Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରଣନୈତିକ ଗୁରୁତ୍ୱ ଓ ସନ୍ତୁଳିତ ବିକାଶର ପ୍ରକୃଷ୍ଟ ଉଦାହରଣ ସାଜୁଛି ‘ଗ୍ରେଟ୍ ନିକୋବର ପ୍ରକଳ୍ପ’
ଜାତୀୟ ଖବର

ରଣନୈତିକ ଗୁରୁତ୍ୱ ଓ ସନ୍ତୁଳିତ ବିକାଶର ପ୍ରକୃଷ୍ଟ ଉଦାହରଣ ସାଜୁଛି ‘ଗ୍ରେଟ୍ ନିକୋବର ପ୍ରକଳ୍ପ’

May 1, 2026No Comments9 Mins Read
Share Facebook Twitter LinkedIn Email WhatsApp Copy Link

ଗ୍ରେଟ୍ ନିକୋବର ପ୍ରକଳ୍ପ ହେଉଛି ଏକ ରଣନୈତିକ ପ୍ରକଳ୍ପ ଯାହା ଆଣ୍ଡାମାନ ସାଗର ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଭାରତର ଉପସ୍ଥିତିକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି। ଏହି ପ୍ରକଳ୍ପ ବନ୍ଦର-ଭିତ୍ତିକ ଅଭିବୃଦ୍ଧି ସହିତ ପରିବେଶ ସୁରକ୍ଷା ଏବଂ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପ୍ରୟାସ କରିଛି। ରଣନୈତିକ, ଅର୍ଥନୈତିକ ଏବଂ ପରିବେଶ ସମ୍ବନ୍ଧୀୟ ପ୍ରାଥମିକତାଗୁଡ଼ିକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ଗ୍ରେଟ୍ ନିକୋବରର ସତତ ବିକାଶ ସାଧନ ସହ ଏବଂ ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ଚେଷ୍ଟିତ।
ଏହି ପ୍ରକଳ୍ପ ମାଧ୍ୟମରେ: ଏକ ୧୪.୨ ମିଲିୟନ୍ ଟିଇୟୁ (ଟ୍ୱେଣ୍ଟି-ଫୁଟ୍ ଇକ୍ୟୁଭାଲେଣ୍ଟ ୟୁନିଟ୍) କ୍ଷମତା ବିଶିଷ୍ଟ ଆନ୍ତର୍ଜାତିକ କଣ୍ଟେନର ଟ୍ରାନ୍ସସିପମେଣ୍ଟ ଟର୍ମିନାଲ୍ (ଆଇସିଟିଟି) ସ୍ଥାପନ ସହ ଏକ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ବିମାନବନ୍ଦର (୪୦୦୦ ପିକ୍ ଆୱାର ପାସେଞ୍ଜର-ପିଏଚ୍‍ପି), ଏକ ୪୫୦ ଏମ୍‍ଭିଏ (ମେଗାଭୋଲ୍ଟ ଆମ୍ପିୟର) ଗ୍ୟାସ୍ ଏବଂ ସୌରଭିତ୍ତିକ ବିଦ୍ୟୁତ୍ କେନ୍ଦ୍ର, ଏବଂ ୧୬,୬୧୦ ହେକ୍ଟର ଅଞ୍ଚଳରେ ବ୍ୟାପ୍ତ ଏକ ନୂତନ ଟାଉନସିପ୍‌ ନିର୍ମାଣ ଲକ୍ଷ୍ୟ ରଖାଯାଇଛି।
ଏହି ବିକାଶ ଏକ ସମ୍ବେଦନଶୀଳ ଏବଂ ସାମଗ୍ରିକ ଦୃଷ୍ଟିକୋଣ ଅନୁସରଣ କରେ। ଏହା ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଆବଶ୍ୟକତାକୁ ବିଚାରକୁ ନିଏ ଏବଂ ଦ୍ୱୀପର ପରିବେଶ ସମ୍ପଦକୁ ସୁରକ୍ଷିତ ରଖିବାକୁ ଲକ୍ଷ୍ୟ ରଖିଛି। ଏହି ଯୋଜନା ସାମାଜିକ, ସାଂସ୍କୃତିକ ଏବଂ ପରିବେଶଗତ ପ୍ରଭାବକୁ ସତର୍କତାର ସହ ମୂଲ୍ୟାଙ୍କନ କରେ ଏବଂ ପରିବେଶ, ସାମାଜିକ ତଥା ଅର୍ଥନୈତିକ ଲକ୍ଷ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରୁଥିବା ବିକଳ୍ପଗୁଡ଼ିକୁ ପ୍ରାଥମିକତା ଦିଏ।
ଗ୍ରେଟ୍ ନିକୋବର ପ୍ରକଳ୍ପର ମୁଖ୍ୟ ଭିତ୍ତିଭୂମି:
୧. ଆନ୍ତର୍ଜାତୀୟ କଣ୍ଟେନର ଟ୍ରାନ୍ସସିପମେଣ୍ଟ ଟର୍ମିନାଲ୍: ଭାରତର ବନ୍ଦରଗୁଡ଼ିକରେ ବଡ଼ ଜାହାଜ ପାଇଁ ଗଭୀର ଜଳ ସୁବିଧାର ଅଭାବ ରହିଛି। ଏହି କାରଣରୁ, ମାଲ ପରିବହନ କଲମ୍ବୋ ଏବଂ ସିଙ୍ଗାପୁର ଦେଇ ହୋଇଥାଏ। ଏହାର ପରିଣାମ ସ୍ୱରୂପ ଭାରତ ବହୁ ପରିମାଣର ରାଜସ୍ୱ ହରାଏ। ମିଆଁମାର, ଚୀନ୍ ଏବଂ ଶ୍ରୀଲଙ୍କା ଭଳି ଦେଶଗୁଡ଼ିକ ଏହି ବାଣିଜ୍ୟକୁ ହାସଲ କରିବା ପାଇଁ ପୂର୍ବରୁ ହିଁ ଗଭୀର ଜଳ ସୁବିଧା ନିର୍ମାଣ କରୁଛନ୍ତି।
ଏହି ପ୍ରସଙ୍ଗରେ, ‘ଦ୍ୱୀପ ବିକାଶ କାର୍ଯ୍ୟକ୍ରମ’ ଅଧୀନରେ ଗ୍ରେଟ୍ ନିକୋବର ଦ୍ୱୀପର ସାମଗ୍ରିକ ବିକାଶର ଏକ ଅଂଶ ଭାବରେ ଗାଲାଥିଆ ବେ’ଠାରେ ଆନ୍ତର୍ଜାତିକ କଣ୍ଟେନର ଟ୍ରାନ୍ସସିପମେଣ୍ଟ ପୋର୍ଟ ନିର୍ମାଣ କରାଯାଉଛି। ପ୍ରସ୍ତାବିତ ବିମାନବନ୍ଦର, ଟାଉନସିପ୍ ଏବଂ ପାୱାର ପ୍ଲାଣ୍ଟ ସହିତ ଗାଲାଥିଆ ବେ ଟ୍ରାନ୍ସସିପମେଣ୍ଟ ପୋର୍ଟ ଏହି ଗ୍ରେଟ୍ ନିକୋବର ପ୍ରକଳ୍ପର ଏକ ପ୍ରମୁଖ ଭିତ୍ତିଭୂମି ଉପାଦାନ । ଏହି ବନ୍ଦର ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ପ୍ରାଚ୍ୟ-ପାଶ୍ଚାତ୍ୟ ଆନ୍ତର୍ଜାତିକ ଜଳପଥର ଅତି ନିକଟରେ (ପ୍ରାୟ ୪୦ ନଟିକାଲ୍ ମାଇଲ୍ ଦୂରରେ) ଅବସ୍ଥିତ ଏବଂ ଏହାର ପ୍ରାକୃତିକ ଜଳର ଗଭୀରତା ୨୦ ମିଟରରୁ ଅଧିକ ହେବ। ଏହି ରଣନୈତିକ ଅବସ୍ଥିତି ଏହାକୁ ଗେଟୱେ ଏବଂ ଟ୍ରାନ୍ସସିପମେଣ୍ଟ ଉଭୟ ପ୍ରକାରର ମାଲକୁ ଆକର୍ଷିତ କରିବା ସହ କଲମ୍ବୋ, ସିଙ୍ଗାପୁର ଏବଂ କ୍ଲାଙ୍ଗ ଭଳି ବିଦେଶୀ ବନ୍ଦର ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବାରେ ସହାୟକ ହେବ। ଏହି ପ୍ରକଳ୍ପଟି ଭାରତର ଜାତୀୟ ସୁରକ୍ଷା, ରଣନୈତିକ ଏବଂ ପ୍ରତିରକ୍ଷା ଉପସ୍ଥିତିକୁ ବୃଦ୍ଧି କରିବା, ଦ୍ୱୀପପୁଞ୍ଜର ଅର୍ଥନୈତିକ ସ୍ଥିତିକୁ ସଦୃଢ଼ କରିବା ଏବଂ ଏହି ଅଞ୍ଚଳରେ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି।
୨. ଗ୍ରୀନଫିଲ୍ଡ ଆନ୍ତର୍ଜାତିକ ବିମାନବନ୍ଦର: ଏହି ଦ୍ୱୀପରେ ବିଶ୍ୱସ୍ତରୀୟ ପ୍ରାକୃତିକ ପରିବେଶ ଓ ସମ୍ପଦ ରହିଛି ଯାହା ଆନ୍ତର୍ଜାତିକ ଏବଂ ଭାରତୀୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ପର୍ଯ୍ୟଟନ ପାଇଁ ଦ୍ୱୀପକୁ ଉନ୍ମୁକ୍ତ କରିବା ଉଦ୍ଦେଶ୍ୟରେ ଏକ ଆନ୍ତର୍ଜାତୀୟ ବିମାନବନ୍ଦର ଆବଶ୍ୟକ। ଏହି ଦ୍ୱୀପଟି ସେନାଙ୍ଗ ସିଟି, ଫୁକେଟ୍ ଦ୍ୱୀପ ଏବଂ ଲାଙ୍କାୱି ଦ୍ୱୀପ ଭଳି ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ନିକଟତର। ପୋର୍ଟ ବ୍ଲେୟାର ବିମାନବନ୍ଦର ବର୍ତ୍ତମାନ ବାର୍ଷିକ ପ୍ରାୟ ୧.୮ ମିଲିୟନ୍ ଯାତ୍ରୀଙ୍କ ଯାତାୟାତ ପରିଚାଳନା କରୁଛି। ନୂତନ ବିମାନବନ୍ଦରଟି ଖୋଲିବା ସମୟରେ ଅତି କମରେ ୧ ମିଲିୟନ୍ ଯାତ୍ରୀ ଏବଂ ପରବର୍ତ୍ତୀ ସମୟରେ ବାର୍ଷିକ ପ୍ରାୟ ୧୦ ମିଲିୟନ୍ ଯାତ୍ରୀ ପରିଚାଳନା କରିବ ବୋଲି ଆଶା କରାଯାଉଛି।
୩. ଟାଉନସିପ୍ ଏବଂ ଅଞ୍ଚଳ ବିକାଶ: ଯୋଜନାବଦ୍ଧ ଟାଉନସିପ୍‌ର ଉଦ୍ଦେଶ୍ୟ ହେଉଛି ଦ୍ୱୀପର ବନ୍ଦର-ଭିତ୍ତିକ ବିକାଶରୁ ସୃଷ୍ଟି ହେଉଥିବା ଆବାସିକ, ବାଣିଜ୍ୟିକ ଏବଂ ଆନୁଷ୍ଠାନିକ ଆବଶ୍ୟକତାକୁ ପୂରଣ କରିବା। ଏହା ସାମଗ୍ରିକ ସମନ୍ୱିତ ବିକାଶ ଢାଞ୍ଚା ଅନୁଯାୟୀ କର୍ମଚାରୀ, ସେବା ପ୍ରଦାନକାରୀ ଏବଂ ସମ୍ପୃକ୍ତ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଆବଶ୍ୟକୀୟ ସହରୀ ଭିତ୍ତିଭୂମି ଯୋଗାଇଦେବ।
୪. ପାୱାର ପ୍ଲାଣ୍ଟ: ଟ୍ରାନ୍ସସିପମେଣ୍ଟ ଟର୍ମିନାଲ୍, ବିମାନବନ୍ଦର ଏବଂ ସମ୍ପୃକ୍ତ ସହରୀ ଭିତ୍ତିଭୂମିର ପରିଚାଳନା ପାଇଁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଭିତ୍ତିଭୂମି ଅପରିହାର୍ଯ୍ୟ। ବର୍ତ୍ତମାନ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଡିଜେଲ ଜେନେରେଟିଂ ସେଟ୍ ଶକ୍ତିର ପ୍ରମୁଖ ଉତ୍ସ ହୋଇ ରହିଛି। ପାୱାର ପ୍ଲାଣ୍ଟର ମୂଳ ଲକ୍ଷ୍ୟ ହେଉଛି ବିନା ବାଧାରେ ଉତ୍ତମ ଗୁଣବତ୍ତା ସମ୍ପନ୍ନ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଶକ୍ତି ପ୍ରଦାନ କରିବା। ଏହି ବ୍ୟବସ୍ଥାକୁ ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯେ, ଯଦି କୌଣସି ଗୋଟିଏ ପ୍ରାଥମିକ ଉପାଦାନ ଅଚଳ ହୋଇଯାଏ, ତଥାପି ବିଦ୍ୟୁତ୍ ଯୋଗାଣ ଜାରି ରହିବ। ଅଧିକ ଉତ୍ପାଦନ ପାଇଁ ଅକ୍ଷୟ ଶକ୍ତି ଉତ୍ସଗୁଡ଼ିକର ମଧ୍ୟ ଯୋଜନା କରାଯିବ। ଅବିରତ ଶକ୍ତି ଯୋଗାଣ ହେଉଛି ଦ୍ୱୀପର ଜିଡିପି ବୃଦ୍ଧି କରିବାର ଏକ ପ୍ରମୁଖ ଉପାଦାନ।
ରଣନୈତିକ ଏବଂ ଅର୍ଥନୈତିକ ଗୁରୁତ୍ୱ
ଗ୍ରେଟ୍ ନିକୋବର ପ୍ରକଳ୍ପ ତିନୋଟି ପୃଥକ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଉଛି-
• ପ୍ରଥମ ପର୍ଯ୍ୟାୟ- ( ୨୦୨୫-୩୫, ୭୨.୧୨ ବର୍ଗ କିଲୋମିଟର),
• ଦ୍ୱିତୀୟ ପର୍ଯ୍ୟାୟ- ( ୨୦୩୬-୪୧, ୪୫.୨୭ ବର୍ଗ କିଲୋମିଟର),
• ତୃତୀୟ ପର୍ଯ୍ୟାୟ- ( ୨୦୪୨-୪୭, ୪୮.୭୧ ବର୍ଗ କିଲୋମିଟର)।
ଏହା ମୋଟ ୧୬୬.୧୦ ବର୍ଗ କିଲୋମିଟର ଅଞ୍ଚଳକୁ ଅନ୍ତର୍ଭୁକ୍ତ କରେ, ଯେଉଁଥିରେ ୩୫.୩୫ ବର୍ଗ କିଲୋମିଟର ରାଜସ୍ୱ ଜମି ଏବଂ ୧୩୦.୭୫ ବର୍ଗ କିଲୋମିଟର ଜଙ୍ଗଲ ଜମି ରହିଛି। ଏହି ପର୍ଯ୍ୟାୟଭିତ୍ତିକ ଆଭିମୁଖ୍ୟ ବ୍ୟବସ୍ଥିତ ଭିତ୍ତିଭୂମି ବିକାଶ ପାଇଁ ସୁଯୋଗ ଦେବା ସହିତ ପ୍ରତ୍ୟେକ ସ୍ତରରେ ପରିବେଶ ସୁରକ୍ଷା ଏବଂ ଆଦିବାସୀ କଲ୍ୟାଣକାରୀ ପଦକ୍ଷେପଗୁଡ଼ିକର ପ୍ରଭାବଶାଳୀ ସମନ୍ୱୟକୁ ନିଶ୍ଚିତ କରେ।
ପ୍ରକଳ୍ପର ରଣନୈତିକ ଏବଂ ଅର୍ଥନୈତିକ ଗୁରୁତ୍ୱ ହେଉଛି ଗ୍ରେଟ୍ ନିକୋବରକୁ ଭାରତ ମହାସାଗର କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ସ୍ଥାପିତ କରିବା। ଏହି ପ୍ରକଳ୍ପ ଜମିର ସର୍ବୋତ୍ତମ ବ୍ୟବହାର, ସମନ୍ୱିତ ପରିବେଶ ପରିଚାଳନା ଏବଂ ଦୀର୍ଘକାଳୀନ ଆଞ୍ଚଳିକ ଲାଭ ନିଶ୍ଚିତ କରିବା ସହିତ ପରିବେଶ ପ୍ରଭାବ ଆକଳନ ନିୟମାବଳୀ ଏବଂ ଶାସନଗତ ଅନୁମୋଦନଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପାଳନ କରୁଛି।
ପରିବେଶ ପ୍ରଭାବ ଆକଳନ (ଇଆଇଏ)
ହେଉଛି ସନ୍ତୁଳିତ ବିକାଶ ପାଇଁ ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର ନିଶ୍ଚିତ କରିବାର ଏକ ମାଧ୍ୟମ। ପରିବେଶ ପ୍ରଭାବ ଆକଳନ ବିଜ୍ଞପ୍ତି, ୨୦୦୬ର ଅନୁସୂଚୀ ଅନୁଯାୟୀ ନିର୍ଦ୍ଦିଷ୍ଟ ଶ୍ରେଣୀର ପ୍ରକଳ୍ପଗୁଡ଼ିକ ପାଇଁ ଇଆଇଏ ବାଧ୍ୟତାମୂଳକ। ବିଭିନ୍ନ କ୍ଷେତ୍ର ପାଇଁ ଗଠିତ ବିଶେଷଜ୍ଞ କମିଟିଗୁଡ଼ିକ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ଯାଞ୍ଚ କରନ୍ତି, ପରିବେଶଗତ ପ୍ରଭାବର ଆକଳନ କରନ୍ତି ଏବଂ ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ ପାଇଁ ସୁପାରିଶ କରନ୍ତି।
ଗ୍ରେଟ୍ ନିକୋବର ଦ୍ୱୀପ ପ୍ରକଳ୍ପର ପରିବେଶ ପ୍ରଭାବ ଆକଳନ
• ସ୍କ୍ରିନିଂ, ସ୍କୋପିଂ, ଜନ ଶୁଣାଣି ଏବଂ ମୂଲ୍ୟାଙ୍କନର ଏକ ବିସ୍ତୃତ ପ୍ରକ୍ରିୟା ପରେ ପରିବେଶ ପ୍ରଭାବ ଆକଳନ (ଇଆଇଏ) ବିଜ୍ଞପ୍ତି, ୨୦୦୬ ଅଧୀନରେ ପ୍ରକଳ୍ପଟି ପ୍ରାକ୍‍ ପରିବେଶ ମଞ୍ଜୁରୀ (EC) ପ୍ରାପ୍ତ କରିଛି।
• ଏହି ପରିବେଶ ମଞ୍ଜୁରୀରେ ବାୟୁ, ଜଳ, ଶବ୍ଦ, ବର୍ଜ୍ୟବସ୍ତୁ ପରିଚାଳନା, ସାମୁଦ୍ରିକ ପରିବେଶ, ମାନବ ସ୍ୱାସ୍ଥ୍ୟ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ୪୨ଟି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ସହିତ ଏକ ମଜବୁତ ପରିବେଶ ପରିଚାଳନା ଯୋଜନା (ଇଏମ୍‍ପି) ଅନ୍ତର୍ଭୁକ୍ତ।
• ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜେଡଏସ୍‍ଆଇ), ସଲିମ ଅଲି ସେଣ୍ଟର ଫର ଅର୍ଣ୍ଣିଥୋଲୋଜି ଆଣ୍ଡ ନାଚୁରାଲ୍ ହିଷ୍ଟ୍ରି (ସାକନ୍‍), ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଡବ୍ଲୁଆଇଆଇ) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଫର ସାଇନ୍ସ (ଆଇଆଇଏସ୍‍ସି) ଭଳି ବିଶେଷଜ୍ଞ ଅନୁଷ୍ଠାନଗୁଡ଼ିକ ଅଧ୍ୟୟନ କରିଛନ୍ତି ଏବଂ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ କହିଛି ଯେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହିତ ପ୍ରକଳ୍ପଟି ଆଗକୁ ବଢ଼ିପାରିବ।
• ପ୍ରଦୂଷଣ, ଜୈବ ବିବିଧତା ଏବଂ ଶୋମ୍ପେନ୍ ଓ ନିକୋବରୀ ସମ୍ପ୍ରଦାୟର କଲ୍ୟାଣ ଉପରେ ନଜର ରଖିବା ପାଇଁ ତିନୋଟି ସ୍ୱାଧୀନ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ସେଗୁଡ଼ିକ ହେଲା:
o ପ୍ରଦୂଷଣ ସମ୍ପର୍କିତ ବିଷୟଗୁଡ଼ିକର ତଦାରଖ ପାଇଁ କମିଟି।
o ଜୈବ ବିବିଧତା ସମ୍ପର୍କିତ ବିଷୟଗୁଡ଼ିକର ତଦାରଖ ପାଇଁ କମିଟି।
o ଶୋମ୍ପେନ୍ ଏବଂ ନିକୋବରୀଙ୍କ କଲ୍ୟାଣ ତଥା ସମସ୍ୟାଗୁଡ଼ିକର ତଦାରଖ ପାଇଁ କମିଟି।
• ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ଇସିସିଆରଜେଡ୍‍ ସର୍ତ୍ତାବଳୀର ସମନ୍ୱିତ କାର୍ଯ୍ୟକାରିତା ନିଶ୍ଚିତ କରିବା ପାଇଁ ଆଣ୍ଡାମାନ ଏବଂ ନିକୋବର ପ୍ରଶାସନର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଓଭରଆର୍ଚିଂ କମିଟି ଗଠନ କରାଯାଇଛି। ଏହା ତଦାରଖ, ଅନୁଧ୍ୟାନ ଏବଂ ଆନ୍ତଃ-ସାଂସ୍ଥାନିକ ସମନ୍ୱୟ ପାଇଁ ଏକ କେନ୍ଦ୍ରୀୟ ବ୍ୟବସ୍ଥା ଭାବରେ କାର୍ଯ୍ୟ କରେ।
ପରିବେଶ ସୁରକ୍ଷା କବଚ ଏବଂ କ୍ଷତିପୂରଣମୂଳକ ବନୀକରଣ ଯୋଜନା
ମଞ୍ଜୁରୀ ପୂର୍ବରୁ, ପ୍ରକଳ୍ପଟି ପରିବେଶ ପରିଚାଳନା ଯୋଜନା ପ୍ରସ୍ତୁତି ସମେତ ବିଭିନ୍ନ ସ୍ତରର ବୈଧାନିକ ଯାଞ୍ଚ ଦେଇ ଗତି କରିଥିଲା। ଇଏମ୍‍ପି ନିର୍ମାଣ ଏବଂ କାର୍ଯ୍ୟକ୍ଷମ ପର୍ଯ୍ୟାୟ ପାଇଁ ପ୍ରଶମନ ପଦକ୍ଷେପଗୁଡ଼ିକୁ ଦର୍ଶାଇଥାଏ।
ପରିବେଶ ପରିଚାଳନା ଯୋଜନା (ଇଏମ୍‍ପି)
ହେଉଛି ଏକ ପ୍ରସ୍ତାବିତ ପ୍ରକଳ୍ପ ଚତୁର୍ପାର୍ଶ୍ୱରେ ସନ୍ତୁଳିତ ବିକାଶ ନିଶ୍ଚିତ କରିବାର ଏକ ଯୋଜନା। ଏଥିରେ ଶିଳ୍ପ, ସରକାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସ୍ଥାନୀୟ ଲୋକ ସାମିଲ ଥାନ୍ତି।
ଏଥିରେ ପରିବେଶଗତ ପ୍ରଭାବ ହ୍ରାସ କରିବା ପାଇଁ ପଦକ୍ଷେପ ଅନ୍ତର୍ଭୁକ୍ତ। ପ୍ରଶମନ କାର୍ଯ୍ୟ ଉତ୍ସ ସ୍ଥଳରେ ଏବଂ ପ୍ରକଳ୍ପ ସ୍ଥଳରେ କରାଯାଏ। କାର୍ଯ୍ୟକ୍ଷମ ସମୟରେ, EMP ଅର୍ଥନୈତିକ ବିକାଶକୁ ସମର୍ଥନ କରିବା ସହିତ କ୍ରମାଗତ ପରିବେଶଗତ ପ୍ରଭାବକୁ ସର୍ବନିମ୍ନ କରିବା ଉପରେ ଧ୍ୟାନ ଦେଇଥାଏ।
ଗ୍ରେଟ୍ ନିକୋବର ପ୍ରକଳ୍ପ ପାଇଁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ମୋଟ ଜଙ୍ଗଲ ଅଞ୍ଚଳର ୧.୮୨% ବ୍ୟବହୃତ ହେବ। ଏହି ଅଞ୍ଚଳରେ ଆନୁମାନିକ ୧୮.୬୫ ଲକ୍ଷ ଗଛ ଅଛି, ଯଦିଓ ୪୯.୮୬ ବର୍ଗ କିଲୋମିଟର ଜଙ୍ଗଲ ମଧ୍ୟରେ ସର୍ବାଧିକ ୭.୧୧ ଲକ୍ଷ ଗଛ କଟାଯିବାର ସମ୍ଭାବନା ଅଛି। ପ୍ରମୁଖ ପ୍ରକଳ୍ପଗୁଡ଼ିକର ପ୍ରସ୍ତାବିତ ପର୍ଯ୍ୟାୟଭିତ୍ତିକ ବିକାଶ ଅନୁଯାୟୀ ଗଛ କଟା କାର୍ଯ୍ୟ ପର୍ଯ୍ୟାୟକ୍ରମେ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରିବେଶ ସନ୍ତୁଳନ ରକ୍ଷା ପାଇଁ ୬୫.୯୯ ବର୍ଗ କିଲୋମିଟର ଜମିକୁ ଗ୍ରୀନ୍ ଜୋନ୍ (ସବୁଜ ବଳୟ) ଭାବେ ସଂରକ୍ଷିତ ରଖାଯିବ ଯେଉଁଠାରେ କୌଣସି ଗଛ କଟାଯିବ ନାହିଁ। ଯେହେତୁ ଦ୍ୱୀପପୁଞ୍ଜରେ ପୂର୍ବରୁ ୭୫% ରୁ ଅଧିକ ଜଙ୍ଗଲ ରହିଛି, ସେଠାରେ ସ୍ଥାନୀୟ ଭାବେ କ୍ଷତିପୂରଣମୂଳକ ବନୀକରଣ କରାଯାଇପାରିବ ନାହିଁ। ଏହାର ବଦଳରେ, ହରିୟାଣାରେ ବନୀକରଣ ପାଇଁ ଯୋଜନା କରାଯାଇଛି, ଯେଉଁଠାରେ ପ୍ରଥମ ପର୍ଯ୍ୟାୟର ୪୮.୬୫ ବର୍ଗ କିଲୋମିଟର ଜଙ୍ଗଲ ପରିବର୍ତ୍ତନ ବଦଳରେ ୯୭.୩୦ ବର୍ଗ କିଲୋମିଟର ଜମି ଚିହ୍ନଟ କରାଯାଇଛି। ଏହା ବ୍ୟତୀତ, ‘ଏକ୍ ପେଡ୍ ମାଆ କେ ନାମ୍’ ଅଭିଯାନ ଅଧୀନରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ୨.୪ ମିଲିୟନ୍ ଗଛ ଲଗାଯାଇଛି।

ଆଦିବାସୀ କଲ୍ୟାଣ ସମାଜ ମଙ୍ଗଳ:
ଗ୍ରେଟ୍ ନିକୋବର ଦ୍ୱୀପରେ ଆଦିମ ମୋଙ୍ଗୋଲଏଡ୍ ଜନଜାତି, ଶୋମ୍ପେନ୍ (ପ୍ରାୟ ୨୩୭ ଜଣ), ଯେଉଁମାନେ ଶିକାରୀ ଓ ସଂଗ୍ରହକାରୀ ଅଟନ୍ତି, ଏବଂ ନିକୋବରୀ (ପ୍ରାୟ ୧,୦୯୪ ଜଣ), ଯେଉଁମାନେ ଉପକୂଳବର୍ତ୍ତୀ ବସତିରେ ରହନ୍ତି ଏବଂ ଜୀବିକା ପାଇଁ ମୁଖ୍ୟତଃ ମାଛ ଧରିବା ଉପରେ ନିର୍ଭର କରନ୍ତି, ସେମାନେ ବସବାସ କରନ୍ତି। ନିକୋବରୀ ଏବଂ ଶୋମ୍ପେନ୍ ଜନଜାତି ଯେପରି ବିସ୍ଥାପିତ ନ ହୁଅନ୍ତି, ତାହା ନିଶ୍ଚିତ କରିବା ପାଇଁ ଗ୍ରେଟ୍ ନିକୋବର ପ୍ରକଳ୍ପକୁ ଅତି ସତର୍କତାର ସହ ପ୍ରସ୍ତୁତ କରାଯାଇଛି। ପ୍ରକଳ୍ପ ଅଞ୍ଚଳ ମଧ୍ୟରେ, କେବଳ ନ୍ୟୁ ଚିଙ୍ଗେନ୍ ଏବଂ ରାଜୀବ ନଗରରେ ଆଦିବାସୀ ବସତି ରହିଛି ଏବଂ ପ୍ରଶାସନ ସ୍ପଷ୍ଟ ଭାବରେ କହିଛି ଯେ ଆଦିବାସୀ ସମ୍ପ୍ରଦାୟର କୌଣସି ସ୍ଥାନାନ୍ତରଣ ପାଇଁ ପ୍ରସ୍ତାବ ନାହିଁ।
ଗ୍ରେଟ୍ ନିକୋବର ପ୍ରକଳ୍ପଟି ୨୦୧୫ର ‘ଶୋମ୍ପେନ୍ ନୀତି’ ଏବଂ ୨୦୦୪ର ‘ଜାରୱା ନୀତି’ ସହିତ ସମ୍ପୂର୍ଣ୍ଣ ଭାବେ ସମାନ୍ତରାଳ, ଏହା ବୃହତ ବିକାଶମୂଳକ ପ୍ରସ୍ତାବଗୁଡ଼ିକ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀର କଲ୍ୟାଣ ଓ ସ୍ୱାର୍ଥକୁ ପ୍ରାଥମିକତା ଦେବେ ଏବଂ ଏକ ବ୍ୟବସ୍ଥିତ ପରାମର୍ଶ ପ୍ରକ୍ରିୟା ଅନୁସରଣ କରିବେ। ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣ ଏବଂ କାର୍ଯ୍ୟକ୍ଷମ ପର୍ଯ୍ୟାୟରେ ଶୋମ୍ପେନ୍ ଏବଂ ନିକୋବରୀମାନଙ୍କୁ ପ୍ରଭାବିତ କରୁଥିବା ବିଷୟଗୁଡ଼ିକର ତଦାରଖ କରିବାକୁ ଏକ ସ୍ୱାଧୀନ ଅନୁଧ୍ୟାନ କମିଟିକୁ ଦାୟିତ୍ୱ ଦିଆଯାଇଛି। ସମ୍ପ୍ରଦାୟଗୁଡ଼ିକର ନିରାପତ୍ତା, ସୁରକ୍ଷା ଏବଂ କଲ୍ୟାଣ ନିଶ୍ଚିତ କରିବା ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ଆଦିବାସୀ କଲ୍ୟାଣ ନିର୍ଦ୍ଦେଶାଳୟ, ଆଣ୍ଡାମାନ ଆଦିମ ଜନଜାତି ବିକାଶ ସମିତି ଏବଂ ଆନ୍ଥ୍ରୋପୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ସମେତ ଆଦିବାସୀ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରାଯାଇଛି।
ଏହି ପ୍ରକଳ୍ପର କାର୍ଯ୍ୟକାରୀ ଢାଞ୍ଚା ସମ୍ବିଧାନର ଅନୁଚ୍ଛେଦ ୩୩୮A (୯) ର ବ୍ୟବସ୍ଥା ଅନୁଯାୟୀ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଅଞ୍ଚଳର ଅନୁସୂଚିତ ଜନଜାତି ଏବଂ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ ସ୍ୱାର୍ଥ ରକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ କେନ୍ଦ୍ରଶାସିତ ଅଞ୍ଚଳ ଏହି ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରିତା ବ୍ୟତୀତ ଏହି ଜନଜାତିମାନଙ୍କୁ ପ୍ରଭାବିତ କରୁଥିବା କୌଣସି ନୂତନ ନୀତିଗତ ପଦକ୍ଷେପ ଗ୍ରହଣ କରିନାହାଁନ୍ତି, ଯାହାଫଳରେ ଯୋଜନା ପ୍ରକ୍ରିୟାରେ ଆଦିବାସୀଙ୍କ ଅଧିକାର ଏବଂ କଲ୍ୟାଣ କେନ୍ଦ୍ରବିନ୍ଦୁ ହୋଇ ରହିଛି।
ବର୍ତ୍ତମାନ, ଗ୍ରେଟ୍ ନିକୋବର ଦ୍ୱୀପର ୭୫୧.୦୭୦ ବର୍ଗ କିଲୋମିଟର ଜମି ସରକାରୀ ଭାବେ ‘ଆଦିବାସୀ ସଂରକ୍ଷିତ ଅଞ୍ଚଳ’ ଭାବେ ଚିହ୍ନିତ। ବିକାଶମୂଳକ ପ୍ରକଳ୍ପ ପାଇଁ ପ୍ରସ୍ତାବିତ ୧୬୬.୧୦ ବର୍ଗ କିଲୋମିଟର ମଧ୍ୟରୁ ୮୪.୧୦ ବର୍ଗ କିଲୋମିଟର ଆଦିବାସୀ ସଂରକ୍ଷିତ ଅଞ୍ଚଳ ମଧ୍ୟରେ ପଡୁଛି। ତଥାପି, ଏହି ଅଂଶ ମଧ୍ୟରୁ ୧୧.୦୩୨ ବର୍ଗ କିଲୋମିଟର ୧୯୭୨ ମସିହାରୁ ରାଜସ୍ୱ ଜମି ଭାବରେ ସ୍ଥିରୀକୃତ ଏବଂ ବ୍ୟବହୃତ ହୋଇସାରିଛି। ଫଳସ୍ୱରୂପ, ବାକି ରହୁଥିବା ୭୩.୦୭ ବର୍ଗ କିଲୋମିଟର ଅଞ୍ଚଳକୁ ପ୍ରକଳ୍ପ ଉଦ୍ଦେଶ୍ୟରେ ଡି-ନୋଟିଫାଏଡ୍ (ବିଜ୍ଞପ୍ତିମୁକ୍ତ) କରାଯାଉଛି। ଏହାର କ୍ଷତିପୂରଣ ସ୍ୱରୂପ, ୭୬.୯୮ ବର୍ଗ କିଲୋମିଟରକୁ ପୁଣିଥରେ ଆଦିବାସୀ ସଂରକ୍ଷିତ ଅଞ୍ଚଳ ଭାବରେ ବିଜ୍ଞପ୍ତିଭୁକ୍ତ କରାଯାଉଛି, ଯାହା ଫଳରେ ଆଦିବାସୀ ସଂରକ୍ଷିତ ଅଞ୍ଚଳରେ ନିଟ୍ ୩.୯୧୨ ବର୍ଗ କିଲୋମିଟର ଜମି ବୃଦ୍ଧି ହେବ। ବିଶେଷ ଭାବରେ, ପ୍ରଥମ ପର୍ଯ୍ୟାୟରେ କେବଳ ୪୦.୦୧ ବର୍ଗ କିଲୋମିଟର ଆଦିବାସୀ ଅଞ୍ଚଳ ପ୍ରକଳ୍ପରେ ଅନ୍ତର୍ଭୁକ୍ତ, ଯେଉଁଥିରୁ ୧୧.୦୩୨ ବର୍ଗ କିଲୋମିଟର ୧୯୭୨ ମସିହାରୁ ପୂର୍ବରୁ ହିଁ ରାଜସ୍ୱ ବ୍ୟବହାର ଅଧୀନରେ ରହିଛି।
ବିପତ୍ତି ଆକଳନ ଏବଂ ବିପର୍ଯ୍ୟୟ ପରିଚାଳନା
ଏହି ଦ୍ୱୀପଟି ଏକ ଭୂକମ୍ପ ପ୍ରବଣ ଏବଂ ବାତ୍ୟା ପ୍ରବଣ ଅଞ୍ଚଳରେ ଅବସ୍ଥିତ। ଏହାର ସମାଧାନ ପାଇଁ ଉଭୟ ପ୍ରାକୃତିକ ବିପର୍ଯ୍ୟୟ (ସୁନାମି, ଭୂକମ୍ପ, ବାତ୍ୟା) ଏବଂ ମାନବକୃତ ବିପତ୍ତି (ଶିଳ୍ପ ବିପଦ, ଦୁର୍ଘଟଣା) କୁ ଅନ୍ତର୍ଭୁକ୍ତ କରି ଏକ ବ୍ୟାପକ ବିପତ୍ତି ଆକଳନ ଅଧ୍ୟୟନ କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ, ଏକ ହାଇବ୍ରିଡ୍ ପାୱାର ପ୍ଲାଣ୍ଟ (ଗ୍ୟାସ୍ ଏବଂ ସୌର) ଉପରେ ନିର୍ଭରଶୀଳତା ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ସହିତ ବିଦ୍ୟୁତ୍ ଯୋଗାଣରେ ବାଧା ବିରୋଧରେ ସ୍ଥିତିସ୍ଥାପକତା ନିଶ୍ଚିତ କରେ।
ଗ୍ରେଟ୍ ନିକୋବର ପ୍ରକଳ୍ପ ସାମଗ୍ରିକ ବିକାଶ ଅର୍ଥନୈତିକ ଅଭିବୃଦ୍ଧି, ପରିବେଶ ସଂରକ୍ଷଣ ଏବଂ ସାମାଜିକ ଅନ୍ତର୍ଭୁକ୍ତୀକରଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଏକ ଉଦାହରଣ ହେବ। ଏହା ଗ୍ରେଟ୍ ନିକୋବରର ରଣନୈତିକ ଅବସ୍ଥିତିକୁ ବ୍ୟବହାର କରି ଭାରତର ଜାତୀୟ ସୁରକ୍ଷା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ତଥା ପ୍ରତିରକ୍ଷା ଉପସ୍ଥିତିକୁ ମଜବୁତ କରେ, ଏବଂ ଏଥି ସହିତ ଦୃଢ଼ ପରିବେଶ ସୁରକ୍ଷା ଓ ଆଦିବାସୀ କଲ୍ୟାଣ ବ୍ୟବସ୍ଥାକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ବନ୍ୟଜନ୍ତୁ ସଂରକ୍ଷଣ, କ୍ଷତିପୂରଣମୂଳକ ବନୀକରଣ, ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ସାମାଜିକ ଅନ୍ତର୍ଭୁକ୍ତୀକରଣ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରି ସରକାର ଦର୍ଶାଇଛନ୍ତି ଯେ ବିକାଶ ପାଇଁ ପରିବେଶକୁ ବଳି ଦେବାର ଆବଶ୍ୟକତା ନାହିଁ।
ଶେଷରେ, ଏହି ପ୍ରକଳ୍ପ ପରିବେଶ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଅଞ୍ଚଳରେ ଭବିଷ୍ୟତର ବୃହତ ଭିତ୍ତିଭୂମି ପଦକ୍ଷେପ ପାଇଁ ଏକ ମଡେଲ ଭାବରେ କାର୍ଯ୍ୟ କରେ, ଯାହା ଦର୍ଶାଏ ଯେ ଅର୍ଥନୀତି ଏବଂ ପରିବେଶ ପରସ୍ପରର ବିରୋଧୀ ନ ହୋଇ, ଜାତୀୟ ତଥା ବିଶ୍ୱ ସ୍ୱାର୍ଥ ରକ୍ଷା ପାଇଁ ପରସ୍ପରକୁ ସୁଦୃଢ଼ କରିପାରିବେ।

greatnicobarproject
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ପଶ୍ଚିମବଙ୍ଗରେ ପୁଣି ମତଦାନ

May 1, 2026

ଓଡ଼ିଶା ଗ୍ରାମୀଣ ବିକାଶରେ ନୂଆ ଅଧ୍ୟାୟ: ପିଏମ୍‌ଜିଏସ୍‌ୱାଇ-୪ରେ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ

May 1, 2026

ଆଜି ରାଜସ୍ଥାନ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ପାଣିପାଗ ରିପୋର୍ଟ, ସମ୍ଭାବ୍ୟ ଏକାଦଶ

May 1, 2026

ଗ୍ରୀଷ୍ମକାଳୀନ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ

May 1, 2026
Latest News

ରଣନୈତିକ ଗୁରୁତ୍ୱ ଓ ସନ୍ତୁଳିତ ବିକାଶର ପ୍ରକୃଷ୍ଟ ଉଦାହରଣ ସାଜୁଛି ‘ଗ୍ରେଟ୍ ନିକୋବର ପ୍ରକଳ୍ପ’

May 1, 2026

ସୁଧୀର ହତ୍ୟା ମାମଲା : ଆଉ ଦୁଇ ଦିନ ରିମାଣ୍ଡ ଅନୁମତି

May 1, 2026

ସାପୁଆ ଡ୍ୟାମରେ ଅଘଟଣ

May 1, 2026

ଶ୍ରମିକଙ୍କୁ ଭେଟି ଦେଲେ ମୋହନ ସରକାର: ବଢିଲା ଶ୍ରମିକଙ୍କ ମଜୁରୀ

May 1, 2026

୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଲାଗି ଶ୍ରୀ ଆଶୁତୋଷ ଗୋଓ୍ବାରିକର ମହୋତ୍ସବ ନିର୍ଦ୍ଦେଶକ ନିଯୁକ୍ତ

May 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.