ପ୍ରୋଟେମ ବାଚସ୍ପତି ଆକବରୁଦ୍ଦିନ ଓୱେସୀଙ୍କଠାରୁ ବିଧାୟକ ପଦର ଶପଥ ନେବେ ନାହିଁ ଟି ରାଜା ସିଂହ

Published: Dec 9, 2023, 2:15 pm IST

ହାଇଦ୍ରାବାଦ: ବିଜେପିର ଗୋଶାମହଲ ବିଧାୟକ ଟି ରାଜା ସିଂହ ବିଧାୟକଭାବେ ଶପଥ ନେବେ ନାହିଁ। ଆକବରୁଦ୍ଦିନ ଓୱେସିଙ୍କ କାରଣରୁ ସେ ଶପଥ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଆଇଏମଆଇଏମ ବିଧାୟକ ଆକବରୁଦ୍ଦିନ ଓୱେସିଙ୍କୁ ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ତେଲେଙ୍ଗାନା ବିଧାନସଭାର ପ୍ରୋଟେମ୍ ବାଚସ୍ପତିଭାବେ ନିଯୁକ୍ତ କରିଛନ୍ତି। ଆକବରୁଦ୍ଦିନ ଶନିବାର ସକାଳେ ଶପଥ ଗ୍ରହଣ କରିବା ପରେ ସେହିଦିନ ନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ। ଶପଥ ଗ୍ରହଣ ଉତ୍ସବରେ ଟି ରାଜା ସିଂହ ଯୋଗ ଦେବେ ନାହିଁ।

ଏକ ଭିଡିଓ କ୍ଲିପରେ ରାଜା ସିଂହ କହିଛନ୍ତି ଯେ ସେ ବିଧାୟକଙ୍କ ସହ ଶପଥ ନେବେ ନାହିଁ। ଟି ରାଜା ସିଂ ଅଭିଯୋଗ କରିଛନ୍ତି ଯେ ସିଏମ ଏ ରେବନ୍ତ ରେଡ୍ଡୀ ମଧ୍ୟ ତାଙ୍କ ପୂର୍ବବର୍ତ୍ତୀଙ୍କ ପରି ଏଆଇଏମଆଇଏମକୁ ଭୟ କରୁଛନ୍ତି ଏବଂ ସେଥିପାଇଁ ଆକବରୁଦ୍ଦିନଙ୍କୁ ପ୍ରୋଟେମ୍ ବାଚସ୍ପତିଭାବେ ନିଯୁକ୍ତ କରିଛନ୍ତି।

‘ସମସ୍ତଙ୍କ ସାମ୍ନାରେ ରେବନ୍ତ ରେଡ୍ଡୀଙ୍କ ଅସଲ ଚେହେରା’

ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ନୂଆ ସରକାରରେ କଂଗ୍ରେସର ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ରେବନ୍ତ ରେଡ୍ଡୀଙ୍କ ଅସଲ ଚେହେରା ପଦାକୁ ଆସିଛି। ରେବନ୍ତ ରେଡ୍ଡୀ କହୁଥିଲେ ଯେ ଏଏମଆଇଏମ, ବିଜେପି ଏବଂ ବିଆରଏସ ଗୋଟିଏ। ଆଜି ଜନସାଧାରଣ ଜାଣିବାକୁ ପାଇଛନ୍ତି କିଏ କାହା ସହ ଅଛନ୍ତି?

ପୂର୍ଣ୍ଣକାଳୀନ ବାଚସ୍ପତିଙ୍କଠାରୁ ଶପଥ ନେବେ

ଆକବରୁଦ୍ଦିନଙ୍କୁ ପ୍ରୋଟେମ୍ ବାଚସ୍ପତି କରାଯାଇଛି, ମୁଁ ସେହି ବ୍ୟକ୍ତିଙ୍କ ସମ୍ମୁଖରେ ଶପଥ ନେବି ନାହିଁ ଯିଏ ଆମକୁ ୧୫ ମିନିଟରେ ୧୦୦ କୋଟି ହିନ୍ଦୁଙ୍କୁ ହତ୍ୟା କରିବାକୁ କହେ, ଯିଏ ଆମକୁ ଗୋମାଂସ ଖାଇବାକୁ ଉତ୍ସାହିତ କରେ । ଗାଈ ଆମ ସମସ୍ତଙ୍କ ମା’ । ଶପଥ ଗ୍ରହଣକୁ ଆମେ ବହିଷ୍କାର କରିବୁ । ପରଦିନ ଆମେ ନୂଆ ପୂର୍ଣ୍ଣକାଳୀନ ବାଚସ୍ପତିଙ୍କ କ୍ୟାବିନକୁ ଯାଇ ଶପଥ ନେବୁ।

ଷଷ୍ଠ ଥର ପାଇଁ ବିଧାୟକଭାବେ ଶପଥ ନେଲେ ଆକବରୁଦ୍ଦିନ ଓୱେସି

ଏପରିକି ୨୦୧୮ରେ ଟି ରାଜା ସିଂହ ଏଆଇଏମଆଇଏମର ତତ୍କାଳୀନ ପ୍ରୋଟେମ୍ ବାଚସ୍ପତିଙ୍କଠାରୁ ଶପଥ ନେଇନଥିଲେ। ପ୍ରୋଟୋକଲ ଅନୁଯାୟୀ ବରିଷ୍ଠତମ ବିଧାୟକଙ୍କୁ ପ୍ରୋଟେମ୍ ବାଚସ୍ପତି କରାଯାଇଥାଏ। ଚନ୍ଦ୍ରାୟନଗୁଟ୍ଟା ନିର୍ବାଚନମଣ୍ଡଳୀରୁ ଷଷ୍ଠ ଥର ପାଇଁ ବିଧାୟକ ହୋଇଥିବାରୁ ଆକବରୁଦ୍ଦିନଙ୍କୁ ପ୍ରୋଟେମ୍ ବାଚସ୍ପତିଭାବେ ନିଯୁକ୍ତ କରାଯାଇଛି।

ଆକବରୁଦ୍ଦିନଙ୍କୁ ପ୍ରୋଟେମ୍ ବାଚସ୍ପତି କରିବା ପାଇଁ ରାଜନୈତିକ ନିଷ୍ପତ୍ତି

କଂଗ୍ରେସର ଏନ ଉତ୍ତମ କୁମାର ରେଡ୍ଡୀ ଓ ତୁମ୍ମାଲା ନାଗେଶ୍ୱର ଏବଂ ବିଆରଏସର ଦାନମ ନଗେନ୍ଦ୍ର ଓ ତଳସାନି ଶ୍ରୀନିବାସ ଯାଦବ ସମସ୍ତେ ୬ ଥର ବିଧାୟକ ହୋଇଛନ୍ତି। ପୋଚାରାମ ଶ୍ରୀନିବାସ ରେଡ୍ଡୀ ବାଚସ୍ପତିଭାବେ କାର୍ଯ୍ୟ କରିଛନ୍ତି। ଏହାସତ୍ତ୍ୱେ ଆକବରୁଦ୍ଦିନଙ୍କୁ ପ୍ରୋଟେମ୍ ବାଚସ୍ପତିଭାବେ ରଖିବା ପାଇଁ ରାଜନୈତିକ ନିଷ୍ପତ୍ତି ନିଆଯାଇଛି।

Related posts