ଭୁବନେଶ୍ୱର: ସ୍ଲୋଭାକ୍ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ନିମନ୍ତ୍ରଣ କ୍ରମେ, ଭାରତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଜୁନ୍ ୨୦୨୬ରେ ସ୍ଲୋଭାକ୍ ଗଣତନ୍ତ୍ରକୁ ଏକ ସରକାରୀ ପରିଦର୍ଶନ କରିଛନ୍ତି।
୧୯୯୩ ମସିହାରେ ସ୍ଲୋଭାକିଆର ସ୍ୱାଧୀନତା ପରଠାରୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ସ୍ଲୋଭାକିଆ ଗସ୍ତ, ଯାହା ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି ଏବଂ ଦୁଇ ଦେଶ ମଧ୍ୟରେ ଥିବା ସ୍ଥାୟୀ ଦୃଢ଼ ବନ୍ଧୁତ୍ୱକୁ ଏକ ନୂଆ ଦିଗ ଦେଇଛି। ୧୯୯୩ରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା ହେବା ପରଠାରୁ, ଭାରତ ଏବଂ ସ୍ଲୋଭାକିଆ ବିଶ୍ୱାସ, ସମାନତା ଏବଂ ପାରସ୍ପରିକ ସମ୍ମାନ ଉପରେ ଆଧାରିତ ଏକ ପାରମ୍ପରିକ ବନ୍ଧୁତ୍ୱ ଏବଂ ବହୁମୁଖୀ ସହଯୋଗର ବିକାଶ କରିଛନ୍ତି।
ଏହି ଗସ୍ତର ଐତିହାସିକ ଗୁରୁତ୍ୱ ଏବଂ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ସେମାନଙ୍କର ସମ୍ମିଳିତ ପ୍ରତିବଦ୍ଧତାକୁ ଆଧାର କରି, ଭାରତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଏବଂ ସ୍ଲୋଭାକ୍ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଏହି ସମ୍ପର୍କକୁ ଉଭୟ ଦେଶ ମଧ୍ୟରେ ଏକ ‘ବ୍ୟାପକ ସହଭାଗିତା’କୁ ଉନ୍ନୀତ କରିବାକୁ ସହମତ ହୋଇଛନ୍ତି। ଏହି ବ୍ୟାପକ ସହଭାଗିତାର ଲକ୍ଷ୍ୟ ହେଉଛି ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ସ୍ତରକୁ ନେବା, ବିଦ୍ୟମାନ ସହଯୋଗ ବ୍ୟବସ୍ଥାକୁ ସଦୃଢ଼ କରିବା ଏବଂ ଉଭୟ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ସ୍ତରରେ ସହଯୋଗକୁ ଗଭୀର କରିବା ପାଇଁ ନୂତନ ପନ୍ଥା ଖୋଜିବା।
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବଢ଼ୁଥିବା ଭୂ-ରାଜନୈତିକ, ଅର୍ଥନୈତିକ ଏବଂ ବୈଷୟିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଭୟ ନେତା ପାରସ୍ପରିକ ଲାଭଦାୟକ ସହଯୋଗ, ଆଞ୍ଚଳିକ ସଂଯୋଗୀକରଣ, ମୁକ୍ତ ଆନ୍ତର୍ଜାତିକ ବାଣିଜ୍ୟ, ନୌଚାଳନାର ସ୍ୱାଧୀନତା, ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଏକ ନିୟମ-ଆଧାରିତ ଆନ୍ତର୍ଜାତିକ ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ଭାରତ ଓ ସ୍ଲୋଭାକିଆ ମଧ୍ୟରେ ଏକ ଦୃଢ଼ ସହଭାଗିତାର ଗୁରୁତ୍ୱକୁ ସ୍ୱୀକାର କରିଛନ୍ତି।
ଉଭୟ ନେତା ନିୟମିତ ଉଚ୍ଚସ୍ତରୀୟ ଆଦାନପ୍ରଦାନ ଏବଂ ନିରନ୍ତର ରାଜନୈତିକ ଆଲୋଚନାର ଗୁରୁତ୍ୱ ଉପରେ ଜୋର୍ ଦେଇଛନ୍ତି ଏବଂ ସମସ୍ତ ସ୍ତରରେ ପ୍ରତିନିଧି ଦଳର ଆଦାନପ୍ରଦାନକୁ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ଅଧିକ ପାରସ୍ପରିକ ବୁଝାମଣା ବୃଦ୍ଧି ଏବଂ ସଂସଦୀୟ ଅଭିଜ୍ଞତା ଓ ସର୍ବୋତ୍ତମ ପ୍ରଥାଗୁଡ଼ିକର ଆଦାନପ୍ରଦାନ ଉଦ୍ଦେଶ୍ୟରେ ସଂସଦୀୟ ପ୍ରତିନିଧି ଦଳର ଗସ୍ତ, ଯୋଗାଯୋଗ ଏବଂ ସହଯୋଗକୁ ବୃଦ୍ଧି କରିବାକୁ ମଧ୍ୟ ଉଭୟ ପକ୍ଷ ସହମତ ହୋଇଛନ୍ତି।
ଉଭୟ ନେତା ଜାତିସଂଘକୁ କେନ୍ଦ୍ରରେ ରଖି ବହୁପାକ୍ଷିକବାଦ ଏବଂ ଏକ ନିୟମ-ଆଧାରିତ ଆନ୍ତର୍ଜାତିକ ବ୍ୟବସ୍ଥା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏଥିସହିତ ଜାତିସଂଘ, ବିଶେଷ କରି ଜାତିସଂଘ ସୁରକ୍ଷା ପରିଷଦ ସମେତ ବହୁପାକ୍ଷିକ ସଂସ୍ଥାଗୁଡ଼ିକର ବ୍ୟାପକ ସଂସ୍କାରକୁ ସମର୍ଥନ କରିଛନ୍ତି, ଯାହାଫଳରେ ସେଗୁଡ଼ିକୁ ଅଧିକ ପ୍ରତିନିଧିତ୍ୱମୂଳକ, ସମାବେଶୀ, ପ୍ରଭାବଶାଳୀ ଏବଂ ସମସାମୟିକ ଭୂ-ରାଜନୈତିକ ବାସ୍ତବତାର ପ୍ରତିଫଳନ ରୂପେ କାର୍ଯ୍ୟକାରୀ କରାଯାଇପାରିବ। ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ଏବଂ ଅସ୍ଥାୟୀ ଉଭୟ ଶ୍ରେଣୀର ସମ୍ପ୍ରସାରଣର ଜରୁରୀ ଆବଶ୍ୟକତା ଉପରେ ଦୁଇ ନେତା ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ, ଏକ ସଂସ୍କାରିତ ଏବଂ ସମ୍ପ୍ରସାରିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ସ୍ଲୋଭାକିଆର ନିରନ୍ତର ସମର୍ଥନକୁ ଭାରତ ପ୍ରଶଂସା କରିଛି। ଆନ୍ତର୍ଜାତିକ ସଂଗଠନଗୁଡ଼ିକରେ ନିଜ ନିଜର ପ୍ରାର୍ଥିତ୍ୱ ଉପରେ ପାରସ୍ପରିକ ଆଲୋଚନା ଓ ସମନ୍ୱୟ ଜାରି ରଖିବାକୁ ଏବଂ ଜାତିସଂଘ ସମେତ ବିଶ୍ୱସ୍ତରୀୟ ମଞ୍ଚଗୁଡ଼ିକରେ ମତାମତ ଆଦାନପ୍ରଦାନ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ନେତା ସହମତ ହୋଇଛନ୍ତି। ଉଭୟ ନେତା ବୈଶ୍ୱିକ ଆଣବିକ ଅଣ-ପ୍ରସାର (ନନ୍-ପ୍ରୋଲିଫରେସନ୍) ବ୍ୟବସ୍ଥାକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ମଧ୍ୟ ଆଲୋଚନା କରିଛନ୍ତି। ଆଣବିକ ଯୋଗାଣକାରୀ ଗୋଷ୍ଠୀରେ ଭାରତର ସଦସ୍ୟତା ପ୍ରତି ସ୍ଲୋଭାକିଆ ଏହାର ସକାରାତ୍ମକ ଆଭିମୁଖ୍ୟକୁ ଦୋହରାଇଛି।
ଦୁଇ ଦେଶର ନେତା ସ୍ଲାଭକୋଭ୍ ୩, ଭିସେଗ୍ରାଡ୍ ୪ ଏବଂ ଥ୍ରୀ ସିଜ୍ ଇନିସିଏଟିଭ୍ ଭଳି ଆଞ୍ଚଳିକ ଗୋଷ୍ଠୀଗୁଡ଼ିକ ସହିତ ସହଯୋଗ ପାଇଁ ସହମତ ହୋଇଛନ୍ତି, ଯେଉଁଥିରେ ପରସ୍ପର ସହ ଜଡ଼ିତ ଏବଂ ପାରସ୍ପରିକ ଲାଭଦାୟକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ, ଯାହା ସଂଯୋଗୀକରଣ, ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଆଞ୍ଚଳିକ ସମନ୍ୱୟକୁ ପ୍ରୋତ୍ସାହିତ କରିବ। ଏହା ବ୍ୟତୀତ, ଜାତିସଂଘର ସାମୁଦ୍ରିକ ଆଇନ ସମାବେଶ ସମେତ ଆନ୍ତର୍ଜାତିକ ଆଇନ, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ ଆଧାରରେ ଏକ ମୁକ୍ତ, ଉନ୍ମୁକ୍ତ, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ପ୍ରତି ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି।
ଦ୍ୱିପାକ୍ଷିକ ସହଭାଗିତାର ଅନ୍ୟତମ ମୁଖ୍ୟ ସ୍ତମ୍ଭ ଭାବରେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ସଦୃଢ଼ କରିବାର ଗୁରୁତ୍ୱ ଉପରେ ଦୁଇ ନେତା ଜୋର୍ ଦେଇଛନ୍ତି। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବୃଦ୍ଧି, ଗବେଷଣା ଓ ବିକାଶ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ ସମେତ ଅଧିକ ସହଭାଗିତାର ସୁଯୋଗ ଖୋଜିବା ପାଇଁ ସେମାନେ ନିଜ ନିଜର ପ୍ରତିରକ୍ଷା କର୍ତ୍ତୃପକ୍ଷଙ୍କ ମଧ୍ୟରେ ନିୟମିତ ଆଲୋଚନା ଏବଂ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବାକୁ ସହମତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ, ଦୁଇ ପକ୍ଷ ମଧ୍ୟରେ ପ୍ରତିରକ୍ଷା ସହଯୋଗ ସମ୍ପର୍କିତ ‘ଲେଟର ଅଫ୍ ଇଣ୍ଟେଣ୍ଟ’ (ଇଚ୍ଛାପତ୍ର) ସ୍ୱାକ୍ଷରିତ ହୋଇଥିବାରୁ ଉଭୟ ନେତା ଏହାକୁ ସ୍ୱାଗତ କରିଛନ୍ତି, ଯାହା ପ୍ରତିରକ୍ଷା କ୍ଷେତ୍ରରେ ପାରସ୍ପରିକ ଲାଭଦାୟକ ସହଭାଗିତାକୁ ପ୍ରୋତ୍ସାହିତ କରିବ।
ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ସହନଶୀଳତା ବୃଦ୍ଧି କ୍ଷେତ୍ରରେ ସହଯୋଗକୁ ସଦୃଢ଼ କରିବାର ବଢ଼ୁଥିବା ଗୁରୁତ୍ୱକୁ ନେତାମାନେ ସ୍ୱୀକାର କରିଛନ୍ତି ଏବଂ ସହନଶୀଳ ଭିତ୍ତିଭୂମି, ଦକ୍ଷତା ବୃଦ୍ଧି, ଜ୍ଞାନର ଆଦାନପ୍ରଦାନ ଓ ସାଂସ୍ଥାନିକ ସହଯୋଗ କ୍ଷେତ୍ରରେ ସହଭାଗିତା ବୃଦ୍ଧି କରିବାକୁ ସହମତ ହୋଇଛନ୍ତି।
ଏକ ମୁକ୍ତ, ସୁରକ୍ଷିତ, ସହଜଲବ୍ଧ, ସ୍ଥିର, ପରସ୍ପର ସହ ଚାଲିପାରୁଥିବା (ଇଣ୍ଟରଅପରେବଲ୍), ସହନଶୀଳ ଏବଂ ଶାନ୍ତିପୂର୍ଣ୍ଣ ଡିଜିଟାଲ୍ ସ୍ପେସ୍କୁ ପ୍ରୋତ୍ସାହିତ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଭିତ୍ତିଭୂମିର ସୁରକ୍ଷା ଏବଂ ସାଇବର ଅପରାଧର ପ୍ରତିରୋଧ ଓ ମୁକାବିଲା କ୍ଷେତ୍ରରେ ସହଯୋଗକୁ ସଦୃଢ଼ କରିବାକୁ ଦୁଇ ନେତା ସହମତ ହୋଇଛନ୍ତି। କ୍ରିପ୍ଟୋଗ୍ରାଫି ପ୍ରତି ଆସୁଥିବା ନୂତନ କ୍ୱାଣ୍ଟମ୍ ବିପଦ ବିରୋଧରେ ସୂଚନା ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ (ପୋଷ୍ଟ-କ୍ୱାଣ୍ଟମ୍ ସୁରକ୍ଷା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ମାଧ୍ୟମରେ) ପରସ୍ପରକୁ ସହଯୋଗ କରିବା ପାଇଁ ମଧ୍ୟ ନେତାମାନେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ସେମାନେ ଉଲ୍ଲେଖ କରିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୁରକ୍ଷା ଏବଂ ପୋଷ୍ଟ-କ୍ୱାଣ୍ଟମ୍ କ୍ରିପ୍ଟୋଗ୍ରାଫି କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଥିବା ‘ମେମୋରାଣ୍ଡମ୍ ଅଫ୍ କୋଅପରେସନ୍’ (ସହଯୋଗ ସ୍ମାରକପତ୍ର) ଦ୍ୱାରା ଏଭଳି ସହଯୋଗ ଆହୁରି ସହଜ ହେବ।
ଦୁଇ ନେତା ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାରର ଆତଙ୍କବାଦକୁ କଠୋର ଭାବେ ନିନ୍ଦା କରିଛନ୍ତି ଏବଂ ୨୨ ଏପ୍ରିଲ ୨୦୨୫ରେ ଜାମ୍ମୁ ଓ କାଶ୍ମୀରର ପହଲଗାମଠାରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସେମାନେ ଆତଙ୍କବାଦ ମୁକାବିଲା ପାଇଁ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ (ଜଏଣ୍ଟ ୱର୍କିଙ୍ଗ୍ ଗ୍ରୁପ୍) ଗଠନ କରିବାକୁ ସହମତ ହୋଇଛନ୍ତି। ଆତଙ୍କବାଦ ବିରୋଧରେ ବ୍ୟାପକ ଏବଂ ନିରନ୍ତର ଭାବେ ଲଢ଼େଇ କରିବା ପାଇଁ ସେମାନେ ମିଳିତ ଆନ୍ତର୍ଜାତିକ ପ୍ରଚେଷ୍ଟା ପାଇଁ ଆହ୍ୱାନ ଦେଇଛନ୍ତି। ଜାତିସଂଘର ଚଉକାଠ ମଧ୍ୟରେ ଆତଙ୍କବାଦ ମୁକାବିଲାରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗକୁ ସଦୃଢ଼ କରିବା ପାଇଁ ନେତାମାନେ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏବଂ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ସାଙ୍କସନ୍ସ କମିଟି ଦ୍ୱାରା ଚିହ୍ନଟ ହୋଇଥିବା ଆତଙ୍କବାଦୀ ଓ ଆତଙ୍କବାଦୀ ସଂଗଠନ ସମେତ ସେମାନଙ୍କର ସହଯୋଗୀ, ପ୍ରତିନିଧି (ପ୍ରକ୍ସି), ପ୍ରୋତ୍ସାହନକାରୀ, ଆର୍ଥିକ ସହାୟତାକାରୀ ଏବଂ ସମର୍ଥକମାନଙ୍କ ବିରୋଧରେ ଦୃଢ଼ ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ସେମାନେ ଆତଙ୍କବାଦୀ କାର୍ଯ୍ୟର ଅପରାଧୀ, ଆୟୋଜକ ଏବଂ ପ୍ରୋତ୍ସାହନକାରୀମାନଙ୍କୁ ଦାୟୀ କରିବାର ଗୁରୁତ୍ୱ ଉପରେ ଜୋର୍ ଦେଇଛନ୍ତି ଏବଂ ଜାତିସଂଘର ଚୌକାଠ ମଧ୍ୟରେ ‘ଆନ୍ତର୍ଜାତୀୟ ଆତଙ୍କବାଦ ଉପରେ ବ୍ୟାପକ ସମାବେଶ’ର ଶୀଘ୍ର ଚୂଡ଼ାନ୍ତ ରୂପାୟନ ଓ ଗ୍ରହଣ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି।
ଜାନୁଆରୀ ୨୦୨୬ରେ ଭାରତ-ଇୟୁ ମୁକ୍ତ ବ୍ୟାପାର ଚୁକ୍ତି (ଏଫଟିଏ) ଉପରେ ଆଲୋଚନାର ସଫଳ ସମାପ୍ତି ଏବଂ ନୂତନ ଯୁଗ୍ମ ଭାରତ-ଇୟୁ ବ୍ୟାପକ ରଣନୈତିକ ଏଜେଣ୍ଡାକୁ ସ୍ୱାଗତ କରି, ଦୁଇ ନେତା ଉଲ୍ଲେଖ କରିଛନ୍ତି ଯେ ଏହି ଚୁକ୍ତି ବାଣିଜ୍ୟ ଏବଂ ପୁଞ୍ଜିନିବେଶ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ଏଥିସହିତ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ-ଶୃଙ୍ଖଳା (ଭାଲ୍ୟୁ ଚେନ୍) ର ବିବିଧକରଣ ଏବଂ ନୂତନ ବଜାର ଉନ୍ମୁକ୍ତ କରି ବାଣିଜ୍ୟ ଓ ପୁଞ୍ଜିନିବେଶ ସହଯୋଗର ସମ୍ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବା ପାଇଁ ଏହାର ଶୀଘ୍ର ସ୍ୱାକ୍ଷର ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ଆହ୍ୱାନ ଦେଇଛନ୍ତି।
ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗର ଉଚ୍ଚ-ସମ୍ଭାବନା ଥିବା କ୍ଷେତ୍ରଗୁଡ଼ିକୁ ଚିହ୍ନଟ ଏବଂ ପ୍ରୋତ୍ସାହିତ କରିବାରେ ଭାରତ-ସ୍ଲୋଭାକିଆ ଯୁଗ୍ମ ଅର୍ଥନୈତିକ କମିଟିର ଭୂମିକାକୁ ଆହୁରି ସଦୃଢ଼ କରିବାକୁ ନେତାମାନେ ସହମତ ହୋଇଛନ୍ତି। ସେମାନେ ସ୍ଲୋଭାକିଆର ସୁବିକଶିତ ଶିଳ୍ପ ପରିବେଶ ଏବଂ ଭାରତର ବ୍ୟାପକତା, ନବସୃଜନ ପରିବେଶ ଓ ବୈଷୟିକ ସାମର୍ଥ୍ୟର ସଦୁପଯୋଗ କରି ଅଟୋମୋଟିଭ୍, ଇଲେକ୍ଟ୍ରୋନିକ୍ସ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଉତ୍ପାଦନ ଶିଳ୍ପ ଭଳି କ୍ଷେତ୍ରଗୁଡ଼ିକରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ଦ୍ୱିମୁଖୀ ପୁଞ୍ଜିନିବେଶକୁ ଯଥେଷ୍ଟ ବୃଦ୍ଧି କରିବା ପାଇଁ ପନ୍ଥା ଖୋଜିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି, ଯେଉଁଥିରେ ବିଶେଷ ଭାବେ ଉଚ୍ଚ ମୂଲ୍ୟ-ଯୁକ୍ତ ସହଯୋଗକୁ ଧ୍ୟାନ ଦିଆଯିବ।
ଶୂନ୍ୟ ନିର୍ଗମନ (ନେଟ ଜିରୋ ଏମିସନ୍) ହାସଲ କରିବା ପାଇଁ ଦ୍ୱିପାକ୍ଷିକ ସହଯୋଗକୁ ସଦୃଢ଼ କରିବାକୁ ଦୁଇ ପକ୍ଷ ସହମତ ହୋଇଛନ୍ତି, ଯେଉଁଥିରେ ସବୁଜ ଶକ୍ତି ରୂପାନ୍ତରଣ (ଗ୍ରୀନ୍ ଏନର୍ଜି ଟ୍ରାଞ୍ଜିସନ) ପାଇଁ ପ୍ରଯୁକ୍ତିବିଦ୍ୟାର ଆଦାନପ୍ରଦାନ ଏବଂ ସ୍ୱଚ୍ଛ, ନିର୍ଭରଯୋଗ୍ୟ ଓ ସହନଶୀଳ ଶକ୍ତି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯିବ।
ଆଣବିକ ଶକ୍ତି ଏବଂ ଭୂ-ତାପଜ ଶକ୍ତି (ଜିଓଥର୍ମାଲ୍ ପାୱାର) ସମେତ ଶକ୍ତି ଉତ୍ସଗୁଡ଼ିକର ବିବିଧକରଣ ମାଧ୍ୟମରେ ଶକ୍ତି ସୁରକ୍ଷା, ସ୍ଥାୟୀତ୍ୱ ଏବଂ ସହନଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସହଯୋଗ ବୃଦ୍ଧି କରିବାକୁ ଦୁଇନେତା ସହମତ ହୋଇଛନ୍ତି। ପାରସ୍ପରିକ ସ୍ୱାର୍ଥର କ୍ଷେତ୍ରଗୁଡ଼ିକରେ ମିଳିତ ଗବେଷଣା, ଜ୍ଞାନର ଆଦାନପ୍ରଦାନ ଏବଂ ଦକ୍ଷତା ବୃଦ୍ଧିର ପ୍ରୟାସ ମାଧ୍ୟମରେ ସହଯୋଗକୁ ଗଭୀର କରିବା ପାଇଁ ସେମାନେ ନିଜର ଆଭିମୁଖ୍ୟ ପ୍ରକାଶ କରିଛନ୍ତି।
ଜଳ ସମ୍ବଳର ଦକ୍ଷ ଓ ସ୍ଥାୟୀ ପରିଚାଳନା ଏବଂ ଡ୍ୟାମ୍ ସୁରକ୍ଷା କ୍ଷେତ୍ରରେ ଜ୍ଞାନ ଓ ସର୍ବୋତ୍ତମ ପ୍ରଥାଗୁଡ଼ିକର ଆଦାନପ୍ରଦାନ ସହିତ ପାଣିପାଗ ବିଜ୍ଞାନ ଏବଂ ଜଳ ବିଜ୍ଞାନ କ୍ଷେତ୍ରରେ ସହଯୋଗକୁ ସଦୃଢ଼ କରିବାକୁ ନେତାମାନେ ସହମତ ହୋଇଛନ୍ତି। ସେମାନେ ଉତ୍ସର ସ୍ଥାୟୀତ୍ୱ, ଗ୍ରାମୀଣ ପାନୀୟ ଜଳର ଗୁଣବତ୍ତା ଅନୁଧ୍ୟାନ, ଜଳ ବିଶୋଧନ ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବୃଦ୍ଧି ଏବଂ ବିଭିନ୍ନ ସମ୍ପ୍ରଦାୟର ଅଂଶଗ୍ରହଣ ଭଳି କ୍ଷେତ୍ରରେ ସହଭାଗିତାକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ଆଭିମୁଖ୍ୟ ପ୍ରକାଶ କରିଛନ୍ତି, ଏବଂ ଜଳ ସୁରକ୍ଷା ବୃଦ୍ଧି ତଥା ସୁରକ୍ଷିତ ପାନୀୟ ଜଳର ସ୍ଥାୟୀ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଜଳବାୟୁ-ସହନଶୀଳ ଗ୍ରାମୀଣ ପାନୀୟ ଜଳ ଭିତ୍ତିଭୂମି ବିକାଶର ଗୁରୁତ୍ୱ ଉପରେ ଜୋର୍ ଦେଇଛନ୍ତି।
ସଂଯୋଗୀକରଣକୁ ସହଭାଗିତାର ଏକ ରଣନୈତିକ ସ୍ତମ୍ଭ ଭାବେ ସ୍ୱୀକାର କରି, ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅଟୋମୋଟିଭ୍ ଏବଂ ରେଳ କ୍ଷେତ୍ରରେ ମିଳିତ ଉଦ୍ୟୋଗ, ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ନବସୃଜନ ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବାକୁ ଦୁଇ ପକ୍ଷ ଗୁରୁତ୍ୱ ଦେଇଛନ୍ତି। ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ସଂଯୋଗୀକରଣକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ୟୁରୋପୀୟ ପରିବହନ କେନ୍ଦ୍ର ଭାବରେ ସ୍ଲୋଭାକିଆର ସ୍ଥିତି ଏବଂ ଭାରତର ବୃହତ ସ୍ତରର ଉତ୍ପାଦନ ସାମର୍ଥ୍ୟର ସମ୍ଭାବନାକୁ ମଧ୍ୟ ସେମାନେ ଉଲ୍ଲେଖ କରିଛନ୍ତି। ବଢ଼ୁଥିବା ଅର୍ଥନୈତିକ, ବ୍ୟବସାୟିକ ଏବଂ ଜନସାଧାରଣଙ୍କ ମଧ୍ୟରେ ଆଦାନପ୍ରଦାନକୁ ସହଜ କରିବା ପାଇଁ ସେମାନେ ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ସିଧାସଳଖ ବିମାନ ସଂଯୋଗର ସମ୍ଭାବନା ଖୋଜିବାକୁ ପ୍ରୋତ୍ସାହିତ କରିଛନ୍ତି।
ଦିଲ୍ଲୀର ‘ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ର ସଫଳ ଫଳାଫଳକୁ ଦୁଇ ନେତା ପ୍ରଶଂସା କରିଛନ୍ତି। ଏହି ସମ୍ମିଳନୀରେ ସ୍ଲୋଭାକ୍ ଗଣତନ୍ତ୍ରର ରାଷ୍ଟ୍ରପତି ମହାମହୀମ ଶ୍ରୀ ପିଟର ପେଲେଗ୍ରିନିଙ୍କ ଯୋଗ ଦେଇଥିଲେ। ଡିଜିଟାଲ୍ କ୍ଷେତ୍ରରେ ସହଯୋଗକୁ ଗଭୀର କରିବା ପାଇଁ ଏକ ବ୍ୟବସ୍ଥିତ ଢାଞ୍ଚା ପ୍ରଦାନ କରୁଥିବା ‘ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ସହମତି ସ୍ମାରକପତ୍ର’ ସ୍ୱାକ୍ଷରିତ ହୋଇଥିବାରୁ ଦୁଇ ପକ୍ଷ ଏହାକୁ ସ୍ୱାଗତ କରିଛନ୍ତି। ନବସୃଜନ-ଆଧାରିତ ଅଭିବୃଦ୍ଧି ଏବଂ ପାରସ୍ପରିକ ଲାଭଦାୟକ ସହଭାଗିତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ସେମିକଣ୍ଡକ୍ଟର, ଷ୍ଟାର୍ଟ-ଅପ୍ସ, ନବସୃଜନ ପରିବେଶ, ଗବେଷଣା ପ୍ରତିଷ୍ଠାନ ଏବଂ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଭଳି ନୂତନ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ସଦୃଢ଼ କରିବାକୁ ସେମାନେ ସହମତ ହୋଇଛନ୍ତି। ଦୁଇ ପକ୍ଷ ୫ଜି ବ୍ୟବହାର, ୬ଜି ମାନକକରଣ, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ (ଆଇଓଟି) ଏବଂ ମେସିନ୍-ଟୁ-ମେସିନ୍ ଆପ୍ଲିକେସନ୍ ସମେତ ନୂତନ ଏବଂ ବିକାଶଶୀଳ ପ୍ରଯୁକ୍ତିବିଦ୍ୟାଗୁଡ଼ିକରେ ସହଯୋଗ କରିବାକୁ ମଧ୍ୟ ସହମତ ହୋଇଛନ୍ତି।
ଦୁଇ ନେତା ନିଜ ନିଜର ମହାକାଶ ପରିବେଶ ମଧ୍ୟରେ ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା ଏବଂ ଏହାର ପ୍ରୟୋଗ କ୍ଷେତ୍ରରେ ସହଯୋଗ ସଦୃଢ଼ କରିବାର ସୁଯୋଗ ଖୋଜିବାକୁ ସହମତ ହୋଇଛନ୍ତି। ନବସୃଜନ ଏବଂ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତିର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ବୈଜ୍ଞାନିକ ଓ ଗବେଷଣା ପ୍ରତିଷ୍ଠାନ ସହିତ ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ଆଦାନପ୍ରଦାନକୁ ବୃଦ୍ଧି କରିବାକୁ ସେମାନେ ଗୁରୁତ୍ୱ ଦେଇଛନ୍ତି।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟମିତ ଆଲୋଚନା ବଜାୟ ରଖିବା ଏବଂ ସହଯୋଗକୁ ଗଭୀର କରିବାର ଆବଶ୍ୟକତା ଉପରେ ନେତାମାନେ ଆଲୋକପାତ କରିଛନ୍ତି, ଯେଉଁଥିରେ ବିଶେଷ କରି ଫାର୍ମାସ୍ୟୁଟିକାଲ୍ ଗବେଷଣା ଓ ବିକାଶ, ଡିଜିଟାଲ୍ ସ୍ୱାସ୍ଥ୍ୟ ସମାଧାନ ଏବଂ ସ୍ୱାସ୍ଥ୍ୟ ପାଇଁ ମାନବ ସମ୍ବଳର ସଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯିବ। ଦୁଇ ପକ୍ଷ ନିଜ ନିଜର ଜାତୀୟ ପ୍ରାଥମିକତା ଅନୁଯାୟୀ, ଜନସ୍ୱାସ୍ଥ୍ୟ ପରିଚାଳନାରେ ସର୍ବୋତ୍ତମ ପ୍ରଥାଗୁଡ଼ିକର ଆଦାନପ୍ରଦାନ କରିବା ଏବଂ ଅଧିକ ସହନଶୀଳ, ଦକ୍ଷ ଓ ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଠନ ପାଇଁ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାର ସଦୁପଯୋଗ କରିବାର ଗୁରୁତ୍ୱ ଉପରେ ମଧ୍ୟ ଜୋର୍ ଦେଇଛନ୍ତି।
ଅଧିକ ଗଭୀର ଶିକ୍ଷାଗତ ଏବଂ ବୈଜ୍ଞାନିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ, ଦୁଇ ନେତା ଛାତ୍ର, ଶିକ୍ଷାବିତ୍ ଏବଂ ଗବେଷକମାନଙ୍କର ଯାତାୟାତକୁ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ସେମାନେ ଦୁଇ ଦେଶର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଥିବା ବିଦ୍ୟମାନ ବ୍ୟବସ୍ଥା ଏବଂ ସହଯୋଗକୁ ସମୀକ୍ଷା କରିଛନ୍ତି ଏବଂ ଏହାର ଆହୁରି ସମ୍ପ୍ରସାରଣ ଓ ବିବିଧକରଣକୁ ପ୍ରୋତ୍ସାହିତ କରିଛନ୍ତି। ଉଭୟ ପକ୍ଷ ନିଜ ନିଜର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଉଚ୍ଚଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଏକ ‘ସହମତି ସ୍ମାରକପତ୍ର’ ସ୍ୱାକ୍ଷରିତ ହୋଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି, ଯାହା ଶିକ୍ଷାଗତ ସଂଯୋଗକୁ ସଦୃଢ଼ କରିବା ଏବଂ ଦୀର୍ଘକାଳୀନ ସାଂସ୍ଥାନିକ ସହଭାଗିତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବ୍ୟବସ୍ଥିତ ଢାଞ୍ଚା ପ୍ରଦାନ କରିବ।
ଭାରତ ଏବଂ ସ୍ଲୋଭାକିଆର ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣାକୁ ଗଭୀର କରିବା ଏବଂ ବନ୍ଧୁତ୍ୱର ସମ୍ପର୍କକୁ ଆହୁରି ସଦୃଢ଼ କରିବା ଉଦ୍ଦେଶ୍ୟରେ ସାଂସ୍କୃତିକ ଆଦାନପ୍ରଦାନ, ପର୍ଯ୍ୟଟନ ଏବଂ ଜନସାଧାରଣଙ୍କ ମଧ୍ୟରେ ଯୋଗାଯୋଗକୁ ଅଧିକ ପ୍ରୋତ୍ସାହିତ କରିବାକୁ ନେତାମାନେ ସହମତ ହୋଇଛନ୍ତି। କଳାକାର ଓ ସାଂସ୍କୃତିକ ଦଳଗୁଡ଼ିକର ନିୟମିତ ଆଦାନପ୍ରଦାନ, ପ୍ରଦର୍ଶନୀର ଆୟୋଜନ ଓ ବିଭିନ୍ନ ମହୋତ୍ସବରେ ଅଂଶଗ୍ରହଣ ମାଧ୍ୟମରେ ସାଂସ୍କୃତିକ ସହଯୋଗର ସମ୍ପ୍ରସାରଣ କରିବା ସହିତ ଉଭୟ ଦେଶ ମଧ୍ୟରେ ପର୍ଯ୍ୟଟନ ପ୍ରବାହକୁ ବୃଦ୍ଧି କରିବା ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି। ନେତାମାନେ ‘ଅଡିଓ-ଭିଜୁଆଲ୍ କ୍ରିଏସନ୍’ ସମ୍ପର୍କିତ ସହମତି ସ୍ମାରକପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି, ଯାହା ଚଳଚ୍ଚିତ୍ର ଏବଂ ଗଣମାଧ୍ୟମ ପ୍ରସ୍ତୁତି କ୍ଷେତ୍ରରେ ସହଯୋଗ ପାଇଁ ଏକ ବ୍ୟବସ୍ଥିତ ଢାଞ୍ଚା ପ୍ରଦାନ କରିବ ଏବଂ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସଂଯୋଗକୁ ଆହୁରି ବୃଦ୍ଧି କରିବ।
ଦକ୍ଷ ବୃତ୍ତିଜୀବୀମାନଙ୍କର ଶୃଙ୍ଖଳିତ, ସୁରକ୍ଷିତ ଏବଂ ଆଇନଗତ ଯାତାୟାତ ପ୍ରତି ଦୁଇ ନେତା ସମର୍ଥନ ବ୍ୟକ୍ତ କରିଛନ୍ତି। ଜାନୁଆରୀ ୨୦୨୬ରେ ଭାରତ ଏବଂ ଇଉରୋପୀୟ ସଂଘ ମଧ୍ୟରେ ସହମତି ହୋଇଥିବା ‘ଗତିଶୀଳତା ସମ୍ପର୍କିତ ବ୍ୟାପକ ସହଯୋଗ ଢାଞ୍ଚା’ କୁ ସେମାନେ ଧ୍ୟାନରେ ରଖିଛନ୍ତି। ଯାତାୟାତକୁ ସହଜ କରିବା ଏବଂ ଭାରତ ଓ ସ୍ଲୋଭାକିଆର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସୂଚନା ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ‘ଶ୍ରମ ପ୍ରବାସନ (ଲେବର ମାଇଗ୍ରେସନ୍) କ୍ଷେତ୍ରରେ ସହଯୋଗ ସମ୍ପର୍କିତ ସହମତି ସ୍ମାରକପତ୍ର’ ସ୍ୱାକ୍ଷରିତ ହୋଇଥିବାରୁ ସେମାନେ ଏହାକୁ ସ୍ୱାଗତ କରିଛନ୍ତି। ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ କାର୍ଯ୍ୟ କରୁଥିବା ବୃତ୍ତିଜୀବୀମାନଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ବଜାୟ ରଖିବାରେ ସହାୟକ ହେବା ଭଳି ଏକ ‘ସାମାଜିକ ସୁରକ୍ଷା ଚୁକ୍ତିନାମା’ର ଶୀଘ୍ର ଚୂଡ଼ାନ୍ତ ରୂପାୟନ ଦିଗରେ କାର୍ଯ୍ୟ କରିବାକୁ ମଧ୍ୟ ଉଭୟ ପକ୍ଷ ସହମତ ହୋଇଛନ୍ତି।
ଜନସାଧାରଣଙ୍କ ବଢ଼ୁଥିବା ଯାତାୟାତ ଏବଂ ପାରସ୍ପରିକ ସମ୍ପର୍କକୁ ଦୃଷ୍ଟିରେ ରଖି, ଦୂତାବାସ ସମ୍ପର୍କିତ ମାମଲାରେ ସହଯୋଗ ଉଭୟ ଦେଶ ପାଇଁ ନିରନ୍ତର ଆଗ୍ରହର କ୍ଷେତ୍ର ହୋଇ ରହିଛି ବୋଲି ନେତାମାନେ ଉଲ୍ଲେଖ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ସମ୍ପୃକ୍ତ ମାମଲାରେ ସହଯୋଗକୁ ସହଜ କରିବା ପାଇଁ ସେମାନେ ନିଜ ନିଜର ଦୂତାବାସଙ୍କ ମଧ୍ୟରେ ନିୟମିତ ଆଲୋଚନା ପାଇଁ ଏକ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ସହମତ ହୋଇଛନ୍ତି।
ଉପଯୁକ୍ତ କାର୍ଯ୍ୟନିର୍ବାହୀ ସ୍ତରରେ ‘ବ୍ୟାପକ ସହଭାଗିତା’ କାର୍ଯ୍ୟାନ୍ୱୟନର ନିୟମିତ ସମୀକ୍ଷା କରିବାକୁ ନେତାମାନେ ସହମତ ହୋଇଛନ୍ତି।
ଉଭୟ ନେତା ସହମତ ହୋଇଛନ୍ତି ଯେ ବର୍ତ୍ତମାନର ଏହି ଗସ୍ତ ଭାରତ-ସ୍ଲୋଭାକିଆ ସମ୍ପର୍କକୁ ରୂପାନ୍ତରିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପରସ୍ପର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ପର୍ଯ୍ୟାୟକୁ ନେବା ପାଇଁ ସେମାନେ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।
ଦୁଇ ଦେଶର ପ୍ରଧାନମନ୍ତ୍ରୀ ବିଭିନ୍ନ ଘୋଷଣା ଏବଂ ସ୍ୱାକ୍ଷରିତ ହୋଇଥିବା ଏମ୍ଓୟୁଗୁଡ଼ିକୁ ସ୍ୱାଗତ କରିଛନ୍ତି, ଯାହା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟ୍ରେ ଉପଲବ୍ଧ ରହିଛି।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଏବଂ ତାଙ୍କ ପ୍ରତିନିଧି ଦଳକୁ ପ୍ରଦାନ କରାଯାଇଥିବା ଭବ୍ୟ ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ଫିକୋ ଏବଂ ସ୍ଲୋଭାକିଆର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ନେତା ଉଚ୍ଚସ୍ତରୀୟ ଆଦାନପ୍ରଦାନର ଏହି ଧାରାକୁ ବଜାୟ ରଖିବାକୁ ସହମତ ହୋଇଛନ୍ତି।


