ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୁରୈନାରେ ଏକ ଟ୍ରେନ୍ ଦୁର୍ଘଟଣା ଆତଙ୍କ ସୃଷ୍ଟି କରିଛି। ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନେ ଅଗ୍ନିକାଣ୍ଡ ଖବର ଶୁଣି ଟ୍ରେନ୍ ରୁ ଡେଇଁ ପଡ଼ିଥିଲେ, ଯାହା ଫଳରେ ବିପରୀତ ଟ୍ରାକରେ ଆସୁଥିବା ପାତାଳକୋଟ ଟ୍ରେନ୍ ରେ ଅନେକ ଯାତ୍ରୀ ଧକ୍କା ହୋଇଥିଲେ। ଯେଉଁଥିରେ ପ୍ରାୟ ୬ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାଟି ମୁରୈନାର ହେତମପୁର ଷ୍ଟେସନରେ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଚାଲିଛି।
ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୪ଟାରେ ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ୍ ମୁରୈନାରୁ ଧୋଲପୁର ଅଭିମୁଖେ ଯାତ୍ରା କରିଥିଲା। ହେତମପୁର ଷ୍ଟେସନରେ ଟ୍ରେନ୍ ରେ ନିଆଁ ଲାଗିଯାଇଥିବାର ଗୁଜବ ବ୍ୟାପିଗଲା। ଯାତ୍ରୀମାନେ ଚଳନ୍ତା ଟ୍ରେନ୍ ରୁ ଡେଇଁ ପଡ଼ି ଅନ୍ୟ ଏକ ଟ୍ରେନ୍ ରେ ପିଟି ହୋଇଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏପର୍ଯ୍ୟନ୍ତ ତିନି ଜଣ ମହିଳା ଏବଂ ଜଣେ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି।


