କଂଗ୍ରେସର ନୂଆ କମିଟରେ ଓଡିଶା ନେତାଙ୍କ ନାଁ ନାହିଁ, କେମିତି ଲଢିବେ ନିର୍ବାଚନ !!

Published: Aug 21, 2023, 9:59 am IST
Cong

ଭୁବନେଶ୍ବର: ଏଥର ଓଡିଶାରେ କଂଗ୍ରେସ ଆସିବ। ଏହିପରି ନାରା ଦେଉଥିବା ଓଡିଶା କଂଗ୍ରେସ ପାଇଁ ଲାଗିଛି ଏକ ବଡ ଧକ୍କା। କାରଣ ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କର ନୂଆ ଟିମ ଗଠନ କରିଛନ୍ତି। ହେଲେ ଦୁଃଖର କଥା ସେଥିରେ ଓଡିଶାର କୌଣସି ନେତାଙ୍କ ନାମ ନାହିଁ। କେବଳ ଭକ୍ତ ଦାସଙ୍କୁ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟରେ ସ୍ଥାନିତ କରାଯାଇଛି। ହେଲେ କାର୍ଯ୍ୟକାରୀ କମିଟରେ କେହି ନାହାଁନ୍ତି। ଫଳରେ ଓଡିଶା କଂଗ୍ରେସ ପ୍ରତି କେନ୍ଦ୍ର କଂଗ୍ରେସ କେତେ ଗୁରୁତ୍ବ ଦେଉଛି ତାହା ବୁଝି ହେଉଛି।

ଗତକାଲି ପ୍ରକାଶିତ ନୂଆ ତାଲିକାରେ କଂଗ୍ରେସ କାର୍ଯ୍ୟକାରୀ କମିଟ ବା ସିଡବ୍ଲୁସି ରେ ୩୯ ଜଣ ସଦସ୍ୟ ରହିଛନ୍ତି। ଏହି କମିଟକୁ ଖୋଦ ସଭାପତି ଖାର୍ଗେ ମନୋନିତ କରି ନିଯୁକ୍ତ ଦେଇଛନ୍ତି। ଏହି କମିଟ ହେଉଛି ଦଳର ସର୍ବୋଚ୍ଚ କମିଟ। ଏହିମାନେ ନୀତି ନିର୍ଦ୍ଧାରଣ କରିଥାନ୍ତି। ସେଥିପାଇଁ ଏହି କମିଟରେ ଖୋଦ ସଭାପତି ସହିତ ରାହୁଳ ଗାନ୍ଧି, ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଅମ୍ବିକା ସୋନୀ ପ୍ରମୁଖ ଆଗଧାଡିର ନେତା ରହିଛନ୍ତି। ହେଲେ ଓଡିଶାର କେହି ବି ଜଣେ ସ୍ଥାନ ପାଇ ନାହାଁନ୍ତି।

ବିଶେଷ ସୁତ୍ରରୁ ପ୍ରକାଶ ଯେ, କୁଆଡେ ସିଡବ୍ଲୁସି ର ସଦସ୍ୟ ହେବା ପାଇଁ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଜୋରଦାର ଲବି କରିଥିଲେ। ତାଙ୍କ ପାଇଁ ଏକ ବଡ ଗୋଷ୍ଠୀ ଦିଲ୍ଲୀରେ ଡେରା ପକାଇ ବିଭିନ୍ନ ନେତାଙ୍କୁ ଭେଟି ନିରଂଜନଙ୍କୁ ନେବା ପାଇଁ ଅନୁରୋଧ କରିଥିଲେ। ଏପରିକି ଖୋଦ ପ୍ରଦେଶ ସଭାପତି ଶରତ ପଟ୍ଟନାୟକ ମଧ୍ୟ ତାଙ୍କ ପାଇଁ ଲବି କରିଥିଲେ। ହେଲେ ଶେଷ ମୁର୍ହୁତରେ ତାହା ସଫଳ ହୋଇପାରିଲା ନାହିଁ।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ଜାତୀୟ କଂଗ୍ରେସ ଓଡିଶା କଂଗ୍ରେସକୁ ସେତେ ଗୁରୁତ୍ବ ମନେ କରୁ ନାହିଁ। ସେମାନେ ବୋଧହୁଏ ଜାଣିସାରିଲେଣି ଯେ, ଓଡିଶାରେ କଂଗ୍ରେସର କିଛି ହେବ ନାହିଁ। ସେଥିପାଇଁ ସେମାନେ ଓଡିଶାର କୌଣସି ନେତାଙ୍କୁ ଗୁରୁତ୍ବ ଦେଲେ ନାହିଁ। ବର୍ତ୍ତମାନ ଗତ କିଛି ବର୍ଷ ଧରି ଜାତୀୟ କଂଗ୍ରେସ ଓଡିଶା କଂଗ୍ରେସକୁ ଅଣଦେଖା କରି ଆସିଛୁ।

ପୂର୍ବରୁ ଏହି କାର୍ଯ୍ୟକାରୀ କମିଟରେ ରାମଚନ୍ଦ୍ର ଖୁଣ୍ଟିଆ, ଜୟନ୍ତି ପଟ୍ଟନାୟକ, ସୁଶୀଳା ତିରିଆଙ୍କ ପରି ନେତା ସ୍ଥାନ ପାଇଛନ୍ତି। ହେଲେ ଗତ କିଛି ବର୍ଷ ଧରି କଂଗ୍ରେସର ଓଡିଶା ପ୍ରତି ଫୋକସ ନାହିଁ। ତେବେ ଜଣେ ଓଡିଶା କଂଗ୍ରେସ ନେତାଙ୍କ କହିବା ଅନୁସାରେ ଖୁବ ଶିଘ୍ର ଖାର୍ଗେ ଦଳର ସାଧାରଣ ସଂପାଦକ ଏବଂ ସଂପାଦକ ସହିତ ବିଭିନ୍ନ ରାଜ୍ୟର ପ୍ରଭାରୀଙ୍କ ନାମ ଘୋଷଣା କରିବେ। ସେତେବେଳେ ଓଡିଶା ନେତାଙ୍କ ନାମ ରହିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Related posts