ଭୁବନେଶ୍ୱର: ୬ ଦିନ ତଳେ ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ମାଡ଼ରେ ଆକ୍ତାମାକ୍ତା ଆନ୍ଧ୍ର ପ୍ରଦେଶ, ଅଣ୍ଟା ସଳଖି ଛିଡ଼ା ହେବା ପୂର୍ବରୁ ପୁଣିଥରେ ସାମ୍ନା କରିଛି ଆଉ ଏକ ବାତ୍ୟାକୁ। ମାଡ଼ିଆସିଲା ‘ମୁରାସୁ’। ଆନ୍ଧ୍ରରେ ଭିଆଇଲା ତାଣ୍ଡବ। ଭୀଷଣ ବାତ୍ୟା ରୂପରେ ମଙ୍ଗଳବାର ଭୋର୍ ଆନ୍ଧ୍ର ପ୍ରଦେଶର ନେଲୋର-ନରସାପୁର ମଧ୍ୟରେ ଅଙ୍ଗୋଲ ନିକଟରେ ଲ୍ୟାଣ୍ଡଫଲ୍ କରିଛି। ସ୍ଥଳ ଭାଗ ଛୁଇଁଲାବେଳେ ପବନ ପିଟୁଥିଲା ଘଣ୍ଟା ପ୍ରତି ୧୧୦-୧୧୦ କିଲୋମିଟର ବେଗରେ। ଝଟ୍କା ପବନ ୧୨୦ କିମି ଯାଏଁ ଯାଇଥିବା ଅନୁମାନ କରାଯାଉଛି। ଅତି ପ୍ରବଳ ବର୍ଷା ବି ଅଜାଡ଼ିଛି। ମୋଡ଼ି ମକଚି ଦେଇଛି ଉପକୂଳବର୍ତ୍ତୀ ଆନ୍ଧ୍ର ଅଞ୍ଚଳକୁ। ଧରାଶାୟୀ ହୋଇଛି ବିରାଟକାୟ ଗଛ। ବହୁ ସ୍ଥାନରେ ଗଛ ପଡ଼ି ଅବରୋଧ ହୋଇଛି ରାସ୍ତା। ଅନେକ ସ୍ଥାନରେ ଛପର, ହୋଡିଂ ଉଡ଼ି ପଡ଼ିଛି। କଚ୍ଚା ଘର ଭାଙ୍ଗିଛି। ବିଦ୍ୟୁତ୍, ଟେଲି ସେବା ବି ମାଟି କାମୁଡ଼ିଛି ବିଭିନ୍ନ ଅଞ୍ଚଳରେ। ବାତ୍ୟା ଆସିବା ପୂର୍ବରୁ ଆନ୍ଧ୍ର ପ୍ରଦେଶ ନେଲୋର୍ ନିକଟ ସମୁଦ୍ରରେ ଉଠିଥିଲା ବଡ଼ ବଡ଼ ଢେଉ। ଆଇଏମ୍ଡିର ପୂର୍ବାନୁମାନ କହୁଛି ଆନ୍ଧ୍ରରେ କୋପ ଦେଖାଇବା ପରେ ବାତ୍ୟା ‘ମୁରାସୁ’ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ବୋଲି ଆକଳନ କରାଯାଇଛି। ବାତ୍ୟା ପ୍ରଭାବରେ ଆନ୍ଧ୍ରକୁ ଲାଗି ରହିଥିବା ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ। ଝଟ୍କା ପବନ ୭୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ। ବାତ୍ୟା ‘ମୁରାସୁ’ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିବା ସହିତ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତାକାଲିଠାରୁ ଏହି ପରିମାଣ ବଢ଼ିବ। ମୁରାସୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମଙ୍ଗଳବାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲା ସମେତ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ପବନର ବେଗ ଝଟ୍କା ପବନ ୬୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ। ସେହିପରି ଆସନ୍ତା ୪ ତାରିଖ ପାଇଁ ମଧ୍ୟ ୧୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଘାଇଲା ଗଞ୍ଜାମବାସୀଙ୍କୁ ଘାରିଛି ‘ମୁରାସୁ’ ଡର। ନଈ କୂଳିଆ ଲୋକଙ୍କୁ ସତର୍କ କରିବା ପାଇଁ ଘନ ଘନ ଚାଲିଛି ମାଇକିଂ। ଘୋଡ଼ାହାଡ଼ ଜଳ ଭଣ୍ଡାର ଏବଂ ଘୋଡ଼ାହାଡ଼ ନଦୀ ତଟବର୍ତ୍ତୀ ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଜଳ ଭଣ୍ଡାରର ଦୁଇଟି ଗେଟ୍ କୁ ଆଗୁଆ ଖୋଲି ଦିଆଯାଇଛି। ଜିଲ୍ଲାରପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୂଲ୍ୟାର ଏକାଧିକ ସ୍ଥାନରେ ନଦୀ ବନ୍ଧ ଭାଙ୍ଗିଥିବାରୁ ଅଧିକ ବର୍ଷା ହେଲେ ପୁଣି ବନ୍ୟା ସ୍ଥିତିି ଉପୁଜିବାର ଆଶଙ୍କା ରହିଛି। ଏଠାରେ ବି ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନତ କରାଯିବା ସହିତ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଛତ୍ରପୁର ଉପଜିଲ୍ଲାପାଳ।
ଗଜପତି-ଗଞ୍ଜାମ ଜିଲ୍ଲା ସୀମାନ୍ତ ବେଲଗଡ଼ ଗାଁରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଭୂସ୍ଖଳନ ହୋଇ ଗାଁ ଠାରୁ ମାତ୍ର କିଛି ଦୂରରେ ଥିବା ତପ୍ତପାଣି ଘାଟି ରାସ୍ତାରେ ବଡ଼ବଡ଼ ପଥର ଓ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଥିଲା। ପୁଣି ଏକ ବାତ୍ୟା ଖବର ଶୁଣିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସେପଟେ ପାହାଡିଆ ଅଞ୍ଚଳରେ ବାଇକ୍ରେ ବୁଲି ବୁଲି ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ଖୋଦ୍ ଗଜପତି ଜିଲ୍ଲାପାଳ। ଭୂସ୍ଖଳନ ଆଶଙ୍କା ଥିବାରୁ ବିଭିନ୍ନ ସ୍ଥାନରେ ଜେସିବି ମେସିନ୍ ସହିତ ଅନ୍ୟାନ୍ୟ ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି। ପଡ଼ୋଶୀ ରାୟଗଡ଼ା ଜିଲ୍ଲାରେ ବି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହିତ ସଜାଗ ଅଛନ୍ତି ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ଟିମ୍।
ଅନ୍ୟପକ୍ଷରେ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର ସମସ୍ତ ସ୍କୁଲଗୁଡ଼ିକୁ ଆସନ୍ତା ଦୁଇ ଦିନ ( ୩ ଓ ୪ ତାରିଖ) ପାଇଁ ଛୁଟି ଘୋଷଣା କରାଯାଇଛି। କନ୍ଧମାଳ ଜିଲ୍ଲାରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପରୀକ୍ଷା ଅବା ସେହି ଧରଣର କାର୍ଯ୍ୟକ୍ରମଗୁଡ଼ିକ ଯେପରି ପ୍ରଭାବିତ ନହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାରେ ମଧ୍ୟ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ଯେ ସ୍କୁଲଗୁଡ଼ିକୁ ଯେପରି ବାତ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିହେବ ସେଥିପାଇଁ ପ୍ରଧାନ ଶିକ୍ଷକ/ ପ୍ରଧାନ ଶିକ୍ଷୟିତ୍ରୀମାନେ ସଚେତନ ରହିବେ। ସେମାନେ ଶ୍ରେଣୀ ଗୃହଗୁଡ଼ିକର ଚାବି ସ୍ଥାନୀୟ ଅଞ୍ଚଳରେ ରହୁଥିବା ଶିକ୍ଷକ ବା ପିଅନଙ୍କୁ ଦେବେ। ସମସ୍ତ ପ୍ରଧାନ ଶିକ୍ଷକ/ ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀମାନେ ସେମାନଙ୍କ ମୋବାଇଲ୍ ଅନ୍ ରଖିବେ ଏବଂ ଯେକୌଣସି ଜରୁରୀ କଲ୍ ଉଠାଇବା ସହିତ ସେମାନଙ୍କୁ କୌଣସି ଦାୟିତ୍ୱ ଦେଲେ, ତାକୁ ନିର୍ବାହ କରିବେ ବୋଲି କୁହାଯାଇଛି।
‘ମୁରାସୁ’ର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ପଡ଼ିବାର ସମ୍ଭାବନା କମ୍। ତଥାପି ଜିଲ୍ଲା ପ୍ରଶାସନ ନିଜକୁ ପ୍ରସ୍ତୁତ କରିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗ୍ନିଶମ ବାହିନୀର ୧୩ଟି ଟିମ୍ ମୁତୟନ ହୋଇଛନ୍ତି। ୧୧୭ଟି ସ୍ଥାନ ବନ୍ୟାରେ ପ୍ରଭାବିତ ହେବାର ସମ୍ଭାବନର ଥିବାରୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ଭୂସ୍ଖଳନ ହେବାର ସମ୍ଭାବନା ଥିବା ଅଞ୍ଚଳରେ ଜେସିବି ପ୍ରସ୍ତୁତ କରି ରଖାଯାଇଛି। ଏହା ସହିତ ମଙ୍ଗଳବାର ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।


