ବିମାନ ଯାତ୍ରାରେ ଯାତ୍ରୀଙ୍କ ସୁରକ୍ଷା ସହ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସେବା ଯୋଗାଇବା ବିମାନ କମ୍ପାନୀର ଦାୟିତ୍ୱ। କିନ୍ତୁ ୧୫ ଘଣ୍ଟାର ଦୀର୍ଘ ଉଡ଼ାଣରେ ଯଦି ଜଣେ ଯାତ୍ରୀ ଓ ତାଙ୍କ ପରିବାର ପର୍ଯ୍ୟାପ୍ତ ଖାଦ୍ୟ ପାଇବାରୁ ବଞ୍ଚିତ ହୁଅନ୍ତି, ତେବେ ପରିସ୍ଥିତି କେତେ ଅସୁବିଧାଜନକ ହୋଇପାରେ, ତାହା ଏହି ଘଟଣାରୁ ଜଣାପଡ଼ୁଛି। ଦିଲ୍ଲୀରୁ ମେଲବୋର୍ଣ୍ଣ ଯାତ୍ରା ସମୟରେ ଖାଦ୍ୟ ଅଭାବ ଓ ୧୧ ମାସର ଶିଶୁକୁ କ୍ଷୀର ନମିଳିବା ଅଭିଯୋଗରେ ସିଙ୍ଗାପୁର ଏୟାରଲାଇନ୍ସକୁ ଏବେ ମହଙ୍ଗା ପଡ଼ିଛି। ପଞ୍ଜାବ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିଶନ ଏୟାରଲାଇନ୍ସକୁ ସେବାରେ ଅବହେଳା ପାଇଁ ଦାୟୀ କରିବା ସହ ଯାତ୍ରୀଙ୍କୁ ମାନସିକ ଯନ୍ତ୍ରଣା ଓ ହଇରାଣ ପାଇଁ ₹୫୦,୦୦୦ କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି।
ଏହି ଘଟଣା ୪ ମାର୍ଚ୍ଚ ୨୦୨୦ର। ଜସପ୍ରୀତ ସିଂହ ନିଜ ପତ୍ନୀ, ଶାଶୁ ଓ ୧୧ ମାସର ଝିଅ ସହ ସିଙ୍ଗାପୁର ଏୟାରଲାଇନ୍ସରେ ଦିଲ୍ଲୀରୁ ମେଲବୋର୍ଣ୍ଣ ଯାତ୍ରା କରୁଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୧୫ ଘଣ୍ଟାର ଯାତ୍ରା ସମୟରେ ପରିବାରକୁ ଆବଶ୍ୟକ ପରିମାଣର ଖାଦ୍ୟ ମିଳିନଥିଲା। ଏପରିକି ତାଙ୍କ ୧୧ ମାସର ଶିଶୁ ପାଇଁ ମଧ୍ୟ କ୍ଷୀର ଯୋଗାଇ ଦିଆଯାଇନଥିବା ସେ ଅଭିଯୋଗ କରିଥିଲେ।
ଏହି ଘଟଣାକୁ ନେଇ ଜସପ୍ରୀତ ପ୍ରଥମେ ବିମାନ କମ୍ପାନୀକୁ ଇମେଲ୍ ମାଧ୍ୟମରେ ଅଭିଯୋଗ ଜଣାଇଥିଲେ। ପ୍ରାରମ୍ଭରେ ତଦନ୍ତର ଆଶ୍ୱାସନ ମିଳିଥିଲେ ମଧ୍ୟ ପରେ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଥିଲା ଯେ ପରିବାର ପକ୍ଷରୁ କୌଣସି ନିରାମିଷ କିମ୍ବା ସ୍ୱତନ୍ତ୍ର ଖାଦ୍ୟ ପାଇଁ ଆଗୁଆ ଅନୁରୋଧ କରାଯାଇନଥିଲା। ଏଥିସହ ଟ୍ରାଭେଲ୍ ଏଜେଣ୍ଟଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଏହି ଉତ୍ତରରେ ସନ୍ତୁଷ୍ଟ ନହୋଇ ଜସପ୍ରୀତ ରୂପନଗର ଜିଲ୍ଲା ଉପଭୋକ୍ତା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗକାରୀ ଟିକେଟ୍ ବାବଦରେ ଖର୍ଚ୍ଚ ହୋଇଥିବା ₹୧.୨୫ ଲକ୍ଷ ଫେରସ୍ତ ସହ ₹୧୦ ଲକ୍ଷ କ୍ଷତିପୂରଣ ଦାବି କରିଥିଲେ। ଜାନୁଆରୀ ୨୦୨୩ରେ ଜିଲ୍ଲା କମିଶନ ଏୟାରଲାଇନ୍ସ ଓ ଟ୍ରାଭେଲ୍ ଏଜେଣ୍ଟଙ୍କୁ ୭ ପ୍ରତିଶତ ବାର୍ଷିକ ସୁଧ ସହ ଟିକେଟ୍ ରାଶି ଫେରସ୍ତ କରିବାକୁ, ₹୨୫,୦୦୦ କ୍ଷତିପୂରଣ ଏବଂ ₹୧୧,୦୦୦ ଆଇନଗତ ଖର୍ଚ୍ଚ ପ୍ରଦାନ କରିବାକୁ ଆଦେଶ ଦେଇଥିଲେ। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସିଙ୍ଗାପୁର ଏୟାରଲାଇନ୍ସ ରାଜ୍ୟ କମିଶନଙ୍କ ନିକଟକୁ ଯାଇଥିଲା।
ଶୁଣାଣି ସମୟରେ ଏୟାରଲାଇନ୍ସ ଯୁକ୍ତି ଦର୍ଶାଇଥିଲା ଯେ ଯାତ୍ରୀମାନେ କୌଣସି ସ୍ୱତନ୍ତ୍ର ଖାଦ୍ୟ ପାଇଁ ଆଗୁଆ ଅନୁରୋଧ କରିନଥିଲେ ଏବଂ ନିୟମିତ ମେନୁ ଅନୁଯାୟୀ ଖାଦ୍ୟ ଯୋଗାଇ ଦିଆଯାଇଥିଲା। କିନ୍ତୁ ରାଜ୍ୟ କମିଶନ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ। କମିଶନଙ୍କ ମତରେ, ଯାତ୍ରୀମାନେ ସ୍ୱତନ୍ତ୍ର ଖାଦ୍ୟ ମାଗିନଥିଲେ ମଧ୍ୟ ଦୀର୍ଘ ଦୂରତାର ବିମାନ ଯାତ୍ରାରେ ମାନକ ଖାଦ୍ୟ ଯୋଗାଇବା ବିମାନ କମ୍ପାନୀର ଦାୟିତ୍ୱ। ପରିବାରକୁ ପର୍ଯ୍ୟାପ୍ତ ଖାଦ୍ୟ ଦିଆଯାଇଥିଲା ବୋଲି ପ୍ରମାଣ କରିବାରେ ମଧ୍ୟ ଏୟାରଲାଇନ୍ସ ବିଫଳ ହୋଇଥିଲା।
ତେବେ ରାଜ୍ୟ କମିଶନ ମାମଲାର ସମସ୍ତ ଦିଗ ବିଚାର କରି ପୂର୍ବ ଆଦେଶରେ ପରିବର୍ତ୍ତନ କରିଥିଲେ। ପରିବାର ଯାତ୍ରା ସମାପ୍ତ କରିସାରିଥିବାରୁ ଟିକେଟ୍ର ସମ୍ପୂର୍ଣ୍ଣ ରାଶି ଫେରସ୍ତ କରିବା ଅତ୍ୟଧିକ ହେବ ବୋଲି କମିଶନ ମତ ଦେଇଥିଲେ। କିନ୍ତୁ ବିଶେଷକରି ଏକ ୧୧ ମାସର ଶିଶୁ ସହ ଯାତ୍ରା ସମୟରେ ପରିବାର ଯେଉଁ ଅସୁବିଧା ଓ ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲା, ତାହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କମିଶନ ସ୍ପଷ୍ଟ କରିଥିଲେ। ଶେଷରେ ମାନସିକ ଉତ୍ପୀଡ଼ନ ଓ ହଇରାଣ ପାଇଁ ₹୫୦,୦୦୦ କ୍ଷତିପୂରଣ ସହ ଆଇନଗତ ଖର୍ଚ୍ଚ ପ୍ରଦାନ କରିବାକୁ ଆଦେଶ ଦିଆଯାଇଛି।


