Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଟ୍ ଡାଉନ୍ ରେ ଚାଲିଥିଲା ଜୁଆ ଖେଳ: ୭ ଜୁଆଡିଙ୍କୁ ବାନ୍ଧିଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ସଟ୍ ଡାଉନ୍ ରେ ଲୋକେ ଘରେ ରହୁଥିବା ବେଳେ ଜୁଆଡି ବେଧଡକ ଭାବେ ଜୁଆ ଖେଳୁଥିବା ଦେଖାଯାଉଛି। ଜୁଆଡିମାନଙ୍କୁ ନା ରହୁଛି କରୋନା ମହାମାରୀର ଚିନ୍ତା ନା ପରିବାର ଚଳାଇବାର ସେମାନଙ୍କ ପାଖେ ନୈତିକ ଦାୟିତ୍ୱ ରହିଛି। ଜୁଆଡିମାନେ ବାରମ୍ବାର ଜୁଆ ଖେଳି ସର୍ବସ୍ୱାନ୍ତ ହେଉଥିଲେ ବି ସେଥିପ୍ରତି ନିଘା ନାହିଁ। ତେଣୁ ସେହି ଜୁଆଡିମାନଙ୍କ ଉପରେ ପୋଲିସ କଡା ନଜର ରଖୁଥିବା ବେଳେ ସେମାନଙ୍କୁ ଗିରଫ ମଧ୍ୟ କରୁଛି। ହେଲେ ଏଭଳି ଅସାମାଜିକ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ସେମାନେ ଆଦୌ ପ୍ରୟାସ କରୁନାହାନ୍ତି।

ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ପ୍ରବଳ ମାତ୍ରାରେ ଜୁଆ ଆଡ୍ଡା ଚାଲୁଥିବା ଦେଖାଯାଉଛି। ପୋଲିସ ବାରମ୍ବାର ସେହି ଜୁଆ ଆଡ୍ଡା ଉପରେ ଚଢାଉ କରି ଏହି ମହାମାରୀ ସମୟରେ ଅନେକ ଜୁଆଡିଙ୍କୁ ଗିରଫ କରୁଛି।

ଜୁଆ ଖେଳ ଚାଲିଥିବା କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଜୁଆଡିମାନଙ୍କୁ ଧରିବା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଟାଙ୍ଗୀ ଥାନା ଉଗ୍ରତାରା ନିକଟସ୍ଥ କନ୍ତଳବାଇ ଜଙ୍ଗଲରେ ଦୀର୍ଘ ଦିନ ଧରି ଜୁଆ ଆଡ୍ଡା ଚାଲିଥିବାର ପୋଲିସ ଜାଣିପାରିଥିଲା। ସେହି ଜୁଆ ଆଡ୍ଡା ଉପରେ ବାରମ୍ବାର ଚଢାଉ କରାଯାଉଥିଲେ ମଧ୍ୟ ଜଙ୍ଗଲ ରାସ୍ତା ଦେଇ ଜୁଆଡିମାନେ ଖସି ପଳାଇଯିବା ପାଇଁ ସକ୍ଷମ ହେଉଥିଲେ।

କିନ୍ତୁ ଏଥର ଯୋଜନା ମୁତାବକ ଜୁଆଡିମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ଉକ୍ତ ଚଢାଉରେ ୭ ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିବା ସହ ନକଦ ୩ ହଜାର ଟଙ୍କା, ୫ ଟି ବାଇକ ଏବଂ ଦୁଇଟି ସାଇକେଲକୁ ଜବତ କରିଛି। ଗିରଫ ଜୁଆଡିମାନଙ୍କ ବିରୋଧରେ ୩ ଓପିଜି ଆଇନ ଅନୁଯାୟୀ ଟାଙ୍ଗୀ ଥାନାରେ କେସ ନମ୍ବର ୨୪୦/୨୧ ରେ ମାମଲା ରୁଜୁ ହୋଇଥିବାର ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି।

ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ଓ ଟାଙ୍ଗୀ ଥାନା ଆଇଆଇସି ବିଜୟ ମଲିକଙ୍କ ନେତୃତ୍ଵରେ ଏହି ଚଢାଉ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆ ଆଡ୍ଡା ଉପରେ ଚଢାଉ କଲା ଟାଙ୍ଗୀ ପୋଲିସ: ୮ ଜୁଆଡି ଗିରଫ, ୭୨ ହଜାରରୁ ଊର୍ଦ୍ଧ୍ଵ ଟଙ୍କା ଜବତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଜୁଆ ଆଡ୍ଡା ଉପରେ ବ୍ରେକ୍ ଲଗାଇବା ପାଇଁ ଟାଙ୍ଗୀ ପୋଲିସର ଲଗାତାର ଚଢାଉ ଜାରି ରହିଛି। ଦୁଇଟି ସ୍ଥାନରେ ଚଢାଉ କରି ୮ ଜୁଆଡିକୁ ଗିରଫ କରିବା ସହ ୭୨ ହଜାରରୁ ଊର୍ଦ୍ଧ୍ଵ ଟଙ୍କା ପୋଲିସ ଜବତ କରିଛି।

ପୋଲିସର ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବେଣୀ ପଥର ଓ ମଙ୍ଗଳା ଯୋଡି ଜୁଆ ଆଡ୍ଡାରେ ବେଧଡକ ଜୁଆ ଖେଳ ଚାଲିଥିଲା। ବାରମ୍ବାର ଏହି ଜୁଆ ଆଡ୍ଡା ଉପରେ ଚଢାଉ ପାଇଁ ସାଧାରଣରେ ଦାବି ହୋଇ ଆସୁଥିଲା। ହେଲେ ପୋଲିସ୍ ଚଢାଉ କରୁଥିଲେ ହେଁ ଘଞ୍ଚ ଜଙ୍ଗଲ ଯୋଗୁଁ ଜୁଆଡି ମାନଙ୍କୁ ପୋଲିସ୍ ଧରିଵାରେ ସଫଳ ହୋଇ ପାରୁନଥିଲା।

ତେବେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଓ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ଏକ ସ୍ୱତନ୍ତ୍ର କୌଶଳ ଜରିଆରେ ଜୁଆ ଆଡ୍ଡା ଉପରେ ଚଢାଉ କରି ସଫଳ ହୋଇଥିଲେ। ଏଥିରେ ୮ ଜଣ ଜୁଆଡିଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ଏହାସହ ଜୁଆଡି ମାନଙ୍କ ଠାରୁ ୭୨ ହଜାର ଟଙ୍କା, ୪ ବାଇକ ଓ ଗୋଟିଏ ସାଇକେଲକୁ ମଧ୍ୟ ପୋଲିସ ଜବତ କରିଛି।

ଏ ସଂକ୍ରାନ୍ତରେ ଟାଙ୍ଗୀ ପୋଲିସ ତିନି ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୨୦୦ ଏବଂ ୨୦୧ ରେ ଦୁଇ ଗୋଟି ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ପୋଲିସ ଜବତ କଲା ଗୋରୁ ବୋଝେଇ କଣ୍ଟେନର: ଉଦ୍ଧାର କଲା ୬୯ ଗାଈ, ଜଣେ ଗିରଫ

ସୀତାରମ ଅଗ୍ରୱାଲ

ଟାଙ୍ଗୀ: ବର୍ତ୍ତମାନ ବେଆଇନ ଗୋରୁ ଚାଲାଣକାରୀଙ୍କ ହବ ଖୋର୍ଦ୍ଧା ଜିଲ୍ଲା ପାଲଟିଥିବା ବେଳେ ଗୋମାଫିଆଙ୍କୁ ଧରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଛି। ଗତ ଏକ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୋଲିସ ଦ୍ୱାରା ଶତାଧିକ ଗୋରୁ ଉଦ୍ଧାର ହୋଇଥିବାବେଳେ ଗତକାଲି ଏକାକୀ ଟାଙ୍ଗୀ ପୋଲିସ ପାଖାପାଖି ୬୯ ଗୋରୁଙ୍କୁ ଉଦ୍ଧାର କରିଛି। ଏବଂ ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।

ଟାଙ୍ଗୀ ଥାନା ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଏକ ବଡ଼ କଣ୍ଟେନରରେ ଏକାଧିକ ଗୋରୁଚାଲାଣ ହେଉଥିବାର ଖବର କୌଣସିସୂତ୍ରରୁ ଗତକାଲି ବାଲୁଗାଁ ଏସଡ଼ିପିଓ ପାଇଥିଲେ। ଏହି ପରିପ୍ରେକ୍ଷୀରେ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ, କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ପାଖାପାଖି ରାତି ୧୨ ଘଟିକାରେ ଉକ୍ତ ଟିମ ଓଡ଼ି-୦୨-କ୍ୟୁ-୭୫୮୬ ନମ୍ବର ବିଶିଷ୍ଟ ଏକ କଣ୍ଟେନରକୁ ଦୀକ୍ଷିତପଡ଼ା ଗ୍ରାମରୁ ଜବତ କରିଥିଲା। ଉକ୍ତ କଣ୍ଟେନରରୁ ୬୯ ଗୋରୁଙ୍କୁ ପୋଲିସ ଉଦ୍ଧାର କରିବା ସହ ଗାଡି ଚାଳକଙ୍କୁ ଗିରଫ କରିଛି। ୬୯ ଗୋରୁଙ୍କ ମଧ୍ୟରୁ ୧୬ ଟି ଗୋରୁ ମୃତ ହୋଇଥିବା ବେଳେ ଅବଶିଷ୍ଟ ଗୋରୁଙ୍କୁ କଟକ ଚୌଦ୍ଵାର ନନ୍ଦ ଗାଁ ଗୋଶାଳକୁ ପୋଲିସ ଜିମା ଦେଇଛି। ତେବେ ମୃତ ଗୋରୁଙ୍କ ପୋଲିସ ଅନ୍ତିମ ସଂସ୍କାର କରିଛି।

ଏସଂକ୍ରାନ୍ତରେ ଟାଙ୍ଗୀ ପୋଲିସ କେସ ନମ୍ବର ୧୯୪/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛି ବୋଲି ଆଇଆଇସି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ତେବେ ଟାଙ୍ଗୀ ପୋଲିସ ଦ୍ୱାରା ଏତେ ପରିମାଣରେ ଗୋରୁ ଉଦ୍ଧାର ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ଘଟଣା।

ସୂଚନା ଥାଉକି ଟାଙ୍ଗୀ ଥାନାରେ ନୂତନ ଆଇଆଇସି ବିଜୟ କୁମାର ମଲ୍ଲିକ ଯୋଗଦେବା ପରଠାରୁ ଉକ୍ତ ଅଞ୍ଚଳରେ ଅପରାଧିକ ଗତିବିଧି ଉପରେ ଧୀରେ ଧୀରେ ଲଗାମ ଲାଗୁଥୁବାର ଦେଖାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆ ଆଡ୍ଡା ଉପରେ ଚଢାଉ କରି ୫ ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ      

ଟାଙ୍ଗୀ: ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ଏବେ ଲକ୍ ଡାଉନ୍ ସଟ୍ ଡାଉନ୍ କଟକଣା ଜାରି ରହିଛି। ଏହାର ସୁଯୋଗ ନେଇ କିଛି ଜୁଆଡି ଜୁଆ ଖେଳରେ ମାତିଯାଇଛନ୍ତି। ଏହି ସମୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସେହି ଗ୍ରାମରେ କିଛି ଅମାନିଆ ଜୁଆ ଆଡ୍ଡା ଚଳାଇଥିଵା  ଖବର ପାଇଥିଲା ପୋଲିସ୍। ଟାଙ୍ଗୀ  ଆଇଆଇସି ବିଜୟ କୁମାର ମଲ୍ଲିକ ଓ ତାଙ୍କ ଟିମ୍ ଏନେଇ ତଦନ୍ତ ଆରମ୍ଭ କରିଦେଇଥିଲେ।

ତଦନ୍ତ ସମୟରେ ଉକ୍ତ ଗ୍ରାମର ଏକ କୋଠା ଘରେ ଜୁଆ ଖେଳ ଚାଲିଥିବାର ଦେଖିବାକୁ ପାଇଥିଲେ। ସେଠାରେ ତୁରନ୍ତ ଚଢାଉ କରି ଜୁଆଡିମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ସମ୍ପୃକ୍ତ ଅଞ୍ଚଳରୁ ୫ ଜୁଆଡିଙ୍କୁ ଗିରଫ କରିବା ସହ ୧୬୮୦୦ ଟଙ୍କା ଏବଂ ୪ ଟି ମୋବାଇଲ୍ ପୋଲିସ ଜବତ କରିଥିଲା। ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୧୮୪/୨୧ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଟାଙ୍ଗୀ ଥାନା ପୋଲିସ୍ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକଡାଉନରେ ମାତିଲେ ଚୋର: ଦୁଇଟି ବାଇକ ଜବତ କରିବା ସହ ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଅସମାଜିକ ଯୁବକମାନଙ୍କ ପାଇଁ ଲକଡାଉନ ଏକ ଭଲ ସୁଯୋଗ ନେଇଆସିଛି। ଏହି ସମୟରେ ସବୁ କିଛି ବନ୍ଦ ଯୋଗୁଁ ରାସ୍ତା ଘାଟ ଜନଶୂନ୍ୟ ରହୁଛି। ତେଣୁ ଏହାର ସୁଯୋଗ ନେଇ ଅସମାଜିକ କାର୍ଯ୍ୟକଳାପରେ କିଛି ଯୁବକ ଲିପ୍ତ ରହୁଛନ୍ତି। କେଉଁଠି ଚୋରୀ ହେଉଥିବା ଘଟଣା ସାମ୍ନାକୁ ଆସୁଛି ତ କେଉଁଠି ନିଶା କାରବାର ଏବଂ କେଉଁଠି ବେଆଇନ ଗୋଚାଲାଣ ହେଉଥିବା ଖବର ଶୁଣିବାକୁ ମିଳୁଛି। ତେବେ ଏହି ସମୟରେ ଟାଙ୍ଗୀ ଅଞ୍ଚଳରେ ମଧ୍ୟ ବାଇକ ଚୋରୀ ଘଟଣା ଶୁଣିବାକୁ ମିଳିଛି। କିନ୍ତୁ ଟାଙ୍ଗୀ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିବା ସହ ଜଣଙ୍କୁ ଗିରଫ କରିଛି।

ମିଳିଥିବା ଖବର ମୁତାବକ, ଟାଙ୍ଗୀ ଥାନା ଅନ୍ତର୍ଗତ ଶୋରଣ ବଜାରରେ ଦୁଇ ଜଣ ବ୍ୟକ୍ତି ନିଜ ନିଜର ଗାଡି ରଖି କିଛି ଆବଶ୍ୟକୀୟ ଜିନିଷ କିଣୁଥିବା ବେଳେ ଦୁଇଟି ଯାକ ବାଇକକୁ କେହି ଚୋରୀ କରି ନେଇଥିବା ଜାଣିପାରିଲେ। ତେଣୁ ବାଇକ ମାଲିକ ଦ୍ୱୟ ତୁରନ୍ତ ଏବିଷୟରେ ଟାଙ୍ଗୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ସଙ୍ଗେସଙ୍ଗେ ପଦକ୍ଷେପ ସ୍ୱରୂପ ଅଞ୍ଚଳର ଚାରି ପଟେ ଘେରବନ୍ଦୀ କରିଥିଲା। ଯାହାଫଳରେ ବାଇକ ଦୁଇଟିକୁ ଅନ୍ୟତ୍ର ନେବା ପାଇଁ ଚୋର ସକ୍ଷମ ହୋଇପାରିନଥିଲା। ଟାଙ୍ଗୀ ପୋଲିସ ଦୁଇଟି ଯାକ ବାଇକକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

କିନ୍ତୁ ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ପୂର୍ବରୁ ଏଭଳି କେତୋଟି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ଜାଣିପାରିଛି। ଅଭିଯୁକ୍ତଙ୍କ ବିରୋଧରେ କେସ ନମ୍ବର ୧୭୯/୨୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଆଗକୁ ଏଭଳି କାର୍ଯ୍ୟକଳାପ ଉପରେ କଡା ନଜର ରଖାଯିବ ଏବଂ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଘରେ ଶୋଇଥିବା ବେଳେ ୬ ବର୍ଷ ଝିଅର ସନ୍ଦେହଜନକ ମୃତ୍ୟୁ: ତଦନ୍ତ ଆରମ୍ଭ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଘରେ ଶୋଇଥିବା ବେଳେ ୬ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ହେଲେ ମୃତ୍ୟୁର କାରଣ ଜଣାପଡିନାହିଁ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଗୋଡିପାଟଣା ସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ ଗୋଡିପାଟଣା ସାହିର ରବି ପ୍ରଧାନଙ୍କ ୬ ବର୍ଷର ଝିଅ ଇତି ଘରେ ଶୋଇଥିବା ବେଳେ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଶିଶୁଟିକୁ ମୃତ୍ୟୁ ଘୋଷଣା କରିଥିଲେ।

କିନ୍ତୁ ମୃତ୍ୟୁର କାରଣ ଏଯାଏଁ ଜଣାପଡିନଥିବା ବେଳେ ଇତିର ବେକରେ ଏକ ସରୁ ଦାଗ ଟିଏ ଦେଖି ଡାକ୍ତର ସନ୍ଦେହ କରିଥିଲେ। ତେଣୁ ସନ୍ଦେହ କରି ପୋଲିସକୁ ଡାକ୍ତର ତୁରନ୍ତ ଖବର ଦେଇଥିଲେ। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପହୃତା ଦୁଇ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କଲା ଟାଙ୍ଗୀ ପୋଲିସ: ଦୁଇ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ୨୪ ଘଣ୍ଟା ମଧ୍ୟରେ ଅପହୃତା ଦୁଇ ନାବାଳିକାଙ୍କୁ ଟାଙ୍ଗୀ ପୋଲିସ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରିଛି। ଏହାସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା କୁହୁଡି ଅଂଚଳର ୨ ଜଣ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ସେହି ଗାଁର ୨ ଜଣ ଯୁବକ ଅପହରଣ କରି ନେଇଥିଲେ। ଅପହରଣ ହୋଇଥିବା ନେଇ ପରିବାର ଲୋକେ ଗତ ୧ ତାରିଖରେ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହୋଇ ପୋଲିସ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଉଭୟ ଅପହରଣକାରୀ ନାବାଳିକା ଦ୍ୱୟଙ୍କୁ ଟ୍ରେନରେ ଆନ୍ଧ୍ର ପ୍ରଦେଶ ନେଉଥିବା ପୋଲିସ୍ ଜାଣିବାକୁ ପାଇଥିଲା।

ତେଣୁ ଆନ୍ଧ୍ର ପୋଲିସ୍ ଓ ରେଳବାଇ ପୋଲିସ୍ ସହାୟତାରେ ନାଵାଳିକା ଦ୍ୱୟଙ୍କୁ ବିଶାଖାପାଟଣାମ୍ ନିକଟସ୍ଥ ଟୁନି ଷ୍ଟେସନରୁ ପୋଲିସ୍ ଉଦ୍ଧାର କରିଥିଲା। ଏହା ସହ ନାବାଳିକା ଅପହରଣ ଅଭିଯୋଗରେ ସୋରଣ ଗ୍ରାମର ୨ ଅପହରଣକାରୀ ଯୁବକ ଵିକ୍ରମ ନାୟକ ଓ ପ୍ରତାପ ବେହେରାଙ୍କୁ ଗିରଫ କରିବାରେ ପୋଲିସ୍ ସକ୍ଷମ ହୋଇଛି। ନାବାଳିକାଦ୍ୱୟଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ୍।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଏକ ସଡକ ଦୁର୍ଘଟଣା: କୁହୁଡି ନିକଟସ୍ଥ କୟଥପଲ୍ଲା ଛକ ନିକଟରେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଗତକାଲି ପୁଣି ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। କୌଣସି ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ରଣଜିତ୍ ପ୍ରଧାନ(୨୨) ଗତକାଲି ବିଳମ୍ବିତ ରାତିରେ ତାଙ୍କ ବନ୍ଧୁଙ୍କୁ ଛାଡିବା ପାଇଁ ବାଇକ ଯୋଗେ କୁହୁଡି ଯାଇଥିଲେ। ବନ୍ଧୁଙ୍କୁ ଛାଡି ଫେରୁଥିବା ବେଳେ କୟଥପଲ୍ଲା ଛକ ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ରଣଜିତଙ୍କ ମୁଣ୍ଡ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ସେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ।

ଖବର ପାଇ ଟାଙ୍ଗୀ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ରଣଜିତଙ୍କ ମୃତ ଦେହକୁ ଉଦ୍ଧାର କରିଥିଲା। ତଦନ୍ତ ଚାଲିଥିଲେ ମଧ୍ୟ ଧକ୍କା ଦେଇ ଫେରାର ହୋଇଥିବା ଗାଡିର ଏଯାଏଁ କୌଣସି ସନ୍ଧାନ ମିଳିପାରିନାହିଁ ବୋଲି ଟାଙ୍ଗୀ ଆଇଆଇସି ସରୋଜ ଉପାଧ୍ୟୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚଣ୍ଡେଶ୍ଵର ଛକରେ ବାଇକ୍ କୁ ପିଟିଲା ଯାତ୍ରୀବାହୀ ବସ୍: ଜଣେ ଗୁରୁତର, ଅଳ୍ପକେ ବଞ୍ଚିଲେ ଯାତ୍ରୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ଛକ ଜାତୀୟ ରାଜପଥ ନିକଟରେ ଏକ ଦୁର୍ଘଟଣା ଘଟିଛି। ବିଶାଖାପାଟଣା ରୁ ଭୁବନେଶ୍ୱର ଯାଉଥିବା  ‘ଶ୍ରୀକ୍ଷେତ୍ର’ ନାମକ ଯାତ୍ରୀବାହୀ ବସ୍ (ଏପି-୦୭-ଟିଜି-୩୪୩୪) ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଟି ଏକ ବାଇକକୁ ଧକ୍କା ଦେଇ ରାସ୍ତାପାର୍ଶ୍ଵରେ ଥିବା ଲୁହା ବ୍ୟାରିକେଟରେ ଫସି ରହି ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି।

ଏହି ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ବାଇକ ଚାଳକ ଜଣଙ୍କ ନିକଟସ୍ଥ ବରୁଣପଡା ଗ୍ରାମର ସଜଂୟ ସେଠୀ ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

ସୌଭାଗ୍ୟ ବଶତଃ ବସ୍ ରେ ଯାତ୍ରା କରୁଥିବା ୬୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଟାଙ୍ଗୀ ପୋଲିସର ଜୁଆ ଆଡ୍ଡା ଉପରେ ଚଢ଼ାଉ: ତିନି ଗିରଫ ସହ ଟଙ୍କା ଓ ବାଇକ ଜବତ

ସୀତାରାମ ଅଗ୍ରୱାଲ 

ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ବେଣୀ ପଥର ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଟାଙ୍ଗୀ ପୋଲିସ ଚଢ଼ାଉ କରି ଜୁଆଡ଼ି ମାନଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ବେଣୀ ପଥର ନିକଟରେ ଦୀର୍ଘଦିନ ହେବ ଜୁଆ ଆଡ୍ଡା ଚାଲୁଥିବାର ଖବର ପାଇ ଆଜି ଅପରାହ୍ନରେ ଟାଙ୍ଗୀ ଆଇ.ଆଇ.ସି ସରୋଜ ଉପାଧ୍ୟାୟଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉରେ ଟାଙ୍ଗୀ ପୋଲିସ୍ ୩ ଜୁଆଡିଙ୍କୁ ଗିରଫ କରିବା ସହ ୮ ମୋଟର ସାଇକେଲ ଏବଂ ୨୦ ହଜାର ୩୦୦ ଟଙ୍କା ଜବତ କରିଛନ୍ତି। ଉକ୍ତ ଜୁଆଡ଼ିମାନଙ୍କ ବିରୁଦ୍ଧରେ ଓ.ପି.ଜି ଆକ୍ଟ ଅନୁଯାୟୀ କେସ ନମ୍ବର ୨୭୨/୨୦ ରେ ମାମଲା ରୁଜୁ ହୋଇଥିବାର ଆଇ.ଆଇ.ସି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି।