ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ନେପାଳର ବିଦ୍ୟୁତ ସଙ୍କଟ ଦୂର କରିବା ପାଇଁ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିଛନ୍ତି। ନେପାଳକୁ ଦୈନିକ ୧୮ ଘଣ୍ଟା ବିଜୁଳି ରପ୍ତାନି କରିବା ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳିଛି। ଏହି ବିଦ୍ୟୁତ୍ ଯୋଗାଣ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ।
ସୂଚନା ଅନୁଯାୟୀ, ମୁଜାଫରପୁର-ଧାଲକେବର ଲାଇନ୍ ଜରିଆରେ ସର୍ବାଧିକ ୬୦୦ ମେଗାୱାଟ୍ ଏବଂ ଟନକପୁର-ମହେନ୍ଦ୍ରନଗର ଲାଇନ୍ ଜରିଆରେ ୫୪ ମେଗାୱାଟ୍ ପର୍ଯ୍ୟନ୍ତ ବିଜୁଳି ରପ୍ତାନି କରାଯିବ। ଆସନ୍ତା ବର୍ଷଠାରୁ ନେପାଳକୁ କେତେ ପରିମାଣର ବିଜୁଳି ଦିଆଯିବ, ସେ ନେଇ ଡିସେମ୍ବର ମାସରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ନିକଟରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ନେପାଳର ଜଳବିଦ୍ୟୁତ ଭିତ୍ତିଭୂମି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି, ଯାହାଫଳରେ ସେଠାରେ ଘରୋଇ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇବା ସହ ତୀବ୍ର ବିଜୁଳି ସଙ୍କଟ ଦେଖାଦେଇଛି। ନେପାଳର ଏହି ସଙ୍କଟଜନକ ସମୟରେ ଦେଶର ଆବଶ୍ୟକତା ପୂରଣ କରିବା ପାଇଁ ଭାରତ ଏହି ସହାୟତା ଯୋଗାଇ ଦେଉଛି। ଏହି ପଦକ୍ଷେପ ଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ସୁଦୃଢ଼ ଏବଂ ଦୀର୍ଘଦିନର ଶକ୍ତି ସହଯୋଗିତା ଆହୁରି ମଜବୁତ୍ ହେବ ବୋଲି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି।


