ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍ (ଏଆଇଟିଏ)ର ଆଗାମୀ ନିର୍ବାଚନ ପାଇଁ ରାଜନୀତି ଜୋର ଧରିଛି। ଭାରତର ଦୁଇ କିମ୍ବଦନ୍ତୀ ଟେନିସ୍ ତାରକା ମହେଶ ଭୂପତି ଏବଂ ସାନିଆ ମିର୍ଜା ଏଆଇଟିଏର ‘ଏସ୍ଓଏମ୍’ ନିର୍ବାଚନ ପାଇଁ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦୁହେଁ ଜେନେରାଲ୍ ବଡି ଏବଂ ଏଗ୍ଜିକ୍ୟୁଟିଭ୍ କମିଟିରେ ଖେଳାଳିଙ୍କ ପ୍ରତିନିଧିତ୍ୱ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟପଟେ, ଅଧ୍ୟକ୍ଷ ପଦ ପାଇଁ ବଳିଷ୍ଠ ଦାବିଦାର ମନେହେଉଥିବା ଲିଆଣ୍ଡର୍ ପେସ୍ ପ୍ରାର୍ଥିପତ୍ର ଦାଖଲ ନ କରିବାରୁ ନିର୍ବାଚନୀ ଦୌଡ଼ରୁ ବାଦ୍ ପଡ଼ିଛନ୍ତି।
ଲିଆଣ୍ଡର୍ ପେସ୍ଙ୍କ ନାମ ୪୦ ଖେଳାଳି ବିଶିଷ୍ଟ ସୂଚୀର ଟିୟର୍-୧ରେ ସାମିଲ ଅଛି। ସେ ଏହି ସୂଚୀରେ ସ୍ଥାନ ପାଇଥିବା ଏକମାତ୍ର ଖେଳାଳି। ବେଙ୍ଗଲ ଟେନିସ୍ ସଂଘ ମଧ୍ୟ ଅଧ୍ୟକ୍ଷ ପଦକ ପାଇଁ ତାଙ୍କ ପ୍ରାର୍ଥିତ୍ୱର ସମର୍ଥନ କରିଥିଲା। ମାତ୍ର ଏଆଇଟିଏର ସଂଶୋଧିତ ସମ୍ବିଧାନର ନିୟମ ୧୨(ବି) ଅନୁସାରେ ଅଧ୍ୟକ୍ଷ, ସାଧାରଣ ସମ୍ପାଦକ କିମ୍ବା କୋଷାଧ୍ୟକ୍ଷ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀଙ୍କୁ ଏସ୍ଓଏମ୍ ଜେନେରାଲ୍ ବଡିର ପ୍ରତିନିଧି ହେବା ଜରୁରୀ। ଏହା ବ୍ୟତୀତ ଏଆଇଟିଏର ଏଗ୍ଜିକ୍ୟୁଟିଭ୍ କମିଟିରେ ଅତିକମ୍ରେ ଗୋଟିଏ କାର୍ଯ୍ୟକାଳ ପୂରା କରିବାକୁ ହୋଇଥାଏ କିମ୍ବା କୌଣସି ରାଜ୍ୟ ୟୁନିଟ୍ରେ ଅଧ୍ୟକ୍ଷ, ସାଧାରଣ ସମ୍ପାଦକ ଅଥବା କୋଷାଧ୍ୟକ୍ଷ ରହିଥିବା ଆବଶ୍ୟକ। ଏପରି ସ୍ଥିତିରେ ପେସ୍ ରାଜ୍ୟ ୟୁନିଟ୍ର ପ୍ରତିନିଧି ଭାବେ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିପାରି ନଥାନ୍ତେ। ତେଣୁ ତାଙ୍କୁ ଏସ୍ଓଏମ୍ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ କରିବା ଜରୁରୀ ଥିଲା। ଏବେ ସେ ନଭେମ୍ବର ୨୭ରେ ହେବାକୁ ଥିବା ଏଆଇଟିଏ ନିର୍ବାଚନରେ ବେଙ୍ଗଲର ପ୍ରତିନିଧି ଭାବେ ଭାଗ ନେଇପାରନ୍ତି।
ଏସ୍ଓଏମ୍ ନିର୍ବାଚନ ପାଇଁ ଭୂପତି ଓ ସାନିଆଙ୍କ ବ୍ୟତୀତ ଅନ୍ୟ ୬ ପୂର୍ବତନ ଖେଳାଳି ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଙ୍କିତା ଭାମ୍ବ୍ରୀ, ବର୍ତ୍ତମାନର ଡେଭିସ୍ କପ୍ କୋଚ୍ ଆଶୁତୋଷ ସିଂହ, ଗୌରବ ନାତେକର, ଜାନକୀ କୃଷ୍ଣମୂର୍ତ୍ତି, ଶାଳିନୀ ଠାକୁର ଚାୱଲା ଏବଂ ଭାରତୀୟ ବିଲି ଜିନ୍ କିଙ୍ଗ୍ କପ୍ ଟିମ୍ର କ୍ୟାପ୍ଟେନ୍ ବିଶାଲ ଉପ୍ପଲ୍ ସାମିଲ। ସେହିପରି ଏଗ୍ଜିକ୍ୟୁଟିଭ୍ କମିଟି ପ୍ରତିନିଧି ପାଇଁ ୫ ପ୍ରାର୍ଥୀ ପ୍ରାର୍ଥିପତ୍ର ଦଖଲ କରିଛନ୍ତି। ଏମାନଙ୍କ ମଧ୍ୟରେ ମହେଶ ଭୂପତି, ସାନିଆ ମିର୍ଜା, ଅଙ୍କିତା ଭାମ୍ବ୍ରୀ, ଜାନକୀ କୃଷ୍ଣମୂର୍ତ୍ତି ଏବଂ ବିଶାଲ ଉପ୍ପଲ ସାମିଲ।


