ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମ୍ର ବୋଲିଂ କୋଚ୍ ଆସ୍ଲେ ନାଫ୍କେ ନିଜ ପଦରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ଚାଲିଥିବା ଏସିଆନ୍ ଗେମ୍ସ ୨୦୨୬ ପାକିସ୍ତାନ ଟିମ୍ ସହ ତାଙ୍କର ଶେଷ ଅଭିଯାନ ହେବ। ଏହାପରେ ସେ ନେଦରଲାଣ୍ଡ୍ସ ପୁରୁଷ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିବେ। ରୟାଲ୍ ଡଚ୍ କ୍ରିକେଟ୍ ଆସୋସିଏସନ୍ ନାଫ୍କେଙ୍କୁ ୨୦୨୮ ଶେଷ ପର୍ଯ୍ୟନ୍ତ ଦୁଇ ବର୍ଷିଆ ଚୁକ୍ତିରେ ନିଯୁକ୍ତ କରିଛି। ନେଦରଲାଣ୍ଡ୍ସ ଟିମ୍ରେ ନାଫ୍କେଙ୍କ ପ୍ରଥମ ବଡ଼ ଲକ୍ଷ୍ୟ ହେବ ଟିମ୍କୁ ୨୦୨୭ ଦିନିକିଆ ବିଶ୍ୱକପ୍ ଏବଂ ୨୦୨୮ ଟି-୨୦ ବିଶ୍ୱକପ୍ର କ୍ୱାଲିଫିକେସନ୍ ପାଇଁ ପ୍ରସ୍ତୁତ କରିବା। ସେ ର୍ୟାନ୍ କୁକ୍ଙ୍କ ସ୍ଥାନ ନେବେ। କୁକ୍ ନିଜ ପରିବାରକୁ ଅଧିକ ସମୟ ଦେବା ପାଇଁ ଏହି ପଦରୁ ହଟିଛନ୍ତି। ନାଫ୍କେ ଏବେ ପାକିସ୍ତାନର ଏସିଆନ୍ ଗେମ୍ସ ଅଭିଯାନର ସପୋର୍ଟ ଷ୍ଟାଫ୍ ଭାବେ ରହିଛନ୍ତି। ପାକିସ୍ତାନ ପୁରୁଷ ଟିମ୍ ସେପ୍ଟେମ୍ବର ୨୮ ତାରିଖରୁ ଟୁର୍ଣ୍ଣାମେଣ୍ଟ୍ର କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟାୟରୁ ନିଜ ଅଭିଯାନ ଆରମ୍ଭ କରିବ।
ପ୍ରକାଶ ଯେ, ନାଫ୍କେ ୨୦୨୫ ମେ’ରେ ପାକିସ୍ତାନ ଟିମ୍ରେ ଯୋଗ ଦେଇଥିଲେ। ସେତେବେଳେ ମାଇକ୍ ହେସନ୍ଙ୍କୁ ହ୍ୱାଇଟ୍-ବଲ୍ ମୁଖ୍ୟ କୋଚ୍ ଏବଂ ନାଫ୍କେଙ୍କୁ ବୋଲିଂ କୋଚ୍ ଦାୟିତ୍ୱ ଦିଆଯାଇଥିଲା। ନାଫ୍କେଙ୍କ ଏହି ନିଷ୍ପତ୍ତି ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନୂଆ ବୋଲିଂ କୋଚ୍ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରି ଆବେଦନ ଆହ୍ୱାନ କରିଛି।


