ନୂଆଦିଲ୍ଲୀ: ଭାରତର ପୂର୍ବତନ ବିସ୍ଫୋରକ ଅଲ୍ରାଉଣ୍ଡର୍ ଯୁବରାଜ ସିଂହ ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ସହ ନିଜର କୋଚିଂ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି। ତାଙ୍କୁ ଟିମ୍ର ଆସିଷ୍ଟାଣ୍ଟ୍ ତଥା ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଦିଲ୍ଲୀ ଫ୍ରାଞ୍ଚାଇଜି ସୋସିଆଲ ମିଡିଆ ଜରିଆରେ ଏହି ବଡ଼ ଘୋଷଣା କରିଛି। ଏହା ସହିତ ଯୁବରାଜ ପ୍ରଥମ ଥର ପାଇଁ କୌଣସି ଆଇପିଏଲ୍ ଟିମ୍ର କୋଚିଂ ଦାୟିତ୍ୱ ଗ୍ରହଣ କରିଛନ୍ତି।
ସୌରଭ ଗାଙ୍ଗୁଲି ଟିମ୍ର ମୁଖ୍ୟ କୋଚ୍ ଅଛନ୍ତି। ଯୁବରାଜ ୨୦୧୫ରେ ଦିଲ୍ଲୀ ଡେୟାର୍ଡେଭିଲ୍ସ ପାଇଁ ଖେଳିଥିଲେ। ସେତେବେଳେ ଫ୍ରାଞ୍ଚାଇଜି ତାଙ୍କୁ ୧୬ କୋଟି ଟଙ୍କାରେ ନିଜ ସହ ସାମିଲ କରିଥିଲା। ଏହା ସେ ସମୟର ଯୁବରାଜ ଆଇପିଏଲ୍ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ। ନୂଆ ଦାୟିତ୍ୱ ମିଳିବାକୁ ନେଇ ଯୁବରାଜ କହିଛନ୍ତି ଦିଲ୍ଲୀ ସହ ତାଙ୍କର ପୁରୁଣା ସମ୍ପର୍କ ରହିଛି। ସୌରଭ ଗାଙ୍ଗୁଲିଙ୍କ ସହ କାମ କରିବାକୁ ସ୍ୱତନ୍ତ୍ର ସୁଯୋଗ ବୋଲି ସେ କହିଛନ୍ତି।
ଯୁବରାଜ ୨୦୦୮ରୁ ୨୦୧୯ ପର୍ଯ୍ୟନ୍ତ ଆଇପିଏଲ୍ର ଅଂଶବିଶେଷ ଥିଲା। ନିଜ ୧୨ ବର୍ଷର ଆଇପିଏଲ୍ କ୍ୟାରିୟର୍ରେ ସେ ଛଅ ଫ୍ରାଞ୍ଚାଇଜି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ (ଏବେ ପଞ୍ଜାବ କିଙ୍ଗ୍ସ), ପୁଣେ ୱାରିୟର୍ସ ଇଣ୍ଡିଆ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଦିଲ୍ଲୀ ଡେୟାର୍ଡେଭିଲ୍ସ, ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆ ପକ୍ଷରୁ ଖେଳିଥିଲେ। ଆଇପିଏଲ୍ କ୍ୟାରିୟର୍ର ଅନ୍ତିମ ସିଜନ୍ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ। ମୁମ୍ବାଇ ସେତେବେଳେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ହରାଇ ଚତୁର୍ଥ ଥର ଚାମ୍ପିଅନ୍ ହୋଇଥିଲା। ଯୁବରାଜ ୨୦୧୯ରେ ଚାରି ମ୍ୟାଚ୍ ଖେଳି ୯୮ ରନ୍ କରିଥିଲେ। ୨୦୧୯ରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ ସହ ଆଇପିଏଲ୍ରୁ ମଧ୍ୟ ସନ୍ନ୍ୟାସ ଘୋଷଣା କରିଥିଲେ। ଆଇପିଏଲ୍ରେ ଯୁବରାଜ ଦୁଇଟି ଫ୍ରାଞ୍ଚାଇଜିର ନେତୃତ୍ୱ ମଧ୍ୟ କରିଥିଲେ। ପ୍ରାରମ୍ଭିକ ଦୁଇଟି ସିଜନ୍ ୨୦୦୮ ଓ ୨୦୦୯ରେ ସେ କିଙ୍ଗ୍ସ ଇଲେଭେନ୍ କ୍ୟାପ୍ଟେନ୍ ଥିଲେ। ଏହାପରେ ୨୦୧୧ରେ ସେ ପୁଣେ ୱାରିୟର୍ସ ଇଣ୍ଡିଆର ନେତୃତ୍ୱ ସମ୍ଭାଳିଥିଲେ।


