ଦେଶର ରାଜନୀତି ଓ ଚଳଚିତ୍ର ଜଗତର ଏକ ଚର୍ଚ୍ଚିତ ବାହାଘର, ରାଘବ ପରିଣୀତିଙ୍କ ବିବାହ

Published: Sep 23, 2023, 11:04 pm IST

ନୂଆଦିଲ୍ଲୀ: ଆପ ସାଂସଦ ରାଘବ ଚଢା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବାହାଘର ବର୍ତ୍ତମାନ ସାରା ଦେଶରେ ଏକ ଚର୍ଚ୍ଚିତ ବାହାଘର ଭାବେ ପରିଗଣିତ ହୋଇଛି। କାରଣ ଉଭୟଙ୍କ ଭଲ ପାଇବାଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ତାହା ମିଡିଆ ଏବଂ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। ତେବେ ଏହା ଉଭୟ ରାଜନୀତି ଏବଂ ଚଳଚିତ୍ର ଜଗତରେ ଏକ ଚର୍ଚ୍ଚିତ ବାହାଘର।

ରବିବାର ଦିନ ଉଭୟ ପରିଣୀତି ଏବଂ ରାଘବଙ୍କ ବାହାଘର ଦେଶର ସବୁଠୁ ବ୍ୟୟ ବହୁଳ ବିବାହ ସ୍ଥାନ ଭାବେ ପରିଚିତ ଉଦୟପୁରର ଦ ଲିଳା ପ୍ୟାଲେସ ରେ କରାଯିବ। ସେଥିପାଇଁ ବହୁ ପୂର୍ବରୁ ପରିଣୀତି ଏବଂ ରାଘବ ପୃଥକ ପୃଥକ ଭାବେ ଉଦୟପୁରରେ ପହଞ୍ଚି ସାରିଲେଣି। ଉଭୟ ବିମାନ ବନ୍ଦରରେ ପହଁଚିବାଠାରୁ ଆରମ୍ଭ କରି ନିଜ ସ୍ଥାନକୁ ଯିବା ପର୍ଯ୍ୟନ୍ତ ସବୁକିଛି ମିଡିଆ ତଥା ସାମାଜିକ ମିଡିଆରେ ପ୍ରତିଫଳିତ ହୋଇଛି।

ବିବାହ ମଣ୍ଡପକୁ ଚାରି ଟନ ଫୁଲରେ ସଜା ଯାଇଛି

ଉଭୟଙ୍କ ବାହାଘର ପାଇଁ ଉଦୟପୁରର ଦ ଲିଳା ପ୍ୟାଲେସ କୁ ନବବଧୁ ପରି ସଜାଇ ଦିଆଯାଇଛି। ପ୍ୟାଲେସ ସାରା ଲାଲ କାର୍ପେଟ ବିଛାଯିବା ସହିତ ରଂଗୀନ ଆଲୋକମାଳାରେ ସଜାଇ ଦିଆୟାଇଛି। ତେବେ ସବୁଠାରୁ ଯେଉଁ କଥା ଚର୍ଚ୍ଚା ହେଉଛି ତାହା ହେଲା ଏହି ବାହାଘରରେ ପ୍ରାୟ ଚାରି ଟନ ଫୁଲ ବ୍ୟବହାର କରାଯାଇଛି। ପ୍ୟାଲେସ ସାରା ଏବି ବିବାହ ମଣ୍ଡପରେ ଏହି ଫୁଲ ଲଗାଯିବ।

ସେହିପରି ବିମାନ ବନ୍ଦର ଏବଂ ଅତିଥୀମାନେ ରହିବା ପାଇଁ ନିଆଯାଇଥିବା ହୋଟେଲଗୁଡିକୁ ମଧ୍ୟ ଫୁଲରେ ସଜାଯାଇଛି। କହିବାକୁ ଗଲେ ପରିଣୀତି ଏବଂ ରାଘବଙ୍କ ଏହି ବାହାଘର ପାଇଁ ପୁରା ଉଦୟପୁର ସହରକୁ ସଜାଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଯୋଗ ଦେବେ ରାହୁଳ ଗାନ୍ଧୀଙ୍କ ସହିତ ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ

ଏହି ହାଇ ପ୍ରୋଫାଇଲ ବାହାଘର ପାଇଁ ବହୁ ହାଇ ପ୍ରୋଫାଇଲ ଅତିଥୀମାନେ ମଧ୍ୟ ଜୟପୁର ଆସିବାକୁ ଲାଗିଲେଣି। ଏଥିରେ ବିଶିଷ୍ଠ ରାଜନେତା ସହିତ ବହୁ ଚଳଚିତ୍ର ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଯୋଗ ଦେବେ। ସେଥିପାଇଁ ଶନିବାରଠାରୁ ଜୟପୁର ଓ ଉଦୟପୁରର ବିଶିଷ୍ଠ ବ୍ୟକ୍ତିଙ୍କର ଭିଡ ଆରମ୍ଭ ହୋଇଯାଇଛି।

ଏହି ବାହାଘରରେ ଯୋଗଦେବା ପାଇଁ ରାହୁଳ ଗାନ୍ଧୀ ଜୟପୁରରେ ପହଞ୍ଚି ସାରିଛନ୍ତି। ସେହିପରି ଆପ ନେତା ସଂଜୟ ସିଂହ ଏବଂ ତାଙ୍କ ପତ୍ନୀ ମଧ୍ୟ ଜୟପୁରରେ ପହଞ୍ଚି ସାରିଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଉଦୟପୁରରେ ପହଞ୍ଚି ସାରିଲେଣି।

ଆସନ୍ତାକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ମଧ୍ୟ ଏହି ବାହାଘରରେ ଉପସ୍ଥିତ ରହିବେ। ସେହିପରି ଚଳଚିତ୍ର କଳାକାରମାନେ ମଧ୍ୟ ଉଦୟପୁରରେ ପହଞ୍ଚିବା ଆରମ୍ଭ କରିସାରିଲେଣି।

Related posts