କରୋନା ମୁକ୍ତ ହେଲା ନ୍ୟୁଜିଲାଣ୍ଡ

Published: Jun 8, 2020, 5:16 pm IST

ନ୍ୟୁଜିଲାଣ୍ଡ : କରୋନା ସହ ସମଗ୍ର ବିଶ୍ବ ଲଢେଇ କରୁଥିବାବେଳେ ଏକ ଖୁସି ଖବର ଆସିଛି। ନ୍ୟୁଜିଲାଣ୍ଡ କରୋନା ମୁକ୍ତ ହୋଇପାରିଛି । ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍‌ କହିଛନ୍ତି ଯେ, ଦେଶର ଶେଷ ଆକ୍ରାନ୍ତ ଜଣକ କରୋନା ଆକ୍ରାନ୍ତରୁ ସୁସ୍ଥ ହେବା ପରେ ଦେଶରେ ଆଉ ସଂକ୍ରମଣ ମାମଲା ନାହିଁ ।

ନ୍ୟୁଜିଲାଣ୍ଡରେ 17ଦିନ ତଳେ ନୂଆ ପଜିଟିଭ୍‌ କେସ୍‌ ଆସିଥିବାବେଳେ ଫେବୃଆରୀ ପରଠାରୁ ଦେଶରେ କୌଣସି ସକ୍ରିୟ କେସ୍‌ ଆସିନାହିଁ । ଗତ 17 ଦିନଭିତରେ 40,000 ଲୋକଙ୍କ ଯାଞ୍ଚ କରାଯାଇଛି । ଗତ 12 ଦିନ ଧରି କେହି ହସ୍ପିଟାଲରେ ନାହାନ୍ତି । ମଧ୍ୟରାତ୍ରିରୁ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଅନଲକ୍‌ କରିବା ନେଇ ସହମତି ଦିଆଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସୋମବାର ବିଳମ୍ବିତ ରାତ୍ରିରୁ ବିବାହ, ତଥା ପବ୍ଲିକ୍‌ ଟ୍ରାନ୍ସପୋର୍ଟକୁ ବିନା କଟକଣାରେ ଆରମ୍ଭ କରାଯିବ ବୋଲି ସୂଚନା ରହିଛି । ପ୍ରାୟ 50 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ 1,154ଟି ମାମଲା ଆସିଥିବାବେଳେ 22ଜଣଙ୍କର ମୃତ୍ୟୁ ହୋଇଥିଲା ।

ଦେଶରେ ସଂକ୍ରମଣ ମାମଲା ଆସିବା ପରେ ଲକ୍‌ଡାଉନ୍‌କୁ ବେଶ୍‌ କଡାକଡି ରୂପେ ପାଳନ କରାଯିବା ସହ ଦେଶର ସୀମାକୁ ବନ୍ଦ କରିଦିଆଯାଇଥିଲା । ଯାହା ଫଳରେ ଏବେ ସମ୍ପୂର୍ଣ୍ଣ ଦେଶ କରୋନା ମୁକ୍ତ ହୋଇପାରିଛି । ନ୍ୟୁଜିଲାଣ୍ଡରେ ଫେବୃଆରୀ 28ରେ ପ୍ରଥମ କରୋନା ମାମଲା ଦେଖିବାକୁ ମିଳିଥିଲା । ଏହା ପରେ ମାର୍ଚ୍ଚ 19ରେ ବିଦେଶୀଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । 23 ମାର୍ଚ୍ଚକୁ ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା ଏବଂ ଏହାକୁ ଶକ୍ତ ରୂପେ ପାଳନ କରାଯାଇଥିଲା ।  (ଏଜେନ୍ସି)

Related posts