ନୂଆଦିଲ୍ଲୀ: କିର୍ଗିଜସ୍ତାନର ରାଜଧାନୀ ବିଶ୍କେକ୍ଠାରେ ଆୟୋଜିତ ୬ଷ୍ଠ ୱାର୍ଲ୍ଡ ନୋମାଡ୍ ଗେମ୍ସର ଉଦ୍ଘାଟନୀ ସମାରୋହ ଅବସରରେ ବିଶ୍ୱର ଦୁଇ ପ୍ରମୁଖ ନେତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ମଧ୍ୟରେ ଏକ ସୌଜନ୍ୟମୂଳକ ତଥା ଉଚ୍ଚସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଏସିଆରେ ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତି ଏବଂ ସଙ୍କଟ ଆରମ୍ଭ ହେବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ପ୍ରତ୍ୟକ୍ଷ ସାକ୍ଷାତ। ସାକ୍ଷାତ ସମୟରେ ଉଭୟ ନେତା ଅତ୍ୟନ୍ତ ଆନ୍ତରିକତାର ସହ ଆଲିଙ୍ଗନ କରିବା ପରେ ଦ୍ୱିପାକ୍ଷିକ ବୈଠକ ଆରମ୍ଭ ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଇରାନ, କିର୍ଗିଜସ୍ତାନ ଏବଂ ଆର୍ମେନିଆର ରାଷ୍ଟ୍ରମୁଖ୍ୟମାନଙ୍କ ସହ ମଧ୍ୟ ପୃଥକ୍ ଭାବେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ।
ଦ୍ୱିପାକ୍ଷିକ ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଭାରତ ଏବଂ ରୁଷ ମଧ୍ୟରେ ରହିଥିବା ସହଯୋଗ ଓ ସମ୍ପର୍କ ଆଜି ଏକ ନୂତନ ଉଚ୍ଚତା ଛୁଇଁଛି। ଦୁଇ ଦେଶ ନିଜ ନିଜର ନାଗରିକଙ୍କ ମଙ୍ଗଳ ଓ ସମୃଦ୍ଧି ପାଇଁ ମିଳିମିଶି କାର୍ଯ୍ୟ କରୁଛନ୍ତି। ଜାତୀୟ ହିତକୁ ସର୍ବୋପରି ରଖିବା ଦୁଇ ଦେଶର ସାଝା ଦୃଷ୍ଟିଭଙ୍ଗୀ ହୋଇରହିଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ଆମର ମାର୍ଗଦର୍ଶକ ସିଦ୍ଧାନ୍ତ ହୋଇ ରହିବ। ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପୁତିନ୍ଙ୍କୁ ସ୍ପଷ୍ଟ ଭାବେ କହିଥିଲେ ଯେ, ଭାରତ ଶାନ୍ତି ଚାହୁଁଛି ଏବଂ ଏହି ଯୁଦ୍ଧର ଶୀଘ୍ର ସମାପ୍ତି ଆବଶ୍ୟକ। ଯୁଦ୍ଧର ପ୍ରତ୍ୟେକ ଦିନ ମାନବତାକୁ ପଛକୁ ଠେଲିଦେଉଛି ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ କହିଥିଲେ ଯେ, ରୁଷ ଏବଂ ଭାରତ ମଧ୍ୟରେ ରହିଥିବା ବନ୍ଧୁତା ଓ ଭାଗୀଦାରୀ ସମ୍ପର୍କ କ୍ରମାଗତ ଭାବେ ଅଧିକ ସୁଦୃଢ଼ ହେବାରେ ଲାଗିଛି। ଶିକ୍ଷା କ୍ଷେତ୍ରରେ ରୁଷରେ ପଢ଼ୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ଶୀର୍ଷ ସ୍ଥାନରେ ରହିଛି।
ଗତ କେତେକ ବର୍ଷ ମଧ୍ୟରେ ରୁଷରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି ପାଇ ୪୦ ହଜାରରେ ପହଞ୍ଚିଛି। ଏହାସହିତ ଦୁଇ ଦେଶ ମଧ୍ୟରେ ନିୟମିତ ସାଂସ୍କୃତିକ ଉତ୍ସବ ଆୟୋଜନ କରାଯାଉଛି ଏବଂ ପର୍ଯ୍ୟଟକଙ୍କ ଆଗମନରେ ୧୬ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ରାଷ୍ଟ୍ରପତି ପୁତିନ୍ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ, ଜାତିସଂଘ, ବ୍ରିକ୍ସ, ଜି-୨୦ ଏବଂ ଏସ୍ସିଓ ଭଳି ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ମଞ୍ଚଗୁଡ଼ିକରେ ଭାରତ ଓ ରୁଷ ନିବିଡ଼ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି। ଆଜିର ଏହି ସାକ୍ଷାତ ଭାରତ-ରୁଷ ସମ୍ପର୍କର ବିକାଶ ଏବଂ ଭବିଷ୍ୟତ ସହଯୋଗର ରୂପରେଖ ସମ୍ପର୍କରେ ବିଚାର ବିମର୍ଷ କରିବା ପାଇଁ ଏକ ଶ୍ରେଷ୍ଠ ସୁଯୋଗ ସୃଷ୍ଟି କରିଛି।


