ପାଟନା: ମୋକାମାର ପୂର୍ବତନ ବିଧାୟକ ତଥା ଜେଡିୟୁ ନେତା ଅନନ୍ତ ସିଂହଙ୍କ ଏକ ବିବାଦୀୟ ବୟାନ୍କୁ ନେଇ ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରାରମ୍ଭିକ ରାଜନୈତିକ କ୍ୟାରିୟର୍କୁ ସୁଦୃଢ଼ କରିବା ପାଇଁ ସେ ପ୍ରାୟ ୯ ଜଣଙ୍କୁ ହତ୍ୟା କରିଥିବା ନେଇ ଦାବି କରିଛନ୍ତି। ପାଟନା ଗ୍ରାଜୁଏଟ୍ସ ଏମ୍ଏଲ୍ସି ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ନୀରଜ କୁମାରଙ୍କୁ ଦଳ ଟିକେଟ୍ ଦେଇଥିବାରୁ ଅସନ୍ତୁଷ୍ଟ ହୋଇ ଅନନ୍ତ ସିଂହ ‘ଜନ ସୁରଜ’ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହି ପ୍ରଚାର ସମୟରେ ସେ ଦଳୀୟ ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିବା ସହ ନୀତିଶଙ୍କ ପାଇଁ ସେ କରିଥିବା ଅତୀତର ଅପରାଧିକ କାର୍ଯ୍ୟକଳାପ ବାବଦରେ ବିସ୍ଫୋରକ ବୟାନ୍ ଦେଇ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛନ୍ତି।
“ଜନ ସୁରଜ ପାର୍ଟି’ର ପ୍ରାର୍ଥୀ ଅନୁଜ ସିଂହଙ୍କ ପାଇଁ ଭୋଟ୍ ମାଗୁଥିବା ସମୟରେ ଅନନ୍ତ ସିଂହ କହିଛନ୍ତି, “ନୀତିଶ କୁମାରଙ୍କ ପ୍ରାରମ୍ଭିକ ରାଜନୈତିକ କ୍ୟାରିୟର୍ ପାଇଁ ସେ ବଡ଼ ବଡ଼ ବଳିଦାନ ଦେଇଛନ୍ତି। ଦଳର ଅନ୍ୟ କୌଣସି ସଦସ୍ୟ ତାଙ୍କ ପରି ଏତେ ବଳିଦାନ ଦେଇନାହାଁନ୍ତି।’ ପ୍ରକାଶ, ପାଟନା ଗ୍ରାଜୁଏଟ୍ସ ନିର୍ବାଚନମଣ୍ଡଳୀରୁ ଅନନ୍ତ ସିଂହ ଜେଡିୟୁ ପ୍ରାର୍ଥୀ ନୀଜର କୁମାରଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ଆସନ ପାଇଁ ଅକ୍ଟୋବର ୨୩ରେ ନିର୍ବାଚନ ଅନୁଷ୍ଠିତ ହେବାର ଅଛି। ପାଟନା ଗ୍ରାଜୁଏଟ୍ସ ଏମ୍ଏଲ୍ସି ନିର୍ବାଚନରେ ଜେଡିୟୁ ନୀରଜ କୁମାରଙ୍କୁ ପ୍ରାର୍ଥୀ କରିଥିବାରୁ ଅନନ୍ତ ସିଂହ ଦଳର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି।
ଅନନ୍ତଙ୍କ କହିବାନୁସାରେ ନୀତିଶ କୁମାରଙ୍କ ପ୍ରତି ନିଜର ଅଙ୍ଗୀକାରବଦ୍ଧତା ଏବଂ ନିଷ୍ଠା ଆଜି ବି ଅପରିବର୍ତ୍ତିତ ରହିଛି। ସେ କଦାପି ନୀତୀଶଙ୍କ ନେତୃତ୍ୱକୁ ଚାଲେଞ୍ଜ କରିନାହାନ୍ତି। ତେବେ ଏହି ନିର୍ବାଚନ ଦଳୀୟ ଚିହ୍ନରେ ଲଢ଼ାଯାଉନଥିବାରୁ ସେ ଅନୁଜ ସିଂହଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଅନନ୍ତ ଏବଂ ନିରଜଙ୍କ ମଧ୍ୟରେ ଥିବା ବିବାଦ କାହା ପାଇଁ ଲୁଚାଛପା ନାହିଁ। ମୋକାମା ବିଧାନସଭା ଆସନରୁ ପୂର୍ବ ନିର୍ବାଚନରେ ନୀରଜ ତାଙ୍କ ବିରୋଧରେ କାମ କରିଥିବାରୁ ସେ ତାଙ୍କୁ ବିରୋଧ କରୁଛନ୍ତି ବୋଲି ଅନନ୍ତ ପୂର୍ବରୁ କହିଥିଲେ। ପ୍ରକାଶ, ପାଟନା ଜିଲ୍ଲାର ମୋକାମା ଅଞ୍ଚଳରେ “ଛୋଟେ ସରକାର’ ଭାବେ ପରିଚିତ ଅନନ୍ତ ସିଂହଙ୍କର ଏକ ବଡ଼ ପ୍ରଭାବ ରହିଛି। ଉଭୟ ନେତାଙ୍କ ମଧ୍ୟରେ ଉତ୍ତେଜନା କମାଇବା ପାଇଁ ଦଳର ବରିଷ୍ଠ ନେତାମାନେ ଚେଷ୍ଟା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଏପରିକି କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ୍ ଲଲାନ୍ ସିଂହ ମଧ୍ୟ ତାଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ।


