ଭୁବନେଶ୍ୱର: ଲୋକଙ୍କ ଦୁଆର ମୁହଁରେ ସରକାରୀ ସେବା ପହଞ୍ଚାଇବା ଏବଂ ସରକାରୀ ଯୋଜନାର ସୁବିଧାକୁ ସରଳ ଓ ସହଜ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଅକ୍ଟୋବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ‘ସେବା ସେତୁ’ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। “ନାଗରିକରୁ ହିତାଧିକାରୀ—ଗୋଟିଏ ଛାତ ତଳେ ସମସ୍ତ ସେବା” ଲକ୍ଷ୍ୟକୁ ନେଇ ଏହି ୧୦ ଦିନିଆ ଅଭିଯାନରେ ଯୋଗ୍ୟ ନାଗରିକମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁବିଧା ସହଜ, ଦ୍ରୁତ ଓ ସିଧାସଳଖ ଭାବେ ଯୋଗାଇ ଦିଆଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲୁଥିବା ମାସବ୍ୟାପୀ ‘ସେବା ସଂକଳ୍ପ’ ଅଭିଯାନର ଏକ ପ୍ରମୁଖ ଅଂଶ ଭାବେ ଏହି ‘ସେବା ସେତୁ’ ଅଭିଯାନକୁ କାର୍ଯ୍ୟକାରୀ କରାଯିବ। ମଙ୍ଗଳବାର ଏହି ଅଭିଯାନ ସମ୍ପର୍କରେ ରାଜ୍ୟ ସଂଯୋଜକ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ବିସ୍ତୃତ ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ‘ସେବା ସେତୁ’ ଅଭିଯାନ ଅଧୀନରେ ଓଡ଼ିଶାର ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ବ୍ଲକସ୍ତରୀୟ ଶିବିର ଆୟୋଜନ କରାଯିବ। ଏହି ଶିବିରଗୁଡ଼ିକ ଏକୀକୃତ ସେବା କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏଠାରେ ନାଗରିକମାନେ ନିଜ ପାଇଁ ଉପଯୋଗୀ ସରକାରୀ ଯୋଜନା ବିଷୟରେ ଜାଣିବା, ହିତାଧିକାରୀ ଭାବେ ପଞ୍ଜୀକରଣ କରିବା, ଆବେଦନ ଦାଖଲ କରିବା ସହିତ ତୁରନ୍ତ ସରକାରୀ ସହାୟତା ପାଇପାରିବେ। ଅଭିଯାନ ଶେଷ ହେବା ପରେ ମଧ୍ୟ ଏହି ସେବା ଜାରି ରଖିବା ପାଇଁ ପ୍ରତ୍ୟେକ ବ୍ଲକ ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ଥାୟୀ ‘ସେବା ସେତୁ କେନ୍ଦ୍ର’ ସ୍ଥାପନ କରାଯିବ। ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସରକାରୀ ସେବା ଓ କଲ୍ୟାଣକାରୀ ଯୋଜନାର ସୁବିଧା ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ କହିବାନୁସାରେ ସେବା ମାଧ୍ୟମରେ ସମୃଦ୍ଧି, ସଂକଳ୍ପ ମାଧ୍ୟମରେ ବିକାଶ ଏବଂ ଜନସହଭାଗିତା ମାଧ୍ୟମରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ଆମର ଶେଷ ଲକ୍ଷ୍ୟ। ସୁତରାଂ ଏହି ଅଭିଯାନକୁ କେବଳ ଏକ ସ୍ୱଳ୍ପକାଳୀନ କାର୍ଯ୍ୟକ୍ରମ ଭାବେ ନୁହେଁ, ବରଂ ପ୍ରଶାସନିକ ବ୍ୟବସ୍ଥାରେ ଦୀର୍ଘକାଳୀନ ପରିବର୍ତ୍ତନ ଆଣିବାର ଏକ ପ୍ରୟାସ ଭାବେ ଦେଖାଯାଉଛି। ପ୍ରତ୍ୟେକ ଶିବିରରେ ନୋଡାଲ ଅଧିକାରୀ, ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ, ଏକୀକୃତ ଡାଟାବେସ୍ ଓ ଆବଶ୍ୟକ ଲଜିଷ୍ଟିକ୍ ସୁବିଧା ରହିବ। ଫଳରେ ସମସ୍ତ ସରକାରୀସ୍ତରରେ ସାମ୍ନା କରୁଥିବା ସମସ୍ୟାକୁ ସାଧାରଣ ଲୋକେ ଏହି ସେବା ସେତୁ ଶିବିର ମାଧ୍ୟମରେ ସହଜରେ ସମାଧାନ କରିପାରିବେ।
ବିଜେପି ଦର୍ଶାଇଛି ଯେ ଅକ୍ଟୋବର ୧ରୁ ୧୦ ତାରିଖ ମଧ୍ୟରେ ନିଜ ଅଞ୍ଚଳର ନିର୍ଦ୍ଧାରିତ ‘ସେବା ସେତୁ’ ଶିବିରକୁ ଯାଇ ନାଗରିକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ପାଇପାରିବେ। ସେହିପରି ପେନସନ୍, ଆବାସ, ସ୍ୱାସ୍ଥ୍ୟସେବା, କୃଷି ଓ ଆର୍ଥିକ ସହାୟତା ଯୋଜନା ପାଇଁ ନିଜର ଯୋଗ୍ୟତା ଯାଞ୍ଚ କରିପାରିବେ। ସରକାରୀ କର୍ମଚାରୀଙ୍କ ସହାୟତାରେ ଶିବିରରେ ହିଁ ଆବେଦନ ଫର୍ମ ପୂରଣ କରିପାରିବେ। ପୂର୍ବରୁ କରାଯାଇଥିବା ଆବେଦନର ସ୍ଥିତି ଜାଣିବା ସହ ଅନୁମୋଦନ ପ୍ରକ୍ରିୟା ସମ୍ପର୍କରେ ତଥ୍ୟ ପାଇପାରିବେ।


