ବୁଏନ୍ସ ଆୟର୍ସ: ବିଶ୍ୱ ଫୁଟ୍ବଲ୍ର ଅନ୍ୟତମ ମହାନ ଖେଳାଳି ଲିଓନେଲ୍ ମେସି ନିଜ ଜାତୀୟ ଦଳ ଆର୍ଜେଣ୍ଟିନା ପାଇଁ ଅନ୍ତର୍ଜାତୀୟ କ୍ୟାରିୟର୍ର ଅନ୍ତିମ ମ୍ୟାଚ୍ ଖେଳି ଏକ ସ୍ମରଣୀୟ ବିଦାୟ ନେଇଛନ୍ତି। ବୁଏନ୍ସ ଆୟର୍ସର ସ୍ଥାନୀୟ ମୋନୁମେଣ୍ଟାଲ୍ ଷ୍ଟାଡିୟମ୍ରେ ଆୟୋଜିତ ଏହି ଐତିହାସିକ ମ୍ୟାଚ୍ରେ ଆର୍ଜେଣ୍ଟିନା ୩-୦ ଗୋଲ୍ରେ ବେନିନ୍କୁ ପରାସ୍ତ କରିଛି। ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ନିକୋଲାସ୍ ଓଟାମେଣ୍ଡି ପ୍ରଥମ ଗୋଲ୍ କରି ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ନିକୋଲାସ୍ ପାଜ୍ ଦ୍ୱିତୀୟ ଗୋଲ୍ କରି ସ୍କୋର୍ ୨-୦ କରିଥିବା ବେଳେ, ମେସି ନିଜର ଶେଷ ମ୍ୟାଚ୍ର ଅନ୍ତିମ ଭାଗରେ ପେନାଲ୍ଟିରୁ ଚମତ୍କାର ଗୋଲ୍ ସୋରି ସ୍କୋର୍କୁ ୩-୦ରେ ପହଞ୍ଚାଇଥିଲେ।
ଏହି ସ୍ୱତନ୍ତ୍ର ବିଦାୟୀ ମ୍ୟାଚ୍କୁ ଆହୁରି ଆକର୍ଷଣୀୟ କରିବା ପାଇଁ ଷ୍ଟାଡିୟମ୍ରେ ଲାଇଭ୍ ମ୍ୟୁଜିକ୍, ଆଲୋକସଜ୍ଜା, ଡ୍ରୋନ୍ ଶୋ’ ଏବଂ ବାଣଫୋଡ଼ି ଉତ୍ସବ ପାଳନ କରାଯାଇଥିଲା। ଗୋଲ୍ ପରେ ଏବଂ ମ୍ୟାଚ୍ ଶେଷରେ ପୂରା ଷ୍ଟାଡିୟମ୍ ‘ଓଲେ ଓଲେ ମେସି’ ନାରାରେ କମ୍ପିଉଠିଥିଲା। ମ୍ୟାଚ୍ ପରେ ପ୍ରଶଂସକଙ୍କୁ ସମ୍ବୋଧିତ କରି ମେସି କହିଥିଲେ, ଆର୍ଜେଣ୍ଟିନାର ଜର୍ସି ପିନ୍ଧିବା ତାଙ୍କ ଜୀବନର ସବୁଠୁ ବଡ଼ ସମ୍ମାନ ଏବଂ ସେ ଆଗାମୀ ଦିନରେ ବାହାରେ ରହି ଦଳକୁ ସଦାସର୍ବଦା ସମର୍ଥନ କରିବେ।
ସୂଚନାଯୋଗ୍ୟ ଯେ, ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୨୦୨୧ ଓ ୨୦୨୪ କୋପା ଆମେରିକା ଟ୍ରଫି ଏବଂ ୨୦୨୨ ଫିଫା ବିଶ୍ୱକପ୍ ଜିତି ଅସାଧାରଣ ସଫଳତା ହାସଲ କରିଛି। ତାଙ୍କର ଏହି ଭାବପୂର୍ଣ୍ଣ ବିଦାୟ ଆର୍ଜେଣ୍ଟିନା ଫୁଟ୍ବଲ୍ ଇତିହାସରେ ସଦାସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ।


