ୱାସିଂଟନ: ଆମେରିକାରେ ଡିଜେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ରୁଷର ତୈଳ ବିଶୋଧନାଗାର ଏବଂ ଡିଜେଲ ଉତ୍ପାଦନ ଭିତ୍ତିଭୂମି ଉପରେ ସାମରିକ ଆକ୍ରମଣ ବନ୍ଦ କରିବାକୁ ସେ ଜେଲେନସ୍କିଙ୍କୁ ଅନୁରୋଧ କରିଛନ୍ତି। ଏହି ଆକ୍ରମଣଗୁଡ଼ିକ ଯୋଗୁଁ ବିଶ୍ୱବ୍ୟାପୀ ତେଲର ସଙ୍କଟ ସୃଷ୍ଟି ହେଉଥିବା ଟ୍ରମ୍ପ ଦର୍ଶାଇଛନ୍ତି। ସମ୍ପ୍ରତି ଆମେରିକାରେ ଡିଜେଲ ଦର ପ୍ରତି ଗ୍ୟାଲନ ପିଛା ହାରାହାରି ୬ ଡଲାର ଅତିକ୍ରମ କରିଛି। ଆଗାମୀ ନଭେମ୍ବର ମଧ୍ୟବର୍ତ୍ତୀ ନିର୍ବାଚନ ପୂର୍ବରୁ ଏହି ଅହେତୁକ ଇନ୍ଧନ ମୂଲ୍ୟ ବୃଦ୍ଧି ସାଧାରଣ ଆମେରିକୀୟଙ୍କ ଉପରେ ଭାରି ବୋଝ ପାଲଟିଛି, ଯାହାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଛି।
ୟୁକ୍ରେନ ଗତ କିଛି ମାସ ହେଲା ରୁଷର ତୈଳ ଓ ଗ୍ୟାସ ଶିଳ୍ପକୁ ଲକ୍ଷ୍ୟ କରି ଦୀର୍ଘ ଦୂରଗାମୀ ଆକ୍ରମଣ ଜାରି ରଖିଛି। ଫଳରେ ରୁଷ ନିଜ ଦେଶରେ ଇନ୍ଧନ କଟକଣା ଲଗାଇବା ସହ ଗତ ଜୁଲାଇ ମାସରୁ ଡିଜେଲ ରପ୍ତାନି ବନ୍ଦ କରିବାକୁ ବାଧ୍ୟ ହୋଇଥିଲା। ଏହାଛଡ଼ା ଇରାନ ସହ ଚାଲିଥିବା ଯୁଦ୍ଧ ଯୋଗୁଁ ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ ଦେଇ ତୈଳ ପରିବହନ ବାଧାପ୍ରାପ୍ତ ହୋଇଛି, ଯାହା ବିଶ୍ୱ ବଜାରକୁ ଆହୁରି ଅସ୍ଥିର କରିଦେଇଛି।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପରେ ଟ୍ରମ୍ପ ଜେଲେନସ୍କିଙ୍କ ସହ କଥା ହୋଇଥିବା ସ୍ୱୀକାର କରିଛନ୍ତି। ସମ୍ବାଦଦାତାଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, “ଆମେ ଜେଲେନସ୍କିଙ୍କ ସହ ଏ ବାବଦରେ କଥା ହୋଇଛୁ। ଆକ୍ରମଣ ପାଇଁ ଅନ୍ୟ ଟାର୍ଗେଟ୍ ମଧ୍ୟ ରହିଛି। ଡିଜେଲ ଭିତ୍ତିଭୂମି ଉପରେ ଆକ୍ରମଣ ନ କରିବାକୁ ଆମେ ଅନୁରୋଧ କରିଛୁ, କାରଣ ଏହା ଯୋଗୁଁ ବିଶ୍ୱ ସମୁଦାୟ ବହୁତ କ୍ଷତି ସହୁଛି।”


