Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଦ୍ବାରା କିଣାଯିବାକୁ ଥିବା ଇଥାନଲ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଇଥାନଲ ଦର ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଆଖୁର ବିଭିନ୍ନ କଞ୍ଚାମାଲରୁ ଇଥାନଲ ପ୍ରସ୍ତୁତ ହୋଇଥାଏ। ୧ ଡିସେମ୍ବର ୨୦୨୨ରୁ ୩୧ ଅକ୍ଟୋବର ୨୦୨୩ ମଧ୍ୟରେ ପଡ଼ୁଥିବା ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ୨୦୨୨-୨୩ ସମୟରେ ଆଗାମୀ ୨୦୨୨-୨୩ ଚିନି ଋତୁ ପାଇଁ ଇବିପି କାର୍ଯ୍ୟକ୍ରମ ଅଧୀନରେ ଏହି ଦରବୃଦ୍ଧି କରାଯାଇଛି। ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରାୟତ୍ତ ତୈଳ ବିପଣ କମ୍ପାନୀ (ଓଏମସି) ଦ୍ବାରା ଇଥାନଲ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

୧- ସି ହେଭୀ ମୋଲାସେସ (ତରଳ) ମାର୍ଗରେ ଉତ୍ପନ୍ନ ହେଉଥିବା ଇଥାନଲ ଦର ଲିଟର ପିଛା ୪୯.୪୧ ଟଙ୍କାରୁ ଲିଟର ପିଛା ୪୬.୬୬ ଟଙ୍କାକୁ ବୃଦ୍ଧି କରାଯାଇଛି।

୨- ବି ହେଭି ମୋଲାସେସ ମାର୍ଗରେ ଉତ୍ପନ୍ନ ଇଥାନଲ ଦର ଲିଟର ପିଛା ୫୯.୦୮ ଟଙ୍କାରୁ ଲିଟର ପିଛା ୬୦.୭୩ ଟଙ୍କାକୁ ବୃଦ୍ଧି କରାଯାଇଛି।

ଆଖୁ ରସ/ଚିନି/ଚିନି ରସ ମାର୍ଗରେ ଉତ୍ପାଦିତ ହେଉଥିବା ଇଥାନଲ ଦର ଲିଟର ପିଛା ୬୩.୪୫ ଟଙ୍କାରୁ ଲିଟର ପିଛା ୬୫.୬୧ ଟଙ୍କାକୁ ବୃଦ୍ଧି କରାଯାଇଛି।

୧- ଏହା ଅତିରିକ୍ତ, ଜିଏସଟି ଏବଂ ପରିବହନ ଶୁଳ୍କ ମଧ୍ୟ ଦେବାକୁ ପଡ଼ିବ।

ସବୁ ଡିଷ୍ଟିଲେରୀଗୁଡ଼ିକ ଏହି ଯୋଜନାର ଲାଭ ପାଇବା ଲାଗି ସକ୍ଷମ ହେବେ ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ଇବିପି କାର୍ଯ୍ୟକ୍ରମର ପାଇଁ ଇଥାନଲ ଯୋଗାଣ କରିବେ ବୋଲି ଆଶା କରାଯାଉଛି। ଇଥାନଲ ଯୋଗାଣକାରୀମାନଙ୍କୁ ପାରିଶ୍ରମିକ ଦିଆଯିବା ପରେ ଆଖୁ ଚାଷୀଙ୍କ ବକେୟା ପାଉଣା ତୁରନ୍ତ ମିଳିପାରିବ ବୋଲି ଆଶା କରାଯାଉଛି। ଏହା ଆଖୁ ଚାଷୀଙ୍କ ସମସ୍ୟା ଦୂର କରିବାରେ ସହାୟକ ହେବ।

ସରକାର ଇଥାନଲ ମିଶ୍ରିତ ପେଟ୍ରୋ (ଇବିପି) କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି ଯେଉଁଥିରେ ଓଏମସି ବା ତୈଳ ବିପଣନ କମ୍ପାନୀଗୁଡ଼ିକ ପେଟ୍ରୋଲରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶ୍ରଣ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ଶାସିତ ପ୍ରଦେଶ ଆଣ୍ଡାମାନ ନିକୋବାର ଏବଂ ଲାକ୍ଷାଦ୍ବୀପକୁ ଛାଡ଼ି ଦେଲେ ସାରା ଭାରତରେ କାର୍ଯ୍ୟକାରୀ କରାଯାଉଛି। ବିକଳ୍ପ ଏବଂ ପରିବେଶ ଅନୁକୂଳ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ କରିବା ଲାଗି ୧ ଏପ୍ରିଲ ୨୦୧୯ ଠାରୁ ଇବିପି କାର୍ଯ୍ୟକ୍ରମ ଲାଗୁ ହୋଇଛି। ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭରଶୀଳତାକୁ କମାଇବା ଏବଂ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

୨୦୧୪ ପରଠାରୁ ଇଥାନଲର ପ୍ରଶାସନିକ ମୂଲ୍ୟ ସଂକ୍ରାନ୍ତରେ ସରକାର ବିଜ୍ଞପ୍ତି ଜାରି କରିସାରିଛନ୍ତି। ୨୦୧୮ରେ ପ୍ରଥମ ଥର ପାଇଁ, ଇଥାନଲ ଉତ୍ପାଦନ ଲାଗି ଉପଯୋଗ କରାଯିବାକୁ ଥିବା ଫିଡଷ୍ଟକ୍‌ ଆଧାରରେ ଇଥାନଲର ଭିନ୍ନ ଭିନ୍ନ ମୂଲ୍ୟ ସରକାର ଘୋଷଣା କରିଥିଲେ। ଏହିସବୁ ନିଷ୍ପତ୍ତି ଇଥାନଲର ଯୋଗାଣରେ ଉଲ୍ଲେଖନୀୟ ସୁଧାର ଆଣିଥିଲା। ଏହାର ପରିଣାମସ୍ବରୂପ,  ତୈଳ ବିପଣନ କମ୍ପାନୀମାନେ ଅଧିକ ମାତ୍ରାରେ ଇଥାନଲ କିଣିଥିଲେ। ୨୦୧୩-୧୪ ଇଥାନଲ ଯୋଗାଣ ବର୍ଷରେ ଇଥାନଲ କ୍ରୟ ପରିମାଣ ୩୮ କୋଟି ଲିଟରରୁ ବୃଦ୍ଧି ପାଇ ବର୍ତ୍ତମାନ ୨୦୨୧-୨୨ ଇଥାନଲ ଯୋଗାଣ ବର୍ଷରେ ୪୫୨ କୋଟି ଲିଟରରେ ପହଞ୍ଚିଛି (ଇଏସୱାଇ – ବର୍ତ୍ତମାନ ଇଥାନଲ ଯୋଗାଣ ଅବଧି ଗୋଟିଏ ବର୍ଷର ଡିସେମ୍ବର ପହିଲା ଠାରୁ ଆରମ୍ଭ କରି ପରବର୍ତ୍ତୀ ବର୍ଷର ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଧରାଯାଉଥିଲା)। ସରକାର ନଭେମ୍ବର ୨୦୨୨ ସୁଦ୍ଧା ୧୦% ଇଥାନଲ ମିଶ୍ରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ଏହାର ବହୁ ପୂର୍ବରୁ ଜୁନ୍‌ ୨୦୨୨ରେ ଏହି ଲକ୍ଷ୍ୟ ହାସଲ କରାଯାଇ ପାରିଥିଲା।

ଏହାଛଡ଼ା ସରକାର ୨୦୩୦ ସୁଦ୍ଧା ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସେହି ନିର୍ଦ୍ଧାରିତ ଲକ୍ଷ୍ୟ ଅବଧିର ସୀମାକୁ ଏବେ ୨୦୨୫-୨୬ ଇଥାନଲ ଯୋଗାଣ ବର୍ଷକୁ କମାଇ ଦେଇଛନ୍ତି ଏବଂ ‘‘ଭାରତରେ ଇଥାନଲ ମିଶ୍ରଣ ପାଇଁ ରୋଡମ୍ୟାପ ୨୦୨୦-୨୫’’କୁ ସାର୍ବଜନୀନ କରାଯାଇଛି।

ନିକଟରେ ଗ୍ରହଣ କରାଯାଇଥିବା ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ସାମିଲ ରହିଛି : ଇଥାନଲ ଡିଷ୍ଟିଲେସନ କ୍ଷମତାକୁ ବାର୍ଷିକ ୯୨୩ କୋଟି ଲିଟରକୁ ବଢ଼ାଇବା; ଇଥାନଲ ଅଭାବ ଥିବା ରାଜ୍ୟରେ ବାର୍ଷିକ ୪୩୧ କୋଟି ଲିଟର କ୍ଷମତା ବିଶିଷ୍ଟ ଘରୋଇ ସଂସ୍ଥା ଦ୍ବାରା ସମର୍ପିତ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ଦୀର୍ଘକାଳୀନ ଅଫ-ଟେକ୍‌ ରାଜିନାମା, ଯାହାଦ୍ବାରା ଆସନ୍ତା ବର୍ଷଗୁଡ଼ିକରେ ୨୫ ହଜାରରୁ ୩୦ ହଜାର କୋଟି ଟଙ୍କାର ନିବେଶ  ଆସିବ ବୋଲି ଅନୁମାନ କରାଯାଉଛି, ରେଳବାଇ ଏବଂ ପାଇପଲାଇନ ଜରିଆରେ ଇଥାନଲ ଏବଂ ଇଥାନଲ ମିଶ୍ରିତ ପେଟ୍ରୋଲର ବହୁମୁଖି ପରିବହନ ବ୍ୟବସ୍ଥା। ଏସବୁ ପଦକ୍ଷେପ ବ୍ୟବସାୟିକ ସୁଗମତାକୁ ବଢ଼ାଇବା ସହିତ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲରେ ସହାୟକ ହୋଇପାରିବ।

ଇଥାନଲ ଉତ୍ପାଦନ ପାଇଁ ଚିନି ହସ୍ତାନ୍ତର କରିବା ଏବଂ ଚିନି ଆଧାରିତ କଞ୍ଚାମାଲ ଯୋଗାଇ ଦେବା ସମେତ ଆଖୁ ଚାଷୀଙ୍କ ବକେୟା ପରିଶୋଧ କରିବା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ଆଖୁ ରସ ଏବଂ ବି ହେଭୀ ମୋଲାସକୁ ଇଥାନଲରେ ପରିବର୍ତ୍ତନ କରାଯିବା କାରଣରୁ ଚିନି ଋତୁ ଆରମ୍ଭରୁ ବହୁ ପରିମାଣରେ ଇଥାନଲ ଉପଲବ୍ଧ ହୋଇପାରୁଛି। ସେହିପରି ଇଥାନଲ ଯୋଗାଣ ବର୍ଷର ଅବଧିକୁ ପୁନଃପରିଭାଷିତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଣିକି ଗୋଟିଏ ବର୍ଷର ୧ ନଭେମ୍ବରରୁ ପରବର୍ତ୍ତୀ ବର୍ଷ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଅବଧିକୁ ଇଥାନଲ ଯୋଗାଣ ବର୍ଷ ଭାବେ ଗ୍ରହଣ କରାଯିବ। ୨୦୨୩ ନଭେମ୍ବର ପହିଲା ପରଠାରୁ ଏହି ନିୟମ ଲାଗୁ ହେବ।  ଆହୁରି, ଆଖୁର ଉଚିତ୍‌ ଏବଂ ଲାଭଜନକ ମୂଲ୍ୟ (ଏଫଆରପି) ଏବଂ ଚିନିର ଏକ୍ସ-ମିଲ୍‌ ମୂଲ୍ୟ ପରିବର୍ତ୍ତନ କରାଯାଇଥିବା କାରଣରୁ, ବିଭିନ୍ନ ଆଖୁ ଆଧାରିତ କଞ୍ଚାମାଲରୁ ଉତ୍ପାଦିତ ହେଉଥିବା ଇଥାନଲର ଦର ସଂଶୋଧନ କରିବାର ଆବଶ୍ୟକତା ଦେଖା ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ଫସଫେଟ ଓ ପଟାସ ସାର ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି ଦରକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସଫେଟ ଓ ପଟାସ ସାର ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି ଦରକୁ ମଞ୍ଜୁରି ମିଳିଛି। ୨୦୨୨-୨୩ ରବି ଋତୁରେ ଏହି ସବସିଡି ଦର ୨୦୨୨ ଅକ୍ଟୋବର ପହିଲା ତାରିଖ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଲାଗୁ ହେବ। ପଟାସ ଓ ଫସଫେଟ ସାରରେ ନାଇଟ୍ରୋଜେନ (ଏନ), ଫସଫରସ (ପି), ପଟାସ (କେ) ଏବଂ ସଲଫର (ଏସ) ଆଦି ବିଭିନ୍ନ ପୋଷକ ତତ୍ତ୍ବ ମିଶ୍ରଣ କରାଯିବ। ଏ ସଂକ୍ରାନ୍ତରେ ସାର ବିଭାଗ ପକ୍ଷରୁ ମିଳିଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ଆର୍ଥିକ ବ୍ୟୟବରାଦ:

୨୦୨୨-୨୩ ରବି ଋତୁ ପାଇଁ କ୍ୟାବିନେଟ ମୋଟ୍‌ ୫୧ ହଜାର ୮୭୫ କୋଟି ଟଙ୍କାର ସବସିଡି ମଞ୍ଜୁର କରିଛନ୍ତି। ଏଥିରେ ଫ୍ରିଟ୍‌ ବା ମାଲ ଭଡ଼ା ସବସିଡି ଜରିଆରେ ସ୍ବଦେଶୀ ସାରକୁ ଦିଆଯାଉଥିବା ସହାୟତା ସାମିଲ ରହିଛି।

ଲାଭ:

କ୍ୟାବିନେଟଙ୍କର ଏହି ନିଷ୍ପତ୍ତି ଦ୍ବାରା ୨୦୨୨-୨୩ ରବି ଋତୁରେ ସବୁ ଚାଷୀଙ୍କୁ ଶସ୍ତା/ସବସିଡି ଦରରେ ସମସ୍ତ ପିଏଣ୍ଡକେ ସାର ଉପଲବ୍ଧ ହୋଇପାରିବ ଏବଂ ଏହା କୃଷି କ୍ଷେତ୍ରକୁ ମଧ୍ୟ ସହାୟକ ହେବ। ଅନ୍ତର୍ଜାତୀୟ ବଜାରରେ ସାର ଦରରେ ଦେଖା ଦେଇଥିବା ଅସ୍ଥିରତା ଏବଂ କଞ୍ଚାମାଲର ଅଭାବ ସମସ୍ୟାକୁ କେନ୍ଦ୍ର ସରକାର ସବସିଡି ଓ ଅନ୍ୟାନ୍ୟ ସହାୟତା ମାଧ୍ୟମରେ ପ୍ରାୟତଃ ନିୟନ୍ତ୍ରଣ କରି ଆସୁଛନ୍ତି।

Categories
ବିଶେଷ ଖବର

‘‘ଭାରତରେ ସେମିକଣ୍ଡକ୍ଟର୍ସ ବିକାଶ ଏବଂ ଡିସପ୍ଲେ ଉତ୍ପାଦନ ଇକୋସିଷ୍ଟମ କାର୍ଯ୍ୟକ୍ରମ’’ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତରେ ସେମିକଣ୍ଡକ୍ଟର ବିକାଶ ଏବଂ ଡିସପ୍ଲେ ଉତ୍ପାଦନ ଇକୋସିଷ୍ଟମ କାର୍ଯ୍ୟକ୍ରମରେ ନିମ୍ନଲିଖିତ ସଂଶୋଧନକୁ ମଞ୍ଜୁର କରିଛନ୍ତି:

୧. ଭାରତରେ ସେମିକଣ୍ଡକ୍ଟର ଫ୍ୟାବ ପ୍ରତିଷ୍ଠା ଯୋଜନା ଅଧୀନରେ ସବୁ ପ୍ରଯୁକ୍ତି ନୋଡସ୍‌ ପାଇଁ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ସହ ସମାନ ଆର୍ଥିକ ସହାୟତା।

୨. ଡିସପ୍ଲେ ଫ୍ୟାବ୍‌ ପ୍ରତିଷ୍ଠା କରିବାର ଯୋଜନା ଅଧୀନରେ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ସହ ସମାନ ଆଧାରରେ ଆର୍ଥିକ ସହାୟତା।

୩. ଭାରତରେ କମ୍ପାଉଣ୍ଡ ସେମିକଣ୍ଡକ୍ଟର/ସିଲିକନ ଫୋଟୋନିକ୍ସ/ସେନ୍ସର ଫ୍ୟାବ ଏବଂ ସେମିକଣ୍ଡକ୍ଟର ଏଟିଏମପି/ଓଏସଏଟି ସୁବିଧା ପ୍ରତିଷ୍ଠା ଲାଗି ଏହି ଯୋଜନା ଅଧୀନରେ ପୁଞ୍ଜିଗତ ବ୍ୟୟର ୫୦ ପ୍ରତିଶତ ସମାନତା ଆଧାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହା ବ୍ୟତୀତ ଯୋଜନା ଅଧୀନରେ ଲକ୍ଷ୍ୟ ଆଧାରିତ ପ୍ରଯୁକ୍ତିରେ ଡିସ୍କ୍ରିପ୍ଟ ଫ୍ୟାବଗୁଡ଼ିକୁ ମଧ୍ୟ ସାମିଲ କରାଯିବ।

ସଂଶୋଧିତ କାର୍ଯ୍ୟକ୍ରମ ଅଧୀନରେ, ସମସ୍ତ ପ୍ରଯୁକ୍ତି ନୋଡ୍ସ ପାଇଁ ସେମିକଣ୍ଡକ୍ଟର ଫ୍ୟାବ ପ୍ରତିଷ୍ଠା ନିମନ୍ତେ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ଭାଗ ପାଇଁ ଆର୍ଥିକ ସହାୟତା ସମାନତା ଆଧାରରେ ଯୋଗାଇ ଦିଆଯିବ। କମ୍ପାଉଣ୍ଡ ସେମି କଣ୍ଡକ୍ଟର ଏବଂ ଉନ୍ନତି ପ୍ୟାକେଜିଂର ବିଶେଷ ପ୍ରଯୁକ୍ତି ଏବଂ ପ୍ରକୃତିକୁ ଦୃଷ୍ଟିରେ ରଖି ସଂଶୋଧିତ କାର୍ଯ୍ୟକ୍ରମରେ କମ୍ପାଉଣ୍ଡ ସେମିକଣ୍ଡକ୍ଟର, ସିଲିକନ ଫଟୋନିକ୍ସ/ ସେନ୍ସସର/ ଡିସ୍କ୍ରିଟ ସେମିକଣ୍ଡକ୍ଟର ଫ୍ୟାବ ଏବଂ ଏଟିଏମିପ/ଓଏସଟି ପ୍ରତିଷ୍ଠା ଲାଗି ଯୋଜନା ଅଧୀନରେ ପୁଞ୍ଜିଗତ ବ୍ୟୟର ୫୦ ପ୍ରତିଶତ ସମାଧାନ ଆଧାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଏହି କାର୍ଯ୍ୟକ୍ରମରେ ଭାରତରେ ଫ୍ୟାବ ପ୍ରତିଷ୍ଠା କରିବା ଲାଗି ଅନେକ ବିଶ୍ବ ସେମିକଣ୍ଡକ୍ଟର କମ୍ପାନୀମାନଙ୍କୁ ଆକର୍ଷିତ କରିଛି। ସଂଶୋଧିତ କାର୍ଯ୍ୟକ୍ରମ ଫଳରେ ଭାରତରେ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ଉତ୍ପାଦନରେ ନିବେଶ ଗତିଶୀଳ ହେବ। ସମ୍ଭାବ୍ୟ ନିବେଶକଙ୍କ ସହ ଆଲୋଚନା ଆଧାରରେ ଏହା ଆଶା କରାଯାଉଛି ଯେ, ଦେଶର ପ୍ରଥମ ସେମିକଣ୍ଡକ୍ଟର ପ୍ରସ୍ତୁତି କେନ୍ଦ୍ର ପ୍ରତିଷ୍ଠା କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ।

ଭାରତରେ ସେମିକଣ୍ଡକ୍ଟର ବିକାଶ ଏବଂ ଡିସପ୍ଲେ ପ୍ରସ୍ତୁତି ଇକୋସିଷ୍ଟମ କାର୍ଯ୍ୟକ୍ରମ ପାଇଁ ଭାରତ ସେମିକଣ୍ଡକ୍ଟର ମିଶନ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। ଏହାକୁ ପରାମର୍ଶ ଦେବା ଲାଗି ଉଦ୍ୟୋଗ ଜଗତ ଏବଂ ଶିକ୍ଷା ଜଗତର ବିଶ୍ବସ୍ତରୀୟ ବିଶେଷଜ୍ଞମାନଙ୍କୁ ନେଇ ଏକ ପରାମର୍ଶ ସମିତି ଗଠନ କରାଯାଇଛି। ପରାମର୍ଶ ସମିତି ସର୍ବସମ୍ମତିକ୍ରମେ  ସିଲିକନ ସେମିକଣ୍ଡକ୍ଟର ଫ୍ୟାବ/ ସିଲିକନ ଫଟୋନିକ୍ସ/ ସେନ୍ସସର/ ଡିସ୍କ୍ରିଟ ସେମିକଣ୍ଡକ୍ଟର ଫ୍ୟାବ ଏବଂ ଏଟିଏମିପ/ ଓଏସଟିର ସବୁ ପ୍ରଯୁକ୍ତି ନୋଡ୍ସ ନିମନ୍ତେ ଏକସମାନ ସମର୍ଥନ ପାଇଁ ସୁପାରିସ କରିଛି। ବାହନ, ବିଦ୍ୟୁତ ଏବଂ ଦୂରସଞ୍ଚାର ପ୍ରୟୋଗ ସମେତ ଅନ୍ୟାନ୍ୟ କାରଣରୁ ୪୫ ଏନଏମ ଏବଂ ତା’ଠାରୁ ଅଧିକ ନୋଡ୍ସର ଚାହିଦା ଖୁବ୍‌ ଅଧିକ ରହିଛି। ଏହାବ୍ୟତୀତ ଏହାର ଅଂଶଧନ ମୋଟ୍‌ ସେମିକଣ୍ଡକ୍ଟର ବଜାରରେ ପାଖାପାଖି ୫୦ ପ୍ରତିଶତ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ଏମଓୟୁ କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଏବଂ ନେପାଳ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ଏହା ଜଙ୍ଗଲ, ବନ୍ୟ ପ୍ରାଣୀ, ପରିବେଶ, ଜୈବ ବିବିଧତା ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମେତ କରିଡର ପୁନରୁଦ୍ଧାର ଓ ସଂରକ୍ଷିତ ଅଞ୍ଚଳ ଆନ୍ତଃସଂଯୋଗ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମନ୍ବୟ ତଥା ସହଯୋଗକୁ ସୁଦୃଢ଼ କରିବ। ଦୁଇ ଦେଶ ଏହି କ୍ଷେତ୍ରରେ ପରସ୍ପର ସହ ଜ୍ଞାନ ଓ ଶ୍ରେଷ୍ଠ ପଦ୍ଧତିର ବିନିମୟ କରିବା ଲାଗି ସକ୍ଷମ ହୋଇପାରିବେ।

ଏହି ଏମଓୟୁ ସ୍ବାକ୍ଷରିତ ହେବା ଦ୍ବାରା ଜଙ୍ଗଲ, ବନ୍ୟପ୍ରାଣୀ, ଜୈବ ବିବିଧତା ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ ସମେତ କରିଡର ସଂରକ୍ଷଣ ଏବଂ ସଂରକ୍ଷିତ ଅଞ୍ଚଳ ଆନ୍ତଃସଂଯୋଗ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଆପୋସ ସହଯୋଗକୁ ପ୍ରୋତ୍ସାହନ ମିଳିବ। ଉଭୟ ପକ୍ଷ ପରସ୍ପର ମଧ୍ୟରେ ଶ୍ରେଷ୍ଠ ପଦ୍ଧତି ଏବଂ ଜ୍ଞାନର ଆଦାନପ୍ରଦାନ କରିପାରିବେ।

Categories
ଜାତୀୟ ଖବର ବିଶେଷ ଖବର

କ୍ୟାବିନେଟ ମଞ୍ଜୁରି : ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି କୃଷି ଋଣ ଉପରେ ମିଳିବ ୧.୫ ପ୍ରତିଶତ ସୁଧ ରିହାତି

ନୂଆଦିଲ୍ଲୀ: ତିନି ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ ଋଣ ଲଗାଣକାରୀ ସଂସ୍ଥା ପାଇଁ ୧.୫ ପ୍ରତିଶତ ସୁଧ ରିହାତି ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ତେଣୁ ସବୁ ଋଣ ଲଗାଣକାରୀ ଆର୍ଥିକ ସଂସ୍ଥା ଯଥା: ସରକାରୀ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିବା କମ୍ପ୍ୟୁଟରୀକୃତ ପ୍ରାଥମିକ କୃଷି ସମିତିମାନଙ୍କୁ ବାର୍ଷିକ ଦେଢ଼ ପ୍ରତିଶତ ସୁଧ ରିହାତି ମିଳିବ।

ଆର୍ଥିକ ଋଣ ଲଗାଣକାରୀ ସଂସ୍ଥାମାନେ ଏହି ଦେଢ଼ ପ୍ରତିଶତ ସୁଧ ରିହାତି ସୁବିଧା ଚାଷୀମାନଙ୍କୁ ଯୋଗାଇ ଦେବେ। ୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷ ପର‌୍ୟ୍ୟନ୍ତ ୩ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସ୍ୱଳ୍ପ ଅବଧି ବିଶିଷ୍ଟ କୃଷି ଋଣ ଉପରେ ଏହି ରିହାତି ସୁବିଧା ମିଳିବ।

ସୁଧ ଛାଡ଼ ସୁବିଧା ନିମନ୍ତେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷ ପର‌୍ୟ୍ୟନ୍ତ ୩୪ ହଜାର ୮୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ଅତିରିକ୍ତ ବଜେଟ୍ ବ୍ୟବସ୍ଥା କରାଯାଇଛି।

ଲାଭ:

ସୁଧ ରିହାତିରେ ବୃଦ୍ଧି କାରଣରୁ କୃଷି ଋଣ ଯୋଗାଣରେ ସ୍ଥିରତା ସୁନିଶ୍ଚିତ ହେବ। ଋଣପ୍ରଦାନକାରୀ ସଂସ୍ଥା, ବିଶେଷ କରି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ଅଧିକ ଋଣ ଦେବାକୁ ସେମାନେ ସକ୍ଷମ ହୋଇପାରିବେ। ଏହା ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ଯଥେଷ୍ଟ କୃଷି ଋଣ ଉପଲବ୍ଧ କରାଇବ।

ପାଣ୍ଠି ବାବଦ ଖର୍ଚ୍ଚରେ ବୃଦ୍ଧିକୁ ସହ୍ୟ କରିବାରେ ବ୍ୟାଙ୍କମାନେ ସକ୍ଷମ ହେବେ ଏବଂ କୃଷକମାନଙ୍କୁ ସେମାନଙ୍କର କୃଷି ଆବଶ୍ୟକତା ପାଇଁ ଋଣ ପ୍ରଦାନ କରିପାରିବେ। ଏହାଦ୍ବାରା ଅଧିକରୁ ଅଧିକ ଚାଷୀ ଋଣର ଲାଭ ପାଇପାରିବେ। ଏହାବ୍ୟତୀତ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟତା ମିଳିବ। କାରଣ ସ୍ୱଳ୍ପ ଅବଧି କୃଷି ଋଣ ପଶୁପାଳନ, କୁକ୍କୁଟ ପାଳନ, ମତ୍ସ୍ୟ ପାଳନ ସମେତ ସବୁ କୃଷି ଏବଂ ଆନୁସଙ୍ଗିକ କାର‌୍ୟ୍ୟରେ ସହାୟତା ପାଇଁ ପ୍ରଦାନ କରାଯାଇଥାଏ ।

ଚାଷୀମାନେ ବାର୍ଷିକ ୪% ସୁଧ ହାରରେ ସ୍ୱଳ୍ପକାଳୀନ କୃଷି ଋଣ ନେବା ଜାରି ରଖିପାରିବେ ଏବଂ ଠିକ୍ ସମୟରେ ଋଣ ପରିଶୋଧ ନିମନ୍ତେ ସକ୍ଷମ ହେବେ।

Categories
ବିଶେଷ ଖବର

କ୍ୟାବିନେଟ ମଞ୍ଜୁରି: ବଢିଲା ପିଏମଏୱାଇ-ୟୁ- ‘‘ସମସ୍ତଙ୍କ ପାଇଁ ଅବାସ’’ ଅଭିଯାନର ଅବଧି

ନୂଆଦିଲ୍ଲୀ: ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହରାଞ୍ଚଳ (ପିଏମଏୱାଇ-ୟୁ) – ‘‘ସମସ୍ତଙ୍କ ପାଇଁ ଆବାସ’’ ଅଭିଯାନ। ଏ ସଂକ୍ରାନ୍ତରେ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ)ର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହି ଯୋଜନା ଅଧୀନରେ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ମଞ୍ଜୁର ହୋଇଥିବା ୧୨୨.୬୯ ଲକ୍ଷ ଆବାସ ସମ୍ପୂର୍ଣ୍ଣ କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

‘ପିଏମଏୱାଇ-ୟୁ : ସମସ୍ତଙ୍କ ପାଇଁ ଆବାସ’ ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଏକ ପ୍ରମୁଖ ଫ୍ଲାଗସିପ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ଦେଶର ସହରାଞ୍ଚଳରେ ଥିବା ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ସବୁ ଋତୁ ପାଇଁ ଅନୁକୂଳ ପକ୍କା ଘର ଯୋଗାଇ ଦିଆଯାଉଛି। ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶ, କେନ୍ଦ୍ରୀୟ ନୋଡାଲ ଏଜେନ୍ସି ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଦେଶର ସବୁ ସହରାଞ୍ଚଳକୁ ଏହି ଯୋଜନାରେ ସାମିଲ କରାଯାଇଛି । ବିଜ୍ଞପିତ ଯୋଜନା/ବିକାଶ କ୍ଷେତ୍ର ସମେତ ୨୦୧୧ ଜନଗଣନା ଅନୁଯାୟୀ ସବୁ ବୈଧାନିକ ସହର ଏବଂ ଏହାପରେ ବିଜ୍ଞପିତ ହୋଇଥିବା ସବୁ ସହରରେ ଯୋଜନା କାର୍ଯ୍ୟକାରୀ ହେଉଛି। ଚାରିଟି ବର୍ଗରେ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି, ଯଥା : ହିତାଧିକାରୀ ପରିଚାଳିତ ନିର୍ମାଣ/ସମ୍ପ୍ରସାରଣ (ବିଏଲସି), ସହଭାଗିତା ଭିତ୍ତିରେ ଶସ୍ତା ଆବାସ (ଏଏଚପି), ସ୍ଥାନୀୟ ବସ୍ତି ପୁନଃବିକାଶ (ଆଇଏସଏସଆର) ଏବଂ ଋଣ ଭିତ୍ତିକ ସବସିଡି ଯୋଜନା (ସିଏଲଏସଏସ)। ଏହି ଯୋଜନା ପାଇଁ ଭାରତ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର/କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ହିତାଧିକାରୀଙ୍କୁ ଚୟନ କରିବା ସହିତ ଯୋଜନାକୁ କାର୍ଯ୍ୟକାରୀ କରିଥାନ୍ତି।

୨୦୦୪-୨୦୧୪ ଅବଧିରେ, ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ମାତ୍ର ୮.୦୪ ଲକ୍ଷ ଆବାସ ସମ୍ପୂର୍ଣ୍ଣ ହୋଇଥିଲା। ମୋଦୀ ସରକାରଙ୍କ ଅମଳରେ, ସବୁ ଯୋଗ୍ୟ ସହରାଞ୍ଚଳ ବାସହୀନମାନଙ୍କୁ ଘର ଯୋଗାଣ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହାକୁ ଆଧାର କରି ପିଏମଏୱାଇ-ସହରାଞ୍ଚଳ ଯୋଜନାର ପରିକଳ୍ପନା କରାଯାଇଥିଲା। ୨୦୧୭ରେ, ମୂଳ ଆନୁମାନିକ ପ୍ରକଳ୍ପ ଚାହିଦା ଥିଲା ୧୦୦ ଲକ୍ଷ ଆବାସ ନିର୍ମାଣ। ଏବେ ସୁଦ୍ଧା ମୂଳ ଆନୁମାନିକ ପ୍ରକଳ୍ପ ଚାହିଦା ତୁଳନାରେ, ୧୦୨ ଲକ୍ଷ ଆବାସ ନିର୍ମାଣ ହୋଇସାରିଛି କିମ୍ବା ନିର୍ମାଣ ପର୍ଯ୍ୟାୟରେ ରହିଛି। ଏଥିମଧ୍ୟରୁ ୬୨ ଲକ୍ଷ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଛି। ମଞ୍ଜୁର ହୋଇଥିବା ମୋଟ୍‌ ପ୍ରାୟ ୧୨୩ ଲକ୍ଷ ଆବାସ ମଧ୍ୟରୁ ୪୦ ଲକ୍ଷ ଆବାସ ନିର୍ମାଣ ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ବିଳମ୍ବରେ ପ୍ରସ୍ତାବ ମିଳିଥିଲା (ଯୋଜନାର ଶେଷ ଦୁଇ ବର୍ଷ ମଧ୍ୟରେ)। ଏସବୁ ଆବାସ ସମ୍ପୂର୍ଣ୍ଣ କରିବା ଲାଗି ଆଉ ଦୁଇ ବର୍ଷ ସମୟର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଅନୁରୋଧକୁ ଆଧାର କରି, ୩୧-୧୨-୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି।

ଏହି ଯୋଜନାରେ ୨୦୦୪-୨୦୧୪ ପର୍ଯ୍ୟନ୍ତ ମାତ୍ର ୨୦,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ୨୦୧୫ ଠାରୁ ଏବେ ସୁଦ୍ଧା ୨.୦୩ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଛି। ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା, ୧,୧୮,୦୨୦.୪୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା/ସବସିଡି ଜାରି କରାଯାଇ ସାରିଛି। ଅବଶିଷ୍ଟ ୮୫,୪୦୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା/ସବସିଡି ୩୧ ଡିସେମ୍ବର ୨୦୨୪ ସୁଦ୍ଧା ଯୋଗାଇ ଦିଆଯିବ।

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଅନୁରୋଧ କ୍ରମେ ଯୋଜନାକୁ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରଖାଯିବା ଫଳରେ ବିଏଲସି, ଏଏଚପି ଏବଂ ଆଇଏସଏସଆର ଶ୍ରେଣୀରେ ପୂର୍ବରୁ ମଞ୍ଜୁର ହୋଇଥିବା ଆବାସ ନିର୍ମାଣ ସମ୍ପୂର୍ଣ୍ଣ କରିବାରେ ସହାୟତା ମିଳିପାରିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅପହଞ୍ଚରେ ୪ ଜି ମୋବାଇଲ ସେବାର ସମ୍ପୂର୍ଣ୍ଣ ପ୍ରସାର ଲାଗି ୨୬,୩୧୬ କୋଟି ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ସାରା ଦେଶରେ ୪ ଜି ମୋବାଇଲ ସେବାର ସମ୍ପୂର୍ଣ୍ଣ ପ୍ରସାର ପାଇଁ ମୋଟ୍‌ ୨୬,୩୧୬ କୋଟି ଟଙ୍କାର ବ୍ୟୟ କରାଯିବ। ଏହି ଅର୍ଥରେ ଦେଶର ଅପହଞ୍ଚ ଗାଁମାନଙ୍କରେ ୪ ଜି ସେବା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ଡିଜିଟାଲ ସମାବେଶନ ଏବଂ ସମସ୍ତଙ୍କୁ କନେକ୍ଟିଭିଟୀ ବା ଯୋଗାଯୋଗ ସୁବିଧା ପ୍ରଦାନ କରିବା ସରକାରଙ୍କ ‘ଅନ୍ତ୍ୟୋଦୟ’ ସଂକଳ୍ପର ଏକ ଅଭିନ୍ନ ଅଙ୍ଗ। ଗତ ବର୍ଷ ସରକାର ୫ଟି ରାଜ୍ୟର ୪୪ଟି ଆକାଂକ୍ଷୀ ଜିଲ୍ଲାରେ ଥିବା ୭,୨୮୭ଟି ଅପହଞ୍ଚ ଇଲାକାରେ ୪ ଜି ମୋବାଇଲ ସେବା ଯୋଗାଇ ଦେବା ପାଇଁ ଏକ ପ୍ରକଳ୍ପକୁ ଅନୁମୋଦନ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ରେ ତାଙ୍କର ସ୍ବାଧୀନତା ଦିବସ ଅଭିଭାଷଣରେ ସବୁ ସରକାରୀ ଯୋଜନାର ପରିପୂର୍ଣ୍ଣତା ବା ସେଚୁରେସନ ପାଇଁ ଆହ୍ବାନ କରିଥିଲେ। ଆଜି କ୍ୟାବିନେଟର ଅନୁମୋଦନ ଲାଭ କରିଥିବା ପ୍ରକଳ୍ପ ମାଧ୍ୟମରେ ଦେଶର ଉପାନ୍ତ ଏବଂ ଅପହଞ୍ଚ ଇଲାକାରେ ଥିବା ୨୪ ହଜାର ୬୮୦ଟି ଗାଁକୁ ୪ ଜି ମୋବାଇଲ ସେବା ଯୋଗାଇ ଦିଆଯିବ। ଥଇଥାନ, ନୂଆ ବସତି ସ୍ଥାପନ, ବର୍ତ୍ତମାନର ପରିଚାଳକମାନଙ୍କ ଦ୍ବାରା ସେବା ପ୍ରତ୍ୟାହାର ଆଦି କାରଣ ପାଇଁ ୨୦% ଅତିରିକ୍ତ ଗାଁକୁ ଏହି ପ୍ରକଳ୍ପ ଅଧୀନରେ ସାମିଲ କରାଯିବାର ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ କେବଳ ୨ଜି/୩ଜି କନେକ୍ଟିଭିଟୀ ସେବା ରହିଥିବା ୬,୨୭୯ଟି ଗାଁରେ ମୋବାଇଲ ସେବାକୁ ୪ଜିକୁ ଉନ୍ନତିକରଣ କରାଯିବ।

ବିଏସଏନଏଲ ଦ୍ବାରା ଆତ୍ମନିର୍ଭର ଭାରତ ୪ଜି ପ୍ରଯୁକ୍ତି ବ୍ୟବସ୍ଥାକୁ ଉପଯୋଗ କରାଯାଇ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। ସାର୍ବଜନୀନ ସେବା ଉତ୍ତରଦାୟିତ୍ବ ପାଣ୍ଠି ଜରିଆରେ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇ ଦିଆଯିବ। ପ୍ରକଳ୍ପ ବ୍ୟୟ ପରିମାଣ ୨୬,୩୧୬ କୋଟି ଟଙ୍କାରେ କ୍ୟାପେକ୍ସ ଏବଂ ୫ ବର୍ଷର ଓପେକ୍ସ ସାମିଲ ରହିଛି।

ବିଏସଏନଏଲ ପକ୍ଷରୁ ଆତ୍ମନିର୍ଭର ୪ ଜି ପ୍ରଯୁକ୍ତି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇସାରିଛି ଯାହାକୁ ଏହି ପ୍ରକଳ୍ପରେ ମଧ୍ୟ ବିନିଯୋଗ କରାଯିବ।

ଗ୍ରାମାଞ୍ଚଳରେ ମୋବାଇଲ କନେକ୍ଟିଭିଟୀ ଯୋଗାଇ ଦେବା ପାଇଁ ସରକାରଙ୍କ ସଂକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ମୋବାଇଲ ବ୍ରଡବ୍ୟାଣ୍ଡ ଜରିଆରେ ବିଭିନ୍ନ ଇ-ସରକାରୀ ସେବା, ବ୍ୟାଙ୍କିଙ୍ଗ ସେବା, ଟେଲି-ମେଡ଼ିସିନ, ଟେଲି-ଏଜୁକେସନ ଆଦିକୁ ଏହି ପ୍ରକଳ୍ପ ପ୍ରୋତ୍ସାହିତ କରିବ ଏବଂ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

Categories
ବିଶେଷ ଖବର

ପ୍ରାଥମିକ କୃଷି ଋଣ ସମିତି ଗୁଡ଼ିକର କମ୍ପ୍ୟୁଟରୀକରଣକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ)ର କମ୍ପ୍ୟୁଟରୀକରଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ନିଷ୍ପତ୍ତି ପ୍ୟାକ୍ସଗୁଡ଼ିକର ଦକ୍ଷତା ବଢ଼ାଇବା ସହିତ ପରିଚାଳନାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ଆଣିବ। ପ୍ୟାକ୍ସଗୁଡ଼ିକର କାରବାରରେ ବିବିଧତା ଆସିବା ସହିତ ବିଭିନ୍ନ ଗତିବିଧି/ସେବା ଆରମ୍ଭ କରିବା କ୍ଷେତ୍ରରେ ସୁବିଧା ମିଳିବ। ଏହି ପ୍ରକଳ୍ପ ପାଇଁ ମୋଟ ୨୫୧୬ କୋଟି ଟଙ୍କାର ବଜେଟ୍‌ ବ୍ୟୟବରାଦ କରାଯାଇଛି। ଭାରତ ସରକାର ଏଥିରେ ୧୫୨୮ କୋଟି ଟଙ୍କା ଖର୍ଚ୍ଚ କରିବେ। ମୋଟ ୫ ବର୍ଷର ଅବଧି ମଧ୍ୟରେ ପ୍ରାୟ ୬୩ ହଜାର କାର୍ଯ୍ୟକ୍ଷମ ପ୍ୟାକ୍ସର କମ୍ପ୍ୟୁଟରୀକରଣ କରାଯିବ।

ଦେଶରେ ସ୍ବଳ୍ପକାଳୀନ ସମବାୟ ଋଣ (ଏସଟିସିସି) ଯୋଗାଇ ଦେବାର ତ୍ରିସ୍ତରୀୟ ବ୍ୟବସ୍ଥାରେ ସବୁଠୁ ତୃଣମୂଳସ୍ତରରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ଗୁଡ଼ିକ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ପ୍ରାୟ ୧୩ କୋଟି ଚାଷୀ ପ୍ୟାକ୍ସର ସଦସ୍ୟ ଭାବେ ସାମିଲ ରହିଛନ୍ତି ଏବଂ ଏମାନେ ଗ୍ରାମୀଣ ଅର୍ଥବ୍ୟବସ୍ଥାର ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି। ଦେଶରେ ସବୁ ସଂସ୍ଥାଗୁଡ଼ିକ ଦ୍ବାରା ଦିଆଯାଉଥିବା କେସିସି ଋଣ ମଧ୍ୟରେ ପ୍ୟାକ୍ସର ଭାଗ ୪୧ ପ୍ରତିଶତ (୩.୦୧ କୋଟି ଚାଷ) ହୋଇଥିବା ବେଳେ ପ୍ୟାକ୍ସ ମାଧ୍ୟମରେ ଏସବୁ କେସିସି ଋଣ ମଧ୍ୟରୁ ୯୫ ପ୍ରତିଶତ (୨.୯୫ କୋଟି ଚାଷୀ) କେବଳ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଦିଆଯାଇଛି। ଅନ୍ୟ ଦୁଇଟି ସ୍ତର ଅର୍ଥାତ ରାଜ୍ୟ ସମବାୟ ବ୍ୟାଙ୍କ (ଏସଟିସିବି) ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଡିସିସିବି)ଗୁଡ଼ିକୁ ପୂର୍ବରୁ ନାବାର୍ଡ ଦ୍ବାରା ସ୍ବୟଂଶାସିତ କରି ଦିଆଯାଇଛି। ଏମାନଙ୍କୁ କମନ୍‌ ବ୍ୟାଙ୍କିଙ୍ଗ ସଫ୍ଟୱେର ଅଧୀନକୁ ଅଣାଯାଇ ସାରିଛି।

ତେବେ, ଅଧିକାଂଶ ପ୍ୟାକ୍ସ ବର୍ତ୍ତମାନ ସୁଦ୍ଧା କମ୍ପ୍ୟୁଟରୀକୃତ ହୋଇନାହାନ୍ତି ଏବଂ ଏବେ ବି ହସ୍ତଚାଳିତ ପଦ୍ଧତିରେ କାର୍ଯ୍ୟ କରୁଛନ୍ତି, ଫଳରେ ଏସବୁର ପରିଚାଳନାରେ ଅକ୍ଷମତା ଏବଂ ଭରସାର ଅଭାବ ଦେଖା ଦେଇଛି। କେତେକ ରାଜ୍ୟରେ କିଛି ସ୍ଥାନରେ ପ୍ୟାକ୍ସଗୁଡ଼ିକୁ ଆଂଶିକ ଭାବେ କମ୍ପ୍ୟୁଟରୀକରଣ କରାଯାଇଛି। ତେବେ ସେମାନଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ସଫ୍ଟୱେରରେ କୌଣସି ସମାନତା ନାହିଁ ଏବଂ ଏଗୁଡ଼ିକ ଡିସିସିବି ଏବଂ ଏସଟିସିବି ସହ ଯୋଡ଼ି ହୋଇ ନାହାନ୍ତି। ସାରା ଦେଶରେ ପ୍ୟାକ୍ସଗୁଡ଼ିକର କମ୍ପ୍ୟୁଟରୀକରଣ ପାଇଁ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ପ୍ରସ୍ତାବ ଦେଇଥିଲେ। କମ୍ପ୍ୟୁଟରୀକରଣ ହେବା ଦ୍ବାରା ପ୍ୟାକ୍ସଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ଏକ ଜାତୀୟ ସ୍ତରର ପ୍ଲାଟଫର୍ମରେ ସାମିଲ ହୋଇପାରିବ।

ପ୍ୟାକ୍ସଗୁଡ଼ିକର କମ୍ପ୍ୟୁଟରୀକରଣ ଦ୍ବାରା ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଉଦ୍ଦେଶ୍ୟକୁ ପୂରଣ  କରାଯାଇ ପାରିବ। ଚାଷୀ, ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଦିଆଯାଉଥିବା ସେବା ଯୋଗାଣ ସୁଦୃଢ଼ ହେବ। ଏଥିସହିତ ସାର, ବିହନ ଆଦି ଇନପୁଟ ଯୋଗାଣ ବ୍ୟବସ୍ଥା ଭଳି ବିଭିନ୍ନ ପ୍ରକାର ସେବା ନିମନ୍ତେ ପ୍ୟାକ୍ସଗୁଡ଼ିକ ନୋଡାଲ ସେବା ବିତରଣ କେନ୍ଦ୍ର ଭାବେ କାର୍ଯ୍ୟ କରିପାରିବେ। ଏହି ପ୍ରକଳ୍ପ ଗ୍ରାମୀଣ କ୍ଷେତ୍ରରେ ଡିଜିଟାଲକରଣରେ ସୁଧାର ଆଣିବ। ବ୍ୟାଙ୍କ ଗତିବିଧି ସହିତ ଅଣବ୍ୟାଙ୍କିଙ୍ଗ ଗତିବିଧି କେନ୍ଦ୍ର ରୂପରେ ପ୍ୟାକ୍ସର ପ୍ରସାରକୁ ଉନ୍ନତ କରିବାରେ ସହାୟକ ହେବ। ଏଥିସହିତ ପ୍ୟାକ୍ସ ମାଧ୍ୟମରେ ଲାଗୁ କରାଯାଉଥିବା ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ବିକଳ୍ପ ଭାବେ ପ୍ୟାକ୍ସକୁ ନାମାଙ୍କନ କରିବା ଲାଗି ଡିସିସିବିଗୁଡ଼ିକ ସକ୍ଷମ ହୋଇପାରିବେ। ଏସବୁ ସେବାରେ ଋଣ ଏବଂ ଅନୁଦାନ ସାମିଲ ରହିଥାଏ। ଏହି ପଦକ୍ଷେପ ତୁରନ୍ତ ଋଣ ସମାଧାନ, ଅପେକ୍ଷାକୃତ କମ ହସ୍ତାନ୍ତର ଖର୍ଚ୍ଚ, ତୁରନ୍ତ ଅଡିଟ ଏବଂ ରାଜ୍ୟ ସମବାୟ ବ୍ୟାଙ୍କ ଓ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସହ ରହିଥିବା ପରିଶୋଧ ଓ ଆକାଉଣ୍ଟିଂ ସମ୍ବନ୍ଧୀୟ ଅସନ୍ତୁଳନ ଦୂର କରିବ।

ଏହି ପ୍ରକଳ୍ପରେ ତଥ୍ୟ ସଂଗ୍ରହ, ସାଇବର ସୁରକ୍ଷା, ହାର୍ଡୱେର, ବର୍ତ୍ତମାନ ରେକର୍ଡର ଡିଜିଟାଲକରଣ, ରକ୍ଷଣାବେକ୍ଷଣ ଏବଂ ପ୍ରଶିକ୍ଷଣ ସମେତ କ୍ଲାଉଡ୍‌ ଆଧାରିତ ଏକୀକୃତ ସଫ୍ଟୱେର ଆଦିକୁ ମୁଖ୍ୟ ଉପାଦାନ ଭାବେ ସାମିଲ କରାଯାଇଛି। ସ୍ଥାନୀୟ ଭାଷାରେ ଏହି ସଫ୍ଟୱେର ବିକଶିତ କରାଯିବ ଏବଂ ରାଜ୍ୟର ଆବଶ୍ୟକତା ଅନୁସାରେ ଏହାକୁ ଅନୁକୂଳ କରିବା ଲାଗି ଏଥିରେ ସୁବିଧା ରହିବ। କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ପ୍ରକଳ୍ପ ପରିଚାଳନା ୟୁନିଟ୍‌ ପ୍ରତିଷ୍ଠା କରାଯିବ। ପ୍ରାୟ ୨୦୦ ପ୍ୟାକ୍ସର ସମୂହକୁ ନେଇ ଜିଲ୍ଲାସ୍ତରୀୟ ସହାୟତା ପ୍ରଦାନ କରାଯିବ। ଯେଉଁ ସବୁ ରାଜ୍ୟରେ ପ୍ୟାକ୍ସର କମ୍ପ୍ୟୁଟରୀକରଣ ସମ୍ପୂର୍ଣ୍ଣ ହୋଇସାରିଛି, ସେମାନଙ୍କ କ୍ଷେତ୍ରରେ ପ୍ରତି ପ୍ୟାକ୍ସକୁ ୫୦,୦୦୦ ଟଙ୍କାର ସହାୟତା ଦିଆଯିବ। ତେବେ ଏସବୁ ପ୍ୟାକ୍ସ ସହଭାଗୀ ସଫ୍ଟୱେର ସହିତ ଏକୀକୃତ ହେବା ଏବଂ ନୂଆ ପ୍ରଣାଳୀକୁ ଆପଣାଇବା ଜରୁରି। ସେମାନଙ୍କର ହାର୍ଡୱେର ଆବଶ୍ୟକ ମାର୍ଗଦର୍ଶିକାକୁ ପୂରଣ କରୁଥିବ ଏବଂ ସଫ୍ଟୱେର ୧ ଫେବୃଆରୀ, ୨୦୧୭ ଠାରୁ ଆରମ୍ଭ ହୋଇଥିବ।

Categories
ବିଶେଷ ଖବର ବ୍ୟବସାୟ

ଘରୋଇ ଅଶୋଧିତ ତୈଳ ବିକ୍ରି ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ‘ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର’ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଅଶୋଧିତ ତୈଳ ଏବଂ କଣ୍ଡେନସେଟ୍‌ ଆବଣ୍ଟନକୁ ବନ୍ଦ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟର ନିଷ୍ପତ୍ତି ୧ ଅକ୍ଟୋବର ୨୦୨୨ ଠାରୁ ଲାଗୁ ହେବ।

ଏହି ନିଷ୍ପତ୍ତି ଫଳରେ ସମସ୍ତ ଅନ୍ବେଷଣ ଏବଂ ଉତ୍ପାଦନ (ଇଏଣ୍ଡପି) ଅପରେଟରଙ୍କ ପାଇଁ ସ୍ବାଧୀନ ବିପଣନ ସୁନିଶ୍ଚିତ ହୋଇପାରିବ। ସରକାର, କିମ୍ବା ତାଙ୍କ ନୋମିନୀ ଅଥବା ସରକାରୀ କମ୍ପାନୀଗୁଡ଼ିକୁ ଅଶୋଧିତ ତୈଳ ବିକ୍ରି କରିବା ଲାଗି ଉତ୍ପାଦନ ସହଭାଗିତା ଚୁକ୍ତିନାମା (ପିଏସସି)ର ସର୍ତ୍ତକୁ ତଦନୁଯାୟୀ କୋହଳ କରାଯିବ। ସବୁ ଇଏଣ୍ଡପି କମ୍ପାନୀଙ୍କୁ ଏବେ ଘରୋଇ ବଜାରରେ ନିଜ କ୍ଷେତ୍ରରୁ ଅଶୋଧିତ ତୈଳ ବିକ୍ରି କରିବା ନିମନ୍ତେ ସ୍ବାଧୀନତା ମିଳିପାରିବ। ସବୁ ଚୁକ୍ତିନାମାରେ ରୟାଲିଟି, ଉପକର, ଆଦି ଭଳି ରାଜସ୍ବର ଗଣନା ଏକସମାନ ଆଧାରରେ ହିସାବ କରାଯିବ। ତେବେ ପୂର୍ବ ବ୍ୟବସ୍ଥା ଭଳି, ରପ୍ତାନି ନିମନ୍ତେ ଅନୁମତି ମିଳିବ ନାହିଁ।

କ୍ୟାବିନେଟର ଏହି ନିଷ୍ପତ୍ତି ଆର୍ଥିକ ଗତିବିଧିକୁ ପ୍ରୋତ୍ସାହନ ଦେବ, ଅପଷ୍ଟ୍ରିମ୍‌ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରିବ ଏବଂ ୨୦୧୪ ଠାରୁ ଆରମ୍ଭ କରାଯାଇଥିବା ବିଭିନ୍ନ ପରିବର୍ତ୍ତନକାରୀ ସଂସ୍କାରକୁ ତ୍ବରାନ୍ବିତ କରିବ। ବ୍ୟବସାୟିକ ସୁଗମତା ଏବଂ ଅପରେଟର/ଉଦ୍ୟୋଗମାନଙ୍କୁ ଆବଶ୍ୟକତା ଅନୁଯାୟୀ ପରିଚାଳନା ସମ୍ବନ୍ଧୀୟ ସୁବିଧା ଯୋଗାଇ ଦେବା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଏଥିପାଇଁ ତୈଳ ଏବଂ ଗ୍ୟାସ ଉତ୍ପାଦନ, ମୌଳିକ ଭିତ୍ତିଭୂମି ଓ ବିପଣନ ସହ ଜଡ଼ିତ ନୀତିକୁ ଆହୁରି ଅଧିକ ସ୍ବଚ୍ଛ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଫସଫେଟ୍‌ ଓ ପଟାସ ସାର ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ଖରିଫ ଋତୁ -୨୦୨୨ (୧ ଏପ୍ରିଲ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ) ରେ ଫସଫେଟ ଏବଂ ପଟାସ (ପିଏଣ୍ଡକେ) ସାର ଉପରେ ପୋଷକ ତତ୍ତ୍ବ ଆଧାରିତ ସବସିଡି (ଏନବିଏସ) ଯୋଗାଇ ଦେବେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରଙ୍କ ସାର ବିଭାଗ ପକ୍ଷରୁ ଦିଆଯାଇଥିବା ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

 ଆର୍ଥିକ ପ୍ରଭାବ:

କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଲ ଯୋଗାଣ ସଂକ୍ରାନ୍ତ ସବସିଡି ଜରିଆରେ ସ୍ବଦେଶୀ ସାର ପାଇଁ ସହାୟତା (ଏସଏସପି) ଯୋଗାଇ ଦିଆଯିବ। ଡିଏପିର ସ୍ବଦେଶୀ ଉତ୍ପାଦନ ଏବଂ ଆମଦାନୀ ପାଇଁ ଅତିରିକ୍ତ ସହାୟତା ମଧ୍ୟ ମିଳିବ। ଏହି ଦୁଇଟି ପ୍ରସ୍ତାବ ସହିତ ପୋଷକ ତତ୍ତ୍ବ ଆଧାରିତ ସବସିଡି (ଏନବିଏସ) ପ୍ରଦାନ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ୨୦୨୨ ଖରିଫ୍‌ ଋତୁ ଅର୍ଥାତ୍‌ ଏପ୍ରିଲ ପହିଲା ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସବସିଡି ବାବଦରେ ୬୦ ହଜାର ୯୩୯ କୋଟି ୨୩ ଲକ୍ଷ ଟଙ୍କା ଯୋଗାଇ ଦେବେ।

ଲାଭ:

ଡାଇ-ଆମୋନିୟମ ଫସଫେଟ (ଡିଏପି) ଏବଂ ଏହାର କଞ୍ଚାମାଲ ଦର ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଇଛି। କେନ୍ଦ୍ର ସରକାର ମୁଖ୍ୟତଃ ଏହି ଦରବୃଦ୍ଧି ଭାର ବହନ କରିଥା’ନ୍ତି। ଡିଏପି ବସ୍ତା ପିଛା ବର୍ତ୍ତମାନର ୧୬୫୦ ଟଙ୍କାର ସବସିଡି ପରିବର୍ତ୍ତେ ୨୫୦୧ ଟଙ୍କାର ସବସିଡି ଯେଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷର ସବସିଡି ଦର ତୁଳନାରେ ଏହା ୫୦ ପ୍ରତିଶତ ଠାରୁ ଅଧିକ। ଡିଏପି ଏବଂ ଏହାର କଞ୍ଚାମାଲ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୮୦ ପ୍ରତିଶତ ବଢ଼ିଛି। ଚାଷୀଙ୍କୁ ରିହାତି, ଶସ୍ତା ଓ ଉଚିତ୍‌ ଦରରେ ଅଧିସୂଚୀତ ପିଏଣ୍ଡକେ ସାର ଯୋଗାଇ ଦେବା ଲାଗି ସବସିଡି ପରିମାଣ ବଢ଼ାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ଚାଷୀ ଓ କୃଷି କ୍ଷେତ୍ରକୁ ସହାୟତା ମିଳିପାରିବ।

କାର୍ଯ୍ୟକାରିତା ରଣନୀତି ଓ ଲକ୍ଷ୍ୟ:

ଚାଷୀଙ୍କୁ ଶସ୍ତା ଦରରେ ଏସବୁ ସାରର ସୁଗମ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ୨୦୨୨ ଖରିଫ ଋତୁ (୧ ଏପ୍ରିଲ ୨୦୨୨ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଲାଗୁ) ପାଇଁ ଏନବିଏସ ଦର ଆଧାରରେ ପିଏଣ୍ଡକେ ସାର ଉପରେ ସବସିଡି ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

କ୍ୟାବିନେଟ ମଞ୍ଜୁରି: ବଢ଼ିଲା ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ଯୋଜନାର ଅବଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ସମିତି ବୈଠକରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡର୍ସ ନିଧି (ପିଏମ-ସ୍ବନିଧି) ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ଯୋଜନାକୁ  ମାର୍ଚ୍ଚ ୨୦୨୨ ଠାରୁ ଆସନ୍ତା ୨୦୨୪ ଡିସେମ୍ବର ମାସ ପର୍ଯ୍ୟନ୍ତ ଜାରି ରଖାଯିବ। ଉଠାଦୋକାନୀ ଏବଂ ସେମାନଙ୍କ ପରିବାରକୁ ବିନା କୌଣସି ବନ୍ଧକରେ ଋଣ ଯୋଗାଇ ଦେବା, ଡିଜିଟାଲ ନେଣଦେଣକୁ ବଢ଼ାଇବା ଏବଂ ସେମାନଙ୍କର ସାମାଜିକ-ଆର୍ଥିକ ବିକାଶ ପ୍ରତି ଏହି ଯୋଜନାରେ ଧ୍ୟାନ ଦିଆଯାଇଛି।

ପିଏମ ସ୍ବନିଧି ଯୋଜନାରେ ଉଠାଦୋକାନୀମାନଙ୍କୁ ବିନା କୌଣସି ବନ୍ଧକରେ ଶସ୍ତା ଋଣ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ଯୋଜନା ପାଇଁ ୫ ହଜାର କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଥିଲା। ଆଜି ଯୋଜନା ସମ୍ପ୍ରସାରଣ ଲାଗି କ୍ୟାବିନେଟ ମଞ୍ଜୁରି ମିଳିବା ପରେ ଋଣ ପାଇଁ ମୋଟ ଅର୍ଥରାଶି ପରିମାଣକୁ ୮ ହଜାର ୧୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହାଫଳରେ ଅଧିକ ସଂଖ୍ୟାରେ ଉଠାଦୋକାନୀଙ୍କୁ କାର୍ଯ୍ୟଶୀଳ ପୁଞ୍ଜି ଉପଲବ୍ଧ ହୋଇପାରିବ। ଏହି ଆର୍ଥିକ ପ୍ରୋତ୍ସାହନ ଜରିଆରେ ସେମାନେ ନିଜର ବ୍ୟବସାୟ ବଢ଼ାଇବା ସହିତ ଆତ୍ମନିର୍ଭରଶୀଳ ହୋଇପାରିବେ।

ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଉଠାଦୋକାନୀମାନଙ୍କ ପାଇଁ କ୍ୟାଶବ୍ୟାକ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଏଥିପାଇଁ ବଜେଟ୍‌ ପରିମାଣ ବୃଦ୍ଧି କରାଯାଇଛି।

କ୍ୟାବିନେଟଙ୍କ ମଞ୍ଜୁରି ଫଳରେ ଦେଶର ସହରାଞ୍ଚଳରେ ଥିବା ପ୍ରାୟ ୧ କୋଟି ୨୦ ଲକ୍ଷ ଲୋକ ଲାଭ ପାଇପାରିବେ ବୋଲି ଆଶା କରାଯାଉଛି।

ପିଏମ-ସ୍ବନିଧି ଯୋଜନାରେ ଅଧୀନରେ ବର୍ତ୍ତମାନ ସୁଦ୍ଧା ଅନେକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ମିଳିପାରିଛି। ୨୫ ଏପ୍ରିଲ, ୨୦୨୨ ସୁଦ୍ଧା ଏହି ଯୋଜନାରେ ୩୧ ଲକ୍ଷ ୯ ହଜାର ଋଣ ଆବେଦନକୁ ମଞ୍ଜୁରି ମିଳିଛି। ଏହା ବ୍ୟତୀତ ୨ ହଜାର ୯୩୧ କୋଟି ଟଙ୍କାର ୨୯ ଲକ୍ଷ ୬୦ ହଜାର ଋଣ ବିତରଣ କରାଯାଇଛି। ଦ୍ବିତୀୟ ଋଣ ଦୃଷ୍ଟିରୁ ଦେଖିଲେ ଏବେ ସୁଦ୍ଧା ୨ ଲକ୍ଷ ୩୦ ହଜାର ଋଣ ମଞ୍ଜୁର ହୋଇଛି। ୧.୯ ଲକ୍ଷ ଋଣ ପାଇଁ ୩୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଉଠାଦୋକାନୀ ହିତାଧିକାରୀମାନେ ୧୩.୫ କୋଟି ଟଙ୍କାରୁ ଅଧିକ ଡିଜିଟାଲ ନେଣଦେଣ କରିଛନ୍ତି। ଏଥିପାଇଁ ସେମାନଙ୍କୁ ୧୦ କୋଟି ଟଙ୍କାର କ୍ୟାଶବ୍ୟାକ ମିଳିଛି। ସବସିଡି ସୁଧ ଆକାରରେ ୫୧ କୋଟି ଟଙ୍କା ପରିଶୋଧ କରାଯାଇଛି।

ଜୁନ୍‌ ୨୦୨୦ରେ ଏହି ଯୋଜନା ଆରମ୍ଭ ହୋଇଥିଲା। ସେତେବେଳେ କ୍ଷୁଦ୍ର ବ୍ୟବସାୟୀମାନେ ମହାମାରୀ ଏବଂ ତତ୍‌ସମ୍ବନ୍ଧୀୟ ପରିସ୍ଥିତି କାରଣରୁ ଆର୍ଥିକ ଚାପରେ ରହିଥିଲେ। ସେମାନଙ୍କ ସ୍ଥିତିରେ ସୁଧାର ଆଣିବା ଉଦ୍ଦେଶ୍ୟ ନେଇ ଏହି ଯୋଜନାର ପ୍ରସ୍ତାବିତ ସୁଧାର ଆବଶ୍ୟକ ଥିଲା। ଏବେ ପିଏମ-ସ୍ବନିଧି ଋଣ ଯୋଜନାର ଅବଧି ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ପାଇବା ଫଳରେ ଉଠାଦୋକାନୀମାନଙ୍କୁ ଔପଚାରିକ ଋଣ ଉପଲବ୍ଧ ହୋଇପାରିବ। ଉଠାଦୋକାନୀମାନେ ଋଣ ଅର୍ଥ ସହିତ ବ୍ୟବସାୟ ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିପାରିବେ। ଡିଜିଟାଲ କାରବାର ବୃଦ୍ଧି ପାଇବ। ଋଣ ପ୍ରଦାନକାରୀ ସଂସ୍ଥାନରେ ଫସି ରହିଥିବା ଋଣ ହ୍ରାସ ପାଇବ। ଉଠାକୋଦାନୀ ଏବଂ ସେମାନଙ୍କ ପରିବାର ଲୋକଙ୍କ ସାମାଜିକ-ଆର୍ଥିକ ବିକାଶ ହୋଇପାରିବ।

Categories
ବିଶେଷ ଖବର

ସଂଶୋଧିତ କେନ୍ଦ୍ର ପ୍ରାୟୋଜିତ ଯୋଜନା ଆରଜିଏସଏ ଅବଧି ସମ୍ପ୍ରସାରଣକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ସଂଶୋଧିତ କେନ୍ଦ୍ର ପ୍ରାୟୋଜିତ ଯୋଜନା ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ (ଆରଜିଏସଏ)ର ଅବଧି ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ଯୋଜନାର କାର୍ଯ୍ୟକାଳକୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅବଧି ଅନୁରୂପ ୦୧.୦୪.୨୦୨୨ ଠାରୁ ୩୧.୦୩.୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆରଜିଏସଏ ଯୋଜନା ଦେଶର ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକର ପ୍ରଶାସନିକ କ୍ଷମତା ବିକଶିତ କରିବାରେ ସହାୟକ ହେବ।

ଆର୍ଥିକ ପରିଣାମ:

ଆରଜିଏସଏ ଯୋଜନାରେ ମୋଟ ୫୯୧୧ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ର ସରକାର ୩୭୦୦ କୋଟି ଟଙ୍କା ଯୋଗାଇ ଦେବେ। ଅବଶିଷ୍ଟ ୨୨୧୧ କୋଟି ଟଙ୍କା ରାଜ୍ୟମାନେ ଖର୍ଚ୍ଚ କରିବେ।

ନିଯୁକ୍ତି ସୁଯୋଗ ସୃଷ୍ଟି ସମେତ ବ୍ୟାପକ ପ୍ରଭାବ:

ଅନୁମୋଦିତ ଯୋଜନା ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ସାରା ଦେଶରେ ପାରମ୍ପରିକ ସଂସ୍ଥାଗୁଡ଼ିକ ସମେତ ୨.୭୮ ଲକ୍ଷରୁ ଅଧିକ ଗ୍ରାମୀଣ ପ୍ରଶାସନିକ ସଂସ୍ଥାକୁ ପ୍ରଶାସନିକ କ୍ଷମତା ବିକାଶରେ ସହାୟକ ହେବ। ଯାହାଫଳରେ ଏସବୁ ସଂସ୍ଥା ଉପଲବ୍ଧ ସମ୍ବଳର ଯଥାସମ୍ଭବ ଉପଯୋଗ ପ୍ରତି ଧ୍ୟାନ ଦେଇ ସମାବେଶୀ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ସକ୍ଷମ ହୋଇପାରିବେ। ଏସଡିଜିର ପ୍ରମୁଖ ସିଦ୍ଧାନ୍ତ ଯଥା: କୌଣସି ଜଣେ ହେଲେ ବ୍ୟକ୍ତି ବିକାଶରୁ ବଞ୍ଚିତ ନହେବା, ସବୁଠୁ ପଛୁଆ ବର୍ଗଙ୍କ ନିକଟରେ ପ୍ରଥମେ ପହଞ୍ଚିବା ଏବଂ ସାମଗ୍ରିକ ପ୍ରସାର ସହିତ ଲିଙ୍ଗଗତ ସମାନତା ଉପରେ ଏହି ଯୋଜନା ଆଧାରିତ। ଯୋଜନାର ମୂଳ ବ୍ୟବସ୍ଥାରେ ପ୍ରଶିକ୍ଷଣ, ପ୍ରଶିକ୍ଷଣ ମଡ୍ୟୁଲ ଏବଂ ଉପକରଣ ସମେତ ସମସ୍ତ ସାମର୍ଥ୍ୟ ବିକାଶ ହସ୍ତକ୍ଷେପକୁ ସାମିଲ କରାଯାଇଛି। ଜାତୀୟ ଗୁରୁତ୍ୱ ବହନ କରୁଥିବା ବିଷୟବସ୍ତୁଗୁଡ଼ିକ ଉପରେ ପ୍ରାଥମିକତା ଦିଆଯାଇଛି। ଏହି ବିଷୟବସ୍ତୁଗୁଡ଼ିକ ହେଲା : (୧) ଗାଁରେ ଦାରିଦ୍ର୍ୟ ଦୂରୀକରଣ ଏବଂ ପରିବର୍ଦ୍ଧିତ ଜୀବିକା ସୁଯୋଗ, (୨) ସୁସ୍ଥ ଗ୍ରାମ, (୩) ଶିଶୁ ଅନୁକୂଳ ଗ୍ରାମ, (୪) ପର୍ଯ୍ୟାପ୍ତ ଜଳ ଯୋଗାଣ ସୁବିଧା ଥିବା ଗ୍ରାମ, (୫) ସ୍ୱଚ୍ଛ ଏବଂ ସବୁଜ ଗ୍ରାମ, (୬)ଗାଁରେ ଆତ୍ମନିର୍ଭରଶୀଳ ଭିତ୍ତିଭୂମି, (୭) ସାମାଜିକ ସୁରକ୍ଷିତ ଗ୍ରାମ, (୮) ଉତ୍ତମ ପ୍ରଶାସନ ଥିବା ଗ୍ରାମ ଏବଂ (୯) ମହିଳା-ପୁରୁଷ ସମାନତା ଆଧାରିତ ବିକାଶକୁ ମୁଖ୍ୟ ପ୍ରାଥମିକତା ଦେଉଥିବା ଗ୍ରାମ।

ପଞ୍ଚାୟତମାନଙ୍କରେ ଅନୁସୂଚିତ ଜାତି, ଅନୁସୂଚୀତ ଜନଜାତି ଓ ମହିଳା ବର୍ଗଙ୍କ ପ୍ରତିନିଧିତ୍ୱ ରହିଥାଏ ଏବଂ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ତୃଣମୂଳସ୍ତରର ନିକଟତର ହୋଇଥାନ୍ତି, ତେଣୁ ପଞ୍ଚାୟତର ଉନ୍ନତିକରଣ ଦ୍ଵାରା ସମାନତା ଓ ସମାବେଶୀତାକୁ ପ୍ରୋତ୍ସାହନ ମିଳିବ ତଥା ବିଭିନ୍ନ ସମୁଦାୟ ସାମାଜିକ ନ୍ୟାୟ ପାଇପାରିବେ ଓ ସେମାନଙ୍କର ଆର୍ଥିକ ବିକାଶ ସମ୍ଭବ ହେବ । ପଞ୍ଚାୟତିରାଜ ସଂସ୍ଥାରେ ଇ-ଗଭର୍ଣ୍ଣାନ୍ସର ଅଧିକ ପ୍ରୟୋଗ ଫଳରେ ସେବା ପ୍ରଦାନ ଏବଂ ସ୍ୱଚ୍ଛତାରେ ସୁଧାର ଆସିବ। ଏହି ଯୋଜନା ଦ୍ଵାରା ଗ୍ରାମ ସଭାଗୁଡ଼ିକ ସୁଦୃଢ଼ ହେବେ। ସବୁ ବର୍ଗର ନାଗରିକ, ବିଶେଷ କରି ଦୁର୍ବଳ ବର୍ଗମାନଙ୍କର ସାମାଜିକ ଅନ୍ତର୍ଭୂକ୍ତୀକରଣ ସହିତ ଗ୍ରାମ ସଭାଗୁଡ଼ିକ ପ୍ରଭାବୀ ସଂସ୍ଥା ଭାବେ କାର୍ଯ୍ୟ କରିବେ। ଯଥେଷ୍ଟ ମାନବ ସମ୍ବଳ ଏବଂ ଭିତ୍ତିଭୂମି ସହିତ ଜାତୀୟ, ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ପଞ୍ଚାୟତି ରାଜ ସଂସ୍ଥାଗୁଡ଼ିକର ସାମର୍ଥ୍ୟ ବିକାଶ ପାଇଁ ଏହା ଏକ ସଂସ୍ଥାଗତ ଢାଞ୍ଚା ପ୍ରତିଷ୍ଠା କରିବ।

ଏସଡିଜି ଲକ୍ଷ୍ୟ ହାସଲରେ ପଞ୍ଚାୟତମାନଙ୍କର ଭୂମିକା ଏବଂ ଏକ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଭାବନା ସୃଷ୍ଟି କରିବା ଲାଗି ଜାତୀୟସ୍ତରରେ ନିର୍ଦ୍ଧାରିତ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଆଧାରରେ ପ୍ରୋତ୍ସାହନ ଯୋଗାଇ ଦେବା ମାଧ୍ୟମରେ ପଞ୍ଚାୟତମାନଙ୍କୁ ପ୍ରଗତିଶୀଳ ଭାବେ ସୁଦୃଢ଼ କରାଯିବ।

ଏହି ଯୋଜନାରେ କୌଣସି ସ୍ଥାୟୀ ପଦବୀ ସୃଷ୍ଟି କରାଯିବ ନାହିଁ। ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ଏହି ଯୋଜନାର ଲକ୍ଷ୍ୟ ହାସଲ ପାଇଁ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ଆବଶ୍ୟକତା ଆଧାରରେ ଚୁକ୍ତି ଭିତ୍ତିରେ ମାନବ ସମ୍ବଳ ନିୟୋଜିତ କରାଯିବ।

ହିତାଧିକାରୀମାନଙ୍କର ସଂଖ୍ୟା:

ସାରା ଦେଶରେ ପାରମ୍ପରିକ ପ୍ରଶାସନିକ ସଂସ୍ଥା ସହିତ ଗ୍ରାମୀଣ ସ୍ଥାନୀୟ ପ୍ରଶାସନିକ ସଂସ୍ଥାରେ ପାଖାପାଖି ୬୦ ଲକ୍ଷ ନିର୍ବାଚିତ ପ୍ରତିନିଧି, ପଦାଧିକାରୀ ଏବଂ ଅନ୍ୟ ଅଂଶୀଦାରମାନେ ଏହି ଯୋଜନାର ସିଧାସଳଖ ହିତାଧିକାରୀ ହେବେ।

ବିବରଣୀ:

ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପାଦାନ ସାମିଲ ରହିବ। ଯୋଜନାରେ. କେନ୍ଦ୍ରୀୟ ଉପାଦାନ ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ଅର୍ଥ ଯୋଗାଇ ଦେବେ। ରାଜ୍ୟ ଉପାଦାନ ପାଇଁ ଅର୍ଥଯୋଗାଣ ବ୍ୟବସ୍ଥା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଯଥାକ୍ରମେ: ୬୦:୪୦ ରହିବ। ଉତ୍ତର ପୂର୍ବାଞ୍ଚଳ, ପାର୍ବତ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀର ଏଥିରେ ସାମିଲ ହେବେ ନାହିଁ। ଏସବୁ ସ୍ଥାନରେ କେନ୍ଦ୍ର ଏବଂ ରାଜ୍ୟର ଯୋଗଦାନ ଯଥାକ୍ରମେ ୯୦:୧୦ ରହିବ। ତେବେ, ଅନ୍ୟ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ କ୍ଷେତ୍ରରେ କେନ୍ଦ୍ର ସରକାର ଶତପ୍ରତିଶତ ଖର୍ଚ୍ଚ ବହନ କରିବେ।

ଏହି ଯୋଜନାରେ ଉଭୟ କେନ୍ଦ୍ରୀୟ ଉପାଦାନ ଏବଂ ରାଜ୍ୟ ଉପାଦାନ ରହିବ। କେନ୍ଦ୍ର ଉପାଦାନରେ – ଜାତୀୟସ୍ତରର କାର୍ଯ୍ୟକଳାପ ସାମିଲ ରହିବ ଯଥା: ବୈଷୟିକ ସହାୟତା ପାଇଁ ଜାତୀୟ ଯୋଜନା, ଇ-ପଞ୍ଚାୟତ ଉପରେ ମିଶନ୍‌ ମୋଡ ଆଧାରିତ ପ୍ରକଳ୍ପ, ପଞ୍ଚାୟତଗୁଡ଼ିକୁ ପ୍ରୋତ୍ସାହନ, କାର୍ଯ୍ୟ ଗବେଷଣା ଓ ମିଡିଆ ରହିବ। ସେହିପରି ରାଜ୍ୟ ଉପାଦାନରେ ପଞ୍ଚାୟତିରାଜ୍ୟ ସଂସ୍ଥାଗୁଡ଼ିକର ସାମର୍ଥ୍ୟ ବିକାଶ ଓ ପ୍ରଶିକ୍ଷଣ, ସାମର୍ଥ୍ୟ ବିକାଶ ଓ ପ୍ରଶିକ୍ଷଣ ପାଇଁ ସଂସ୍ଥାଗତ ସହାୟତା, ଦୂର ଶିକ୍ଷା ସୁବିଧା, ଗ୍ରାମ ପଞ୍ଚାୟତ ଭବନ ନିର୍ମାଣ ପାଇଁ ସହାୟତା, ଗ୍ରାମପଞ୍ଚାୟତ ଭବନରେ ଜନ ସେବା କେନ୍ଦ୍ର ଏବଂ କମ୍ପ୍ୟୁଟର ପାଇଁ ବ୍ୟବସ୍ଥା, ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ, ନବସୃଜନ ପାଇଁ ପ୍ରୋତ୍ସାହନ, ଆର୍ଥିକ ବିକାଶ ଓ ଆୟ ବୃଦ୍ଧି ପାଇଁ ସହାୟତା ଆଦି ବିଷୟ ସାମିଲ ରହିବ।

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଅନୁରୂପ ଯୋଜନାର କାର୍ଯ୍ୟକାରିତା ଏବଂ ଅନୁଧ୍ୟାନ ପ୍ରକ୍ରିୟାକୁ ବ୍ୟାପକ ଭାବେ ସମନ୍ୱିତ କରାଯିବ। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ସବୁପ୍ରକାର ବିକାଶମୂଳକ କାର୍ଯ୍ୟକଳାପ ଏବଂ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ରାଜ୍ୟ ସରକାରଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବାର କେନ୍ଦ୍ରବିନ୍ଦୁରେ ପଞ୍ଚାୟତଗୁଡ଼ିକ ରହିଛନ୍ତି।

ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଅଧୀନରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ବିଭିନ୍ନ ପଞ୍ଚାୟତିରାଜ ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେତୃତ୍ୱ ଭୂମିକା ନିମନ୍ତେ ସକ୍ଷମ କରିବା ପ୍ରତି ଧ୍ୟାନ କେନ୍ଦ୍ରିତ କରିବ। ଏହାଦ୍ଵାରା ସରକାରଙ୍କ ତୃତୀୟ ସ୍ତରକୁ ପ୍ରଭାବୀ ଢଙ୍ଗରେ ବିକଶିତ କରାଯାଇ ପାରିବ ଏବଂ ମୁଖ୍ୟତଃ ନଅଟି ପ୍ରମୁଖ ବିଷୟ ପ୍ରତି ଗୁରୁତ୍ୱ ଦିଆଯିବା ସମ୍ଭବ ହେବ। ଏହି ନଅଟି ବିଷୟ ହେଲା – (୧) (୧) ଗାଁରେ ଦାରିଦ୍ର୍ୟ ଦୂରୀକରଣ ଏବଂ ପରିବର୍ଦ୍ଧିତ ଜୀବିକା ସୁଯୋଗ, (୨) ସୁସ୍ଥ ଗ୍ରାମ, (୩) ଶିଶୁ ଅନୁକୂଳ ଗ୍ରାମ, (୪) ପର୍ଯ୍ୟାପ୍ତ ଜଳ ଯୋଗାଣ ସୁବିଧା ଥିବା ଗ୍ରାମ, (୫) ସ୍ୱଚ୍ଛ ଏବଂ ସବୁଜ ଗ୍ରାମ, (୬)ଗାଁରେ ଆତ୍ମନିର୍ଭରଶୀଳ ଭିତ୍ତିଭୂମି, (୭) ସାମାଜିକ ସୁରକ୍ଷିତ ଗ୍ରାମ, (୮) ଉତ୍ତମ ପ୍ରଶାସନ ଥିବା ଗ୍ରାମ ଏବଂ (୯) ମହିଳା-ପୁରୁଷ ସମାନତା ଆଧାରିତ ବିକାଶକୁ ମୁଖ୍ୟ ପ୍ରାଥମିକତା ଦେଉଥିବା ଗ୍ରାମ।

ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ ପାଇଁ ଏହି ଯୋଜନା ଅନ୍ୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ସାମର୍ଥ୍ୟ ବିକାଶ ସହ ଜଡ଼ିତ କାର୍ଯ୍ୟକ୍ରମକୁ ମଧ୍ୟ ଏକ ସଙ୍ଗେ କାର୍ଯ୍ୟକାରୀ କରିବ। ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପାରମ୍ପରିକ ପ୍ରଶାସନିକ ସଂସ୍ଥା ସହିତ ଗ୍ରାମୀଣ ସ୍ଥାନୀୟ ପ୍ରଶାସନିକ ସଂସ୍ଥାଗୁଡ଼ିକର କ୍ଷେତ୍ର ପରିଚାଳକମାନଙ୍କୁ ସାମିଲ କରାଯିବ। ପରିଚାଳକ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବ।

ଏସଡିଜି ଲକ୍ଷ୍ୟ ହାସଲ ପାଇଁ ପଞ୍ଚାୟତମାନଙ୍କର ଭୂମିକାକୁ ବିବେଚନା କରିବା ଏବଂ ସୁସ୍ଥ ପ୍ରତିଯୋଗିତା ଭାବନା ଜାଗ୍ରତ କରିବା ଏହି ଯୋଜନାର ଉଦ୍ଦେଶ୍ୟ। ପଞ୍ଚାୟତଗୁଡ଼ିକର ପ୍ରଦର୍ଶନ ଆକଳନ କରିବା ଏବଂ ସମ୍ପୃକ୍ତ କ୍ଷେତ୍ରରେ ପୁରସ୍କାର ପ୍ରାୟୋଜନରେ ନୋଡାଲ ମନ୍ତ୍ରଣାଳୟଗୁଡ଼ିକର ପାଇଁ ଏକ ବଡ଼ ଭୂମିକା ସମ୍ପର୍କରେ ପରିକଳ୍ପନା କରାଯାଇଛି।

ଗଭୀର ବିଶ୍ଳେଷଣ ପ୍ରଦାନ କରିବା ଲାଗି, ପଞ୍ଚାୟତିରାଜ ସଂସ୍ଥା ସହ ଜଡ଼ିତ କ୍ଷେତ୍ରରେ ପ୍ରମାଣ ଆଧାରିତ ଗବେଷଣା ଅଧ୍ୟୟନ ଏବଂ ମୂଲ୍ୟାଙ୍କନ କରାଯିବ। ସଚେତନତା ସୃଷ୍ଟି କରିବା, ଗ୍ରାମୀଣ ଜନସାଧାରଣଙ୍କୁ ସମ୍ବେଦନଶୀଳ କରିବା, ସରକାରୀ ନୀତି ଓ ଯୋଜନାକୁ ବୈଦ୍ୟୁତିକ, ଛାପା, ସାମାଜିକ ଓ ପାରମ୍ପରିକ ଗଣମାଧ୍ୟମ ଜରିଆରେ ପ୍ରସାରିତ କରିବା ସଂକ୍ରାନ୍ତରେ କାର୍ଯ୍ୟକଳାପ ଆରମ୍ଭ କରାଯିବ।

 କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ନିଜ ନିଜ ଭୂମିକା ପାଇଁ ମଞ୍ଜୁରିପ୍ରାପ୍ତ ଗତିବିଧିକୁ ସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନେବେ। ରାଜ୍ୟ ସରକାର ନିଜର ପ୍ରାଥମିକତା ଏବଂ ଆବଶ୍ୟକତା ଅନୁସାରେ କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ପାଇବା ଲାଗି ନିଜର ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ। ଏହି ଯୋଜନକୁ ଚାହିଦା ଆଧାରିତ ଢାଞ୍ଚାରେ କାର୍ଯ୍ୟକାରୀ କରାଯିବ।

ସାମିଲ କରାଯାଇଥିବା ରାଜ୍ୟ/ଜିଲ୍ଲା

ଏହି ଯୋଜନାକୁ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ସମ୍ପ୍ରସାରିତ କରାଯିବ ଏବଂ ଏଥିରେ ଭାଗ IX ରେ ସାମିଲ ନଥିବା ସେହିସବୁ ସ୍ଥାନୀୟ ଗ୍ରାମୀଣ ପ୍ରଶାସନିକ ସଂସ୍ଥାଗୁଡ଼ିକୁ ସାମିଲ କରାଯିବ ଯେଉଁଠି ପଞ୍ଚାୟତ ନାହିଁ।

ସୂଚନାଯୋଗ୍ୟ ଯେ, ୨୦୧୬-୧୭ ଆର୍ଥିକ ବର୍ଷର ବଜେଟ୍‌ ଅଭିଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନର ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ଏସଡିଜି ଲକ୍ଷ୍ୟ ହାସଲ ପାଇଁ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକର ପ୍ରଶାସନିକ କ୍ଷମତା ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଘୋଷଣା ଅନୁରୂପ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟିର ସୁପାରିସକୁ ଆଧାର କରି କେନ୍ଦ୍ର କ୍ୟାବିନେଟ ୨୧.୦୪.୨୦୧୮ରେ ଏହି ଅଭିଯାନକୁ ମଞ୍ଜୁର କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୦୧୮-୧୯ ଆର୍ଥିକ ବର୍ଷ ଠାରୁ ୨୦୨୧-୨୨ ଆର୍ଥିକ ବର୍ଷ (୦୧.୦୪.୨୦୧୮ ଠାରୁ ୩୧.୦୩.୨୦୨୨ ପର୍ଯ୍ୟନ୍ତ) ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି।

Categories
ବିଶେଷ ଖବର ବ୍ୟବସାୟ

ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥାରେ 1500 କୋଟି ଟଙ୍କାର ପୁଂଜି ନିବେଶକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସମ୍ବନ୍ଧିତ କ୍ୟାବିନେଟ୍ କମିଟି ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଲିମିଟେଡ୍‌ (ଆଇଆରଇଡିଏ) ରେ ଇକ୍ବିଟି ସେୟାର କ୍ରୟ ମାଧ୍ୟମରେ 1500 କୋଟି ଟଙ୍କା ନିବେଶକୁ ମଞ୍ଜୁରି ପ୍ରଦାନ କରିଛନ୍ତି।

ଏହା ଦ୍ବାରା ବର୍ଷେ ମଧ୍ୟରେ ପ୍ରାୟ 10,200 ରୋଜଗାର ସୃଷ୍ଟି ହେବ ତଥା ପ୍ରତି ବର୍ଷ 7.49 ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ।

ଭାରତ ସରକାରଙ୍କ ଦ୍ବାରା 1500 କୋଟି ଟଙ୍କା ପ୍ରଦାନ କରି ସେୟାର କ୍ରୟ କରିବା ଦ୍ବାରା ଆଇଆରଇଡିଏ କୁ ନିମ୍ନଲିଖିତ ସହାୟତା ମିଳିପାରିବ।

1. ଅକ୍ଷୟ ଉର୍ଜା ସେକ୍ଟରକୁ ପ୍ରାୟ 12,000 କୋଟି ଟଙ୍କାର ଋଣ ମିଳିବ, ଯଦ୍ବାରା ଅକ୍ଷୟ ଶକ୍ତି (ଆରଇ) କ୍ଷେତ୍ରର ଋଣ ଆବଶ୍ୟକତା ପୂରଣ ହେବ, ତଥା ପ୍ରାୟ 3500-4000 ମେଗାୱାଟର ଅତିରିକ୍ତ କ୍ଷମତା ସୃଷ୍ଟି ହେବ।

2. ଏହାର ନେଟ୍ ସମ୍ପତ୍ତି ବୃଦ୍ଧିରେ ସହାୟତା ମିଳିବ, ଯାହାଦ୍ବାରା ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇ ପାରିବ। ଏହାଦ୍ବାରା ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଅକ୍ଷୟ ଶକ୍ତି ଲକ୍ଷ୍ୟକୁ ପାଇବାରେ ଉନ୍ନତ ଯୋଗଦାନ ମିଳିପାରିବ।

3. ଋଣ ପ୍ରଦାନ ଓ ଗ୍ରହଣ କାର୍ଯ୍ୟରେ ସୁବିଧା ପାଇଁ ପୁଞ୍ଜି ଆପଦ ଆଧାରିତ ପରିସମ୍ପତ୍ତି ଅନୁପାତ (ସିଆରଏଆର) ରେ ଉନ୍ନତି ହେବ।

ଆଇଆରଇଡିଏ, ଏକ ମିନି ରତ୍ନ (ଶ୍ରେଣୀ-1) କମ୍ପାନୀ ଅଟେ, ଯାହା ନବୀନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ଅଧୀନ ଅଟେ। ଏହାକୁ 1987 ମସିହାରେ ସ୍ଥାପିତ କରାଯାଇଥିଲା ଯଦ୍ବାରା ଏହା ଅକ୍ଷୟ ଶକ୍ତି (ଆରଇ) ସେକ୍ଟର ପାଇଁ ଏକ ବିଶିଷ୍ଟ ଅଣ-ବ୍ୟାଙ୍କିଂ ଆର୍ଥିକ ଏଜେନ୍ସି ଭାବରେ କାର୍ଯ୍ୟ କରୁଛି।

ଆଇଆରଇଡିଏ ର 34 ବର୍ଷରୁ ଅଧିକ ପ୍ରଯୁକ୍ତି-ବାଣିଜ୍ୟିକ ଅଭିଜ୍ଞତା ରହିଛି। ଏହା ଅକ୍ଷୟ ଶକ୍ତି ପ୍ରକଳ୍ପ ଆର୍ଥିକ ସହାୟତା କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଯଦ୍ବାରା ଆର୍ଥିକ ସଂସ୍ଥା ବା ବ୍ୟାଙ୍କକୁ ଏହି ସେକ୍ଟରରେ ଋଣ ପ୍ରଦାନ ପାଇଁ ବିଶ୍ବାସ ସୃଷ୍ଟି ହେଉଛି।

Categories
ଜାତୀୟ ଖବର ବିଶେଷ ଖବର

ଆନ୍ତଃରାଜ୍ୟ ଟ୍ରାନ୍ସମିଶନ ପ୍ରଣାଳୀ: ସବୁଜ ଇନ୍ଧନ କରିଡର ଦ୍ବିତୀୟ ପର୍ଯ୍ୟାୟକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ଆନ୍ତଃରାଜ୍ୟ ଟ୍ରାନ୍ସମିଶନ ପ୍ରଣାଳୀ ନିମନ୍ତେ ସବୁଜ ଇନ୍ଧନ କରିଡର ପର୍ଯ୍ୟାୟ-୨କୁ ମଞ୍ଜୁର କରାଯାଇଛି। ଏ ଯୋଜନାରେ ପାଖାପାଖି ୧୦,୭୫୦ ସର୍କିଟ୍‌ କିଲୋମିଟର ଟ୍ରାନ୍ସମିଶନ ଲାଇନ ଏବଂ ୨୭,୫୦୦ ମେଗା .ଭୋଲ୍ଟ-ଆମ୍ପିୟର (ଏମଭିଏ) କ୍ଷମତା ବିଶିଷ୍ଟ ସବଷ୍ଟେସନ ପ୍ରତିଷ୍ଠା କରାଯାଇ ଟ୍ରାନ୍ସଫର୍ମର କ୍ଷମତାରେ ଅତିରିକ୍ତ ବୃଦ୍ଧି କରାଯିବାକୁ ମଞ୍ଜୁରି ମିଳିଛି। ଏହି ଯୋଜନା ଫଳରେ ସାତଟି ରାଜ୍ୟ- ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ତାମିଲନାଡ଼ୁ ଓ ଉତ୍ତର ପ୍ରଦେଶରେ ଗ୍ରୀଡ ଏକୀକରଣ ସମ୍ଭବ ହୋଇପାରିବ। ଏଥିସହିତ ପାଖାପାଖି ୨୦ ଗିଗାୱାଟ ଅକ୍ଷୟ ଶକ୍ତି ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପକୁ ସହାୟତା ମିଳିପାରିବ।

ଏହି ଯୋଜନା ପାଇଁ ଆନୁମାନିକ ମୋଟ ୧୨,୦୩୧.୩୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ କେନ୍ଦ୍ରୀୟ ଆର୍ଥିକ ସହାୟତା ବାବଦରେ ପ୍ରକଳ୍ପର ପାଖାପାଖି ୩୩ ପ୍ରତିଶତ ଅର୍ଥାତ୍‌ ୩୯୭୦.୩୪ କୋଟି ଟଙ୍କା ଯୋଗାଇ ଦିଆଯିବ। ଟ୍ରାନ୍ସମିଶନ ପ୍ରଣାଳୀକୁ ଆର୍ଥିକ ବର୍ଷ ୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧି ମଧ୍ୟରେ ପ୍ରସ୍ତୁତ କରାଯିବ। କେନ୍ଦ୍ରୀୟ ଆର୍ଥିକ ସହାୟତା ବଳରେ ରାଜ୍ୟ ଅନ୍ତରୀଣ ଟ୍ରାନ୍ସମିଶନ ଶୁଳ୍କର ସମାଯୋଜନ ବା ଅଫସେଟିଂ କରିବାରେ ସହାୟତା ମିଳିବ। ଏହାଦ୍ବାରା ବିଦ୍ୟୁତ ମୂଲ୍ୟକୁ ମଧ୍ୟ କମ୍‌ ରଖାଯାଇପାରିବ। ତେଣୁ ବିଦ୍ୟୁତର ଅନ୍ତିମ ଉପଯୋଗକାରୀ- ଦେଶର ନାଗରିକମାନଙ୍କୁ ହିଁ ସରକାରୀ ସହଯୋଗର ଲାଭ ମିଳିପାରିବ।

ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ କରିବାରେ ସହାୟତା ମିଳିପାରିବ।

ଏହି ଯୋଜନା ଦେଶରେ ଦୀର୍ଘକାଳୀନ ଶକ୍ତି ସୁରକ୍ଷା କ୍ଷେତ୍ରରେ ଯୋଗଦାନ ଦେବ ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରି ସ୍ଥାୟୀ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବ। ଏହାଫଳରେ ବିଦ୍ୟୁତ ଏବଂ ଅନ୍ୟ ସମ୍ପୃକ୍ତ କ୍ଷେତ୍ରରେ କୁଶଳୀ ଓ ଅଣକୁଶଳୀ ଉଭୟ ପ୍ରକାର ଶ୍ରମିକମାନଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଯୋଜନାର ଦ୍ବିତୀୟ ପର୍ଯ୍ୟାୟକୁ ପ୍ରଥମ ପର୍ଯ୍ୟାୟ ସବୁଜ ଇନ୍ଧନ କରିଡର ବ୍ୟତୀତ ଲାଗୁ କରାଯିବ। ପ୍ରଥମ ପର୍ଯ୍ୟାୟ ଯୋଜନା ଆନ୍ଧ୍ରପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ତାମିଲନାଡ଼ୁରେ ପୂର୍ବରୁ କାର୍ଯ୍ୟକାରୀ ହେଉଛି। ଏହା ଚଳିତ ବର୍ଷ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ପ୍ରଥମ ପର୍ଯ୍ୟାୟ ଯୋଜନାରେ ଅତିରିକ୍ତ ୯,୭୦୦ ସର୍କିଟ୍‌ କିଲୋମିଟର ଅତିରିକ୍ତ ଟ୍ରାନ୍ସମିଶନ ଲାଇନ ବିଛାଯିବ ଏବଂ ସବଷ୍ଟେସନଗୁଡ଼ିକରେ ୨୨,୬୦୦ ମେଗାୱାଟ୍‌ କ୍ଷମତା ସୃଷ୍ଟି କରାଯିବ। ଏଥିପାଇଁ ୪୦୫୬.୬୭ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ସହିତ ମୋଟ ୧୦,୧୪୧.୬୮ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରାଯାଇଛି।

ଉଚ୍ଚ ହାରାହାରୀ ଗୁଣବତ୍ତା (ଏଫଏକ୍ୟୁ) ଯୁକ୍ତ ମିଲିଂ ପାଇଁ ଉଦ୍ଦିଷ୍ଟ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ଏମଏସପି କୁଇଣ୍ଟାଲ ପ୍ରତି ୧୦,୩୩୫ ଟଙ୍କାରୁ ବଢ଼ାଇ କୁଇଣ୍ଟାଲ ପ୍ରତି ୧୦ ହଜାର ୫୯୦ ଟଙ୍କା କରି ଦିଆଯାଇଛି। ସେହିପରି ଗୋଟା ଶୁଖିଲା ନଡ଼ିଆ ବା ବଲ କୋପ୍ରାର ଏମଏସପି ୨୦୨୨ ଋତୁ ପାଇଁ କୁଇଣ୍ଟାଲ ପ୍ରତି ୧୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୧ ଋତୁରେ ଏହାର ମୂଲ୍ୟ କୁଇଣ୍ଟାଲ ପ୍ରତି ୧୦,୬୦୦ ଟଙ୍କା ଥିଲା। ଫଳରେ ନଡ଼ିଆ ଚାଷୀମାନେ ଉତ୍ପାଦନ ଖର୍ଚ୍ଚ ଉପରେ ମିଲିଂ କୋପ୍ରା ପାଇଁ ୫୧.୮୫ ପ୍ରତିଶତ ଏବଂ ବଲ କୋପ୍ରା ପାଇଁ ୫୭.୭୩ ପ୍ରତିଶତ ଲାଭ ପାଇପାରିବେ। ଚାଷୀମାନଙ୍କୁ ଉତ୍ପାଦନ ଖର୍ଚ୍ଚର ଅତିକମରେ ଦେଢ଼ଗୁଣା ଲାଭ ପ୍ରଦାନ କରିବା ଲାଗି ସରକାର ୨୦୧୮-୧୯ ସାଧାରଣ ବଜେଟରେ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଋତୁ ପାଇଁ କୋପ୍ରା ଉପରେ ଏମଏସପି ବୃଦ୍ଧି କରାଯାଇଛି।

କୃଷିଭିତ୍ତିକ ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗଙ୍କ ସୁପାରିସ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୀମା ସୁନିଶ୍ଚିତ କରିବା ଏ ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।

ନଡ଼ିଆ ଉତ୍ପାଦନ ହେଉଥିବା ରାଜ୍ୟରେ ଭାରତୀୟ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଏବଂ ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ମୂଲ୍ୟ ସହାୟତା ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଗଭୀର ମହାସାଗରରୁ ଖୋଜାଯିବ ସମ୍ପଦ, ୪,୦୭୭ କୋଟି ଟଙ୍କା ବ୍ୟୟ ଅଟକଳ, ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଭୂ-ବିଜ୍ଞାନ ମନ୍ତ୍ରଣାଳୟ (ଏମଓଇଏସ)ର “ଗଭୀର ମହାସାଗର ଅଭିଯାନ”କୁ ମଞ୍ଜୁର କରିଛନ୍ତି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଗଭୀର ସମୁଦ୍ରରେ ରହିଥିବା ସମ୍ପଦଗୁଡ଼ିକର ଅନୁସନ୍ଧାନ କରିବା ଏବଂ ମହାସାଗରୀୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ଗଭୀର ସମୁଦ୍ର ପ୍ରଯୁକ୍ତିକୁ ବିକଶିତ କରିବା ।

ଏହି ଅଭିଯାନକୁ ପଯ୍ୟାୟ କ୍ରମେ ଲାଗୁ କରିବା ଦିଗରେ ୫ ବର୍ଷର ଅବଧି ଲାଗି ଆନୁମାନିକ ୪,୦୭୭ କୋଟି ଟଙ୍କା ବ୍ୟୟ କରାଯିବ। ତିନି ବର୍ଷ (୨୦୨୧-୨୦୨୪) ଲାଗି ପ୍ରଥମ ପର‌୍ୟ୍ୟାୟରେ ଆନୁମାନିକ ୨୮୨୩.୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗଭୀର ମହାସାଗର ପ୍ରକଳ୍ପ ଭାରତ ସରକାରଙ୍କ ନୀଳ ଅର୍ଥବ୍ୟବସ୍ଥା ଯୋଜନାକୁ ସମର୍ଥନ କରିବା ଲାଗି ଏକ ମିଶନ ଆଧାରିତ ପ୍ରକଳ୍ପ ହେବ। ଭୂ-ବିଜ୍ଞାନ ମନ୍ତ୍ରଣାଳୟ (ଏମଓଇଏସ) ନୋଡାଲ ମନ୍ତ୍ରଣାଳୟ ଭାବେ ଏହି ବହୁସଂସ୍ଥାଗତ ମହତ୍ୱାକାଂକ୍ଷୀ ଅଭିଯାନକୁ ଲାଗୁ କରିବ।

ଏହି ଗଭୀର ମହାସାଗର ଅଭିଯାନରେ ଛଅଟି ପ୍ରମୁଖ ଉପାଦାନ ସାମିଲ ରହିଛି:

ଗଭୀର ସମୁଦ୍ରରେ ଖନନ ଓ ମାନବଯୁକ୍ତ ବୁଡ଼ା ଜଳଯାନ(ସବମର୍ସିବଲ) ନିର୍ମାଣ ନିମନ୍ତେ ପ୍ରଯୁକ୍ତିର ବିକାଶ: ତିନି ଜଣ ଲୋକଙ୍କୁ ସମୁଦ୍ର ମଧ୍ୟରେ ୬,୦୦୦ ମିଟର ଗଭୀରତା ପର‌୍ୟ୍ୟନ୍ତ ନେଇଯିବା ଲାଗି ବୈଜ୍ଞାନିକ ସେନ୍ସର ଓ ଉପକରଣ ସହିତ ଏକ ମାନବଯୁକ୍ତ ବୁଡ଼ା ଜଳଯାନ ବିକଶିତ କରାଯିବ। ଅଳ୍ପ କେତୋଟି ଦେଶ ଏହି କ୍ଷମତା ହାସଲ କରିପାରିଛନ୍ତି। ମଧ୍ୟ ଭାରତ ମହାସାଗରରେ ୬,୦୦୦ ମିଟର ଗଭୀରତାରୁ ପଲିମେଟାଲିକ ନୋଡ୍ୟୁଲ୍ସ ଖନନ ନିମନ୍ତେ ଏକ ସମନ୍ବିତ ଖନନ ପ୍ରଣାଳୀ ମଧ୍ୟ ବିକଶିତ କରାଯିବ।

ଭବିଷ୍ୟତରେ ମିଳିତ ଜାତିସଂଘ ସଂଗଠନ ଇଣ୍ଟରନ୍ୟାସନାଲ ସିବେଡ୍ ଅଥରିଟି ଦ୍ବାରା ବାଣିଜ୍ୟିକ ଖନନ କୋଡ ପ୍ରସ୍ତୁତ କରାଯିବା ସ୍ଥିତିରେ, ଖଣିଜ ପଦାର୍ଥଗୁଡ଼ିକର ଅନ୍ବେଷଣ ଫଳରେ ନିକଟ ଭବିଷ୍ୟତରେ ବାଣିଜ୍ୟିକ ଉତ୍ତୋଳନର ମାର୍ଗ ପ୍ରଶସ୍ତ ହେବ। ଏହି ଉପାଦାନ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର, ଗଭୀର ସମୁଦ୍ରରେ ଖଣିଜ ଓ ଇନ୍ଧନର ଅନୁସନ୍ଧାନ ଓ ଉତ୍ତୋଳନ ଦିଗରେ ସହାୟକ ହେବ।

ମହାସାଗର ଜଳବାୟୁ ପରିବର୍ତ୍ତନ ପରାମର୍ଶ ସେବାର ବିକାଶ : ଅବଧାରଣା ଉପାଦାନର ଏହି ତଥ୍ୟ ଅନ୍ତର୍ଗତ ପାଣିପାଗ ଠାରୁ ଆରମ୍ଭ କରି ଦଶକୀୟ ସମୟ (ଡେସିମାଲ୍ ଟାଇମ୍) ଆଧାରରେ ଗୁରୁତ୍ବପୂର୍ଣ୍ଣ ଜଳବାୟୁ ପରିବର୍ତ୍ତନର ଭବିଷ୍ୟଜନିତ ପୂର୍ବାନୁମାନକୁ ବୁଝିବା ଏବଂ ତଦନୁଯାୟୀ ସହାୟତା ପ୍ରଦାନ କରିବା ଲାଗି ଏକ ପର‌୍ୟ୍ୟବେକ୍ଷଣ ଓ ମଡେଲ ସମୂହ ବିକଶିତ କରାଯିବ। ଏହି ଉପାଦାନ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର ଉପକୂଳ ପର‌୍ୟ୍ୟଟନରେ ସହାୟକ ହେବ।

ଗଭୀର ସମୁଦ୍ରରେ ଜୈବ ବିବିଧତାର ଅନୁସନ୍ଧାନ ଏବଂ ସଂରକ୍ଷଣ ଲାଗି ବୈଷୟିକ ନବୋନ୍ମେଷ : ସୂକ୍ଷ୍ମ ଜୀବ ସମେତ ଗଭୀର ସମୁଦ୍ରର ବନସ୍ପତି ଓ ଜୀବଗୁଡ଼ିକର ଜୈବ-ଅନୁସନ୍ଧାନ ଏବଂ ଗଭୀର ସମୁଦ୍ରରେ ଜୈବ ସମ୍ପଦର ସ୍ଥାୟୀ ଉପଯୋଗ ଉପରେ ଅଧ୍ୟୟନ ଏହାର ମୁଖ୍ୟ କେନ୍ଦ୍ରରେ ରହିବ। ଏହି ଉପାଦାନ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର ସାମୁଦ୍ରିକ ମତ୍ସ୍ୟଚାଷ ଓ ଆନୁସଙ୍ଗିକ ସେବାକୁ ସହାୟତା ପ୍ରଦାନ କରିବ।

ଗଭୀର ସମୁଦ୍ରରେ ସର୍ବେକ୍ଷଣ ଓ ଅନ୍ବେଷଣ : ଏହି ଉପାଦାନର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଭାରତ ମହାସାଗରର ମଧ୍ୟ ମହାସାଗରୀୟ ଭାଗ ସହିତ ବହୁ-ଧାତୁ ହାଇଡ୍ରୋଜେନ ସଲ୍ଫାଇଡ ଖଣିଜର ସମ୍ଭାବ୍ୟ ସ୍ଥଳୀକୁ ଖୋଜିବା ଏବଂ ସେଗୁଡ଼ିକୁ ଚିହ୍ନଟ କରିବା। ଏହି ଉପାଦାନ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର, ଗଭୀର ସମୁଦ୍ରରେ ମହାସାଗରୀୟ ସମ୍ପଦର ଅନ୍ବେଷଣରେ ସହାୟକ ହେବ।

ମହାସାଗରରୁ ଇନ୍ଧନ ଓ ମଧୁର ଜଳ : ଉପକୂଳ ଠାରୁ ଦୂର ମହାସାଗରରେ ତାପଜ ଇନ୍ଧନ ରୂପାନ୍ତରଣ (ଓଟିଇସି) କ୍ଷମତାସମ୍ପନ୍ନ ସମୁଦ୍ର ଜଳରୁ ଲବଣ ପୃଥକୀକରଣ (ଡିସାଲିସେନସନ) ପ୍ଲାଣ୍ଟ ସ୍ଥାପନ ନିମନ୍ତେ ଏହି ପ୍ରସ୍ତାବ ଅବଧାରଣାରେ ପରିକଳ୍ପନା କରାଯାଇଛି। ଏହି ଉପାଦାନ ନୀଳଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ର ଅଫଶୋର (ଉପକୂଳ ଦୂରବର୍ତ୍ତୀ) ଇନ୍ଧନ ବିକାଶରେ ସହାୟକ ହେବ।

ମହାସାଗର ଜୀବବିଜ୍ଞାନ ଲାଗି ଉନ୍ନତ ସାମୁଦ୍ରିକ ଷ୍ଟେସନ : ଏହି ଉପାଦାନର ଉଦ୍ଦେଶ୍ୟ ହେଉଛି ମହାସାଗରୀୟ ଜୀବ ବିଜ୍ଞାନ ଓ ଇଞ୍ଜିନିୟରିଂ ମାନବ କ୍ଷମତା ଓ ଉଦ୍ୟୋଗର ବିକାଶ କରିବା। ଏହି ଉପାଦାନ ଅନ-ସାଇଟ ବିଜନେସ ଇନକ୍ୟୁବେଟର ସୁବିଧା ମାଧ୍ୟମରେ ଗବେଷଣାର ଔଦ୍ୟୋଗିକ ପ୍ରୟୋଗ ଓ ଉତ୍ପାଦ ବିକାଶରେ ପରିବର୍ତ୍ତିତ କରିବ। ଏହି ଉପାଦାନ ମହାସାଗର ଜୀବ ବିଜ୍ଞାନ, ନୀଳ ବାଣିଜ୍ୟ ଓ ନୀଳ ଉତ୍ପାଦନ ଭଳି ନୀଳ ଅର୍ଥବ୍ୟବସ୍ଥାକୁ ପ୍ରାଥମିକତା ଦେଉଥିବା କ୍ଷେତ୍ରରେ ସହାୟକ ହେବ।

ଗଭୀର ସମୁଦ୍ରରେ ଖନନ ଲାଗି ଆବଶ୍ୟକ ପ୍ରଯୁକ୍ତିର ରଣନୈତିକ ମହତ୍ବ ରହିଛି କିନ୍ତୁ ଏହା ବାଣିଜ୍ୟିକ ରୂପରେ ଉପଲବ୍ଧ ନାହିଁ। ସେଥିପାଇଁ ଅଗ୍ରଣୀ ସଂସ୍ଥା ଓ ଘରୋଇ ଉଦ୍ୟୋଗଗୁଡ଼ିକର ସହଯୋଗରେ ପ୍ରଯୁକ୍ତିକୁ ସ୍ବଦେଶରେ ନିର୍ମାଣ କରିବା ଲାଗି ପ୍ରୟାସ କରାଯିବ। ଗୋଟିଏ ଭାରତୀୟ ଶିପୟାର୍ଡରେ ଗଭୀର ସମୁଦ୍ରରେ ଅନୁସନ୍ଧାନ ଲାଗି ଏକ ଗବେଷଣା ପୋତ ନିର୍ମାଣ କରାଯିବ ଯାହା ରୋଜଗାର ସୁଯୋଗ ସୃଷ୍ଟି କରିବ।

ଏହି ମିଶନ ସାମୁଦ୍ରିକ ଜୀବ ବିଜ୍ଞାନ କ୍ଷେତ୍ରରେ କ୍ଷମତା ବିକାଶ ଦିଗରେ ମଧ୍ୟ ନିର୍ଦ୍ଦେଶିତ, ଏହା ଭାରତୀୟ ଉଦ୍ୟୋଗରେ ରୋଜଗାର ଲାଗି ନୂତନ ଅବସର ସୃଷ୍ଟି କରିବ। ଏହାବ୍ୟତୀତ, ସ୍ବତନ୍ତ୍ର ଉପକରଣ, ଜାହାଜଗୁଡ଼ିକର ଡିଜାଇନ, ବିକାଶ ଓ ନିର୍ମାଣ, ଏବଂ ଆବଶ୍ୟକ ମୌଳିକ ଢାଞ୍ଚା ପ୍ରତିଷ୍ଠା କରିବା ଫଳରେ ଭାରତୀୟ ଉଦ୍ୟୋଗ, ବିଶେଷ କରି ଏମଏସଏମଇ ଓ ଷ୍ଟାର୍ଟଅପ୍ ବିକାଶ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି।

ବିଶ୍ବର ପାଖାପାଖି ୭୦ ପ୍ରତିଶତ ଭାଗରେ ଥିବା ମହାସାଗର, ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇସାରିଛି। ଗଭୀର ସମୁଦ୍ରର ପାଖାପାଖି ୯୫ ପ୍ରତିଶତ ଅଂଶ ବର୍ତ୍ତମାନ ସୁଦ୍ଧା ଅନୁସନ୍ଧାନ କରାଯାଇପାରିନାହିଁ। ଭାରତର ତିନି ଦିଗରେ ମହାସାଗର ଘେରି ରହିଛି ଏବଂ ଦେଶର ପାଖାପାଖି ୩୦ ପ୍ରତିଶତ ଜନସଂଖ୍ୟା ଉପକୂଳ କ୍ଷେତ୍ରରେ ରହିଥାନ୍ତି। ମହାସାଗର ହେଉଛି ମତ୍ସ୍ୟଚାଷ ଏବଂ ଜଳଜକୃଷି, ପର‌୍ୟ୍ୟଟନ, ଜୀବିକା ଓ ନୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଥିବା ଏକ ପ୍ରମୁଖ ଆର୍ଥିକ କାରକ ।

ମହାସାଗର କେବଳ ଖାଦ୍ୟ, ଇନ୍ଧନ, ଖଣିଷ, ଔଷଧ, ଜଳବାୟୁ ଓ ପାଣିପାଗର ଭଣ୍ଡାର ନୁହେଁ ବରଂ ପୃଥିବୀରେ ଜୀବନର ଆଧାର ମଧ୍ୟ। ଦୀର୍ଘକାଳିନ ରୂପରେ ମହାସାଗରର ମହତ୍ବକୁ ଧ୍ୟାନରେ ରଖି ମିଳିତ ଜାତିସଂଘ ୨୦୨୧-୨୦୩୦ ଦଶନ୍ଧିକୁ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ମହାସାଗର ବିଜ୍ଞାନର ଦଶନ୍ଧି ଭାବେ ଘୋଷଣା କରିଛି। ଭାରତର ସାମୁଦ୍ରିକ ସ୍ଥିତି ଅଦ୍ବିତୀୟ ଅଟେ। ଏହାର ୭୫୧୭ କିମି ଲମ୍ବ ଉପକୂଳ ନଅଟି ଉପକୂଳବର୍ତ୍ତୀ ରାଜ୍ୟ ଏବଂ ୧୩୮୨ ଦ୍ବୀପଗୁଡ଼ିକର ଆବାସସ୍ଥଳୀ। ୨୦୩୦ ସୁଦ୍ଧା ନୂତନ ଭାରତ ବିକାଶ ଲାଗି ଭାରତ ସରକାରଙ୍କ ସଂକଳ୍ପ ୨୦୧୯ ଫେବୃଆରୀରେ ପ୍ରତିପାଦିତ ହୋଇଥିଲା। ଏହି ସଂକଳ୍ପର ଦଶଟି ପ୍ରମୁଖ ଲକ୍ଷ୍ୟ ମଧ୍ୟରୁ ଅନ୍ୟତମ ପ୍ରମୁଖ ଲକ୍ଷ୍ୟ ହେଉଛି ନୀଳ ଅର୍ଥବ୍ୟବସ୍ଥା।