ଆଇନଶୃଙ୍ଖଳାକୁ ଆଳ କରି ଓଡିଶା ଲୋକଙ୍କୁ ଅପମାନିତ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

Published: Apr 13, 2023, 6:55 pm IST

ଭୁବନେଶ୍ୱର: ସମ୍ବେଦନଶୀଳ ଆଇନ୍ ଶୃଙ୍ଖଳା ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ରାଜନୀତି ନକରିବାକୁ କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ଆଜି ଏଠାରେ ସାମ୍ବାଦିକମାନଙ୍କୁ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଦେଶର ବିଜେପି ଶାସିତ ରାଜ୍ୟ ଯଥା ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ତୁଳନାରେ ଓଡିଶାର ଆଇନ୍‌ଶୃଙ୍ଖଳା ପରିସ୍ଥିତି ବେଶ୍ ଭଲ ରହିଛି। ଏପରିକି ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାକୁ ଯାଇଥିବା ମଧ୍ୟପ୍ରଦେଶ ତୁଳନାରେ ଓଡିଶାର ଆଇନ୍‌ଶୃଙ୍ଖଳା ସ୍ଥିତି ବେଶ୍ ଭଲ।

ଏହା ଅତ୍ୟନ୍ତ ସ୍ପର୍ଶକାତର ଘଟଣା ଓ ଏହାକୁ ନେଇ ରାଜନୀତି କରିବା ବଦଳରେ ସଂଯମତାର ସହ ମୁକାବିଲା କରାଯିବା ଆବଶ୍ୟକ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଢ ଭାବେ ପରିଚାଳନା ଏବଂ ପରିସ୍ଥିତିକୁ ଶାନ୍ତ କରିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ଯାହା ସମସ୍ତେ ଦେଖୁଛନ୍ତି।

କେନ୍ଦ୍ର ସରକାରଙ୍କର ଜଣେ ଦାୟିତ୍ୱସମ୍ପନ୍ନ ମନ୍ତ୍ରୀ ଭାବେ ଯଦି ଆପଣ ଏହାକୁ ନେଇ ରାଜନୀତି କରିବା ବଦଳରେ ଲୋକଙ୍କୁ ଶାନ୍ତ ରହିବାକୁ ନିବେଦନ କରିଥାନ୍ତେ ତେବେ ଭଲ ହୋଇଥାନ୍ତା ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ଓଡିଶାର ଲୋକେ ଶାନ୍ତିପ୍ରିୟ ଏବଂ ଓଡିଶା ମଧ୍ୟ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ଓଡିଶାର ଲୋକଙ୍କୁ ଆଇନହୀନ ବୋଲି କହି ସେମାନଙ୍କୁ ଅପମାନିତ ନକରିବାକୁ ଶ୍ରୀମତୀ ମିଶ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କହିଛନ୍ତି।

Related posts