ନିଜ ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗାଁକୁ ଭିତରକୁ ଗଲେ ଚାଲିଚାଲି

Published: May 4, 2023, 1:18 pm IST
President

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ ଜନ୍ମ ମାଟି ପାହାଡପୁରରେ ପହଞ୍ଚିଛନ୍ତି। ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ଆଜି ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ସ୍ୱାଗତ କରିଥିଲେ।

ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ ହୋଇଥିବାରୁ ସେଠାରେ ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ସେଥିପାଇଁ ରାଷ୍ଟ୍ରପତି ଚାଲିଚାଲି ସ୍ଥାନୀୟ ଲୋକଙ୍କୁ ନମସ୍କାର କରିବା ସହ ହାତ ହଲାଇ ସମସ୍ତଙ୍କର ଅଭିବାଦନ ଗ୍ରହଣ କରିଛନ୍ତି।

ସେଠାରେ ସେ ନିଜ ସ୍ବାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗାଁ ଭିତରକୁ ପ୍ରବେଶ କରି ସମସ୍ତଙ୍କୁ ହାତହଲାଇ ଅଭିନନ୍ଦନ ଜଣାଇଥିଲେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେଠାରେ ଥିବା ନୂଆ ସର୍କିଟ ହାଉସରେ ଅବସ୍ଥାନ କରିବେ।

ମେ ୫ ତାରିଖରେ ରାଷ୍ଟ୍ରପତି ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ସେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ। ମେ ୬ ତାରିଖରେ ରାଷ୍ଟ୍ରପତି ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ।

Related posts