Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆରମ୍ଭ ହେଲା ଭୋଟ ଗଣତି, ପୁରୀ ଲୋକସଭାରେ ବିଜେପି, ବିଧାନସଭାରେ ବିଜେଡି ଆଗୁଆ

ଭୁବନେଶ୍ବର: ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନର ଭୋଟ ଗଣତି। ତେବେ ନିୟମ ଅନୁସାରେ ପ୍ରଥମେ ସକାଳ ଆଠଟାରୁ ପୋଷ୍ଟାଲ ବାଲଟ ଗଣତି ଆରମ୍ଭ ହୋଇଛି। ଏଥିରେ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ରହିଥିବା ବେଳେ ବିଧାନସଭାରେ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ଆଗୁଆ ଅଛନ୍ତି।

ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ପରେ 8 ଟା 30 ମିନଟରେ ବର୍ତ୍ତମାନ ଇଭିଏମ ଗଣତି ଆରମ୍ଭ ହୋଇଯାଇଛି। ଆଜି ଓଡିଶାର 70ଟି ଗଣତି କେନ୍ଦ୍ରରେ ଭୋଟ ଗଣତି ଚାଲିଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଥମେ ଗଣତି ଅଧିକାରୀ ଏବଂ ରାଜନୈତିକ ଏଜେଣ୍ଟମାନେ କେନ୍ଦ୍ରରେ ପହଞ୍ଚିବା ପରେ ଶପଥ ପାଠ କରାଯାଇଥିଲା। ଏଥିରେ ଭିତର କଥା କିପରି ବାହାରକୁ ଯିବ ନାହିଁ ତାହା ଶପଥ କରାଯାଇ ପୋଷ୍ଟାଲ ବାଲଟ ଗଣତି ଆରମ୍ଭ ହୋଇଥିଲା।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପରବର୍ତ୍ତି ନିର୍ବାଚନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ରାଜନୈତିକ ଦଳମାନଙ୍କ ସହ ସିଇଓଙ୍କ ବୈଠକ

ଭୁବନେଶ୍ୱର: ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆଜି ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରିଥିଲେ। ବୈଠକ ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇବା ସହ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ଉତ୍ସାହ ମଧ୍ୟରେ ହୋଇଥିବା ମତଦାନ ବିଷୟରେ ସୂଚିତ କରିଥିଲେ।

ଏହି ପର୍ଯ୍ୟାୟରେ ହାରାହାରି ମତଦାନ ହାର ୭୫.୬୮ ପ୍ରତିଶତ ଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସ୍ୱାଭିମାନ ଅଞ୍ଚଳଠୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ କିପରି ସବୁବର୍ଗର ମତଦାତାମାନେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିଲେ ଶ୍ରୀ ଧଳ ସେ ବିଷୟରେ ଅବଗତ କରାଇଥିଲେ।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ଖଲିକୋଟଠାରେ ହୋଇଥିବା ପ୍ରାକ୍‌ନିର୍ବାଚନୀ ହିଂସା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଚିନ୍ତା ପ୍ରକଟ କରିଥିଲେ। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ଏବଂ କୌଣସି ପ୍ରକାରର ଆଇନଶୃଙ୍ଖଳା ପରିସ୍ଥିତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ।

ଏହି ବିଷୟରେ ଭାରତ ନିର୍ବାଚନ ଆୟୋଗ ଉଦ୍‌ବେଗ ପ୍ରକାଶ କରିଥିବା ଜଣାଇଥିଲେ। ଏହି ଅବସରରେ ଶାନ୍ତିଶୃଙ୍ଖଳା ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସଖି ବୁଥ୍‌ରେ ମହିଳା ପୋଲିଂ ଏଜେଣ୍ଟ ଦେବା ପାଇଁ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଥିଲେ। ଏହା ସହ ସମସ୍ତ ପୋଲିଂ ଏଜେଣ୍ଟମାନଙ୍କୁ ‘ପରିଚୟ ପତ୍ର’ ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ।

ଏହି ଅବସରରେ ରାଜନୈତିକ ଦଳର ପ୍ରତିିନିଧିମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସଦିଚ୍ଛା ଓ ଉଦ୍ୟମ ପାଇଁ ସାଧୁବାଦ ଜଣାଇବା ସହ ଆଦର୍ଶ ଆଚରଣ ବିଧିର ଅନୁପାଳନପୂର୍ବକ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ନେଇ ମତପ୍ରକାଶ କରିଥିଲେ। ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମିହିର ପ୍ରସାଦ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୟ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଚାନ୍ଦପୁର ପୋଲିସର ଫ୍ଲାଗ ମାର୍ଚ୍ଚ

ନୟାଗଡ/ଚାନ୍ଦପୁର: ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ତାତି ଠାରୁ ନିର୍ବାଚନ ତାତି କାହିଁରେ କେତେ। ନିର୍ବାଚନ ଆସିଲେ ନିର୍ବାଚନରେ ବିଭିନ୍ନ ପ୍ରକାର ଅଘଟଣ ଘଟାଇ ନିଜର ମନ୍ଦ ଯୋଜନାକୁ ଫଳପ୍ରଦ କରିବା ପାଇଁ କେତେକ ଅସାମାଜିକ ଚରିତ୍ରର ବ୍ୟକ୍ତି ସୁଯୋଗକୁ ଅପେକ୍ଷା କରିଥାନ୍ତି। ହେଲେ ପ୍ରଶାସନ ଏବେ ଠାରୁ ଏହାକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

ଆସନ୍ତା ସାଧାରଣ ନିର୍ବାଚନ କିଭଳି ଭାବେ ଭୟ ମୁକ୍ତ ସହ ନିରପେକ୍ଷ ଭାବେ ଅନୁଷ୍ଠିତ ହୋଇ ପାରିବ ସେଥିପାଇଁ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ ପକ୍ଷରୁ ଚାନ୍ଦପୁର ଥାନାର ବିଭିନ୍ନ ସମ୍ବେଦନଶୀଳ ସହ ଅତି ସମ୍ବେଦନ ଶୀଳ ସ୍ଥାନରେ ସଶସ୍ତ୍ର ସୁରକ୍ଷା ବଳଙ୍କୁ ନେଇ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏହା ସହ କାନ୍ଧ ନୟାଗଡ଼, ଜଙ୍କିଆ, ମୟୁରଝଲିଆ, ଖଣ୍ଡିସୀ ଗ୍ରାମ ପଂଚାୟତରେ ଫ୍ଲାଗ ମାର୍ଚ୍ଚ କରିଛି ଚାନ୍ଦପୁର ପୋଲିସ।

ଥାନା ଆଇ ଆଇ ସି ଜଗଦୀଶ କୁମାର କରଙ୍କ ନେତୃତ୍ୱରେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଛି।
ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନରେ ସମସ୍ତ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବା ପାଇଁ ନିବେଦନ କରିଛନ୍ତି ଚାନ୍ଦପୁର ଥାନା ଅଧିକାର ଜଗଦୀଶ କୁମାର କର।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶାରେ ନିର୍ବାଚନ, ଅଛନ୍ତି ୬୨ ଲକ୍ଷ ୮୭ ହଜାର ଭୋଟର, ମହିଳା ସଂଖ୍ୟା ଅଧିକ

ଭୁବନେଶ୍ବର: ଆସନ୍ତାକାଲି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଦେଶର ଚତୁର୍ଥ ପର୍ଯ୍ୟାୟ ହୋଇଥିବା ବେଳେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ୪ ଗୋଟି ସଂସଦୀୟ କ୍ଷେତ୍ର ଯଥା: କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ କାଲି ନିର୍ବାଚନ ଅନୁଷ୍ଠିତ ହେବ।

ଏହି ପର୍ଯ୍ୟାୟରେ ଚାରୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୬୨,୮୭,୨୨୨ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧,୮୯,୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୧୦୩୦ ରହିଛି । ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଏମାନଙ୍କ ମଧ୍ୟରେ ୧,୭୫,୧୩୪ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୪,୬୮,୫୦୪ ଜଣ ଯୁବ ମତଦାତା ରହିଛନ୍ତି।

ଏହି ପର୍ଯ୍ୟାୟରେ ମୋଟ ୭୨୮୯ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ପରିସୀମା ଭାବରେ ଏହି ପର୍ଯ୍ୟାୟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସବୁଠୁ ସାନ ଓ କୋରାପୁଟ ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର ।

ବିଧାନସଭା କ୍ଷେତ୍ରମାନଙ୍କ ମଧ୍ୟରେ ବ୍ରହ୍ମପୁର ସବୁଠାରୁ ସାନ ଓ ମାନକାନଗିରି ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର ଅଟେ । ମତଦାତା ସଂଖ୍ୟା ହିସାବରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ୧୪୮୦୯୨୨ ଜଣ ମତଦାତା ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୧୭,୦୦,୭୮୦ ଜଣ ମତଦାତା ରହିଛନ୍ତି । ବିଧାନସଭା କ୍ଷେତ୍ରଗୁଡ଼ିକ ମଧ୍ୟରେ ଲକ୍ଷ୍ମୀପୁରରେ ସର୍ବନିମ୍ନ ୧,୭୩,୭୨୧ ଜଣ ଓ ଧର୍ମଗଡ଼ରେ ସର୍ବାଧିକ ୨,୬୧,୭୦୮ ଜଣ ମତଦାତା ରହିଛନ୍ତି ।

ଏହି ଚତୁର୍ଥ ପର୍ଯ୍ୟାୟରେ ସାମଗି୍ରକ ଭାବରେ ୩୯,୯୯୫ ଜଣ ୮୫ ବର୍ଷରୁ ଊଦ୍ଧ୍ୱର୍ ମତଦାତା, ୧୨୯୪ ଜଣ ୧୦୦ ବର୍ଷ ବୟସରୁ ଊଦ୍ଧ୍ୱର୍ ମତଦାତା, ୩୧ ଜଣ ପ୍ରବାସୀ ମତଦାତା ଓ ୬୨୯୬ ଜଣ ସର୍ଭିସ୍‌ ଭୋଟର ରହିଛନ୍ତି ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ସଂପର୍କରେ କିଛି ଅଭିଯୋଗ କରିବେ କି? ଜାଣନ୍ତୁ ଆପଣଙ୍କ ଅଞ୍ଚଳର ଅଫିସର

ଭୁବନେଶ୍ୱର: ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରାଇବାରେ ପର୍ଯ୍ୟବେକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିୟୋଜିତ ହୋଇ ଏହି ପର୍ଯ୍ୟବେକ୍ଷକମାନେ ନିର୍ବାଚନ ପ୍ରକି୍ରୟାର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ତୀକ୍ଷ୍ମ ଦୃଷ୍ଟି ରଖନ୍ତି।

ଏହି କ୍ରମରେ ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ, ପୋଲିସ ପର୍ଯ୍ୟବେକ୍ଷକ ଓ ବ୍ୟୟ ପର୍ଯ୍ୟବେକ୍ଷକମାନେ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିୟୋଜିତ ହୋଇଛନ୍ତି । ଏହି ସମସ୍ତ ପର୍ଯ୍ୟବେକ୍ଷକମାନଙ୍କ ନାମ, ଯୋଗାଯୋଗ ନମ୍ବର ଓ ଠିକଣା ତଥା ସେମାନେ ଦାୟିତ୍ୱରେ ଥିବା ନିର୍ବାଚନ ମଣ୍ଡଳୀର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ https://ceoodisha.nic.in/ ପ୍ରଦତ୍ତ କରାଯାଇଛି।

ଏହା ବ୍ୟତୀତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ମଧ୍ୟ ନିଜ ନିଜ ଜିଲ୍ଲାରେ ଦାୟିତ୍ୱରେ ଥିବା ବିଭିନ୍ନ ପର୍ଯ୍ୟବେକ୍ଷକମାନଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ବର ପ୍ରକାଶିତ କରାଉଛନ୍ତି। ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ସଂପୃକ୍ତ ପର୍ଯ୍ୟବେକ୍ଷକମାନଙ୍କୁ ଯୋଗାଯୋଗ କରି ଅଭିଯୋଗ ଦାଖଲ କରାଯାଇପାରିବ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରେ ନିର୍ବାଚନ ପୂର୍ବରୁ ପୋଲିସର ଫ୍ଲାଗ ମାର୍ଚ୍ଚ, ଆଇନ ଶୃଙ୍ଖଳା ପ୍ରତି କଡା ନଜର

ଚିଲିକା : ଖୋର୍ଦ୍ଧା ଜିଲ୍ଲାରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଆକ୍ସନ ମୋଡ଼ରେ ରହିଛି ଜିଲ୍ଲା ପୋଲିସ। ଏସପି ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ସଜାଗ ରହିଛି ପୋଲିସ। ଏହି ପରିପ୍ରେକ୍ଷୀରେ ଏସପିଙ୍କ ନିର୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନ ରେ ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ଥାନା ଅଞ୍ଚଳରେ ଜାରି ରହିଛି କଡ଼ା ପାଟ୍ରୋଲିଂ।

ଆଜି ଦିନତମାମ ଆଇଆଇସି ଶ୍ରୀ ଦେବତାଙ୍କ ନେତୃତ୍ୱରେ ବାଣପୁର ଥାନାର ସମସ୍ତ ପୋଲିସ କର୍ମଚାରୀ ଏବଂ ଏକ ପ୍ଲାଟୁନ ସିଏପିଏଫ ଦ୍ୱାରା ଥାନା ଅଞ୍ଚଳର ବହୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ବିଶେଷ କରି ବାଣପୁର ଏନଏସି, ଭେଟେଶ୍ୱର, ଭୀମପୁର, ସାନ ହନ୍ତୁଆଡ଼, ବାଁଳେଇ, ସାନ ସିରେଇପୁର ଆଦି ଗ୍ରାମରେ ଉକ୍ତ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି।

ଆଗାମୀ ସାଧାରଣ ନିର୍ବାଚନ କିପରି ଅବାଧ, ନିରପେକ୍ଷ ଓ ଭୟମୁକ୍ତ ଭାବେ ପରିଚାଳିତ ହେବ ତାହାକୁ ଗୁରୁତ୍ୱ ଦେଇଛନ୍ତି ଏସପି। ଏହି ପରିପ୍ରେକ୍ଷୀରେ ବାଣପୁର ଥାନାଧିକାରୀ ଆଜି ଦିନ ତମାମ ସହର ଏବଂ ଗ୍ରାମାଞ୍ଚଳ ରେ ଡାକବାଜି ଯନ୍ତ୍ର ଦ୍ୱାରା ନାଗରିକ ମାନଙ୍କ ମନୋବଳ ବଢାଇବା ସହ ନିର୍ଭୟରେ ମତଦାନ କରିବା ପାଇଁ ଅନୁରୋଧ କରିଥିଲେ।

ବାଣପୁର ପୋଲିସ ସଦାସର୍ବଦା ଜନସାଧାରଣଙ୍କ ସହ ଅଛି ଏବଂ ଯଦି କୌଣସି ବ୍ୟକ୍ତି ବିଶେଷ ଥାନାଧିକାରୀଙ୍କ ସହାୟତା ଲୋଡିବାକୁ ଚାହୁଁଛନ୍ତି ଅବା ସୂଚନା ଦେବାକୁ ଚାହୁଁଛନ୍ତି ତେବେ ସେ ନିର୍ଦ୍ବନ୍ଦରେ ଥାନାଧିକାରୀଙ୍କୁ ଭେଟିପାରିବେ ବୋଲି ଆଇଆଇସି ଶ୍ରୀ ଦେବତା କହିଛନ୍ତି। ତେବେ ଏହି ଫ୍ଲାଗ ମାର୍ଚ୍ଚ ଓ ପାଟ୍ରୋଲିଙ୍ଗ ଦ୍ୱାରା ଦ୍ୱାରା ବାଣପୁର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଭୋଟରଙ୍କ ମନରେ ସକାରାତ୍ମକ ପ୍ରଭାବ ପଡିଥିବା ଅନୁମେୟ ହେଉଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଓ ବ୍ରହ୍ମପୁରରେ ନିଯୁକ୍ତ ହେଲେ ନୂଆ ଏସପି, ଜାଣନ୍ତୁ କିଏ

ଭୁବନେଶ୍ବର: ଭାରତ ନିର୍ବାଚନ କମିସନରଙ୍କ ସ୍ବୀକୃତି ପରେ ଦୁଇଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ ହେଲେ ବ୍ରହ୍ମପୁର ପାଇଁ ସାର୍ଥକ ଷଡଙ୍ଗୀ ଏବଂ ଖୋର୍ଦ୍ଧା ପାଇଁ ଅବିନାଶ କୁମାର। ଉଭୟ ହେଉଛନ୍ତି 2007 ମସିହା ବ୍ୟାଚର। ରାଜ୍ୟ ସରକାର ଏମାନଙ୍କୁ ତୁରନ୍ତ ନୂଆ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲାର ଏସପି ବଦଳାଇବା ପାଇଁ ନିର୍ବାଚନ କମିଶନର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ରାଜ୍ୟ ସରକାର ସେମାନଙ୍କୁ ବଦଳାଇ ଏହି ଦୁଇ ଆଇପିଏସ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଘଂନ ପ୍ରସଙ୍ଗରେ ବିଜେପିର ଅଭିଯୋଗ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ସମଗ୍ର ଦେଶ ସମେତ ରାଜ୍ୟରେ ମଧ୍ୟ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି। କିନ୍ତୁ ଏଯାଏଁ ବିଜୁ ଜନତା ଦଳର ହୋର୍ଡି, ପୋଷ୍ଟର, ଦଳୀୟ ଚିହ୍ନ ତଥା ବିଜେଡି ସଭାପତିଙ୍କ ଫଟୋ ଚିତ୍ର ଥିବା ବଡ ବଡ ହୋର୍ଡିଂ ଓ ବିଜ୍ଞାପନ ସାଧାରଣ ସ୍ଥାନରୁ ହଟାଯାଉନାହିଁ।

ସାଧାରଣ ସ୍ଥାନ, ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଆଦି ସ୍ଥାନରୁ ଶାସକ ବିଜେଡିର ନିର୍ବାଚନୀ ପୋଷ୍ଟର ଓ ବ୍ୟାନର ହଟାନଯିବା ନିର୍ବାଚନ ଆଚରଣ ବିଧିକୁ ଖୋଖୋଲି ଉଲ୍ଲଂଘନ କରିଛି। ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।
ରାଜ୍ୟ ଉପସଭାନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି।

ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଭୟମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଜାରି କରିଥିବା ନିୟମାବଳୀକୁ ସମସ୍ତେ ପାଳନ କରିବା ଉଚିତ। ଇସିଆଇ ସ୍ପଷ୍ଟଭାବେ କହିଛନ୍ତି ଯେ, ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି। ଯେଉଁ ଅନୁସାରେ ସର୍ବସାଧାରଣ ସ୍ଥାନ ଗୁଡିକରେ ଲଗାଯାଇଥିବା ବିଜ୍ଞାପନ ହୋର୍ଡିଂଗୁଡିକୁ ଖୋଲାଯିବାର ନିର୍ଦ୍ଦେଶନାମା ରହିଛି। କିନ୍ତୁ ସରକାରୀ ଦଳ ବିଜେଡି ଏହାର ଖୋଲାଖୋଲି ଉଲଘଂନ କରୁଛି।

ଏବେବି ଅନେକ ଜାଗାରେ ଦଳର ହୋର୍ଡିଂ, ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଫଟୋ, ବିଜେଡି ଦଳୀୟ ଚିହ୍ନ ଓ ସ୍ଳୋଗାନ ଥାଇ ଅନେକ ଜାଗାରେ ବଡ ବଡ ହୋର୍ଡିଂ ଓ ୱାଲିଂ ଲାଗି ରହିଛି। ଭୁବନେଶ୍ୱର ଏବଂ କଟକ ମହାନଗର ନିଗମର ବିଭିନ୍ନ ୱାର୍ଡ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ବଡ ବଡ ଫଟୋ ଏବେ ସୁଦ୍ଧା ରହିଛି। “ଆମ ଓଡ଼ିଶା ନବୀନ ଓଡ଼ିଶା”, “ଆମ ଓଡ଼ିଶା ନୂଆ ଓଡିଶା” ଲେଖା ଥିବା ବହୁ କଟ୍‌ଆଉଟ୍ ଏବଂ ହୋର୍ଡିଂ ବିଭିନ୍ନ ଜାଗାରେ ପୂର୍ବଭଳି ରହିଛି।

ଯାହା ଖୋଲା ଖୋଲି ଆଦର୍ଶ ନିର୍ବାଚନ ଆଚରଣ ବିଧି ତଥା ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରିଛି। ବହୁ ଜାଗାରେ ଶାସକ ଦଳର ହୋର୍ଡିଂ ଲାଗିଥିବାବେଳେ ବାଛି ବାଛି ପ୍ରଧାନମନ୍ତ୍ରୀଙ୍କ ଫଟୋ ଏବଂ ବିଜେପି ହୋର୍ଡିଂ ଗୁଡିକୁ କଢ଼ାଯାଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିବାର ଡ.ଲେଖାଶ୍ରୀ କହିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ନେଇ ଘୋଷଣା କରୁଛନ୍ତି ନିର୍ବାଚନ କମିଶନର, ଏଥର ୯୬ କୋଟି ଭୋଟର

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଆଜି ୨୦୨୪ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଆଗାମୀ ମତଦାନ ଉପରେ ଏଠାରେ କିଛି ବିବରଣୀ ଅଛି:

୨୦୨୪ ଲୋକସଭା ନିର୍ବାଚନରେ ମୋଟ ୯୬.୮ କୋଟି ପଞ୍ଜୀକୃତ ଭୋଟର ଅଛନ୍ତି।

ଏଥିରେ ୧.୮ କୋଟି ଭାରତୀୟ ଅନ୍ତର୍ଭୁକ୍ତ, ଯେଉଁମାନେ ନିକଟରେ ୧୮ ବର୍ଷ ବୟସ ହୋଇଥିଲା ଏବଂ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି।

ଏଠାରେ ୮୮.୪ ଲକ୍ଷ ଭୋଟର ହେଉଛନ୍ତି ଭିନ୍ନକ୍ଷମ ଏବଂ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ୪୮,୦୦୦

ନିର୍ବାଚନ ପରିଚାଳନା ପାଇଁ ୧୦.୫ ଲକ୍ଷ ମତଦାନ କେନ୍ଦ୍ର ସ୍ଥାପନ କରାଯିବ।

ଏହି ବୁଥଗୁଡିକ ପରିଚାଳନା ପାଇଁ ୧.୫ କୋଟି ମତଦାନ ଅଧିକାରୀ ନିୟୋଜିତ ହେବେ।

ମତଦାନରେ ୫୫ ଲକ୍ଷ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବ୍ୟବହାର କରାଯିବ।

ଭାରତର ନିର୍ବାଚନ ଆୟୋଗ ସଫଳତାର ସହ ୧୭ ଟି ସାଧାରଣ ନିର୍ବାଚନ ଏବଂ ୪୦୦ ଟି ବିଧାନସଭା ନିର୍ବାଚନ କରିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାରେ ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ଅମିତ ଶାହାଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ ରଘୁବର ଦାସ

ନୂଆଦିଲ୍ଲୀ: ଆଜି ରାଜ୍ୟପାଳ ରଘୁବର ଦାସ ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ତେବେ ଏହି ସାକ୍ଷାତ ସଂପୂର୍ଣ୍ଣ ସୌଜନ୍ୟ ମୂଳକ ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଚାଲିଥିବା ବେଳେ ରାଜ୍ୟପାଳଙ୍କ ଶାହାଙ୍କ ସାକ୍ଷାତକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି।

ପୂର୍ବରୁ ରାଜ୍ୟପାଳ ଦାସ ଓଡିଶାର ବିଭିନ୍ନ ଜିଲ୍ଲା, ସହର ଗ୍ରାମାଞ୍ଚଳ ମାରାଥନ ଗସ୍ତ କରି ସେଠାକାର ସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ସେତେବେଳେ ସେ କହୁଥିଲେ ରାଜ୍ୟର ସ୍ଥିତି ସଂପର୍କରେ ସେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ। ତେବେ ଏହି ଗସ୍ତର ସେହି ଉଦ୍ଦେଶ୍ୟ ନା ଆଉ କିଛି ରହିଛି ତାହା ଜଣାପଡି ନାହିଁ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରାର୍ଥୀ ତାଲିକା ଦେଖି ଓଡିଶା ବିଜେପି ନେତାଙ୍କ ହୋସ ଉଡିଲା, ପୁଣି ଆସିଲା ମେଣ୍ଟ ସମ୍ଭାବନା

ଭୁବନେଶ୍ବର: ଆଜି କେନ୍ଦ୍ର ବିଜେପି ଲୋକସଭା ନିର୍ବାଚନ ପାଇଁ 18 ଟି ରାଜ୍ୟର 195 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଯେଉଁଥିରେ ଦେଶର ପ୍ରମୁଖ ନେତାଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଦେଶର ପ୍ରମୁଖ ନେତାଙ୍କ ନାମ।

ତେବେ ଏହି ତାଲିକାରେ ଓଡିଶା ରାଜ୍ୟକୁ ଦଳ ବାଦ ଦେଇଛି। ଏଥିରେ କାହା ନାମ ମଧ୍ୟ ଘୋଷଣା କରି ନାହିଁ। ତେବେ ଏହାକୁ ନେଇ ରାଜ୍ୟ ବିଜେପି ନେତାଙ୍କ ହୋସ ଉଡିଯାଇଛି। କାରଣ ହେଲା ଓଡିଶାରେ କଣ ମେଣ୍ଟ ହେବ ବୋଲି ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ବାଦ ଦେଇଛି କି ? ଏହିପରି ପ୍ରଶ୍ନକୁ ନେଇ ବର୍ତ୍ତମାନ ଓଡିଶା ବିଜେପି ନେତାଙ୍କ ମୁଣ୍ଡବିନ୍ଧା କରିଛି।

ସେତିକି ନୁହେଁ ଆଉ ଏକ ବଡ ଘଟଣାକୁ ନେଇ ଓଡିଶା ବିଜେପିର ହୋସ ଉଡିଯାଇଛି। ତାହା ହେଲା ବର୍ତ୍ତମାନ ବିଜେପି ମୋଟ 18ଟି ରାଜ୍ୟର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଯେଉଁ ରାଜ୍ୟଗୁଡିକର ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ ସେଗୁଡିକ ହେଲା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ବିହାର ଏବଂ ଓଡିଶା ପ୍ରଭୃତି ରହିଛି। ଏହିସବୁ ରାଜ୍ୟରେ ବିଜେପି ସରକାରରେ ନାହିଁ। ତେଣୁ ଏହି ରାଜ୍ୟ ଗୁଡିକରେ ମେଣ୍ଟ କରିବା ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରି ନାହିଁ ବୋଲି ସ୍ପଷ୍ଟ ହୋଇଛି।

ଏ ସବୁ ରାଜ୍ୟଗୁଡିର ସରକାରରେ ଥିବା ପ୍ରାୟ ସମସ୍ତ ଦଳ ଏନଡିଏରେ ସାମିଲ ଅଛନ୍ତି। ହେଲେ ଓଡିଶା ପରି କେତୋଟି ରାଜ୍ୟ ଏନଡିଏରେ ସାମିଲ ନ ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇ ଆସୁଛନ୍ତି। ହେଲେ ରାଷ୍ଟ୍ରୀୟ ବିଜେପି ସେମାନଙ୍କ ସହିତ ଆଲୋଚନା କରି ମେଣ୍ଟ କରି ନିର୍ବାଚନ ଲଢିବା ପାଇଁ ନିଷ୍ପତି କରିଛି ସ୍ପଷ୍ଟ ହୋଇଛି। ସେଥିପାଇଁ ଏହି ସବୁ ରାଜ୍ୟକୁ ବିଜେପି ବାଦ ଦେଇଛି ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ କମିଶନରଙ୍କ ସରକାରଙ୍କୁ ତାଗିଦ, ଗୋଟିଏ ସଂସଦୀୟ କ୍ଷେତ୍ରର ଜିଲ୍ଲା ମଧ୍ୟରେ ବଦଳି ମନା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ହେଉଥିବା ଅଧିକାରୀମାନଙ୍କ ବଦଳୀ ଉପରେ ନିର୍ବାଚନ ଆୟୋଗ ରାଜ୍ୟମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟମାନଙ୍କ ଦ୍ୱାରା ଯେଉଁ ଅଧିକାରୀମାନଙ୍କୁ ବଦଳୀ କରାଯାଉଛି ଯେପରି ସମାନ ସଂସଦୀୟ କ୍ଷେତ୍ରରେ ଥିବା ଗୋଟିଏ ଜିଲ୍ଲାରୁ ଅନ୍ୟ ଗୋଟିଏ ଜିଲ୍ଲାକୁ ଅଧିକାରୀଙ୍କ ବଦଳୀ ନ ହୁଏ।

ସେଥିପ୍ରତି ସଂପୃକ୍ତ ରାଜ୍ୟ ସରକାର ନଜର ରଖିବା ଦରକାର ଓ ଏହି ନିର୍ଦ୍ଦେଶାବଳୀକୁ ଠିକ୍‌ ଭାବେ ପାଳନ କରିବା ପାଇଁ ନିର୍ବାଚନ ଆୟୋଗ ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନର ପ୍ରଚଳିତ ନିୟମାନୁସାରେ ଜଣେ ଅଧିକାରୀ ନିଜ ଗୃହ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି କିମ୍ବା ତିନିବର୍ଷରୁ ଅଧିକ ଦିନ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଛନ୍ତି ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ସେମାନଙ୍କୁ ଅନ୍ୟତ୍ର ବଦଳୀ କରାଯାଉଛି।

ନିର୍ବାଚନ ଆୟୋଗଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ବାଚନ ପୂର୍ବରୁ ଯେଉଁ ଅଧିକାରୀମାନଙ୍କର ଗୋଟିଏ ସ୍ଥାନରେ ତିନିବର୍ଷ ପୂରଣ ହୋଇଯାଇଛି, ସେମାନଙ୍କୁ ସଂସଦୀୟ କ୍ଷେତ୍ର (ପି.ସି) ବାହାର ଜିଲ୍ଲାକୁ ବଦଳୀ କରାଯିବ ଏବଂ ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତା ୪ ରେ ଘୋଷଣା ହେବ ନିର୍ବାଚନ ତାରିଖ !! ନେତାଙ୍କ ଛାତି ଧଡଧଡ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଯାହା ସବୁଠୁ ଅଧିକ ଚର୍ଚ୍ଚା ତାହା ହେଉଛି ନିର୍ବାଚନ କେବେ ହେବ। ଏହାପରେ କିଏ ଟିକେଟ ପାଇବ ପ୍ରଭୃତି ଆସିବ। ତେବେ ଏକ ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୪ ରେ ନିର୍ବାଚନ ତାରିଖ ଘୋଷଣା ହେବ। ଏ ନେଇ ଭାରତୀୟ ନିର୍ବାଚନ କମିସନର ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି।

ବର୍ତ୍ତମାନ ନିର୍ବାଚନ କମିସନର ବିଭିନ୍ନ ରାଜ୍ୟ ଭ୍ରମଣ କରି ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରିବାରେ ଲାଗିଛନ୍ତି। ଯେହେତୁ ଜୁନ ମାସରେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେଉଛି ତା ପୂର୍ବରୁ ନିର୍ବାଚନ କାର୍ଯ୍ୟ ଶେଷ କରିବାକୁ ହେବ। ସେଥିପାଇଁ ମାର୍ଚ୍ଚରେ ନିର୍ବାଚନ ତାରିଖ ଘୋଷଣା ହେଲେ ଏପ୍ରିଲ ମେ ରେ ନିର୍ବାଚନ ଶେଷ ହେବ।

ଆଗରୁ ଚର୍ଚ୍ଚା ହେଉଥିଲା ଯେ ନିର୍ବାଚନ କମିସନର ମାର୍ଚ୍ଚ ୯ ତାରିଖ ପରେ ଯେ କୌଣସି ସମୟରେ ଘୋଷଣା କରିପାରନ୍ତି। ହେଲେ ବର୍ତ୍ତମାନ ଏହା ମାର୍ଚ୍ଚ ୪ ବୋଲି ନୂଆଦିଲ୍ଲୀରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତଥର ନିର୍ବାଚନ ତାରିଖ ଘୋଷଣା ମାର୍ଚ୍ଚ ୧୦ ତାରିଖରେ ହୋଇଥିଲା। ତେବେ ଏଥର ଆଗୁଆ ଘୋଷଣା ହେବ ବୋଲି ସ୍ପଷ୍ଟ ସୂଚନା ମିଳିଛି।

ଗତଥର ସାତୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ତାହା ଏପ୍ରିଲ ୧୧ ତାରିଖରୁ ମେ ୧୯ ତାରିଖ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାପରେ ମେ ୨୩ ତାରିଖରେ ଭୋଟ ଗଣତି କରାଯାଇଥିଲା। ଏଥର ମଧ୍ୟ ସେହିପରି କରାଯିବ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବିଜେପିର ପ୍ରମୁଖ ପଦାଧିକାରୀଙ୍କ ବୈଠକରେ ପ୍ରସ୍ତୁତ ହେଲା ଆସନ୍ତା ନିର୍ବାଚନ ପାଇଁ ରଣନୀତି

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ କଣ ରହିବ ରଣନୀତି ସେ ନେଇ ପ୍ରସ୍ତୁତି କରାଯାଇଛି।

ଏଥିରେ ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଶ୍ରୀମତୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତିଙ୍କ ଉପସ୍ଥିତିରେ ପୃଥକ ପୃଥକ ଭାବେ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଏବଂ ମିଡିଆ ବିଭାଗ ସହ ବୈଠକ ଅନୁଷ୍ଠିତ ହୋଇଛି।

ଏ ନେଇ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଅନୁଷ୍ଠିତ ହେଉଥିବା ଉକ୍ତ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୈଠକରେ ଦଳର ସାଙ୍ଗଠନିକ ପୁର୍ନବିନ୍ୟାସ ବିଷୟରେ ଆଲୋଚନା ହେବା ସହ ଅନେକ ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଏଥି ସହ ଦଳ ତରଫରୁ ରାଜ୍ୟରେ ସଫଳ ଭାବେ ଚାଲିଥିବା ବୁଥ୍ ଚାଲ, ଗାଁ ଚାଲ, ଶକ୍ତିବନ୍ଦନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରାଯାଇଛି । ସଂଗଠନ ଏବଂ ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶା ଗସ୍ତ ପାଇଁ ଆସୁଥିବା ଅନେକ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଆଲୋଚନା କରାଯାଇଛି ।

ବୈଠକରେ ଧାର୍ଯ୍ୟ ହୋଇଥିବା ସମସ୍ତ ରଣନୀତି ଓ ରୋଡମ୍ୟାପକୁ ସଫଳତାର ସହ କାର୍ଯ୍ୟାନ୍ୱୟନ କରି ଓଡିଶାବାସୀଙ୍କ ଆଶୀର୍ବାଦ ପ୍ରାପ୍ତ କରି ଓଡିଶାରେ ସରକାର ଗଠନ କରିବୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାରା ରାଜ୍ୟରେ ଚାଲୁ ରହିଛି ଇଭିଏମ୍‌ ଓ ଭିଭିପ୍ୟାଟ୍‌ ପ୍ରଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧି ଏବଂ ନୂତନ ଯୁବ ଭୋଟରମାନଙ୍କୁ ଇଭିଏମ୍‌/ଭିଭିପ୍ୟାଟ୍‌ ମାଧ୍ୟମରେ ମତଦାନ କରିବାର କୌଶଳ ଶିଖାଇବା ନିମନ୍ତେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆନୁକୂଲ୍ୟରେ ସାରା ରାଜ୍ୟରେ ଜାନୁଆରୀ ୧୫ ତାରିଖଠାରୁ ମୋବାଇଲ ଭ୍ୟାନ ଜରିଆରେ ଇଭିଏମ୍‌/ଭିଭିପ୍ୟାଟ୍‌ ମାଧ୍ୟମରେ ମତଦାନ କରିବାର କୌଶଳ ଭୋଟରମାନଙ୍କୁ ପ୍ରଦର୍ଶନ କରାଯିବା ସହ ମକ୍‌ ମତଦାନ କରାଯାଉଛି।

ଇଭିଏମ୍‌/ଭିଭିପ୍ୟାଟ୍‌ର ଏହି ସଚେତନତା କାର୍ଯ୍ୟକ୍ରମ ନିର୍ବାଚନ ତାରିଖ ଘୋଷଣା ହେବା ପର୍ଯ୍ୟନ୍ତ ଚାଲୁ ରହିବ। ମୋବାଇଲ ଭ୍ୟାନ ମାଧ୍ୟମରେ ଇଭିଏମ୍‌/ଭିଭିପ୍ୟାଟ୍‌ ପ୍ରଦର୍ଶନ କାର୍ଯ୍ୟକ୍ରମ ସବୁ ଜିଲ୍ଲାର ସଦର ମହକୁମା, ସବୁ ଉପଖଣ୍ଡ ସଦର ମହକୁମା ଏବଂ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍‌ ହୋଇଥିବା ସ୍ଥାନମାନଙ୍କରେ ଭୋଟର ତଥା ଜନସାଧାରଣଙ୍କ ସଚେତନତା ନିମନ୍ତେ କରାଯାଉଛି ।

ଜାନୁଆରୀ ୧୫ ତାରିଖଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସବୁ ଜିଲ୍ଲା ସଦର ମହକୁମାରେ ସମୁଦାୟ ୯୬୦୨ ଜଣ ଭୋଟର ଇଭିଏମ୍‌/ଭିଭିପ୍ୟାଟ୍‌ ପ୍ରଦର୍ଶନୀ ଦେଖିବା ସହ ୯୪୫୪ ଜଣ ଭୋଟର ମକ୍‌ ମତଦାନରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଉପଖଣ୍ଡ ସ୍ତରରେ ହୋଇଥିବା ଇଭିଏମ୍‌/ଭିଭିପ୍ୟାଟ ପ୍ରଦର୍ଶନ କାର୍ଯ୍ୟକ୍ରମରେ ସମୁଦାୟ ୨୨୩୧୧ ଜଣ ଭୋଟର ଏହି କାର୍ଯ୍ୟକ୍ରମକୁ ଦେଖିବା ସହ ୨୧୯୧୩ ଜଣ ଭୋଟର ମକ୍‌ ମତଦାନରେ ଅଂଶଗ୍ରହଣ କରିଥିଲେ।

ଏତଦ୍‌ବ୍ୟତୀତ ମୋବାଇଲ୍‌ ଡେମନ୍‌ଷ୍ଟ୍ରେସନ୍‌ ଭ୍ୟାନ୍‌ ମାଧ୍ୟମରେ ଇଭିଏମ୍‌/ଭିଭିପ୍ୟାଟ୍‌ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍‌ ଥିବା ସ୍ଥାନଗୁଡ଼ିକୁ ଜନସାଧାରଣଙ୍କ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ କରାଯାଉଛି। ଅନୁଗୋଳ ଜିଲ୍ଲାର ପାଲଲ୍‌ହଡ଼ା, ତାଳଚେର, ଅନୁଗୋଳ ଛେଣ୍ଡିପଦା ଓ ଆଠମଲ୍ଲିକ ପରି ୫ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀର ୨୬୨ ଗୋଟି ସ୍ଥାନରେ ଥିବା ବୁଥ୍‌, ବଲ୍ଲାଙ୍ଗିର ଜିଲ୍ଲାର ଲୋଇସିଂହା, ପାଟନାଗଡ଼, ବଲାଙ୍ଗିର, ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀର ୪୫୫ ଗୋଟି ସ୍ଥାନରେ ଥିବା ବୁଥରେ ଏହା କରାଯିବ।

ସେହିପରି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି, ସୋର ଓ ସିମୁଳିଆ ଆଦି ୮ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୩୭୦ ଗୋଟି ସ୍ଥାନରେ ଥିବା ବୁଥ୍‌, ବରଗଡ଼ ଜିଲ୍ଲାର ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା ଓ ଭଟଲୀ ଆଦି ୫ ଗୋଟି ନିର୍ବାଚନମଣ୍ଡଳୀର ୨୨୫ ଗୋଟି ସ୍ଥାନରେ ଥିବା ବୁଥ୍‌, ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ଆଦି ୫ ଗୋଟି ନିର୍ବାଚନ ମଣ୍ଡଳୀର ୩୧୪ ଗୋଟି ସ୍ଥାନରେ ଥିବା ବୁଥ୍‌, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନମଣ୍ଡଳୀର ୮୩ ଗୋଟି ସ୍ଥାନରେ ଥିବା ବୁଥ୍‌ କରାଯାଇଛି।

ଅନ୍ୟପକ୍ଷରେ କଟକ ଜିଲ୍ଲାର ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ କଟକ, ଚୌଦ୍ୱାର କଟକ, ନିଆଳି, କଟକ ସଦର, ସାଲେପୁର ଓ ମାହାଙ୍ଗା ଆଦି ୯ ଗୋଟି ନିର୍ବାଚନ ମଣ୍ଡଳୀରେ ୪୮୯ ଗୋଟି ସ୍ଥାନରେ ଥିବା ବୁଥ୍‌, ଦେବଗଡ଼ ଜିଲ୍ଲାର ଦେବଗଡ଼ ନିର୍ବାଚନ ମଣ୍ଡଳୀରେ ୯୫ ଗୋଟି ସ୍ଥାନରେ ଥିବା ବୁଥ୍‌, ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ୩୨୯ ଗୋଟି ସ୍ଥାନରେ ଥବା ବୁଥ୍‌, ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୬୫ ଗୋଟି ସ୍ଥାନରେ ଥିବା ବୁଥ୍‌ ମନୋନିତ କରାଯାଇଛି।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଛତ୍ରପୁର, ଆସିକା, ସୁରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟି ୧୩ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀର ୫୬୭ ଗୋଟି ସ୍ଥାନରେ ଥିବା ବୁଥ୍‌, ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ, ତିର୍ତ୍ତୋଲ, ବାଲିକୁଦା, ଏରସମା ଓ ଜଗତସିଂହପୁର ଆଦି ୪ ଗୋଟି ନିର୍ବାଚନ ମଣ୍ଡଳୀର ୩୦୩ ଗୋଟି ସ୍ଥାନରେ ଥିବା ବୁଥ୍‌, ଯାଜପୁର ଜିଲ୍ଲାର ବିrାରପୁର, ବରି, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା ଆଦି ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୧୧ ଗୋଟି ସ୍ଥାନରେ ଥିବା ବୁଥ୍‌।

ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଓ ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ପରି ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୫୧ ଗୋଟି ସ୍ଥାନରେ ଥିବା ବୁଥ୍‌, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଜି.ଉଦୟଗିରି ଓ ଫୁଲବାଣୀ ଆଦି ୩ ଗୋଟି ନିର୍ବାଚନ ମଣ୍ଡଳୀର ୧୪୮ ଗୋଟି ସ୍ଥାନରେ ଥବା ବୁଥ୍‌, କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାଳପଡ଼ା ପରି ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୩୬ ଗୋଟି ସ୍ଥାନରେ ଥିବା ବୁଥ୍‌।

କେଉଁଝର ଜିଲ୍ଲାର ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟନା, କେଉଁଝର ଓ ଚମ୍ପୁଆ ଆଦି ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୭୧୧ ଗୋଟି ସ୍ଥାନରେ ଥିବା ବୁଥ୍‌, ଖୋର୍ଦ୍ଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର(ମଧ୍ୟ), ଭୁବନେଶ୍ୱର(ଉତ୍ତର), ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଓ ଚିଲିକା ଆଦି ୮ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୨୬୦ ଗୋଟି ସ୍ଥାନରେ ଥିବା ବୁଥ୍‌, କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର, କୋରାପୁଟ ଓ ପଟାଙ୍ଗି ଆଦି ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୯୯୯ ଗୋଟି ସ୍ଥାନରେ ଥିବା ବୁଥ୍‌।

ମାଲାକନଗିରି ଜିଲ୍ଲାର ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ୩୧୧ ଗୋଟି ସ୍ଥାନରେ ଥିବା ବୁଥ୍‌, ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରପୋଶି, କରଞ୍ଜିଆ, ଉଦଳା, ବଡ଼ସାହି, ବାରିପଦା ଓ ମୋରଡ଼ା ୯ ଗୋଟି ନିର୍ବାଚନ ମଣ୍ଡଳୀର ୩୨୨ ଗୋଟି ସ୍ଥାନରେ ଥିବା ବୁଥ୍‌, ନବରଙ୍ଗପୁର ଜିଳ୍ଲାର ଉମରକୋଟ, ଝରିଗାଁ, ନବରଙ୍ଗପୁର ଓ ଓ ଡାବୁଗାଁ ପରି ୪ ଗୋଟି ନିର୍ବାଚନମଣ୍ଡଳୀର ୩୨୩ ଗୋଟି ସ୍ଥାନରେ ଥିବା ବୁଥ୍‌, ନୂଆପଡ଼ା ଜିଲ୍ଲାର ନୂଆପଡ଼ା ଓ ଖରିଆର୍‌ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୪୬ ଗୋଟି ସ୍ଥାନରେ ଥିବା ବୁଥ୍‌।

ନୟାଗଡ଼ ଜିଲ୍ଲାର ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା ଓ ନୟାଗଡ଼ ଆଦି ୪ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀର ୧୯୭ ଗୋଟି ସ୍ତାନରେ ଥିବା ବୁଥ୍‌, ପୁରୀ ଜିଲ୍ଲାର କାକଟପୁର, ନିମାପଡ଼ା, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୪୦୦ ଗୋଟି ସ୍ଥାନରେ ଥିବା ବୁଥ୍‌, ରାୟଗଡ଼ା ଜିଲ୍ଲାର ଗୁଣୁପୁର, ବିଷମକଟକ ଓ ରାୟଗଡ଼ା ନିର୍ବାଚନମଣ୍ଡଳୀର ୩୧୮ ଗୋଟି ସ୍ଥାନରେ ଥିବା ବୁଥ୍‌, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର ଓ ରେଢ଼ାଖୋଲ ଆଦି ୪ ଗୋଟି ନିର୍ବାଚନ ମଣ୍ଡଳୀର ୨୧୦ ଗୋଟି ସ୍ଥାନରେ ଥିବା ବୁଥ୍‌।

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଓ ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀର ୮୭ ଗୋଟି ସ୍ଥାନରେ ଥିବା ବୁଥ୍‌ ଓ ସୁନ୍ଦରଗଡ଼ ଜିଲ୍ଲାର ତଳସରା, ସୁନ୍ଦରଗଡ଼, ବିରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର ଓ ବଣାଇଁ ଆଦି ୭ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀର ୫୯୬ ଗୋଟି ସ୍ଥାନରେ ଥିବା ବୁଥ୍‌ଗୁଡ଼ିକରେ ଇଭିଏମ୍‌/ଭିଭିପ୍ୟାଟର ପ୍ରଦର୍ଶନ ମୋବାଇଲ୍‌ ଭ୍ୟାନ ମାଧ୍ୟମରେ କରାଯାଇଅଛି।

ଜାନୁଆରୀ୨୬ ତାରିଖ ସୁଦ୍ଧା ସମୁଦାୟ ୩୦୬୮୮ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାନ ମଧ୍ୟରୁ ୯୯୮୨ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାନରେ ମୋବାଇଲ ଭ୍ୟାନ୍‌ ମାଧ୍ୟମରେ ଇଭିଏମ୍‌/ଭିଭିପ୍ୟାଟ୍‌ର ପ୍ରଦର୍ଶନ ସହ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ଓ ଫେବୃଆରୀ ମାସ ଶେଷ ସୁଦ୍ଧା ସବୁ ଭୋଟ ଗ୍ରହଣ କେନ୍ଦ୍ର ସ୍ଥାନଗୁଡ଼ିକରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ପରେ କଂଗ୍ରେସକୁ ଆଉ ଏକ ଝଟକା, ବିଜେପି ଛାଡିଥିବା ନନ୍ଦ କୁମାର ସାଇ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଛତିଶଗଡ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ପରାଜୟ ପରେ ଦଳରେ ଗୋଟିଏ ପରେ ଗୋଟିଏ ଇସ୍ତଫା ଜାରି ରହିଛି। ନିର୍ବାଚନ ପୂର୍ବରୁ ନନ୍ଦ କୁମାର ସାୟ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ଛତିଶଗଡରେ ନା କଂଗ୍ରେସ ସରକାର ଗଠନ ହେଲା ନା ନିର୍ବାଚନ ଲଢିବା ପାଇଁ ନନ୍ଦ କୁମାର ସାୟଙ୍କୁ ଦଳ ଟିକେଟ୍ ଦେଇଥିଲା। ରାଜ୍ୟରେ ବିଜେପି ସରକାର ଗଠନ ହେବା ମାତ୍ରେ ନନ୍ଦ କୁମାର ସାଇ ୟୁ-ଟର୍ନ ମାରିଛନ୍ତି। କଂଗ୍ରେସରେ ସାତ ମାସ ରହିବା ପରେ ନନ୍ଦ କୁମାର ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଅନୁମାନ କରାଯାଉଛି ଯେ, ଶ୍ରୀ ସାଇ ପୁଣିଥରେ ବିଜେପିକୁ ଫେରିପାରନ୍ତି।

ମେ ୧ ତାରିଖ ୨୦୨୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଉପସ୍ଥିତିରେ ନନ୍ଦ କୁମାର ସାଇ ରାୟପୁରରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଏହା ପରେ ନନ୍ଦ କୁମାର ସାଇ କଂଗ୍ରେସର ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସେ ସମଗ୍ର ନିର୍ବାଚନରେ ​​ସରକାରୀ କାର୍ଯ୍ୟକ୍ରମରେ ଭୁପେଶ ବାଘେଲଙ୍କ ସହ ରହିଥିଲେ। ଶ୍ରୀ ସାଇଙ୍କୁ ଭୁପେଶ ଛତିଶଗଡ ରାଜ୍ୟ ଶିଳ୍ପ ବିକାଶ ନିଗମର ଚେୟାରମ୍ୟାନ୍ କରିଥିଲେ। କିନ୍ତୁ ବର୍ତ୍ତମାନ କଂଗ୍ରେସର ପରାଜୟ ପରେ ଶ୍ରୀ ସାଇ ୟୁ ଟର୍ନ ନେଇ ବୁଧବାର ଦିନ ତାଙ୍କ ଇସ୍ତଫା କଂଗ୍ରେସ ରାଜ୍ୟ ସଭାପତି ଦୀପକ ବୈଜଙ୍କ ନିକଟକୁ ପଠାଇଛନ୍ତି।

ନନ୍ଦ କୁମାର ସାଇ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, କିଛି ସମୟ ପୂର୍ବରୁ, କିଛି ପରିସ୍ଥିତି ଯୋଗୁଁ ମୁଁ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି, କିଛି ଦିନ ପାର୍ଟିରେ ରହିଥିଲି ଏବଂ ଆନ୍ତରିକତାର ସହିତ କାମ କଲି। ମୋ ସମ୍ମୁଖରେ ଯେଉଁ ପରିସ୍ଥିତି ଉପୁଜିଛି ତାହା ଦେଖି ମୁଁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ”ସାଇଙ୍କ ଏହି ଚିଠି ପରେ ଡିସେମ୍ବର ୧୩ ତାରିଖରେ ପୁଣିଥରେ ଆଲୋଚନା ହେଉଛି। କାରଣ ସାଇ କଂଗ୍ରେସ ଦଳରେ ଥିବାବେଳେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇଙ୍କୁ ଅଭିନନ୍ଦନ ଜଣାଇବାକୁ ଆସିଥିଲେ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସାଇଙ୍କୁ ବିଜେପିକୁ ଫେରାଇ ଆଣିବା ପାଇଁ ଆଲୋଚନା ହୋଇଥିଲା। ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ଅନୁମତି ପାଇବା ପରେ ସାଇ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ବିଶ୍ୱାସ ରହିଛି।

Categories
ଆଜିର ଖବର ଜାତୀୟ ଖବର

ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ କାଶ୍ମୀରରେ କରାଯାଉ ନିର୍ବାଚନ, ଧାରା ୩୭୦ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ରଦ୍ଦ ହେବା ବିରୋଧରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଧାରା ୩୭୦ର ଉଚ୍ଛେଦ ସାମ୍ବିଧାନିକ ବୈଧ ଅଟେ। ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ, ସେପ୍ଟେମ୍ବର ୩୦ ତାରିଖ ୨୦୨୪ ସୁଦ୍ଧା ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବା ଉଚିତ। ଜାମ୍ମୁ କାଶ୍ମୀରକୁ ରାଜ୍ୟ ଅଧିକାର ଫେରାଇବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଧାରା ୩୭୦ ଉପରେ ହୋଇଥିବା ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡ ସଲିସିଟର ଜେନେରାଲଙ୍କୁ କହିଛନ୍ତି ଯେ, ଜମ୍ମୁ କାଶ୍ମୀରକୁ ରାଜ୍ୟ ଅଧିକାର ଫେରାଇ ଦିଆଯିବ। କିନ୍ତୁ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହୋଇ ରହିବ। ଅଦାଲତ କହିଛନ୍ତି ଯେ, ନୂତନ ନିର୍ଦ୍ଦେଶ ଆଧାରରେ ନିର୍ବାଚନ ଆୟୋଗ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରିବା ଉଚିତ। ସେପ୍ଟେମ୍ବର ୩୦ ତାରିଖ ୨୦୨୪ ସୁଦ୍ଧା ବିଧାନସଭା ନିର୍ବାଚନ କର।

Categories
ବିଶେଷ ଖବର

ନିର୍ବାଚନ ଜିତିବା ପାଇଁ ଫର୍ମୁଲା ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି, କ’ଣ ହେବ ‘ହ୍ୟାଟ୍ରିକ୍’ ରଣନୀତି?

ନୂଆଦିଲ୍ଲୀ: ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ ‘ମୋଦୀ ଗ୍ୟାରେଣ୍ଟି’ର ଯୋଗ୍ୟତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି। କିଛି ରାଜନୈତିକ ଦଳ ‘ମିଥ୍ୟା ଘୋଷଣା’ କରି କିଛି ଲାଭ ପାଇବେ ନାହିଁ ବୋଲି ବୁଝିପାରୁ ନାହାନ୍ତି। ‘ବିକାଶ ଭାରତ ସଂକଳ୍ପ ଯାତ୍ରା’ର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନିର୍ବାଚନ ଜିତିବା ପୂର୍ବରୁ ଲୋକଙ୍କ ହୃଦୟ ଜିତିବା ଜରୁରୀ। ଲୋକଙ୍କ ବୁଦ୍ଧିକୁ ଅଣଦେଖା କରିବା ଠିକ୍ ନୁହେଁ। ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯଦି ସେମାନେ ସ୍ୱାର୍ଥପରତା ପରିବର୍ତ୍ତେ ସେବାକୁ ପ୍ରାଧାନ୍ୟ ଦେଇଥାନ୍ତେ, ତେବେ ଦେଶର ଏକ ବିଶାଳ ଜନସଂଖ୍ୟା ବଞ୍ଚିତ, ଅସୁବିଧା ଏବଂ ଦୁଃଖରେ ବଞ୍ଚିନଥାନ୍ତେ। ଆମ ସରକାର ମା’-ବାପ ସରକାର ନୁହେଁ, ବରଂ ପିତାମାତାଙ୍କ ସେବା କରୁଥିବା ସରକାର। ପିଲାଟିଏ ଯେମିତି ନିଜ ପିତାମାତାଙ୍କ ସେବା କରିଥାଏ, ସେହିଭଳି ଏହି ମୋଦି ଆପଣଙ୍କ ସେବା କରିବା ପାଇଁ କାମ କରନ୍ତି।

ମୋ ପାଇଁ ସବୁ ଗରିବ ଭିଆଇପି

ମୋଦି ଗରିବ, ଗରିବଙ୍କ ପାଇଁ ଚିନ୍ତା କରନ୍ତି, ଯେଉଁମାନଙ୍କ ପ୍ରତି କେହି ଚିନ୍ତା କରନ୍ତି ନାହିଁ ସେମାନଙ୍କ ପାଇଁ ମୋଦି ଅଛନ୍ତି। ଯେଉଁମାନଙ୍କ ପାଇଁ କାର୍ଯ୍ୟାଳୟର ଦ୍ୱାର ବନ୍ଦ ଥିଲା, ସେମାନଙ୍କର ଯତ୍ନ ମୋଦି ନେଉନାହାନ୍ତି ବରଂ ସେମାନଙ୍କୁ ପୂଜା କରନ୍ତି। ମୋ ପାଇଁ ପ୍ରତ୍ୟେକ ଗରିବ ଜଣେ ଭିଆଇପି, ପ୍ରତ୍ୟେକ ମା’ ଝିଅ, ଭଉଣୀ ଜଣେ ଭିଆଇପି, ପ୍ରତ୍ୟେକ କୃଷକ ଜଣେ ଭିଆଇପି, ପ୍ରତ୍ୟେକ ଯୁବକ ଜଣେ ଭିଆଇପି। କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁମାନେ ଆମକୁ ବିରୋଧ କରୁଛନ୍ତି ସେମାନଙ୍କୁ ଦେଶ କାହିଁକି ବିଶ୍ୱାସ କରୁନାହିଁ।

ନିର୍ବାଚନ ଜିତିବା ପୂର୍ବରୁ ଲୋକଙ୍କ ହୃଦୟ ଜିତିବା ଜରୁରୀ

କିଛି ରାଜନୈତିକ ଦଳ ମିଥ୍ୟା ଘୋଷଣା କରି କିଛି ହାସଲ କରିପାରିବେ ନାହିଁ ବୋଲି ବୁଝିପାରୁନାହାନ୍ତି। ସୋସିଆଲ ମିଡିଆରେ ନୁହେଁ, ଲୋକଙ୍କ ମଧ୍ୟରେ ଯାଇ ନିର୍ବାଚନ ଜିତାଯାଏ। ନିର୍ବାଚନ ଜିତିବା ପୂର୍ବରୁ ଲୋକଙ୍କ ହୃଦୟ ଜିତିବା ଜରୁରୀ। ଲୋକଙ୍କ ବୁଦ୍ଧିକୁ ଅଣଦେଖା କରିବା ଠିକ୍ ନୁହେଁ। ଯଦି ବିରୋଧୀ ଦଳମାନେ ରାଜନୈତିକ ସ୍ୱାର୍ଥ ବଦଳରେ ସେବା ଭାବନାକୁ ସର୍ବୋପରି ରଖିଥାଆନ୍ତେ, ସେବାକୁ ନିଜର ଚାକିରି ଭାବରେ ବିବେଚନା କରିଥାନ୍ତେ, ତେବେ ଦେଶର ଏକ ବିଶାଳ ଜନସଂଖ୍ୟା ବଞ୍ଚିତ, ଅସୁବିଧା ଓ ଦୁଃଖରେ ରହିନଥାନ୍ତା।

ମୋଦିଙ୍କ ଗ୍ୟାରେଣ୍ଟିର ଦମ୍‍ ରହିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେବି ବ୍ୟାପକ ଆଲୋଚନା ଚାଲିଛି। ଏହି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ ମୋଦିଙ୍କ ଗ୍ୟାରେଣ୍ଟିର ଦମ୍‍ ରହିଛି। ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରିଥିବା ସମସ୍ତ ଭୋଟରଙ୍କ ନିକଟରେ ମୁଁ କୃତଜ୍ଞ। ‘ବିକାଶ ଭାରତ ସଂକଳ୍ପ ଯାତ୍ରା’କୁ ଅସହାୟଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ମହାନ ମାଧ୍ୟମ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖୁବ୍ କମ୍ ସମୟ ମଧ୍ୟରେ ୧.୨୫ କୋଟିରୁ ଅଧିକ ଲୋକ ‘ମୋଦି ଗ୍ୟାରେଣ୍ଟି’ ଗାଡ଼ିରେ ପହଞ୍ଚି ଏହାକୁ ସ୍ୱାଗତ କରିଛନ୍ତି, ଏହା ସହ ଯୋଡ଼ି ହେବାକୁ ଚେଷ୍ଟା କରିଛନ୍ତି ଏବଂ ଏହାକୁ ସଫଳ କରିବା ପାଇଁ କାର୍ଯ୍ୟ କରିଛନ୍ତି।

ପୂର୍ବ ସ୍ଥିତି ବଦଳିଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବରୁ ଯେଉଁ ଭିକ୍ଷାବୃତ୍ତି ହେଉଥିଲା, ଏବେ ତାହା ଦୂର ହୋଇଯାଇଛି। ସରକାର ଅଭାବୀଲୋକଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ ସୁବିଧା ଦେବା ପାଇଁ ପଦକ୍ଷେପ ନେଇଥିଲେ। ସେଥିପାଇଁ ଆଜି ଲୋକେ କହୁଛନ୍ତି- ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ପୂରଣର ଗ୍ୟାରେଣ୍ଟି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ମୋଦି କି ଗ୍ୟାରେଣ୍ଟି’ ଗାଡ଼ି ଆସିବା ପରେ ଉଜ୍ଜ୍ୱଳା ଯୋଜନାରେ ପ୍ରାୟ ୧ ଲକ୍ଷ ନୂଆ ହିତାଧିକାରୀ ମାଗଣା ଗ୍ୟାସ୍ ସଂଯୋଗ ପାଇଁ ଆବେଦନ କରିଛନ୍ତି। ଏହି ଯାତ୍ରା ସମୟରେ ଘଟଣାସ୍ଥଳରେ ୩୫ ଲକ୍ଷରୁ ଅଧିକ ଆୟୁଷ୍ମାନ କାର୍ଡ ମଧ୍ୟ ଦିଆଯାଇଛି।

‘ମୋଦି ଗ୍ୟାରେଣ୍ଟି’ର ଉତ୍ସାହ ପ୍ରତ୍ୟେକ ଗାଁରେ ଦେଖିବାକୁ ମିଳୁଛି

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ନିରନ୍ତର ଚେଷ୍ଟା କରୁଛନ୍ତି ଯେ ଯେତେବେଳେ ମୋଦିଙ୍କ ଦ୍ୱାରା ଗ୍ୟାରେଣ୍ଟି ଦିଆଯାଇଥିବା ଗାଡି ଆସିବ, ଗାଁର ପ୍ରତ୍ୟେକ ବ୍ୟକ୍ତି ସେହି ଗାଡ଼ି ନିକଟରେ ପହଞ୍ଚିବେ, ସେତେବେଳେ ହିଁ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବୁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋଦି ଗ୍ୟାରେଣ୍ଟି ଥିବା ଗାଡ଼ିକୁ ନେଇ ପ୍ରତ୍ୟେକ ଗାଁରେ ଯେଉଁ ଉତ୍ସାହ ଦେଖିବାକୁ ମିଳୁଛି ତାହା ଦେଖି ନିଜେ ଆଶ୍ଚର୍ଯ୍ୟ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ କୌଣସି ନା କୌଣସି ଯୋଜନାରେ ଦେଶର କୋଟି କୋଟି ପରିବାର ନିଶ୍ଚିତଭାବେ ଉପକୃତ ହୋଇଛନ୍ତି ବୋଲି ସେ କହିଛନ୍ତି। ଏବଂ ଯେତେବେଳେ ଏହି ଲାଭ ମିଳିଥାଏ, ବିଶ୍ୱାସ ବଢ଼ିଥାଏ। ଜୀବନ ବଞ୍ଚିବାର ନୂଆ ଶକ୍ତି ରହିଛି।

ମହିଳାମାନଙ୍କୁ ବଡ଼ ଜାତି ବୋଲି କୁହାଯାଏ

ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମହିଳାମାନଙ୍କୁ ବିଭାଜନକାରୀ ରାଜନୀତି ବିରୋଧରେ ସତର୍କ କରାଇଥିଲେ। ସେ କହିଛନ୍ତି ଯେ ସେମାନେ ଏକ ବଡ଼ ‘ଜାତି’ ଯିଏ ଏକାଠି ଯେକୌଣସି ଚ୍ୟାଲେଞ୍ଜର ମୁକାବିଲା କରିପାରିବେ। ସେ କହିଛନ୍ତି ଯେ ସମସ୍ତ ମହିଳା ଏକାଠି ରହିବା ଉଚିତ। ଆଜିକାଲି କିଛି ଲୋକ ମହିଳାଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି। ସବୁ ମହିଳାଙ୍କର ଏକ ଜାତି ଥାଏ, ଯାହା ଏତେ ବଡ଼ ଯେ ସେମାନେ ଯେକୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି। ଶାସକ ବିଜେପି ଅନେକ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିଛି। କେତେକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅନେକ ବିଧାନସଭା ନିର୍ବାଚନରେ ମହିଳାମାନେ ଦଳକୁ ଅଧିକ ଉତ୍ସାହର ସହ ଭୋଟ ଦେଇଛନ୍ତି।

କ’ଣ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି?:

ଜାତିଭିତ୍ତିକ ଜନଗଣନା ପାଇଁ ଜୋର ଦେଉଥିବା କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳମାନେ ମୋଦିଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରୁଛନ୍ତି। ପ୍ରଧାନମନ୍ତ୍ରୀ ଗତ କିଛିଦିନ ଧରି କ୍ରମାଗତଭାବେ ଗୁରୁତ୍ୱାରୋପ କରି ଆସୁଛନ୍ତି ଯେ ଗରିବ, ମହିଳା, ଯୁବକ ଏବଂ କୃଷକମାନେ ତାଙ୍କ ପାଇଁ ଚାରିଟି ବୃହତ୍ତମ ଜାତି ଏବଂ ସେମାନଙ୍କର ପ୍ରଗତି ସହିତ ଭାରତର ବିକାଶ ହେବ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମଦ ବ୍ୟବସାୟୀଙ୍କ ଜବତ ଟଙ୍କାକୁ ନେଇ ଓଡିଶା ରାଜନୀତିରେ ଝଡ, ବିଜେଡି କଲା ସାଂଘାତିକ ଅଭିଯୋଗ

ଭୁବନେଶ୍ବର: ଓଡିଶା ଓ ଝାଡଖଣ୍ଡ ମଦ ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ଟଙ୍କା ମିଳିବା ପରେ ବର୍ତ୍ତମାନ ଓଡିଶା ରାଜନୀତିରେ ସୃଷ୍ଟି ହୋଇଛି ଝଡ। ଏତେ ଟଙ୍କା ସଂପୃକ୍ତ ବ୍ୟବସାୟୀଙ୍କ ବ୍ୟବସାୟରୁ ଆସିଛି ନା ତାହା ଆଉ କାହାର। ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି। ତେବେ ଝାଡଖଣ୍ଡର ଜଣେ କଂଗ୍ରେସ ସାଂସଦଙ୍କ ଭାଇଙ୍କର ଏହି ମଦ ବ୍ୟବସାୟ ହୋଇଥିବାରୁ ଓଡିଶା କଂଗ୍ରେସ ଚୁପ ରହିଛି।

ପ୍ରଥମେ ଏହି ମଦ ବ୍ୟବସାୟୀଙ୍କ ଜବତ ଟଙ୍କା ବିଜେଡିର ବୋଲି ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ପରୋକ୍ଷରେ ସୂଚନା ଦେଇଛି। ଦଳର ମୁଖପାତ୍ର ମନୋଜ ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ନେତ୍ରୀ ତଥା ମନ୍ତ୍ରୀ ଟୁକୁନି ସାହୁଙ୍କୁ ଟାର୍ଗେଟ କରିଛି। ମନୋଜ ଟୁକୁନୀ ସାହୁଙ୍କ ସହିତ ସେହି ବ୍ୟବସାୟୀ ବସିଥିବାର ଫଟୋ ଦେଖାଇଛନ୍ତି। ସିଧା ବିଜେଡିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଏହି ଟଙ୍କା ବିଜେଡି ଆଗୁଆ ନିର୍ବାଚନ କରି ଖର୍ଚ୍ଚ କରିବା ପାଇଁ ମଦ ବ୍ୟବସାୟୀଙ୍କ ପାଖରେ ଗଚ୍ଛିତ ରଖିଥିଲା।

ମନୋଜ କହିଛନ୍ତି ଯେ, ବଲାଙ୍ଗୀର, ବରଗଡ ଏବଂ ସମ୍ବଲପୁରର ବିଜେଡି ନେତା ଏଥିରେ ସଂପୃକ୍ତି ରହିଛି। ହେଲେ ବିଜେଡି ଏହାକୁ ସଂପୂର୍ଣ୍ଣ ଖଣ୍ଡନ କରଛି। ଦଳର ମୁଖପାତ୍ର ଇପିସ୍ସିତା ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ବିଜେପି ମିଛ କହୁଛି। ସେ କହିଛନ୍ତି ଯେ, ଝାଡଖଣ୍ଡର ବିଜେପି ସେଠାରେ ଅଭିଯୋଗ କରିଛି ଯେ, ଏହି ଟଙ୍କା କଂଗ୍ରେସ ଦଳର। ହେଲେ ଓଡିଶା ବିଜେପି କହୁଛି ଏହା ବିଜେଡିର।

ତେଣୁ ବିଜେପି ନେତାଙ୍କ ମଧ୍ୟରେ ତାଳମେଳ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି। ଦଳ କହିଛି ଯେ, ବିଜେପି ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ଝାଡଖଣ୍ଡ ବିଜେପିକୁ ପଚାରି ଦେଇଥିଲେ ଭଲ ହୋଇଥାଆନ୍ତା। ତେବେ ଇପସ୍ସିତା ଆଉ ଏକ ବଡ ଅଭିଯୋଗ କରିଛନ୍ତି। ତାହା ହେଲା ଯେ, ଜବତ ଟଙ୍କା ହେଉଛି ପଶ୍ଚିମ ଓଡିଶାର କେତେକ ବିଜେପି ନେତାଙ୍କର। ବର୍ତ୍ତମାନ ତଦନ୍ତ ଚାଲିଛି। ଏହି ତଦନ୍ତ ପରେ ପ୍ରକୃତ ରହସ୍ୟ ଫିଟିବ ବୋଲି ବିଜେଡି କହିଛି।

ତେବେ ପ୍ରକୃତରେ ଦେଖିବାକୁ ଗଲେ ଏପରି ବିପୁଳ ପରିମାଣର ଟଙ୍କା ମିଳିବା କେବଳ ଓଡିଶା ଝାଡଖଣ୍ଡ କାହିଁକି ସାରା ଦେଶରେ ଏହା ଏକ ଚର୍ଚ୍ଚା ବିଷୟ ପାଲଟିଛି। ଏପରିକି ଖୋଦ ପ୍ରଧାନମନ୍ତ୍ରୀ ଏହି ଖବରକୁ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେହିପରି ବହୁ ବିଜେପି ନେତା ଓ ମନ୍ତ୍ରୀ ଏହି ଟଙ୍କାକୁ ନେଇ କେବଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ହେଲେ କେହି ବିଜେଡିକୁ ସମାଲୋଚନା କରି ନାହାଁନ୍ତି।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନରେ ​​ଜିତିଥିବା ବିଜେପି ସାଂସଦମାନେ ଦେଲେ ଇସ୍ତଫା, ରାଜ୍ୟ କ୍ୟାବିନେଟରେ ହେବେ କି ସାମିଲ?

ନୂଆଦିଲ୍ଲୀ: ନିକଟରେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବିଜେପି କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଅନେକ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା। ଏଥିମଧ୍ୟରୁ ୧୨ ଜଣ ସାଂସଦ ବିଜୟ ପଞ୍ଜିକରଣ କରିଛନ୍ତି। ଏହି ସାଂସଦମାନଙ୍କ ମଧ୍ୟରୁ ୧୦ ଜଣ ଆଜି ସେମାନଙ୍କ ସଂସଦୀୟ ସଦସ୍ୟ ପଦରୁ ଇସ୍ତଫା ଦେଇଥିବାବେଳେ ଦୁଇ ସାଂସଦ ପରେ ଇସ୍ତଫା ଦେବେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୁଇ ସାଂସଦ ବାଳକନାଥ ଏବଂ ରେଣୁକା ସିଂ ଏପର୍ଯ୍ୟନ୍ତ ସେମାନଙ୍କ ସାଂସଦ ପଦରୁ ଇସ୍ତଫା ଦେଇନାହାଁନ୍ତି। ସେମାନେ ଶୀଘ୍ର ଇସ୍ତଫା ଦେବେ। ଯେଉଁମାନେ ଇସ୍ତଫା ଦେଇଛନ୍ତି ସେମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମାର ଏବଂ ପ୍ରହ୍ଲାଦ ପଟେଲ ଅଛନ୍ତି, ଯେଉଁମାନେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଅଟନ୍ତି।

ଏହି ସମୟରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ସମସ୍ତ ବିଜେତା ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ଜାତୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ।

କେନ୍ଦ୍ର ମନ୍ତ୍ରୀ ସାଂସଦ ରହିବେ କି?:

ଏଭଳି ପରିସ୍ଥିତିରେ ସଂସଦ ପଦରୁ ଇସ୍ତଫା ଦେଇଥିବା କେନ୍ଦ୍ର ମନ୍ତ୍ରୀମାନେ କେନ୍ଦ୍ର ମନ୍ତ୍ରୀ ପଦରେ ଜାରି ରଖିବେ କି? ସୂଚନାଯୋଗ୍ୟ ଯେ ଲୋକସଭାରୁ ଇସ୍ତଫା ଦେବା ପରେ ସମସ୍ତ ତିନି କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ସେମାନଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ତାଙ୍କ ଇସ୍ତଫା ପରେ କେନ୍ଦ୍ର କ୍ୟାବିନେଟରେ ୩ ମନ୍ତ୍ରୀଙ୍କ ହ୍ରାସ ଘଟିବ।

ସେପଟେ ମଧ୍ୟପ୍ରଦେଶର ନରସିଂହପୁରରୁ ବିଧାୟକ ନିର୍ବାଚନରେ ​​ବିଜୟୀ ହୋଇଥିବା କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି ଯେ, ସେ ଖୁବ ଶୀଘ୍ର କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ସେ ମଧ୍ୟ ଲୋକସଭାରୁ ଇସ୍ତଫା ଦେଇଛନ୍ତି।

ନିର୍ବାଚନରେ ​​ଜିତିଥିବା ସାଂସଦମାନେ:

ପ୍ରକାଶ ଯୋଗ୍ୟ ଯେ, ମଧ୍ୟପ୍ରଦେଶ ନିର୍ବାଚନରେ ​​ଜିତିଥିବା ସାଂସଦମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ତୋମର୍, ପ୍ରହ୍ଲାଦ ପଟେଲ, ଉଦୟ ପ୍ରତାପ ସିଂ, ରିତି ପାଠକ୍ ଏବଂ ରାକେଶ ସିଂଙ୍କ ନାମ ଅନ୍ତର୍ଭୁକ୍ତ। ଏଥି ସହ ରାଜସ୍ଥାନ ସାଂସଦ ରାଜବର୍ଦ୍ଧନ ରାଠୋର, ଦିୟା କୁମାରୀ, ବାଲକ ନାଥ ଏବଂ ରାଜ୍ୟସଭା ସାଂସଦ କିରୋଡି ଲାଲ ମୀନା ନିର୍ବାଚନରେ ​​ବିଜୟୀ ହୋଇଥିଲେ। ଏହା ବ୍ୟତୀତ ଛତିଶଗଡର ଦୁଇ ସାଂସଦ ଅରୁଣ ସାଓ ଏବଂ ଗୋମତି ସାଇ ଇସ୍ତଫା ଦେଇଛନ୍ତି।

ସାଂସଦ ଯିଏ ରାଜସ୍ଥାନରୁ ଇସ୍ତଫା ଦେଇଛନ୍ତି:

ରାଜବର୍ଦ୍ଧନ ସିଂ ରାଠୋର
ଦିୟା କୁମାରୀ
କିରୋଡ଼ି ଲାଲ ମୀନା

ମଧ୍ୟପ୍ରଦେଶରୁ ଇସ୍ତଫା ଦେଇଥିବା ସାଂସଦ:

ନରେନ୍ଦ୍ର ସିଂ ତୋମାର
ପ୍ରହ୍ଲାଦ ପଟେଲ
ରାକେଶ ସିଂ
ଉଦୟ ପ୍ରତାପ ସିଂ
ରିତି ପାଠକ୍

ଛତିଶଗଡରୁ ଇସ୍ତଫା ଦେଇଥିବା ସାଂସଦ:

ଅରୁଣ ସାଓ
ଗୋମତି ସାଇ

Categories
ଜାତୀୟ ଖବର ବିଶେଷ ଖବର

Election Result: ତିନୋଟି ରାଜ୍ୟରେ ବିଜେପି, ତେଲଙ୍ଗାନାରେ କଂଗ୍ରେସ

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଚୁଡାନ୍ତ ଫଳାଫଳ ଆସି ନ ଥିଲେ ମଧ୍ୟ ଆଗୁଆ ସଂଖ୍ୟାକୁ ହିସାବ କଲେ ବର୍ତ୍ତମାନ ବିଜେପି ତିନୋଟି ରାଜ୍ୟରେ ସରକାର ଗଠନ କରିବ। ସେହି ତିନୋଟି ହେଲା ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶ।

ଏହି ତିନୋଟିରୁ କେବଳ ମଧ୍ୟ ପ୍ରଦେଶରେ ବିଜେପି ସରକାର ଥିଲା। ହେଲେ ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସ ଶାସନ କରୁଥିଲା। ବର୍ତ୍ତମାନ ଫଳାଫଳ ଅନୁସାରେ ବିଜେପି ତାହାର ନିଜ ଶାସିତ ରାଜ୍ୟ ମଧ୍ୟ ପ୍ରଦେଶରେ ପୁଣି ଫେରିଆସିଥିବା ବେଳେ ଦୁଇଟି ଆସନରେ କଂଗ୍ରେସଠାରୁ ଶାସନ ଛଡାଇ ଆଣିଛି।

ସବୁଠାରୁ ଆଶ୍ଚର୍ଯ୍ୟ ଫଳାଫଳ ହେଲା ଛତିଶଗଡ

ଛତିଶଗଡ ରାଜ୍ୟଟିର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ହେଲା ସମସ୍ତେ ଭାବିଥିଲେ ମଧ୍ୟ ଛତିଶଗଡରେ ପୁଣି ଥରେ କଂଗ୍ରେସ ସରକାରକୁ ଆସିବ। କାରଣ ବାଘେଲାଙ୍କ ସେହିପରି ଲୋକପ୍ରିୟତା ରହିଥିଲା। ସେଠାରୁ କେହିକେବେ କଂଗ୍ରେସ ହାରିବ ବୋଲି ଆଶା କରି ନ ଥିଲେ। ହେଲେ ଫଳାଫଳ ସବୁ ଓଲଟପାଲଟ କରିଦେଇଛି।

ତେବେ ରାଜନୈତିକ ବିଶେଷଜ୍ଞଙ୍କ ମତରେ ଛତିଶଗଡରେ କଂଗ୍ରେସ ଜିତିବ ବୋଲି ବହୁ ଉତ୍ସାହିତ ହୋଇପଡିଥିଲା। ଯାହାକୁ ଇଂରାଜୀରେ କହନ୍ତି ଓଭର କନଫିଡେଣ୍ଟ। ଏହା ଫଳରେ ସେହି ରାଜ୍ୟରେ କଂଗ୍ରେସ ଯେପରି ଫୋକସ କରିବା କଥା ତାହା କରିପାରିଲା ନାହିଁ। ସେମାନେ ଅଧିକ ସମୟ ତେଲେଙ୍ଗାନା ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ଉପରେ ନଜର ରଖିଲେ।

ରାଜସ୍ଥାନରେ କଂଗ୍ରେସର ଅନ୍ତଃକନ୍ଦଳ ଭାରୀ ପଡିଲା

ରାଜସ୍ଥାନର ଗଣିତ ମଧ୍ୟ ବିଗିଡିଯାଇଛି। କାରଣ ରାଜସ୍ଥାନରେ ମଧ୍ୟ ପୁଣି ଥରେ କଂଗ୍ରେସ ଆସିବ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ ଅନେକ ରାଜସ୍ଥାନ ସ୍ଥିତି ନେଇ କିଛି ମତ ମଧ୍ୟ ଦେଇପାରି ନ ଥିଲେ। କାରଣ ଥିଲା ରାଜସ୍ଥାନରେ ବିଜେପି ସେମିତି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗକୁ ଆଣି ନ ଥିଲା।

ହେଲେ ରାଜସ୍ଥାନର ନିର୍ବାଚନ ପ୍ରଚାରକୁ ପୁରା ଅମିତ ସାହା ପରିଚାଳନା କରୁଥିଲେ। ଦିନରାତି ଏକ କରି ସେଠାରେ ଡେରା ପକାଇଥିଲେ। ଗୋଟିଏ ପଟେ କଂଗ୍ରେସର ଅନ୍ତଃକନ୍ଦଳ ଅନ୍ୟପଟେ ଅମିତ ସାହାଙ୍କ ମାରଥନ ପ୍ରଚାର ବିଜେପିକୁ ଜିତିବା ପାଇଁ ସହଜ ହୋଇଥିଲା।