ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍: ଜାଣନ୍ତୁ ଖେଳାଳି ଏକାଦଶ ଏବଂ ପାଣିପାଗ ସ୍ଥିତି

Published: Oct 6, 2022, 10:09 am IST

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଦିନିକିଆ ମ୍ୟାଚ୍ ଖେଳିବ। ଏହି ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ନେତୃତ୍ଵ ଶିଖର ଧାୱନଙ୍କ ହାତରେ। ଭାରତର ପୁରା ସ୍କ୍ବାଡ଼ ଏଠାରେ ପରିବର୍ତ୍ତନ ହୋଇଥିବା ଦେଖାଯିବ। ନିକଟରେ ଶେଷ ହୋଇଥିବା ଟି-୨୦ ସିରିଜର କେବଳ ୨-୩ ଖେଳାଳି ଏହି ଦଳର ଅଂଶ ଅଟନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଖେଳିଥିବା ସମାନ ଦଳ ସହିତ ଦିନିକିଆ ସିରିଜରେ ପ୍ରବେଶ କରିବ।

ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଏହି ସିରିଜରେ ଯୁବ ଖେଳାଳିଙ୍କ ପାଇଁ ଏକ ଭଲ ସୁଯୋଗ ମିଳିବ। ଦୀର୍ଘ ଦିନ ଧରି ଆଇପିଏଲରେ ଭଲ ପ୍ରଦର୍ଶନ କରୁଥିବା ରାହୁଲ ତ୍ରିପାଠୀ ଏଥର ଆନ୍ତର୍ଜାତୀୟ ଡେବ୍ୟୁ ପାଇଁ ଏକ ସୁଯୋଗ ପାଇପାରନ୍ତି। ଏହା ମଧ୍ୟ ମହମ୍ମଦ ସିରାଜ ଏବଂ ଦୀପକ ଚହରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ହେବ। ଏହି ସିରିଜରେ ଭଲ ପ୍ରଦର୍ଶନ କଲେ ଉଭୟ ଖେଳାଳି ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ ଦଳରେ ବୁମରାଙ୍କ ସ୍ଥାନ ନେବାକୁ ଦାବି କରିପାରିବେ।

ପିଚର ସ୍ଥିତି କେମିତି ଅଛି?:

ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଏକାନା ଷ୍ଟାଡିୟମରେ ଏପର୍ଯ୍ୟନ୍ତ ତିନୋଟି ଦିନିକିଆ ଖେଳାଯାଇଛି। ଏହି ତିନୋଟି ମ୍ୟାଚରେ ଭଲ ରନ୍ ସ୍କୋର ହୋଇପାରି ନାହିଁ। ତେବେ ଏଠାରେ ଚାଲିଥିବା ଟି-୨୦ ମ୍ୟାଚ୍‌ରେ ଭଲ ରନ ବର୍ଷା ହୋଇଛି। ଏଭଳି ପରିସ୍ଥିତିରେ ଆଜିର ଦିନିକିଆରେ ଭଲ ରନ୍ ବର୍ଷା ହେବା ସମ୍ଭାବନା ରହିଛି।

ପାଗ କେମିତି ରହିବ?:

ବର୍ତ୍ତମାନ ଲକ୍ଷ୍ନୌରେ ବର୍ଷା ହେଉଛି। ଆଜି ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ପୂର୍ଣ୍ଣ ସମ୍ଭାବନା ଅଛି। ଏଭଳି ପରିସ୍ଥିତିରେ ଦର୍ଶକଙ୍କୁ ନିରାଶ ହୋଇ ଏଠାକୁ ଫେରିବାକୁ ପଡିପାରେ।

ଟିମ୍ ଇଣ୍ଡିଆ ସମ୍ଭାବ୍ୟ ଖେଳାଳି: ଶିଖର ଧାୱନ (କ୍ୟାପଟେନ), ଶୁବମାନ ଗିଲ, ଶ୍ରେୟାସ ଆୟର (ଭାଇସ କ୍ୟାପଟେନ), ଇଶାନ କିଶନ (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), ରଜତ ପାଟିଦାର/ରାହୁଲ ତ୍ରିପାଠୀ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ନୋଇ, ମହମ୍ମଦ୍ ସିରାଜ, ଦୀପକ ଚହର।

Related posts