Categories
ଆଜିର ଖବର ଖେଳ

ଆଜି ପ୍ରଥମ ଟି-୨୦: ପଦାର୍ପଣ କରିବାର ସୁଯୋଗ ପାଇବେ କି ଆବେଶ ଖାନ? ଜାଣନ୍ତୁ ସମ୍ଭାବ୍ୟ ଏକାଦଶ

କୋଲକାତା: କୋଲକାତାର ଇଡେନ୍ ଗାର୍ଡେନ୍ସରେ ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଲଢେଇ ହେବାକୁ ଯାଉଛି। ଉଭୟ ଦଳରେ ଟି-୨୦ ର ସ୍ପେସାଲିଷ୍ଟ ଖେଳାଳି ପୂର୍ଣ୍ଣ ଅଛନ୍ତି। ଏଭଳି ପରିସ୍ଥିତିରେ ପ୍ରତିଯୋଗିତା ଅତ୍ୟନ୍ତ ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି। ଦିନିକିଆ ସିରିଜରେ ଭାରତୀୟ ଦଳକୁ ଅତି ସହଜ ବିଜୟ ମିଳିଥିଲା। କିନ୍ତୁ ଟି-୨୦ ରେ ୱିଣ୍ଡିଜ୍ ଦଳ ଏକ କଡା ଟକ୍କର ଦେବ। ସେଥିପାଇଁ ଭାରତୀୟ ଦଳ ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ବିଶେଷକରି ବୋଲିଂରେ ଟିମ୍ ଇଣ୍ଡିଆର ଅନେକ ବିକଳ୍ପ ଅଛି। ଏହି ବିଶେଷ ମ୍ୟାଚ୍ ପାଇଁ ଖେଳୁଥିବା ଏକାଦଶରେ କିଏ ଅନ୍ତର୍ଭୂକ୍ତ ହୋଇଛି ତାହା ଦେଖିବା ଅତ୍ୟନ୍ତ ମଜାଦାର ହେବ।

ଭାରତର ଏକାଦଶ ଖେଳିବାରେ କିଏ ସୁଯୋଗ ପାଇବେ?:

କେ.ଏଲ୍ ରାହୁଲ ଏହି ଟି-୨୦ ସିରିଜ୍ ର ବାହାରେ ଅଛନ୍ତି। ଏଭଳି ପରିସ୍ଥିତିରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ବ୍ୟାଟିଂ ଆରମ୍ଭ କରିବାକୁ ଇଶାନ କିଶନ କିମ୍ବା ରିତୁରାଜ ଗାଇକୱାଡ ଆସିବେ। କରୋନା କାରଣରୁ, ରିତୁରାଜ ପୁରା ଦିନିକିଆ ସିରିଜ୍ ବାହାରେ ଥିଲେ, ତେଣୁ ସେ ଏଥର ଏକ ସୁଯୋଗ ପାଇପାରନ୍ତି। ତୃତୀୟ ସ୍ଥାନରେ ବିରାଟ କୋହଲି ଏବଂ ଚତୁର୍ଥ ସ୍ଥାନରେ ଋଷଭ ପନ୍ତଙ୍କ ସ୍ଥାନ ସ୍ଥିର ହୋଇଛି। ପଞ୍ଚମ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ହେବା ଉଚିତ୍।

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ସେ ଭଲ ପ୍ରଦର୍ଶନ କରିଥିଲେ। ଟିମ୍ ଇଣ୍ଡିଆ ପାଇଁ ଷଷ୍ଠ କ୍ରମରେ କିଏ ବ୍ୟାଟିଂ କରିବ, ଏହା ଏକ ବଡ଼ ପ୍ରଶ୍ନ ହେବ। ଏହି ପଦବୀ ପାଇଁ ଭାରତର ଦୀପକ ହୁଡା ଏବଂ ଶ୍ରେୟାସ ଆୟରଙ୍କ ନାମ ରହିଛି। ଦୀପକ ହୁଡା ତାଙ୍କ ଆନ୍ତର୍ଜାତୀୟ ଡେବ୍ୟୁ ସିରିଜରେ ଏକ ଭଲ ଖେଳ ପ୍ରଦର୍ଶନ କରିଥିଲେ। ଏଭଳି ପରିସ୍ଥିତିରେ, ଟି-୨୦ ସିରିଜରେ ସୁଯୋଗ ପାଇବା ପାଇଁ ତାଙ୍କର ସମ୍ପୂର୍ଣ୍ଣ ସମ୍ଭାବନା ଅଛି।

ଭେଙ୍କଟେଶ ଆୟର୍ କେକେଆର୍ ପାଇଁ ଖେଳୁଛନ୍ତି ଏବଂ ଏହି ଗ୍ରାଉଣ୍ଡରେ ଟି-୨୦ ର ତାଙ୍କର ଭଲ ଅଭିଜ୍ଞତା ଅଛି। ଏଭଳି ପରିସ୍ଥିତିରେ ଯଦି ଭାରତୀୟ ଦଳ ୪ ଟି ବୋଲରଙ୍କ ସହିତ ଆସନ୍ତି, ତେବେ ଭେଙ୍କଟେଶଙ୍କୁ ଖେଳାଳି ଏକାଦଶରେ ଅଲରାଉଣ୍ଡର ଭାବେ ଅନ୍ତର୍ଭୁକ୍ତ କରାଯାଇପାରେ। ଯଦି ଏହା ନହୁଏ, ତେବେ ହର୍ଷଲ ପଟେଲ ଭାରତ ପାଇଁ ସପ୍ତମ ଖେଳାଳି ହୋଇପାରନ୍ତି। ବୋଲିଂରେ ଉଭୟ ୟୁଜବେନ୍ଦ୍ର ଚହଲ ଏବଂ ରବି ବିଶ୍ନୋଇ ଲେଗ ସ୍ପିନର ଅଟନ୍ତି। ଏଭଳି ପରିସ୍ଥିତିରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣେ ଦଳରେ ସ୍ଥାନ ପାଇବେ। ରିଷ୍ଟ ସ୍ପିନର କୁଲଦୀପ ଯାଦବ ଏହି ମ୍ୟାଚରେ ଏକ ସୁଯୋଗ ପାଇପାରିବେ। ମହମ୍ମଦ ସିରାଜ, ଦୀପକ ଚହର ଏବଂ ଭୁବନେଶ୍ୱରଙ୍କ ମଧ୍ୟରୁ କୌଣସି ଜେନ ଖେଳାଳିଙ୍କୁ ଏକାଦଶ ଖେଳିବାକୁ ସୁଯୋଗ ପାଇବେ। ଦଳ ପରିଚାଳନା ଏଥର ଆବେଶ ଖାନଙ୍କୁ ଆନ୍ତର୍ଜାତୀୟ ଡେବ୍ୟୁ ପାଇଁ ଏକ ସୁଯୋଗ ଦେଇପାରେ।

ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଖେଳିବା:

ରୋହିତ ଶର୍ମା (ଅଧିନାୟକ), ରିତୁରାଜ ଗାଇକୱାଡ, ବିରାଟ କୋହଲି, ଋଷଭ ପନ୍ତ (ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଭେଙ୍କଟେଶ ଆୟର/ହର୍ଷଲ ପଟେଲ, ମହମ୍ମଦ ସିରାଜ/ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ

Categories
ଜାତୀୟ ଖବର ବିଶେଷ ଖବର

Train Accident: ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ, ମୃତ୍ୟୁ ସଂଖ୍ୟା 5, ଉଦ୍ଧାର କାର୍ଯ୍ୟ ଜାରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗୌହାଟି ବିକେନର ଏକ୍ସପ୍ରେସ ଦୁର୍ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାହା ତଦନ୍ତ କରାଯିବ। ଏହି ତଦନ୍ତ ରେଳ ସୁରକ୍ଷା ବିଭାଗ ତରଫରୁ କରାଯିବ। ସେଥିପାଇଁ ଏକ ଉଚ୍ଚ ସ୍ତରୀୟ କମିଟ ଗଠନ କରାଯିବ ବୋଲି ଜଣାପଡଛି।

କୋଲକାତାର ଜଲପାଇଗୁଡି ଜିଲ୍ଲା ଡୋମାହାନିଠାରେ ହୋଇଥିବା ଏହି ଦୁର୍ଘଟଣା ଘଟିଛି। ଯେଉଁଥିରେ ବାରଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 45 ଜଣ ଆହତ ହୋଇଥିବା ଜଣାପଡିଛି। ସେହିପରି 50 ଜଣ ସାମାନ୍ୟ ଆହତ ହୋଇଛନ୍ତି। ତେବେ ଆହତଙ୍କ ମଧ୍ୟରୁ 10 ଜଣ ଗୁରୁତର ଅଛନ୍ତି ବୋଲି ଜଣାପଡିଛି।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୃତକଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେ ଟୁଇଟ ଯୋଗେ ସେ ସୂଚନା ଦେଇଛନ୍ତି ଯେ, ଏହି ମର୍ମନ୍ତୁଦ ଦୁର୍ଘଟଣା ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ବର୍ଗଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ।

ଅନ୍ୟପକ୍ଷରେ ଯେଉଁମାନେ ଏଥିରେ ଆହତ ହୋଇଛନ୍ତି ସେମାନଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସାମାନ୍ୟ ଆହତ ଯାତ୍ରୀଙ୍କୁ 25 ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ରେଳମନ୍ତ୍ରୀ ଘୋଷଣା କରିଛନ୍ତି। ବର୍ତ୍ତମାନ ପାଞ୍ଚ ଜଣ ମୃତ୍ୟୁବରଣ କରିଥିଲେ ମଧ୍ୟ ପରବର୍ତ୍ତି ସମୟରେ ଏହି ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି। ସେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହିତ କଥା ହୋଇଛନ୍ତି। ରେଳମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ସଂପର୍କରେ ଅବଗତ କରାଇଛନ୍ତି। ଦୁର୍ଘଟଣା ସ୍ଥଳରେ ତଦାରଖ କରିବା ପାଇଁ ରେଳମନ୍ତ୍ରୀ କୋଲକାତା ଗସ୍ତ କରିଛନ୍ତି।

ଦୁର୍ଘଟଣା ପରେ ରେଳ ସୁରକ୍ଷା ବାହିନୀ, ଏନଡିଆରଏଫ ଟିମ ଏବଂ ବିଏସଏଫ ଟିମ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ମୁଖ୍ୟତଃ ରାତି ହୋଇଯିବା ଏବଂ ବଗି ଉପରେ ବଗି ଚଢିଯିବା ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡିଛି। ଗ୍ୟାସ କଟର ସାହାଯ୍ୟରେ ବଗି କଟାଯାଇ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଉଛି।

Categories
ବିଶେଷ ଖବର

କୋଲକାତାରେ ଚିତ୍ତରଞ୍ଜନ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାସ୍ଥିତ ଚିତ୍ତରଞ୍ଜନ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ଡକ୍ଟର ସୁବାଷ ସରକାର, ଶାନ୍ତନୁ ଠାକୁର, ଜନ ବାର୍ଲା ଓ ନିଶୀଥ ପ୍ରାମାଣିକ ଉପସ୍ଥିତ ଥିଲେ।

ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନୂତନ କ୍ୟାମ୍ପସ ପଶ୍ଚିମବଙ୍ଗର ଜନସାଧାରଣ ବିଶେଷକରି ଗରିବ ଓ ମଧ୍ୟବିତ୍ତ ପରିବାରକୁ କମ୍ ବ୍ୟୟ ସାପେକ୍ଷ ଚିକିତ୍ସା ସୁବିଧା ପ୍ରଦାନ କରିପାରିବେ। “ଦେଶର ପ୍ରତ୍ୟେକ ନାଗରିକ ଯେପରି ଉନ୍ନତ ଚିକିତ୍ସା ପାଇପାରିବେ ସେହି ସଂକଳ୍ପକୁ ଲକ୍ଷ୍ୟ ରଖି ଆମେ ଆଉ ଏକ ଦୃଢ ପଦକ୍ଷେପ ନେଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶ ୧୫ରୁ ୧୮ବର୍ଷ ପିଲାମାନଙ୍କ ନିମନ୍ତେ ଟିକାକରଣ ଆରମ୍ଭ କରିଛନ୍ତି। ଏହାଛଡା ଦେଶ ଚଳିତବର୍ଷର ପ୍ରଥମ ମାସର ପ୍ରଥମ ସପ୍ତାହ ସୁଦ୍ଧା ହିଁ ୧୫୦ କୋଟି ବିଲିୟନ ଡୋଜ ଟିକା ପ୍ରଦାନ କରି ଇତିହାସ ସୃଷ୍ଟି କରିଛି। ୧୫୦ କୋଟି ଡୋଜ ଟିକାକରଣ ଏକ ବର୍ଷରୁ ମଧ୍ୟ କମ୍ ସମୟ ମଧ୍ୟରେ ଏକ ଅସାଧାରଣ ସଫଳତା ଓ ଦେଶର ନୂତନ ଇଚ୍ଛାଶକ୍ତିର ପ୍ରତୀକ।

ଏହା ଦେଶର ନୂତନ ଆତ୍ମବିଶ୍ୱାସ, ଆତ୍ମ ନିର୍ଭର ଭାରତ ଓ ଗର୍ବର ସଙ୍କେତ ପ୍ରଦାନ କରୁଛି ବୋଲି ସେ କହିଥିଲେ। ଓମିକ୍ରନ ପ୍ରଜାତି ଯୋଗୁଁ ମାମଲା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ୧୫୦କୋଟି ଟିକାକରଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସୁଦ୍ଧା ଦେଶର ଶତକଡା ୯୦ପ୍ରତିଶତ ଜନସାଧାରଣ ଟିକାର ପ୍ରଥମ ମାତ୍ରା ନେଇସାରିଛନ୍ତି। ମାତ୍ର ପାଂଚ ଦିନ ମଧ୍ୟରେ ଦେଢକୋଟିରୁ ଅଧିକ ପିଲାଙ୍କୁ ମଧ୍ୟ ଟିକାର ମାତ୍ରା ପ୍ରଦାନ କରାଯାଇଛି। ସେ ଏହାର ଶ୍ରେୟ ସମଗ୍ର ଦେଶ ଓ ଓ ପ୍ରତ୍ୟେକ ସରକାରଙ୍କୁ ଦେଇଥିଲେ। ସେ ବିଶେଷ କରି ଦେଶର ବୈଜ୍ଞାନିକ, ଟିକାପ୍ରସ୍ତୁତକାରୀ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗକୁ ଏଗାରକୋଟି ଟିକା ମାଗଣା ଯୋଗାଇ ଦିଆଯାଇଛି। ଦେଢ ହଜାରରୁ ଅଧିକ ଭେଣ୍ଟିଲେଟର, ନଅହଜାରରୁ ଅଧିକ ନୂତନ ଅମ୍ଳଜାନ ସିିଲିଣ୍ଡର ମଧ୍ୟ ଦିଆଯାଇଛି। ରାଜ୍ୟରେ ୪୯ଟି ପିଏସଏ୍ ନୂତନ ଅମ୍ଳଜାନ କାରଖାନା ମଧ୍ୟ କାର୍ଯ୍ୟ କରିଛି ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିଷେଧକମୂଳକ ଅଭିଯାନ, କମ୍ ବ୍ୟୟ ସାପେକ୍ଷ ସ୍ୱାସ୍ଥ୍ୟସେବା, ଯୋଗାଣରେ ସ୍ୱାଭାବିକତା ଇତ୍ୟାଦିକୁ ତ୍ୱରାନ୍ୱିତ କରାଯାଇଛି। ଯୋଗ, ଆୟୁର୍ବେଦ, ଫିଟ୍ଇଣ୍ଡିଆ ଅଭିଯାନ, ସାର୍ବଜନୀନ ଟିକାକରଣ ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ସ୍ୱଚ୍ଛ ଭାରତ ମିଶନ ଓ ହର ଘର ଜଲ ଯୋଜନା ଉନ୍ନତ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବାରେ ସହାୟକ ହେଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଲୋକମାନଙ୍କ ଭୟ ଯେ କର୍କଟରୋଗ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ଉପରେ ଆର୍ଥିକ ପ୍ରଭାବ ପକାଉଛି । ରୋଗର ଭୟଙ୍କର ଆବର୍ତ୍ତରୁ ମୁକୁଳିବା ପାଇଁ ଦେଶ ସୁଲଭ ଓ ସହଜଲବ୍ଧ ଚିକିତ୍ସା ପାଇଁ ନିରବଚ୍ଛିନ୍ନ ପ୍ରୟାସ କରୁଛି। ଗତ କିଛିବର୍ଷ ମଧ୍ୟରେ କର୍କଟ ଉପଚାର ନିମନ୍ତେ ବ୍ୟବହୃତ ଔଷଧପତ୍ରର ଦରଦାମ ଅନେକଟା ହ୍ରାସ ପାଉଛି ବୋଲି ସେ କହିଥିଲେ। ଆଠହଜାରରୁ ଅଧିକ ଜନଔଷଧି କେନ୍ଦ୍ରରେ ଔଷଧପତ୍ର ଓ ଶଲ୍ୟ ଚିକିତ୍ସା ଉପକରଣ ଖୁବ୍ କମ୍ ଦାମରେ ମିଳୁଛି। ୫୦ରୁ ଅଧିକ କର୍କଟରୋଗ ଔଷଧ ଖୁବ ଶସ୍ତାରେ ଏହି ସବୁ ଦୋକାନରେ ଉପଲବ୍ଧ ହେଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ରୋଗୀମାନଙ୍କ ଆବଶ୍ୟକତାକୁ ନେଇ ବେଶ୍ ସମ୍ବେଦନଶୀଳ ଅଛନ୍ତି। ୫୦୦ରୁ ଅଧିକ ଔଷଧର ଦର ନିୟନ୍ତ୍ରଣ ଯୋଗୁଁ ବାର୍ଷିକ ୩ହଜାର କୋଟି ଟଙ୍କା ସଂଚୟ ହୋଇପାରୁଛି। ହୃଦରୋଗୀମାନଙ୍କୁ ହୃଦୟ ସେଣ୍ଟ ଦର ନିୟନ୍ତ୍ରଣ ଯୋଗୁଁ ବାର୍ଷିକ ୪୫୦୦କୋଟି ଟଙ୍କା ସଂଚୟ ହୋଇପାରୁଥିବା ବେଳେ, ବରିଷ୍ଠ ନାଗରିକମାନଙ୍କ ଆଣ୍ଠୁର ଅସ୍ତ୍ରୋପଚାର ଖର୍ଚ୍ଚ ହ୍ରାସ ଯୋଗୁଁ ବାର୍ଷିକ ୧୫ଶହ କୋଟି ଟଙ୍କା ସଂଚୟ ହେଉଛି। ଜାତୀୟ ଡାଇଲେସିସ୍ କାର୍ଯ୍ୟକ୍ରମ ଯୋଗୁଁ ୧୨ଲକ୍ଷ ଗରିବ ରୋଗୀ ଏହାର ସୁବିଧା ପାଇପାରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ଏକ କମ୍ ବ୍ୟୟସାପେକ୍ଷ ସାମଗ୍ରିକ ସ୍ୱାସ୍ଥ୍ୟସେବା ଯୋଜନା ଭାବେ ବିଶ୍ୱସ୍ତରୀୟ ମର୍ଯ୍ୟାଦା ହାସଲ କରିଛି।

ସମଗ୍ର ଦେଶରେ ପିଏମ୍-ଜେଏୱାଇ ଅଧୀନରେ ୨କୋଟି ୬୦ଲକ୍ଷରୁ ଅଧିକ ରୋଗୀ ଦେଶରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ଏକ ଆକଳନ ଅନୁସାରେ ଏହି ଯୋଜନା ବିନା ରୋଗୀମାନଙ୍କୁ ୫୦ରୁ ୬୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାନ୍ତା। ଆୟୁଷ୍ମାନ ଭାରତ ଯୋଜନାରେ ୧୭ଲକ୍ଷ କର୍କଟ ରୋଗୀ ଚିକିତ୍ସା ସୁବିଧା ପାଇପାରିଛନ୍ତି। ଏହି ଯୋଜନା ଯୋଗୁଁ କର୍କଟ, ମଧୁମେହ ଓ ହାଇପର ଟେନସନ ଇତ୍ୟାଦିକୁ ସଅଳ ଚିହ୍ନଟ କରି ଉପଚାର କରାଯାଇପାରୁଛି। ଏହି ଅଭିଯାନରେ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ରଗୁଡିକ ବିଶେଷ ସହାୟକ ହେଉଛନ୍ତି। ପଶ୍ଚିମବଙ୍ଗରେ ମଧ୍ୟ ପାଂଚହଜାରରୁ ଅଧିକ ଏହିପରି କେନ୍ଦ୍ର କାର୍ଯ୍ୟ କରୁଛି। ଦେଶରେ ୧୫କୋଟିରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଦନ୍ତ, ମୁଖଗହ୍ୱର ଓ ସ୍ତନ କର୍କଟ ରୋଗର ପରୀକ୍ଷା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୪ ମସିହା ସୁଦ୍ଧା ଦେଶରେ ମେଡିକାଲ ସ୍ନାତକ ଓ ସ୍ନାତକୋତ୍ତର ସ୍ଥାନ ସଂଖ୍ୟା ପ୍ରାୟ ୯୦ହଜାର ଥିଲା । ଗତ ସାତବର୍ଷ ମଧ୍ୟରେ ଏଥିରେ ଆଉ ୬୦ହଜାର ସ୍ଥାନର ବୃଦ୍ଧି ଘଟିଛି। ୨୦୧୪ ମସିହାରେ ଦେଶର ମାତ୍ର ୬ଟି ଏମ୍ସ ଥିଲାବେଳେ ଏହା ଏହା ୨୨ରେ ପହଂଚିଛି। ଦେଶର ପ୍ରତ୍ୟେକ ଜିଲ୍ଳାରେ ଅନୂନ୍ୟ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଛି। ୧୯ଟି ରାଜ୍ୟ କର୍କଟ ପ୍ରତିଷ୍ଠାନ, ୨୦ଟି ତ୍ରିସ୍ତରୀୟ କର୍କଟ ଯତ୍ନ ପ୍ରତିଷ୍ଠାନ ପାଇଁ ମଞ୍ଜୁରୀ ଓ ୩୦ଟି ପ୍ରତିଷ୍ଠାନରେ କାମ ଚାଲିଥିବାରୁ କର୍କଟ ଉପଚାର ଭିତ୍ତିଭୂମି ଆହୁରି ବୃଦ୍ଧି ପାଇବ। ସେହିପରି ଆୟୁଷ୍କାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ଓ ଆୟୁଷ୍ମାନ ଭାରତ ଭିତ୍ତିଭୂମି ମିଶନ ଦେଶ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଏକ ଆଧୁନିକ ରୂପ ଦେବ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ସମସ୍ତ ସାବଧାନତା ଅବଲମ୍ବନ ନିମନ୍ତେ ନିବେଦନ କରିଥିଲେ।

ସିଏନସିଆଇ ଦ୍ୱିତୀୟ କ୍ୟାମ୍ପସ ପ୍ରଧାନମନ୍ତ୍ରୀଙ୍କ ଦେଶବ୍ୟାପୀ ସ୍ୱାସ୍ଥ୍ୟଯତ୍ନ ସେବାକୁ ଉନ୍ନୀତ କରିବାର ଲକ୍ଷ୍ୟ ଅନୁସାରେ ହୋଇଛି। ସିଏନସିଆଇରେ କର୍କଟ ରୋଗୀଙ୍କ ଭିଡ ଯଥେଷ୍ଟ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହାର ସମ୍ପ୍ରସାରଣ ନିମନ୍ତେ ଅନେକ ଦିନରୁ ଚିନ୍ତା କରାଯାଉଥିଲା। ଏହି ଆବଶ୍ୟକତା ଦ୍ୱିତୀୟ କ୍ୟାମ୍ପସ ଜରିଆରେ ସମ୍ପୂର୍ଣ୍ଣ ହେବ।

ସିଏନସିଆଇ ଦ୍ୱିତୀୟ କ୍ୟାମ୍ପସ ୫୪୦କୋଟିରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟୟରେ ନିର୍ମିତ ହେଉଛି। ଏଥିରୁ ୪୦୦କୋଟି କେନ୍ଦ୍ର ସରକାର ଦେଉଥିବାବେଳେ, ପଶ୍ଚିମବଙ୍ଗ ସରକାର ଅବଶିଷ୍ଟ ଅର୍ଥପ୍ରଦାନ କରିବେ। ସେହି କ୍ୟାମ୍ପସ ଏକ ୪୬୦ଶର୍ଯ୍ୟା ବିଶିଷ୍ଟ ଏକ କର୍କଟକେନ୍ଦ୍ର ଯେଉଁଥିରେ ରୋଗ ନିରୂପଣ, ବିଭିନ୍ନ ପର୍ଯ୍ୟାୟ ଚିହ୍ନଟୀକରଣ, ଉପଚାର ଓ ସେବା ଯତ୍ନ ଅର୍ନ୍ତଭୁକ୍ତ।

ଏହି କ୍ୟାମ୍ପସରେ ଅତ୍ୟାଧୁନିକ ଚିକିତ୍ସା ସେବା ଯଥା ନ୍ୟୁକ୍ଲିଅରମେଡିସିନ(ପିଇଟି), ୩.୦ଟେସଲା ଏମଆରଆଇ, ୧୨୮ସ୍ଲାଇସ୍ ସିଟି ସ୍କାନର, ରେଡିଓ ନ୍ୟୁକ୍ଲାଇଡ ଥେରାପୀ ୟୁନିଟ୍, ଏଣ୍ଡୋସ୍କୋପି ସୁଟ୍, ଆଧୁନିକ ବ୍ରାକୀ ଥେରାପି ୟୁନିଟ୍ ଇତ୍ୟାଦି ରହିଛି। ଏହା ଦେଶର ବିଶେଷକରି ପୂର୍ବ ଓ ଉତ୍ତରପୂର୍ବାଞ୍ଚଳ ରେ କର୍କଟ ରୋଗୀମାନଙ୍କ ନିମନ୍ତେ ଏକ ଅଗ୍ରଣୀ କର୍କଟ ଗବେଷଣା କେନ୍ଦ୍ରଗୁଡିକ କାର୍ଯ୍ୟ କରିବ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦୁର୍ଗା ପୂଜାରେ ଅବହେଳା!: ପଶ୍ଚିମବଙ୍ଗରେ ଦ୍ୱିଗୁଣିତ ହେଲା କରୋନା ମାମଲା

କୋଲକାତା: ଦେଶରେ ପୁଣି ଥରେ କରୋନା ଭାଇରସ ହେବାର ଆଶଙ୍କା ବଢିପାରେ। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗରେ ୮୪୬ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହି ସମୟରେ ୧୨ ଜଣ ସଂକ୍ରମିତ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଏଥି ସହିତ ରାଜ୍ୟରେ ସକରାତ୍ମକତା ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବଙ୍ଗଳାରେ, ଯେଉଁଠାରେ ଅଗଷ୍ଟ ୨୦ ତାରିଖରେ କରୋନା ପଜିଟିଭିଟି ହାର ମାତ୍ର ୧.୬ ପ୍ରତିଶତ ଥିଲା, ସେପ୍ଟେମ୍ବର ୨୦ ତାରିଖରେ ଏହା ୧.୯ ପ୍ରତିଶତ ଏବଂ ଅକ୍ଟୋବର ୨୦ ତାରଖରେ ୨.୪ ପ୍ରତିଶତକୁ ବୃଦ୍ଧି ହୋଇଛି।

ଏହା ବ୍ୟତୀତ କୋଲକାତାରେ ଦୁର୍ଗା ପୂଜା ପର୍ବ ଶେଷ ହେବା ପରେ ସଂକ୍ରମିତ ଗ୍ରାଫ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ମାମଲା ବାଢୁଥିବାରୁ ପୁଣି ଥରେ ସହରର କ୍ଵାରେଣ୍ଟିନ୍ କେନ୍ଦ୍ର ଖୋଲା ଯାଉଛି। ରାଜ୍ୟ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ଶୁକ୍ରବାର ଦିନ କୋଲକାତାରେ ୨୪୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ପୂର୍ବରୁ ଏହି ସଂଖ୍ୟା ୧୨୭ ଥିଲା। ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୫୦ ଜଣଙ୍କୁ ଉଭୟ ଟିକା ଦିଆଯାଇଥିବା ବେଳେ ୧୫ ଜଣ ପ୍ରଥମ ଡୋଜ ନେଇଛନ୍ତି।

ଏଥି ସହିତ, ଅଧିକାରୀମାନେ ବିଶ୍ଵାସ କରନ୍ତି ଯେ କରୋନା ବଢୁଥିବା ମାମଲା ପଛରେ ସବୁଠାରୁ ବଡ କାରଣ ହେଉଛି ଉତ୍ସବର ଆଗମନ। ଗତ ସପ୍ତାହରେ ଦୁର୍ଗା ପୂଜା ଉତ୍ସବରେ ଲୋକମାନେ ସୁରକ୍ଷା ପ୍ରୋଟୋକଲ ପ୍ରତି ଧ୍ୟାନ ଦେଇନଥିଲେ। କୋଲକାତା ମ୍ୟୁନିସିପାଲ କର୍ପୋରେସନ ସ୍ୱାସ୍ଥ୍ୟ ଦାୟିତ୍ୱରେ ଥିବା ଅତିନ ଘୋଷ କହିଛନ୍ତି ଯେ, “ଦୁର୍ଗା ପୂଜାକୁ ଉପଭୋଗ କରିବା ପାଇଁ ରାସ୍ତାରେ ବହୁ ସଂଖ୍ୟକ ଲୋକଙ୍କୁ ଦେଖିବା ପରେ ସମସ୍ତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା। ସେ କହିଛନ୍ତି ଯେ, ଏହି ଉତ୍ସବରେ ଅନେକ ଲୋକ ଅଂଶଗ୍ରହଣ କରିଥିଲେ। ଆମେ ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କରୁଛୁ ଏବଂ ପୁଣି ଥରେ ନିୟମ କଡାକଡି କରିବାକୁ ଚେଷ୍ଟା କରୁଛୁ। ”

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ସାତ ଦିନ ମଧ୍ୟରେ ୪୫୧ ରୁ ୮୩୩ ପର୍ଯ୍ୟନ୍ତ ଦୈନିକ ସଂକ୍ରମଣର ସଂଖ୍ୟା ପହଞ୍ଚିଛି।

Categories
ଜାତୀୟ ଖବର ବିଶେଷ ଖବର

ଟିଏମସି କରୁଛି ଏକ ବିଶାଳ ରାଲି, ହେଲେ ସେହି ଅଞ୍ଚଳର ଦୁଇଜଣ ସାଂସଦକୁ ଡାକିଲେ ନାହିଁ ମମତା, କାରଣ?

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବେଶ୍ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଆଜି ନନ୍ଦିଗ୍ରାମରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବୋଧିତ କରିବେ। ହେଲେ ଏହି ରାଲିରେ ଟିଏମସି ସାଂସଦ ଶିଶିର ଅଧିକାରୀ ଏବଂ ଦେବେନ୍ଦୁ ଅଧିକାରୀଙ୍କୁ ଯୋଗଦେବା ପାଇଁ ଡକାଯାଇ ନାହିଁ। ତ୍ରୁଣମୂଳ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟଙ୍କୁ ଜାଣିଶୁଣି ଏଥିରୁ ଦୂରେଇ ଦିଆଯାଇଛି।

ପଶ୍ଚିମବଙ୍ଗର କାନ୍ଥିରୁ ସାଂସଦ ଥିବା ଶିଶିର ଅଧିକାରୀ ନିକଟରେ ଟିଏମସି ବିରୋଧରେ ଖୋଲାଖୋଲି ବିବୃତ୍ତି ଦେଇଛନ୍ତି। ଏହା ବ୍ୟତୀତ ତାମଲୁକ ଲୋକସଭାର ସାଂସଦ ଦେବେନ୍ଦୁ ଅଧିକାରୀ ମଧ୍ୟ ଦଳର କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିଛନ୍ତି। ଟିଏମସି ଏବଂ ମମତା ବାନାର୍ଜୀଙ୍କ ଉପରେ ରାଗିବା ପରେ ସେମାନେ ବିଜେପିରେ ଯୋଗ ଦେବେ ବୋଲି ସମ୍ଭାବନା ରହିଛି। ତେବେ ସେମାନେ ବିଜେପିକୁ ଯିବା ପୂର୍ବରୁ ମମତା ଉଭୟଙ୍କୁ ଦଳରୁ ଅଲଗା କରିଦେଇଛନ୍ତି।

ପଶ୍ଚିମବଂଗ ରାଜନୀତିରେ ଅଧିକାରୀ ପରିବାରର ଦବଦବା ରହିଆସିଛି। ଏପରିକି ଏହି ପରିବାର ଟିଏମସି ତଥା ମମତାଙ୍କ ପାଖେପାଖେ ରହି ସବୁ ପ୍ରକାରର ସହାର୍ଯ୍ୟ କରି ଆସିଛନ୍ତି। ହେଲେ ନିକଟରେ ଏହି ପରିବାରର ଶୁଭେନ୍ଦୁ ଅଧିକାରୀ ଏବଂ ସୌମେନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଶିଶିର ଅଧିକାରୀ ଏବଂ ଦେବେନ୍ଦୁ ଅଧିକାରୀ ଟିଏମସି ବିରୋଧରେ ଏପରି ମତ ରଖିବାରୁ ସେମାନେ ମଧ୍ୟ ବିଜେପି ମୁହାଁ ହେବେ ବୋଲି ମମତା ଭାବି ନେଇଛନ୍ତି। ଏଭଳି ପରିସ୍ଥିତିରେ ଟିଏମସି ବର୍ତ୍ତମାନ ଅଧିକାରୀ ପରିବାରଠାରୁ ଦୂରତା ରଖିବାକୁ ମଧ୍ୟ ଚାହୁଁଛି।

ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏକ ରାଲିରେ ଅଧିକାରୀ ପରିବାର ଉପରେ ପ୍ରଥମ ଆକ୍ରମଣ କରିଛନ୍ତି। ଆଜି ଅପରାହ୍ନରେ ହେବାକୁ ଥିବା ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅଧିକାରୀ ପରିବାର ଉପରେ ଆକ୍ରମଣ କରିବାର ସମ୍ଭାବନା ରହିଛି। ନନ୍ଦିଗ୍ରାମ ଶୁଭେନ୍ଦୁ ଅଧିକାରୀଙ୍କ ଏକ ଗଡ଼ ଭାବରେ ପରିଗଣିତ। ତାଙ୍କ ଗଡରେ ମମତା ବାନାର୍ଜି ଏପରି ସଭା କରିବା ନେଇ  ଟିଏମସି ସମର୍ଥକମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି।