ନୂଆଦିଲ୍ଲୀ: ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ବ୍ରିଟେନ ଗସ୍ତ ଶେଷ କରି ଏବେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ୱରେ ଗ୍ରୀସ୍ ଗସ୍ତରେ ପହଞ୍ଚିଛନ୍ତି। ଭାରତ-ଗ୍ରୀସ୍ ମଧ୍ୟରେ ବାଣିଜ୍ୟ, ନିବେଶ ଓ ଶିଳ୍ପ କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ଏହି ଗସ୍ତର ପ୍ରମୁଖ ଲକ୍ଷ୍ୟ ରହିଛି।
ଏଥେନ୍ସର ଦ ଏଥେନ୍ସ ଷ୍ଟାର୍ଟଅପ୍ ବିଜନେସ୍ ଇନକ୍ୟୁବେଟର (THEA)ରେ ଆୟୋଜିତ ବାଣିଜ୍ୟ ଓ ଷ୍ଟାର୍ଟଅପ୍ ସମ୍ବନ୍ଧୀୟ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ପୀୟୂଷ ଗୋୟଲ ଯୋଗଦେବେ। ଏହା ସହିତ ଭାରତ ଓ ଗ୍ରୀସ୍ର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନା ହେବ।
ଗ୍ରୀସ୍ର ଏଥେନ୍ସ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ACCI)ରେ ଉଭୟ ଦେଶର ଶିଳ୍ପ ପ୍ରତିନିଧିଙ୍କ ଏକ ରାଉଣ୍ଡଟେବୁଲ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ଭିତ୍ତିଭୂମି ବିକାଶ, ଡିଜିଟାଲାଇଜେସନ୍, ପ୍ରତିରକ୍ଷା, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଏବଂ ନୂତନ ନିବେଶ ସୁଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ଭାଗିଦାରି ବଢ଼ାଇବା ନେଇ ଆଲୋଚନା ହେବ।
ବିଶେଷକରି ୨୦୩୦ ସୁଦ୍ଧା ଭାରତ ଓ ଗ୍ରୀସ୍ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ଦୁଇଗୁଣ କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ଆଗକୁ ବଢ଼ୁଥିବାବେଳେ, ପୀୟୂଷ ଗୋୟଲଙ୍କ ଏହି ଗସ୍ତକୁ ସେହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।


