Categories
ଧର୍ମ ବିଶେଷ ଖବର

ଦୋଳ ଉତ୍ସବ ଓ ଶ୍ରୀଚୈତନ୍ୟ

 

ଡ. ଫକୀର ମୋହନ ନାହାକ

‘କେବଳ ଉତ୍କଳୀୟ ଜନଜୀବନ ନୁହେଁ, ପୂର୍ବଭାରତର ବଙ୍ଗ, ଆସାମ, ମଣିପୁର, ତ୍ରିପୁରା ଆଦି ଅଞ୍ଚଳରେ ଶ୍ରୀକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କ ଅନୁଗାମୀ ଅନେକ । ଦୋଳପୂର୍ଣ୍ଣିମାରେ ଧରାବତରଣ କରିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ ।

ରାହୁଗ୍ରସ୍ତେ ଜଡ଼ ଶଶଧରେ ଫାଲଗୁନେ ପୂର୍ଣ୍ଣିମାୟାଂ , ଗୌଡ଼େଶାକେ ମନୁଶତମିତେ ସପ୍ତବର୍ଷାଧିକେ ଯଃ

ମାୟାପୁର୍ଯ୍ୟାଂ ସମଜନୀ ଶଚୀ ଗର୍ଭସିନ୍ଧୌ ପ୍ରଦୋଷେ, ତଂ ଚିଚ୍ଛକ୍ତି ପ୍ରକଟିତ ତନୁଂ ମିଶ୍ରସୂନୁଂ ସ୍ମରାମି ।।   

ଫାଲଗୁନ ପୂର୍ଣ୍ଣିମାର ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ କାଳରେ ଗୌଡ଼ୀୟ ଶକାବ୍ଦ 1407 ବା 1485 ଖ୍ରୀଷ୍ଟାବ୍ଦରେ ନଦୀୟା ଜିଲ୍ଲାର ମାୟାପୁରୀରେ ଶଚୀଦେବୀଙ୍କ ଗର୍ଭରୂପକ ସିନ୍ଧୁରୁ ସନ୍ଧ୍ୟାକାଳରେ ମିଶ୍ରପୁତ୍ର ଶ୍ରୀଚୈତନ୍ୟ ନିଜ ଶରୀରକୁ ପ୍ରକଟ କଲେ । ସେହି ସଚ୍ଚିଦାନନ୍ଦ ସ୍ୱରୂପ ଶ୍ରୀଚୈତନ୍ୟଙ୍କୁ ଆମ୍ଭେ ସ୍ମରଣ କରୁଛୁ। ସେହି ଶ୍ରୀଚୈତନ୍ୟ ଥିଲେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ। ନଦୀୟା ନବଦ୍ୱୀପରୁ ହରିନାମ ସଂକୀର୍ତ୍ତନ କରି 1510 ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ର ଆସିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ।

ଗଜପତି ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳରେ ଉତ୍କଳୀୟ ଭୂଖଣ୍ଡରେ ବୈଷ୍ଣବ ଧର୍ମର ପ୍ରଚାର କରିଥିଲେ ଶ୍ରୀଚୈତନ୍ୟ । ପୁରୀର ରାଧାକାନ୍ତ ମଠ ଥିଲା ଶ୍ରୀଚୈତନ୍ୟଙ୍କ ସାଧନା ସ୍ଥଳୀ। ତେଣୁ ଶ୍ରୀଚୈତନ୍ୟଙ୍କ ଆଗମନ ପରେ ଶ୍ରୀକ୍ଷେତ୍ର ଓ ଉତ୍କଳରେ ଘଟିଥିଲା ଉତ୍କଳୀୟ ଓ ବଙ୍ଗୀୟ କଳା, ସାହିତ୍ୟ ଓ ସଂସ୍କୃତିର ସଂଗମ। ତେଣୁ ଆଜି ବି ଗାଁ ଗାଁରେ ଦୋଳ ଉତ୍ସବରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କୁ ସ୍ମରଣ କରାଯାଏ। କେତେକ ସ୍ଥାନରେ ରଙ୍ଗ ଅବିର ଖେଳ ସାଙ୍ଗକୁ ହରେକୃଷ୍ଣ ନାମଯଜ୍ଞର ଆୟୋଜନ କରାଯାଏ। ଈଶ୍ୱର ପ୍ରେମରେ ତଲ୍ଲୀନ ହୋଇ ଭକ୍ତ ଗାଇଉଠନ୍ତି ଅଖଣ୍ଡ ନାମ ..

ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ । ହରେ କୃଷ୍ଣ ହରେ ରାମ ଶ୍ରୀରାଧେ ଗୋବିନ୍ଦ ।।

ଉତ୍ତର ଭାରତରେ ହୋଲିକା ଦହନ

ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ।

ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା ଅନନ୍ତକାଳ ପାଇଁ ଏକ ଅଭିଶପ୍ତ କିମ୍ବଦନ୍ତୀ। ଆଜି ବି ଦୋଳପୂର୍ଣ୍ଣିମା ପୂର୍ବରାତିରେ ଦୁଷ୍ପ୍ରବୃତ୍ତି, ଅଶ୍ଳୀଳତା ଓ ଦୁରାଚାରର ଅନ୍ତ ପାଇଁ ପାଳିତ ହୁଏ ହୋଲିକା ଦହନ। ଏହିଦିନ ଉତ୍ତର ଭାରତୀୟମାନେ କେତେକ ସ୍ଥାନରେ ଅଗ୍ନିଙ୍କୁ ପ୍ରଥମ ନବାନ୍ନ ଅର୍ପଣ କରି ତା ପରେ ଅବଶିଷ୍ଟ ଅନ୍ନକୁ ପ୍ରସାଦ ରୂପରେ ଗ୍ରହଣ କରିବା ପରମ୍ପରା ବି ରହିଛି।

ବୃନ୍ଦାବନରେ ବାଙ୍କେବିହାରୀ

ରାଧାଗୋବିନ୍ଦଙ୍କ ପରମ ପ୍ରେମର ପ୍ରତୀକ ରଙ୍ଗଉତ୍ସବ ଦେଶର ବିଭିନ୍ନ ଭାଗରେ ପାଳନ ହେଉଥିଲେ ବି ବୃନ୍ଦାବନରେ ଏହାର ମାଦକତା କିଛି ଭିନ୍ନ। ବାଙ୍କେବିହାରୀଙ୍କ ଏହି ଧାମରେ କେବଳ ରଙ୍ଗ ଅବିରରେ ହୋଲି ଖେଳାଯାଏନି, ବରଂ ଏଠାରେ କାଳ କାଳ ଧରି ହୋଲି ପାଳିତ ହୁଏ ଫୁଲରେ, ଚନ୍ଦନରେ, କାଦୁଅରେ ଆଉ ଯମୁନାର ଜଳରେ। ଦେଶ ଦେଶାନ୍ତରରୁ ଭକ୍ତ, ଦର୍ଶକ ଓ ପର୍ଯ୍ୟଟକ ଆସନ୍ତି ଏଠାକୁ ରଙ୍ଗପର୍ବର ଅନୁଭବ ସାଉଁଟିବା ପାଇଁ । ଏପରିକି ଏଠାରେ ହୋଲିଉତ୍ସବରେ ମହିଳାମାନେ ପୁରୁଷଙ୍କ ମୁଣ୍ଡକୁ ଲାଠିରେ ପିଟିବାର ଏକ ଅନନ୍ୟ ପରମ୍ପରା ରହିଛି । ଏହି ହୋଲି ଲଠ୍ ମାର ହୋଲି ରୂପେ ବିଶ୍ୱବିଦିତ । ଆଜି ବି ମଥୁରା ଓ ବୃନ୍ଦାବନର କୋଣ ଅନୁକୋଣରେ ହୋଲି ଖେଳିଲା ବେଳେ ରାଧାକୃଷ୍ଣଙ୍କ ଉପସ୍ଥିତି ଅନୁଭବ କରିହୁଏ।

ମନସ୍ତତ୍ତ୍ୱବିତ୍ ମାନଙ୍କ ଭାଷାରେ ହୋଲି ଏମିତି ଏକ ପର୍ବ, ଯେଉଁଠି ତରୁଣ ତରୁଣୀଙ୍କ ମନରେ ସାଇତା ହୋଇ ରହିଥିବା ଭଲପାଇବା ଏହି ଅବସରରେ ଫଳବତୀ ହୁଏ । ଉଭୟେ ଉଭୟଙ୍କୁ ନିଜ ମନକଥା କହିବାରେ ସକ୍ଷମ ହୁଅନ୍ତି। ତେଣୁ ନବୀନ ପଲ୍ଲବ ନବ କୁସୁମକୁ ନେଇ ଆସିଥିବା ବସନ୍ତ ମଧୁମୟ ହୋଇଉଠେ। ମନ୍ଦ ମନ୍ଦ ମଳୟର ମହମହ ବାସ୍ନାରେ ଆନମନା ହୁଏ ମନ। ମନର ମଣିଷ ପାଇଁ ମତୁଆଲା ହୁଏ। ପ୍ରେମ ପ୍ରଣୟର ପୃଷ୍ଠାକୁ ପରିପୂର୍ଣ୍ଣ କରିଦିଏ ବସନ୍ତ। …

(ଲେଖକ ହେଉଛନ୍ତି ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ )

Categories
ଧର୍ମ ବିଶେଷ ଖବର

ମଙ୍ଗଳମୟ ଶିବ

  

ଡକ୍ଟର ଫକୀର ମୋହନ ନାହାକ

 

“ବନ୍ଦେ ଦେବମୁମାପତିଂ ସୁରଗୁରୁଂ ବନ୍ଦେ ଜଗତ୍ କାରଣମ୍। ବନ୍ଦେ ପନ୍ନଗଭୂଷଣଂ ମୃଗଧରଂ ବନ୍ଦେ ପଶୁନାଂପତିମ୍।। ବନ୍ଦେ ସୂର୍ଯ୍ୟ ଶଶାଙ୍କ ବହ୍ନି ନୟନଂ ବନ୍ଦେ ମୁକୁନ୍ଦପ୍ରିୟମ୍। ବନ୍ଦେ ଭକ୍ତଜନାଶ୍ରୟଂଚ ବରଦଂ ବନ୍ଦେ ଶିବଂଶଙ୍କରମ୍।।”

ଦେବ ଦେବ ମହାଦେବ ସେ। ମଙ୍ଗଳମୟ ଶିବ। ଶିବ ଶବ୍ଦର ଅର୍ଥ ହିଁ ମଙ୍ଗଳ। ତେଣୁ ଏ ସମଗ୍ର ସଂସାରର ମଙ୍ଗଳକାରୀ ହେଉଛନ୍ତି ମହାଦେବ ଶିବ। ସମସ୍ତ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ। ତେଣୁ ସେ ମହାଦେବ। ଦେବତା, ଦାନବ, ମାନବ, ଗନ୍ଧର୍ବ, ଯକ୍ଷ, କିନ୍ନର ସମସ୍ତଙ୍କ ସେ ଆରାଧ୍ୟ। ମହାଦେବ ସ୍ୱୟଂ ଆଶୁତୋଷ। ଅଳ୍ପରେ ସନ୍ତୁଷ୍ଟ ହେବା କେହି ତାଙ୍କଠାରୁ ହିଁ ଶିଖେ। ଅଳ୍ପରେ ସନ୍ତୁଷ୍ଟ ବୋଲି, ଯେତେବେଳେ ସମୁଦ୍ର ମନ୍ଥନରୁ ଏତେ ଧନ ରତ୍ନ, ଅମୃତ କଳସ, ଉଚ୍ଚୈଶ୍ରବା ଅଶ୍ୱ, ଐରାବତ ହସ୍ତୀକୁ ଦେବତାମାନେ ନିଜ ନିଜର କରିନେଲେ, ସେତେବେଳେ ମହାଦେବଙ୍କର କୌଣସି ଅଭିଯୋଗ ନଥିଲା। ବରଂ ସଂସାରକୁ ଭସ୍ମୀଭୂତ କରିଦେବା ଭଳି ହଳାହଳ ବିଷକୁ ସେ ନିଜର କରିନେଲେ।

ସଂସାରର ମଙ୍ଗଳ ପାଇଁ ସମଗ୍ର ବିଷକୁ ପାନକରି ସେ ପାଲଟିଗଲେ ଶ୍ୱେତଗଳରୁ ନୀଳକଣ୍ଠ। ହଳାହଳର ଜ୍ୱାଳାକୁ ପ୍ରଶମିତ କରିବା ପାଇଁ ମସ୍ତକରେ ଧାରଣ କଲେ ଗଙ୍ଗା, କଣ୍ଠଦେଶରେ ଭୁଜଙ୍ଗ, ଶରୀରରେ ଭସ୍ମ। ସେ ଯୋଗୀଶ୍ୱର। ତ୍ରିଭୁବନ ତାଙ୍କରି ନିବାସ। ସେ ସର୍ବତ୍ୟାଗୀ ଶଙ୍କର। ତେଣୁ ଶ୍ମଶାନରେ ବି ସୁଖ ନିଦ୍ରାରେ ଶୟନ କରିପାରନ୍ତି ମହାଦେବ।

ସଂସାର କଲ୍ୟାଣ ପାଇଁ ସ୍ୱୟଂ ଦେବାଧିଦେବ ତ୍ରିଲୋଚନ ପାନ କରନ୍ତି ହଳାହଳ। ସେହି ହଳାହଳ ପାନ କରିବା ପରେ ତାକୁ ଯଦି ସେ ନିଜ ଉଦରକୁ ନିଅନ୍ତି, ତାହେଲେ ସମଗ୍ର ଜଳଭାଗ ସପ୍ତସମୁଦ୍ର ବିଷାକ୍ତ ହୋଇଯିବାର ଭୟ ଅଛି। ତାକୁ ଯଦି ସେ ନିଜ ମସ୍ତକକୁ ନିଅନ୍ତି, ତାହେଲେ ସମଗ୍ର ଖଗୋଳମଣ୍ଡଳ ଧ୍ୱଂସ ହେବାର ଆଶଙ୍କା। ତେଣୁ ସେହି ହଳାହଳକୁ ନିଜ କଣ୍ଠରେ ହିଁ ଧାରଣ କରିଛନ୍ତି ମହାଦେବ। କାଳେ ଏହି ବିଷଜନିତ ଜ୍ୱାଳାରେ ଦେବାଧିଦେବଙ୍କ କିଛି ଅନିଷ୍ଟ ଘଟିବ, ସେ ଆଶଙ୍କାରେ ଶିବଗଣଙ୍କଠାରୁ ଆରମ୍ଭ କରି ବ୍ରହ୍ମା, ବିଷ୍ଣୁ, ଇନ୍ଦ୍ର, ବରୁଣ, କୁବେର ଯାଏଁ ସମସ୍ତ ଦେବତା, ଦାନବ, ମାନବ ସଚରାଚର ବ୍ରହ୍ମାଣ୍ଡ ସାରାରାତି ଉଜାଗର ରହି, ଦୀପଜାଳି, ପଞ୍ଚାମୃତରେ ମହାଲିଙ୍ଗକୁ ଅଭିଷେକ କରିଥିଲେ। ଆଉ ସେହି ରାତି ଥିଲା ମହାଶିବରାତ୍ରୀ ।

ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରୀରେ ମହାଶିବରାତ୍ରୀ ପାଳନ ପଛରେ ରହିଛି ଆଉ ଏକ ପୌରାଣିକ କାହାଣୀ। ଏକଦା ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ପାଳନକର୍ତ୍ତା ବିଷ୍ଣୁଙ୍କ ମଧ୍ୟରେ ଆଦର୍ଶଗତ ବିବାଦ ସୃଷ୍ଟି ହେଲା। ଉଭୟେ ଉଭୟଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରତିପାଦିତ କରିବାକୁ ଚାହିଁଲେ। ଯାହାଫଳରେ ମୁଣ୍ଡଟେକିଲା ଏକ ବିରାଟ ସଂଘର୍ଷ। ବ୍ରହ୍ମା ପାଶୁପତ ଅସ୍ତ୍ର ଓ ବିଷ୍ଣୁ ମାହେଶ୍ୱର ଅସ୍ତ୍ର ନେଇ ପରସ୍ପର ଉପରେ ପ୍ରହାର କରିବାରେ ଲାଗିଲେ। ଏହି ଦୁଇ ଅମୋଘ ଅସ୍ତ୍ର ପରସ୍ପର ସହିତ ସମ୍ମୁଖୀନ ହେଲେ ସମଗ୍ର ସୃଷ୍ଟି ଧ୍ୱଂସହେବା ସୁନିଶ୍ଚିତ ଥିଲା। ଏଭଳି ସ୍ଥଳେ ଭୀତତ୍ରସ୍ତ ଦେବତାମାନେ ଦୌଡ଼ିଲେ ଦେବ ଦେବ ମହାଦେବଙ୍କ ନିକଟକୁ। ମହାଦେବ ନିଜ ଆଜ୍ଞାନେତ୍ରରେ ଦେଖି ସାରିଥିଲେ ଏହି ସଂଘର୍ଷର ଦୃଶ୍ୟ।

ଦୁଇ ଦେବଙ୍କୁ ଶାନ୍ତ କରିବାର କ୍ଷମତା କେବଳ ମହାଦେବଙ୍କର ଥିଲା। ତେଣୁ ସଙ୍ଗେ ସଙ୍ଗେ ଏକ ବିଶାଳ ସମ୍ଭାକୃତିର ଜ୍ୟୋତିଷ୍ମାନ ମହାଲିଙ୍ଗ ରୂପରେ ଉଭୟ ପାଶୁପତ ଏବଂ ମାହେଶ୍ୱର ଅସ୍ତ୍ରର ମଧ୍ୟ ଭାଗରେ ଆବିର୍ଭାବ ହେଲେ। ସେ ମହାଲିଙ୍ଗର ଜ୍ୟୋତି ସହସ୍ର ସୂର୍ଯ୍ୟଙ୍କ ସମାନ ତେଜୋଦୀପ୍ତ ଥିଲା। ଆଉ ତାର ବ୍ୟାପ୍ତିଥିଲା ଭୂମିରୁ ଭୂମା ଯାଏଁ। ଉଭୟ ପାଶୁପତ ଏବଂ ମାହେଶ୍ୱର ତତକ୍ଷଣାତ୍ ମହାଲିଙ୍ଗରେ ବିଲୀନ ହୋଇ ନିଷ୍କ୍ରିୟ ହୋଇଗଲେ। ସେତେବେଳେ ବିଷ୍ଣୁ ଓ ବ୍ରହ୍ମା ଉଭୟେ ବୁଝିପାରିଲେ ନିଜର ଭୁଲ୍। ଉଭୟେ ମହାଦେବଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରିବା ସହ କରିଥିଲେ କ୍ଷମାଯାଚନା।

ପିତାମହ ବ୍ରହ୍ମା ମହାଦେବଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରି କହିଲେ, ପ୍ରଭୁ .. ଆପଣଙ୍କ ଏ ଦିଗନ୍ତବିସ୍ତାରୀ ଅକଳ୍ପନୀୟ ପ୍ରତିମାକୁ ଯେତେବେଳେ ଦେବତାମାନେ ଦେଖିବାରେ ଅକ୍ଷମ, ସେତେବେଳେ ଧରାପୃଷ୍ଠରେ ମାନବ କେମିତି ଆପଣଙ୍କ ପୂଜା କରିବାରେ ସକ୍ଷମ ହେବ? ମହାଦେବ ସେହି ମୁହୂର୍ତ୍ତରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗରେ ପରିଣତ ହେଲେ। ତାସହ ମଣିଷର ଆରାଧନା ପାଇଁ ପ୍ରକଟିତ ହେଲେ। ସେହି ଦିନଟି ଥିଲା ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ବା ଶିବଚତୁର୍ଦ୍ଦଶୀ- ମହାଶିବରାତ୍ରୀ।

ଈଶାନ ସଂହିତାରେ ବର୍ଣ୍ଣନା ରହିଛି ଯେ, ମହାଶିବରାତ୍ରୀ ଦିନ କୌଣସି ପୂଜାର୍ଚ୍ଚନା ନକରି କେବଳ ମହାଦେବଙ୍କ ଉଦ୍ଦେଶ୍ୟରେ ଉପବାସ ରଖିଲେ, ଦେବାଧିଦେବ ସନ୍ତୁଷ୍ଟ ହୁଅନ୍ତି। ଏହି ଉପବାସ ସମୟରେ ଶିବ ପଞ୍ଚାକ୍ଷର ମନ୍ତ୍ର- ଓଁ ନମଃ ଶିବାୟ ପାଠ କରିବା ଆବଶ୍ୟକ। ମହାଶିବରାତ୍ରୀରେ କୋଟି ସୂର୍ଯ୍ୟସମ ଶିବଙ୍କୁ ଆରାଧନା କଲେ ସମଗ୍ର ଜୀବନର କଷାୟ କଳ୍ମଷ ଦୂରୀଭୂତ ହୁଏ।

“ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶ୍ୟାଂ ଆଦିଦେବୋ ମହାନିଶି। ଶିବଲିଙ୍ଗତୟୋଦ୍ଭୂତଃ କୋଟିସୂର୍ଯ୍ୟସମପ୍ରଭଃ।।”

ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବ୍ୟତିରେକ ସମଗ୍ର ଭାରତୀୟ ଭୂଖଣ୍ଡରେ ଲିଙ୍ଗଶ୍ରେଷ୍ଠ ଲିଙ୍ଗରାଜ ପୂଜିତ ଉତ୍କଳର ଏକାମ୍ର କ୍ଷେତ୍ରରେ। ଗୋଟିଏ ପଟେ ସ୍ୱୟଂ ଶ୍ରୀଜଗନ୍ନାଥ ଏବଂ ଅନ୍ୟପଟେ ମହାଦେବ ଲିଙ୍ଗରାଜ ଭୋଳାନାଥ। ହରିହରଙ୍କ ଏ ଅପୂର୍ବ ଉତ୍କଳୀୟ ଭୂଖଣ୍ଡରେ ସ୍ୱୟଂ ଶ୍ରୀଜଗନ୍ନାଥ ବି ମହାଦେବ ଭୈରବ ରୂପରେ ପୂଜା ପାଇବା ପରମ୍ପରା ସମଗ୍ର ଭାରତବର୍ଷରେ ବିରଳ। ଦେଶର ସମସ୍ତ ଶକ୍ତିପୀଠରେ ଭୈରବ ରୂପରେ ମହାଦେବ ଅଧିଷ୍ଠିତ ହୋଇଥିଲା ବେଳେ, ଶ୍ରୀକ୍ଷେତ୍ରରେ ମାଆ ବିମଳାଙ୍କ ଭୈରବ ସ୍ୱୟଂ ଶ୍ରୀଜଗନ୍ନାଥ।

“ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରବ।”

ତେଣୁ ଆମେ ସୌଭାଗ୍ୟବାନ୍ ଯେ, ଆମ ମାଟିରେ ଉଭୟ ଶୈବ, ଏବଂ ବୈଷ୍ଣବ ସମସ୍ତଙ୍କ ଆରାଧ୍ୟ ଭାବେ ପୂଜା ପାଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମହାଦେବ ଲିଙ୍ଗରାଜ। ଏହି ସମନ୍ୱୟର ଭୂଖଣ୍ଡରେ ଶ୍ରୀଗୁଣ୍ଡିଚା ଭଳି ମହାଶିବରାତ୍ରୀ ବି ଅନୁରୂପ ଗୁରୁତ୍ୱ ବହନ କରେ। ତେବେ ଶାସ୍ତ୍ର ଅନୁସାରେ ମହାଶିବରାତ୍ରୀ, ଆମ ଭିତରେ ଥିବା ଅନେକ ଦୁର୍ଗୁଣକୁ ମଙ୍ଗଳମୟ ମହାଦେବଙ୍କ ନିକଟରେ ସମର୍ପଣ କରି ସମସ୍ତ ଦେବୋପମ ସୁଗୁଣକୁ ଧାରଣ କରିବା ଲାଗି ଏକ ପ୍ରକୃଷ୍ଟ ମୁହୂର୍ତ୍ତ।

“ଓଁ ଅମଙ୍ଗଳାନାଂ ଶମନଂ ଶମନଂ ଦୁଷ୍କୃତସ୍ୟ ଚ। ଦୁଃସ୍ୱପ୍ନନାଶନୟ ଧନ୍ୟଂ ପ୍ରପଦ୍ୟୋଅହଂ ଶିବଂ ଶୁଭମ୍।।”

ହେ ଦେବ ଦେବ ମହାଦେବ, ଆମ ଭିତରେ ଥିବା ସମସ୍ତ ଅମଙ୍ଗଳ, ଦୁଷ୍ପ୍ରବୃତ୍ତି, ଦୁଃସ୍ୱପ୍ନ ଚିରକାଳ ପାଇଁ ନାଶ ହେଉ। ଶୁଦ୍ଧ ଆଚରଣ ଏବଂ ଉଚ୍ଚାରଣର ସଂକଳ୍ପ ସହ ଆମ ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଆମର ସଂକଳ୍ପ।

( ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )