ନୂଆଦିଲ୍ଲୀ: ପ୍ରାୟ ୮ ମାସର କଟକଣା ପରେ ଭାରତୀୟ ଜାହାଜଗୁଡ଼ିକୁ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟାତ କରିବା ପାଇଁ ଇରାନ ଅନୁମତି ପ୍ରଦାନ କରିଛି। ଗତ ଫେବୃଆରୀ ୨୮ରୁ ବନ୍ଦ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଖୋଲିବା ଫଳରେ ଭାରତକୁ ଔଷଧ ଯୋଗାଣ ସହଜ ହେବା ସହ ତୈଳ ଓ ଗ୍ୟାସ୍ ପରିବହନ ସ୍ୱାଭାବିକ ହେବ। ଏହାଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମି ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା ହେବାର ସମ୍ଭାବନା ସୃଷ୍ଟି ହୋଇଛି।
ଏବେ ଭାରତୀୟ ଜାହାଜ କୌଣସି ପ୍ରତିବନ୍ଧକ ବିନା ଏହି ରାସ୍ତା ଦେଇ ଯାତାୟାତ କରିପାରିବ। ଇରାନ ଚୀନ୍, ଇରାକ୍ ଏବଂ କତାରର ଜାହାଜଗୁଡ଼ିକୁ ମଧ୍ୟ ଏହି ଛାଡ଼ ପ୍ରଦାନ କରିଛି। ଗତ ଫେବୃଆରୀ ୨୮ ତାରିଖରୁ ଏହି ମାର୍ଗରେ ଜାହାଜ ଚଳାଚଳ ଉପରେ କଟକଣା ଲାଗିଥିଲା। ଇରାନର ନ୍ୟୁଜ୍ ୱେବସାଇଟ୍ “ଇରାନୱାୟାର’ ଏବଂ “ଆନାଡୋଲୁ ଏଜେନ୍ସି’ର ରିପୋର୍ଟ ଅନୁସାରେ, ଇରାନ ସଂସଦର ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତି କମିଟିର ଉପାଧ୍ୟକ୍ଷ ଅହମ୍ମଦ ହାୟାତ୍-ମୋଗଦ୍ଦମ୍ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଭାରତରୁ ଯେପରି ଔଷଧ ଯୋଗାଣ ଜାରି ରହିବ, ସେଥିପାଇଁ ଇରାନ ଭାରତକୁ ଏହି ଛାଡ଼ ଦେଇଛି। ଏତଦ୍ବ୍ୟତୀତ ହର୍ମୁଜ୍ ପ୍ରଣାଳୀରେ ତୈଳ ପରିବହନ ସହଜ ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିପାରେ। ଏହାର ଫାଇଦା ଭାରତକୁ ମିଳିବ ଏବଂ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା ହେବାର ସମ୍ଭାବନା ବଢ଼ିବ। ଅନ୍ୟପକ୍ଷରେ ଚୀନ୍କୁ ଏହି ଅନୁମତି ଦେବା ପଛରେ ଇରାନର ଆଶା ରହିଛି ଯେ ସଙ୍କଟ ସମୟରେ ବେଜିଂ ତାକୁ ରାଜନୈତିକ ସମର୍ଥନ ଜଣାଇବ। ତେବେ ହର୍ମୁଜ୍ ଦେଇ ଯିବା ପାଇଁ ଭାରତୀୟ ଓ ଚୀନ୍ ଜାହାଜଗୁଡ଼ିକୁ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ପଡ଼ିବ। ଅପରପକ୍ଷେ, କତାରର ଜାହାଜ ବିନା କୌଣସି ଶୁଳ୍କରେ ଏହି ମାର୍ଗ ଦେଇ ଯାଇପାରିବ। ଇରାକ୍କୁ କେଉଁ କାରଣରୁ ରିହାତି ମିଳିଛି, ତାହା ସ୍ପଷ୍ଟ କରାଯାଇନାହିଁ।
ଭାରତ ତା’ର ଆବଶ୍ୟକତାର ୮୫%ରୁ ଅଧିକ ଅଶୋଧିତ ତୈଳ ବିଦେଶରୁ କ୍ରୟ କରିଥାଏ। ଏଥିରୁ ପ୍ରାୟ ୪୦% ତୈଳ ହର୍ମୁଜ୍ ପ୍ରଣାଳୀ ଦେଇ ଆସିଥାଏ। ସାଉଦି ଆରବ, ଇରାକ୍, କୁଏତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଭଳି ଦେଶଗୁଡ଼ିକରୁ ଭାରତ ଆସୁଥିବା ତେଲ ପାଇଁ ଏହା ଏକ ପ୍ରମୁଖ ଜଳପଥ। ଯଦି ଭାରତ ପ୍ରତିଦିନ ୫୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ଆମଦାନୀ କରେ, ତେବେ ସେଥିମଧ୍ୟରୁ ପ୍ରାୟ ୨୦ ଲକ୍ଷ ବ୍ୟାରେଲ୍ ତୈଳ ହର୍ମୁଜ୍ ରାସ୍ତା ଦେଇ ଆସିଥାଏ। ତେଣୁ ଏହି ମାର୍ଗରେ କଟକଣା ଲାଗିଲେ ଭାରତର ତୈଳ ଯୋଗାଣ ଉପରେ ବଡ଼ ପ୍ରଭାବ ପଡ଼ିବାର ଆଶଙ୍କା ଥାଏ। ହର୍ମୁଜ୍ କେବଳ ଅଶୋଧିତ ତୈଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଭାରତ ଉପସାଗରୀୟ ଦେଶଗୁଡ଼ିକରୁ ବହୁ ପରିମାଣରେ ଏଲ୍ଏନ୍ଜି (ପ୍ରାକୃତିକ ଗ୍ୟାସ୍) ଏବଂ ଏଲ୍ପିଜି (ରନ୍ଧନ ଗ୍ୟାସ୍) ମଧ୍ୟ ଆଣିଥାଏ। ଏଗୁଡ଼ିକର ପରିବହନ ପାଇଁ ମଧ୍ୟ ଏହି ମାର୍ଗ ଅତ୍ୟନ୍ତ ଆବଶ୍ୟକ।


