିଁ।
ଉଲ୍ଲେଖ ଯୋଗ୍ୟ ଯେ, ଆଇସିସି ଇଭେଣ୍ଟ ସମୟରେ ଆୟୋଜକ ଦେଶର ନାମ ସମସ୍ତ ଦଳର ଜର୍ସିରେ ଲେଖାଯାଇଥାଏ। ଜୁନ୍ 2024 ରେ ଖେଳାଯାଇଥିବା ଟି -20 ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଆୟୋଜକ ରାଷ୍ଟ୍ର ଥିଲେ। ସମସ୍ତ ଦଳ ପରି ୱେଷ୍ଟଇଣ୍ଡିଜ୍ ଏବଂ USA ର ନାମ ମଧ୍ୟ ଟିମ୍ ଇଣ୍ଡିଆର ଜର୍ସିରେ ଲେଖାଯାଇଥିଲା। ସେହିଭଳି ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ, କିନ୍ତୁ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଭାରତର ଜର୍ସିରେ ପାକିସ୍ତାନର ନାମ ଲେଖାଯିବ ନାହିଁ।
ଗଣମାଧ୍ୟମକେଇଉ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ର ଜଣେ ଅଧିକାରୀ କହିଛନ୍ତି ଯେ, କ୍ରିକେଟ୍ ରେ ବିସିସିଆଇ ରାଜନୀତିକୁ ଆଣିଛି। ଏହା ପୂର୍ବରୁ ବିସିସିଆଇ ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ସମାରୋହ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କୁ ପାକିସ୍ତାନ ପଠାଇବାକୁ ମନା କରିଦେଇଥିବା ଜଣାଯାଇଛି।
ଗୋପନୀୟତା ସର୍ତ୍ତରେ ନ୍ୟୁଜ୍ ଏଜେନ୍ସି ସହ ସୂଚନା ଦେଇ ପିସିବି ଅଧିକାରୀ କହିଛନ୍ତି ଯେ, “ବିସିସିଆଇ କ୍ରିକେଟ୍ ରେ ରାଜନୀତି ଆଣିଛି, ଯାହା ଖେଳ ପାଇଁ ଆଦୌ ଭଲ ନୁହେଁ। ସେମାନେ ପାକିସ୍ତାନ ଗସ୍ତ କରିବାକୁ ମନା କରି ଦେଇଛନ୍ତି। ସେମାନେ ସେମାନଙ୍କର ଅଧିନାୟକଙ୍କୁ ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଦେବେ ନାହିଁ। ଏବେ ସେମାନେ ଚାହୁଁଛନ୍ତି ଯେ, ଭାରତୀୟ ଜର୍ସିରେ ପାକିସ୍ଥାନର ନାମ ରହିବ ନାହିଁ।”
ସୂଚନାଯୋଗ୍ୟ ଯେ, 2025 ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ 19 ତାରିଖରୁ ଆରମ୍ଭ ହେବ। ଫେବୃଆରୀ 20 ତାରିଖରେ ବାଂଲାଦେଶ ବିପକ୍ଷ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍ ଖେଳିବ।