ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ: ଶେଷ ଓଭରରେ ଟିମ ଇଣ୍ଡିଆକୁ ମିଳିଲା ବିଜୟ

Published: Jul 23, 2022, 11:29 am IST

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ଗତକାଲି ପୋର୍ଟ ଅଫ୍ ସ୍ପେନ୍, ତ୍ରିନିଦାଦରେ ଖେଳାଯାଇଥିଲା। ସଂଘର୍ଷପୂର୍ଣ୍ଣା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ତିନି ରନ୍ ରେ ଜିତିଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ ଅଷ୍ଟମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଲରାଉଣ୍ଡର ରୋମାରିଓ ଶେଫର୍ଡ ଶେଷରେ ଖେଳ ବୁଲାଇଦେଇଥିଲେ, କିନ୍ତୁ ଦ୍ରୁତ ବୋଲର ମହମ୍ମଦ ସିରାଜ ଭାରତକୁ ବିଜୟ ପ୍ରଦାନ କରିଥିଲେ।

ଯେତେବେଳେ ଶେଫର୍ଡ ବ୍ୟାଟିଂ କରିବାକୁ ଆସିଥିଲେ, ୱେଷ୍ଟଇଣ୍ଡିଜକୁ ୩୩ ବଲରେ ୫୭ ରନ୍ ସ୍କୋର ଆବଶ୍ୟକ ପଡୁଥିଲା। ସେ ୨୫ ବଲରେ ଅପରାଜିତ ୩୯ ରନ ସ୍କୋର କରିଥିଲେ ମଧ୍ୟ ତାଙ୍କ ଦଳ ଜିତିପାରିନଥିଲା। ବାସ୍ତବରେ ୱେଷ୍ଟଇଣ୍ଡିଜକୁ ଶେଷ ଓଭରରେ ଜିତିବା ପାଇଁ ୧୫ ରନ୍ ସ୍କୋର କରିବାକୁ ଥିଲା, ଏଭଳି ପରିସ୍ଥିତିରେ ଅଧିନାୟକ ଶିଖର ଧୱନ ଦୁଇଟି ୱିକେଟ୍ ନେଇଥିବା ସିରାଜଙ୍କୁ ବଲ୍ ହସ୍ତାନ୍ତର କରିଥିଲେ। ଏହାପୂର୍ବରୁ ସିରାଜ ମଧ୍ୟ ୪୮ ତମ ଓଭରରେ ଚମତ୍କାର ବୋଲିଂ କରିଥିଲେ।

ଶେଷ ଓଭରରେ ଅକିଲ ହୁସେନ୍ ଷ୍ଟ୍ରାଇକ୍ କରିଥିଲେ। ପ୍ରଥମ ବଲରେ ସିରାଜ କୌଣସି ରନ୍ ଦେଇନଥିଲେ। ଏହା ପରେ ଦ୍ୱିତୀୟ ବଲରୁ ଏକ ରନ୍ ଆସିଥିଲା। ତା’ପରେ କ୍ରିଜ ଉପରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଶେଫର୍ଡ। ତୃତୀୟ ବଲରେ ଚୌକା ମାରିଥିଲେ। ବର୍ତ୍ତମାନ ଶେଷ ୩ ବଲରେ ୱେଷ୍ଟଇଣ୍ଡିଜକୁ ୧୦ ରନ୍ ସ୍କୋର କରିବାକୁ ଥିଲା। ପୁନର୍ବାର ଚତୁର୍ଥ ବଲରୁ ଦୁଇଟି ରନ୍ ଆସିଥିଲା। ଏହା ପରେ ସିରାଜ ୱାଇଡ ବଲ ଫିଙ୍ଗିଥିଲେ। ତା’ପରେ ଦୁଇଟି ରନ୍ ଏବଂ ଶେଷ ବଲରୁ କେବଳ ଗୋଟିଏ ରନ୍ ଆସିଥିଲା। ଏହିପରି ସିରାଜ ୧୫ ରନ୍ ରକ୍ଷା କରିଥିଲେ ଏବଂ ୱେଷ୍ଟଇଣ୍ଡିଜ୍ ଦଳ ୩ ରନରେ ମ୍ୟାଚ୍ ହାରିଥିଲା।

ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ସାତୋଟି ପାଇଁ ୩୦୮ ରନ ସ୍କୋର କରିଥିଲା। ଶିଖର ଧାୱନ ତାଙ୍କର ଅଧିନାୟକତ୍ୱ ଇନିଂସ ଖେଳି ୯୭ ରନ କରିଥିଲେ। ଏହାର ଜବାବରେ ଆୟୋଜକ ଦଳ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ କେବଳ ୩୦୫ ରନ୍ ସ୍କୋର କରିପାରିଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ କାଇଲ୍ ମେୟର୍ସ ୭୫, ବ୍ରାଣ୍ଡାନ୍ କିଙ୍ଗ ୫୪, ରୋମାରିଓ ଶେଫର୍ଡ ୩୯ ଏବଂ ଆକିଲ୍ ହୋସେନ୍ ୩୨ ରନ୍ କରିଥିଲେ।

Related posts