ଆଜିଠୁ ଦ୍ୱିତୀୟ ଟେଷ୍ଟ: ଟିମ୍ ଇଣ୍ଡିଆର ଖେଳାଳି ଏକାଦଶରେ ହୋଇପାରେ ପରିବର୍ତ୍ତନ

Published: Dec 22, 2022, 7:26 am IST

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଆଜି ଠାରୁ ଢାକାରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଉଭୟ ଦଳ ପ୍ରସ୍ତୁତ ହୋଇଛନ୍ତି। କିନ୍ତୁ ଟିମ୍ ଇଣ୍ଡିଆ ବର୍ତ୍ତମାନ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ଭାରତୀୟ ଶିବିରର ଅନେକ ଖେଳାଳି ଆହତ ହୋଇଛନ୍ତି। ଦ୍ୱିତୀୟ ଟେଷ୍ଟ ପୂର୍ବରୁ କେ.ଏଲ୍ ରାହୁଲ ମଧ୍ୟ ଆହତ ହୋଇଛନ୍ତି। ରାହୁଲଙ୍କ ଖେଳକୁ ନେଇ ଏବେବି ସନ୍ଦେହ ରହିଛି। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ରାହୁଲଙ୍କ ସ୍ଥାନରେ ଅଭିମନ୍ୟୁ ଇଶ୍ଵରନ୍ ସୁଯୋଗ ପାଇପାରନ୍ତି।

ବୁଧବାର ଅଭ୍ୟାସ ଅଧିବେଶନରେ ରାହୁଲ ଆହତ ହୋଇଥିଲେ। ତାଙ୍କ ହାତରେ ଆଘାତ ଲାଗିଛି। ତେଣୁ, ଯଦି ସେ ଦ୍ୱିତୀୟ ଟେଷ୍ଟରୁ ଦୂରେଇ ଯାଆନ୍ତି, ତେବେ ଅଭିମନ୍ୟୁଙ୍କୁ ଏକ ସୁଯୋଗ ଦିଆଯାଇପାରେ। ଘରୋଇ ମ୍ୟାଚ୍‌ରେ ଅଭିମନ୍ୟୁଙ୍କର ଭଲ ରେକର୍ଡ ରହିଛି। ସେ ଭାରତ ଏ ପାଇଁ ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନ ଦେଇଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ୨୨ ମାସ ପରେ ଟେଷ୍ଟକୁ ଫେରିଥିବା ଚାଇନାମ୍ୟାନ କୁଲଦୀପ ଯାଦବ ଏକ ଚମତ୍କାର ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ପାଞ୍ଚଟି ୱିକେଟ୍ ନେଇଥିଲେ ଏବଂ ୪୦ ରନ୍ ମଧ୍ୟ କରିଥିଲେ। ଏଥି ସହିତ ଦ୍ରୁତ ବୋଲର ମହମ୍ମଦ ସିରାଜ ପ୍ରଥମ ଇନିଂସରେ ଚମତ୍କାର ଆରମ୍ଭ କରିଥିଲେ ଏବଂ ବାମହାତୀ ସ୍ପିନର ଅକ୍ସର ପଟେଲ ଦ୍ୱିତୀୟ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ।

ଢାକା ପିଚ୍ ପାରମ୍ପାରିକ ଭାବରେ ସ୍ପିନରମାନଙ୍କୁ ସାହାଯ୍ୟ କରିବାରେ ଅଧିକ ସହାୟକ ହୋଇଛି। କୁଲଦୀପ, ଅକ୍ସର ଏବଂ ଅଶ୍ୱିନ ଭାରତ ପାଇଁ ସ୍ପିନ୍ ଦାୟିତ୍ଵ ନେଉଥିବା ବେଳେ ସିରାଜ ଏବଂ ଉମେଶ ଯାଦବ ସହାୟକ ଭୂମିକା ଗ୍ରହଣ କରିବେ।

ସମ୍ଭାବ୍ୟ ଏକାଦଶ ଖେଳାଳି:

ଭାରତ: ଶୁଭମାନ ଗିଲ, କେ.ଏଲ୍ ରାହୁଲ (ଅଧିନାୟକ)/ଅଭିମନ୍ୟୁ ଇଶ୍ଵରନ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଋଷଭ ପନ୍ତ (ୱିକେଟ କିପର), ଶ୍ରେୟସ୍ ଆୟର୍, ଅକ୍ସର ପଟେଲ, ରବିଚନ୍ଦ୍ରନ୍ ଅଶ୍ୱିନ୍, କୁଲଦୀପ ଯାଦବ, ଉମେଶ ଯାଦବ, ମହମ୍ମଦ ସିରାଜ।

ବାଂଲାଦେଶ: ନଜମୁଲ ହୁସେନ ଶାନ୍ତୋ, ଜାକିର ହାସନ, ୟାସିର ଅଲି, ଲିଟନ ଦାସ, ଶାକିବ ଅଲ ହାସନ (ଅଧିନାୟକ), ମୁଶଫିକୁର ରହୀମ, ନୁରୁଲ ହାସନ (ୱିକେଟ କିପର), ମେହଦି ହସନ ମିରାଜ, ତେଇଜୁଲ ଇସଲାମ, ତସ୍କିନ୍ ଅହମ୍ମଦ, ଖାଲିଦ ଅହମ୍ମଦ।

Related posts