ଟିଭିରେ ଆଇପିଏଲ୍ ପ୍ରଥମ ମ୍ୟାଚ୍‌ରେ ବିଜ୍ଞାପନଦାତାଙ୍କ ସଂଖ୍ୟାରେ ୪୦ ପ୍ରତିଶତ ହ୍ରାସ

Published: Apr 9, 2023, 9:02 pm IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ଏକ ନୂଆ ଧାରା ସାମ୍ନାକୁ ଆସିଛି। ଟିଭିକୁ ଛାଡ଼ି ବିଜ୍ଞାପନଦାତାମାନେ ଡିଜିଟାଲ୍ ଆଡ଼କୁ ମୁହାଁଇଥିବା ଦେଖିବାକୁ ମିଳିଛି। ବିଏଆର୍‌ସି (ବାର୍କ) ଇଣ୍ଡିଆର ଟିଭି ରେଟିଂ ଅନୁସାରେ ଗତବର୍ଷ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ରେ ୫୨ ଜଣ ବିଜ୍ଞାପନଦାତା ଟିଭି ପ୍ରସାରଣରେ ବିଜ୍ଞାପନ ଦେଇଥିଲେ। ସେହି ତୁଳନାଗ୍ଦେର ଚଳିତ ବର୍ଷ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ରେ ମାତ୍ର ୩୧ ଜଣ ବିଜ୍ଞାପନଦାତାଙ୍କୁ ଦେଖିବାକୁ ମିଳିଛି। ଅର୍ଥାତ ୪୦ ପ୍ରତିଶତ ବିଜ୍ଞାପନଦାତା ଟିଭି ଆଡ଼ୁ ମୁହଁ ଫେରାଇ ନେଇଛନ୍ତି।

ସେହିଭଳି ଗତ ଆଇପିଏଲ୍‌ରେ ଟିଭିରେ ବିଜ୍ଞାପନ ଦେଇଥିବା ବିଜ୍ଞାପନଦାତାଙ୍କ ସଂଖ୍ୟା ପ୍ରାୟ ୧୦୦ ଥିଲା। ଚଳିତ ବର୍ଷ ଟିଭି ସେହି ୧୦୦ ବିଜ୍ଞାପନଦାତା ହାସଲ କିବାର ସଫଳତା ଦୋହରାଇବା ବହୁତ କଷ୍ଟକର ମନେ ହେଉଛି । ଟିଭିରେ ପ୍ରାୟୋଜକ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି। ଟିଭି ପ୍ରସାରଣରେ ପ୍ରାୟୋଜକମାନଙ୍କ ସଂଖ୍ୟା ଗତବର୍ଷର ୧୬ରୁ ହ୍ରାସ ପାଇ ଚଳିତ ଥର ୧୨ ହୋଇଛି। ଏହି ୧୨ ଟି ମଧ୍ୟରୁ ଗୋଟିଏ ପ୍ରାୟୋଜକ ତୃତୀୟ ମ୍ୟାଚ୍‌ରୁ ହିଁ ଯୋଡ଼ି ହୋଇଥିବା ଜଣାପଡ଼ିଛି।

ରିଲାଏନ୍ସ ସହିତ ଜଡ଼ିତ କଂପାନିଗୁଡ଼ିକ ଟିଭି ବିଜ୍ଞାପନଦାତା ସଂଖ୍ୟାରୁ ସମ୍ପୂର୍ଣ୍ଣ ଉଭାନ ହୋଇଯାଇଛନ୍ତି। ଏହାର କାରଣ ହେଉଛି ରିଲାଏନ୍ସ ଗ୍ରୁପ୍‌ର କଂପାନି ଭାୟାକମ୍‌-୧୮କୁ ଆଇପିଏଲ୍‌ର ଡିଜିଟାଲ୍ ରାଇଟ୍‌ସ ମିଳିଛି। ଟିଭି ଠାରୁ ଦୂରେଇ ଯାଇଥିବା ଅନ୍ୟ ବଡ଼ ବିଜ୍ଞାପନଦାତାମାନେ ହେଉଛନ୍ତି ବାଇଜୁସ୍‌, କ୍ରେଡ୍‌, ମୁଥୁଟ୍‌, ନେଟ୍‌ମେଡ୍‌ସ, ସ୍ୱିଗି, ଫ୍ଲିପ୍‌କାର୍ଟ, ଫୋନ୍‌ପେ, ମିଶୋ, ସାମସଙ୍ଗ୍‌, ୱାନ୍‌ପ୍ଲସ୍‌, ବେଦାନ୍ତୁ, ସ୍ପଟିଫାଏ ଓ ହାଭେଲ୍‌ସ। ଭାରତରେ ଷ୍ଟାର ସ୍ପୋର୍ଟସ୍ ପକ୍ଷରୁ ଆଇପିଏଲ୍ ମ୍ୟାଚ୍‌ଗୁଡ଼ିକର ସିଧା ପ୍ରସାରଣ କରାଯାଉଛି।

Related posts