Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସିଙ୍ଗାପୁରରେ କେନ୍ଦ୍ରମନ୍ତ୍ରୀ: ଶିକ୍ଷା କ୍ଷେତ୍ରରେ ବହୁମୁଖୀ ଦ୍ୱିପାକ୍ଷିକ ସହଯୋଗକୁ ନେଇ ଆଲୋଚନା

ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ ହେବାକୁ ଯାଉଛି। ଏକବିଂଶ ଶତାବ୍ଦୀକୁ ପ୍ରେରଣା ଦେବା ପାଇଁ ଏହାକୁ ଏକ ନୂଆ ମଡେଲ ଭାବେ ସୃଷ୍ଟି କରିବା ପାଇଁ ନାନିଆଙ୍ଗ ଟେକ୍ନୋଲୋଜି ୟୁନିଭରସିଟି ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟ ପରି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହଯୋଗ କରିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ସିଙ୍ଗାପୁର ଗସ୍ତର ଦ୍ୱିତୀୟ ଦିନରେ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଜ୍ଞାନର ସହଭାଗୀତାକୁ ସୁଦୃଢ କରିବା ପାଇଁ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭିଭିଆନ୍ ବାଲାକ୍ରିଷ୍ଣନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଏହାସହ ଦକ୍ଷତା ବିକାଶ ଏବଂ ଶିକ୍ଷା କ୍ଷେତ୍ରରେ ବହୁମୁଖୀ ଦ୍ୱିପାକ୍ଷିକ ସହଯୋଗକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଦୃଢ ଐତିହାସିକ, ସାଂସ୍କୃତିକ ଏବଂ ସଭ୍ୟତାର ସମ୍ପର୍କ ରହିଛି। ଆମର ବନ୍ଧୁତା ଆଜି ପରସ୍ପରର ବିଶ୍ୱାସ ଏବଂ ସମ୍ମାନର ମୂଳଦୁଆ ପକାଇଛି । ଜ୍ଞାନ, କୌଶଳ ଏବଂ ସୀମାନ୍ତ କ୍ଷେତ୍ରରେ ସହଭାଗିତାକୁ ଆମର ଦୀର୍ଘ ଦିନର ବନ୍ଧୁତା ପାଇଁ ନୂତନ ଦିଗ ଦେବ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ରଣନୀତିଜ୍ଞ ସହଭାଗିତା ଏବଂ ଆମ ଦେଶ ମଧ୍ୟରେ ସ୍ଥିର ବନ୍ଧୁତାକୁ ଦୃଷ୍ଟିରେ ରଖି ଉଭୟ ବନ୍ଧୁ ଭିଭିଆନ୍ ବାଲାକ୍ରିଷ୍ଣନ୍ ଏବଂ ମୁଁ ପାରସ୍ପରିକ ଲାଭ ପାଇଁ ଶିକ୍ଷା ତଥା ଦକ୍ଷତା ବିକାଶରେ ଆମର ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ସହିତ ବିଶ୍ୱର ଚାହିଦା ଓ ଚ୍ୟାଲେଞ୍ଜ ଗୁଡିକୁ ସମାଧାନ କରିବାକୁ ସହମତ ହୋଇଛୁ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ସିଙ୍ଗାପୁରର ନାନିଆଙ୍ଗ ଟେକ୍ନୋଲୋଜି ୟୁନିଭରସିଟିରେ ଆଜିର ଦିନ ମୋ ପାଇଁ ଏକ ସ୍ମରଣୀୟ ଦିନ। ଏଠାରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା, ଅନୁସନ୍ଧାନ, ନବସୃଜନ, ଉଦ୍ୟୋଗୀତା ଏବଂ ଶ୍ରେଣୀଗୃହର ଚାରି କାନ୍ଥ ବାହାରେ କିପରି ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ ସେଥିପାଇଁ ରୋଡମ୍ୟାପ୍ ବିଷୟରେ ନିଜ ମତ ପ୍ରକାଶ ରଖିଲେ।

ସେମାନଙ୍କ ସହ ଏନଇପି ଏବଂ ସମୂହ ଜ୍ଞାନ ଏବଂ ଦ୍ୱିପାକ୍ଷିକ ଗତିଶୀଳତା ପାଇଁ ଆଣିଥିବା ଅପାର ସୁଯୋଗ ବିଷୟରେ କଥାବାର୍ତ୍ତା କଲି । ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ନାନିଆଙ୍ଗ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ ଉଭୟ ପାର୍ଟନର ହୋଇପାରିବେ । ବିଶେଷ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଜଳବାୟୁ ପରିବର୍ତ୍ତନ, ସ୍ଥାୟୀତ୍ବ, ଫିନ-ଟେକ୍ କ୍ଷେତ୍ରରେ ବିଶ୍ୱର ସୁଯୋଗ ତଥା ଆମ ଦେଶର କଲ୍ୟାଣ ପାଇଁ ଅଂଶୀଦାର ହୋଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ତିନିଦିନିଆ ସିଙ୍ଗାପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲରେନ୍ସ ଓ୍ୱଙ୍ଗ ଏବଂ ସିଙ୍ଗାପୁରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ୍ କିମ୍ ୟୋଙ୍ଗଙ୍କୁ ଭେଟି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶର ସମ୍ପର୍କକୁ ମଜଭୂତ କରିବା ଉପରେ ଆଲୋଚନା କରିଛନ୍ତି।

ଏହି ଦୁଇ ପ୍ରମୁଖ ମନ୍ତ୍ରୀଙ୍କ ସହ ବୈଠକରେ ଶ୍ରୀ ପ୍ରଧାନ ଭାରତ ଓ ସିଙ୍ଗାପୁର ମଧ୍ୟରେ ଦକ୍ଷତା ବିକାଶ, ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଲୋଚନା କରିଛନ୍ତି ଏବଂ ବୈଠକ ଫଳପ୍ରଦ ହୋଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଉଭା ହେଉଥିବା ଭବିଷ୍ୟତ ହେଉଛି ଅସୀମିତ ସୁଯୋଗର ଅବସର ଦେଉଛି। ଉଭୟ ଦେଶକୁ ମିଳୁଥିବା ଲାଭ ଉପରେ କାର୍ଯ୍ୟ କରିବା ପାଇଁ ଦୁଇ ମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି। ସେହିପରି ଜୀବନବ୍ୟାପୀ ଶିକ୍ଷା ଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରିବା, ଭବିଷ୍ୟତ ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରିବା ତଥା ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ରଣନୈତିକ ଭାଗିଦାରୀକୁ ଅଧିକ ଦୃଢୀଭୂତ କରିବା ଦିଗରେ ଆଲୋଚନା ହୋଇଛି।

ସେହିପରି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସହ ଦକ୍ଷତା ବିକାଶକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ କେନ୍ଦ୍ରମନ୍ତ୍ରୀ। ନିକଟରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଓ୍ୱାର୍କସପର ଫଳାଫଳକୁ ନେଇ ବିଚାର ବିମର୍ଶ ହୋଇଥିଲା। ଭାରତର ଦକ୍ଷତା ପରିସଂସ୍ଥାନ ସାମ୍ନାରେ ଥିବା ଆହ୍ୱାନ ଏବଂ ପରିବର୍ତ୍ତନ ପାଇଁ ସିଙ୍ଗାପୁରର ଜ୍ଞାନ ଏବଂ ଅଭିଜ୍ଞତାକୁ କିପରି ଭାରତ ବ୍ୟବହାର କରିପାରିବ ସେ ଦିଗରେ ଆଲୋଚନା ହୋଇଥିଲା।

ଏହାବ୍ୟତିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମାନବ ସମ୍ବଳକୁ ପ୍ରଶିକ୍ଷିତ କରାଇବାରେ ସିଙ୍ଗାପୁର ଆପଣାଇଥିବା ମଡେଲ୍ ଏବଂ ବେଷ୍ଟ ପ୍ରାକ୍ଟିକ୍ସ ଉପରେ ମନ୍ତ୍ରୀଙ୍କ ଠାରୁ ଅବଗତ ହୋଇଥିଲେ। ସ୍କିଲିଂ ଉପରେ ପ୍ରାଥମିକତା ଦେଇ ନୂତନ ସୁଯୋଗ ସୃଷ୍ଟି କରିବା ତଥା ଉଭୟ ଦେଶର ପାରସ୍ପରିକ ଲାଭ ପାଇଁ ସେ ଆଲୋଚନା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ ସ୍ପେକ୍ଟ୍ରା ସେକେଣ୍ଡାରୀ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଉଲ୍ଲେଖନୀୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସିଙ୍ଗାପୁରର ଏହି ଦୁଇ ମନ୍ତ୍ରୀଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ପ୍ରଦାନ କରିଥିଲେ।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜମ୍ମୁ-କାଶ୍ମୀରରେ ଯବାନଙ୍କ ଶହୀଦ ଘଟଣାରେ ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଜମ୍ମୁ-କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଓ ଭାରତୀୟ ଯବାନଙ୍କ ପ୍ରତି ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଅଞ୍ଚଳର ଯବାନ ଦେବାଶିଷ ବିଶ୍ୱାଳ (ସାହିତ୍ୟ)ଙ୍କ ସମେତ ଯବାନମାନେ ଶହୀଦ ହୋଇଥିବା ଖବର ଶୁଣି ମୁଁ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ। ଏହି ବୀର ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ।

ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଏବଂ ସାହସ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତ, ବଢିଲା ରାଜନୈତିକ ଉଷ୍ମତା

ସୀତାରାମ ଅଗ୍ରୱାଲ

ଚିଲିକା: ଲୋକସଭା ପ୍ରବାସ ଯୋଜନା ଅନ୍ତର୍ଗତ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ ଆଜି ଅପରାହ୍ନରେ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଚିଲିକା ପୂର୍ବତନ ବିଧାୟକ ଡ଼ା ବିଭୁତି ଭୂଷଣ ହରିଚନ୍ଦନ, ପୁରୀ ଲୋକସଭା ପ୍ରବାସ ଯୋଜନା ପ୍ରଭାରୀ ଅମୀୟ ଦାସ, ସହ-ପ୍ରଭାରୀ ଶଙ୍କର ପରିଡା, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ଦାସ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଆଦି ଉକ୍ତ ଗସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ।

କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ୍ୟ ନେତୃବୃନ୍ଦ ନାଚୁଣୀଠାରେ ପୂର୍ବତନ ବିଧାୟକ ଡ଼ା ହରିଚନ୍ଦନଙ୍କ ଘରେ ଆତିଥ୍ୟ ଗ୍ରହଣ ପରେ ସ୍ଥାନୀୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଚିଲିକା ନିର୍ବାଚନମଣ୍ଡଳୀର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସାଙ୍ଗଠନିକ ବୈଠକରେ ଭାଗ ନେଇଥିଲେ।  ସେଠାରୁ ସନ୍ଧ୍ୟାରେ ବାଣପୁର ଗସ୍ତ କରି ବଜାର ସାହିସ୍ଥିତ ଲକ୍ଷ୍ମୀ ମନ୍ଦିର ଧର୍ମଶାଳାରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ କହିବା ସହ ରାଜ୍ୟ ସରକାରଙ୍କ ଅପରାଗତାକୁ ନେଇ ବର୍ଷିଥିଲେ।

ମୋଦି ସରକାରଙ୍କ ଦେଶର ଗରିବଙ୍କ କଲ୍ୟାଣ ନିମିତ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ କେଜି ଚାଉଳ ସବୁଠାରୁ ଉକ୍ତୃଷ୍ଟ ଯୋଜନା ବୋଲି ଅଭିହିତ କରିଥିବା ବେଳେ ଓଡ଼ିଶାରେ ଆୟୁଷ୍ମାନ ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରି ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ସଠିକ ଢଙ୍ଗରେ କର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ।

ରେଳ ବିଭାଗର ଉନ୍ନତି କରଣ ପାଇଁ ରାଜ୍ୟ ସରକାର ଜାଗା ଅଧିଗ୍ରହଣ କରୁ ନଥିବାରୁ କେନ୍ଦ୍ର ଯୋଜନା କରିଥିବା ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ। ଏହା ପରେ କେନ୍ଦ୍ର ମନ୍ତ୍ରୀ ଏକ ଦୋକାନକୁ ଯାଇ ବାଣପୁର ପ୍ରସିଦ୍ଧ ବେତ ସାମଗ୍ରୀ ୟୁପିଆଇ ପେ’ ଦ୍ୱାରା କ୍ରୟ କରିଥିଲେ ଏବଂ ବିଭିନ୍ନ ଦୋକାନୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।

ପରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କୁ ସମସ୍ତ ନେତୃବୃନ୍ଦ ଦର୍ଶନ କରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ।

Categories
ବିଶେଷ ଖବର

ଆଇନଶୃଙ୍ଖଳାକୁ ଆଳ କରି ଓଡିଶା ଲୋକଙ୍କୁ ଅପମାନିତ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର: ସମ୍ବେଦନଶୀଳ ଆଇନ୍ ଶୃଙ୍ଖଳା ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ରାଜନୀତି ନକରିବାକୁ କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ଆଜି ଏଠାରେ ସାମ୍ବାଦିକମାନଙ୍କୁ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଦେଶର ବିଜେପି ଶାସିତ ରାଜ୍ୟ ଯଥା ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ତୁଳନାରେ ଓଡିଶାର ଆଇନ୍‌ଶୃଙ୍ଖଳା ପରିସ୍ଥିତି ବେଶ୍ ଭଲ ରହିଛି। ଏପରିକି ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାକୁ ଯାଇଥିବା ମଧ୍ୟପ୍ରଦେଶ ତୁଳନାରେ ଓଡିଶାର ଆଇନ୍‌ଶୃଙ୍ଖଳା ସ୍ଥିତି ବେଶ୍ ଭଲ।

ଏହା ଅତ୍ୟନ୍ତ ସ୍ପର୍ଶକାତର ଘଟଣା ଓ ଏହାକୁ ନେଇ ରାଜନୀତି କରିବା ବଦଳରେ ସଂଯମତାର ସହ ମୁକାବିଲା କରାଯିବା ଆବଶ୍ୟକ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଢ ଭାବେ ପରିଚାଳନା ଏବଂ ପରିସ୍ଥିତିକୁ ଶାନ୍ତ କରିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ଯାହା ସମସ୍ତେ ଦେଖୁଛନ୍ତି।

କେନ୍ଦ୍ର ସରକାରଙ୍କର ଜଣେ ଦାୟିତ୍ୱସମ୍ପନ୍ନ ମନ୍ତ୍ରୀ ଭାବେ ଯଦି ଆପଣ ଏହାକୁ ନେଇ ରାଜନୀତି କରିବା ବଦଳରେ ଲୋକଙ୍କୁ ଶାନ୍ତ ରହିବାକୁ ନିବେଦନ କରିଥାନ୍ତେ ତେବେ ଭଲ ହୋଇଥାନ୍ତା ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ଓଡିଶାର ଲୋକେ ଶାନ୍ତିପ୍ରିୟ ଏବଂ ଓଡିଶା ମଧ୍ୟ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ଓଡିଶାର ଲୋକଙ୍କୁ ଆଇନହୀନ ବୋଲି କହି ସେମାନଙ୍କୁ ଅପମାନିତ ନକରିବାକୁ ଶ୍ରୀମତୀ ମିଶ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କହିଛନ୍ତି।

Categories
ବିଶେଷ ଖବର

ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ପ୍ରତିକ୍ରିୟା ରଖିଲା ଜର୍ମାନୀ: ଜାଣନ୍ତୁ କ’ଣ କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ରଦ୍ଦ ହେବା ଉପରେ ଜର୍ମାନୀ ପ୍ରତିକ୍ରିୟା ପ୍ରକାଶ କରିଛି। ଏକ ପ୍ରଶ୍ନର ଉତ୍ତରରେ ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ରାହୁଲଙ୍କ ବିରୋଧରେ ନିଆଯାଇଥିବା କୌଣସି କାର୍ଯ୍ୟ ନ୍ୟାୟିକ ସ୍ଵାଧୀନତା ମଧ୍ୟରେ ଏବଂ ତାଙ୍କର ମୌଳିକ ଅଧିକାରକୁ ଦୃଷ୍ଟିରେ ରଖି କରାଯାଇଥିବ।

ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆମର ଜ୍ଞାନ ଅନୁଯାୟୀ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାର ବିକଳ୍ପ ରହିଛି। ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ନିଶ୍ଚିତ ଯେ ରାହୁଲ ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାବେଳେ କିମ୍ବା ତାଙ୍କ ପକ୍ଷ ଶୁଣିବା ସମୟରେ ନ୍ୟାୟିକ ସ୍ଵାଧୀନତା ଏବଂ ତାଙ୍କର (ରାହୁଲଙ୍କ) ମୌଳିକ ଅଧିକାରର ଯତ୍ନ ନିଆଯିବ।

ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତି ପରେ ଏପର୍ଯ୍ୟନ୍ତ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ତେବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ତାଙ୍କ ସଂସଦ ସଦସ୍ୟତା ରଦ୍ଦ କିମ୍ବା ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏହି ଦେଶରେ କେହି ସୁପ୍ରିମକୋର୍ଟଙ୍କ ଉପରେ ନାହାଁନ୍ତି ଏବଂ ଏଥିପାଇଁ ନ୍ୟାୟିକ ଏବଂ ସାମ୍ବିଧାନିକ ଅନୁଷ୍ଠାନ ଅଛି।

Categories
ଆଜିର ଖବର ଜାତୀୟ ଖବର

‘ପରୀକ୍ଷା ପେ ଚର୍ଚ୍ଚା-୨୦୨୩’ ଆୟୋଜନ ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୭ ତାରିଖରେ ନୂଆଦିଲ୍ଲୀର ତାଳକଟୋରା ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣରେ ପ୍ରଥମ ଥର ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ବୋର୍ଡ ମାନଙ୍କର ୧୬ ଲକ୍ଷ ପିଲା ଅଂଶଗ୍ରହଣ କରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜନଆନ୍ଦୋଳନରେ ପରିଣତ ହୋଇସାରିଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ଏହି କାର୍ଯ୍ୟକ୍ରମକୁ ଦେଶର ଲୋକମାନେ ସକାରାତ୍ମକ ଭାବରେ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜର ବ୍ୟସ୍ତ ଜୀବନଚର୍ଯ୍ୟା ମଧ୍ୟରେ ଦେଶର ନୂଆ ପୀଢିକୁ ପ୍ରସ୍ତୁତ କରିବା ପାଇଁ ଅଭିଭାବକ ଓ ମେଣ୍ଟର ଭାବେ ପରାମର୍ଶ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କ ପ୍ରଶ୍ନତ୍ତୋର ଓ ଆଲୋଚନା କାର୍ଯ୍ୟକ୍ରମ ଜୀବନ ପ୍ରତି ଏକ ନୂଆ ଦୃଷ୍ଟିକୋଣ । ଏହା ଧୀରେ ଧୀରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଆଲୋଚନା ଓ ଆସ୍ଥାର ବିଷୟ ହେବା ସହ ସେମାନଙ୍କର ଆତ୍ମବିଶ୍ୱାସ ବଢାଉଛି । ଏହି କାର୍ଯ୍ୟକ୍ରମ ଏକ ଅନୁଷ୍ଠାନ ଭାବରେ ପରିଗଣିତ ହୋଇସାରିଛି ।

ଚଳିତବର୍ଷ ପରୀକ୍ଷା ପେ ଚର୍ଚ୍ଚା ପାଇଁ ମୋଟ ୩୮ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକରଣ କରାଇଛନ୍ତି । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୫ ଲକ୍ଷ ୭୩ ହଜାର ଅଧିକ । ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମସ୍ତ ରାଜ୍ୟର ପ୍ରତିନିଧି ଭାବେ ସାରା ଦେଶର  ୧୦୨ ଜଣ ବିଦ୍ୟାର୍ଥୀ ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହା ବ୍ୟତୀତ କିଛି ଦିନ ପୂର୍ବରୁ ଭାରତ ସରକାରଙ୍କ ଏନସିଇଆରଟି ଏବଂ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପକ୍ଷରୁ ଆୟୋଜିତ କଳା ଉତ୍ସବର ୮୦ ଜଣ ଶ୍ରେଷ୍ଠ ବିଜେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏହି ସମସ୍ତ ବିଦ୍ୟାର୍ଥୀ ଗଣତନ୍ତ୍ର ଦିବସ ପ୍ୟାରେଡରେ ମଧ୍ୟ ଅତିଥି ଭାବେ ଭାଗ ନେବେ । ଏହି ସବୁ ପିଲାଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପରୀକ୍ଷା ପେ ଚର୍ତ୍ତାର ପର ଦିନ କର୍ତ୍ତବ୍ୟ ପଥ, ରାଷ୍ଟ୍ରୀୟ ସମର ସ୍ମାରକ, ରାଜଘାଟ, ସଦୈବ ଅଟଳ ଓ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ତଥା ଦେଶର ଐତିହ୍ୟ ସହ ଜଡ଼ିତ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ପାଇଁ ନିଆଯିବ ।

ଏଗଜାମ ୱାରିୟର୍ସ ପୁସ୍ତକର ବଢୁଥିବା ଚାହିଦା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ନିକଟରେ ଦେଶର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ ବିଦ୍ୟାଳୟ ସମେତ ରାଜ୍ୟସ୍ତରୀୟ ବୋର୍ଡର ୭ ହଜାର ୨୮୩ ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏଗଜାମ ଓ୍ୱାରିୟର୍ସ କଥାବସ୍ତୁ ଉପରେ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହା ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭାକୁ ଚିହ୍ନଟ କରିବାର ଏକ ଅବସର ଦେଇଥିଲା ।

ଏଗଜାମ ଓ୍ୱାରିୟର୍ସ ପୁସ୍ତକ ଇଂରାଜୀ ଓ ହିନ୍ଦି ଭାଷା ସମେତ ଦେଶର ୧୩ଟି ପ୍ରମୁଖ ସ୍ଥାନୀୟ ଭାଷା ଯଥା ଓଡ଼ିଆ, ଆସାମୀ, ବେଙ୍ଗଲୀ, ଗୁଜୁରାଟୀ, କନ୍ନଡ, ମଲାୟାଲାମ, ମରାଠୀ, ପଞ୍ଜାବୀ, ତାମିଲ ତେଲୁଗୁ, ଉର୍ଦ୍ଧୁ ଭାଷାରେ ପ୍ରକାଶିତ ହୋଇଛି । ଏହି ପୁସ୍ତକକୁ ଅଳ୍ପ କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ବ୍ୟକ୍ତି ରାଜ୍ୟପାଳ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

———————-

 

 

 

 

 

 

 

 

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆସନ୍ତାକାଲି ଓଡିଶାରେ ଆରମ୍ଭ ହେବ 5ଜି ସେବା, କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କରିବେ ଶୁଭାରମ୍ଭ

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ପାଇଁ ଏକ ଖୁସିର ଖବର। କାରଣ ଆସନ୍ତାକାଲି ଓଡିଶାର ଆରମ୍ଭ ହେବ 5ଜି ସେବା। ଏହି 5ଜି ହେଉଛି ମୋବାଇଲ ସେବାର ସବୁଠାରୁ ହାଇସ୍ପିଡ ସେବା। ଏହାକୁ କେନ୍ଦ୍ର ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଏହାର ଉଦଘାଟନ କରିବେ। ଦେଶରେ ବିଭିନ୍ନ ସ୍ଥାନରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ଓଡିଶାରେ ଆରମ୍ଭ ହୋଇ ନ ଥିଲା।

ଏହି ଉତ୍ସବ ପାଇଁ ଭୁବନେଶ୍ବରର ସୋଆ ପ୍ରେକ୍ଷାଳୟରେ ଆୟୋଜନ କରାଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କ ସହିତ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେ। ଆସନ୍ତାକାଲି ଦିନ 9 ଟା 30 ରେ ଏହି ଉଦଘାଟନର ସମୟ ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭାରତ ଜି-୨୦ ଉପରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ଵାନ

ଭୁବନେଶ୍ୱର: ଭାରତ ଜି-୨୦ କଥାବସ୍ତୁକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଭାରତର ଜି -୨୦ ଅଧ୍ୟକ୍ଷତାକୁ ନେଇ ଓଡ଼ିଶାର ଗ୍ରାମାଞ୍ଚଳରେ ଉତ୍ସାହ ଦେଖି ଆନନ୍ଦିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲାର ‘ଆମେ ପ୍ରୟାସ’  ନାମକ ଏକ ସାମାଜିକ ସଂଗଠନ ଭାରତ ଜି-୨୦ ପ୍ରସଙ୍ଗରେ ବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ, ବକ୍ତୃତା ଏବଂ ପ୍ରଶ୍ନତ୍ତୋର ପ୍ରତିଯୋଗିତା ଆୟୋଜନ କରିଛି। ଏହି ପ୍ରତିଯୋଗିତାରେ ୩୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ଖୁସିର ବିଷୟ। ସେହିପରି ସାରା ରାଜ୍ୟରେ ସଂଗଠନ ପକ୍ଷରୁ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ବିଭିନ୍ନ ଗଠନମୂଳକ ପଦକ୍ଷେପ ନିଆଯିବା ସହ ସମଗ୍ର ରାଜ୍ୟରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଉଛି।

ଏହି ପଦକ୍ଷେପକୁ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶର ଜଣେ ନାଗରିକ ଭାବରେ ଭାରତର ଜି-୨୦ ଅଧ୍ୟକ୍ଷତା ଭାବେ ଏଥିରେ ଆମେ ସମସ୍ତେ ଅଂଶୀଦାର। ଭାରତ ଜି-୨୦ ସହ ଲୋକଙ୍କୁ ଯୋଡ଼ିବା ଏବଂ ଯୋଗଦାନକୁ ବଢାଇବା ଆମର ସାମୂହିକ ଦାୟିତ୍ୱ। ବିଶ୍ୱରେ ଭାରତର ଶକ୍ତି, ବିବିଧତା, ପରମ୍ପରା ଏବଂ ସଫଳତାକୁ ପ୍ରଦର୍ଶନ କରିବା ପାଇଁ ଏହି ଆନ୍ଦୋଳନରେ ସମସ୍ତେ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମହିମାଗାଦି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଯୋରନ୍ଦା: ସୁଯୋଗ ନମିଳିବା କାରଣରୁ ସମାଜରେ ଅନେକ ବଣ ମଲ୍ଲି ବଣରେ ହିଁ ରହିଯାଉଛନ୍ତି। ତେଣୁ  ସେହି ସବୁ ବଣ ମଲ୍ଲିକୁ ପ୍ରସ୍ଫୁଟିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶୁକ୍ରବାର ଯୋରନ୍ଦା ମହିମାଗାଦି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେଇ ଏକ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଜଣେ ଛାତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ମା’ ସରସ୍ୱତୀ ଓ ପ୍ରଭୁ ଶ୍ରୀଗଣେଶଙ୍କ ଏକ ଥ୍ରୀଡି ପ୍ରିଣ୍ଟିଂର ମୂର୍ତ୍ତି ଉପହାର ଭାବରେ ପ୍ରଦାନ କରିଥିଲେ। ସେହି ଥ୍ରୀଡି ପ୍ରିଣ୍ଟିଂ ମୂର୍ତ୍ତିକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଥିଲେ, ଆମର ପିଲାମାନଙ୍କୁ ସୁଯୋଗ ମିଳିଲେ ସମସ୍ତେ ବହୁତ ଭଲ କାମ କରିପାରିବେ। ସେହିଭଳି ପିଲା ମାନଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି। ଏହା ଆମ ସମସ୍ତଙ୍କର ଦାୟିତ୍ୱ।

ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହେବା ଉପଲକ୍ଷେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। ଏହାସହ ଉଦଘାଟିତ ଅଟଳ ଟିଙ୍କରିଂ ଲ୍ୟାବ୍ ଉପରେ ସେ କହିଥିଲେ ଯେ ଅଟଳ ଟିଙ୍କରିଂ ଲ୍ୟାବ୍ ନୂଆପିଢ଼ିର ଶିକ୍ଷାର୍ଥୀମାନଙ୍କର ଶିକ୍ଷା ଓ ଦକ୍ଷତା ବିକାଶର ମାଧ୍ୟମ ହୋଇଛି। ପିଲାଙ୍କ ମନରେ ଥିବା ପ୍ରତିଭା ଓ ସର୍ଜନଶୀଳତାକୁ ପ୍ରସ୍ଫୁଟିତ କରିବା ଏହି ଲ୍ୟାବର ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି ମାଧ୍ୟମରେ ଏହି ଲ୍ୟାବ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତିକୁ ଉଜ୍ଜିବୀତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଢେଙ୍କାନାଳରେ  ଭାରତ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାମାକ୍ଷାନଗର କାନପୁରା ସ୍ଥିତ ମା’ ମଙ୍ଗଳା ମନ୍ଦିରରେ ଦର୍ଶନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର  ଟୁଡୁ

ନୂଆଦିଲ୍ଲୀ: କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ  ଆଜି ନୂଆଦିଲ୍ଲୀର ତ୍ୟାଗରାଜ ନଗରର ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏକ ସ୍ୱଚ୍ଛତା ତଥା ଜନସଚେତନତା କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମବାର୍ଷିକୀ ପାଳନ ପାଇଁ ଦେଶବ୍ୟାପୀ କାର୍ଯ୍ୟକ୍ରମ “ସେବା ପଖୱାଡା” ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅର୍ଥାତ୍ ୧୭ ସେପ୍ଟେମ୍ବରରୁ “ସେବା ପଖୱାଡା” ର ଆରମ୍ଭ ହୋଇଥିଲା ଏବଂ ଏହା ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲୁ ରହିବ।

ପରିବେଶ ପରିଚ୍ଛନ୍ନତା, ଜଳ ସଂରକ୍ଷଣ, ବୃକ୍ଷରୋପଣ, ରକ୍ତ ଦାନ ଇତ୍ୟାଦି ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର  ଟୁଡୁ  ଦର୍ଶକଙ୍କୁ ଏକ ସଚେତନ ସମାଜ ତଥା ପ୍ରଗତିଶୀଳ ରାଷ୍ଟ୍ର ପାଇଁ ସ୍ୱଚ୍ଛତାର ଗୁରୁତ୍ବ ବିଷୟରେ ଅବଗତ କରାଇଥିଲେ ଏବଂ ପ୍ରସିଦ୍ଧ ଓଡିଆ ଉକ୍ତି “ମାନବ ସେବା ହିଁ ମାଧବ ସେବା” ସହିତ ତାଙ୍କର ବକ୍ତବ୍ୟ ସମାପ୍ତ କରିଥିଲେ। ଏହା ବଳରେ ଭାରତ ଦିନେ ବିଶ୍ବ ଗୁରୁରେ ପରିଣତ ହେବ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ଶୋଇପଡିଲେ ଅଧିକାରୀ, କିଛି କ୍ଷଣ ମଧ୍ୟରେ ଚାଲିଗଲା ଚାକିରି

ନୂଆଦିଲ୍ଲୀ: ଦୁରସଞ୍ଚାର ବୈଠକରେ ଏକ ଅଜବ ଘଟଣା ଘଟିଯାଇଛି। ଏଠାରେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବୈଠକରେ ବିଏସଏନଏଲର ଜଣେ ବରିଷ୍ଠ ଅଧିକାରୀଙ୍କ ଆଖି ଲାଗିଯାଇଥିଲା। ଏହା ପରେ ତାଙ୍କୁ ସଭାରୁ ବାହାର କରି ସ୍ୱେଚ୍ଛାକୃତ ଅବସର (VRS) ନେବାକୁ କୁହାଯାଇଥିଲା।

ସୂଚନା ଅନୁଯାୟୀ, BSNL କୁ ଟ୍ରାକକୁ ଫେରାଇ ଆଣିବା ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବିଏସଏନଏଲର ଅବସ୍ଥା ସୁଧାରିବା ପାଇଁ କେନ୍ଦ୍ର କ୍ୟାବିନେଟ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅନୁମୋଦନ କରିଛି। ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପକୁ ଅତି ଗୁରୁତର ସହ ନେଇଛନ୍ତି। ସେ ଅଗଷ୍ଟ ମାସରେ ଏକ CGM ସ୍ତରୀୟ ବୈଠକ କରି କର୍ମଚାରୀମାନଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ କିମ୍ବା ସ୍ୱେଚ୍ଛାକୃତ ନେବାକୁ କହିଥିଲେ। ଏହି ବୈଠକରେ ମନ୍ତ୍ରୀ ବୈଷ୍ଣବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏହି ସମୟରେ ଜଣେ CGM ଶୋଇପଡିଥିଲେ। ତାଙ୍କୁ ଶୋଇଥିବାର ଦେଖି ମନ୍ତ୍ରୀ ତାଙ୍କ ଆଡକୁ ଚାହିଁଲେ। ସେ କ୍ରୋଧିତ ହୋଇ ସିଜିଏମ୍ କୁ ତୁରନ୍ତ ବୈଠକ ଛାଡିବାକୁ କହିଥିଲେ। କେବଳ ଏତିକି ନୁହେଁ, ତାଙ୍କୁ VRS ନେବାକୁ ମଧ୍ୟ କୁହାଯାଇଥିଲା। କୁହାଯାଉଛି ଯେ, ତାଙ୍କ VRS କୁ ମଧ୍ୟ ଅନୁମୋଦନ କରାଯାଇଛି। ଏହି ଅଧିକାରୀଜଣଙ୍କ ବାଙ୍ଗାଲୋରରେ କାର୍ଯ୍ୟ କରୁଥିଲେ।

BSNL କୁ ମଧ୍ୟ ଏହି ବିଷୟରେ ଆଲୋଚନା କରିବାକୁ ଏକ ମେଲ ପଠାଯାଇଛି, ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ। ସୂତ୍ରରୁ ପ୍ରକାଶ ଯେ, ଦେଶରେ ଟେଲିକମ୍ ସ୍ଥିତିର ଉନ୍ନତି ପାଇଁ କେନ୍ଦ୍ର ଗମ୍ଭୀର ଅଟେ। ଏଥିସହ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସଏନଏଲର କର୍ମଚାରୀମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେମାନେ ସରକାରଙ୍କ ମନୋଭାବ ପରିବର୍ତ୍ତନ କରନ୍ତୁ। ଯଦି ସେମାନେ କାମ କରିପାରିବେ ନାହିଁ, ତେବେ ତୁରନ୍ତ ଚାକିରି ଛାଡି VRS ନିଅନ୍ତୁ। ଏବଂ, ଯଦିଓ ସେମାନେ VRS ନ ନିଅନ୍ତି, ତେବେ ସରକାରଙ୍କ ପାଖରେ ବାଧ୍ୟତାମୂଳକ ଅବସର ପାଇଁ ରାସ୍ତା ଖୋଲା ଅଛି। କାର୍ଯ୍ୟରେ ଅଳସୁଆମୀ ଆଦୌ ବରଦାସ୍ତ କରାଯିବ ନାହିଁ।

ମନ୍ତ୍ରୀ ବୈଷ୍ଣବ କର୍ମଚାରୀମାନଙ୍କୁ କହିଛନ୍ତି ଯେ ବିଏସଏନଏଲର କାରବାର ପାଇଁ ସରକାର ୧.୬୪ ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ତେଣୁ ଏହାକୁ ଉନ୍ନତ କରିବା ପାଇଁ ସମସ୍ତଙ୍କର ଦାୟିତ୍ଵ। ୨୦୧୯ ମସିହାରେ, BSNL କୁ ୬୯ ହଜାର କୋଟି ଟଙ୍କା ରିଲିଫ୍ ପ୍ୟାକେଜ୍ ଦିଆଯାଇଥିଲା। ଏହା ପରେ ୪-ଜି ପାଇଁ ସହାୟତା ପ୍ରଦାନ କରାଯାଇଥିଲା। ଏହାର ଉନ୍ନତି ପାଇଁ ସରକାର ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡକୁ ମଧ୍ୟ ମିଶ୍ରଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତର ଆକାଂକ୍ଷୀ ବଜାର ବିଷୟରେ ବିଶ୍ୱକୁ ସୂଚନା ଦେବା ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ

ନୂଆଦିଲ୍ଲୀ: ବାଣିଜ୍ୟ ଓ ଶିଳ୍ପ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ତଥା ବୟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଆମେରିକାରେ ପ୍ରବାସୀ ଭାରତୀୟ ନିଜ କାର୍ଯ୍ୟରେ ପେସାଦାର ତଥା ନବୋନ୍ମେଷୀ ହୋଇଛନ୍ତି ଏବଂ ସେମାନେ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧ ସହ ନିରନ୍ତର ଗଭୀର ସମ୍ପର୍କ ବଜାୟ ରଖିଛନ୍ତି; ଏହିଭଳି ଭାବେ ଏହି ଲୋକମାନେ ଭାରତର ଆତ୍ମାକୁ ଜୀବନ୍ତ ରଖିପାରିଛନ୍ତି। ସେ ଆଜି ସାନଫ୍ରାନସିସ୍କୋରେ ‘ପ୍ରବାସୀ ଭାରତୀୟ’ଙ୍କ ସହ ଦ୍ୱିପହର ଭୋଜନ ବେଳେ ଉଦବୋଧନ ଦେଇଥିଲେ।

ଶ୍ରୀ ଗୋୟଲ କହିଛନ୍ତି ଯେ ପ୍ରବାସୀ ଭାରତୀୟ ଭାରତ ଓ ବିଦେଶ ମଧ୍ୟରେ ସମ୍ପର୍କ ବଜାୟ ରଖିବା ପାଇଁ ଅନନ୍ୟ ସ୍ଥିତିରେ ରହିଛନ୍ତି। ସେ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି ଯେ ସେମାନେ ୧୩୦ କୋଟି ଲୋକଙ୍କ ଦେଶ ଭାରତର ଆକାଂକ୍ଷୀ ବଜାର ଦ୍ୱାରା ପ୍ରସ୍ତୁତ ପ୍ରଚୁର ବ୍ୟବସାୟ ସୁଯୋଗ ବାବଦରେ ବିଶ୍ୱକୁ ସୂଚନା ଦିଅନ୍ତୁ।

ଶ୍ରୀ ଗୋୟଲ ଭାରତରେ ଥିବା ଜୀବନ୍ତ ଷ୍ଟାର୍ଟ-ଅପ ଇକୋସିଷ୍ଟମକୁ ରେଖାଙ୍କିତ କରି ସ୍ମରଣ କରିଛନ୍ତି ଯେ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ରେ ‘ଷ୍ଟାର୍ଟ-ଅପ ଇଣ୍ଡିଆ’ର ଶୁଭାରମ୍ଭ କରିଥିଲେ, ଏହି ପଦକ୍ଷେପ ନବସୃଜନର ବର୍ଦ୍ଧିଷ୍ଣୁ ମହତ୍ତ୍ୱ, ଯୁବ ପ୍ରତିଭାମାନଙ୍କର ନୂଆ ବିଚାର, ନୂଆ ପ୍ରୟୋଗ ସହିତ ସାମ୍ନାକୁ ଆସିବା ଏବଂ ନୂଆ ସମାଧାନ ଉପସ୍ଥାପନ କରିବାର ପରିଚୟ ଦେବା ପାଇଁ ଉଦ୍ଦିଷ୍ଟ ଥିଲା।

ଶ୍ରୀ ଗୋୟଲ ଦର୍ଶାଇଛନ୍ତି ଯେ ଭାରତରେ ଷ୍ଟାର୍ଟ-ଅପର ବହୁତ ବିଚାର ବିକଶିତ ହେଉଛି ଏବଂ ସେଠାରେ ଏକ ବିଶାଳ ଘରୋଇ ବଜାର ଉପସ୍ଥିତ ରହିଛି। ଏହି ଘରୋଇ ବଜାର ବିଶ୍ୱ ସହିତ ସେତିକି ଜଡ଼ିତ ରହିଛି, ଯେତିକି ହେବା ଦରକାର ଥିଲା। ଶ୍ରୀ ଗୋୟଲ କହିଛନ୍ତି ଯେ ଏହା ଜରୁରି ଯେ ଭାରତୀୟ ଷ୍ଟାର୍ଟ-ଅପ ବିଚାରଗୁଡ଼ିକୁ ଅଧିକ ସୁଯୋଗ ମିଳିବା ଉଚିତ ଏବଂ ସେଗୁଡ଼ିକ ବଜାର ପର୍ଯ୍ୟନ୍ତ ପହଞ୍ଚ ବନାଇ ରଖନ୍ତୁ। ସେ କହିଥିଲେ ଯେ ବୈଶ୍ୱିକ ହେବା ପାଇଁ ସିଲିକନ ଭ୍ୟାଲି ଠାରୁ ଉତ୍ତମ ସ୍ଥାନ ଆଉ କିଛି ନାହିଁ। ଶ୍ରୀ ଗୋୟଲ କହିଛନ୍ତି ଯେ ବିଶ୍ୱରେ ଏମିତି କୌଣସି ଦେଶ ନାହିଁ, ଯାହା କି ବାକି ବିଶ୍ୱ ସହ ସମ୍ପର୍କ ବୃଦ୍ଧି ନ କରି ବିକଶିତ ହୋଇଛି। ତେଣୁ ଆମ ପାଇଁ ଜରୁରି ଯେ ଆମେ ବିଶ୍ୱ ସହ ଯୋଡ଼ି ହେବାର କୌଣସି ସୁଯୋଗ ଯେମିତି ହାତଛଡ଼ା ନ କରିବା।

ଶ୍ରୀ ଗୋୟଲ କହିଛନ୍ତି ଯେ ସରକାର ଭାରତୀୟ ଷ୍ଟାର୍ଟ-ଅପ ଏବଂ ଆମେରିକାର ନିବେଶକଙ୍କ ମଧ୍ୟରେ ସେତୁର ଭୂମିକା ନିର୍ବାହ କରୁଛନ୍ତି। ସେ ଆଗ୍ରହ ଦେଖାଇଛନ୍ତି ଯେ ଉଭୟ ପରସ୍ପର ସହ ବାର୍ତ୍ତାକୁ ନୂଆ ସ୍ତର ପର୍ଯ୍ୟନ୍ତ ନେଇଯିବା ଆବଶ୍ୟକ। ଶ୍ରୀ ଗୋୟଲ କହିଛନ୍ତି ଯେ ସେ ନିବେଶକଙ୍କର କିଛି ନୂଆ ବିଚାର ନିଜ ସାଥିରେ ନେଇ ଯାଉଛନ୍ତି, ଯାହା ଭାରତରେ ନୂଆ ନବସୃଜନ ନିମନ୍ତେ ପୁଞ୍ଜିଗତ ପ୍ରୋତ୍ସାହନକୁ ତ୍ୱରାନ୍ୱିତ କରିବ।

ସରକାରଙ୍କ କାର୍ଯ୍ୟଶୈଳୀରେ ହେଉଥିବା ପରିବର୍ତ୍ତନ ବାବଦରେ ଉଲ୍ଲେଖ କରି ଶ୍ରୀ ଗୋୟଲ କହିଛନ୍ତି ଯେ ଭାରତ ଲାଲ ଫିତାଶାହି ଠାରୁ ଦୂରଉଛି, ଯାହା ଅତୀତରେ ତିଷ୍ଠି ରହିଥିଲା। ସେ କହିଛନ୍ତି ଯେ ପ୍ରାଦ୍ୟୋଗିକତା ଓ ପାରଦର୍ଶିତା ବଡ଼ ଆକାରରେ ପୁରୁଣା ଉପାୟକୁ ସମାପ୍ତ କରିଦେଇଛି। ଭାରତ ସରକାର ଅନୁକୂଳ ବ୍ୟବସାୟ ବାତାବରଣ ସୃଷ୍ଟି ନିମନ୍ତେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ସରକାରଙ୍କ କାର୍ଯ୍ୟ କରିବାର ଉପାୟ କ୍ଷେତ୍ରୀୟ ସ୍ତରରେ ଲୋକଙ୍କ ସହ ସକି୍ରୟତା ସହ ଯୋଡ଼ିହେବା ଉପରେ ଆଧାରିତ। ସରକାର ନୀତିଗତ ନିଶ୍ଚିତତାକୁ ବଜାୟ ରଖିବା ତଥା ନିୟମ-ପ୍ରକି୍ରୟାଗୁଡ଼ିକୁ ତ୍ରୁଟିମୁକ୍ତ କରିବା ଉପରେ ଜୋର ଦେଉଛନ୍ତି, ଯାହା ବିକଶିତ ଦେଶଗୁଡ଼ିକର ସ୍ଥିତି ସହ ମେଳ ଖାଉଛି।

ସମଗ୍ର ଭାରତରେ, ବିଶେଷକରି ଦୂରଦୂରାନ୍ତ ଏବଂ ଦୁର୍ଗମ ଅଞ୍ଚଳରେ ଉନ୍ନତ ଅବସଂରଚନା ଉପଲବ୍ଧ କରାଇବା ବାବଦରେ ଶ୍ରୀ ଗୋୟଲ ଉଲ୍ଲେଖ କରିଛନ୍ତି ଯେ ନିକଟରେ ମନ୍ତ୍ରିମଣ୍ଡଳ ଧାର୍ଯ୍ୟ କରିଛି ଯେ ବଳକା ୨୫,୦୦୦ ଦୁର୍ଗମ ଗ୍ରାମ ପର୍ଯ୍ୟନ୍ତ ନେଟୱର୍କ କନେକ୍ଟିଭିଟି ପହଞ୍ଚାଯିବ। ରପ୍ତାନି ବାବଦରେ ଶ୍ରୀ ଗୋୟଲ କହିଛନ୍ତି ଯେ ଭାରତ ଗତ ଆର୍ଥିକବର୍ଷରେ ଏ ପର୍ଯ୍ୟନ୍ତର ସର୍ବାଧିକ ୬୭୫ ବିଲିୟନ ଆମେରିକୀୟ ଡଲାର ସାମଗ୍ରୀ ଏବଂ ସେବା ରପ୍ତାନି ହାସଲ କରିଛି। ସେ ଆଶାବ୍ୟକ୍ତ କରିଛନ୍ତି ଯେ ଚଳିତବର୍ଷ ଏହା ୭୫୦ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିଯିବ।

ଶ୍ରୀ ଗୋୟଲ କହିଛନ୍ତି ଯେ ୨୦୪୭ ପର୍ଯ୍ୟନ୍ତ ଅମୃତ କାଳ ରହିବ, ଯେତେବେଳେ ଆମେ ଭାରତର ୧୦୦ତମ ସ୍ୱାଧୀନତା ଦିବସ ପାଳନ କରିବା। ଏହି କାଳଖଣ୍ଡ ବିକଶିତ ଦେଶ ହେବା ଅଭିମୁଖେ ଭାରତର ଯାତ୍ରା ନିର୍ଣ୍ଣାୟକ କାଳଖଣ୍ଡ ସାବ୍ୟସ୍ତ ହେବ। ସେତେବେଳେ ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ସମୃଦ୍ଧ ହୋଇଯିବ। ସେ କହିଛନ୍ତି ଯେ ପ୍ରବାସୀ ଭାରତୀୟ ଏହି ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି, କାରଣ ସେମାନେ ପ୍ରତିଭା, ନୂଆ ବିଚାର ଏବଂ ନବସୃଜନକୁ ଭଲ ଭାବେ ଚିହ୍ନନ୍ତି, ସେମାନଙ୍କ ମାର୍ଗଦର୍ଶନ, ସମର୍ଥନ ଓ ବିତ୍ତପୋଷଣ କରୁଛନ୍ତି। ଶ୍ରୀ ଗୋୟଲ କହିଛନ୍ତି ଯେ ସେ ଭାରତ ଓ ଆମେରିକା ମଧ୍ୟରେ ସେତୁ ସ୍ଥାପନ କରିବାର ଲଗାତର ଉଦ୍ୟମର ସମର୍ଥକ, ଯାହା ଅନୁସାରେ ବ୍ୟବସାୟ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ଶୈଶବାବସ୍ଥା ଶିକ୍ଷା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଲି: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡୋନେସିଆ ଗସ୍ତର ଅନ୍ତିମ ଦିନରେ ବାଲି ଠାରେ ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆର ଶୈଶବାବସ୍ଥା ଶିକ୍ଷା ଓ ଯୁବ ମନ୍ତ୍ରୀଙ୍କ ସହ ପୃଥକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ଉଭୟ ଦେଶର ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଭାଗିଦାରୀତାକୁ ଅଧିକ ମଜଭୂତ୍ କରିବା ଦିଗରେ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ର ସହ ବିଶେଷ ଭାବରେ ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ଶୈଶବାବସ୍ଥା ଶିକ୍ଷା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି।

ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ନାଦିମ୍ ଅନୁଓ୍ୱର ମକାରିନଙ୍କ ସହ ଶିକ୍ଷା, ଦକ୍ଷତା ବିକାଶ, ଭାଗିଦାରୀତାକୁ ବିକଶିତ କରିବା ସହ ରଣନୈତିକ ସମ୍ପର୍କକୁ ଆହୁରି ଆଗକୁ ନେବା ପାଇଁ ଆଲୋଚନା ହୋଇଛି। ଶିକ୍ଷା, ଦକ୍ଷତା ବିକାଶ, ବିଶେଷ ଭାବରେ ପାଠ୍ୟକ୍ରମ ପ୍ରସ୍ତୁତି, ଛାତ୍ରଛାତ୍ରୀ ବିନିମୟ ଏବଂ ଗବେଷଣା ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ବୃଦ୍ଧି କରିବାକୁ ବୈଠକରେ ଆଲୋଚନା ହୋଇଛି। ଭାରତର ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ର ସହ ସହଯୋଗୀ ହେବା ପାଇଁ ଇଣ୍ଡୋନେସିଆ ଇଚ୍ଛାପ୍ରକାଶ କରିଛି। ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀଙ୍କୁ ଭାରତ ଆସିବା ପାଇଁ କେନ୍ଦ୍ରମନ୍ତ୍ରୀ ନିମନ୍ତ୍ରଣ ଦେଇଛନ୍ତି।

ଏହାବ୍ୟତିତ ଅଷ୍ଟ୍ରେଲିଆର ଶିଶୁ ଶିକ୍ଷା ଓ ଯୁବ ମନ୍ତ୍ରୀ ଡା. ଆନି ଏଲିଙ୍କ ସହ ପ୍ରାରମ୍ଭିକ ଶୈଶବ ଏବଂ ସ୍କୁଲ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ୍ କରିବା ଦିଗରେ ଆଲୋଚନା ହୋଇଛି। ଶିଶୁର ବିକାଶରେ ବାଲ୍ୟାବସ୍ଥା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଏ ଦୃଷ୍ଟିରୁ ଶିଶୁଙ୍କ ବାଲ୍ୟବସ୍ଥା ଶିକ୍ଷାକୁ ଉନ୍ନତମାନର କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଉଚ୍ଚ ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ସହ ଅଷ୍ଟ୍ରେଲିଆର ଉତ୍ତମ ବୁଝାମଣା ରହିଛି। ପ୍ରାରମ୍ଭିକ ଶୈଶବାବସ୍ଥା ଓ ସ୍କୁଲ ଶିକ୍ଷାରେ ଉଭୟ ଦେଶ ପରସ୍ପର ସହଯୋଗୀ ହେଲେ ଭାରତ ଅଷ୍ଟ୍ରେଲିଆରେ ଥିବା ଛୋଟ ପିଲାମାନଙ୍କୁ ବିଭିନ୍ନ ପଦ୍ଧତିରେ ଶିକ୍ଷା ପ୍ରଦାନ କରିବାର ଏକ ମୂଳଦୁଆ ପଡ଼ିପାରିବ। ଭାରତ ଅଷ୍ଟ୍ରେଲିଆର ଦୀର୍ଘକାଳୀନ ଦ୍ୱିପାକ୍ଷିକ ସମ୍ପର୍କକୁ ଜ୍ଞାନ ମାଧ୍ୟମରେ ଅଧିକ ମଜଭୂତ କରିବା ଦିଗରେ ଆଲୋଚନା ହୋଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ବାଲି ଠାରେ ୟୁନେସ୍କୋର ଏଡ଼ିଜି ଷ୍ଟେଫିନିଆ ଗ୍ୟାନିନୀଙ୍କ ସହ ଶିକ୍ଷା ୨୦୩୦ ଏଜେଣ୍ଡା ଉପରେ ଆଲୋଚନା କରିଥିଲେ। ଭାଷା ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ସହ ଆଗାମୀ ଦିନରେ ଭାରତ ଅଧ୍ୟକ୍ଷତାରେ ଅୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀକୁ ସମର୍ଥନ କରିବା ଉପରେ ବିଚାମବିମର୍ଷ ହୋଇଥିଲା।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଗଷ୍ଟ ୩୦ରୁ ୪ ଦିନିଆ ଇଣ୍ଡୋନେସିଆ ଗସ୍ତ ସାରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଏନଆଇଟି ରାଉରକେଲାର ସମାବର୍ତ୍ତନ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନିଦିନିଆ ଓଡ଼ିଶା ଗସ୍ତ ଅଭିମୁଖେ ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ରେଳ ଷ୍ଟେସନରୁ ରାଉରକେଲାକୁ ଯାତ୍ରା କରିଛନ୍ତି।

ଆଜି ଶ୍ରୀ ପ୍ରଧାନ ରାଉରକେଲା ରେଳ ଷ୍ଟେସନ ଠାରେ ପ୍ରଥମେ ଭାରତ ସରକାରଙ୍କ ତରଫରୁ ଆୟୋଜିତ ହର୍ ଘର୍ ତ୍ରିରଙ୍ଗା ଏବଂ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କରିବେ। ପରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ୧୯ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ।

ଏନଆଇଟି ରାଉରକେଲାରୁ ବାହାରିବା ପରେ ବିର୍ସା ମୁଣ୍ଡା ଛକରେ ଦଳ ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବେ। ଅପରାହ୍ଣରେ ଚାମ୍ବର ଭବନ ଠାରେ ରାଉରକେଲା ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଯିବେ। ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୁନ୍ଦରଗଡ଼ରେ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବା ପରେ ସନ୍ଧ୍ୟାରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆସନ୍ତା ୧୪ ତାରିଖରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀର ଉଦଘାଟନ କରିବେ। ସନ୍ଧ୍ୟାରେ ଭୁବନେଶ୍ୱରରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ଅବସରରେ ନୀରବ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଉପରାଷ୍ଟ୍ରପତିଙ୍କୁ ଭେଟି ବିଦାୟକାଳୀନ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମାନନୀୟ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କୁ ନୂଆଦିଲ୍ଲୀ ଠାରେ ବ୍ୟକ୍ତିଗତ ଭାବେ ଭେଟି ବିଦାୟକାଳୀନ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି।

ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ଶ୍ରୀ ନାଇଡୁଙ୍କୁ ଭେଟିବା ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଷ୍ଟେଟ୍ସ ମ୍ୟାନ ଶ୍ରୀ ନାଇଡୁଙ୍କ ଉଭୟ ଲୋକସଭା ଏବଂ ରାଜ୍ୟସଭା ଗୃହରେ ସେବା କାର୍ଯ୍ୟ ଥିଲା ଅନନ୍ୟ। ଶ୍ରୀ ନାଇଡୁ ଗଣତାନ୍ତ୍ରିକ ପରମ୍ପରାକୁ ଉର୍ଦ୍ଧ୍ୱରେ ରଖି ଗୃହ କାର୍ଯ୍ୟକୁ ଯେପରି ପରିଚାଳନା କରିଥିଲେ, ସେଥିପାଇଁ ସେ ଜନପ୍ରିୟ ହେବା ସହ ସବୁ ଦଳ ଦ୍ୱାରା ପ୍ରଶଂସାର ପାତ୍ର ହୋଇଥିଲେ। ତାଙ୍କ ଭଳି ଜଣେ ଆଦର୍ଶ ଓ ବିଦ୍ୱାନ ବ୍ୟକ୍ତିଙ୍କ ସ୍ନେହ ଓ ପାଣ୍ଡିତ୍ୟର ମୁଁ ଲାଭ ପାଇଛି। ସଂସଦରେ ତାଙ୍କର ଉଚ୍ଚାରଣ ଶୈଳୀ ଏବଂ ଉପାଖ୍ୟାନ ସ୍ମରଣୀୟ ହୋଇ ରହିବ। ଶ୍ରୀ ନାଇଡୁଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନିରନ୍ତର ମାର୍ଗଦର୍ଶନ ଆଗକୁ ମଧ୍ୟ ରହିବା ନେଇ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତି ଉପରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଏବଂ ନୀତି ଆୟୋଗ ଉପାଧ୍ୟକ୍ଷ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଶାସ୍ତ୍ରଭବନ ସ୍ଥିତ ଶିକ୍ଷା ମନ୍ତ୍ରଣାଳୟରେ ନୀତି ଆୟୋଗ ଉପାଧ୍ୟକ୍ଷ ଡା. ସୁମନ କେ ବେରୀ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ୍ କରିଛନ୍ତି। ଏହି ବୈଠକରେ ଜାତୀୟ ଶିକ୍ଷା ନୀତି-୨୦୨୦ ଯୋଜନାବଦ୍ଧ କ୍ରିୟାନ୍ୱୟନ ଏବଂ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ଏହାର ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି। ସେହିପରି ଭବିଷ୍ୟତର ଶିକ୍ଷାଦାନ, ପାଠପଢ଼ା, ସମସାମୟିକ ଦକ୍ଷତା ବିକାଶ ଏବଂ ନବସୃଜନ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ଏହି ଆଲୋଚନା କାଳରେ ଡକ୍ଟର ବେରୀ ନୀତି ଆୟୋଗ ଦ୍ୱାରା ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମ ଗୁଡ଼ିକର ବିବରଣୀ ଉପରେ ଆଲୋକପାତ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ନିକଟରେ ପ୍ରକାଶିତ “ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ” ରିପୋର୍ଟ ବିଷୟରେ  ଡା. ବେରୀ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ବୈଠକରେ ଏକ ଜ୍ଞାନ ଆଧାରିତ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ନବସୃଜନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଟଳ ଇନୋଭେସନ୍ ମିଶନ୍ ମାଧ୍ୟମରେ ବିଦ୍ୟାଳୟରୁ ଶିଳ୍ପ କାରଖାନା ଯାଏଁ ନବସୃଜନକୁ ପ୍ରୋତ୍ସାହିତ କରିବାରେ ନୀତି ଆୟୋଗଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ସେହିପରି ଦେଶରେ ଉତ୍ପାଦନ କ୍ଷେତ୍ରରେ ନବସୃଜନ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ସାକ୍ଷାତକାରରେ ଡକ୍ଟର ବେରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆସନ୍ତା ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ‘ପରିଚାଳନା ପରିଷଦ’ର ସପ୍ତମ ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ।

ଏହି ବୈଠକରେ ନୀତି ଆୟୋଗର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ଦେଶର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ସର୍ବୋଚ୍ଚ ସ୍ତରରେ ଏକ ବ୍ୟାପକ ସହମତି ଭିତ୍ତିରେ ବିଭିନ୍ନ ଯୋଜନା ଉପରେ କ୍ରିୟାନ୍ୱୟନ ପାଇଁ ଏକ ରୋଡମ୍ୟାପ୍ ଏବଂ ଫଳାଫଳ ଆଧାରିତ ଯୋଜନା ଚୂଡ଼ାନ୍ତ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଆଜି ଆଉ ଜଣେ କେନ୍ଦ୍ରମନ୍ତ୍ରୀ ରାମଚନ୍ଦ୍ରା ପ୍ରସାଦ ସିଂ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଆଜି ଆଉ ଜଣେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି। କିଛି ସମୟ ପୂର୍ବରୁ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁକ୍ତାର ନକଭି ଇସ୍ତଫା ଦେଇଛନ୍ତି। ଏହାପରେ ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ମଧ୍ୟ ଇସ୍ତଫା ଦେଇଛନ୍ତି। ତେବେ ସିଂ ରାଜ୍ୟସଭା ସଦସ୍ୟ ଥିଲେ। ତାଙ୍କର ସଦସ୍ୟତା ସମୟ ପୁରଣ ହେଉଥିବାରୁ ସେ ଇସ୍ତଫା ଦେଇଛନ୍ତି।

ଆଜି କ୍ୟାବିନେଟ ବୈଠକରେ ଉଭୟ ନକଭି ଏବଂ ସିଂ ଉପସ୍ଥିତ ଥିଲେ। ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଶ ପ୍ରଶଂସା କରିଥିଲେ। ଏହି ବୈଠକ ପରେ ଉଭୟ ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁକ୍ତାର ନକଭିଙ୍କୁ ମୋଦୀ ଏକ ବଡ ଦାୟିତ୍ବ ଦେଇପାରନ୍ତି।

Categories
ଆଜିର ଖବର ଜାତୀୟ ଖବର

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ନୂତନ ଏକାଡ଼େମିକ୍ ସୁବିଧାର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ହାଇଦ୍ରାବାଦ: ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଆମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ନବସୃଜନ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଉଚିତ୍ ବୋଲି ସୋମବାର ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ନୂତନ ଏକାଡ଼େମିକ୍ ସୁବିଧା ଗୁଡିକୁ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଡ଼ିଜିଟାଲ ଲର୍ଣ୍ଣିଂ ଏବଂ ଟ୍ରେନିଂ ରିସୋର୍ସେସ ଏବଂ ସ୍କୁଲ ଅଫ୍ ଫିଜିକ୍ସ ଏଣ୍ଡ୍ ସ୍କୁଲ ଅଫ୍ ଇଞ୍ଜିନିୟରିଂ ସାଇନ୍ସ ଏଣ୍ଡ୍ ଟେକ୍ନୋଲୋଜିର ଉଦଘାଟନ କରିଛନ୍ତି। ଏହାସହ ଇଂରାଜି ଏବଂ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟ(ଇଫ୍‌ଲୁ)ରେ ଅଡ଼ିଟୋରିୟମ ସହ ଏକ ବହୁମୁଖୀ ଇନଡ଼ୋର୍ ସ୍ପୋର୍ଟ୍ସ କମ୍ପଲେକ୍ସ ଏବଂ ଓପନ୍ ଆମ୍ପିଥିଏଟର ଲୋକାର୍ପଣ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ହେଇଛି ଅନେକ ନୂଜନ ଆଇଡ଼ିଆର ସମାହାର। ଜାତୀୟ ଶିକ୍ଷା ନୀତି-୨୦୨୦ ସୃଜନ ପ୍ରତିଭା ଏବଂ ଗଭୀର ଚିନ୍ତନକୁ ପ୍ରାଧାନ୍ୟ ଦେଇଥାଏ । ଏହି ଶିକ୍ଷା ନୀତି ଆଧାରରେ ଆମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ନବସୃଜନ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଦରକାର। ଏହାସହ ବିଶ୍ୱବିଦ୍ୟାଳୟ ବୈଶ୍ୱିକ ନାଗରିକ ତିଆରି କରିବା, ସମସ୍ତ ଭାରତୀୟ ଭାଷାକୁ ଗୁରୁତ୍ୱ ଦେବା ସହ ମାନବତାର କଲ୍ୟାଣ ପାଇଁ ଆମର ସଭ୍ୟତା ସଂଯୋଗକୁ ଦୃଢ଼ୀଭୂତ କରିବା ଦିଗରେ ବ୍ରତୀ ହେବା ଦରକାର।

ଛାତ୍ରଛାତ୍ରୀ ଓ ଶିକ୍ଷାବିତଙ୍କୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷା ନୀତି ଭାରତକୁ ଜ୍ଞାନ ଆଧାରିତ ଅର୍ଥନୀତି ଭାବରେ ପ୍ରତିଷ୍ଠିତ କରିବ। ତେଣୁ ନିଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପାଇଁ ନିଜର ସାମର୍ଥ୍ୟକୁ ବୃଦ୍ଧି କରିବା ସହ ଯୁବ ସମାଜକୁ ଦକ୍ଷତା ସହ ଯୋଡ଼ିବାକୁ ହେବ। ଯୁବବର୍ଗଙ୍କୁ ସଠିକ୍ ଦକ୍ଷତା ପ୍ରଦାନ କରାଗଲେ ଆର୍ôଥକ ଅଭିବୃଦ୍ଧି ହାସଲ ହୋଇପାରିବ। ଏହାବ୍ୟତିତ ଆମେ ସମସ୍ତେ ଆମର ଆଂଚଳିକ ଭାଷାକୁ ଗୁରୁତ୍ୱ ଦେବା ଉଚିତ୍। କାରଣ ସବୁ ଭାରତୀୟ ଭାଷା ଆମର ରାଷ୍ଟ୍ରଭାଷା। ଓଡିଆ, ହିନ୍ଦୀ, ଆସାମୀ, ତେଲୁଗୁ, ପଞ୍ଜାବୀ, ମରାଠୀ, ଗୁଜୁରାଟୀ ଭଳି ସବୁ ଆଂଚଳିକ ଭାଷା ଆମର ରାଷ୍ଟ୍ରୀୟ ଭାଷା ବୋଲି ସେ ମତବ୍ୟକ୍ତ କରିଛନ୍ତି।

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ଅଧିକ ସୁଦୃଢ଼, ବହୁମୁଖୀ ଶିକ୍ଷା ଏବଂ ବହୁ-ଶୃଙ୍ଖଳିତ କରିବା ପାଇଁ ଅନେକ ପରୀକ୍ଷଣରେ ସଂପୃକ୍ତ ହେବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ: ବିଭିନ୍ନ ପ୍ରକଳ୍ପର କରିବେ ଭୂମିପୂଜନ ଏବଂ ଶୁଭାରମ୍ଭ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଅନୁଗୋଳ ଏବଂ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଲୋକଭିମୁଖୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଶିକ୍ଷା ଓ ରେଳ ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଓ ଶୁଭାରମ୍ଭ କରିବେ। ଏହା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରଥଯାତ୍ରା ଦିନ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାରେ ସାମିଲ ହେବାର  କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତାକାଲି(ଗୁରୁବାର) ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ଅନୁଗୋଳ ଜିଲ୍ଲା ତାଳଚେର ଗସ୍ତ କରିବେ। ଏମସିଏଲର ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିବା ସହ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡ଼ିଓ କନଫରେନ୍ସିଂରେ ଯୋଗଦେବେ।

ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଖୋର୍ଦ୍ଧା ରୋଡ଼୍ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକ୍ରମରେ ସାମିଲ ହେବେ। ରେଳ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ମିଳିତ ଭାବରେ ଖୋର୍ଦ୍ଧା ରୋଡ଼୍ ଷ୍ଟେସନର ନୂତନ ବିଲଡିଂର ଲୋକାର୍ପଣ କରିବା ସହ ଭୁବନେଶ୍ୱର- ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସର ଏଲଏଚବି ରେକ୍ ଓ ଭୁବନେଶ୍ୱର-ଆନନ୍ଦବିହାର ଦୁରୋନ୍ତ ଏକ୍ସପ୍ରେସର ଉଦଘାଟନ କରିବେ। ଏହାବ୍ୟତୀତ ସେହି ସ୍ଥାନରୁ ରହି ଉଭୟ ମନ୍ତ୍ରୀ ପଟିଆ ଓ ବାଣୀବିହାର ପିଏଚର ନୂଆ ବିଲ୍ଡିଂକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆସନ୍ତା ଜୁଲାଇ ୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀରେ ସାମାଜିକ ସଂଗଠନ “ଆମେ ଓଡ଼ିଆ” ପକ୍ଷରୁ ଆୟୋଜିତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ କରିବା ପାଇଁ ଜନସଚେତନ ଅଭିଯାନରେ ସାମିଲ ହେବେ। ପୁରୀ ଶରଧାବାଲି ଠାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ମୋଦି ସରକାରଙ୍କ 8 ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ବିଷୟବସ୍ତୁ ଉପରେ ଆଧାରିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ । ତା’ ସହିତ ପୁରୀ ଭୋଳାନାଥ ବିଦ୍ୟାପୀଠ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଅଧୀନ ଆଇସିଏଚଆର ଦ୍ୱାରା ‘ଆଜାଦୀ କା ଅମୃତ ମହୋତ୍ସବ’ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ। ବଡ଼ଶଙ୍ଖ ଶରଧା ମଣ୍ଡପ ଠାରେ ବିଶ୍ୱ କଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘର ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଶ୍ରୀ ପ୍ରଧାନ ରଥଯାତ୍ରାରେ ଯୋଡ଼ି ହେବାର କାର୍ଯ୍ୟକ୍ରମ ରହିଛି।

Categories
ବିଶେଷ ଖବର

ଇସ୍ପାତ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ: କେନ୍ଦ୍ରମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ

ଭୁବନେଶ୍ବର: ଇସ୍ପାତ ମନ୍ତ୍ରଣାଳୟ ଓଡିଶାର ଇସ୍ପାତ କମ୍ପାନୀଗୁଡିକ ସହିତ ଏକ ମତ ବିନିମୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଓଡ଼ିଶାରେ ଥିବା ପ୍ରାଥମିକ ଓ ଦ୍ବିତୀୟକ ଇସ୍ପାତ କମ୍ପାନୀର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। ଇସ୍ପାତ କ୍ଷେତ୍ରରେ ଦେଖା ଦେଉଥିବା ଆହ୍ବାନ ଗୁଡ଼ିକୁ କମ୍ପାନୀ ଅଧିକାରୀମାନେ ଉପସ୍ଥାପନ କରିଥିଲେ, ଯେଉଁଥିରେ ଏହି ଶିଳ୍ପ ପାଇଁ ଏକ ଉତ୍ତମ ପରିସଂସ୍ଥାନ ବିଶେଷ ଭାବରେ ପୁଞ୍ଜି, କଞ୍ଚାମାଲ ଯୋଗାଣ, ଯୋଗାଯୋଗ ସୁବିଧା ଓ ଦ୍ବିତୀୟକ କମ୍ପାନୀ ଗୁଡ଼ିକ ପାଇଁ ସହାୟତା ଅନ୍ତର୍ଭୁକ୍ତ ଥିଲା।

ଏହି ଅଧିବେଶନକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସିଂ ଇସ୍ପାତ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି କହିଛନ୍ତି। ୱାର୍ଲ୍ଡ ସ୍କିଲ୍ ସେଣ୍ଟର, ଭୁବନେଶ୍ୱର ଭଳି ଅନୁଷ୍ଠାନ ମାଧ୍ୟମରେ ଓଡ଼ିଶା ସରକାର ଦକ୍ଷତା ବିକାଶ ଉପରେ ସଠିକ୍ ଧ୍ୟାନ ଦେଇଛନ୍ତି ଯାହାକି ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାରେ ମଧ୍ୟ ଖଣିଜ, ପ୍ରାକୃତିକ ସମ୍ପଦ, ପରିବହନ ସୁବିଧା ତଥା ପର୍ଯ୍ୟାପ୍ତ ବିଦ୍ୟୁତ ଶକ୍ତି ରହିଛି, ଯାହାକି ଓଡ଼ିଶାକୁ ଏକ ଉତ୍କୃଷ୍ଟ ନିବେଶ ସ୍ଥାନରେ ପରିଣତ କରିଛି ବୋଲି ସେ କହିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ତଥା ଯୋଜନା ଯେପରିକି ଗତିଶକ୍ତି ମାଷ୍ଟରପ୍ଲାନ ଦ୍ବାରା ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ, ଯେଉଁଥିରେ ଦ୍ବିତୀୟକ ଇସ୍ପାତ କ୍ଷେତ୍ରର ଅବଦାନ ବହୁତ ଅଧିକ ହେବ। ଏହି କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହେଉଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

ମନ୍ତ୍ରଣାଳୟର ଅଧିକାରୀମାନେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଇସ୍ପାତ ଶିଳ୍ପ ସମସ୍ୟାର ସମାଧାନ ପାଇଁ ସରକାର ସକ୍ରିୟ ଭାବରେ ସମସ୍ତ ପଦକ୍ଷେପ ନେଉଛନ୍ତି ଏବଂ ଏହି ଉଦ୍ୟୋଗରେ ବିଶେଷ ଭାବରେ ଦ୍ବିତୀୟକ ଇସ୍ପାତ କମ୍ପାନୀଗୁଡିକର ପ୍ରଗତିରେ ବାଧା ସୃଷ୍ଟି କରୁଥିବା ନିର୍ଦ୍ଦିଷ୍ଟ ବିଷୟ ଉପରେ ମତାମତ ଏବଂ ପରାମର୍ଶକୁ ସ୍ୱାଗତ କରିଛନ୍ତି।

ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଇସ୍ପାତ କମ୍ପାନୀ ଗୁଡିକର ପ୍ରତିନିଧି ଏବଂ ଇସ୍ପାତ ମନ୍ତ୍ରଣାଳୟ ଓ ରାଷ୍ଟ୍ରାୟତ ଉଦ୍ୟୋଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।