Categories
ଆଜିର ଖବର ଜାତୀୟ ଖବର

ଜାତୀୟ ହଳଦୀ ବୋର୍ଡର ମୁଖ୍ୟାଳୟକୁ ଉଦଘାଟନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ତେଲଙ୍ଗାନାର ନିଜାମାବାଦରେ ଜାତୀୟ ହଳଦୀ ବୋର୍ଡର ମୁଖ୍ୟାଳୟକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ହଳଦୀ ବୋର୍ଡ ପ୍ରତିଷ୍ଠା କରି ସାରା ଦେଶରେ, ବିଶେଷ କରି ତେଲଙ୍ଗାନାର ଲକ୍ଷ ଲକ୍ଷ ହଳଦୀ ଚାଷୀଙ୍କ ୪୦ ବର୍ଷ ପୁରୁଣା ଦାବି ପୂରଣ କରିଛନ୍ତି। ସେ କହିଥିଲେ ଯେ ସାରା ଦେଶରେ, ବିଶେଷକରି ତେଲଙ୍ଗାନା ଏବଂ ନିଜାମାବାଦର ହଳଦୀ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଆଜି ପୂରଣ ହେଉଛି। ସେ ଉଲ୍ଲେଖ କରିଥିଲେ ଯେ ନିଜାମାବାଦ ଦଶନ୍ଧି ଦଶନ୍ଧି ଧରି ହଳଦୀର ରାଜଧାନୀ ଭାବେ ପରିଚିତ ଏବଂ ଏଠାକାର କୃଷକମାନେ ଶହ ଶହ ବର୍ଷ ଧରି ହଳଦୀ ଚାଷ କରିଆସୁଛନ୍ତି, ତଥାପି ଏହା ବିଶ୍ୱ ବଜାରରେ ପହଞ୍ଚି ପାରିନାହିଁ। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ହଳଦୀ ବୋର୍ଡ ଗଠନ ହେବା ସହିତ ନିଜାମାବାଦର ହଳଦୀ ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ବିଶ୍ୱର ଅନେକ ଦେଶରେ ପହଞ୍ଚିବ।

ଅମିତ ଶାହ କହିଥିଲେ ଯେ ଥରେ ଜାତୀୟ ହଳଦୀ ବୋର୍ଡ ଆନୁଷ୍ଠାନିକ ଭାବେ କାର୍ଯ୍ୟ ଆରମ୍ଭ କରିବା ପରେ ହଳଦୀ ଚାଷୀ ମଧ୍ୟସ୍ଥିଙ୍କ ପ୍ରଭାବରୁ ମୁକ୍ତ ହେବେ। ସେ କହିଥିଲେ ଯେ ଜାତୀୟ ହଳଦୀ ବୋର୍ଡ ହଳଦୀ ପ୍ୟାକେଜିଂ, ବ୍ରାଣ୍ଡିଂ, ବିପ୍ପଣନ ଏବଂ ରପ୍ତାନି ପାଇଁ ଏକ ସମ୍ପୂର୍ଣ୍ଣ ଶୃଙ୍ଖଳା ପ୍ରତିଷ୍ଠା କରିବ। ସେ ଉଲ୍ଲେଖ କରିଥିଲେ ଯେ ହଳଦୀ ହେଉଛି ଆଣ୍ଟି-ଭାଇରାଲ୍, ଆଣ୍ଟି-କ୍ୟାନସର ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଏବଂ ଏହାର ଔଷଧୀୟ ଗୁଣ ହେତୁ ଏହା ବିଶ୍ୱବ୍ୟାପୀ ଏକ ଚମତ୍କାର ଔଷଧ ଭାବେ ଜଣାଶୁଣା। ସେ ଆହୁରି ମଧ୍ୟ କହିଛନ୍ତି ଯେ ହଳଦୀ ଏକ ଉଲ୍ଲେଖନୀୟ ଔଷଧ, ଏବଂ ଅଳ୍ପ ପରିମାଣର ଖାଇବା ଦ୍ୱାରା ଏକାସାଙ୍ଗରେ ମାନବ ଶରୀରରୁ ଏକାଧିକ ରୋଗ ଦୂର ହୋଇପାରିବ। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଜିଆଇ-ଟ୍ୟାଗ ହୋଇଥିବା ଜୈବିକ ହଳଦୀର ଉତ୍ପାଦନ ଏବଂ ବିପଣନ ମଧ୍ୟ ଆରମ୍ଭ କରାଯାଇଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଭାରତ ସରକାର ୨୦୩୦ ମସିହା ସୁଦ୍ଧା ହଳଦୀ ରପ୍ତାନୀରେ ଏକ ବିଲିୟନ ଡଲାର ହାସଲ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ଏଥିପାଇଁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସେ କହିଛନ୍ତି ଯେ ଜାତୀୟ ହଳଦୀ ବୋର୍ଡ ଏହା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିବ ଯେ ହଳଦୀର ସର୍ବାଧିକ ମୂଲ୍ୟ ଏହାର କୃଷକମାନଙ୍କ ନିକଟରେ ପହଞ୍ଚିବ, ଆନ୍ତର୍ଜାତୀୟ ବଜାରରେ ହଳଦୀର ବ୍ୟବହାରକୁ ପ୍ରୋତ୍ସାହିତ କରିବ ଏବଂ ସମ୍ଭାବ୍ୟ ବଜାରରେ ଭାରତୀୟ ହଳଦୀର ଔଷଧୀୟ ଗୁଣକୁ ପ୍ରଚାର କରିବ। ଏହା ମଧ୍ୟ ସୁନିଶ୍ଚିତ କରିବ ଯେ ଭାରତୀୟ ହଳଦୀର ଗୁଣବତ୍ତା ଏବଂ ସୁରକ୍ଷା ମାନଦଣ୍ଡ ବିଶ୍ୱସ୍ତରୀୟ ମାନଦଣ୍ଡକୁ ପୂରଣ କରୁଛି, ଉପଯୁକ୍ତ ପ୍ୟାକେଜିଂ ବ୍ୟବସ୍ଥା କରୁଛି, ଏବଂ ରପ୍ତାନି ସମ୍ବନ୍ଧୀୟ କୌଣସି ବାଧାବିଘ୍ନକୁ ଏଡ଼ାଇବା ପାଇଁ କିପରି ହଳଦୀ ଅମଳ କରାଯିବ ସେ ବିଷୟରେ କୃଷକମାନଙ୍କୁ ତାଲିମ ଏବଂ ଦକ୍ଷତା ବିକାଶ ପ୍ରଦାନ କରିବ। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ହଳଦୀର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ଉପରେ ଗବେଷଣା ଏବଂ ବିକାଶ ବିଶ୍ୱ ସମ୍ମୁଖରେ ପ୍ରଦର୍ଶିତ ହେବ।

ଅମିତ ଶାହ କହିଥିଲେ ଯେ ତେଲଙ୍ଗାନାର ନିଜାମାବାଦ, ଜଗତିଆଲ୍, ନିର୍ମଳ ଏବଂ କାମାରେଡ୍ଡି ଜିଲ୍ଲା ଭାରତର ସର୍ବାଧିକ ହଳଦୀ ଉତ୍ପାଦନ କରୁଥିବା ଜିଲ୍ଲା ମଧ୍ୟରେ ରହିଛି। ସେ ଉଲ୍ଲେଖ କରିଥିଲେ ଯେ ୨୦୨୫ ମସିହାରେ, ହଳଦୀ ଚାଷୀମାନଙ୍କୁ ହଳଦୀ ପାଇଁ କ୍ୱିଣ୍ଟାଲ ପିଛା ୧୮,୦୦୦ ରୁ ୧୯,୦୦୦ ଟଙ୍କା ମୂଲ୍ୟ ମିଳିଥିଲା, ଏବଂ ଆଗାମୀ ତିନି ବର୍ଷ ମଧ୍ୟରେ କୃଷକମାନଙ୍କୁ କ୍ୱିଣ୍ଟାଲ ପିଛା ଅତିରିକ୍ତ ୧୦୦୦ ଟଙ୍କା ପାଇବା ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରାଯିବ। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ୨୦୨୩-୨୪ ରେ, ଭାରତରେ ୩ ଲକ୍ଷ ହେକ୍ଟର ଜମିରେ ହଳଦୀ ଚାଷ କରାଯାଇଥିଲା, ଯାହାର ଫଳସ୍ୱରୂପ ୧୦.୭୪ ଲକ୍ଷ ଟନ ଉତ୍ପାଦନ ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ରପ୍ତାନି ସହିତ ଜଡ଼ିତ କୃଷକମାନଙ୍କ ଲାଭ ପାଇଁ ଜାତୀୟ ସମବାୟ ରପ୍ତାନି ଲିମିଟେଡ ଏବଂ ଜୈବିକ ଚାଷରେ ନିୟୋଜିତ କୃଷକମାନଙ୍କ ପାଇଁ ଜାତୀୟ ସମବାୟ ଜୈବିକ ଲିମିଟେଡ ପ୍ରତିଷ୍ଠା କରିଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ କାର୍ଯ୍ୟକାଳରେ ପ୍ରତିଶ୍ରୁତି ପୂରଣ କରିବାର ଏକ ସଂସ୍କୃତିକୁ ପ୍ରୋତ୍ସାହିତ କରିଛନ୍ତି ଏବଂ ୨୦୨୩ ରେ ଦିଆଯାଇଥିବା ପ୍ରତିଶ୍ରୁତି ଆଜି ପୂରଣ ହୋଇଛି।

Categories
ବିଶେଷ ଖବର

ତେଲେଙ୍ଗାନାର ନିଜାମାବାଦ ଠାରେ ପାଖାପାଖି ୮୦୦୦ କୋଟିର ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନାର ନିଜାମାବାଦ ଠାରେ ବିଦ୍ୟୁତ୍, ରେଳ ଏବଂ ସ୍ୱାସ୍ଥ୍ୟ ସେବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଉତ୍ସର୍ଗ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ୮୦୦ ମେଗାୱାଟ ୟୁନିଟ, ମନୋହରାବାଦ ଏବଂ ସିଦ୍ଦିପେଟକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ୍ ସମେତ ଅନେକ ରେଳ ପ୍ରକଳ୍ପ; ଏବଂ ଧର୍ମବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ – ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ସେ ସାରା ରାଜ୍ୟରେ ୨୦ଟି କ୍ରିଟିକାଲ କେୟାର ବ୍ଲକ (ସିସିବି)ର ଶିଳାନ୍ୟାସ କରିଛନ୍ତି । ଶ୍ରୀ ମୋଦୀ ସିଦ୍ଦିପେଟ୍ – ସିକନ୍ଦରାବାଦ -ସିଦ୍ଦିପେଟ୍ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜିର ପ୍ରକଳ୍ପ ଗୁଡିକ ପାଇଁ ତେଲେଙ୍ଗାନାର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, କୌଣସି ରାଷ୍ଟ୍ର ବା ରାଜ୍ୟର ବିକାଶ ବିଦ୍ୟୁତ ଉତ୍ପାଦନ ପାଇଁ ଏହାର ଆତ୍ମନିର୍ଭରଶୀଳ କ୍ଷମତା ଉପରେ ନିର୍ଭର କରେ , କାରଣ ଏହା ସହଜ ଜୀବନଧାରଣ ଏବଂ ଇଜ୍ ଅଫ୍ ଡୁଇଂ ବିଜନେସ (ବ୍ୟବସାୟରେ ସହଜତା) ରେ ଏକା ସହିତ ଉନ୍ନତି ଆଣିଥାଏ । ପେଡାପଲ୍ଲୀ ଜିଲ୍ଲାରେ ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ୮୦୦ ମେଗାୱାଟ ୟୁନିଟ୍‌ର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବିଦ୍ୟୁତ୍‌ର ସୁଚାରୁ ରୂପେ ଯୋଗାଣ ଏକ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ” । ଦ୍ୱିତୀୟ ୟୁନିଟ୍ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଏବଂ ଏହା ସମ୍ପୂର୍ଣ୍ଣ ହେବା ପରେ ବିଦ୍ୟୁତ୍ କେନ୍ଦ୍ରର ସ୍ଥାପନ କ୍ଷମତା ୪,୦୦୦ ମେଗାୱାଟ୍‌କୁ ବୃଦ୍ଧି ପାଇବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଦେଶର ସମସ୍ତ ଏନ୍‌ଟିପିସି ପାୱାର ପ୍ଲାଣ୍ଟ ମଧ୍ୟରୁ ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ଲାଣ୍ଟ ସବୁଠାରୁ ଅତ୍ୟାଧୁନିକ ପାୱାର ପ୍ଲାଣ୍ଟ ବୋଲି ସେ ଖୁସି ବ୍ୟକ୍ତ କରିଥିଲେ । ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରବୃତ୍ତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ପାୱାର ପ୍ଲାଣ୍ଟରେ ଉତ୍ପାଦିତ ବିଦ୍ୟୁତର ଏକ ବଡ଼ ଅଂଶ ତେଲେଙ୍ଗାନାର ଲୋକ ମାନଙ୍କ ପାଖକୁ ଯିବ” । ୨୦୧୬ ରେ ଏହି ପ୍ରକଳ୍ପର ଶିଳାନ୍ୟାସ ସମ୍ପର୍କରେ ସେ ମନେ ପକାଇଥିଲେ ଏବଂ ଆଜି ଏହାକୁ ଉଦ୍‌ଘାଟନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ଆମ ସରକାରଙ୍କ ନୂତନ କାର୍ଯ୍ୟ ସଂସ୍କୃତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ତେଲେଙ୍ଗାନାର ବିଦ୍ୟୁତ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ନିକଟରେ ହାସନ – ଚେର୍ଲାପଲ୍ଲୀ ପାଇପଲାଇନ୍ ଲୋକାର୍ପଣ କରିବା କଥା ସେ ମନେ ପକାଇଥିଲେ । ଏହି ପାଇପଲାଇନ୍ ଶସ୍ତା ଏବଂ ପରିବେଶ ଅନୁକୂଳ ଉପାୟରେ ଏଲପିଜି ପରିବର୍ତ୍ତନ, ପରିବହନ ଏବଂ ବିତରଣର ଆଧାର ହେବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।

ଧର୍ମାବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତିକରଣ ପ୍ରକଳ୍ପ ଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଦ୍ୱାରା ରାଜ୍ୟରେ ଯୋଗାଯୋଗ ବୃଦ୍ଧି ହେବା ସହ ଦୁଇଟି ଟ୍ରେନର ହାରାହାରି ବେଗ ବୃଦ୍ଧି ପାଇବ । ଭାରତୀୟ ରେଳବାଇ ସମସ୍ତ ରେଳ ଲାଇନ୍‌କୁ ଶତ ପ୍ରତିଶତ ବିଦ୍ୟୁତିକରଣ ଲକ୍ଷ୍ୟ ନେଇ ଗତି କରୁଛି ବୋଲି ସେ କହିଛନ୍ତି । ମନୋହରାବାଦ ଏବଂ ସିଦ୍ଦିପେଟ ମଧ୍ୟରେ ନୂତନ ରେଳ ସଂଯୋଗ ବ୍ୟବସାୟ ଏବଂ ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୬ ରେ ଏହି ପ୍ରକଳ୍ପର ଶିଳାନ୍ୟାସକୁ ମନେ ପକାଇଥିଲେ ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ମନେ ପକାଇଥିଲେ ଯେ, ସ୍ୱାସ୍ଥ୍ୟ ସେବା କିପରି ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ କ୍ଷେତ୍ର ଥିଲା । ସ୍ୱାସ୍ଥ୍ୟ ସେବାକୁ ସମସ୍ତଙ୍କ ପାଖରେ ଉପଲବ୍ଧ କରିବା ପାଇଁ ତଥା ସୁଲଭ କରିବା ନିମନ୍ତେ ନିଆ ଯାଇଥିବା ଅନେକ ପଦକ୍ଷେପ ସମ୍ପର୍କରେ ଶ୍ରୀ ମୋଦୀ ସୂଚନା ଦେଇଥିଲେ । ମେଡିକାଲ କଲେଜ ଓ ଏମ୍ସ ଗୁଡିକର ସଂଖ୍ୟା ବଢ଼ୁଥିବା ନେଇ ସେ ଆଲୋଚନା କରିଥିଲେ, ଯହା ମଧ୍ୟରେ ବିବିନଗରରେ ଥିବା ଏକ ଏମ୍ସ ବିଷୟରେ ସେ କହିଥିଲେ । ଏହା ସହିତ ଡାକ୍ତର ମାନଙ୍କ ସଂଖ୍ୟା ବୃଦ୍ଧି କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି ।

ପ୍ରଧାନମନ୍ତ୍ରୀ ପିଏମ୍ ଆୟୁଷ୍ମାନ ଭାରତ ଭିତ୍ତିଭୂମି ମିଶନ ବିଷୟରେ ସୂଚନା ଦେଇଥିଲେ, ଯାହା ଅଧୀନରେ ପ୍ରତ୍ୟେକ ଜିଲ୍ଲାରେ ଗୁଣାତ୍ମକ ଭିତ୍ତିଭୂମି ସୁନିଶ୍ଚିତ କରାଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହି ମିଶନ ଅଧୀନରେ ଆଜି ତେଲେଙ୍ଗାନା ଠାରେ ୨୦ଟି କ୍ରିଟିକାଲ କେୟାର ବ୍ଲକର ଶିଳାନ୍ୟାସ କରାଯାଇଛି । ବ୍ଲକ୍ ଗୁଡିକ ଏପରି ଭାବରେ ନିର୍ମାଣ କରାଯିବ ଯେପରି ସେଠାରେ ଉତ୍ସର୍ଗୀକୃତ ଆଇସୋଲେସନ ୱାର୍ଡ, ଅକ୍ସିଜେନ ଯୋଗାଣ ଏବଂ ସଂକ୍ରମଣ ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିବ ବୋଲି ସେ ସୂଚନା ଦେଇଛନ୍ତି ।

\”ତେଲେଙ୍ଗାନାରେ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇଁ ୫୦ ରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ସାରିଛି\” ବୋଲି ସେ କହିଥିଲେ । କରୋନା ମହାମାରୀ ସମୟରେ ତେଲେଙ୍ଗାନାରେ ୫୦ଟି ବୃହତ୍ ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରା ଯାଇଥିଲା ଯାହା ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ବିଦ୍ୟୁତ୍‌, ରେଳ ବାଇ ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆଜିର ପ୍ରକଳ୍ପ ଗୁଡିକ ପାଇଁ ସେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ ବକ୍ତବ୍ୟ ଶେଷ କରିଥିଲେ ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଦେଶରେ ଉନ୍ନତ ଶକ୍ତି ଦକ୍ଷତା ସହିତ ବିଦ୍ୟୁତ ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଏନ୍‌ଟିପିସିର ତେଲେଙ୍ଗାନା ସୁପର ଥର୍ମାଲ ପାୱାର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ପ୍ରଥମ ୮୦୦ ମେଗାୱାଟ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । ଏହା ତେଲେଙ୍ଗାନାକୁ ଶସ୍ତାରେ ବିଜୁଳି ଯୋଗାଇବା ସହ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ । ଏହା ଦେଶର ସବୁଠାରୁ ପରିବେଶ ଅନୁକୂଳ ପାୱାର ଷ୍ଟେସନ ମଧ୍ୟରୁ ଅନ୍ୟତମ ହେବ ।

ପ୍ରଧାନମନ୍ତ୍ରୀ ମନୋହରାବାଦ ଏବଂ ସିଦ୍ଦିପେଟକୁ ସଂଯୋଗ କରୁଥିବା ନୂତନ ରେଳ ଲାଇନ ସମେତ ରେଳ ପ୍ରକଳ୍ପ ଗୁଡିକୁ ଏବଂ ଧର୍ମାବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଗୁଡଇକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ପରେ ତେଲେଙ୍ଗାନାର ରେଳ ଭିତ୍ତିଭୂମିକୁ ପ୍ରୋତ୍ସାହନ ମିଳିଛି । ୭୬ କିଲୋମିଟର ଦୀର୍ଘ ମନୋହରାବାଦ – ସିଦ୍ଦିପେଟ ରେଳ ଲାଇନ୍ ଏହି ଅଞ୍ଚଳର , ବିଶେଷ କରି ମେଡକ ଏବଂ ସିଦ୍ଦିପେଟ ଜିଲ୍ଲାରେ ସାମାଜିକ – ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ।

ଧର୍ମାବାଦ – ମନୋହରାବାଦ ଏବଂ ମହବୁବନଗର – କୁର୍ଣ୍ଣୁଲ ମଧ୍ୟରେ ବିଦ୍ୟୁତୀକରଣ ପ୍ରକଳ୍ପ ଟ୍ରେନର ହାରାହାରି ବେଗରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଏହି ଅଞ୍ଚଳରେ ପରିବେଶ ଅନୁକୂଳ ରେଳ ପରିବହନ କୁ ଆଗେଇ ନେବ । ପ୍ରଧାନମନ୍ତ୍ରୀ ସିଦ୍ଦିପେଟ୍ – ସିକନ୍ଦରାବାଦ – ସିଦ୍ଦିପେଟ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଦ୍ୱାରା ଏହି ଅଞ୍ଚଳର ସ୍ଥାନୀୟ ରେଳ ଯାତ୍ରୀମାନେ ଉପକୃତ ହେଉଛନ୍ତି ।

ତେଲେଙ୍ଗାନାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବୃଦ୍ଧି ନିମନ୍ତେ ପ୍ରୟାସ ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ପିଏମ୍ – ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ସାରା ରାଜ୍ୟରେ ୨୦ଟି କ୍ରିଟିକାଲ କେୟାର ବ୍ଲକ (ସିସିବି)ର ଶିଳାନ୍ୟାସ କରିଛନ୍ତି । ଆଦିଲାବାଦ, ଭଦ୍ରାଦ୍ରି କୋଥାଗୁଡେମ, ଜୟଶଙ୍କର ଭୁପାଲପଲ୍ଲୀ, ଜୋଗୁଲାମ୍ବା ଗଡ଼ୱାଲ, ହାଇଦ୍ରାବାଦ, ଖମ୍ମାମ, କୁମୁରମ୍ ଭୀମ ଆସିଫାବାଦ, ମଞ୍ଚେରିଆଲ, ମହବୁବନଗର (ବଡ଼େପାଲ୍ଲୀ), ମୁଲୁଗୁ, ନାଗରକୁର୍ଣ୍ଣୁଲ, ନାଲଗୋଣ୍ଡା, ନାରାୟଣପେଟ, ନିର୍ମଳ, ରାଜନ୍ନା ସିରସିଲା, ରଙ୍ଗାରେଡ୍ଡୀ (ମହେଶ୍ୱରମ୍‌), ସୂର୍ଯ୍ୟପେଟ, ପେଡାପଲ୍ଲୀ, ଭିକାରବାଦ ଏବଂ ୱାରାଙ୍ଗଲ (ନରସମପେଟ) ଜିଲ୍ଲାରେ ଏହି ସିସିବି ନିର୍ମାଣ କରାଯିବ । ଏହି ସିସିବି ଗୁଡ଼ିକ ସମଗ୍ର ତେଲେଙ୍ଗାନାରେ ଜିଲ୍ଲାସ୍ତରୀୟ କ୍ରିଟିକାଲ କେୟାର ଭିତ୍ତିଭୂମିର ଅଭିବୃଦ୍ଧି କରିବ ଏବଂ ରାଜ୍ୟର ଲୋକମାନେ ଉପକୃତ ହେବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଗୋଟିଏ ଦିନ ପୂର୍ବରୁ କିଣିଥିଲେ ଇଲେକ୍ଟ୍ରିକ୍ ସ୍କୁଟର, ପରଦିନ ହେଲା ବିସ୍ଫୋରଣ, ଜଣେ ମୃତ, ଦୁଇ ଆହତ

ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବେ ତେଲେଙ୍ଗାନାର ନିଜାମାବାଦର ଏକ ଘରେ ଏକ ବୈଦ୍ୟୁତିକ ସ୍କୁଟର ବ୍ୟାଟେରୀ ବିସ୍ଫୋରଣ ହୋଇ ନିଆଁ ଲାଗିଯିବା ପରେ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଏହା ପରେ Pure EV କମ୍ପାନୀ ଏହାର ୨୦୦୦ ଗାଡି ପ୍ରତ୍ୟାହାର କରିବାକୁ ଘୋଷଣା କରିଛି।

ଏବେ ରବିବାର ସକାଳେ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରର ଏକ ଘରେ ଗୋଟିଏ ଇଲେକ୍ଟ୍ରିକ୍ ମୋପେଡ୍ ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଶିବ କୁମାର (୪୦) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟ ଶିଶୁ ଗୁରୁତର ଆହତ ହୋଇଛନ୍ତି।

ପୋଲିସର ସୂଚନାନୁସାରେ, ଶିବ କୁମାର ଶୁକ୍ରବାର ଦିନ ବୁମ ମୋଟର୍ସର କର୍ବେଟ ୧୪ ବୈଦ୍ୟୁତିକ ଗାଡି କିଣିଥିଲେ ଏବଂ ସେହି ରାତିରେ ଦୁର୍ଘଟଣା ଘଟିଥିଲା। ଶୁକ୍ରବାର ରାତି ପ୍ରାୟ ୧୦ ଟା ସମୟରେ ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟାଟେରୀ ଚାର୍ଜିଂ ଉପରେ ରଖାଯାଇଥିଲା। ଶନିବାର ଦିନ ଭୋର ପ୍ରାୟ ୩.୩୦ ସମୟରେ ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଯାଇ ଘର ସାରା ବ୍ୟାପି ଯାଇଥିଲା। ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଛି ଏବଂ ଅଗ୍ନିକାଣ୍ଡ ହେତୁ ଉଭୟ ଶିଶୁ ଆହତ ହୋଇଛନ୍ତି। ଘରର ସମସ୍ତ ଜିନିଷ ପାଉଁଶ ହୋଇଯାଇଛି।