Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କୃଷି ଭବନ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଚାଷୀଙ୍କ ପାଇଁ କହିଲେ ଏପରି କଥା

ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ସୁନାମ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କୃଷକ ମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଭିନ୍ନ କୃଷକ ସଂଗଠନ ମାନଙ୍କ ସହିତ ଆଲୋଚନା କରି ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀଙ୍କ ସହିତ କୃଷି ଭବନ ପରିଦର୍ଶନ କରିଥିଲେ। ଏହି ଅବସରରେ ପ୍ରମୁଖ ସଚିବ ଶ୍ରୀ ପାଢ଼ୀ କୃଷି ଭବନର ସ୍ଵତନ୍ତ୍ର ନିର୍ମାଣ ଶୈଳୀ ଓ କୃଷକ ମାନଙ୍କ ପାଇଁ ହୋଇଥିବା ବିଭିନ୍ନ ସୁବିଧା ସଂପର୍କରେ ବୁଝାଇ ଥିଲେ।

ବୈଠକରେ ଭାରତୀୟ କିଷାନ୍ ସଂଘ, ଗ୍ରାମ ବିକାଶ ପରିଷଦ ଓ ଅନ୍ୟ କୃଷକ ସଂଗଠନର କର୍ମକର୍ତ୍ତା ମାନେ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ।

ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପି. ଏମ. କିସାନ ଯୋଜନାରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି କିନ୍ତୁ ସାମିଲ ହୋଇ ପାରି ନାହାଁନ୍ତି, ସମସ୍ତଙ୍କୁ ସାମିଲ କରାଯିବ। ଏଥିପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା ଓ ନିୟମ ପ୍ରସ୍ତୁତ କରୁଛନ୍ତି।

ସେହିପରି ଶୀତଳ ଭଣ୍ଡାର ପ୍ରତିଷ୍ଠା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମେ ୫୮ ଟି ସବ୍ ଡିଭିଜନ ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ। ପ୍ରତ୍ୟେକ ସବ୍ ଡିଭିଜନରେ ଗୋଟିଏ ଗୋଟିଏ ଶୀତଳ ଭଣ୍ଡାର ହେବା ଦ୍ବାରା ସବୁ ଅଞ୍ଚଳର ଚାଷୀ ମାନେ ଲାଭବାନ ହୋଇ ପାରିବେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ରାଜ୍ୟ ସରକାର ସମୃଦ୍ଧ କୃଷକ ନୀତି ପ୍ରସ୍ତୁତ କରୁଛନ୍ତି। ଏଥିରେ ଚାଷୀ ମାନଙ୍କୁ ଚାଷ ଆରମ୍ଭରୁ ଫସଲ ବିକ୍ରି ପର୍ଯ୍ୟନ୍ତ ପ୍ରତି ପଦକ୍ଷେପରେ ସହଯୋଗ ଓ ସହାୟତା ଯୋଗାଇ ଦିଆଯିବ।

ସରକାର ଗଠନର ପ୍ରଥମ ଦିନରେ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବାରୁ କୃଷକ ସଂଗଠନ ମାନେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କୁ ଧନ୍ୟବାଦ୍ ଦେଇଥିଲେ।

Categories
ଆଜିର ଖବର

ମୁଖ୍ୟ ଶାସନ ସଚିବଙ୍କ କୃଷି ଭବନ ପରିଦର୍ଶନ, କୃଷି ସମୀକ୍ଷା କେନ୍ଦ୍ରର କାର୍ଯ୍ୟକାରିତା ଅନୁଧ୍ୟାନ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ସକାଳେ ରାଜ୍ୟ କୃଷି ଭବନ ପରିଦର୍ଶନ କରି ସେଠାରେ ପ୍ରଥମେ ନୂତନ ଭାବେ ଖୋଲାଯାଇଥିବା କ୍ରେଚ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହି କ୍ରେଚ୍ ବ୍ୟବସ୍ଥା ଉଭୟ ଛୋଟ ପିଲା ଏବଂ ସେମାନଙ୍କ ମା’ଙ୍କ ସର୍ବୋତ୍ତମ ସ୍ୱାର୍ଥ ପୂରଣ କରିବାର ପ୍ରୟାସ ସହିତ ପ୍ରାରମ୍ଭିକ ଶୈଶବ ବିକାଶର ବୈଜ୍ଞାନିକ ନୀତି ଆଧାରରେ କୃଷି ଭବନ ପରିସରରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କ ପାଇଁ ଏକ କଲ୍ୟାଣମୂଳକ ପଦକ୍ଷେପ ଭାବେ ସ୍ଥାପିତ ହୋଇଛି।

କୃଷି ଭବନରେ ଥିବା କ୍ରେଚ୍ ର ନାମ “କଳିକା-କୃଷି ଭବନ”ରଖାଯାଇଛି। ୬ ମାସରୁ ୬ ବର୍ଷ ବୟସ (ସ୍ଥଳ ବିଶେଷରେ ଅଧିକ)ର ପିଲାଙ୍କ ଯତ୍ନ କ୍ରେଚ୍ ରେ ନିଆଯିବ। ପିଲାମାନଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରଶିକ୍ଷିତ ‘କ୍ରେଚ୍ ସହାୟକ’ ଏବଂ କ୍ରେଚ୍ ସଂଯୋଜକମାନଙ୍କୁ ନିୟୋଜିତ କରାଯାଇଛି, ଯେଉଁମାନେ କି ପିଲାମାନଙ୍କର ବୟସ ହିସାବରେ ଅନୁକୂଳ ବିଭିନ୍ନ  କାର୍ଯ୍ୟକଳାପ ପରିଚାଳନା କରିବେ। ସରକାରୀ ଛୁଟି ଦିନବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ଦିବସରେ ସକାଳ ସାଢ଼େ ୯ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଏହି କ୍ରେଚ୍ ଖୋଲା ରହିବ।

କ୍ରେଚ୍, କୃଷି ଭବନରେ ସୁପ୍ରଶିକ୍ଷିତ କ୍ରେଚ୍ ସହାୟିକାଙ୍କ ସହ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା, ପିଲାଙ୍କ ସୁରକ୍ଷା ଓ ଯତ୍ନ ପାଇଁ ଉତ୍ସର୍ଗୀକୃତ ଓ ବୟସ ଅନୁକୂଳ ଖେଳନା,ବହି ଓ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଶିଶୁ ଅନୁକୂଳ ଶୌଚାଳୟ,ନୂଆ ମା’ଙ୍କ ପାଇଁ ନର୍ସିଂ କର୍ଣ୍ଣର, ପ୍ରାଥମିକ ଚିକିତ୍ସା ସୁବିଧା ରହିଛି। କୃଷି ଭବନରେ କ୍ରେଚ୍ ପ୍ରତିଷ୍ଠା କୃଷି ଭବନରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡଃ. ପାଢୀଙ୍କ ଦୂରଦର୍ଶୀ ଓ ଆନ୍ତରିକ ପ୍ରୟାସ ଫଳରେ ସମ୍ଭବ ହୋଇପାରିଛି।

ଏ ଦିଗରେ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟ ବହୁଧା ସହଯୋଗ କରିଛନ୍ତି। ଏକ ଆକର୍ଷଣୀୟ ଏବଂ ଅନୁକୂଳ ପରିବେଶଯୁକ୍ତ ସୁନ୍ଦର ବ୍ୟବସ୍ଥା ମଧ୍ୟରେ ଏହି କ୍ରେଚ୍ ସୁବିଧା ପାଇଥିବାରୁ ଉଭୟ ପିଲା ଓ ମା’ ମାନଙ୍କ ମଧ୍ୟରେ ଆନନ୍ଦ ପରିଲକ୍ଷିତ ହୋଇଛି। ଏହି  କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ଏବଂ  ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ  କ୍ରେଚ୍ ର ନୋଡାଲ ଅଧିକାରୀମାନେ ଉପସ୍ଥିତ  ଥିଲେ । ପିଲାମାନେ ଅତିଥିମାନଙ୍କ ସହିତ ଖୁସିରେ ଫଟୋ ଉଠାଇଥିଲେ।

ପରେ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କୃଷି ଭବନରେ ସଂସ୍ଥାପିତ ‘କୃଷି ସମୀକ୍ଷା କେନ୍ଦ୍ର’ର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ। ସଂପର୍କିତ ସରକାରୀ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଜଳବାୟୁ ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ପ୍ରତିକ୍ରିୟା ଏବଂ କାର୍ଯ୍ୟାନୁଷ୍ଠାନ କଣ ରହିବ, ସେ ସଂପର୍କରେ ତଥ୍ୟ ଆଧାରରେ କାର୍ଯ୍ୟରତ ସରକାରୀ ଅଧିକାରୀମାନଙ୍କ ପାଇଁ ନୀତିଗତ ସଂସ୍କାର ଓ ପ୍ରମାଣ ଭିତ୍ତିକ ନିଷ୍ପତ୍ତି ନେବାକୁ ଏହି ବ୍ୟବସ୍ଥା ସକ୍ଷମ କରିବ।

ଏହା ମଧ୍ୟ ତଥ୍ୟ ସମର୍ଥିତ ଏବଂ ନିୟମଭିତ୍ତିକ ସମୀକ୍ଷା,  ପ୍ରାଥମିକତା ପ୍ରସଙ୍ଗ ଉପରେ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ  ଅନୁଯାୟୀ ବରିଷ୍ଠ ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମାଧାନ କରିବାରେ ସହାୟକ ହେବ। ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାରେ ସରକାରଙ୍କୁ ଉଚିତ୍ ପଦକ୍ଷେପ ଗ୍ରହଣ ଏବଂ ଉତ୍ତରଦାୟିତ୍ୱ ନିର୍ବାହରେ ଉନ୍ନତି ଆଣିବା ପାଇଁ ତୃଣମୂଳ ସ୍ତରରେ ପରିସଂସ୍ଥାଭିତ୍ତିକ ସମୟୋପଯୋଗୀ ପରୀକ୍ଷାକୁ ଏହି ବ୍ୟବସ୍ଥା ସକ୍ଷମ କରିବ ବୋଲି ଜଣାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ: ଜେଲରୁ ମୁକୁଳିବା ପରେ ଏଭଳି ଅଭିଯୋଗ ଆଣିଲେ ଅଭିଷେକ ବାନାର୍ଜୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀର କୃଷି ଭବନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ନେତାମାନଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସ ଛାଡି ଦେଇଥିଲା। ଅଭିଷେକ ବାନାର୍ଜୀ ବାହାରକୁ ଆସିବା ମାତ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ, ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ। ରାଜ୍ୟରେ ହାରିଯାଇଥିବାରୁ ବିଜେପି ପଶ୍ଚିମବଙ୍ଗର ଲୋକଙ୍କ ଅଧିକାର ଛଡ଼ାଇ ନେଉଛି।

ଅଭିଷେକ ବାନାର୍ଜୀ ଆହୁରି କହିଛନ୍ତି ଯେ, ଯେଉଁମାନେ ବଙ୍ଗଳାବାସୀଙ୍କ ପାଇଁ ଲଢୁଛନ୍ତି ସେମାନଙ୍କୁ ୩ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଦିଆଯାଇଛି। ଆମେ ସେଠାରେ ଶାନ୍ତିରେ ବସିଥିଲୁ, କିନ୍ତୁ ମହିଳାଙ୍କ ସମେତ ଆମ ସମସ୍ତଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଯେଉଁଭଳି ଭାବରେ ଆମକୁ ନିଷ୍ଠୁର ଭାବରେ ଟାଣି ନିଆଯାଇଥିଲା ଏବଂ ଅପମାନିତ କରାଯାଇଥିଲା, ଆଜି ଗଣତନ୍ତ୍ର ପାଇଁ ଏକ କଳା ଦିନ ଏବଂ ଆମର ସାଂସଦମାନେ ଯେପରି ହଇରାଣ ହୋଇଥିଲେ ତାହା ମଧ୍ୟ ସମସ୍ତଙ୍କୁ ଦୃଶ୍ୟମାନ ହେଉଛି।

‘ରାଜଭବନ ଅଭିଯାନ’ ର ଘୋଷଣା:

କୋଲକାତାରେ ‘ରାଜ ଭବନ ଅଭିଯାନ’ ଆହ୍ଵାନ ଦେଇ ଏମସି ନେତା କହିଛନ୍ତି ଯେ, ଏହି ଅଭିଯାନ ଅକ୍ଟୋବର ୫ ତାରିଖ ଅପରାହ୍ନ ୩ ଟାରୁ ଆରମ୍ଭ ହେବ। କେବଳ ଏତିକି ନୁହେଁ ସେ କହିଛନ୍ତି ଯେ, ଆମେ ରାଜ୍ୟପାଳଙ୍କୁ ମଧ୍ୟ ଭେଟିବୁ ଏବଂ ତାଙ୍କୁ ୫୦ ଲକ୍ଷ ଚିଠି ହସ୍ତାନ୍ତର କରାଯିବ।

କେନ୍ଦ୍ର ମନ୍ତ୍ରୀ ସାଧବୀ ନିରଂଜନଙ୍କ ଉପରେ ଅଭିଯୋଗ କରି ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ସାଧଭି ନିରଂଜନଙ୍କ ସହ ଆମର ସାକ୍ଷାତ ମଙ୍ଗଳବାର ଦିନ ଧାର୍ଯ୍ୟ କରାଯାଇଥିଲା। ଆମେ ତାଙ୍କୁ ୯୦ ମିନିଟ୍ ଅପେକ୍ଷା କରିଥିଲୁ, ଯାହା ପରେ ଆମକୁ କୁହାଯାଇଥିଲା ଯେ, ସେ ଆମ ସହିତ ସାକ୍ଷାତ କରିବାକୁ ସମର୍ଥ ହେବେ ନାହିଁ।

ଏଥି ସହ କେନ୍ଦ୍ର ମନ୍ତ୍ରୀ ସାଧଭି ନିରଂଜନ ଟିଏମସିର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ତୃଣମୁଲ ସାଂସଦଙ୍କୁ ଅପେକ୍ଷା କରି କରି ସେ ୮.୩୦ ରେ ଅଫିସ ଛାଡିଥିଲେ। ତୃଣମୁଲ କଂଗ୍ରେସ ସାଂସଦ ଏବଂ ବଙ୍ଗଳାର ମନ୍ତ୍ରୀଙ୍କ ପ୍ରତିନିଧି ଦଳ ଅଫିସରେ ୬ ଟା ସମୟରେ ସାକ୍ଷାତ ପାଇଁ ସମୟ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବ ମନୋନୀତ ୧୦୮ ଶିକ୍ଷକ ପ୍ରଶିକ୍ଷକଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟ କୃଷି ଭବନଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଟିଇ ଆଣ୍ଡ୍‌ ଏସ୍‌ସିଇଆରଟି) ପକ୍ଷରୁ ନବ ମନୋନୀତ ୧୦୮ ଶିକ୍ଷକ ପ୍ରଶିକ୍ଷକଙ୍କର ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସେମାନଙ୍କୁ ରାଜ୍ୟର ୩୦ଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମେତ ୪ଟି ବ୍ଲକ୍‌ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନିଯୁକ୍ତି ଦିଆଯିବ।

ଟିଇ ଓ ଏସ୍‌ସିଇଆରଟିର ନିର୍ଦ୍ଦେଶକ ମନୋଜ କୁମାର ପାଢୀ ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକଙ୍କୁ ସ୍ୱାଗତ କରିଥିଲେ। ଶିକ୍ଷକମାନଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଦେଇ ଶିକ୍ଷାର ଉନ୍ନତି ଦିଗରେ ନିଜର ଶ୍ରେଷ୍ଠ ଅବଦାନ ଦେବାକୁ ସମସ୍ତ ଶିକ୍ଷକ ପ୍ରଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ।

୧୨୦ ଶିକ୍ଷକ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ କର୍ମଚାରୀ ପ୍ରବରଣ ଆୟୋଗ ଲିଖିତ ପରୀକ୍ଷା କରିଥିଲା। ଲିଖିତ ପରୀକ୍ଷା କରାଯାଇ ୧୦୮ ପ୍ରାର୍ଥୀଙ୍କୁ ଆୟୋଗ ମନୋନୟନ କରିଥିଲା। ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ସେମାନଙ୍କର ଆବଶ୍ୟକ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ଏହାସହ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସହ ୪ଟି ବ୍ଲକ୍‌ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଖାଲି ଥିବା ପଦବୀରେ ଯୋଗଦେବାକୁ ପ୍ରାର୍ଥୀମାନେ ନିଜ ଇଚ୍ଛା ଅନୁସାରେ ଚୟନ କରିଥିଲେ।

କାର୍ଯ୍ୟକ୍ରମରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରଘୁରାମ ଆୟର ପ୍ରମୁଖ ଉପସ୍ଥିତ ଥିଲେ। ଟିଇ ଓ ଏସ୍‌ସିଇଆରଟିର ପ୍ରଶାସନିକ ଅଧିକାରୀ, ସମସ୍ତ ସହକାରୀ ନିର୍ଦ୍ଦେଶକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କୃଷି ଭବନଠାରେ ଓଡ଼ିଶାର ପ୍ରଥମ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର: ଆଜି କୃଷିଭବନଠାରେ ମା ଶକ୍ତିମୟୀ ମହିଳା ମହାସଙ୍ଘ ଦ୍ୱାରା ପରିଚାଳିତ ଓଡ଼ିଶାର ପ୍ରଥମ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର, କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଶୁଭ ଉଦ୍‌ଘାଟନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ସଚିବ ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଟ ତଥା କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ଼. ଏମ୍‌. ମୁଥୁକୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ମହାସଂଘର ସମସ୍ତ ସଭ୍ୟାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳମୟ ବ୍ୟବସାୟିକ ଭବିଷ୍ୟତ କାମନା କରିବା ସହ ଏଭଳି ଏକ ପ୍ରୟାସ ପାଇଁ ଓଡିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତି ବିଭାଗର ଅଧିକାରୀମାନଙ୍କୁ ସାଧୁବାଦ
ଜଣାଇଥିଲେ ।

ଏହି ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର ଓଡିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତି ବିଭାଗର ମିଳିତ ପ୍ରୟାସରେ ପ୍ରାରମ୍ଭ କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ କୃଷି ଭବନରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀ ସମୂହ ତଥା ଆଗନ୍ତୁକମାନଙ୍କୁ ପୁଷ୍ଟିଶସ୍ୟରେ ପ୍ରସ୍ତୁତ ନାନାଦି ଖାଦ୍ୟ ଦ୍ରବ୍ୟ ବିକ୍ରି କରିବା ସହ ପୁଷ୍ଟିଶସ୍ୟର ଉପକାରିତା ବିଷୟରେ ଅବଗତ କରାଇବା । ଏହି ବିକ୍ରୟ କେନ୍ଦ୍ର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟସଭ୍ୟାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ।

ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଧେଶକ (ଓଡିଶା ମିଲେଟ୍ସ ମିଶନ), ଶ୍ରୀ ହୀରଞ୍ଜନ ମହନ୍ତ, ଓଡିଶା ମିଲେଟ୍ସ ମିଶନର ଯୋଜନା ଅଧିକାରୀ ଶ୍ରୀମତୀ କଳ୍ପନା ପ୍ରଧାନ, ରାଜ୍ୟ ସଂଯୋଜକ ସୁଶ୍ରୀ ଅସୀମା ଚୌଧୁରୀ, ଜିଲ୍ଲା ସଂଯୋଜକ ମିଶନ ଶକ୍ତି ଏବଂ ଅନ୍ୟ କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ ।

ପୁନଶ୍ଚ କୃଷି ଭବନଠାରେ ମନ୍ତ୍ରୀ ଡ. ସାହୁ ଏକ କାଫେଟାରିଆର ଶୁଭ ଉଦ୍‌ଘାଟନ କରିଛନ୍ତି। ବାର୍ଷିକ ଟେଣ୍ଡର ମାଧ୍ୟମରେ ଜୟକମଳ କ୍ୟାଟେରିଂ ସର୍ଭିସ୍‌ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି କାଫେଟାରିଆ କୃଷି ଭବନ କର୍ମଚାରୀ ତଥା ଏଠାରେ ଅନୁଷ୍ଠିତ ଅନେକ ସଭାସମିତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଖାଦ୍ୟ ଆବଶ୍ୟକତାକୁ ପୂରଣ କରିବ। ଅତ୍ୟନ୍ତ ସ୍ୱାସ୍ଥ୍ୟକର ପରିବେଶରେ ସୁଲଭ ଦରରେ ଏହି କାଫେଟାରିଆ ଖାଦ୍ୟ ଯୋଗାଇଦେବ ବୋଲି ମନ୍ତ୍ରୀ ଡ. ସାହୁ ଆଶା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ: ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର: ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ। ଜଣଙ୍କର ଜୀବିକାର୍ଜନ ପାଇଁ ଅନ୍ୟପ୍ରାଣୀଙ୍କୁ ବିପଦରେ ପକାଇବା ଉଚିତ ନୁହେଁ। ଆଜି କୃଷି ଭବନସ୍ଥିତ ପ୍ରେକ୍ଷାଳୟରେ ‘ଫିସର ଫ୍ରେଣ୍ଡ ମୋବାଇଲ୍‌ ଆପ୍ଲିକେସନ୍‌’ (ଏଫ୍‌ଏଫ୍‌ଏମ୍‌ଏ)କୁ ଲୋକାର୍ପଣ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୫-‘ଟି’ ମନ୍ତ୍ର ଅଧୀନରେ ଟେକ୍‌ନୋଲୋଜିର ବ୍ୟବହାରକୁ ଅତ୍ୟନ୍ତ ଗୁରୁତ୍ୱ ଆରୋପ କରାଯାଇଛି।

ଆଧୁନିକ ଟେକ୍‌ନୋଲୋଜି ବ୍ୟବହାର କରି ସାଧାରଣ ଜନତାଙ୍କୁ ରାଜ୍ୟ ସରକାର ଅନେକ ସେବା ଯୋଗାଇ ଆସୁଛନ୍ତି। ଆଜି ଶୁଭାରମ୍ଭ ହେଉଥିବା ମୋବାଇଲ୍‌ ଆପ୍‌ ରାଜ୍ୟ ସରକାରଙ୍କର ଜନମୁଖୀ ଯୋଜନାରେ ଯୋଡ଼ିଛି ଆଉ ଏକ ଫର୍ଦ୍ଦ। ଏହି ଅବସରରେ ମନ୍ତ୍ରୀ ଡ. ସାହୁ ବିରଳ ଅଲିଭ୍‌ ରିଡ୍‌ଲେ ସାମୁଦି୍ରକ କଇଁଛଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ମନ୍ତ୍ରୀ ଡ. ସାହୁ ସୂଚନା ଦେଇଥିଲେ ଯେ ଏହି ମୋବାଇଲ୍‌ ଆପ୍ଲିକେସନ୍‌ ନିମନ୍ତେ ଇଣ୍ଟରନେଟ୍‌ର ଆବଶ୍ୟକତା ପଡ଼ିବ ନାହିଁ ଏବଂ ସମୁଦ୍ର ମଧ୍ୟରେ ଅଫ୍‌-ଲାଇନ୍‌ରେ ଏହା କାର୍ଯ୍ୟ କରିବ। ଏହା ଦ୍ୱାରା କଇଁଛମାନଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳଠାରୁ ଦୂରେଇ ରହିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ଏହି ଆପ୍‌ରୁ ସତର୍କ ସୂଚନା ମିଳିପାରିବ। ଫଳରେ ଅଜାଣତରେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ଦଣ୍ଡବିଧାନଜନିତ ଅପି୍ରତିକର ପରିସ୍ଥିତିରୁ ମତ୍ସ୍ୟଜୀବୀ ବଞ୍ଚିପାରିବେ । ପ୍ରକୃତିପ୍ରେମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ ଦୃଢ଼ ନେତୃତ୍ୱ ଯୋଗୁଁ ମତ୍ସ୍ୟସଂପଦ ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ନୂତନ ଶିଖରରେ ପହଞ୍ଚିପାରିବା ସହ ମାଛ ଉତ୍ପାଦନ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ଆଜି ଚତୁର୍ଥ ସ୍ଥାନରେ ପହଞ୍ଚିପାରିଛି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଥିଲେ।

ଏମ୍‌ଏସ୍‌ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍‌ ସହଯୋଗରେ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଉନ୍ନତ ପ୍ରଯୁକ୍ତି ବିଦ୍ୟାଯୁକ୍ତ ଏହି ‘ଫିସର ଫ୍ରେଣ୍ଡ ମୋବାଇଲ୍‌ ଆପ୍ଲିକେସନ୍‌’ ଓଡ଼ିଶା ଉପକୂଳରେ ବିରଳ ସାମୁଦି୍ରକ କଇଁଛ ଅଲିଭ ରିଡ୍‌ଲେଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରବେଶଜନିତ ସତର୍କ ସୂଚନା ପ୍ରଦାନ କରିବା ସହିତ ଏହି ମୋବାଇଲ୍‌ ଆପ୍‌ ପାଣିପାଗ ସଂପର୍କିତ ଆଗୁଆ ସୂଚନା, ସମ୍ଭାବ୍ୟ ମାଛ ମିଳିବା ସ୍ଥାନ, ସାମୁଦି୍ରକ ସ୍ଥିତିର ପୂର୍ବାନୁମାନ, ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଓ ଅନ୍ୟ ବିପର୍ଯ୍ୟୟ ସୂଚନା ଆଦି ପ୍ରଦାନ କରୁଥିବାରୁ ମନ୍ତ୍ରୀ ଡ. ସାହୁ ଏହାକୁ ନାଭିଗେଟର ସହ ତୁଳନା କରିଛନ୍ତି। ଏହି ଆପ୍‌ ଦ୍ୱାରା ସଂପୃକ୍ତ ୧.୫୦ ଲକ୍ଷ ସକି୍ରୟ ସାମୁଦି୍ରକ ମତ୍ସ୍ୟଜୀବୀ ଉପକୃତ ହେବେ। ମତ୍ସ୍ୟଜୀବୀମାନଙ୍କ ବ୍ୟତୀତ ସଂପୃକ୍ତ ବନବିଭାଗ କର୍ମଚାରୀମାନେ ମଧ୍ୟ ଏହି ଆପ୍‌କୁ ବ୍ୟବହାର କରିବା ନିମନ୍ତେ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପ୍ରକାଶ ଥାଉ କି, ପ୍ରତିବର୍ଷ ଏହି ବିରଳ ଅଲିଭ୍‌ ରିଡ୍‌ଲେ ସାମୁଦି୍ରକ କଇଁଛ ହଜାର ହଜାର ମାଇଲ୍‌ ଦୂରରୁ ଧାମରା, ଦେବୀନଦୀ, ଋଷିକୂଲ୍ୟା ନଦୀମୁହାଣ ଏବଂ ଗହୀରମଥା ସାମୁଦି୍ରକ ଅଭୟାରଣ୍ୟ ଅଞ୍ଚଳକୁ ଆସି ସାମୂହିକ ଅଣ୍ଡାଦାନ ନିମନ୍ତେ ଏକତ୍ର ହୋଇଥାନ୍ତି। ଏହି ଲୋକାର୍ପଣ ଉତ୍ସବକୁ ସମ୍ବୋଧିତ କରି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ସାମୁଦି୍ରକ ମାଛ ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିବା ସହିତ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧.୭୨ ଲକ୍ଷ ମେଟି୍ରକ୍‌ ଟନ୍‌ରେ ପହଞ୍ଚିବା ସହ ଅନ୍ତରାଷ୍ଟ୍ରୀୟ ବଜାରକୁ ଗତ ୨୦ ବର୍ଷରେ ରାଜ୍ୟର ସାମୁଦି୍ରକ ଖାଦ୍ୟ ରପ୍ତାନୀ ୯ ଗୁଣ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶା ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ଶଶି ପାଲ୍‌ ପ୍ରତିବର୍ଷ ପ୍ରାୟ ୮ରୁ ୧୦ ଲକ୍ଷ ଏହି ବିରଳ ପ୍ରଜାତିର କଇଁଛ ଆମ ରାଜ୍ୟକୁ ଅଣ୍ଡାଦାନ ନିମନ୍ତେ ଆସୁଥିବାବେଳେ ଏମାନଙ୍କ ପ୍ରତି ହୋଇଥିବା ଆମର ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଜାତୀୟ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଥିବା ଦର୍ଶାଇଥିଲେ।

ଏହି ଲୋକାର୍ପଣ ଉତ୍ସବରେ ସ୍ୱାଗତ ଭାଷଣ ଦେଇ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ପ୍ରାୟ ୧୪ ଲକ୍ଷ ଲୋକ ଜଡ଼ିତ ଥିବା କଥା କହିଥିଲେ। ଆଗାମୀ ଦିନରେ ଏହି ମୋବାଇଲ୍‌ ଆପ୍ଲିକେସନ୍‌ରେ ଆହୁରି ବୈଶିଷ୍ଟ୍ୟ ଯୋଗହେବ ବୋଲି ସେ କହିଥିଲେ। ରାଜ୍ୟର ବିଭିନ୍ନ ୧୧ଟି ସ୍ଥାନରୁ ମତ୍ସ୍ୟଜୀବୀ ଓ ମତ୍ସ୍ୟ ବିଭାଗର ଅଧିକାରୀମାନେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇଥିଲେ। ଏହି ମୋବାଇଲ୍‌ ଆପ୍ଲିକେସନ୍‌ ବ୍ୟବହାର ପ୍ରଣାଳୀ ଉପରେ ଏକ କଥାଚିତ୍ର ପ୍ରଦର୍ଶିତ ହୋଇଥିବାବେଳେ ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଦେବାନନ୍ଦ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆପିକଲର ନୂଆ ୱେବ୍‌ସାଇଟ୍‌ ଲୋକାର୍ପିତ କଲେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର, ରାଜ୍ୟରେ କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବ୍ୟାପକ ସୁଯୋଗ ରହିଛି । ଏହା ଦ୍ୱାରା କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବା ସହିତ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି କୃଷି ଭବନଠାରେ ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ ଲିମିଟେଡ୍‌ (ଆପିକଲ)ର ନୂତନ ୱବ୍‌ସାଇଟ୍‌କୁ ଲୋକାର୍ପଣ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ ରାଜ୍ୟ ସରକାର କୃଷକମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଥିବାବେଳେ ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କୃଷିଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରି ବଜାରରେ ବିକି୍ର କରିପାରିଲେ କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ନିମନ୍ତେ ଅଧିକ ମୂଲ୍ୟ ପାଇପାରିବେ ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ କୃତିବାସ ପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଯୋଗଦେଇ ଆପିକଲକୁ ଅଧିକ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଆପିକଲର ପରିଚାଳନା ନିର୍ଦ୍ଦେଶକ ଡ.ପ୍ରଭାତ କୁମାର ରାଉଳ ଆପିକଲ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ସ୍ତରୀୟ ଯୁଗ୍ମ ବୈଠକ,ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ୱ

ଭୁବନେଶ୍ୱର, କୃଷି ଓ କୃଷକର ଉନ୍ନତି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସମବାୟ ବିଭାଗ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ଦୁଇ ବିଭାଗ ମଧ୍ୟରେ ଏକାଭିମୁଖିତା ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସ୍ତରରେ ନିୟମିତ ଭାବେ ପ୍ରତି ମାସରେ ଉଭୟ ବିଭାଗର ବରିଷ୍ଠ ଅଧିକାରୀ ସ୍ତରୀୟ ବୈଠକ ଆୟୋଜନ କରିବା ସହିତ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ନିୟମିିତ ବୈଠକ କରି ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ଦିଗରେ ପଦକ୍ଷେପ ନେବା ପାଇଁ କୁହାଯାଇଛି ।

ଆଜି କୃଷି ଭବନଠାରେ ଆୟୋଜିତ ଯୁଗ୍ମ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଚଳିତ ଖରିଫରେ ବିଭାଗ ଦ୍ୱୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିଶଦ ଭାବରେ ଆଲୋଚନା କରିବା ଅବସରରେ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶାରେ କୃଷି କାର୍ଯ୍ୟ ପାଇଁ ଅଧିକାଂଶ ଚାଷୀ ସମବାୟ ସଂସ୍ଥା ଉପରେ ନିର୍ଭର କରିଥାନ୍ତି । ଫସଲ ଋଣଠାରୁ ଆରମ୍ଭ କରି ବିହନ, ସାର ଆଦି ସମବାୟ ବିଭାଗ ଅଧୀନସ୍ଥ ସୋସାଇଟି ମାଧ୍ୟମରେ ଯୋଗାଇ ଦେଇଥାଏ । ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟ ୯୦୦୦ କୋଟି ଟଙ୍କାର ଫସଲ ଋଣ ମଧ୍ୟରୁ ଅଦ୍ୟାବଧି ୧୨ ଲକ୍ଷ ୭୬ ହଜାର ୪୪୫ ଜଣ ଚାଷୀଙ୍କୁ ୫ ହଜାର ୮୦୨ କୋଟି ଟଙ୍କା ଋଣ ବାବଦରେ ଯୋଗାଇ ଦିଆଯାଇଛି । ଫସଲ ଋଣ ପ୍ରଦାନ ଦିଗରେ ଯୁଗ୍ମ ଦେୟ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ଚାଷ କାର୍ଯ୍ୟ, ଫସଲ ଅମଳ ଓ ଫସଲର ବିକି୍ରବଟା ସହିତ ସମବାୟ ବିଭାଗ ଚାଷୀମାନଙ୍କ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏହି ପରିପ୍ରେକ୍ଷୀରେ ଚାଷୀମାନଙ୍କର ଆବଶ୍ୟକତାକୁ ପୂରଣ କରିବା ଦିଗରେ ଉଭୟ କୃଷି ଓ ସମବାୟ ବିଭାଗ ସର୍ବଦା ମିଳିତ ପ୍ରୟାସ କରିବା ଉପରେ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। କୃଷି କାର୍ଯ୍ୟରେ ବୈଷୟିକ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ବହୁଳ ବ୍ୟବହାର ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।

ଚଳିତ ଖରିଫରେ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ଚାଷୀମାନଙ୍କୁ ଅଦ୍ୟାବଧି ୩ ଲକ୍ଷ ୬୦ ହଜାର କ୍ୱିଣ୍ଟାଲ ବିହନ ଯୋଗାଇ ଦିଆଯାଉଛି । ଆଉ ୧ ଲକ୍ଷ କ୍ୱିଣ୍ଟାଲ ବିହନକୁ ପ୍ୟାକ୍ସଗୁଡ଼ିକୁ ତୁରନ୍ତ ପ୍ରେରଣ କରିବା ପାଇଁ କୃଷି ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚାଷୀମାନଙ୍କୁ ଠିକ୍‌ ସମୟରେ ପର୍ଯ୍ୟାପ୍ତ ସାର ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କୋଭିଡ୍‌-୧୯ ପରିସ୍ଥିତିରେ ଚାଷୀ ଚାଷକାର୍ଯ୍ୟ ଅବ୍ୟାହତ ରଖି ଅଧିକ ପରିମାଣରେ ଧାନ ଉତ୍ପାଦନ କରି ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛି ।

ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ ପଂଜୀକୃତ ଚାଷୀମାନଙ୍କଠାରୁ ଖରିଫ ବିପଣନ ଋତୁ ୨୦୨୦-୨୧ରେ ରେକର୍ଡ ପରିମାଣର ଧାନ ସଂଗ୍ରହ କରି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପ୍ରେରଣ କରିଛି । ଚଳିତ ଜୁଲାଇ ୧୫ ତାରିଖଠାରୁ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ଅନ୍‌ଲାଇନ୍‌ ମାଧ୍ୟମରେ ନାମ ପଂଜୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକରୁ ଅଧିକ ଚାଷୀ ଯେପରି ସେମାନଙ୍କର ନାମ ପଂଜୀକରଣ କରିପାରିବେ ସେଥି ନିମନ୍ତେ ଗ୍ରାମାଞ୍ଚଳରେ ବ୍ୟାପକ ପ୍ରଚାରର ଆବଶ୍ୟକତା ରହିଛି ।

ନିର୍ଭୁଲ ଚାଷୀ ପଂଜୀକରଣ ପ୍ରସ୍ତୁତ ନିମନ୍ତେ ଯାଞ୍ଚ କାର୍ଯ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏଥି ସହିତ ଫସଲର ବିବିଧିକରଣ କରି ଅଣଧାନ ଚାଷରେ ଚାଷୀମାନେ ଯେପରି ଅଧିକ ଅର୍ଥ ଉପାର୍ଜନ କରିପାରିବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ଦିଗରେ ବୈଠକରେ ଆଲୋଚନା ହୋଇଥିଲା । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲ ନଷ୍ଟ ହେଲେ ଚାଷୀ ଯେପରି ବୀମା କଂପାନୀଠାରୁ କ୍ଷତିପୂରଣ ଅର୍ଥ ପାଇପାରିବେ, ସେଥି ନିମନ୍ତେ ଅଧିକରୁ ଅଧିକ ଚାଷୀଙ୍କୁ ବୀମାଭୂକ୍ତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ବୈଠକରେ କୃଷି ଯାନ୍ତ୍ରିକୀକରଣ ଏବଂ ପ୍ୟାକ୍ସ/ଲ୍ୟାମ୍ପସ୍‌କୁ ୱାନ୍‌ ଷ୍ଟପ୍‌ ସପ୍‌, ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଦ୍ୱାରା ଇ-ନାମ ମାଧ୍ୟମରେ କୃଷି ସାମଗ୍ରୀ ବିକି୍ରବଟା, ରାଜ୍ୟରେ ଶୀତଳ ଭଣ୍ଡାରର ସ୍ଥିତି ଆଦି ବିଷୟରେ ବିଶଦ ଭାବରେ ଆଲୋଚନା ହୋଇଥିଲା । ବୈଠକ ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର କୃଷି ବିଭାଗ ପକ୍ଷରୁ ସମବାୟ ବିଭାଗ ମାଧ୍ୟମରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପଂଚାୟତ ସ୍ତରରେ ଏବଂ ବ୍ଲକ୍‌ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ନିୟମିତ ବୈଠକ ଅନୁଷ୍ଠିତ ହେଉଥିବା କହିଥିଲେ ।