କୋଲକାତା: ‘ଆମ୍ ଜନତା ଉନ୍ନୟନ ପାର୍ଟି’ର ମୁଖ୍ୟ ତଥା ପଶ୍ଚିମବଙ୍ଗ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣାଶୁଣା ନେତା ହୁମାୟୁନ୍ କବିର ଅଶ୍ରୁପୂର୍ଣ୍ଣ ନୟନରେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ରେଜିନଗର ବିଧାନସଭା ଉପନିର୍ବାଚନ ସମୟରେ ଭୋଟରଙ୍କ ଉପରେ ଚାପ ପକାଇବା ଏବଂ ପ୍ରତିପକ୍ଷ ପୋଲିଂ ଏଜେଣ୍ଟଙ୍କୁ ଉଠାଇ ନେବା ଭଳି ଗୁରୁତର ଅଭିଯୋଗରେ କୋଲକାତା ପୁଲିସ୍ ତାଙ୍କୁ ଅଟକ ରଖିଥିଲା। ନିର୍ବାଚନ ଶେଷ ହେବା ପରେ ପୁଲିସ୍ ତାଙ୍କୁ ଛାଡ଼ିଦେଇଥିଲେ ହେଁ, ଏହି ଘଟଣାରେ ମର୍ମାହତ ହୋଇ ସେ ସାମ୍ବାଦିକମାନଙ୍କ ଆଗରେ ରାଜନୀତିରୁ ଅବସର ନେଉଥିବା ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ହୁମାୟୁନ୍ କବିର ପୂର୍ବରୁ ରେଜିନଗର ଓ ନୋୱଡା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ସେ ରେଜିନଗର ଆସନ ଛାଡ଼ିବା ପରେ ସେଠାରେ ଅନୁଷ୍ଠିତ ଉପନିର୍ବାଚନରେ ତାଙ୍କ ପୁଅ ଗୁଲାମ୍ ନବୀ ଆଜାଦ୍ ପ୍ରାର୍ଥୀ ହୋଇଛନ୍ତି।


