Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଚିଲିକାରେ ୧୫ରୁ ୧୮ ବର୍ଷୀୟ କିଶୋରମାନଙ୍କୁ ଟୀକା: ଜାଣନ୍ତୁ କେଉଁଠି ଏବଂ କିଭଳି ନେବେ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲିଠାରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ୧୫ରୁ ୧୮ ବର୍ଷୀୟ କିଶୋରମାନଙ୍କୁ ଟୀକକାରଣ କାର୍ଯ୍ୟକ୍ରମ।  ଏହି ପରିପ୍ରେକ୍ଷୀରେ ଉକ୍ତ ଟୀକାକରଣ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳିରେ ମଧ୍ୟ ଅନୁଷ୍ଠିତ ହେବ।

ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫ରୁ ୧୮ ବର୍ଷୀୟ କିଶୋରମାନଙ୍କୁ କୋଭାକ୍ସିନ ଟୀକା ଦିଆଯିବ। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସକାଳ ୯ ରୁ ଅପରାହ୍ନ ୫ ପର୍ଯ୍ୟନ୍ତ ଉକ୍ତ ଟୀକା ଦିଆଯିବାକୁ ଥିବାବେଳେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏନଏସି ଅଡ଼ିଟୋରିଅମ ହଲରେ ସକାଳ ୮ ରୁ ଅପରାହ୍ନ ୧ ଘଟିକା ଯାଏଁ ଉକ୍ତ ଟୀକା ଦିଆଯିବ।

ତେବେ ଟୀକା ନେବା ନିମନ୍ତେ କିଶୋରମାନଙ୍କୁ ସେମାନଙ୍କ ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ବିଷୟରେ ଟୀକାକେନ୍ଦ୍ରରେ ସୂଚନା ଦେବାକୁ ପଡ଼ିବ ବୋଲି ଜଣାପଡିଛି। ସେହିପରି ଭାବେ ଟୀକା ନେବା ପାଇଁ ଗତ ଜାନୁଆରୀ ୧ ତାରିଖରୁ କୋୱିନ ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହୋଇଯାଇଥିବା ବେଳେ ସମସ୍ତ ଟୀକାକେନ୍ଦ୍ରରେ ଉଭୟ ଅନଲାଇନ ଏବଂ ଅଫଲାଇନ ଭାବେ ହିତାଧିକାରୀମାନେ ଟୀକା ନେଇପାରିବେ ବୋଲି ଉଭୟ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ତେବେ ଆସନ୍ତାକାଲି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୦, ଏନଏସି ଅଡ଼ିଟୋରିଅମ ହଲରେ ୨୦୦ ଏବଂ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୦ ଡୋଜ କୋଭାକ୍ସିନ ଟୀକା କିଶୋରମାନଙ୍କୁ ଦିଆଯିବାର ବ୍ୟବସ୍ଥା ହୋଇଥିବାର ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଧାନମନ୍ତ୍ରୀ ହସ୍ତାନ୍ତର କଲେ ଏକ ହଜାର କୋଟି ଟଙ୍କା: ଉପକୃତ ହେବେ ୧୬ଲକ୍ଷ ମହିଳା

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରୟାଗରାଜ ଗସ୍ତରେ ଯାଇ ବିଶେଷକରି ତୃଣମୂଳ ସ୍ତରରେ ମହିଳାଙ୍କୁ ସଶକ୍ତ କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏକ ହଜାର କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି ଓ ଏହା ଦ୍ୱାରା ପାଖାପାଖି ୧୬ଲକ୍ଷ ମହିଳା ସଦସ୍ୟ ଉପକୃତ ହେବେ। ଏହି ହସ୍ତାନ୍ତରଣ ଦିନ ଦୟାଲ ଅନ୍ତଦ୍ୟୋୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ (DAY-NRLM) ଜରିଆରେ ହେଉଛି। ଏହା ଦ୍ୱାରା ୮୦ହଜାର ଏସଏଚଜି ଗୋଷ୍ଠୀ ନିବେଶ ପାଣ୍ଠି (ଆଇଏଫ)ରେ ଏସଏଚଜି ପିଛା ୧.୧୦ଲକ୍ଷ ଟଙ୍କା ଓ ୬୦ହଜାର ଏସଏଚଜି ଚକ୍ରୀୟ ପାଣ୍ଠି ଜରିଆର ଏସଏଚଜି ପିଛା ୧୫ହଜାର ପାଇବେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବ୍ୟାପାର ସମ୍ବାଦଦାତା-ସାକ୍ଷୀ (ବି.ସି ସାକ୍ଷୀ) ପ୍ରତ୍ୟେକ ୪ହଜାର ଟଙ୍କାର ପ୍ରଥମ ଛାତ୍ରବୃତ୍ତି, ୨୦ହଜାର ଟଙ୍କା ବି.ସି. ସାକ୍ଷୀଙ୍କୁ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୨୦କୋଟି ଟଙ୍କା ‘ମୁଖ୍ୟମନ୍ତ୍ରୀ କନ୍ୟା ମଙ୍ଗଳ ଯୋଜନା’ର ଏକ ଲକ୍ଷ ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ହିନ୍ଦୀ ସାହିତ୍ୟର ପ୍ରଥିତଯଶା ଲେଖକ ମହାବୀର ପ୍ରସାଦ ଦ୍ୱିବେଦୀଙ୍କ ମୃତ୍ୟୁବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଲେ ଯେ ପ୍ରୟାଗରାଜ ହେଉଛି ଗଙ୍ଗା, ଯମୁନା, ସରସ୍ୱତୀର ସଂଗମସ୍ଥଳ ଓ ହଜାର ହଜାର ବର୍ଷ ଧରି ଆମର ମାତୃଶକ୍ତିର ପ୍ରତୀକ ହୋଇ ରହିଆସିଛି। ଆଜି ଏହି ତୀର୍ଥସ୍ଥଳ ମାତୃଶକ୍ତିର ବିସ୍ମୟକର ସଂଗମ ଦେଖୁଛି।

ଉତ୍ତରପ୍ରଦେଶରେ ମହିଳା ସଶକ୍ତିକରଣ ଦିଗରେ ଯାହାସବୁ ହୋଇଛି,  ସମଗ୍ର ଦେଶ ତାହାର ସାକ୍ଷୀ ରହିଛି। ମୁଖମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଯାହା ଅଧୀନରେ ଥିବା ଏକ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଆଉ ଯେଉଁ କୋଟି କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି, ଏହା ଗ୍ରାମୀଣ ଗରିବ ଏବଂ ଝିଅମାନଙ୍କ ପାଇଁ ଏକ ଆସ୍ଥାର ବିଷୟ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଯୋଗୁଁ ଉତ୍ତରପ୍ରଦେଶରେ ମହିଳାମାନଙ୍କ ସମ୍ମାନ, ମର୍ଯ୍ୟାଦା ଓ ସୁରକ୍ଷା ଯେପରି ସୁନିଶ୍ଚିତ ହୋଇପାରିଛି ତାହା ଅତୁଳନୀୟ। ଉତ୍ତରପ୍ରଦେଶର ମହିଳା ପୂର୍ବ ପରିସ୍ଥିତିର ପୁନରାବୃଦ୍ଧି ର ସୁଯୋଗ ଦେବେ ନାହିଁ ବୋଲି ସ୍ଥିର କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଟି ବଚାଓ, ବେଟୀ ପଢାଓ ଅଭିଯାନ ଅଧୀନରେ ସରକାର ଲିଙ୍ଗ ବାଛି ଗର୍ଭପାତ ନ କରିବା ନେଇ ସଚେତନତା ସୃଷ୍ଟି କରୁଛନ୍ତି। ଏହାଫଳରେ ଅନେକ ରାଜ୍ୟରେ ଝିଅମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ସରକାର ଗର୍ଭବତୀ ମହିଳାଙ୍କ ଟୀକାକରଣ ଉପରେ ଗୁରୁତ୍ୱଆରୋପ କରୁଥିବାବେଳେ ଆନୁଷ୍ଠାନିକ ପ୍ରସବ ଓ ଗର୍ଭବସ୍ଥାରେ ପୌଷ୍ଟିକତା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଉପଯୁକ୍ତ ଆହାର ଯତ୍ନ ନିମନ୍ତେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ବ୍ୟାଙ୍କ ଖାତାରେ ପାଂଚହଜାର ଟଙ୍କା ଜମା କରାଯାଉଛି।

ମହିଳାମାନଙ୍କ ମର୍ଯ୍ୟାଦା ବୃଦ୍ଧି ନିମନ୍ତେ ନିଆଯାଉଥିବା କେତେକ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସ୍ୱଚ୍ଛ ଭାରତ ମିଶନ ଅଧୀନରେ କୋଟି କୋଟି ଶୌଚାଳୟ ନିର୍ମାଣ, ଉଜ୍ଜ୍ୱଳା ଯୋଜନା ଅଧୀନରେ ଗ୍ୟାସ ସଂଯୋଗ ସୁବିଧା, ଘରକୁ ପାଇପ ଯୋଗେ ଜଳ ଯାହାକି ଭଉଣୀମାନଙ୍କ ଜୀବନରେ ଏକ ନୂତନ ସୁବିଧା ଆଣି ଦେଇଛି ବୋଲି   ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ଯୁଗ ଧରି ଘର ସମ୍ପତ୍ତିବାଡି  କେବଳ  ପୁରୁଷମାନଙ୍କ ଅଧିକାର ବୋଲି ସାବ୍ୟସ୍ତ ହୋଇ ଆସୁଥିଲା। ଏହି ଅସାମନତା ଦୂର କରିବା ସରକାର ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏହାର ସର୍ବଶ୍ରେଷ୍ଠ ଉଦାହରଣ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମିତ ହେଉଥିବା ଅଧିକାଂଶ ଘର ମହିଳାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରାଯାଉଛି।

କର୍ମନିଯୁକ୍ତି ଓ ପରିବାରର ଆୟ ବୃଦ୍ଧି ଦିଗରେ ଲାଗୁ  ଯୋଜନାରେ ମହିଳାମାନଙ୍କୁ ସମଭାଗୀ କରାଯାଇଛି। ଆଜି ମୁଦ୍ରା ଯୋଜନା ଗ୍ରାମାଞ୍ଚଳରୁ ମଧ୍ୟ ମହିଳାମାନଙ୍କୁ ଉଦ୍ୟୋଗପତି ହେବାକୁ ପ୍ରୋତ୍ସାହିତ କରୁଛି। ଦିନଦୟାଲ ଅନ୍ତଦ୍ୟୋୟ ଯୋଜନା ଅଧୀନରେ ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମାଞ୍ଚଳ ସଂଗଠନ ସହ ଯୋଡାଯାଇଛି। “ମୁଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନଙ୍କୁ ଆତ୍ମନିର୍ଭର ଭାରତ ଅଭିଯାନର ଶ୍ରେଷ୍ଠ ବୋଲି ମନେ କରେ । ଏହି ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ବାସ୍ତବରେ ଜାତୀୟ ସହାୟକ ଗୋଷ୍ଠୀ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ।

ଡବଲ ଇଞ୍ଜିନ ସରକାର କୌଣସି ବାଛବିଚାର ନ ରଖି ଝିଅମାନଙ୍କର ଭବିଷ୍ୟତକୁ ସଶକ୍ତ କରିବା ପାଇଁ ଅବିରତ ସଂଗ୍ରାମ କରି ଚାଲିଛି। ସେ ମଧ୍ୟ ଝିଅମାନଙ୍କ ଆଇନଗତ ବିବାହ ବୟସ ନେଇ ନିଆହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମଧ୍ୟ କହିଥିଲେ। “ଆଗରୁ ପୁଅମାନଙ୍କ ବିବାହ ବୟସ ଆଇନତଃ ୨୧ ଥିଲା, ମାତ୍ର ଝିଅମାନଙ୍କ କ୍ଷେତ୍ରରେ ଏହା ୧୮ ଥିଲା। ଝିଅମାନେ ମଧ୍ୟ ସେମାନଙ୍କ ପାଠପଢିବା ଓ ସମାନ ସୁଯୋଗ ପାଇଁ ଚାହୁଁଥିଲେ। ସେଥିପାଇଁ ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରିବାକୁ ଉଦ୍ୟମ ଚାଲିଛି। ଦେଶ ଝିଅମାନଙ୍କ ପାଇଁ ଏ ନିଷ୍ପତ୍ତି ନେଉଛି ବୋଲି ଶ୍ରୀ ମୋଦୀ କହିଥିଲେ।

ନିକଟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇଛି ବୋଲି ଶ୍ରୀ ମୋଦି କହିଥିଲେ। ମାଫିଆରାଜ ଓ ଆଇନ ଶାସନ ହୀନତାର ମୂଳୋତ୍ପାଟନର ସବୁଠାରୁ ଅଧିକ ସୁବିଧା ୟୁପିର ଝିଅମାନେ ପାଉଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ଉତ୍ତପ୍ରଦେଶରେ ସୁରକ୍ଷା ଓ ଅଧିକାର ଉଭୟ ରହିଛି। ଆଜି ୟୁପିରେ ସମ୍ଭାବନା ଓ ବ୍ୟବସାୟ ଉଭୟ ରହିଛି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମାଆ ଓ ଉଭଣୀଙ୍କ ଆଶୀର୍ବାଦରେ କେହି ବି ଏହି ନୂତନ ୟୁପିକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇପାରିବେ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ସିବିଏସଇ ପରୀକ୍ଷା ପାସ କରିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଫଳତାର ସହ ସିବିଏସଇ ପରୀକ୍ଷା ପାସ୍ କରିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ସେ ଶୁଭକାମନା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସଫଳତାର ସହ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିଥିବା ଯୁବ ବନ୍ଧୁମାନଙ୍କୁ ଅଭିନନ୍ଦନ । ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ମୋର ଶୁଭେଚ୍ଛା ।”

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଜାତୀୟ ରାଜନୀତିରେ ନବୀନଙ୍କ ନିଷ୍ପତି ସୃଷ୍ଟି କଲା ହଇଚଇ, ଏପଟେ ରାଜ୍ୟ ବିଜେପିର ମୁହଁ ମଧ୍ୟ ବନ୍ଦ

ଭୁବନେଶ୍ବର, ସାରା ଦେଶରେ ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ନେଇ ବେଶ ପ୍ରସଂଶା ସହିତ ଚର୍ଚ୍ଚା ମଧ୍ୟ ଚାଲିଛି। ତାହା ହେଲା ଯେ, ବାତ୍ୟା କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ରକୁ ନବୀନ ପଇସାଟିଏ ମଧ୍ୟ ଦାବୀ କଲେ ନାହିଁ। ସାଧାରଣତଃ ବାତ୍ୟା ହେଉ କିମ୍ବା ବନ୍ୟା, ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାଜ୍ୟମାନେ କେନ୍ଦ୍ର ପାଖରେ  କ୍ଷତିପୂରଣ ପାଇଁ ସହାୟତା ରାଶି ଦାବୀ କରିଥାନ୍ତି। ପ୍ରଥମ ଥର ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ଏପରି ଜଣେ ବ୍ୟକ୍ତି ଯେ କି ସିଧାସିଧା ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତାର ଆବଶ୍ୟକ ନାହିଁ ବୋଲି କହିଥିଲେ। ତେବେ ସେତେବେଳେ ଏହାର କାରଣ କଣ ବୋଲି ହଠାତ୍ କେହି ଜାଣିପାରିଲେ ନାହିଁ।

ଏହାର କିଛି ସମୟ ପରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଯାହା ଲେଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନବୀନ ଟୁଇଟ କରି ଜଣାଇଲେ ଯେ, ବର୍ତ୍ତମାନ ମହାମାରି ନେଇ କେନ୍ଦ୍ର ସରକାର ଚାପରେ ଅଛନ୍ତି। ସେପରି କ୍ଷେତ୍ରରେ ରାଜ୍ୟ ସରକାର ତାଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିବାକୁ ଚାହାଁନ୍ତି ନାହିଁ। ଯାହା କିଛି କ୍ଷତି ହୋଇଛି ତାହା ରାଜ୍ୟ ତରଫରୁ ଭରଣା କରାଯିବ। ନବୀନଙ୍କ ଏପରି ମହନୀୟତା ନେଇ ବର୍ତ୍ତମାନ ସାରା ଦେଶରେ ଚାଲିଛି ଚର୍ଚ୍ଚା । ନୀବନଙ୍କ ଏପରି ନିଷ୍ପତି ଟୁଇଟରେ ଦିନ ତମାମ ଟ୍ରେନଣ୍ଡିଂ ମଧ୍ୟ ହୋଇଛି।

ତେବେ ପଶ୍ଚିମବଂଗ ଘଟଣାକୁ ନେଇ ନବୀନଙ୍କ ଏପରି ନିଷ୍ପତି ଜାତୀୟ ସ୍ତରରେ ଆହୁରି ଯୋରଦାର ହୋଇଗଲା। ଓଡିଶାରେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ନବୀନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବସି ରହିଥିଲେ। ହେଲେ ପଶ୍ଚିମବଂଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ଡେରିରେ ଆସି ଶିଘ୍ର ପଳାଇଲେ। ଫଳରେ  କୋଲକତାରେ ସରକାରଙ୍କ ପାଇଁ ପଡିଥିବା ଆସନ ଖାଲି ଥିବା ଏବଂ ଓଡିଶାରେ ସରକାରଙ୍କ ଆସନରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟମାନେ ବସିଥିବାର ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି। ଫଳରେ ଜାତୀୟ ସ୍ତରର ନବୀନଙ୍କ ଭାବମୂର୍ତ୍ତିକୁ ଏହି ଘଟଣା ଆହୁରି ଉଚ୍ଚକୁ ନେଇଯାଇଛି।

ନବୀନଙ୍କ ଏପରି ନିଷ୍ପତିରେ ରାଜ୍ୟ ବିଜେପିର ମୁହଁ ବନ୍ଦ

ନବୀନଙ୍କ ଏହି ନିଷ୍ପତି ଜାତୀୟ ସ୍ତରରେ ପ୍ରଶଂସା ହୋଇଛି ସତ, ହେଲେ ଅନ୍ୟପକ୍ଷରେ ବିରୋଧୀ ବିଜେପି ନେତାଙ୍କ ମୁହଁ ମଧ୍ୟ ବନ୍ଦ କରିବାରେ ସକ୍ଷମ ହୋଇଛି। କାରଣ ଯଦି ନବୀନ ପଟ୍ଟନାୟକ କିଛି ସହାୟତା ରାଶି ମାଗି ଥାଆନ୍ତେ ଆଉ କେନ୍ଦ୍ର ସରକାର ତାହା ପୂରଣ କରିଦେଇଥାଆନ୍ତେ ତେବେ ରାଜ୍ୟ ବିଜେପି ବାହାବା ନିଶ୍ଚିତ ନେଇ ଥାଆନ୍ତେ। ଦଳର ଯେପରି ସାମାଜିକ ଗଣମାଧ୍ୟମ ସକ୍ରିୟ ଅଛି ସେଥିରେ ପୁରା ମାଇଲେଜ ଉଠାଇଥାଆନ୍ତା ବିଜେପି। ହେଲେ ତାହା ହୋଇପାରିଲା ନାହିଁ।

ଦ୍ବିତୀୟରେ ପ୍ରଧାନମନ୍ତ୍ରୀ ଓଡିଶାର ବାତ୍ୟା ପରିଚାଳନା ନେଇ ବେଶ୍ ସନ୍ତୁଷ୍ଠ ହେବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି। ଏହାଦ୍ବାରା ରାଜ୍ୟ ବିଜେପି ରାଜ୍ୟ ସରକାରଙ୍କ ଉପରେ କାଦୁଅ ଫିଙ୍ଗା ଖେଳଟି ଆଉ ଖେଳିପାରିଲେ ନାହିଁ। କହିବାକୁ ଗଲେ ନବୀନଙ୍କ ଏହି ମାଷ୍ଟ୍ରର ଷ୍ଟ୍ରୋକରେ ରାଜ୍ୟ ବିଜେପିର ମଙ୍ଗୁଆଳମାନେ ଚୁପ ରହିବାକୁ ବାଧ୍ୟ ହୋଇଛନ୍ତି। କିମ୍ବା ସିଧା କହିଲେ ନବୀନ ସେମାନଙ୍କୁ ଚୁପ କରାଇ ଦେଇଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ମାଇଲେଜ ବିଜେପିକୁ ନ ଯାଇ ସିଧା ବିଜେଡି ଖାତାରେ ଜମା ହୋଇଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତିନୋଟି ରାଜ୍ୟ ପାଇଁ ହଜାରେ କୋଟିର ସହାୟତା ଘୋଷଣା କଲେ ମୋଦି, ଓଡିଶାକୁ ପାଞ୍ଚଶହ କୋଟି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାତ୍ୟା ସମୀକ୍ଷା କରି ଯିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି। ତିନୋଟି ରାଜ୍ୟ ଓଡିଶା, ପଶ୍ଚିମବଂଗ ଏବଂ ଝାଡଖଣ୍ଡ ପାଇଁ 1000 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ଏକାକୀ ଓଡିଶା ପାଇଁ 500 କୋଟି ରହିଛି। ସେହିପରି ଉଭୟ ପଶ୍ଚିମବଂଗ ଏବଂ ଝାଡଖଣ୍ଡ ପାଇଁ ରହିଛି 500 କୋଟି।

ଏହି ଟଙ୍କା ତୁରନ୍ତ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ବାତ୍ୟାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ 2 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି। ସେହିପରି ଆହତ ବ୍ୟକ୍ତିଙ୍କୁ 50 ହଜାର ଟଙ୍କା ପ୍ରଦାନ ପାଇଁ ନିଷ୍ପତି ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଆସି ଭୁବନେଶ୍ବରର ବିମାନ ବନ୍ଦରରେ ବାତ୍ୟା ୟଶ କ୍ଷୟକ୍ଷତି ଉପରେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମନ୍ତ୍ରୀ  ପ୍ରତାପ ଷଡଙ୍ଗୀ ଉପସ୍ଥିତ ଥିଲେ।

ଏଥିସହିତ ମୁଖ୍ୟଶାସନ ସଚିବ, ପୋଲିସ ଡିଜି ଏବଂ ଏସଆରସିଙ୍କ ସହିତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ସ୍ବାଗତ କରିଥିଲେ। ଏହାପରେ ସମୀକ୍ଷା ବୈଠକ ବିମାନ ବନ୍ଦର ଭିତରେ କରାଯାଇଥିଲା।

ଏହି ବୈଠକ ପରେ ମୋଦି ଆକାଶ ମାର୍ଗରୁ ବାତ୍ୟା ପରିସ୍ଥିତି ଦେଖି ପଶ୍ଚିମବଂଗ ଯାଇଥିଲେ। ସେଠାରେ ଆକାଶମାର୍ଗରୁ ସ୍ଥିତି ଦେଖିବା ସହ ସମୀକ୍ଷା ବୈଠକ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିବା ପରେ ଏହି ସହାୟତା ରାଶି ଘୋଷଣା କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ ବିଷୟ କଣ !

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ନେତା କୋଭିଡ-୧୯ ମହାମାରୀ ସମ୍ପର୍କରେ ଆଲୋଚନା କରିଥିଲେ । ରାଷ୍ଟ୍ରପତି ପୁଟିନ ଏହି ସମୟରେ ଭାରତ ସରକାର ଓ ଦେଶବାସୀଙ୍କ ସହିତ ଅଛନ୍ତି ଓ ରୁଷ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତକୁ ରୁଷର ସାହାଯ୍ୟ ଦୁଇ ଦେଶର ବନ୍ଧୁତ୍ୱର ପ୍ରତୀକ ବୋଲି କହିଥିଲେ। ଉଭୟ ନେତା ବୈଶ୍ୱିକ ମହାମାରୀ ମୁକାବିଲା କରିବା ଦିଗରେ ଦୁଇ ଦେଶର ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ପୁଟନିକ୍-ଭି ଟିକାର ଆପତକାଳୀନ ବ୍ୟବହାରକୁ ଭାରତ ଅନୁମୋଦନ କରିବା ନେଇ ପୁଟିନ ତାହାର ପ୍ରଶଂସା କରିଥିଲେ । ଭାରତ, ରୁଷ ଓ ଅନ୍ୟାନ୍ୟ ଦେଶରେ ରୁଷୀୟ ଟିକା ପ୍ରସ୍ତୁତ ହେବ ବୋଲି ଦୁଇଦେଶ ନେତା ଉଲ୍ଲେଖ କରିଥିଲେ ।

ଦୁଇଦେଶର ସ୍ୱତନ୍ତ୍ର ଅଂଶୀଦାରୀତା ମନୋଭାବ ଦୃଷ୍ଟିରୁ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତରେ ଗଗନଯାନ କାର‌୍ୟ୍ୟକ୍ରମ ଓ ଏଥିପାଇଁ ଚାରିଜଣ ମହାକାଶଚାରିଙ୍କ ରୁଷରେ ତାଲିମ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଥିଲେ ।

ଉଦ୍ଜାନ ମିତବ୍ୟୟିତା ସହ ଅକ୍ଷୟ ଶକ୍ତି କ୍ଷେତ୍ରରେ ଉଭୟ ଦେଶର ଅଧିକ ସହଯୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଉଭୟ ଦେଶର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ନୂତନ ଭାବେ ବିଭିନ୍ନ ଆଲୋଚନା ପାଇଁ ଦୁଇ ନେତାଙ୍କ ମଧ୍ୟରେ ସହମତି ହୋଇଥିଲା ।
ସେପ୍ଟେମ୍ବର ୨୦୧୯ରେ ଉଭୟ ନେତା ଭ୍ଲାଡିଭୋଷ୍ଟକ ଶିଖର ସମ୍ମିଳନୀରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମଧ୍ୟ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଦିନରେ ପୁଟିନଙ୍କୁ ଭାରତ ଆସିଲେ ଉଭୟନେତା ଦ୍ୱିପାକ୍ଷିକ ଆଲୋଚନା ଅଧିକ ବ୍ୟାପକ ହୋଇପାରିବ ବୋଲି କହିଥିଲେ । ୨୦୨୧ ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧିନାୟକତ୍ୱକୁ ରୁଷ ପୂର୍ଣ୍ଣ ସମର୍ଥନ ଦେବ ବୋଲି ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ବ୍ୟାପାରରେ ଉଭୟନେତା ଆଲୋଚନା କରିବେ ବୋଲି ନିଜ ନିଜ ସମ୍ମତି ପ୍ରଦାନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, ପ୍ରତିଷ୍ଠିତ ଶିକ୍ଷାବିତ, ଲୋକପ୍ରିୟ ସ୍ତମ୍ଭକାର ଏବଂ ସଫଳ ଲେଖକ ମଜୋଜ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି: “ ମଜୋଜ ଦାସ ପ୍ରସିଦ୍ଧ ଶିକ୍ଷାବିତ, ଲୋକପ୍ରିୟ ସ୍ତମ୍ଭକାର ଏବଂ ସଫଳ ଲେଖକ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲେ । ଇଂରାଜୀ ଏବଂ ଓଡିଆ ସାହିତ୍ୟରେ ତାଙ୍କର ବିଶେଷ ଅବଦାନ ରହିଥିଲା । ସେ ଶ୍ରୀ ଅରବିନ୍ଦଙ୍କ ଦର୍ଶନର ଜଣେ ଅଗ୍ରଣୀ ପ୍ରଣେତା ମଧ୍ୟ ଥିଲେ । ତାଙ୍କ ଦେହାନ୍ତରେ ମର୍ମାହତ । ତାଙ୍କ ପରିବାର ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।

Categories
ଜାତୀୟ ଖବର ବିଶେଷ ଖବର

କରୋନା ମହାମାରୀ ଉପରେ ଦେଶକୁ ସମ୍ବୋଧିତ କରି କଣ କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଉପରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମ୍ବୋଧନରେ ଯାହା କହିଲେ ତାହା ହେଲା..

ମୋର ପ୍ରିୟ ଦେଶବାସୀ, ନମସ୍କାର!

ଆଜି ଦେଶ କରୋନା ବିରୋଧରେ ବହୁତ ବଡ ଯୁଦ୍ଧ କରୁଛି। କିଛି ସପ୍ତାହ ପୂର୍ବରୁ, ଅବସ୍ଥା ସ୍ଥିର ହୋଇଯାଇଥିଲା ଏବଂ ପରେ ଏହା କରୋନାର ଦ୍ୱିତୀୟ ତରଙ୍ଗ ସୃଷ୍ଟି ହେଲା। ଆପଣମାନେ ଯେଉଁ ଯନ୍ତ୍ରଣା ଭୋଗୁଛନ୍ତି, ମୁଁ ମଧ୍ୟ ସେହି ଯନ୍ତ୍ରଣାକୁ ଅନୁଭବ କରୁଛି । ଯେଉଁମାନେ ଅତୀତରେ ପ୍ରାଣ ହରାଇଛନ୍ତି, ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ମୋର ସମବେଦନା ଜଣାଉଛି। ପରିବାର ସଦସ୍ୟ ଭାବରେ, ମୁଁ ମଧ୍ୟ ଆପଣଙ୍କ ଦୁଃଖରେ ଜଡିତ ।

ସାଥୀ

ମୁଁ ସମସ୍ତ ଡାକ୍ତର, ଡାକ୍ତରୀ କର୍ମଚାରୀ, ପାରାମେଡିକାଲ୍ କର୍ମଚାରୀ, ଆମର ସମସ୍ତ ସ୍ୱଚ୍ଛତା ଭାଇଭଉଣୀ, ଆମ ଆମ୍ବୁଲାନ୍ସର ଡ୍ରାଇଭର, ଆମର ସୁରକ୍ଷା-ପୋଲିସ୍ କୁ ପ୍ରଶଂସା କରିବାକୁ ଚାହେଁ । କରୋନାର ପ୍ରଥମ ତରଙ୍ଗରେ ଆପଣମାନେ ଜୀବନକୁ ବିପଦରେ ପକାଇ ଲୋକଙ୍କୁ ବଞ୍ଚାଇଛ । ଆଜି ଆପଣ ପୁନର୍ବାର ଏହି ସଙ୍କଟରେ ଦିନରାତି ବ୍ୟସ୍ତ ଅଛନ୍ତି, ଆପଣଙ୍କ ପରିବାର, ଆପଣଙ୍କ ଖୁସି, ଚିନ୍ତା ଏବଂ ଅନ୍ୟମାନଙ୍କ ଜୀବନ ରକ୍ଷା କରୁଛନ୍ତି ।

ସାଥୀ

ଏଥର କରୋନା ମାମଲା ବଢିବା ସହିତ ଦେଶର ଫାର୍ମା ସେକ୍ଟର ଔଷଧ ଉତ୍ପାଦନକୁ ବୃଦ୍ଧି କରିଛି।  ଆମେ ଭାଗ୍ୟବାନ ଯେ ଆମ ଦେଶରେ ଏପରି ଏକ ଶକ୍ତିଶାଳୀ ଫାର୍ମା ସେକ୍ଟର ଅଛି, ଯାହା ବହୁତ ଭଲ ଏବଂ ଦ୍ରୁତ ଔଷଧ ତିଆରି କରେ । ଏହା ସହିତ ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି । କେତେକ ସହରରେ ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଏବଂ ବଡ଼ କୋଭିଡ ଡାକ୍ତରଖାନା ନିର୍ମାଣ କରାଯାଉଛି।

ପୂର୍ବରୁ କରୋନାର ନିର୍ଦ୍ଦିଷ୍ଟ କିଛି ମେଡିକାଲ୍ ଭିତ୍ତିଭୂମି ନଥିଲା । ମନେରଖ, ଦେଶର ଅବସ୍ଥା କ’ଣ ଥିଲା? କରୋନା ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ଲ୍ୟାବ ନଥିଲା, PPE ର ଉତ୍ପାଦନ ନଥିଲା । ଏହି ରୋଗର ଚିକିତ୍ସା ପାଇଁ ଆମର କୈଣସି ନିର୍ଦ୍ଦିଷ୍ଟ ସୂଚନା ମଧ୍ୟ ନଥିଲା । କିନ୍ତୁ ଖୁବ୍ କମ୍ ସମୟ ମଧ୍ୟରେ ଆମେ ଏହି ଜିନିଷଗୁଡ଼ିକର ଉନ୍ନତି କରିଛୁ । ଆଜି ଆମର ଡାକ୍ତରମାନେ କରୋନା ଚିକିତ୍ସାର ବହୁତ ଭଲ ଚିକିତ୍ସା ହାସଲ କରିଛନ୍ତି, ସେମାନେ ଅଧିକରୁ ଅଧିକ ଜୀବନ ରକ୍ଷା କରୁଛନ୍ତି । ଆଜି ଆମ ପାଖରେ ପ୍ରଚୁର ପରିମାଣର PPE କିଟ୍, ଲ୍ୟାବ୍ର ଏକ ବୃହତ ନେଟୱାର୍କ ଅଛି ଏବଂ ଆମେ ନିରନ୍ତର ପରୀକ୍ଷା ସୁବିଧା ବୃଦ୍ଧି କରୁଛୁ ।

ସାଥୀ

ସମାଜର ପ୍ରୟାସ ଏବଂ ସେବାର ସଂକଳ୍ପ ସହିତ ଆମେ ଏହି ଯୁଦ୍ଧରେ ଜିତିବାକୁ ସମର୍ଥ ହେବା । ମୁଁ ମୋର ଯୁବ ସହକର୍ମୀମାନଙ୍କୁ ଅନୁରୋଧ କରୁଛି ଯେ ନିଜ ପଡ଼ୋଶୀ ଏବଂ ଆପାର୍ଟମେଣ୍ଟରେ ଛୋଟ କମିଟି ଗଠନ କରି ସେମାନଙ୍କୁ  କୋଭିଡ୍ ଅନୁଶାସନ ପାଳନ କରିବାରେ ସାହାଯ୍ୟ କରନ୍ତୁ । ଯଦି ଆମେ ଏହା କରିବା ତେବେ ସରକାରଙ୍କୁ ଏକ କଣ୍ଟେନମେଣ୍ଟ ଜୋନ୍ ତିଆରି କରିବାକୁ ପଡ଼ିବ ନାହିଁ କିମ୍ବା କର୍ଫ୍ୟୁ ଲାଗୁ ହେବ ନାହିଁ ଏବଂ ଲକଡାଉନ କରିବାର ମଧ୍ୟ ପ୍ରଶ୍ନ ଉଠୁନାହିଁ ।

ଆଜି ମୁଁ ମୋ ପିଲା ସାଙ୍ଗମାନଙ୍କୁ ବିଶେଷ ଭାବରେ ଗୋଟିଏ କଥା କହିବାକୁ ଚାହେଁ । ମୋ ପିଲା ବନ୍ଧୁ, ଘରେ ଏପରି ପରିବେଶ ସୃଷ୍ଟି କର ଯେ ବିନା କାମରେ, ବିନା କାରଣରେ ଲୋକମାନେ ଘରୁ ବାହାରକୁ ଦିଅ ନାହିଁ । ତୁମର ଜିଦ ବଡ଼ ଫଳାଫଳ ଆଣିପାରେ ।

ସାଥୀ

ଆଜିର ପରିସ୍ଥିତିରେ ଆମ ଦେଶକୁ ଲକଡାଉନ କରିବାକୁ ପଡିବ। ଶେଷ ବିକଳ୍ପ ଭାବରେ ଲକଡାଉନ୍ ବ୍ୟବହାର କରିବାକୁ ମୁଁ ମଧ୍ୟ ରାଜ୍ୟମାନଙ୍କୁ ଅନୁରୋଧ କରିଛି । ଲକଡାଉନ୍ ଏଡାଇବାକୁ କଠିନ ଚେଷ୍ଟା କରିବାକୁ ପଡିବ । ମାଇକ୍ରୋ କଣ୍ଟେନର ଜୋନ୍ ଉପରେ ଧ୍ୟାନ ଦିଆଯାଇଛି । ଆମେ ମଧ୍ୟ ଆମର ଅର୍ଥନୀତିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ଆମ ଦେଶବାସୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ।

ସାଥୀ

ଆଜି ନବରାତ୍ରୀଙ୍କର ଶେଷ ଦିନ । ଆସନ୍ତାକାଲି ରାମ ନବମୀ। ମର୍ଯ୍ୟଦା ପୁରୁଷ ଶ୍ରୀରାମଙ୍କ ବାର୍ତ୍ତା ହେଉଛି ଯେ ଆମେ ଆଦର୍ଶ ପାଳନ କରିବା ଉଚିତ୍ । କରୋନାଙ୍କର ଏହି ସଙ୍କଟରେ, ଦୟାକରି କରୋନା କଟକଣାକୁ ଅନୁସରଣ କରନ୍ତୁ । ଆଜି ମଧ୍ୟ ପବିତ୍ର ରମଜାନ ମାସର ସପ୍ତମ ଦିନ । ରମଜାନ୍ ଆମକୁ ଧର୍ଯ୍ୟ, ଆତ୍ମ ନିୟନ୍ତ୍ରଣ ଏବଂ ଅନୁଶାସନ ଶିଖାଏ । କରୋନା ବିରୁଦ୍ଧରେ ଯୁଦ୍ଧ ଜିତିବା ପାଇଁ ଅନୁଶାସନ ମଧ୍ୟ ଆବଶ୍ୟକ ।

ଯେତେବେଳେ ଆବଶ୍ୟକ ହୁଏ ବାହାରକୁ ଯାଅ, କୋଭିଡ ଅନୁଶାସନକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରଷ ମୁଁ ପୁନର୍ବାର ଆପଣଙ୍କୁ ଏହି ଆଶ୍ୱାସନା ଦେଉଛି ଯେ ଆପଣଙ୍କର ସାହସ, ଧର୍ଯ୍ୟ ଏବଂ ଶୃଙ୍ଖଳା ସହିତ ଆଜିର ପରିସ୍ଥିତିକୁ ମୁକାବିଲା କରିବାକୁ ପଡିବ। ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ, ଆପଣଙ୍କ ପରିବାର ସୁସ୍ଥ ରୁହନ୍ତୁ ଏବଂ ମୁଁ ଏହି ଇଚ୍ଛା ସହିତ ମୋର ବାର୍ତ୍ତା ଶେଷ କରୁଛି । ବହୁତ ଧନ୍ୟବାଦ !

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଆଜିଠାରୁ ଦେଶରେ ଆରମ୍ଭ ହେଲା ଟୀକା ଉତ୍ସବ: ଜାଣନ୍ତୁ ଚିଲିକାରେ ପ୍ରଥମ ଦିନରେ କେତେଜଣ ନେଲେ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଆଜିଠାରୁ ସାରା ଦେଶରେ ଟୀକା ଉତ୍ସବ ପାଳନ କରାଯାଉଛି। ଏହା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ଆଜିଠାରୁ ଟୀକା ଉତ୍ସବ ଆରମ୍ଭ ହୋଇଯାଇଅଛି। ବାଣପୁର ଓ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହା ଅଧୀନରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଉକ୍ତ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଉଭୟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଆଜିଏହି ଉତ୍ସବକୁ ଉଦଘାଟିତ କରି ଟୀକାକରଣ ପ୍ରକ୍ରିୟାକୁ ଆରମ୍ଭ କରିଛନ୍ତି।

ତେବେ ଆଜି ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକମାନେ ବହୁ ସଂଖ୍ୟାରେ କରୋନା ଟୀକା ନେଇଛନ୍ତି। ପ୍ରଥମ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀରେ ୧୩୩୦ ଜଣ ବ୍ୟକ୍ତି ଟୀକା ନେଇଥିବା ଉଭୟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ବାଣପୁରରେ ୨୮୭ ଜଣ, ଗମ୍ଭାରୀମୁଣ୍ଡାରେ ୧୭୬ ଜଣ  ଏବଂ ସୁନାଖେଳାରେ ୧୯୪ ଜଣ ବ୍ୟକ୍ତି ଟୀକା ନେଇଛନ୍ତି।

ଅନୁରୂପ ଭାବେ ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବାଲୁଗାଁରେ ୩୭୭ ଜଣ ଟୀକା ନେଇଥିବା ବେଳେ ନଈରୀରେ ୮୮ ଜଣ ଏବଂ ଜରିପଡାରେ ୨୦୮ ଜଣ ବ୍ୟକ୍ତି ଟୀକା ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭାଗ୍ୟଶ୍ରୀ ଓ ସିଲୁଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର ଦିନ ରାଜଭବନ ଠାରେ ଭାଗ୍ୟଶ୍ରୀ ସାହୁ ଏବଂ ସିଲୁ ନାୟକଙ୍କୁ ସେମାନଙ୍କର ଚମତ୍କାର ସଫଳତା ତଥା ସମାଜ ପାଇଁ ନିଃସ୍ୱାର୍ଥପର ସେବା ପାଇଁ ସମ୍ବର୍ଦ୍ଧିତ କରିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ ଟକ୍ ‘ମନ୍ କି ବାତ୍‌’ରେ ଉଭୟଙ୍କୁ ପ୍ରଶଂସା କରିଥିଲେ।

ସୁଶ୍ରୀ ସାହୁଙ୍କୁ ସମ୍ମାନିତ କରିବା ଅବସରରେ ରାଜ୍ୟପାଳ ଚିତ୍ରକଳା ଏବଂ ହସ୍ତଶିଳ୍ପ (ପଟ୍ଟଚିତ୍ର) କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରତିଭାକୁ ପ୍ରଶଂସା କରିଥିଲେ। ଏଥିସହ ତାଙ୍କର ଉତ୍ସାହ, ନିଃସ୍ୱାର୍ଥପର ଭକ୍ତି ଏବଂ ଶକ୍ତି ଅନ୍ୟମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ସେ କହିଛନ୍ତି। ବିପିୟୁଟି ତରଫରୁ ରାଜ୍ୟପାଳ ତାଙ୍କୁ ପ୍ରମାଣପତ୍ର ଏବଂ ଏକ ଲକ୍ଷ ପଚାଶ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଭାଗ୍ୟଶ୍ରୀ ବର୍ତମାନ ସାରଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଛାତ୍ରୀ ଅଟନ୍ତି।

ସେହିପରି ସିଲୁ ନାୟକଙ୍କୁ ସମ୍ମାନିତ କରି ପ୍ରଫେସର ଲାଲ ତାଙ୍କର ଉତ୍ସାହ,ନିଃସ୍ୱାର୍ଥପର ଏବଂ ଶକ୍ତିକୁ ପ୍ରଶଂସା କରିଥିଲେ। ଗ୍ରାମାଂଚଳର ଯୁବକମାନଙ୍କୁ ‘ମହାଗୁରୁ ବାଟାଲିୟନ’ ମାଧ୍ୟମରେ ମୁକ୍ତ ଭାବରେ ତାଲିମ ପ୍ରଦାନ କରି ସଶସ୍ତ୍ର ବାହିନୀରେ ପ୍ରବେଶ କରିବାର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରୁଛନ୍ତି। ଏହା ଆହୁରି ଅନେକଙ୍କ ଜୀବନରେ ନିଃସ୍ୱାର୍ଥପର ସେବାର ଭାବନାକୁ ଜାଗ୍ରତ କରିବ ଏବଂ ସେମାନଙ୍କୁ ଲୋକ ତଥା ମାତୃଭୂମି ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳଙ୍କ ସଚିବ ଡ. ପି କେ ମେହେର୍ଦ୍ଦା ଏବଂ ବିପିୟୁଟିର କୁଳପତି ଡ. ସି.ଆର. ତ୍ରିପାଠୀ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପ୍ରଗତି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ୧୨ଟି ରାଜ୍ୟର ପ୍ରକଳ୍ପଗୁଡ଼ିକ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ୩୬ତମ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୦ଟି ପ୍ରସଙ୍ଗର ସମୀକ୍ଷା କରାଯାଇଥିଲା, ଯେଉଁଥିରେ ୮ଟି ପ୍ରକଳ୍ପ ସହିତ ଗୋଟିଏ ଯୋଜନା ଓ ଗୋଟିଏ କାର୍ଯ୍ୟକ୍ରମ ସଂକ୍ରାନ୍ତ ଅଭିଯୋଗ ସାମିଲ ରହିଥିଲା। ଆଠଟି ପ୍ରକଳ୍ପ ମଧ୍ୟରୁ ତିନୋଟି ପ୍ରକଳ୍ପ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନ୍ତର୍ଭୂକ୍ତ ଥିବା ବେଳେ ଦୁଇଟି ରେଳ ମନ୍ତ୍ରଣାଳୟର ଥିଲା।

ସେହିପରି ଶକ୍ତି, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଗୃହ ମନ୍ତ୍ରଣାଳୟ ସହ ଜଡ଼ିତ ଗୋଟିଏ ଲେଖାଏଁ ପ୍ରକଳ୍ପ ରହିଥିଲା। ୧୨ଟି ରାଜ୍ୟ ଯଥା- ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, ଝାଡ଼ଖଣ୍ଡ, ସିକିମ, ଉତ୍ତର ପ୍ରଦେଶ, ମିଜୋରାମ, ଗୁଜରାଟ, ମଧ୍ୟପ୍ରଦେଶ, ବିହାର ଓ ମେଘାଳୟରେ ମୋଟ ପାଖାପାଖି ୪୪୫୪୫ କୋଟି ଟଙ୍କା ବ୍ୟୟରେ ଏସବୁ ପ୍ରକଳ୍ପ କାର‌୍ୟ୍ୟକାରୀ ହେଉଛି।

କେତେକ ପ୍ରକଳ୍ପ କାର‌୍ୟ୍ୟକାରିତାରେ ହେଉଥିବା ବିଳମ୍ବକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲେ ଏବଂ ବିଳମ୍ବିତ ହୋଇ ପଡ଼ିଥିବା ସମସ୍ତ ସମସ୍ୟାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଏବଂ ସମ୍ଭବ ହେଲେ ମିଶନ ମୋଡରେ ସମାଧାନ କରିବା ଲାଗି ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ଲାଗି କାର‌୍ୟ୍ୟକ୍ରମର ସମୀକ୍ଷା କରିଥିଲେ। ସେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ସଂକ୍ରାନ୍ତ ଅଭିଯୋଗଗୁଡ଼ିକର ମଧ୍ୟ ସମୀକ୍ଷା କରିଥିଲେ। ଏକ ଉପଯୁକ୍ତ ସଚେତନତା ଅଭିଯାନ ଅନ୍ତର୍ଗତ ଲୋକମାନଙ୍କୁ, ବିଶେଷ କରି ଯୁବକମାନଙ୍କୁ ସମ୍ପୃକ୍ତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ନିର୍ମାଣ କରାଯାଉଥିବା ରାସ୍ତାଗୁଡ଼ିକର ଉଚ୍ଚ ମାନ ସୁନିଶ୍ଚିତ କରିବା ଦିଗରେ ବିଶେଷ ଧ୍ୟାନ ଦେବା ଲାଗି ସେ ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ପୂର୍ବରୁ ଅନୁଷ୍ଠିତ ୩୫ଟି ପ୍ରଗତି ବୈଠକରେ, ମୋଟ ୧୩.୬୦ ଲକ୍ଷ କୋଟି ଟଙ୍କାର ୨୯୦ଟି ପ୍ରକଳ୍ପ ସମେତ ୫୧ଟି କାର‌୍ୟ୍ୟକ୍ରମ/ଯୋଜନା ଏବଂ ୧୭ଟି ଭିନ୍ନ ଭିନ୍ନ କ୍ଷେତ୍ରର ଅଭିଯୋଗର ସମୀକ୍ଷା କରାଯାଇସାରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋମବାର ଦିନ ଓଡିଶାରେ କରୋନା ଟୀକା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ବିଭିନ୍ନ ରାଜ୍ୟରେ କରୋନା ଟୀକା କିପରି ଦିଆଯିବ ଏବଂ ସେଥିପାଇଁ କିପରି ପ୍ରସ୍ତୁତି ହୋଇଛି ସେ ନେଇ ପ୍ରଧାନମନ୍ତ୍ରୀ କରିବେ ଆଲୋଚନା। ସୋମବାର ଦିନ 11 ଟାକୁ ହେବାକୁ ଥିବା ଏଙି ବୈଠକ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ହେବ। ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ  ସହିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧା ଆଲୋଚନା କରିବେ।

ଓଡିଶାରେ କିପରି ଟୀକା ପ୍ରଦାନ କରାଯିବ ସେ ନେଇ ଦୁଇଥର ମକ ଡ୍ରିଲ ହୋଇସାରିଲାଣି। ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟ କର୍ମିଙ୍କୁ ଏହି ଟୀକା ପ୍ରଦାନ କରାଯିବ। ଏହାପରେ ବରିଷ୍ଠ ଏବଂ ରୋଗୀମାନଙ୍କୁ ପ୍ରଦାନ କରାଯିବ। ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏହାର ସ୍ଥିତି ସଂପର୍କରେ ଅବଗତ କରାଇବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଖୁ ଚାଷୀଙ୍କ ପାଇଁ ଖୁସି ଖବର,ଏଫ୍‌ଆରପି ୨୦୨୦-୨୧ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ଧାର୍ଯ୍ୟ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଚିନିକଳଗୁଡିକ ଆଖୁଚାଷୀଙ୍କୁ ଯୋଗାଇ ଦେଉଥିବା ଉଚିତ ଓ ଲାଭଦାୟକ ମୂଲ୍ୟ (ଏଫ୍‌ଆରପି) ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହା ୨୦୨୦-୨୧ ବର୍ଷ ପାଇଁ ଅର୍ଥାତ୍ ଆଗାମୀ ଅକ୍ଟୋବରରୁ ଆସନ୍ତାବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଆଖୁ ଅମଳ ଋତୁପାଇଁ ଲାଗୁ ହେବ। ଏହି ମୂଲ୍ୟ ବୃଦ୍ଧି ପାଇଁ କୃଷି ବ୍ୟୟ ଓ ମୂଲ୍ୟ ନିର୍ଦ୍ଧାରଣ କମିଶନ ସରକାରଙ୍କୁ ସୁପାରିସ କରିଥିଲେ। ଏହି ଲାଭଦାୟକ ମୂଲ୍ୟ ଆଖୁ ଚାଷୀଙ୍କୁ ନିମ୍ନମତେ ପ୍ରଦାନ କରାଯିବ

ଆଖୁର ଉଚିତ ଓ ଲାଭଦାୟକ ମୂଲ୍ୟ ବା ଏଫ୍‌ଆରପି ୨୦୨୦-୨୧ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିରେ ବେସିକ୍ ରିକଭରି ରେଟ୍ ୧୦ ଶତାଂଶ ଧାର‌୍ୟ୍ୟ ହୋଇଛି । ବେସିକ୍ ରିକଭରି ରେଟର ଅର୍ଥ ଆଖୁରୁ କେତେ ପରିମାଣରେ ଚିନି ଉତ୍ପାଦିତ ହୋଇପାରିବ ସେହି ହିସାବ।

୧୦ ଶତାଂଶ ରିକଭରି ଉପରେ ପ୍ରତି ୦.୧ ଶତାଂଶ ବୃଦ୍ଧି ପାଇଁ କ୍ୱିଣ୍ଟାଲ ପିଛା ୨.୮୫ ଟଙ୍କା ପ୍ରିମିୟମ ଆକାରରେ ମିଳିବ। ରିକଭରି ୦.୧ ପ୍ରତିଶତ ହ୍ରାସ ପାଇଲେ ଏଫ୍‌ଆରପି କ୍ୱିଣ୍ଟାଲ ପିଛା ୨ ଟଙ୍କା ୮୫ ପଇସା କମିବ। ଯେଉଁ କଂପାନୀଗୁଡିକର ରିକଭରି ହାର ଅର୍ଥାତ୍ ଆଖୁରୁ ଚିନି ଉତ୍ପାଦନ କରିବାର କ୍ଷମତା ୧୦ ଶତାଂଶରୁ କମ୍ କିନ୍ତୁ ୯.୫ ଶତାଂଶରୁ ଅଧିକ ସେମାନଙ୍କ ପାଇଁ ଏହା ଲାଗୁହେବ। ତେବେ ଯେଉଁ କମ୍ପାନୀଗୁଡିକର ରିକଭରି ହାର ୯.୫ ଶତାଂଶରୁ କମ୍ ସେମାନଙ୍କୁ କ୍ୱିଣ୍ଟାଲ ପିଛା ଏଫଆରପି ବାବଦରେ ୨୭୦ ଟଙ୍କା ୭୫ ପଇସା ଦେବାକୁ ପଡିବ।

ଆଖୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଲାଭଦାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଏହାଫଳରେ ସେମାନେ ନିଜର ଉତ୍ପାଦିତ ସାମଗ୍ରୀ ଉପରେ ଉଚିତ ମୂଲ୍ୟ ପାଇପାରିବେ। ୧୯୬୬ ଆଖୁ ନିୟନ୍ତ୍ରଣ ଆଇନ ବଳରେ ଏହି ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି । ସମଗ୍ର ଦେଶପାଇଁ ଏହି ଏଫ୍‌ଆରପି ସମାନଭାବେ ଲାଗୁ ହେବ।

Categories
ଜାତୀୟ ଖବର ବିଶେଷ ଖବର

ଜାଣନ୍ତୁ, ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ ସମାରୋହରେ କେତେବେଳେ କଣ କରିବେ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭବ୍ୟ ଲାଲକିଲ୍ଲା ଠାରେ ଆୟୋଜିତ ହେବାକୁ ଥିବା ୭୪ତମ ସ୍ୱାଧୀନତା ଦିବସ ସମାରୋହରେ ସାରା ଦେଶର ନେତୃତ୍ୱ ନେବେ। ସେ ଜାତୀୟ ପତାକା ଉତୋଳନ କରିବା ସହିତ ଏହି ଐତିହାସିକ ଅଟ୍ଟାଳିକାର ପ୍ରାଚୀରରୁ ସମଗ୍ର ରାଷ୍ଟ୍ର ଉଦ୍ଦେଶ୍ୟରେ ପାରମ୍ପରିକ ଅଭିଭାଷଣ ରଖିବେ।

ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ଲାହୋର ଗେଟ ନିକଟରେ ସକାଳ ୭ଟା ୧୮ମିନିଟରେ ପହଁଚିବେ। ସେଠାରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଓ ପ୍ରତିରକ୍ଷା ସଚିବ ଡ. ଅଜୟ କୁମାର ସ୍ୱାଗତ କରିବେ। ଏହା ପରେ ଦିଲ୍ଲୀ କ୍ଷେତ୍ରର ଜେନେରାଲ କମାଣ୍ଡିଂ ଅଫିସର (ଜିଓସି) ଲେଫ୍ଟନାଂଟ ଜେନେରାଲ ବିଜୟ କୁମାର ମିଶ୍ରଙ୍କୁ ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କ ସହିତ ପରିଚୟ କରାଇ ଦେବେ। ଏହାପରେ ଦିଲ୍ଲୀ କ୍ଷେତ୍ରର ଜିଓସି ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ସ୍ଥଳୀକୁ ପାଛୋଟି ନେବେ। ସେଠାରେ ଆନ୍ତଃସେବା ଏବଂ ପୁଲିସ ଗାର୍ଡମାନେ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଇବେ। ଏହାପରେ ପ୍ରଧାନମନ୍ତ୍ରୀ ଗାର୍ଡ ଅଫ ଅନର ଗ୍ରହଣ କରିବେ।

ସ୍ଥଳ ସେନା, ନୌସେନା, ବାୟୁସେନା ଏବଂ ଦିଲ୍ଲୀ ପୁଲିସର ୨୪ ଜଣ ଲେଖାଏଁ କାର୍ମିକ ଜଣେ ଅଧିକାରୀଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିବେ। ପ୍ରାଚୀର ତଳେ ଜାତୀୟ ପତାକା ସମ୍ମୁଖରେ ଗାର୍ଡ ଅଫ ଅନର ପ୍ରଦାନ କରାଯିବ। ଚଳିତ ବର୍ଷ ସ୍ଥଳ ସେନାର ସମନ୍ୱୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଉଥିବାରୁ ଲେଫ୍ଟନାଂଟ କଲୋନେଲ ଗୌରବ ଏସ ୟେୱାଲକରଙ୍କ ନେତୃତ୍ୱରେ ଗାର୍ଡ ଅଫ ଅନର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସମୟରେ ସ୍ଥଳସେନା ଦଳର ନେତୃତ୍ୱ ନେବେ ମେଜର ପାଲବିନ୍ଦର ଗ୍ରେୱାଲ, ନୌସେନା ଦଳର ନେତୃତ୍ୱ ଲେଫ୍ଟନାଂଟ କମାଣ୍ଡର କେ.ଭି. ଆର ରେଡ୍ଡୀ, ବାୟୁସେନା ଦଳର ନେତୃତ୍ୱ ସ୍କ୍ୱାର୍ଡନ ଲିଡର ବିକାଶ କୁମାର ଏବଂ ଦିଲ୍ଲୀ ପୁଲିସ ଦଳର ନେତୃତ୍ୱ ନେବେ ଅତିରିକ୍ତ ଆରକ୍ଷୀ ଉପ ଆୟୁକ୍ତ ଶ୍ରୀ ଜିତେନ୍ଦ୍ର କୁମାର ମୀଣା।

ଗାର୍ଡ ଅଫ ଅନର ଗ୍ରହଣ କରିସାରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ପ୍ରାଚୀର ଅଭିମୁଖେ ପ୍ରସ୍ଥାନ କରିବେ। ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ, ସ୍ଥଳସେନା ମୁଖ୍ୟ ଏମ ଏମ ନରୱଣେ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ଏବଂ ବାୟୁସେନା ମୁଖ୍ୟ ଆର କେ ଏସ ଭଦୌରିଆ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବେ। ଏହାପରେ ଜାତୀୟ ପତାକା ଉତୋଳନ ଲାଗି ଦିଲ୍ଲୀ କ୍ଷେତ୍ରର ଜିଓସି ପ୍ରଧାନମନ୍ତ୍ରୀଙ୍କୁ ମଂଚ ନିକଟକୁ ପାଛୋଟି ନେବେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯିବା ପରେ ନ୍ୟାସନାଲ ଗାର୍ଡ ପକ୍ଷରୁ ଜାତୀୟ ପତାକାକୁ ‘ରାଷ୍ଟ୍ରୀୟ ସଲାମ’ ପ୍ରଦାନ କରାଯିବ। ଜାତୀୟ ପତାକା ଉତୋଳନ ଏବଂ ‘ରାଷ୍ଟ୍ରୀୟ ସଲାମ’ ପ୍ରଦାନ କରାଯିବା ସମୟରେ ସେନାର ଗ୍ରେନେଡିୟର୍ସ ରେଜିମେଂଟାଲ ସେଂଟର ମିଲିଟାରୀ ବାଦ୍ୟ ଦଳ ପକ୍ଷରୁ ଜାତୀୟ ସଙ୍ଗୀତର ଧୂନ ବଜାଯିବ। ୟୁନିଫର୍ମରେ ଥିବା ସମସ୍ତ ସେନା କର୍ମଚାରୀମାନେ ଦଣ୍ଡାୟମାନ ହୋଇ ସାଲୁଟ ମାରିବେ, ଅନ୍ୟମାନେ କେବଳ ଛିଡ଼ା ହୋଇ ଜାତୀୟ ପତାକାକୁ ସମ୍ମାନ ଜଣାଇବେ। ସୁବେଦାର ମେଜର ଅବଦୁଲ ଗନି ସେନା ବାଦ୍ୟ ଦଳର ନେତୃତ୍ୱ ନେବେ।

ମେଜର ଶ୍ୱେତା ପାଣ୍ଡେ ଜାତୀୟ ପତାକା ଉତୋଳନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ସହାୟତା କରିବେ। ତ୍ରିରଙ୍ଗା ଉତୋଳନ ସହିତ ଉତ୍କୃଷ୍ଟ ୨୨୩୩ କ୍ଷେତ୍ରୀୟ ତୋପଚାଳନା ବାହିନୀ (ପାରମ୍ପରିକ)ର ସାହସୀ ବନ୍ଧୁକଧାରୀମାନେ ୨୧ ତୋପ ସଲାମୀ ପ୍ରଦାନ କରିବେ। ତୋପ ସଲାମୀ ଦେଉଥିବା ଦଳର ନେତୃତ୍ୱ ନେବେ ଲେଫ୍ଟନାଂଟ କଲୋନେଲ ଜିତେନ୍ଦ୍ର ସିଂ ମେହତା ଏବଂ ବନ୍ଧୁକଧାରୀ ଅଧିକାରୀ ହେବେ ନାଏବ ସୁବେଦାର (ଏଆଇଜି) ଅନୀଲ ଚାନ୍ଦ।
ଜାତୀୟ ପତାକା ଗାର୍ଡରେ ୩୨ ଜଣ କାର୍ମିକ ଏବଂ ସ୍ଥଳସେନା, ନୌସେନା, ବାୟୁସେନା ଓ ଦିଲ୍ଲୀ ପୁଲିସର ଜଣେ ଲେଖାଏଁ ଅଧିକାରୀ ରହିବେ। ଏମାନେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପତାକା ଉତୋଳନ ସମୟରେ ରାଷ୍ଟ୍ରୀୟ ସଲାମ ପ୍ରଦାନ କରିବେ। ଆନ୍ତଃସେବା ଗାର୍ଡ ଓ ପୁଲିସ ଗାର୍ଡର ନେତୃତ୍ୱ ନେବେ ସ୍ଥଳସେନାର ମେଜର ସୂର୍ଯ୍ୟ ପ୍ରକାଶ।

ସେହିପରି ଲେଫ୍ଟନାଂଟ କମାଣ୍ଡର ବିବେକ ଟିଙ୍ଗଲୋ ଜାତୀୟ ପତାକା ଗାର୍ଡ ପାଇଁ ନୌସେନା ଦଳର ନେତୃତ୍ୱ ନେବେ । ବାୟୁସେନା ଦଳର ନେତୃତ୍ୱ ନେବେ ସ୍କ୍ୱାଡ୍ରନ ଲିଡର ମୟଙ୍କ ଅଭିଷେକ ଓ ଦିଲ୍ଲୀ ପୁଲିସ ଦଳର ନେତୃତ୍ୱ ନେବେ ଅତିରିକ୍ତ ଉପ ଆରକ୍ଷୀ ଆୟୁକ୍ତ ଶ୍ରୀ ସୁଧାଂଶୁ ଧମା।

ଜାତୀୟ ପତାକା ଉତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶେଷ ହେବା ପରେ ଜାତୀୟ ସମର ଶିକ୍ଷାର୍ଥୀବାହିନୀ ପକ୍ଷରୁ ଜାତୀୟ ସଙ୍ଗୀତ ଗାନ କରାଯିବ। ସମସ୍ତଙ୍କୁ ଜାତୀୟ ସଙ୍ଗୀତ ଗାନ ସମୟରେ ସେମାନଙ୍କ ଆସନରୁ ଉଠି ଛିଡ଼ା ହୋଇ ସମ୍ମାନ ପ୍ରଦର୍ଶନ କରିବା ଲାଗି ଅନୁରୋଧ କରାଯାଉଛି । ୟୁନିଫର୍ମରେ ଥିବା ସେନା କର୍ମଚାରୀମାନେ ଏହି ଅବସରରେ ସାଲୁଟ ଜଣାଇବେ।

ଏହି ଜାତୀୟ ଭାବଧାରାର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୫୦୦ ଏନସିସି କ୍ୟାଡେଟ (ସ୍ଥଳସେନା, ନୌସେନା ଏବଂ ବାୟୁସେନା)ମାନେ ଅଂଶଗ୍ରହଣ କରିବେ।