Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଇଭିଏମ ତ୍ରୁଟି ଉପରେ ଅଭିଯୋଗ କଲେ ଦୀପାଳି ଦାସ, ତାଙ୍କ ଗାଁରେ ବିଜେପି ଆଗୁଆ ନେଇ ସନ୍ଦେହ

ଝାରସୁଗୁଡା: ନିର୍ବାଚନ ଶେଷ ହୋଇଯାଇଥିଲେ ମଧ୍ୟ ଶେଷ ହୋଇ ନାହିଁ ବିବାଦ। ବର୍ତ୍ତମାନ ଇଭିଏମ ବିବାଦ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଦୀପାଳି ଦାସ। ଦୀପାଳି ଝାରସୁଗୁଡା ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇ ହାରିଯାଇଛନ୍ତି। ସେ ବିଜେପିର ଟଙ୍କଧର ତ୍ରିପାଠୀଙ୍କଠାରୁ ମାତ୍ର ୧୩୩୩ ଭୋଟରେ ହାରିଯାଇଛନ୍ତି।

ବର୍ତ୍ତମାନ ଇଭିଏମରେ ତ୍ରୁଟି ଦର୍ଶାଇ ଦୀପାଳି ପୁଣି ଥରେ ଗଣତି କରିବା ପାଇଁ ସେ ଆବେଦନ କରିଛନ୍ତି। ଦୀପାଳି କହିଛନ୍ତି ଯେ, ତାଙ୍କର ନିଜ ଗାଁ ସରବାହଲରେ ସେ ପଛରେ ଅଛନ୍ତି। ଏହି ବୁଥରେ ବିଜେପି ପ୍ରାର୍ଥୀ ୩୬୭ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ଏହା କେବେ ସମ୍ଭବ ହେବ ନାହିଁ ବୋଲି ଦୀପାଳି କହିଛନ୍ତି।

ଭୋଟ ପୁନଃଗଣତି ପାଇଁ ସେ ଧାର‌୍ୟ୍ୟ ଫି ଦାଖଲ କରି ସାରିଛନ୍ତି। ନିୟମ ଅନୁସାରେ ପାଞ୍ଚ ପ୍ରତିଶତ ଇଭିଏମ ଓ ଭିଭିପାଟ ଗଣତି କରାଯିବ। ସେଥିପାଇଁ ପ୍ରତି ସେଟ ପିଛି ୪୭ ହଜାର ଟଙ୍କା ଫି ଦାଖଲ କରିବାକୁ ପଡିବ। ସେହି ଅନୁସାରେ ଦୀପାଳି ୬ ଲକ୍ଷ ୧୧ ହଜାର ଟଙ୍କା ଜମା କରିଛନ୍ତି। ଖୁବ ଶିଘ୍ର ଏହି ବିଧାନସଭା କ୍ଷେତ୍ରରେ ପୁନଃ ଗଣତି ହେବାର ସମ୍ଭାବନା ସୃଷ୍ଟି ହୋଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଚ୍ୟାଲେଞ୍ଜ, ଯଦି ନବୀନବାବୁ ମୁଖ୍ୟମନ୍ତ୍ରୀ ନ ହେବେ ମୁଁ ରାଜନୀତି ଛାଡି ଦେବି, ଆପଣ ଛାଡିବେ କି ?

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଧୂଆଁଧାର ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଲୋକସଭା ପ୍ରାର୍ଥୀ ଶ୍ରୀମତୀ ପରିଣିତା ମିଶ୍ର ଏବଂ ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ଦୀପାଳି ଦାସ ଓ ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଜିତେଇବାକୁ ଅନୁରୋଧ କରିଛନ୍ତି।

ବ୍ରଜରାଜନଗରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ବହୁତ ବଡ଼ ବଡ଼ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ସାମାନ୍ୟ ଜାତୀୟ ରାଜପଥକୁ ୧୦ ବର୍ଷରେ ଠିକ୍ କରିପାରିଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରିବାକୁ ତାଙ୍କର ସାହସ ଆସିଲା କୋଉଠୁ ? ମୋତେ ଚାମ୍‍ଚା, ଗୁମାସ୍ତା ବୋଲି କହୁଛନ୍ତି। ମୋତେ ଯାହାବି କହିଲେ କିଛି ଅସୁବିଧା ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କଲେ ମୁଁ ସହିବି ନାହିଁ।

ସେମାନେ କହୁଛନ୍ତି ଯେ ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି। ମୁଁ ତାଙ୍କୁ ଆଜି ଚ୍ୟାଲେଞ୍ଜ କରୁଛି ଯଦି ନବୀନ ପଟ୍ଟନାୟକ ତିନି-ଚତୁର୍ଥାଂଶ ବହୁମତରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ଜୁନ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନିଅନ୍ତି, ତା’ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି।

ସେ ପୁଣି କହିଲେ ଯେ କେନ୍ଦ୍ରମନ୍ତ୍ରୀ ଏମିତି ଚ୍ୟାଲେଞ୍ଜ ଦେଇପାରିବେ କି ? ତାଙ୍କ ଦଳ ସରକାର ନ କଲେ ସେ ରାଜନୀତିରୁ ସନ୍ୟାସ ନେବେ କି ? କେନ୍ଦ୍ରମନ୍ତ୍ରୀ ପ୍ରଥମେ ଢେଙ୍କାନାଳରୁ ପ୍ରାର୍ଥୀ ହେବା ପାଇଁ ୧୦ ବର୍ଷ କାଳ ଉଦ୍ୟମ କଲେ କିନ୍ତୁ ନାମାଙ୍କନ ବେଳକୁ ଡର ପଶିଲା, ସେ ସମ୍ୱଲପୁରରୁ ଆସି ଛିଡ଼ା ହେଲେ।

ସେ କହିଲେ ଯେ ନିର୍ବାଚନ ଆସିଲା, ତେଣୁ ବିରୋଧୀ ନେତାମାନେ ଆସି ମିଛକଥା କହିବା ଆରମ୍ଭ କଲେଣି। ଆପଣଙ୍କ ଭୋଟ ନେଇଯିବେ, ତା’ପରେ ଖୋଜିଲେ ମିଳିବେନି। ସେମାନେ କେବେ ଆପଣମାନଙ୍କୁ ହିସାବ ଦେବେନାହିଁ। ପୂର୍ବ ନିର୍ବାଚନରେ ଦରଦାମ୍‍ କମିବ ବୋଲି ସେମାନେ କହିଥିଲେ। ଏଲ୍‍.ପି.ଜି, ପେଟ୍ରୋଲ, ଡିଜେଲ ଦାମ୍‍ କମିଲା କି ?

ମୁଁ କିନ୍ତୁ ଆପଣମାନଙ୍କୁ ହିସାବ ଦେବି। ମୁଖ୍ୟମନ୍ତ୍ରୀ ଆମକୁ କାମର ହିସାବ ଦେବାପାଇଁ ସବୁବେଳେ ନିର୍ଦ୍ଦେଶ ଦେଇଥାନ୍ତି।

ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ହୀରାକୁଦ ବିସ୍ଥାପିତମାନଙ୍କର ୫୦-୬୦ ବର୍ଷର ସମସ୍ୟା ଦୂର କରିଛନ୍ତି । ବ୍ରଜରାଜନଗରର ୧୮ଟି ଗାଁର ୨୧୦୦ ବିସ୍ଥାପିତଙ୍କୁ ପଟ୍ଟା ଦିଆଯାଇଛି। ବ୍ରଜରାଜନଗର ମାଁ ରାମଚଣ୍ଡୀ ମନ୍ଦିର ପାଇଁ ୪.୫୦ କୋଟି, କୋଇଲି ଘୁଗର ଇକୋ ଟୁରିଜିମ୍‍ ପାଇଁ ୩ କୋଟି, ଲଖନପୁର ଆଇ.ଟି. ଆଇ ପାଇଁ ୩୦ କୋଟି, ବ୍ରଜରାଜନଗରରେ ଅଡିଟୋରିଅମ ପାଇଁ ୧୦ କୋଟି, ଲଖନପୁରର ୧୬ ଟି ପଞ୍ଚାୟତରେ ପାଇପ୍‍ ପାଣି ପାଇଁ ୧୨୪ କୋଟି, ହାଇସ୍କୁଲ ଓ କଲେଜ ରୁପାନ୍ତର ପାଇଁ ୩୦ କୋଟି ଟଙ୍କା ଦିଆଯାଇଛି। କାଳିଆ ଯୋଜନାରେ ଏହି ନିର୍ବାଚନ ମଣ୍ଡଳୀର ୩୦,୬୦୦ ଚାଷୀ ଉପକାର ପାଉଛନ୍ତି। BSKYରେ ୬୦,୫୦୦ ଲୋକ ଉପକାର ପାଉଛନ୍ତି ।

ଝାରସୁଗୁଡ଼ାରେ ସ୍ୱର୍ଗତ ନବଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସେ କହିଲେ ଯେ ଝାରସୁଗୁଡ଼ାର ବିକାଶରେ ସ୍ୱର୍ଗତ ନବବାବୁଙ୍କର ବହୁତ ଅବଦାନ ରହିଛି। ତାଙ୍କ ପ୍ରଚେଷ୍ଟାରେ ଝାରସୁଗୁଡ଼ାରେ କେନସର ହସ୍‍ପିଟାଲ, ହାର୍ଟ କେୟାର ହସ୍‍ପିଟାଲ ହୋଇଛି। ଦୀପାଳି ଆପଣମାନଙ୍କ ଝିଅ, ନବବାବୁଙ୍କର ଝାରସୁଗୁଡ଼ା ପାଇଁ ଯେଉଁ ସ୍ୱପ୍ନ ଥିଲା ତାକୁ ସାକାର କରିବେ ଦୀପାଳି । ମୁଖ୍ୟମନ୍ତ୍ରୀ ଏସ୍‍.ଏଚ୍‍.ଜି ପାଇଁ ପେନସନ୍ ଓ ଗରିବ ଲୋକଙ୍କ ପାଇଁ ମାଗଣାରେ ବିଜୁଳି ଘୋଷଣା କରିଛନ୍ତି ।

ମା’ମାନେ ହେଉଛନ୍ତି ନବୀନବାବୁଙ୍କ ସେନାପତି। ଜଣେ ସାଧାରଣ ମହିଳାଙ୍କୁ ଏଠାରେ ଲୋକସଭା ପ୍ରାର୍ଥୀ କରିଛନ୍ତି। ଏହି ଦୁଇ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଝାରସୁଗୁଡ଼ା ବିକାଶ ଯାତ୍ରାକୁ ଆହୁରି ମଜବୁତ୍‍ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ମା ସମଲେଶ୍ବରୀଙ୍କୁ ଦର୍ଶନ କରି ପ୍ରଚାର ଆରମ୍ଭ କଲେ ଦୀପାଳି ଦାସ

ଝାରସୁଗୁଡା: ଆଜି ସକାଳୁ ମା ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି ଝାରସୁଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ। ଦୀପାଳି ତାଙ୍କ ସମର୍ଥକଙ୍କ ସହିତ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ନିକଟରେ ପୂଜାଅର୍ଚ୍ଚନା କରିଛନ୍ତି। ଏହାପରେ ସେ କହିଛନ୍ତି ଯେ, ଆଜି ମା ସମଲେଶ୍ବରୀଙ୍କୁ ଦର୍ଶନ କଲି। ସମସ୍ତଙ୍କ ମଙ୍ଗଳକାମନା କଲି।

ଝାରସୁଗୁଡାରେ ପୁଣି ଥରେ ଦୀପାଳିଙ୍କୁ ପ୍ରାର୍ଥି କରିଛି ବିଜେଡି। ଗତବର୍ଷ ସେ ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ତାଙ୍କର ବାପା ନବ ଦାସଙ୍କ ହତ୍ୟା ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ସେ ପ୍ରାୟ ବର୍ଷେ ଉପରେ ବିଧାୟକ ହେବା ପରେ ପୁଣି ଥରେ ସାଧାରଣ ନିର୍ବାଚନର ସମ୍ମୁଖୀନ ହେଉଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁଣିଥରେ ଝାରସୁଗୁଡା ଆସନ ପାଇଁ ଦୀପାଳି ଦାସଙ୍କ ଉପରେ ଭରସା କରିଲେ ନବୀନ

ଭୁବନେଶ୍ବର: ଆଜି ବିଜେଡି ତାହାର ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି। ଏଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁରୁଣା ମୁହଁ ଉପରେ ଗୁରୁତ୍ବ ଦେଇଛନ୍ତି। ସେହି ପରିପ୍ରେକ୍ଷୀରେ ଝାରସୁଗୁଡା ବିଧାନସଭା ଆସନ ପାଇଁ ନବୀନ ପୁଣି ଥରେ ଦୀପାଳି ଦାସଙ୍କ ଉପରେ ଭରସା କରିଛି।

ଦୀପାଳି ଗତ ବର୍ଷ ମଇ ମାସରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ ଭୋଟରେ ହରାଇଥିଲେ। ଦୀପାଳି 1 ଲକ୍ଷ 7 ହଜାର ଭୋଟ ପାଇଥିବା ବେଳେ ଟଙ୍କଧରଙ୍କୁ ମିଳିଥିଲା ମାତ୍ର 58 ହଜାର ଭୋଟ। ଦୀପାଳିଙ୍କ ବାପା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ଏଥର ମଧ୍ୟ ଦୀପାଳି ବହୁ ଭୋଟରେ ଜିତିବେ ବୋଲି ଦଳ ଆଶା ରଖିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

Breaking News: ଝାରସୁଗୁଡାରେ ଆଇଟିଆଇ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାର ଲଖନ୍‌ପୁରଠାରେ ଏକ ITI ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି ଏବଂ ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ବିନିଯୋଗ କରାଯିବ।

ସୂଚନାଯୋଗ୍ୟ ଯେ ଝାରସୁଗୁଡା ଜିଲ୍ଲା ଏକ ଖଣିବହୁଳ ଅଞ୍ଚଳ। ଏଠାରେ ଖଣି ଉତ୍ତୋଳନ ଓ ଅନ୍ୟାନ୍ୟ ଆନୁସାଙ୍ଗିକ କାମ ପାଇଁ ଦକ୍ଷ ମାନବସମ୍ବଳର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଠାରେ ITI ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହି ନୂତନ ITIରେ ୯ଟି ବିଷୟରେ ପ୍ରଶିକ୍ଷଣ ଦିଆଯିବ। ମଞ୍ଜୁର ହୋଇଥିବା ଅର୍ଥରେ Academic ଓ Workshop Building ନିର୍ମାଣ କରାଯିବା ସହିତ ବିଭିନ୍ନ ଉପକରଣ ଓ ଯନ୍ତ୍ରପାତି କିଣାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ମାସରୁ ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ଇଣ୍ଡିଗୋ ବିମାନ

ଭୁବନେଶ୍ଵର: ବିମାନ ଯାତ୍ରୀମାନଙ୍କ ପାଇଁ ଖୁସି ଖବର। ଏଥର ଝାରସୁଗୁଡ଼ା ବିମାନ ବନ୍ଦରରୁ ଯାତ୍ରୀମାନେ କୋଲକାତା ଓ ବେଙ୍ଗାଲୁରୁ ସିଧାସଳଖ ଯାତ୍ରା କରିପାରିବେ। ଘରୋଇ ଇଣ୍ଡିଗୋ ବିମାନ ଆସନ୍ତା ମାସରୁ ଏହି ଉଡ଼ାଣ ଆରମ୍ଭ କରିବ। ନଭେମ୍ବର ୫ ତାରିଖରୁ କୋଲକାତା ଓ ନଭେମ୍ବର ୧୫ ତାରିଖରୁ ବେଙ୍ଗାଲୁରୁକୁ ଏହି ବିମାନ ଉଡ଼ିବ। ଗତକାଲିଠାରୁ ଏହାର ବୁକିଂ ଆରମ୍ଭ ହୋଇଛି।

ଉଡାଣ ସମୟ:

୧- କୋଲକାତାରୁ ସନ୍ଧ୍ୟା ୫ ଟା ୫୦ ରେ ବାହାରିବ, ସନ୍ଧ୍ୟା ୭ ଟା ୨୫ ମିନିଟ୍‌ରେ  ଝାରସୁଗୁଡ଼ାରେ ପହଞ୍ଚିବ

ସନ୍ଧ୍ୟା ୭ଟା ୫୫ ମିନିଟ୍‌ରେ ଝାରସୁଗୁଡ଼ାରୁ ବାହାରିବ, ରାତି ୯ ଟା ୨୦ ମିନିଟ୍‌ରେ କୋଲକାତାରେ ପହଞ୍ଚିବ।

୨- ବେଙ୍ଗାଲୁରୁରୁ ସକାଳ ୧୦ଟା ୧୫ରେ ବାହାରିବ, ଦିନ ୧୨ ଟା ୨୦ ରେ ଝାରସୁଗୁଡ଼ାରେ ପହଞ୍ଚିବ

ଝାରସୁଗୁଡ଼ାରୁ ଦିନ ୧୨ ଟା୫୦ ରେ ବାହାରିବ, ଦିନ ୨ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ।

ତେବେ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନ ବନ୍ଦରରୁ ଦିଲ୍ଲୀ ଯାଉଥିବା ସ୍ପାଇସ ଜେଟ୍ ବିମାନ ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏହି ବିମାନ ଦିନ ୩.୨୫ମି.ରେ ପହଞ୍ଚି ୩. ୫୫ ମିନିଟ୍‌ରେ ଉଡ଼ାଣ ଭରିବ। ପୂର୍ବରୁ ଏହି ବିମାନ ସନ୍ଧ୍ୟା ୭ଟାରେ ପହଞ୍ଚି ୮ ଟାରେ ଉଡ଼ାଣ ଭରୁଲା। ତେବେ ବୁଧବାରଠାରୁ ଏହି ପରିବର୍ତ୍ତିତ ସମୟ ଅନୁସାରେ ବିମାନ ଉଡ଼ାଣ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୮ ତାରିଖ ଯାଏ ଏହି ସମୟରେ ବିମାନ ଉଡ଼ାଣ କରିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୫ଟି ଅତ୍ୟାଧୁନିକ ହସପିଟାଲ ପାଇଁ ହେବ ଚୁକ୍ତି ସ୍ବାକ୍ଷରିତ, ଜାଣନ୍ତୁ କେଉଁଠି

ଭୁବନେଶ୍ବର: ଆଜି ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଯିବେ। ତାହା ହେଲା ଆଜି ଅପରାହ୍ନରେ ରାଜ୍ୟର ୫ ଟି ସ୍ଥାନରେ ଅତ୍ୟାଧୁନିକ ହସପିଟାଲ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ। ଏହି ହସପିଟାଲ ଗୁଡିକ ପିପିପି ମୋଡରେ କରାଯିବ। ସେହି ସ୍ଥାନଗୁଡିକ ହେଲା ଝାରସୁଗୁଡ଼ା, ଅନୁଗୋଳ, ବଡ଼ବିଲ ଓ ଭଦ୍ରକ। ସେଠାରେ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ପି.ପି.ପି. ମାଧ୍ୟମରେ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ଉପସ୍ଥିତିରେ ଚୁକ୍ତି କରାଯିବ।

ଖବର ଅନୁସାରେ ଝାରସୁଗୁଡାରେ ୧୨୦ ଶଯ୍ୟା ବିଶିଷ୍ଠ ସୁପର ସ୍ପେସିଆଲିଟି ହସପିଟାଲ ଏବଂ ୧୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସାଲିଟ ହସପିଟାଲ, ଅନୁଗୋଳରେ ୨୦୦ ଶଯ୍ୟା ବିଶିଷ୍ଠ ମଲଟି ସ୍ପେସାଲିଟି ହସପିଟାଲ, ବଡବିଲରେ ୨୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସାଲିଟ, ଭଦ୍ରକରେ ୧୦୦ ଶଯ୍ୟା ବିଶିଷ୍ଠ ମଲଟିସ୍ପେସିଆଲିଟ୍ ନିର୍ମାଣ ହେବ।

Categories
ଆଜିର ଖବର ରାଜ୍ୟ ଖବର

ନୂଆ ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତିକୁ ଅନୁମୋଦନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ରେଳ ଗମନାଗମନକୁ ଅଧିକ ସୁଦୃଢ କରିବା ପାଇଁ ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ନୂଆ ରେଳ ଲାଇନ ତିଆରି କରିବା ପାଇଁ ଆନୁଷଙ୍ଗିକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୬୦ କିମି ବିଶିଷ୍ଟ ବାରକୋଟ ଏବଂ ଝାରସୁଗୁଡା ରେଳ ଲାଇନ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଫାଇନାଲ ଲୋକେସନ୍ ସର୍ଭେ(ଏଫଏଲଏସ) କରିବା ପାଇଁ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଛି। ନୂଆ ରେଳ ଲାଇନ ଶିଳ୍ପ ସମୃଦ୍ଧ ଅଞ୍ଚଳ ଝାରସୁଗୁଡା ଠାରୁ ଦେବଗଡ଼ ଜିଲ୍ଲାର ବାରକୋଟ୍ ସହ ସଂଯୋଗ କରିବ। ଏହି ପଦକ୍ଷେପ ଦ୍ୱାରା ଦେବଗଡ଼ ଜିଲ୍ଲା ପ୍ରଥମ ଥର ପାଇଁ ରେଳ ଲାଇନ ସହ ସଂଯୋଗ କରିବାକୁ ଯାଉଛି, ଯାହା ଖୁସିର ବିଷୟ।

ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ମୋଦି ସରକାର ଓଡ଼ିଶାକୁ ସବୁ କ୍ଷେତ୍ରରେ ପ୍ରାଥମିକତା ଦେଇ ଆସୁଛନ୍ତି। ଏହି ରେଳ ଲାଇନ କାର୍ଯ୍ୟକ୍ଷମ ହେଲେ ଝାରସୁଗୁଡା ଏବଂ ଦେବଗଡ଼ ଜିଲ୍ଲାରେ ବିକାଶର ନୂଆ ଧାରା ସୃଷ୍ଟି ହେବ। ଏହି ଅଞ୍ଚଳ ରେଳ ଭିତ୍ତିଭୂମି ସହ ସଠିକ୍ ଭାବରେ ଯୋଡ଼ିହେଲେ ଚାଷୀ ଭାଇମାନେ ଉପକୃତ ହେବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ। ଦେବଗଡ ଜିଲ୍ଲାରେ ପର୍ଯ୍ୟଟନର ବିକାଶକୁ ମଧ୍ୟ ଗତି ମିଳିବ। ବିଶେଷ ଭାବରେ ଦେବଗଡବାସୀଙ୍କ ଦୀର୍ଘ ଦିନର ଅପେକ୍ଷାକୁ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ପୁନର୍ବାର କୃତଜ୍ଞତା ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଜୁଲାଇ ୧୦ ତାରିଖରେ ଦେବଗଡ ଜିଲ୍ଲାର ନାଗରିକ କମିଟିର ଅନୁରୋଧ କ୍ରମେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ହିଟ ୱେଭ ଜାରି: ୧୧.୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୧.୬ ଡ଼ିଗ୍ରୀ

ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୧୮ ତାରିଖ ଯାଏଁ ରାଜ୍ୟରେ ଏହି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଗତକାଲି ଭଳି ଆଜି ମଧ୍ୟ ଝାରସୁଗୁଡାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବହା ଜାରି ରହିଛି। ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩.୪ ଡ଼ିଗ୍ରୀରେ ପହଞ୍ଚିଛି। ସେହିଭଳି ଦ୍ଵିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ସମ୍ବଲପୁରରେ ୪୨.୪ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ତା’ପଛକୁ ଭୁବନେଶ୍ଵରର ତାପମାତ୍ରା ୪୧.୬ ଡ଼ିଗ୍ରୀ ସେଲସିୟସରେ ପହଞ୍ଚିଛି। ଏହାପରେ ହୀରାକୁଦ: ୪୧.୬ ଡ଼ିଗ୍ରୀ, କେନ୍ଦୁଝର: ୩୯ ଡ଼ିଗ୍ରୀ, ଚାନ୍ଦବାଲି: ୩୮.୪ ଡ଼ିଗ୍ରୀ, ଗୋପାଳପୁର: ୩୭.୫ ଡ଼ିଗ୍ରୀ, ବାଲେଶ୍ୱର: ୩୬.୨ ଡ଼ିଗ୍ରୀ, ପୁରୀ: ୩୬ ଡ଼ିଗ୍ରୀ ଓ ପାରାଦୀପ: ୩୩.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ତେବେ ଆଜି ଆଜି ସକାଳ ୮ ଟା ୩୦ ସୁଦ୍ଧା ଝାରସୁଗୁଡାରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୬.୪ ଡ଼ିଗ୍ରୀ, ହୀରାକୁଦରେ ୩୬ ଡ଼ିଗ୍ରୀ, କେନ୍ଦୁଝରରେ ୩୪.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୪.୨ ଡ଼ିଗ୍ରୀ, ବାଲେଶ୍ୱରରେ ୩୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୩.୬ ଡ଼ିଗ୍ରୀ, ଗୋପାଳପୁରରେ ୩୩.୨ ଡ଼ିଗ୍ରୀ, ପୁରୀରେ ୩୩ ଡ଼ିଗ୍ରୀ ଏବଂ ପାରାଦୀପରେ ୩୨.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଉଲ୍ଲେଖ ଥାଉ କି ଆଜି ଟ୍ଵିନ ସିଟିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏନେଇ ଦୁଇ ସହର ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି। ଛୋଟ ପିଲା, ରୋଗୀ, ବୟସ୍କମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଟ୍ଵିନ ସିଟିରେ ଅନେକ ସ୍ଥାନରେ ସ୍ଵାଭାବିକ ତାପମାତ୍ରା ଠାରୁ ୪ରୁ ୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବଢିଲା ତାପମାତ୍ରା: ଦିନ ୨ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୪ ଟି ସହର

ଭୁବନେଶ୍ଵର: ରାଜ୍ୟରେ ପୁଣି ଆଜି ତାପମାତ୍ରାରେ ବୃଦ୍ଧି ହୋଇଛି। ଆଜି ବାତ୍ୟା ‘ବିପର୍ଯ୍ୟୟ’ ଯୋଗୁଁ ତାପମାତ୍ରାରେ ବୃଦ୍ଧି ପାଇଥିବା କୁହାଯାଉଛି। କିନ୍ତୁ ଆସନ୍ତା ଦୁଇ ଦିନ ତାପମାତ୍ରାରେ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।

ତେବେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୪.୨ ଡ଼ିଗ୍ରୀ ତାପମାତ୍ରା ରହିଥିବା ବେଳେ ହୀରାକୁଦରେ ୪୩.୮ ଡ଼ିଗ୍ରୀ, ସମ୍ବଲପୁରରେ ୪୩.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୪୦ ଡ଼ିଗ୍ରୀ, ବାଲେଶ୍ୱରରେ ୩୯.୨, କେନ୍ଦୁଝରରେ ୩୯ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୮.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, କେଉଁଝରରେ ୩୮ ଡ଼ିଗ୍ରୀ, ପୁରୀରେ ୩୫ ଡ଼ିଗ୍ରୀ ଗୋପାଳପୁରରେ ୩୪ ଡ଼ିଗ୍ରୀ, ପାରାଦୀପରେ ୩୨.୬ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ତେବେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୨.୨ ଡ଼ିଗ୍ରୀ ତାପମାତ୍ରା ରହିଥିବା ବେଳେ ହୀରାକୁଦରେ ୪୧.୪ ଡ଼ିଗ୍ରୀ, ସମ୍ବଲପୁରରେ ୪୧.୨ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୧ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, କେଉଁଝରରେ ୩୮ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୮ ଡ଼ିଗ୍ରୀ, ପୁରୀରେ ୩୫ ଡ଼ିଗ୍ରୀ, ଗୋପାଳପୁରରେ ୩୪.୪ ଡ଼ିଗ୍ରୀ ଓ ପାରାଦୀପରେ ୩୨.୮ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡାବାସୀଙ୍କୁ ନବୀନଙ୍କ ଉପହାର, ITDA ରେ ସାମିଲ ଦୁଇଟି ବ୍ଲକର ନୂଆ ନିଯୁକ୍ତିକୁ ଅନୁମୋଦନ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରୀମେରା — ଏହି ଦୁଇଟି ବ୍ଲକକୁ ନୂତନ ଭାବରେ ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ରାଜ୍ୟ ସରକାର 9 ଟି ନୂତନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ ଲାଇକେର ଓ କିରୀମେରା ବ୍ଲକର ସମସ୍ତ ଗାଁ ଏହି ନୂତନ ITDA ଅଧୀନରେ ରହିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ଏହି ଦୁଇଟି ବ୍ଲକରେ ଜନଜାତି ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଏହି ନୂତନ ପଦବୀ ଗୁଡିକ ହେଲା ଗୋଟିଏ ପ୍ରକଳ୍ପ ପ୍ରଶାସକ ବା project administrator, ଗୋଟିଏ ସ୍ବତନ୍ତ୍ର ଅଧିକାରୀ ବା special officer, ଜଣେ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର , ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର , ଜଣେ ଆକାଉଣ୍ଟାଣ୍ଟ, ଜଣେ ହେଡ କ୍ଲାର୍କ, କନିଷ୍ଠ ଷ୍ଟେନୋ ଗ୍ରାଫର- ୧, ଜଣେ ବରିଷ୍ଠ କ୍ଲର୍କ ଓ ଜଣେ କନିଷ୍ଠ କ୍ଲର୍କ।

ସୂଚନାଯୋଗ୍ୟ ଯେ ଲାଇକରା ଓ କିରୀମେର ବ୍ଲକରେ ମୁଖ୍ୟତଃ ଗଣ୍ଡ, ଭୁଇଆଁ, ଓ କିସାନ୍ ବର୍ଗର ଆଦିବାସୀ ମାନେ ରହୁଥିବା ବେଳେ ମୁଣ୍ଡା, କୋଲ୍ହ, ଓରାଓଁ, ଶବର, ଖରିଆ ଓ ସାରା ବର୍ଗର ଆଦିବାସୀ ମାନେ ମଧ୍ୟ ଅଛନ୍ତି। ଲାଇକେରାରେ ଆଦିବାସୀଙ୍କ ସଂଖ୍ୟା ୫୧.୭୮ ପ୍ରତିଶତ ହୋଇଥିବା ବେଳେ କିରୀମେରାରେ ଏହା ୧୮.୪୬ ପ୍ରତିଶତ।

ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ନବୀନଙ୍କ ଏହା ହେଉଛି ପ୍ରଥମ ଉପହାର।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କ ଶପଥ ଗ୍ରହଣ

ଭୁବନେଶ୍ଵର: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଦିବଙ୍ଗତ ବିଜେଡ଼ି ନେତା ନବ ଦାସଙ୍କ ଝିଅଦୀପାଳି ଦାସ ଆଜିଠୁ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଆଜି ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି। ଦୀପାଳିଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂ ଶପଥପାଠ କରାଇଛନ୍ତି।

ଶପଥ ନେବା ପରେ ଦୀପାଳି କହିଛନ୍ତି ଯେ, “ଝାରସୁଗୁଡାବାସୀଙ୍କ ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ଦେଇଛନ୍ତି। ଦଳ ପ୍ରତି ଆନୁଗତ୍ୟ ରଖି କାମ କରିବି ବୋଲି ସେ ଆଜି ଶପଥ ନେଇଥିବା କହିଛନ୍ତି। ବାପାଙ୍କ ନୀତି ଓ ଆଦର୍ଶ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ କାମ କରବି। ଝାରସୁଗୁଡାର ବିକାଶ ପାଇଁ ତାଙ୍କ ବାପାଙ୍କର ଯେଉଁ ସ୍ୱପ୍ନ ଥିଲା ତାହାକୁ ପୂରଣ କରିବି।”

ଉଲ୍ଲେଖ ଥାଉ କି ଶପଥ ନେବା ପାଇଁ ଦୀପାଳି ଦିନ ୧୦ଟା ୩୦ରେ ବିଧାନସଭାରେ ପହଂଚିଥିଲେ। ତାଙ୍କ ସାଥିରେ ଭାଇ, ଭାଉଜ ଓ ମା’ ମଧ୍ୟ ବିଧାନସଭାରେ ପହଞ୍ଚିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଝାରସୁଗୁଡାର ନବନିର୍ବାଚିତ ବିଧାୟିକା ଦୀପାଳି ଦାସ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଦୀପାଳି ଦାସ। ସେ ତାଙ୍କର ଭାଇଙ୍କ ସହିତ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଝାରସୁଗୁଡ଼ା ଉପନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଭେଟିଲି। ଝାରସୁଗୁଡ଼ାର ବିକାଶକୁ ଆଗେଇ ନେବା ସହ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ତାଙ୍କୁ ପରାମର୍ଶ ଦେଲି।

Categories
ବିଶେଷ ଖବର ରାଜ୍ୟ ଖବର

ଗରମ ହେଲା ଝାରସୁଗୁଡା ପ୍ରଚାର, ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପାଖେଇଲାଣି ଝାରସୁଗୁଡା ଉପନିର୍ବାଚନ। ଆସନ୍ତା ୧୦ ତାରିଖରେ ହେବ ଏହି ଉପନିର୍ବାଚନ। ସେଥିପାଇଁ ୯ ତାରିଖରେ ପ୍ରଚାର ବନ୍ଦ ରହିବ। ଅର୍ଥାତ ଆଜିଠାରୁ ଆଉ ତିନିଦିନ ଧରି ପ୍ରଚାର କାର୍ଯ୍ୟ ଚାଲିବ। ହାତରେ ଆଉ ଅଳ୍ପଦିନ ଥିବାରୁ ବିଭିନ୍ନ ଦଳର ନେତାମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି।

ବିଜେଡି, ବିଜେପି ଏବଂ କଂଗ୍ରେସର ବରିଷ୍ଠ ନେତାମାନେ ବର୍ତ୍ତମାନ ଘରକୁ ଘର ବୁଲି ସେମାନଙ୍କର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାରେ ଲାଗିଛନ୍ତି। କଂଗ୍ରେସ ତରଫରୁ ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଲାଗି ପଡିଛନ୍ତି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ଭୋଟ ଦେବା ପାଇଁ ସେମାନେ ଭୋଟରଙ୍କୁ ଅନୁରୋଧ କରିବାରେ ଲାଗିଛନ୍ତି।

ସେହିପରି ବିଜେପି ମଧ୍ୟ ପାରୁ ପର୍ଯ୍ୟନ୍ତ ପ୍ରାର୍ଥୀ ଟଙ୍କଧରଙ୍କ ସପକ୍ଷରେ ପ୍ରଚାରକୁ ଯୋରଦାର କରିଛନ୍ତି। କାରଣ ଏହି ନିର୍ବାଚନ ହେଉଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ ପ୍ରଥମ ଯୁଦ୍ଧ। ସେ ସଭାପତି ହେବା ପରେ ପରେ ଏହି ଉପନିର୍ବାଚନର ସମ୍ମୁଖୀନ ହେଉଛନ୍ତି। ପ୍ରଚାରକୁ ଜୋରଦାର କରିବା ପାଇଁ ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି।

ତେବେ ସବୁଠାରୁ ଯାହା ବଡ ଚର୍ଚ୍ଚାର ବିଷୟ, ତାହା ହେଲା ରବିବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ଏଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନବୀନ ରବିବାର ଦିନ ଅମିଲିପାଲିଠାରେ ବିଶାଳ ଜନ ସମାବେଶକୁ ଉଦବୋଧନ ଦେବେ। ନବୀନଙ୍କୁ ନେଇ ବିଜେଡି ତାହାର ଶକ୍ତି ପ୍ରଦର୍ଶନ କରିବ। ସେଥିପାଇଁ ଦଳ ତରଫରୁ ବେଶ ଉତ୍ସାହ ସୃଷ୍ଟି ହୋଇଛି।

ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ନବୀନ ଝାରସୁଗୁଡାବାସୀଙ୍କୁ ଭୋଟ ଭିକ୍ଷା କରିବେ। ଏହି ସମାବେଶକୁ ସଫଳ କରିବା ପାଇଁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ନିରଞ୍ଜନ ପୂଜାରୀ ପ୍ରମୁଖ ଘନଘନ ବୈଠକ କରି ପ୍ରସ୍ତୁତି କରିବାରେ ଲାଗିଛନ୍ତି।

ପୂର୍ବରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ନବୀନ ପ୍ରଚାର କରିବେ ବୋଲି ନିଷ୍ପତି ହୋଇଥିଲା। ହେଲେ ନିଜେ ନବୀନ ଝାରସୁଗୁଡା ଯିବେ ବୋଲି ନିଷ୍ପତି କରିବାରୁ ସେଠାରେ ବିଶାଳ ସମାବେଶର ଆୟୋଜନ କରାଯାଇଛି। ଝାରସୁଗୁଡା ଉପନିର୍ବାଚନ ୧୦ ତାରିଖରେ ହେଉଥିବା ବେଳେ ଗଣତି ୧୩ ତାରିଖରେ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ଆଜିଠାରୁ କମ୍ପିବ ଝାରସୁଗୁଡା ମଇଦାନ, ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା, କିଏ ଆଗରେ

ଭୁବନେଶ୍ବର: ଆଜିଠାରୁ ଝାରସୁଗୁଡା ମଇଦାନ କମ୍ପିବ। କାରଣ ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବର୍ତ୍ତମାନ ୯ ଜଣ ପ୍ରତିଦ୍ବନ୍ଦିତା କରିବାକୁ ରହିଲେ। ଏହି ଉପନିର୍ବାଚନ ପାଇଁ ସମୁଦାୟ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ଭୁବନେଶ୍ୱର ଗର୍ତିଆ ନାମକ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ଉପନିର୍ବାଚନ ମଇଦାନରେ ୯ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି।

ସେମାନେ ହେଲେ ଭାରତୀୟ ଜନତା ପାର୍ଟିର ଟଙ୍କଧର ତ୍ରିପାଠୀ, ଭାରତୀୟ ଜାତୀୟ କଂଗ୍ରେସର ତରୁଣ ପାଣ୍ଡେ, ବିଜୁ ଜନତା ଦଳର ଦୀପାଳି ଦାସ, ଓଡ଼ିଶା ପ୍ରଗତି ଦଳର ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହିନ୍ଦ୍ର ପଟ୍ଟନାୟକ, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଜାଳାନ, ସ୍ୱାଧୀନ ପ୍ରାର୍ଥୀ ମହେନ୍ଦ୍ର ଲୁହା ଓ ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା ପ୍ରମୁଖ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ତେବେ ଏହି ଉପନିର୍ବାଚନରେ ମୁଖ୍ୟତଃ ବିଜେଡିର ଦୀପାଳି ଦାସଙ୍କ ସହିତ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଲଢେଇ ହେବ। ଏପରି ପରିସ୍ଥିତିରେ କଂଗ୍ରେସ ସ୍ଥିତି କଣ ହେବ ତାହା ବର୍ତ୍ତମାନ ସୁଦ୍ଧା କିଛି ଜଣାପଡି ନାହିଁ। କାରଣ ନିକଟରେ କଂଗ୍ରେସ ତାହାର ନୂଆ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ବିଜୟ ପଟ୍ଟନାୟକଙ୍କୁ ନିଯୁକ୍ତି କରିଛି। ସେ ବର୍ତ୍ତମାନ ଏହି ଉପନିର୍ବାଚନରେ କିପରି ମଙ୍ଗ ଧରିବେ ତାହା ଜଣାପଡି ନାହିଁ।

ତେବେ ନିର୍ବାଚନ ଘୋଷଣା ବହୁ ପୂର୍ବରୁ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ସେଠାରେ ପ୍ରଚାର ଆରମ୍ଭ କରିସାରିଛନ୍ତି। ପ୍ରତ୍ୟେକ ଦିନ ସେ ଝାରସୁଗୁଡାର ବିଭିନ୍ନ ସ୍ଥାନକୁ ଯାଇ ଲୋକ ସଂପର୍କ ସ୍ଥାପନ କରିଆସୁଛନ୍ତି। ତାଙ୍କର ବାପା ସ୍ବର୍ଗତ ନବ ଦାସଙ୍କ ଯେଉଁ ପତିୟାରା ଥିଲା ତାହାକୁ ମଧ୍ୟ ପାଥେୟ କରି ସେ ଲୋକ ସଂପର୍କ ସ୍ଥାପନ କରିବାରେ ଲାଗିଛନ୍ତି। ଫଳରେ ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କଲେ ଦୀପାଳିଙ୍କ ପଲା ଭାରି ରହିଛି।

ସେହିପରି ବିଜେପି ପାଇଁ ମଧ୍ୟ ଏହି ଉପନିର୍ବାଚନ ଏକ ନୂଆ ଅନୁଭବ ସୃଷ୍ଟି କରିବ। କାରଣ ରାଜ୍ୟ ସଭାପତି ଭାବେ ମନମୋହନ ସାମଲ ଦାୟିତ୍ବ ନେବା ପରେ ଏହା ହେଉଛି ପ୍ରଥମ ଯୁଦ୍ଧ। ତାଙ୍କ ନେତୃତ୍ବରେ ଏହି ଉପନିର୍ବାଚନରେ ଦଳ ଲଢେଇ କରିବ। ଅନ୍ୟପକ୍ଷରେ ଟଙ୍କଧରଙ୍କ ପାଇଁ ମଧ୍ୟ ନିର୍ବାଚନ ମଇଦାନରେ ଓହ୍ଲାଇବା ପ୍ରଥମ ଅନୁଭବ ହେବ। ସେଥିପାଇଁ ଦଳ କି ପ୍ରକାରର ରଣନୀତି କରିବ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆସନ୍ତା ମେ ୧୦ ତାରିଖରେ କରାଯିବ। ସେହିପରି ଭୋଟ ଗଣତି ମେ ୧୩ ତାରିଖରେ ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ଝାରସୁଗୁଡ଼ାର ବରିଷ୍ଠ ବିଜେପି ନେତା ତ୍ରିନାଥ ଗୁଆଳ

ଭୁବନେଶ୍ଵର: ଝାରସୁଗୁଡାର ବରିଷ୍ଠ ବିଜେପି ନେତା ତଥା ଝାରସୁଗୁଡ଼ା ବାର୍ ଆସୋସିଏସନର ସଭାପତି ତ୍ରିନାଥ ଗୁଆଳ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ତଥା ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଶ୍ରୀ ଗୁଆଳ ପ୍ରକାଶ କରିଛନ୍ତି।

ଆଜି ସନ୍ଧ୍ୟାରେ ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟ “ଶଙ୍ଖ ଭବନ”ରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଦଳୀୟ ଉତ୍ତରୀୟ ଦେଇ ଶ୍ରୀ ଗୁଆଳଙ୍କୁ ଦଳକୁ ସ୍ଵାଗତ କରିଥିଲେ। ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣ ସଭାରେ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ଶାରଦା ପ୍ରସାଦ ନାୟକ ଏବଂ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଗୁଆଳ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏବେ ସାରା ଓଡ଼ିଶାରେ ଯେଉଁ ବିକାଶର ପର୍ବ ଚାଲିଛି, ତାହା ମୋତେ ଅଭିଭୂତ କରିଛି। ଏହା ବ୍ୟତୀତ ଏବେ ଝାରସୁଗୁଡାରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ବିଜେପିର ବରିଷ୍ଠ ନେତାମାନେ ଯେଉଁଭଳି ଭାବେ ଜଣେ ବାପ ଛେଉଣ୍ଡ ଝିଅକୁ ବ୍ୟକ୍ତିଗତ ଆକ୍ଷେପ କରିବା ସହ କୁତ୍ସା ରଟନା କରି ଆସୁଛନ୍ତି, ତାହା ମୋତେ ମର୍ମାହତ କରିବାରୁ ମୁଁ ବିଜେପି ଛାଡିବାକୁ ନିଷ୍ପତ୍ତି ନେଲି। ଏବେ ଦଳ ମୋତେ ଯେଉଁ ଦାୟିତ୍ଵ ଦେବ, ମୁଁ ତାହା ପାଳନ କରିବି ଏବଂ ଝାରସୁଗୁଡାରେ ବିଜେଡି ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ କାର୍ଯ୍ୟ କରିବି।

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ଗୁଆଳ ବିଗତ ମୁନିସିପାଲିଟି ନିର୍ବାଚନରେ ଝାରସୁଗୁଡ଼ା ମୁନିସିପାଲିଟିର ବିଜେପିରୁ ପୌରାଧ୍ୟକ୍ଷ ପ୍ରାର୍ଥୀ ହୋଇଥିଲେ। ଚଳିତ ଉପନିର୍ବାଚନରେ ମଧ୍ୟ ସେ ବିଜେପିର ଷ୍ଟାର୍ ପ୍ରଚାରକ ତାଲିକାରେ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବର୍ଷାଙ୍କ ଭଳି ଦୀପାଳିଙ୍କୁ ମଧ୍ୟ ବ୍ୟକ୍ତିଗତ ଆକ୍ଷେପ କରୁଛି ବିଜେପି, ବିଜେଡି କଲା ଅଭିଯୋଗ

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନବେଳେ ବି‌ଜେପି ନେତାମାନେ ବିଜେଡିର ମହିଳା ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହ ଅତ୍ୟନ୍ତ ତଳ ସ୍ତରକୁ ଯାଇ କୁତ୍ସା ରଟନା କରିବାକୁ ପଛାଇ ନ ଥିଲେ। ଏବେ ଝାରସୁଗୁଡ଼ା ଉପନିର୍ବାଚନରେ ମଧ୍ୟ ବିଜେପି ନେତାମାନେ ସମାନ ରଣନୀତି ଆପଣାଇ ଦୀପାଳି ଦାସଙ୍କୁ ବ୍ୟକ୍ତିଗତ ଆକ୍ଷେପ ଓ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ବିରୋଧୀ ବିଜେପିର ଏଭଳି ହୀନ ରାଜନୀତିକୁ ବିଜୁ ଜନତା ଦଳ କଡ଼ା ନିନ୍ଦା କରିଛି।

ଆଜି ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ନିଜ ମତ ରଖି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ଯେ‌ତେବେ‌ଳେ ପଦ୍ମପୁରର ଲୋକପ୍ରିୟ ବିଧାୟକ ବିଜୟ ରଂଜନ ସିଂ ବରିହା ପ୍ରାଣ ହରାଇଲେ, ପଦ୍ମପୁରବାସୀ ଚାହିଁଲେ ତାଙ୍କ ଝିଅ ବର୍ଷା ସିଂ ବରିହା ରାଜନୀତିରେ ପ୍ରବେଶ କରନ୍ତୁ ଏବଂ ପଦ୍ମପୁର ପାଇଁ ତାଙ୍କ ବାପା ଦେଖିଥିବା ସ୍ୱପ୍ନକୁ ପୂରଣ କରନ୍ତୁ। ଆଉ ପଦ୍ମପୁରରେ ଉପନିର୍ବାଚନ ଘୋଷଣା ହେବା ପରେ ବର୍ଷା ରାଜନୀତିରେ ପ୍ରବେଶ କରି ଲୋକଙ୍କ ସେବା କରିବାକୁ ସ୍ଥିର କଲେ।

ମାତ୍ର ଓଡ଼ିଶା ବିଜେପିର ନେତାମାନେ ବର୍ଷାଙ୍କୁ ରାଜନୈତିକ ଭାବେ ସମାଲୋଚନା କରିବା ପରିବର୍ତ୍ତେ ବ୍ୟକ୍ତିଗତ ସ୍ତର‌କୁ ଯାଇ ତାଙ୍କୁ କଟୁ ଆକ୍ଷେପ ଓ ଆକ୍ରମଣ କଲେ। ତାଙ୍କ ବିରୋଧରେ ଅତ୍ୟନ୍ତ ନିମ୍ନ ରୁଚିର ଅଶାଳୀନ ଶବ୍ଦ ବ୍ୟବହାର କଲେ, ଯାହାକି ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ନୁହେଁ। କେବଳ ସେତିକି ନୁହେଁ, ତାଙ୍କୁ ଟାର୍ଗେଟ କରି ସେମାନେ ଏମିତି କିଛି ମହିଳା ବିରୋଧୀ ମନ୍ତବ୍ୟ ମଧ୍ୟ ଦେଲେ, ଯାହାକି ଅଧିକ ଯନ୍ତ୍ରଣାଦାୟକ ଥିଲା।

ଅନ୍ୟ କେହି ନୁହନ୍ତି, ଜୟନାରାୟଣ ମିଶ୍ର, ପ୍ରଦୀପ ପୁରୋହିତଙ୍କ ଭଳି ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ତଳ ସ୍ତରକୁ ଯାଇ ଏଭଳି ମନ୍ତବ୍ୟ ଦେଉଥିଲେ। ସ୍ୱାଭାବିକ ଭାବେ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଏଭଳି କହିବାକୁ ସେମାନଙ୍କୁ ଉସୁକାଉଥିଲେ। ସେମାନଙ୍କର ଏଭଳି ଆଚରଣ ଓ ଉଚ୍ଚାରଣ ବ୍ୟକ୍ତିଗତ ଭାବେ ବର୍ଷା ଏବଂ ତାଙ୍କ ପରିବାର ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଆମେ କେହି ବିଶ୍ୱାସ କରିପାରୁ ନ ଥିଲୁ ଯେ ଓଡ଼ିଶା ବିଜେପିର ନେତାମାନେ ଏତେ ତଳ ସ୍ତରକୁ ଖସି ଯାଇ ପାରନ୍ତି। ମାତ୍ର ନିର୍ବାଚନରେ ଲଢ଼େଇ ପାଇଁ ଏହା ବର୍ଷାଙ୍କୁ ଅଧିକ ସଶକ୍ତ କରିଥିଲା।

ଶ୍ରୀମତୀ ମିଶ୍ର ଆହୁରି କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନରେ କରିଥିବା ତ୍ରୁଟିରୁ ବିଜେପି ନେତାମାନେ କିଛି ଶିକ୍ଷା ଲାଭ କରିପାରିଲେନି। ଏବେ ପ୍ରଦୀପ ପୁରୋହିତଙ୍କ ଭଳି ବିଜେପି ନେତାମାନେ ଝାରସୁଗୁଡ଼ାରେ ଉପନିର୍ବାଚନ ଲଢ଼ୁଥିବା ଦୀପାଳି ଦାସଙ୍କ ବିରୋଧରେ ଅନୁରୂପ ଭାବେ ବ୍ୟକ୍ତିଗତ ଆକ୍ଷେପମୂଳକ ଏବଂ ବିଦ୍ୱେଷପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି।

ଦୀପାଳି ଓ ତାଙ୍କ ପରିବାର ଏହାକୁ ନେଇ କେତେ ମାନସିକ ଯନ୍ତ୍ରଣା ପାଉଥିବେ, ତାହା ସହଜରେ ଅନୁମେୟ। ଆମେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ବିଜେପିର ଅନ୍ୟ ନେତାମାନଙ୍କୁ ପଚାରିବାକୁ ଚାହୁଁ, ସେମାନଙ୍କର ମଧ୍ୟ ଝିଅ, ଭଉଣୀ ଏବଂ ପରିବାରରେ ଅନ୍ୟ ମହିଳାମାନେ ଅଛନ୍ତି। ଯଦି କେହି ସେମାନଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦିଏ, ସେମାନଙ୍କୁ କେମିତି ଲାଗିବ ?

ବିଜେପି ନେତାମାନଙ୍କୁ ଚେତାବନୀ ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଏସବୁ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ବିରୋଧୀ। ଦୟାକରି ଏଭଳି କୁକର୍ମ ବନ୍ଦ କରନ୍ତୁ। ଓଡ଼ିଶାର ମହିଳାମାନଙ୍କୁ ଏମିତି ଲାଞ୍ଛିତ କରିବା ଏବଂ କୁତ୍ସା ରଟନା କରୁଥିବା ଓଡ଼ିଶା ବିଜେପି ଏବଂ ଏହାର ନେତାମାନଙ୍କୁ ଓଡ଼ିଶାବାସୀ କେବେ ବି କ୍ଷମା ଦେବେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ତତଲା କଡେଇରେ ଡହଳ ବିକଳ ଓଡିଶା: ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ଵର: ଆଜି ମଧ୍ୟ ତତଲା କଡେଇରେ ଓଡିଶା ଡହଳ ବିକଳ ହେଉଛି। ବଢୁଥିବା ତାପମାତ୍ରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ତେବେ ସବୁ ଦିନ ଭଳି ଆଜି ମଧ୍ୟ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ତାପମାତ୍ରାର ଅପଡେଟ ଜାରି କରାଯାଇଛି। ଆଜି ୧୧.୩୦ ପର୍ଯ୍ୟନ୍ତ କେଉଁ ସହରରେ କେତେ ତାପମାତ୍ରା ରେକର୍ଡ କରାଯାଇଛି, ତାହା ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଦିନ ୧୧.୩୦ ସୁଦ୍ଧା ଓଡିଶାର ସବୁଠୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡା ରେକର୍ଡ କରିଛି। କିନ୍ତୁ ଗତକାଲି ଏହି ସମୟ ମଧ୍ୟରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ଭାବେ ରାଜଧାନୀ ଭୁବନେଶ୍ବର ରେକାର କରିଥିଲା। ଆଜି ଝାରସୁଗୁଡାରେ ଦିନ ୧୧.୩୦ ସୁଦ୍ଧା ୪୦.୮ ଡିଗ୍ରୀ ଥିବା ବେଳେ କେନ୍ଦୁଝରରେ ୩୯.୨ ଡିଗ୍ରୀ, ଭୁବନେଶ୍ବରରେ ୩୯.୦ ଡିଗ୍ରୀ, ସମ୍ବଲପୁରରେ ୩୯.୦ ଡିଗ୍ରୀ, ବାଲେଶ୍ବରରେ ୩୭.୮ ଡିଗ୍ରୀ, ହୀରାକୁଦରେ ୩୭.୮ ଡିଗ୍ରୀ, ଚାନ୍ଦବାଲିରେ ୩୭.୪ ଡିଗ୍ରୀ, ପୁରୀରେ ୩୪ ଡିଗ୍ରୀ, ଗୋପାଳପୁରରେ ୩୩.୬ ଡିଗ୍ରୀ ଏବଂ ପାରାଦୀପରେ ୩୨.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଉଲ୍ଲେଖ ଥାଉ କି ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାରୁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଆଜି ଏବଂ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିରାଟ ଶୋଭାଯାତ୍ରା ଭିତରେ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଦୀପାଳି ଦାସ

ଝାରସୁଗୁଡା/ଭୁବନେଶ୍ବର: ଆଜି ଏକ ବିରାଟ ଶୋଭାଯାତ୍ରାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଶୋଭାଯାତ୍ରାରେ ଦଳର ବରିଷ୍ଠ ନେତା ଓ ହଜାର ହଜାର କର୍ମି ସାମିଲ ହୋଇଥିଲେ। କହିବାକୁ ଗଲେ ବିଜେଡି ଆଜି ନାମାଙ୍କନ ଦାଖଲ ବେଳେ ପ୍ରଦର୍ଶିତ କରିଛି ଏହାର ଶକ୍ତି। ଯାହା ସେହି ଉପନିର୍ବାଚନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା। ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିବା ପାଇଁ ଖୋଦ୍ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଦଳ ବିଜ୍ଞପ୍ତି ପ୍ରକାଶ କରିଥିଲା। ତେବେ ତା ପୂର୍ବରୁ ଦୀପାଳି ସେହି ଅଞ୍ଚଳରେ ନିଜର ପ୍ରଚାର ଆରମ୍ଭ କରିଦେଇଥିଲେ।

ଦୀପାଳି ମନମୋହନ ସ୍କୁଲରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକଙ୍କ ସହ ପ୍ରତାପ ଜେନା, ମନ୍ତ୍ରୀ ରୀତା ସାହୁ ପ୍ରମୁଖ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ। ନାମାଙ୍କନ ଦାଖଲ ପୂର୍ବରୁ ଦୀପାଳି ମା ପାଟଣେଶ୍ବରୀ, ଶ୍ରୀଗଣେଶ ଓ ମହାଦେବଙ୍କ ଦର୍ଶନ କରିଥିଲେ।

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଏହି ଝାରସୁଗୁଡାରେ ଉପନିର୍ବାଚନ ହେଉଛି। ଏଥିରେ ଖୋଦ ନବ ଦାସଙ୍କ ଝିଅ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଟଙ୍କଧର ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କଂଗ୍ରେସରୁ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ପୁଅ ତରୁଣ ପାଣ୍ତେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ଆସନ୍ତା ମଇ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ। ଏପ୍ରିଲ ୨୦ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଏପ୍ରିଲ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି। ମଇ ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଦିନ ୧୧.୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ହେଲା ଝାରସୁଗୁଡା, ଜାଣନ୍ତୁ ରାଜଧାନୀରେ କେତେ ତାପମାତ୍ରା

ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମେଘମୁକ୍ତ ଆକାଶ, ସୂର୍ଯ୍ୟଙ୍କ ପ୍ରଖର କିରଣ, ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ହ୍ରାସ ଏବଂ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଥିବା ଗରମ ଶୁଷ୍କ ପବନ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ଆଜି ଦିନ ୧୧.୩୦ ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡାରେ ୩୯.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ବାଲେଶ୍ୱର ଓ ଚାନ୍ଦବାଲିରେ ୩୯ ଡ଼ିଗ୍ରୀ ଲେଖାଏଁ, ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୮.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୬ ଡ଼ିଗ୍ରୀ, ହୀରାକୁଦରେ ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ ଡ଼ିଗ୍ରୀ, ପୁରୀରେ ୩୩.୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୩ ଡ଼ିଗ୍ରୀ ତାପମାତ୍ରା ରେକରଦ କରାଯାଇଛି।

ତେବେ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଝାରସୁଗୁଡା ବିଶ୍ବର ପଞ୍ଚମ ଉତ୍ତପ୍ତ ସହର ହୋଇଥିଲା। ଅନ୍ୟପଟେ ୧୬ ତାରିଖରେ ପାଗରେ ପରିବର୍ତ୍ତନ ହେବା ସହ ରାଜ୍ୟର କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି।

ବଙ୍ଗୋପସାଗରରୁ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେବ। ପ୍ରଭାବରେ ଉତ୍ତର ଉପକୂଳ ସହ ଖୋର୍ଦ୍ଧା, ନୟାଗଡା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ନିର୍ଦ୍ଦେଶକଙ୍କ ନେତୃତ୍ଵରେ ପ୍ରତିନିଧି ଦଳର ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ା ଗସ୍ତ

ଭୁବନେଶ୍ଵର: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଆଜି କୁତ୍ର ଓ ଝାରସୁଗୁଡ଼ା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ତଥା ଝାରସୁଗୁଡ଼ା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟକୁ ଗସ୍ତ କରିଛି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ମେସିନ ଲର୍ନିଂ’, ‘ବିଗ୍ ଡାଟା ଆନାଲିଟିକ୍ସ’ ଏବଂ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ ପରି ଆଧୁନିକ ସମୟର ଜ୍ଞାନକୌଶଳ ବିଷୟରେ ଧାରଣା ସୃଷ୍ଟି କରିବା, ଯାହା କରିବା  ଅନୁଷ୍ଠାନ ଦ୍ଵାରା ଆୟୋଜିତ ଜନ ଭାଗୀଦାରୀ ଅଭିଯାନର ଏକ ଅଂଶବିଶେଷ।

ଏହି ଶୈଖିକ ଅଧିବେଶନରେ ପ୍ରଫେସର ଅନୁପ ନନ୍ଦୀ ଓ ପ୍ରଫେସର ରତ୍ନାକର ଦାସ ‘ କମ୍ପ୍ୟୁଟର ସୃଷ୍ଟ ଫଟୋ’, ‘ ଭର୍ଚୁଆଲ ପରିବେଶ ନିର୍ମାଣ’, “ କୁତ୍ରିମ ବୁଦ୍ଧିମତା ସହାୟତାରେ ଲୋକଙ୍କ ଭାବଭଙ୍ଗୀ ବୁଝିବା”, “ କମ୍ପ୍ୟୁଟର ସହାୟତାରେ କୌଣସି ଜିନିଷକୁ ଚିହ୍ନିବା” ପରି ଅନେକ ବିଷୟ ଉପରେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ। ଏହା ସହ ସେମାନେ ଶିକ୍ଷାର୍ଥୀମାନଙ୍କୁ ମେସିନ ଲର୍ନିଂର କାର୍ଯ୍ୟଶୈଳୀ ବିଷୟରେ ବୁଝାଇଥିଲେ। ଅନୁଷ୍ଠାନର ରେଜିଷ୍ଟ୍ରାର ପ୍ରଫେସର ରୋହନ ଧିମାନ ମଧ୍ୟ ଏହି ଗସ୍ତର ଏକ ଅଂଶ ରୂପରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହ କିପରି କୁତ୍ରିମ ବୁଦ୍ଧିମତା ବିଜ୍ଞାନର ବିଭିନ୍ନ କ୍ଷେତ୍ରକୁ ବିକାଶପଥରେ ଆଗେଇ ନେଇଛି ତା ବିଷୟରେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ।

ଭାରତୀୟ ଜି-୨୦ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ନିର୍ଦ୍ଦେଶକ ପ୍ରଫେସର ରାଓ ଉପସ୍ଥିତ ଶିକ୍ଷକ, କର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଥିଲେ, “ ଏକା ସମୟରେ ଅନେକ କାର୍ଯ୍ୟକୁ ସମ୍ଭାଳିବାର କଳା ଆମକୁ ଶିଖିବାକୁ ପଡିବ। ବର୍ତ୍ତମାନ ସମୟର ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଆଗାମୀ ଭବିଷ୍ୟତରେ ବିଭିନ୍ନ କାର୍ଯ୍ୟ କରିବାର ଶୈଳୀକୁ ବଦଳାଇଦେବ , ଯାହାପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଭାରତୀୟ ଜି-୨୦ ଆମକୁ ନିଜର ଏହି ଉନ୍ନତ ଜ୍ଞାନକୌଶଳକୁ ବିଶ୍ଵ ସମ୍ମୁଖରେ ଦେଖାଇବା ପାଇଁ ସୁଯୋଗ ଦେଇଛି। ଏନ,.ଆଇ.ଟି. ରାଉରକେଲା ଜନ ଭାଗୀଦାରୀ ଅଭିଯାନର ଅଂଶୀଦାର ହୋଇପାରିଛି, ଏହା ଆମ ପାଇଁ ଗର୍ବର ବିଷୟ । ଅଭିଯାନର ସାମୁହିକ ଲକ୍ଷ୍ୟକୁ ପୁରା କରିବାରେ ସାହାଯ୍ୟ କରିଥିବାରୁ ମୁଁ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହାର ନବୋଦୟ ବିଦ୍ୟାଳୟ ପରି ଅଂଶଗ୍ରହଣକାରୀ ଅନୁଷ୍ଠାନମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି।“

ନିର୍ଦ୍ଦେଶକ ପ୍ରଫେସର ରାଓଙ୍କ ନେତୃତ୍ଵରେ ଅନୁଷ୍ଠାନର ସଦସ୍ୟ ଦଳ ଆସନ୍ତାକାଲି ବରଗଡ଼ର କେନ୍ଦ୍ରୀୟ ବିଦ୍ୟାଳୟ ତଥା ବିକାଶ ଅନୁଷ୍ଠାନ ଗସ୍ତ କରିବ । ତାଙ୍କ ଅନୁପସ୍ଥିତି ଯୋଗୁଁ ପ୍ରଭାରୀ ନିର୍ଦ୍ଦେଶକ ପ୍ରଫେସର ସିଦ୍ଧାର୍ଥ ଏସ. ଜେନା ଆଜି ସନ୍ଧ୍ୟାରେ ହେବାକୁ ଥିବା ଝୋଟି ଓ ମୁଖଚିତ୍ରଣ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଜନମାନସରେ ଭାରତୀୟ ସଂସ୍କୃତି ଓ ଐତିହ୍ୟ ପ୍ରତି  ଆକର୍ଷଣ ବୃଦ୍ଧି କରିପାରିଛି ।  ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ  ନିଜ ରଙ୍ଗତୂଳୀ ମାଧ୍ୟମରେ ଭାରତୀୟ ଜି-୨୦ର ବିଭିନ୍ନ ଦିଗକୁ ଦର୍ଶାଇଥିଲେ । ଜି-୨୦ କାର୍ଯ୍ୟକ୍ରମର ନୋଡ଼ାଲ ଅଧିକାରୀ ପ୍ରଫେସର ସ୍ନେହାଶିଷ ଚକ୍ରବର୍ତ୍ତୀ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ଓ ଦର୍ଶକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।