Categories
ଆଜିର ଖବର ଜାତୀୟ ଖବର

ସିଆରପିଏଫ୍ ର ୮୪ ତମ ସ୍ଥାପନା ଦିବସ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଛତିଶଗଡର ଜଗଦଲପୁର ଠାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍) ର ୮୪ ତମ ସ୍ଥାପନା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ମଧ୍ୟ ପ୍ୟାରେଡର ଅଭିବାଦନ ଗ୍ରହଣ କରିଛନ୍ତି।  ଅମିତ ଶାହା ମଧ୍ୟ ସ୍ଥାନୀୟ ଭାଷା ହାଲବିରେ ବସ୍ତର ଡିଭିଜନ ପାଇଁ ପ୍ରସାର ଭାରତୀର ସମ୍ବାଦ ବୁଲେଟିନ୍ ପ୍ରସାରଣକୁ ଉଦ୍ଘାଟନ କରିଥିଲେ।

ଅମିତ ଶାହ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଛତିଶଗଡ ଠାରେ ସିଆର୍ପିଏଫ୍ ପ୍ରତିଷ୍ଠା ହେବା ପରେ ଏବଂ ବାମପନ୍ଥୀ ଉଗ୍ରବାଦ ସମସ୍ୟା ଆରମ୍ଭ ହେବା ପର ଠାରୁ ପ୍ରଥମ ଥର ପାଇଁ ଏହି ଦିନ ପାଳନ କରାଯାଉଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ବହୁତ ଖୁସିର ବିଷୟ। ସେ କହିଛନ୍ତି ଯେ ଛତିଶଗଡରେ ବାମପନ୍ଥୀ ଉଗ୍ରବାଦକୁ ଶେଷ କରିବା ପାଇଁ ଅଭିଯାନ ସମୟରେ ୭୬୩ ସିଆର୍ପିଏଫ୍ କର୍ମଚାରୀ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ଆଜି ବାମପନ୍ଥୀ ଉଗ୍ରବାଦ ବିରୋଧରେ ଆମର ସଂଗ୍ରାମ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଅଛି, ଯେଉଁଥି ପାଇଁ ସହିଦ ଯବାନମାନେ ଅତୁଳନୀୟ ଅବଦାନ ଦେଇଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ହେଉ କିମ୍ବା ଉତ୍ତର ପୂର୍ବାଂଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ହେଉ କିମ୍ବା ଆଦିବାସୀ ମାନଙ୍କର ବିକାଶ ନିମନ୍ତେ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଲଢ଼ିବା ହେଉ, ସିଆର୍ପିଏଫ୍ ଯବାନମାନେ ପ୍ରତ୍ୟେକ କ୍ଷେତ୍ରରେ ଅତୁଳନୀୟ ବୀରତ୍ୱ ଏବଂ ସାହସିକତା ପ୍ରଦର୍ଶନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ସିଆର୍ପିଏଫ୍ର ସ୍ୱର୍ଣ୍ଣିମ ଇତିହାସ ସମସ୍ତ ଯବାନ ମାନଙ୍କର ସାହସିକତା, ବୀରତ୍ୱ ଏବଂ ବଳିଦାନର ଭାବନା ଦ୍ୱାରା ଚିହ୍ନିତ ହୋଇଛି। ଶ୍ରୀ ଶାହ କହିଛନ୍ତି ଯେ, ଆଜି ଏଠାରେ ସିଆର୍ପିଏଫ୍ର ୧୭୪ କୋଟି ଟଙ୍କା ମୂଲ୍ୟର ତିନୋଟି ବିକାଶମୂଳକ ପ୍ରକଳ୍ପ ମଧ୍ୟ ଆରମ୍ଭ କରାଯାଇଛି।

ସେ କହିଛନ୍ତି ଯେ, ଆକାଶବାଣୀ ଆଜି ଠାରୁ ହାଲବି ଭାଷାରେ ପ୍ରସାର ଭାରତୀର ସାପ୍ତାହିକ ଖବର ବୁଲେଟିନ୍ ଆରମ୍ଭ କରିଛି। ଛତିଶଗଡ ଠାରେ ଆଦିବାସୀ ଭାଷାରେ ପ୍ରଥମ ସମ୍ବାଦ ବୁଲେଟିନ୍ ଆରମ୍ଭ କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଏହା କେବଳ ଆମର ସ୍ଥାନୀୟ ଭାଷାକୁ ମଜବୁତ କରିବ ନାହିଁ, ବରଂ ଏହି ଅଂଚଳରେ ବାସ କରୁଥିବା ଲୋକମାନେ ସମଗ୍ର ବିଶ୍ୱର ଖବର ପାଇପାରିବେ ଏବଂ ଦେଶ ଏବଂ ବିଶ୍ୱ ସହିତ ଯୋଡି ହୋଇପାରିବେ।

ଅମିତ ଶାହ କହିଛନ୍ତି ଯେ, ଆଜି ସିଆରପିଏଫ୍ ମହିଳା ମୋଟରସାଇକେଲ ଦଳକୁ ସବୁଜ ପତାକା ଦେଖାଇବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି ୭୫ ଜଣ ମହିଳା ଯବାନ ୩୮ଟି ମୋଟର ସାଇକେଲରେ ୧୮୪୮ କିଲୋମିଟର ଯାତ୍ରା ଶେଷ କରିବା ପରେ ଆଜି ଏଠାରେ ପହଞ୍ଚିଛନ୍ତି। ସେମାନେ ଏହି ଯାତ୍ରା ୯ ମାର୍ଚ୍ଚ ୨୦୨୩ ରେ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ଏହି ମହିଳା ଯବାନ ମାନଙ୍କର ସାହସିକତା ସାରା ଦେଶରେ ନାରୀ ଶକ୍ତିର ବାର୍ତ୍ତା ବିସ୍ତାର କରିବାରେ ସହାୟକ ହେବ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ, ୨୭ ଜୁଲାଇ, ୧୯୩୯ ରେ ସିଆର୍ପିଏଫ୍ ପ୍ରତିଷ୍ଠା କରାଯାଇଥିଲା, କିନ୍ତୁ ଏହି ବଳକୁ ଲୌହ ମାନବ ତଥା ଦେଶର ପ୍ରଥମ ଗୃହ ମନ୍ତ୍ରୀ ସର୍ଦ୍ଦାର ପଟେଲ ଆଧୁନିକ ରୂପ ପ୍ରଦାନ କରିଥିଲେ। ସେ କହିଛନ୍ତି ଯେ ୧୯୪୯ ମସିହା ଡିସେମ୍ବର ୨୮ ତାରିଖରେ ସର୍ଦ୍ଦାର ପଟେଲ ଏହାର ନାମ ପରିବର୍ତ୍ତନ କରି କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ରଖିଥିଲେ ଏବଂ ୧୯୫୦ ମସିହା ମାର୍ଚ୍ଚ ୧୯ ତାରିଖରେ ସେ ଏହି ଫୋର୍ସକୁ ସଙ୍କେତ ପ୍ରଦାନ କରିଥିଲେ। ଶ୍ରୀ ଶାହ କହିଛନ୍ତି ଯେ ଗୋଟିଏ ବାଟାଲିୟନରୁ ଆରମ୍ଭ ହୋଇଥିବା ଏହି ବାହିନୀ ଆଜି ଦେଶର ସବୁଠାରୁ ବଡ ସିଆର୍ପିଏଫ୍ ଅଟେ, ଏଥିରେ ୨୪୬ ବାଟାଲିୟନ, ୪ ଟି ଜୋନାଲ ମୁଖ୍ୟାଳୟ, ୨୧ ସେକ୍ଟର ମୁଖ୍ୟାଳୟ, ୨ ଅପରେସନ୍ ସେକ୍ଟର ମୁଖ୍ୟାଳୟ, ୧୭ ଅପରେସନ୍ ରେଞ୍ଜ, ୪୨ ଟି ପ୍ରଶାସନିକ ରେଞ୍ଜ ଏବଂ ୩.୨୫ ଲକ୍ଷରୁ ଅଧିକ କର୍ମଚାରୀ ଅଛନ୍ତି।

ଅମିତ ଶାହ ଏହା ମଧ୍ୟ କହିଛନ୍ତି ଯେ ୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦାଖର ହଟ୍ ସ୍ପ୍ରିଙ୍ଗରେ ଚାଇନା ସେନା ସହିତ ଲଢ଼ୁଥିବାବେଳେ ସିଆର୍ପିଏଫ୍ ଯବାନମାନେ ଅଦମ୍ୟ ସାହସ ଏବଂ ବଳିଦାନର ଭାବନା ପ୍ରଦର୍ଶନ କରିଥିଲେ ଏବଂ ସହିଦ ହୋଇ ଯାଇଥିଲେ। ସେମାନଙ୍କର ପ୍ରାଣବଳିକୁ ଅମର କରିବା ପାଇଁ ଦେଶ ୨୧ ଅକ୍ଟୋବରକୁ ପୁଲିସ୍ ସ୍ମୃତି ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଚାଣକ୍ୟପୁରୀ ଠାରେ ଜାତୀୟ ପୁଲିସ ସ୍ମାରକୀ ନିର୍ମାଣ କରାଇଛନ୍ତି ଯେଉଁଠାରେ ପ୍ରତିବର୍ଷ ୨୧ ଅକ୍ଟୋବରରେ ସହିଦ ପୁଲିସ କର୍ମଚାରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ। ସେ କହିଛନ୍ତି ଯେ ୧୯୬୫ ମସିହା ଏପ୍ରିଲ ୯ ତାରିଖରେ, ସିଆର୍ପିଏଫ୍ ସାହସର ସହିତ କଚ୍ଛ ମରୁଭୂମିରେ ସର୍ଦ୍ଦାର ପୋଷ୍ଟ ଠାରେ ପାକିସ୍ତାନୀ ସେନାକୁ ଉପଯୁକ୍ତ ଉତ୍ତର ଦେଇଥିଲା ଏବଂ ଏହି ଦିବସକୁ ପାଳନ କରିବା ପାଇଁ ୯ ଏପ୍ରିଲକୁ ସାରା ଦେଶରେ ଶୌର୍ଯ୍ୟ ଦିବସ ଭାବରେ ପାଳନ କରାଯାଇଥାଏ।

ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ସୁରକ୍ଷା ବାହିନୀ ଗତ ୯ ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଏକ ନିର୍ଣ୍ଣାୟକ ଯୁଦ୍ଧ କରିଛି ଏବଂ ବିପୁଳ ସଫଳତା ହାସଲ କରିଛି। ସେ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦୀ ମାନଙ୍କ ଯୋଗୁଁ ବିକାଶର ମାର୍ଗରେ ଦେଖା ଦେଇଥିବା ପ୍ରତିବନ୍ଧକକୁ ହଟାଇବାରେ ସିଆର୍ପିଏଫ୍ ସକ୍ଷମ ହୋଇଛି। ଶ୍ରୀ ଶାହ ସୂଚନା ଦେଇଛନ୍ତି ଯେ ସମସ୍ତ ସମସ୍ୟା କ୍ଷେତ୍ର ଗୁଡିକରେ ସିଆର୍ପିଏଫ୍ ସ୍ଥାନୀୟ ପୁଲିସ ସହିତ ମିଶି ସେମାନଙ୍କୁ ଉତ୍ସାହିତ କରି ଏକ ଅତୁଳଣୀୟ ଶକ୍ତି ସୃଷ୍ଟି କରି ଏହାର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରିଥିଲା।

କେନ୍ଦ୍ର ଗୃହ ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦ ସହ ଜଡିତ ହିଂସା ଘଟଣା ୨୦୧୦ ମସିହାରେ ଚରମ ସୀମାରେ ପହଂଚିଥିବା ବେଳେ ତାହା ୭୬% ହ୍ରାସ ପାଇଛି ଏବଂ ଜୀବନ ହାନି ମଧ୍ୟ ପ୍ରାୟ ୭୮% ହ୍ରାସ ପାଇଛି। ଏହା ବ୍ୟତୀତ ବାମପନ୍ଥୀ ଉଗ୍ରବାଦୀ ମାନଙ୍କୁ ଆନ୍ତଃ ରାଜ୍ୟ ସୀମାର ଫାଇଦା ଉଠେଇବା କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇବା ପାଇଁ ସିଆର୍ପିଏଫ୍ ବିଭିନ୍ନ ରାଜ୍ୟ ପୁଲିସ୍ ସହିତ ମିଳିତ ଟାସ୍କଫୋର୍ସ ମଧ୍ୟ ଗଠନ କରିଛି। ସେ କହିଛନ୍ତି ଯେ ଆଜି ବୁଢ଼ା ପାହାଡ, ଚକରବନ୍ଧ ଏବଂ ପାଶ୍ୱର୍ନାଥ ଟ୍ରାଇ ଜଙ୍କସନକୁ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ କରାଯାଇ ଦେଶର ମୁଖ୍ୟ ସ୍ରୋତକୁ ଅଣାଯାଇଛି ଏବଂ ଆଜି ସେଠାରେ ସମସ୍ତ ବିକାଶମୂଳକ କାର୍ଯ୍ୟ ଚାଲିଛି। ଶ୍ରୀ ଶାହ କହିଛନ୍ତି ଯେ ବିହାର ଏବଂ ଝାଡଖଣ୍ଡରେ ସୁରକ୍ଷା ଶୂନ୍ୟସ୍ଥାନ ଶେଷ ହେବାକୁ ଯାଉଛି ଏବଂ ଏହା କେବଳ ସାହସୀ ସିଆର୍ପିଏଫ୍ ଯବାନ ଏବଂ ପୁଲିସ ବାହିନୀର ମିଳିତ ଶକ୍ତି ହେତୁ ସମ୍ଭବ ହୋଇ ପାରିଛି। ସେ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦୀଙ୍କ ଆର୍ଥିକ ଉତ୍ସକୁ ରୋକିବା ପାଇଁ ସରକାର ଏନଆଇଏ ଏବଂ ଇଡି ଦ୍ୱାରା ମାମଲା ପଞ୍ଜିକରଣ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ବର୍ତ୍ତମାନ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ପାରୁଛି। ସେ କହିଛନ୍ତି ଯେ ବିକାଶ ପାଇଁ ମଞ୍ଜୁର ହୋଇଥିବା ୭୦,୦୦୦ କିଲୋମିଟର ରାସ୍ତା ମଧ୍ୟରୁ ୧୧,୦୦୦ କିଲୋମିଟର ରାସ୍ତା କାର୍ଯ୍ୟ ସମାପ୍ତ ହୋଇସାରିଛି , ୨୩୪୩ ଟି ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି, ପ୍ରାଥମିକ କ୍ଷେତ୍ରରେ ଏକଲବ୍ୟ ସ୍କୁଲ ଖୋଲା ଯାଉଛି, ମାତ୍ର ୫ ବର୍ଷ ମଧ୍ୟରେ ୧୨୫୮ ଟି ବ୍ୟାଙ୍କ ଶାଖା ଖୋଲାଯାଇଛି, ୧୩୪୮ଟି ଏଟିଏମ୍ ଖୋଲା ଯାଇଛି, ଦକ୍ଷତା ବିକାଶ ଯୋଜନା ଅଧୀନରେ ୪୭ ଟି ଆଇଟିଆଇ ଏବଂ ୬୮ ଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲିବାର କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସିଆର୍ପିଏଫ୍ ଏବଂ ସ୍ଥାନୀୟ ପୁଲିସର ନେତୃତ୍ୱରେ ସରକାରଙ୍କ ମିଳିତ ଉଦ୍ୟମ ଯୋଗୁଁ ଏହି କ୍ଷେତ୍ରରେ ବିକାଶର ଗତି ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ସିଆର୍ପିଏଫ୍ ଯବାନଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଛତିଶଗଡ ବସ୍ତରିଆ ବାଟାଲିୟନରେ ୪୦୦ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି, ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ରାସ୍ତା ନିର୍ମାଣ କରାଯାଇଛି ଏବଂ ୩୯୮ ଟି ବଡ଼ ଏବଂ ଛୋଟ ସେତୁ ନିର୍ମାଣରେ ସିଆର୍ପିଏଫ୍ ମଧ୍ୟ ସହଯୋଗ କରିଛି। ସେ କହିଛନ୍ତି ଯେ ୨୫ ଲକ୍ଷରୁ ଅଧିକ ତିରଙ୍ଗା ଉତ୍ତୋଳନ କରି ହର ଘର ତିରଙ୍ଗା ଅଭିଯାନଙ୍କୁ ସଫଳତା ଦେବାରେ ସିଆର୍ପିଏଫ୍ ମଧ୍ୟ ସହଯୋଗ କରିଛି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସିଆର୍ପିଏଫ୍ର ଆଧୁନିକୀକରଣ ଉପରେ ଅନେକ ଧ୍ୟାନ ଦିଆଯାଇଛି। ସେ କହିଛନ୍ତି ଯେ କେବଳ ୨୦୨୨ – ୨୩ ମସିହାରେ ୧୪ ଟି ପ୍ରକଳ୍ପ ଶେଷ ହୋଇଛି। ଜଗଦଲପୁର ଠାରେ ଟ୍ରମା କେନ୍ଦ୍ର ଏବଂ ବାଟାଲିୟନରେ ମୌଳିକ ସୁବିଧା ଯୋଗାଇବା ପାଇଁ ସିଆର୍ପିଏଫ୍ ନିମନ୍ତେ ୪୩୦୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗୃହ ସନ୍ତୁଷ୍ଟି ଅନୁପାତ ବୃଦ୍ଧି କରିବାକୁ ପ୍ରାୟ ୧୧,୦୦୦ ଘର ନିର୍ମାଣ କରାଯାଇଛି ଏବଂ ସିଆର୍ପିଏଫ୍ ପାଇଁ ୨୮,୫୦୦ ଅଧିକ ଘର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି।

ପ୍ରଧାନମନ୍ତ୍ରୀଙ୍କ ଛାତ୍ରବୃତ୍ତି ଯୋଜନା ଅଧୀନରେ ପ୍ରତି ମାସରେ ଝିଅ ମାନଙ୍କୁ ୩୦୦୦ ଟଙ୍କା ଏବଂ ପୁଅ ମାନଙ୍କୁ ୨୫୦୦ ଟଙ୍କା ମଧ୍ୟ ପ୍ରଦାନ କରାଯାଉଛି।

ଅମିତ ଶାହା ସିଆରପିଏଫ୍ ଯବାନ ମାନଙ୍କୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ସେମାନଙ୍କୁ ପ୍ରତ୍ୟେକ ସୁବିଧା ଯୋଗାଇବା ପାଇଁ ଏବଂ ସେମାନଙ୍କ ସମସ୍ୟାର ସମାଧାନ କରିବା ନିମନ୍ତେ ସେମାନଙ୍କ ସହିତ ଠିଆ ହୋଇଛନ୍ତି। ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ସିଆର୍ପିଏଫ୍ର ୮୪ ବର୍ଷର ଗୌରବମୟ ଇତିହାସକୁ ଆହୁରି ଦୃଢ଼ କରୁଥିବାବେଳେ ବାମପନ୍ଥୀ ଉଗ୍ରବାଦକୁ ସମ୍ପୂର୍ଣ୍ଣରୂପେ ବିଲୋପ ନହେବା ପର୍ଯ୍ୟନ୍ତ ଏହି ଶକ୍ତି ଉତ୍ସର୍ଗୀକୃତ ହୋଇ ମାଆ ଭାରତୀଙ୍କ ସେବା ଜାରି ରଖିବ।

Categories
ଆଜିର ଖବର ଜାତୀୟ ଖବର

“କାଶୀ ତାମିଲ ସଙ୍ଗମମ” ଭାରତୀୟ ସଂସ୍କୃତିର ଏକତାକୁ ପୁନର୍ଜୀବିତ କରିଛି: ଅମିତ ଶାହ

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “କାଶୀ ତାମିଲ୍ ସଙ୍ଗମମ କାର୍ଯ୍ୟକ୍ରମ” ମାଧ୍ୟମରେ ଭାରତୀୟ ସଂସ୍କୃତିର ଏକତାକୁ ପୁନର୍ଜୀବିତ କରିଛନ୍ତି ବୋଲି ଶୁକ୍ରବାର ବାଣରାସୀ ଠାରେ ଏହି କାର୍ଯ୍ୟକ୍ରମର ଉଦଯାପନ ସମାରୋହରେ ଯୋଗଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି।

ଗୃହ ମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ଯେ କାଶୀ ତାମିଲ ସଙ୍ଗମମ ଭଳି ଉତ୍ସବ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଆୟୋଜନ କରିବାର ଆବଶ୍ୟକତା ଥିଲା। ମାତ୍ର ଅନେକ ବର୍ଷ ପର୍ଯ୍ୟନ୍ତ ଏପରି ହେଲା ନାହିଁ। ଆମ ସଂସ୍କୃତିର ଏକତା, ଐତିହ୍ୟର ବିବିଧତା ଏବଂ ଭିନ୍ନ ଭିନ୍ନ ସଂସ୍କୃତିରେ ଭାରତୀୟତା ଆତ୍ମାର ଏକୀକରଣକୁ ପୁନର୍ଜୀବିତ କରିବାର ଆବଶ୍ୟକତା ଥିଲା। ଆଜାଦୀ କା ଅମୃତ ମହୋତ୍ସବ ସମୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ଆମ ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ ବୋଲି ଶ୍ରୀ ଶାହ କହିବା ସହ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ଏକ ମାସ ବ୍ୟାପୀ କାଶୀ ତାମିଲ ସଙ୍ଗମମ ଦୁଇ ରାଜ୍ୟର ଲୋକଙ୍କ ଏକତା ଏବଂ ବିଚାରକୁ ମଜଭୂତ୍ କରିଛି। ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ନୂଆ ଉନ୍ମାଦନା ଦେବା ସହ ଐତିହ୍ୟ, ଆଧ୍ୟାତ୍ମିକତା, ସଂସ୍କୃତି ଏବଂ ଜ୍ଞାନକୁ ବଢାଇବା ପାଇଁ ନୂଆ ଗତି ଦେଇଛି। କାଶୀ ତାମିଲ ସଙ୍ଗମମରେ ବିଭିନ୍ନ ବର୍ଗର ଜନସାଧାରଣଙ୍କ ଅଂଶଗ୍ରହଣ ପ୍ରଶଂସନୀୟ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଐତିହାସିକ କ୍ୟାମ୍ପସରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣ, କାଶୀ ଓ ତାମିଲନାଡୁର ୧୫୦୦ ରୁ ଉର୍ଦ୍ଧ୍ୱ କଳାକାର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ, ହସ୍ତକଳା, ସାହିତ୍ୟ, କଳା ଓ ବ୍ୟଞ୍ଜନର ପ୍ରଦର୍ଶନୀ ଅଭୂତପୂର୍ବ। ଏଥିରେ ବିଭିନ୍ନ ବର୍ଗର ଲୋକଙ୍କର ଯୋଗଦାନ କାଶୀ ତାମିଲ କାର୍ଯ୍ୟକ୍ରମର ସଫଳତାକୁ ଦର୍ଶାଉଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଐତିହାସିକ କାଶୀ ତାମିଲ ସଙ୍ଗମମର ସଫଳତା ପାଇଁ କାଶୀ ଏବଂ ତାମିଲନାଡୁର ନାଗରିକ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଆଇଆଇଟି ମାଡ୍ରାସ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖନୀୟ ଯେ, ଏହି ଉଦଯାପନୀ ସମାରୋହରେ ତାମିଲନାଡୁର ରାଜ୍ୟପାଳ ରବିନ୍ଦ୍ର ନାରାୟଣ ରବି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଏଲ. ମୁରୁଗନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଦେଶରେ ପ୍ରଥମ ଥର ପାଇଁ ହିନ୍ଦୀ ଭାଷାରେ ଡାକ୍ତରୀ ପାଠ୍ୟକ୍ରମ ଆରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ମଧ୍ୟପ୍ରଦେଶର ଭୋପାଳ ଠାରେ ଦେଶରେ ପ୍ରଥମ ଥର ପାଇଁ ହିନ୍ଦୀ ଭାଷାରେ ଡାକ୍ତରୀ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।

ତାଙ୍କ ବକ୍ତବ୍ୟରେ, କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ଏହି ଦିନଟି ସ୍ୱାଧୀନତାର ଅମୃତ ମହୋତ୍ସବ ବର୍ଷରେ ଚିକିତ୍ସା କ୍ଷେତ୍ର ନିମନ୍ତେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବର୍ଷ, ସମୟ ଆସିବ ଏହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ। ଆଜି ଦେଶର ଶିକ୍ଷା କ୍ଷେତ୍ରର ପୁର୍ନନିର୍ମାଣର ଦିନ ବୋଲି ସେ କହିଥିଲେ। ଶ୍ରୀ ଶାହ କହିଥିଲେ ଯେ, ପ୍ରାଥମିକ,  ବୈଷୟିକ ଏବଂ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ମାତୃଭାଷାକୁ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଶିକ୍ଷା ନୀତିରେ ଏକ ବଡ଼ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକ୍ତରୀ ଶିକ୍ଷା ଏବଂ ବୈଷୟିକ ଶିକ୍ଷାକୁ ଆଂଚଳିକ ଭାଷା, ଯଥା -: ହିନ୍ଦୀ, ତାମିଲ୍‌, ତେଲୁଗୁ, ମାଲାୟଲମ୍‌, ଗୁଜରାଟୀ, ବେଙ୍ଗଲୀ ଭାଷାରେ ଶିକ୍ଷଶ ପ୍ରଦାନ କରିବାକୁ ଆହ୍ୱାନ ଦେଇଛନ୍ତି ଏବଂ ଶ୍ରୀ ମୋଦୀଙ୍କର ଏହି ଇଚ୍ଛାକୁ ପୂରଣ କରିବାରେ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧୀନ ମଧ୍ୟପ୍ରଦେଶର ସରକାର ହେଉଛନ୍ତି ଦେଶରେ ପ୍ରଥମ।

ଅମିତ ଶାହ କହିଥିଲେ ଯେ ଆଜି ଡାକ୍ତରୀ ଶିକ୍ଷା ହିନ୍ଦୀ ଭାଷାରେ ଆରମ୍ଭ ହେଉଛି ଏବଂ ବହୁତ ଶୀଘ୍ର ବୈଷୟିକ ଶିକ୍ଷାର ବହି ଗୁଡିକ ସାରା ଦେଶରେ ଆଠ ଗୋଟି ଭାଷାରେ ଉପଲବ୍ଧ ହେବ ଏବଂ ଖୁବ୍ ଶୀଘ୍ର ସାରା ଦେଶରେ ଛାତ୍ରଛାତ୍ରୀ  ମାନେ ବୈଷୟିକ ଶିକ୍ଷା ଏବଂ ଡାକ୍ତରୀ ଶିକ୍ଷା ସେମାନଙ୍କ ନିଜ ମାତୃଭାଷାରେ ଲାଭ କରି ପାରିବେ। ସେ କହିଥିଲେ ଯେ, ଆଜି ଠାରୁ ଏହି ଦିନଟି ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଛାତ୍ରଛାତ୍ରୀ  ମାନେ ନିଜ ମାତୃଭାଷାରେ  କେବଳ ବୈଷୟିକ ଏବଂ ଡାକ୍ତରୀ ଶିକ୍ଷା ଗ୍ରହଣ କରିବେ ନାହିଁ, ବରଂ ନିଜ ଭାଷାରେ ଗବେଷଣା  ମଧ୍ୟ କରି ପାରିବେ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନୂତନ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ମଧ୍ୟ ପ୍ରଦେଶ ହେଉଛି ପ୍ରଥମ ରାଜ୍ୟ ଏବଂ ଏହାକୁ ଖୁବ୍ ଭଲ ଭାବେ ମଧ୍ୟ କାର୍ଯ୍ୟକାରୀ କରି ପାରିଛି। ଶ୍ରା ଶାହ କହିଥିଲେ ଯେ, ଚିନ୍ତା କରିବାର ପ୍ରକ୍ରିୟା ଅର୍ଥାତ୍ ସୃଜନଶୀଳତାର ପ୍ରକ୍ରିୟା ମାତୃ ଭାଷାରେ  ଉତ୍ତମ ରୂପେ ହୋଇ ପାରିବ ଏବଂ ମାତୃ ଭାଷାରେ କୁହା ଯାଉଥିବା କଥା ହୃଦୟକୁ ଭଲ ଭାବେ ଛୁଇଁଥାଏ। ସେ କହିଥିଲେ ଯେ, ମସ୍ତିଷ୍କ ନିଜର ମାତୃ ଭାଷାରେ ଚିନ୍ତା କରିବା, ସଂଶୋଧନ କରିବା, ଗବେଷଣା କରିବା, ତର୍କ କରିବା, ବିଷ୍ଲେଶଣ କରିବା ଏବଂ ପରିଶେଷରେ ନିର୍ଣ୍ଣୟରେ ପହଂଚିବାର ପ୍ରକ୍ରିୟା କରିଥାଏ। ସେ କହିଥିଲେ ଯେ, ଯଦି ମାତୃଭାଷାରେ ଅଧ୍ୟୟନ ଏବଂ ଗବେଷଣା କରାଯାଏ, ତେବେ ଭାରତୀୟ ଛାତ୍ର ଅନ୍ୟ କୌଣସି ଦେଶର ଛାତ୍ର ମାନଙ୍କ ଠାରୁ କୌଣସି ଗୁଣରେ କମ୍ ଦକ୍ଷ ନୁହନ୍ତି, ସେମାନେ ଗବେଷଣା କ୍ଷେତ୍ରରେ ଭାରତର ନାମକୁ ନିଶ୍ଚିତ ରୂପେ ଉଜ୍ଜ୍ୱଳ କରିବେ।

ଅମିତ ଶାହ କହିଥିଲେ ଯେ, ଏକ ବିଂଶ ଶତାବ୍ଦୀରେ କେତେକ ଶକ୍ତି ବ୍ରେନ୍ ଡ୍ରେନ୍ ସିଦ୍ଧାନ୍ତ ଗ୍ରହଣ କରିଥିଲେ ଏବଂ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସିଦ୍ଧାନ୍ତକୁ ବ୍ରେନ୍ ଗେନ୍ ସିଦ୍ଧାନ୍ତରେ ପରିବର୍ତ୍ତନ କରୁଛନ୍ତି। ସେ କହିଥିଲେ, ଆଜି ଶ୍ରୀ ମୋଦୀଙ୍କର ନେତୃତ୍ୱରେ ନୂତନ ଶିକ୍ଷା ନୀତି ଆମର ଭାଷାକୁ ଗୁରୁତ୍ୱ ଦେବା ଆରମ୍ଭ କରିଛି। ଆମେ ଦେଶରେ ଜେଇଇ, ଏନ୍‌ଇଇଟି ଏବଂ ୟୁଜିସି ପରୀକ୍ଷା ଗୁଡିକୁ ୧୨ଟି ଭାଷାରେ  ଆୟୋଜିତ କରିବା ଆରମ୍ଭ କରି ଦେଇଛୁ। ସମାନ ରୂପରେ, କମନ ୟୁନିଭର୍ସିଟି ଏଂଟ୍ରାନ୍ସ ଟେଷ୍ଟ ୧୩ଟି ଭାଷାରେ ଆରମ୍ଭ ହେବାକୁ ଯାଉଛି ଏବଂ ୧୦ଟି ରାଜ୍ୟ ତାମିଲ୍‌, ତେଲୁଗୁ, ମରାଠୀ, ବଙ୍ଗାଳୀ, ମାଲାୟଲମ୍ ଏବଂ ଗୁଜରାଟୀ ଭାଷାରେ ଅବୁଦାଦ କରି ବୈଷୟିକ ପାଠ୍ୟକ୍ରମକୁ ପଢ଼ାଇବା ଆରମ୍ଭ କରି ଦେଇଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ନିଜ ଭାଷାରେ ଶିକ୍ଷା ଲାଭ କରିବା ନିଶ୍ଚିତ ରୂପରେ ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତାକୁ ବୃଦ୍ଧି କରିବ। ସେ କହିଥିଲେ, ସାରା ଦେଶର ଛାତ୍ରଛାତ୍ରୀ  ମାନେ ସେମାନଙ୍କର ଭାଷାକୁ ନେଇ ରହିଥିବା ହୀନମନ୍ୟତାରୁ ବାହାରକୁ ବାହାରି ଆସିବା ଉଚିତ୍‌, କାରଣ ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ସରକାର ଚାଲିଛି ଏବଂ ସେମାନେ ନିଜ ଦକ୍ଷତାକୁ ନିଜ ମାତୃଭାଷାରେ ପ୍ରଦର୍ଶନ କରି ପାରିବେ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଯେତେବେଳେ ଆମ ଦେଶର ସରକାରୀ ଭାଷା – ହିନ୍ଦୀ ଭାଷାରେ ବିଶ୍ୱ ସ୍ତରୀୟ ମଂଚରେ  କଥାବାର୍ତ୍ତା କରନ୍ତି ସେତେବେଳେ ସେ ବିଶ୍ୱ ପାଇଁ ଏକ ବାର୍ତ୍ତା ଦେଇଥାନ୍ତି, ଯେତେବେଳେ ଶ୍ରୀ ମୋଦୀ ବିଶ୍ୱ ସ୍ତରୀୟ ମଂଚରେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରନ୍ତି, ସେତେବେଳେ ଆମର ଯୁବକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ।

ଶୀ ଶାହ ସୂଚନା ଦେଇଥିଲେ ଯେ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ବୈଷୟିକ ଏବଂ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ କରିଛନ୍ତି। ସେ  ଏହା ମଧ୍ୟ କହିଥିଲେ, ୨୦୧୪ ମସିହାରେ ଦେଶରେ ୩୮୭ ମେଡିକାଲ୍ କଲେଜ ଥିଲା ଏବଂ ଆଜି ସେଗୁଡିକର ସଂଖ୍ୟା ବୃଦ୍ଧି ପାଇ ୫୯୬ ହୋଇଛି, ଏମ୍‌ବିବିଏସ୍  ଆସନ ସଂଖ୍ୟା ୫୧,୦୦୦ ରୁ ୭୯,୦୦୦କୁ ବୃଦ୍ଧି ହୋଇଛି, ଆଇଆଇଟି ସଂଖ୍ୟା ପୂର୍ବରୁ ୧୬ ଥିବା ବେଳେ ବର୍ତ୍ତମାନ ୨୩ ହୋଇଛି, ଆଇଆଇଏମ୍ ଗୁଡିକର ସଂଖ୍ୟା ୧୩ ରୁ ୨୦ ଏବଂ ଆଇଆଇଆଇଟି ସଂଖ୍ୟା ୯ ରୁ ୨୫ କୁ ବୃଦ୍ଧି ପାଇଛି। ୨୦୧୪ ମସିହାରେ, ଭାରତରେ ୭୨୩ଟି  ବିଶ୍ୱ ବିଦ୍ୟାଳୟ ଥିଲା ଏବଂ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଶ୍ୱ ବିଦ୍ୟାଳୟ ଗୁଡିକର ସଂଖ୍ୟା ୧,୦୪୩ ରହିଛି। ଶ୍ରୀ ମୋଦୀଙ୍କ ନୂତନ ଶିକ୍ଷା ନୀତି ମାଧ୍ୟମରେ ଆମର ଭାଷାକୁ ନେଇ ରହିଥିବା ଆତ୍ମାଭିମାନକୁ ପୁନସ୍ଥାପନ କରିବା ଏବଂ ଦେଶରେ ବୈଷୟିକ ଶିକ୍ଷା, ଡାକ୍ତରୀ  ଶିକ୍ଷା ଏବଂ ଆଇନ ଅଧ୍ୟୟନ ପାଇଁ ପଦକ୍ଷେପ ଗ୍ରହଣ କରିବା କାରଣରୁ ଏକ ଶିକ୍ଷା ଭିତ୍ତିକ ବିପ୍ଳବ ସୃଷ୍ଟି ହେବାକୁ ଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ।

ଶ୍ରୀ ଶାହ କହିଥିଲେ ଯେ, ଇଂରାଜୀ ଭାଷାର ପ୍ରଚାର ପ୍ରସାର କରୁଥିବା ଲୋକମାନେ ଭାଷାକୁ ବୌଦ୍ଧିକ କ୍ଷମତା ସହିତ ଯୋଡି ଦେଇଛନ୍ତି,  କିନ୍ତୁ ଭାଷା ଏବଂ ବୌଦ୍ଧିକ ଦକ୍ଷତା ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଭାଷା କେବଳ ଅଭିବ୍ୟକ୍ତିର ମାଧ୍ୟମ ହୋଇଥିବା ବେଳେ ବୌଦ୍ଧିକ ଦକ୍ଷତା ହେଉଛି ଏକ ପ୍ରାକୃତିକ ଉପହାର, ଯାହା ଶିକ୍ଷା ମାଧ୍ୟମରେ ଉନ୍ନତ ହୋଇପାରିବ ଏବଂ ଯଦି ଶିକ୍ଷା ମାତୃ ଭାଷାରେ ପ୍ରଦାନ କରାଯାଏ ତେବେ, ତାହା ବୌଦ୍ଧିକ କ୍ଷମତାକୁ ଉନ୍ନତ କରିବା କ୍ଷେତ୍ରରେ ବହୁତ ଲାଭଦାୟକ ହେବ।

ସେ କହିଥିଲେ ଯେ, ଆଜିର ଏହି ଆରମ୍ଭ ସହିତ, ବିଶ୍ୱ ସ୍ତରୀୟ ଗବେଷଣା କ୍ଷେତ୍ରରେ ଭାରତ ଆଗକୁ  ବଢ଼ିବ ଏବଂ ଆମର ଛାତ୍ର ମାନଙ୍କର ବୌଦ୍ଧିକ ସାମର୍ଥ୍ୟ ମଧ୍ୟ ବିଶ୍ୱ ଆଗରେ ଉପସ୍ଥାପିତ ହେବ।

****
SSP

 

 

 

 

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁ ଓ କଶ୍ମୀର ସୁରକ୍ଷା ପରିସ୍ଥିତି ଉପରେ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଅମିତ ଶାହ ଆଜି (ତା୧୭.୫.୨୦୨୨) ନୂଆଦିଲ୍ଲୀଠାରେ ଜମ୍ମୁ ଓ କଶ୍ମୀରର ସୁରକ୍ଷା ସମୀକ୍ଷା କରିଛନ୍ତି। ବୈଠକରେ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ଜାତୀୟ ସୁରକ୍ଷା  ପରାମର୍ଶଦାତା ଅଜିତ ଡୋଭାଲ, ସେନାଧ୍ୟକ୍ଷ, ଭାରତ ସରକାର ଏବଂ ଜମ୍ମୁ ଓ କାଶ୍ମୀର ପ୍ରାଶାସନର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

ଶ୍ରୀ ଶାହା ସୁରକ୍ଷାବଳ ଓ ପୁଲିସ ବାହିନୀ ମିଳିମିଶି ଆତଙ୍କ ବିରୋଧୀ କାର୍ଯ୍ୟକଳାପ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଶାହ ଏକ ସମୃଦ୍ଧ ଓ ଶାନ୍ତ ଜମ୍ମୁ ଓ କଶ୍ମୀର ନେଇ ପ୍ରଧାନମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ସୁରକ୍ଷାବଳ କେନ୍ଦ୍ରଶାସିତ ଅଞ୍ଚଳରୁ ଆତଙ୍କବାଦର ମୂଳପୋଛ ସହ ସୀମାପାର ଅନୁପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଯୁବବର୍ଗଙ୍କୁ ନିଜର ମାତୃଭାଷାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଆଜମଗଡ଼: ଉତ୍ତରପ୍ରଦେଶର ଆଜମଗଡ଼ ଠାରେ ୧୦୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଆଜମଗଡ ରାଜ୍ୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବା ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୁବବର୍ଗଙ୍କୁ ମାତୃଭାଷାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି। ଏହି ସମାରୋହରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ଯେ ଯେଉଁ ଦେଶ ନିଜର ଭାଷାକୁ ହରାଇଥାଏ ସେହି ଦେଶ ନିଜର ସଭ୍ୟତା, ସଂସ୍କୃତି ଏବଂ ନିଜର ମୌଳିକ ଚିନ୍ତାଧାରାକୁ ମଧ୍ୟ ହରାଇଦିଏ। ତେଣୁ ଯୁବକମାନେ ନିଜର ମାତୃଭାଷାକୁ ଭଲ ପାଇବା ସହ କୌଣସି ବି ସ୍ଥାନରେ ନିଜର ମାତୃଭାଷା କହିବା ପାଇଁ ଲଜ୍ଜ୍ୟା କରିବା ଅନୁଚିତ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯିବା ଏକ ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି।ସେହିପରି ଶିଳାନ୍ୟାସ ହୋଇଯାଇଥିବା ରାଜ୍ୟ ବିଶ୍ୱବିଦ୍ୟାଳୟ ସମଗ୍ର ପୂର୍ବାଂଚଳର ଯୁବକଙ୍କ
ବରଦାନ ସାବ୍ୟସ୍ତ ହେବ ବୋଲି ଶ୍ରୀ ଶାହ କହିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହି ବିଶ୍ୱବିଦ୍ୟାଳୟ ସ୍ଥାନୀୟ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରି ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାରେ ବଡ଼ ଭୂମିକା ନେବ। ଆଜମଗଡ଼ରେ ଏହି ବିଶ୍ୱବିଦ୍ୟାଳୟର ଭୂମିପୂଜନ ସହ ୨୦୧୭ ନିର୍ବାଚନୀ ଇସ୍ତାହାରରେ କୁହାଯାଇଥିବା ୧୦ ନୂଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାର କାର୍ଯ୍ୟ ପୂରଣ ହୋଇଛି।

ଏହି ବିଦ୍ୟାମନ୍ଦିର ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଲୋକମାନଙ୍କୁ ୪୦ ନୂଆ ମେଡ଼ିକାଲ କଲେଜ ନିର୍ମାଣ କରିବାର ପ୍ରତିଶ୍ରୁତିକୁ ମଧ୍ୟ ପୂରଣ କରିଛନ୍ତି। ଆଜିର ଉତ୍ତରପ୍ରଦେଶ କେବଳ ମାଫିଆରାଜ କିମ୍ବା ଭୟରୁ ମୁକ୍ତ ହୋଇନାହିଁ ବରଂ ଜାତିବାଦ, ବଂଶବାଦ ଏବଂ ତୃଷ୍ଟିକରଣକୁ ପଛରେ ରଖି ସବକା ସାଥ୍‌, ସବକା ବିକାଶ ଏବଂ ସବକା ବିଶ୍ୱାସର ନୀତି ସହ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ରାଜ୍ୟର ଜନତା ୨୦୨୨ରେ ପୁଣି ଥରେ ବିଜେପିକୁ ବିଜୟ କରି ବିକାଶ ଏବଂ ସୁଶାସନକୁ ଗତି ଦେବେ।

ପ୍ରଧାନମନ୍ତ୍ରୀ ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶରେ ଗରିବଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଉଠା ଦୋକାନୀଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ, ଘରକୁ ପାଇପ ଯୋଗେ ପାଣି ଭଳି ଯୋଜନାର ଲାଭ ପାଉଛନ୍ତି। ରାଜ୍ୟରେ ଅରାଜକତା ଏବଂ ଆତଙ୍କର ଅନ୍ତ ଘଟାଯାଇ ଆଇନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଗୋଟେ ସମୟରେ ବିମାର ରାଜ୍ୟ ଭାବରେ ଜଣାଯାଉଥିବା ୟୁପି କରୋନାର କଠିନ ସମୟରେ ପୂରା ଦେଶ ପାଇଁ ଉଦାହରଣ ତିଆରି କରିଛି।

ସୂଚନାଯୋଗ୍ୟ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍ୱରଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କରକମଳରେ ଏକ ସରସ୍ୱତୀ ମନ୍ଦିରର ମଧ୍ୟ ଭୂମିପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଉପସ୍ଥିତ ରହିଥିଲେ। ଏହାବ୍ୟତିତ ଗତକାଲି ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅମିତ ଶାହ ଏବଂ ଯୋଗୀ ଆଦିତ୍ୟନାଥଙ୍କ ସହ ଉତରପ୍ରଦେଶର ବିଧାନସଭା ପ୍ରଭାରୀ ଏୂବଂ କ୍ଷେତ୍ରୀୟ ପଦାଧିକାରୀଙ୍କ ସହ ବୈଠକ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଦେଶର ୩୫୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ କାର୍ଯ୍ୟକାରୀ ହେବ ଆପଦା ମିତ୍ର ଯୋଜନା; ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନିଡିଏମଏ)ର ୧୭ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଛନ୍ତି। ଚଳିତ ବର୍ଷ ପ୍ରତିଷ୍ଠା ଦିବସର ବିଷୟବସ୍ତୁ “ହିମାଳୟ କ୍ଷେତ୍ରରେ ବିପର୍ଯ୍ୟୟ ଘଟଣାଗୁଡ଼ିକର ପ୍ରଭାବ ନିରାକରଣ” ରଖାଯାଇଛି।

ଏହି ଅବସରରେ ଶ୍ରୀ ଅମିତ ଶାହ ଆପଦା ମିତ୍ର ଯୋଜନାର ପ୍ରଶିକ୍ଷଣ ମାନୁଆଲ ସହିତ ଆପଦା ମିତ୍ର ଏବଂ ସାଧାରଣ ସତର୍କତା ନିୟମ ଯୋଜନାର ଦସ୍ତାବିଜ ଉନ୍ମୋଚନ କରିଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ, ଅଜୟ କୁମାର ମିଶ୍ର ଏବଂ ନିଶିଥ ପ୍ରମାଣିକଙ୍କ ସମେତ କେନ୍ଦ୍ର ଗୃହ ସଚିବ, ଏନଡିଏମର ସଦସ୍ୟ ଏବଂ ଅଧିକାରୀ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ମହାନିର୍ଦ୍ଦେଶକ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହାଛଡ଼ା ବିପଯ୍ୟୟ ପରିଚାଳନା କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ ଭର୍ଚୁଆଲ ମାଧ୍ୟମରେ ଏହି କାଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ନିଜ ଉଦବୋଧନରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏନଡିଏମଏ, ଏନଡିଆରଏଫ ଏବଂ ରାଜ୍ୟ ବିପର‌୍ୟ୍ୟୟ ପ୍ରଶମନ ବାହିନୀ (ଏସଡିଆରଏଫ) ଗତ ୧୭ ବର୍ଷ ମଧ୍ୟରେ ଦେଶରେ ବିପର୍ଯ୍ୟୟ ପରିଚାଳନାର ଇତିହାସ ବଦଳାଇ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ପ୍ରତି ଦେଶର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଉଛି।

୧୩୦ କୋଟି ଲୋକ, ବିଭିନ୍ନ ପ୍ରକାର ପାଣିପାଗ, ନଦୀ, ପର୍ବତ, ଦୀର୍ଘ ସମୁଦ୍ର ଉପକୂଳ ଭଳି ବିବିଧତାରେ ପରିପୂର୍ଣ୍ଣ ଦେଶରେ ସମ୍ବେଦନଶୀଳତାର ସହିତ ବିପର‌୍ୟ୍ୟୟ ମୁକାବିଲା କରିବା ଏକ ପ୍ରଶଂସନୀୟ ଉପଲବ୍ଧି ବୋଲି ଶ୍ରୀ ଶାହା କହିଥିଲେ। ଏହି ଅବସରରେ ସେ ଏନଡିଏମଏର ଦୁଇଟି ନୂତନ ପ୍ରୟାସ ଆପଦା ମିତ୍ର ଏବଂ କମନ ଆଲର୍ଟ ପ୍ରୋଟୋକଲ ବିଷୟରେ କହିଥିଲେ। ସେ କହିଥିଲେ ଯେ ଆପଦା ମିତ୍ର ଯୋଜନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପ୍ରାକୃତିକ ବିପର‌୍ୟ୍ୟୟ ସମୟରେ ତତକ୍ଷଣାତ ଏନଡିଏମଏ, ଏନଡିଆରଏଫ ଏବଂ ଏସଡିଆରଏଫ ପକ୍ଷରୁ ସହାୟତା ପହଞ୍ଚାଇବା ସମ୍ଭବ ନୁହେଁ।

ବିପର୍ଯ୍ୟୟ ସମୟରେ କେବଳ ଜନସାଧାରଣ, ସମାଜ ଏବଂ ପ୍ରଶିକ୍ଷିତ ଆପଦା ମିତ୍ରମାନେ ତ୍ବରିତ ସହାୟତା କରିପାରିବେ ଏବଂ ଏହା ଏକ ଭଲ ପ୍ରୟାସ। ୨୫ ରାଜ୍ୟର ୩୦ଟି ବନ୍ୟା ପ୍ରବଣ ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ଆପଦା ମିତ୍ର ଯୋଜନା କାର୍ଯ୍ୟକାରୀ କରାଯାଇଥିଲା।

୫୫୦୦ ଆପଦା ମିତ୍ର ଏବଂ ଆପଦା ସକ୍ଷୀମାନଙ୍କୁ ବନ୍ୟା ନିରାକରଣ ପାଇଁ ପ୍ରଶିକ୍ଷଣ ଦିଆଯାଇଛି। ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଏତିକି ସଂଖ୍ୟକ ଆପଦା ମିତ୍ର ଯଥେଷ୍ଟ ନୁହନ୍ତି । ତେଣୁ ଆମେ ୩୫୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ଆପଦା ମିତ୍ର ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛୁ ବୋଲି ଶ୍ରୀ ଶାହ କହିଥିଲେ। ଶ୍ରୀ ଶାହ ସରକାର ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ।

ସ୍ବେଚ୍ଛାସେବୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ସୁରକ୍ଷାର ଆଶ୍ବାସନା ଦେବା ଉଦ୍ଦେଶ୍ୟରେ ଭାରତ ସରକାର ସେମାନଙ୍କୁ ବୀମାଭୁକ୍ତ କରିବା ଲାଗି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୨୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଏନଡିଏମଏ ସହିତ ଏମଓୟୁ ସ୍ବାକ୍ଷର କରିଛନ୍ତି।

ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଥିଲେ ଯେ, ଉପଗ୍ରହ ମାଧ୍ୟମରେ ଉତ୍ତରପୂର୍ବାଞ୍ଚଳରେ ଜଳର ପ୍ରାକୃତିକ ପ୍ରବାହକୁ ଭଲ ଭାବେ ଚିହ୍ନଟ କରାଯାଇଛି, କେଉଁଠି ରେଳପଥ ଏବଂ ସଡ଼କ ନିର୍ମାଣ କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି, ଯାହାଫଳରେ ସଡ଼କ ତଳେ ଜଳ ପ୍ରବାହ ବ୍ୟବସ୍ଥା ଆଗୁଆ ପ୍ରସ୍ତୁତ କରାଯାଇପାରିବ।

ଶ୍ରୀ ଶାହ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନର ସମ୍ଭାବ୍ୟ ପ୍ରଭାବ ଏବଂ ବିପର‌୍ୟ୍ୟୟର ଭୟାବହତା ଏବଂ ନିରନ୍ତରତା ନିୟନ୍ତ୍ରଣ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆମେ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଥିବାରୁ ଆମେ ଏ କ୍ଷେତ୍ରରେ ଯଥେଷ୍ଟ ପ୍ରଗତି ହାସଲ କରିବୁ ବୋଲି ଶ୍ରୀ ଶାହା କହିଥିଲେ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାରରେ ହେବ କ୍ୟାବିନେଟ ବିସ୍ତାର!: ଅମିତ ଶାହ ଏବଂ ଜେପି ନଡ୍ଡାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନରେ ପରାଜୟ ଏବଂ ଉତ୍ତରପ୍ରଦେଶ ହେବାକୁ ଥିବା ନିର୍ବାଚନକୁ ଦେଖି କେନ୍ଦ୍ର କ୍ୟାବିନେଟରେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଚାଲିଛି। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛୋଟ ଛୋଟ ଗ୍ରୁପ କରି ମନ୍ତ୍ରୀମାନଙ୍କ ସହ ସାକ୍ଷାତ କରୁଛନ୍ତି। ଏବଂ ସମ୍ବଧୀୟ ମନ୍ତ୍ରାଳୟ ବାବଦରେ ସମୀକ୍ଷା କରୁଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିଛନ୍ତି। ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଆଧାରରେ କିଛି ବଡ ପରିବର୍ତ୍ତନ ହେବାର ସଂକେତ ମିଳୁଛି। ଉତ୍ତରପ୍ରଦେଶ ନିର୍ବାଚନକୁ ଦେଖି କେନ୍ଦ୍ର ସରକାର ଆଗାମୀ ଦିନରେ କିଛି ବଡ ସାମାଜିକ ଯୋଜନା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଆଜି ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇପାରନ୍ତି।

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଲୋଚନା କରିବେ। ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୃହମନ୍ତ୍ରୀ ଆଲୋଚନା କରିବେ। ଏହାସହ ପ୍ରାଭାବିତ ହେଉଥିବା କେନ୍ଦ୍ରଶାସିତ ଅଞ୍ଚଳର ଉପ-ରାଜ୍ୟପାଳଙ୍କ ସହ ଅମିତଶାହ ଆଲୋଚନା କରିବେ।

Categories
ଆଜିର ଖବର ଜାତୀୟ ଖବର

ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଅମିତ ଶାହଙ୍କ ଦୃଢୋକ୍ତି: ମମତା ବାନାର୍ଜୀ କହିଲେ ଏହା ଅବିଶ୍ଵସନୀୟ

କଲିକତା: ଗତକାଲି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟର ୩୦ ଆସନ ପାଇଁ ମତଦାନ ହୋଇଛି। ଏହି ୩୦ ଟି ଆସନରୁ ବିଜେପି ୨୬ ଟି ଆସନରେ ଜିତିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦାବି କରିଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହ ଏଭଳି ଦୃଢୋକ୍ତି ରଖିଛନ୍ତି।

ତେବେ ଶାହଙ୍କ ଏଭଳି ଦାବିକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟାକ୍ଷ କରିଛନ୍ତି। ସେ ଏହାକୁ ଅବିଶ୍ଵସନୀୟ ବୋଲି କହିଛନ୍ତି। ଅମିତ ଶାହଙ୍କ ନାଁ ନନେଇ ମମତା କହିଛନ୍ତି ଯେ, ନିର୍ବାଚନର ଶେଷ ହେବା ପରେ ହଠାତ କିପରି ଏଭଳି ଦାବି କରାଯାଇପାରିବ। ଯାହାକି ଏବେ ଆହୁରି ୭ ଟି ପର୍ଯ୍ୟାୟ ମତଦାନ ହେବା ବାକି ରହିଛି। ଏଭଳି ଦାବି ଉପରେ ବିଶ୍ଵାସ କରିବା ଅନୁଚିତ୍। ମତଗଣନା ପରେ ସଠିକ ଜନାଦେଶ ଜଣାପଡିବ ବୋଲି ମମତା କହିଛନ୍ତି।