ମେଣ୍ଟ ହେବା ନିଶ୍ଚିତ, ବିଜେଡି ବୈଠକ ପରେ ଦେବୀ ମିଶ୍ର ଯାହା କହିଲେ ସେଥିରୁ ମିଳିଲା ସ୍ପଷ୍ଟ ସୂଚନା

Published: Mar 6, 2024, 7:47 pm IST

ଭୁବନେଶ୍ବର: ଓଡିଶାର ବିଜେଡି ବିଜେପି ମେଣ୍ଟ ହେବ। ଏହା ବର୍ତ୍ତମାନ ସ୍ପଷ୍ଟ ହୋଇଛି। ହେଲେ କୌଣସି ଘୋଷଣା କରାଯାଇ ନାହିଁ। ଆଜି ନବୀନ ନିବାସରେ ବସିଥିବା ବୈଠକରେ ଏହି ମେଣ୍ଟ ବାବଦରେ ହିଁ ଆଲୋଚନା କରାଯାଇଛି। ଏହି ବୈଠକରୁ ଆସି ଗଣମାଧ୍ୟମକୁ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଯାହା କହିଛନ୍ତି ସେଥିରୁ ମେଣ୍ଟ ନିଶ୍ଚିତ ବୋଲି ସ୍ପଷ୍ଟ ହୋଇଛି।

ଦେବୀ ମିଶ୍ର କହିଛନ୍ତି ଯେ, ଆଗାମୀ ନିର୍ବାଚନ ପାଇଁ ଆଜି ଦଳର ବୈଠକ ବସିଥିଲା। ଏଥିରେ ଓଡିଶା ସ୍ବାର୍ଥ ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ନିଷ୍ପତି ହୋଇଛି। ଆଉ ବାର ବର୍ଷ ପରେ ଓଡିଶା ଗଠନର ଶହେ ବର୍ଷ ପୁରଣ ହେବ। ସେଥିପାଇଁ ଓଡିଶା ରାଜ୍ୟକୁ ଆଗେଇ ନେବା ପାଇଁ ଯାହା ଆବଶ୍ୟକ ତାହା ନିଷ୍ପତି ନିଆଯିବ।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ମେଣ୍ଟ ପାଇଁ ଦଳ ଖୁବ ଶିଘ୍ର ନିଷ୍ପତି ଗ୍ରହଣ କରିବ ବା ମେଣ୍ଟ ହେବା ନିଶ୍ଚିତ ବୋଲି ଦେବୀ ମିଶ୍ରଙ୍କ ମନ୍ତବ୍ୟରୁ ଜଣାପଡିଛି। ସେହିପରି ଅନ୍ୟତମ ନେତା ଅରୁଣ ସାହୁ ମଧ୍ୟ ସମାନ କଥା କହିଛନ୍ତି। ଓଡିଶାର ସ୍ବାର୍ଥ ପାଇଁ ଯାହା ଦରକାର ତାହା ଉପରେ ଦଳ ପ୍ରାଧାନ୍ୟ ଦେବ। ତେବେ ଉଭୟ ମେଣ୍ଟ କଥା ପଚାରିବାରୁ କୌଣସି ଉତ୍ତର ନ ଦେଇ ଚାଲିଯାଇଥିଲେ।

ସେପଟେ ନୂଆଦିଲ୍ଲୀରେ ମଧ୍ୟ ବିଜେପି ବୈଠକ ବସିଛି। ସେଠାରେ ମଧ୍ୟ ସେହି ମେଣ୍ଟ ସଂପର୍କରେ ଚାଲିଛି ଆଲୋଚନା। ଏହି ବୈଠକ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି। ଏଥିରେ ଦଳର ବରିଷ୍ଠ ନେତା ଅମିତ ସାହା, ଧର୍ମେନ୍ଦ୍ର ପ୍ରଧାନ, ବିଜେପି ସଭାପତି ମନମୋହନ ସାମଲ, ସାଂଗଠନିକ ସଂପାଦକ ମାନସ ମହାନ୍ତି ପ୍ରମୁଖ ଯୋଗଦେଇଛନ୍ତି।

ତେବେ ଏହି ବୈଠକରୁ ବାହାରି ଆସି ସାଂସଦ ଜୁଏଲ ଓରାମ ଯାହା କହିଛନ୍ତି ସେଥିରୁ ସବୁକିଛି ବୁଝି ହୋଇଯାଇଛି। ସେ ବହୁ କଷ୍ଟରେ କହିଛନ୍ତି ଯେ ବୈଠକରେ ମେଣ୍ଟ ସଂପର୍କରେ ଆଲୋଚନା ହୋଇଛି। ହେଲେ ମେଣ୍ଟ ହେବ କି ନାହିଁ ସେ ସଂପର୍କରେ କେନ୍ଦ୍ରୀୟ ନେତୃବୃନ୍ଦ ନିଷ୍ପତି ନେବେ। ଏଥିରୁ ସ୍ପଷ୍ଟ ହୋଇଛି ଯେ ବିଜେଡି ବିଜେପି ପୁଣି ଥରେ ମେଣ୍ଟ ହେବା ନିଶ୍ଚିତ।

ଦୁଇ ଦଳର ମନ୍ତବ୍ୟରୁ ଏହା ସ୍ପଷ୍ଚ ହୋଇଛି ବୋଲି ମେଣ୍ଟ ନିଶ୍ଚିତ ହେବ। ତେବେ କିଏ କେତେ ଆସନ ନେବ ସେ ନେଇ ଚାଲିଛି ବିସ୍ତୁତ ଆଲୋଚନା। ତାହା ଛିଣ୍ଡିଯିବା ପରେ ଯାଇ ଏହି ଘୋଷଣା କରାଯିବ ବୋଲି ଜଣାପଡିଛି।

Related posts