ଷ୍ଟ୍ରିମିଙ୍ଗ ହେଲା ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା”

Published: Feb 28, 2023, 10:36 am IST

ଭୁବନେଶ୍ବର: ଲୋକପ୍ରିୟ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର “ଶଲା ବୁଢା” ଗତକାଲି ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଷ୍ଟ୍ରିମିଙ୍ଗ ହୋଇଯାଇଛି। ୧୯୩୦ ଦଶକର ରାଜାରାଜୁଡ଼ା ଶାସନ ସମୟର ଏକ ଗରୀବ ଗାଁ ମୁଖିଆଙ୍କ କାହାଣୀ।  କ୍ରମାଗତ ଦୁର୍ଭିକ୍ଷ ଓ ଲୋଭି ରାଜାଙ୍କ କବଳରୁ ଭରତ ରାମ (ଶଲା ବୁଢ଼ା) କିଭଳି ନିଜ ଲୋକ ଓ ଜମିଜମାକୁ ବଞ୍ଚାଇ ରଖିଥିଲେ। ସାଧାରଣତଃ ଧାରଣା ଥାଏ ଯେ ବୃଦ୍ଧମାନେ ଅକର୍ମଣ୍ୟ, କିନ୍ତୁ ସେମାନେ ହିଁ ସମାଜକୁ ଦେଖାଇଥାନ୍ତି ନୂତନ ଦିଗନ୍ତ, ଶଲା ବୁଢ଼ାରେ ଘଟିଛି ଏମିତି କିଛି ଘଟଣା। ଈଶ୍ବରଙ୍କ ଉପରେ ଆସ୍ଥା, ମଣିଷପଣିଆ ଉପରେ ବିଶ୍ୱାସ ଦ୍ଵାରା କିଭଳି ସବୁ କିଛି ଜିତି ହୁଏ ଶଲା ବୁଢ଼ା ତା’ର ଏକ ନିଚ୍ଛକ ନିଦର୍ଶନ।

ଏହି ଚଳଚ୍ଚିତ୍ରର ପ୍ରଯୋଜକ ସୁଶାନ୍ତ ମହାପାତ୍ର ଥିବାବେଳେ ଏହାର କାହାଣୀ ଲେଖିଛନ୍ତି କପିଳେଶ୍ଵର ମହାପାତ୍ର, ସଙ୍ଗୀତରେ ସଜେଇଛନ୍ତି ପଙ୍କଜ ଜାଲ୍ ଓ ଘାସିରାମ ମିଶ୍ର, ଏହାର କ୍ୟାମେରାମ୍ୟାନ୍‌ ଓମ୍ ପ୍ରକାଶ ମହାପାତ୍ର ଥିବାବେଳେ ସଂପାଦନାରେ ରାଜେନ୍ଦ୍ର ମହାପାତ୍ର, ସଂଳାପ ଲେଖିଛନ୍ତି ଅଟଳ ବିହାରୀ ପଣ୍ଡା, ନିର୍ଦ୍ଦେଶନା ଓ ଚିତ୍ରନାଟ୍ୟର ଦାୟିତ୍ୱରେ ଅଛନ୍ତି ସବ୍ୟସାଚୀ ମହାପାତ୍ର।

ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅଟଳ ପଣ୍ଡା, ରତନ୍ ମେହେର୍, ପୃଥ୍ଵୀରାଜ ନାଏକ, ରୋଜି ଷଡ଼ଙ୍ଗୀ, ତପସ୍ୱିନୀ ଗୁରୁ ଓ ଅନ୍ୟମାନେ।

ଏହା ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଙ୍ଗ୍ ହୋଇଥିବା ପ୍ରତ୍ୟେକ ଚଳଚ୍ଚିତ୍ର ଓ ୱେବ୍ ସିରିଜ୍ ଲୋକାଦୃତ ହେବା ପରେ ନୂଆ ଚଳଚ୍ଚିତ୍ର “ଶଲା ବୁଢା” କୁ ଦର୍ଶକାଦୃତି ମିଳିବାରେ ଲାଗିଛି।

Related posts