Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ଦାବୀ ନେଇ ବ୍ଲକ ଘେରାଉ କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟରେ ବିଜେଡ଼ି ସରକାରଙ୍କର ସମସ୍ତ କ୍ଷେତ୍ରରେ ବିଫଳତା, ଜନମାରଣ ନୀତି, ବ୍ଲକ ସ୍ତରଠୁ ଆରମ୍ଭ କରି ସମସ୍ତ ସରକାରୀ କାର୍ଯ୍ୟରେ ୧୫ ରୁ ୫୦ ପ୍ରତିଶତ ପି.ସି. ଆଦାୟକୁ ବିରୋଧ କରି କଂଗ୍ରେସ ତରଫରୁ ରାଜ୍ୟର ସମସ୍ତ ବ୍ଲକ ଘେରାଉ କରାଯାଇଥିଲା।

ଏଥିରେ ଶିକ୍ଷିତ ଯୁବକ ଯୁବତୀ ଆଜି ବେକାର, କୃଷି ଓ କୃଷକ ସମସ୍ୟା ଦରଦାମ୍ ବୃଦ୍ଧି, ନାରୀ ନିର୍ଯ୍ୟାତନା, ବିଜୁଳି ଦରବୃଦ୍ଧି ଓ ଟାଟାକମ୍ପାନୀଙ୍କ ଉପଭୋକ୍ତାମାରଣ ନୀତି ଆଦି ୯ ଗୋଟି ଦାବି ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସମସ୍ତ ୩୧୪ ଗୋଟି ବ୍ଲକରେ ଏହି ଘେରାଉ କରାଯାଇଥିଲା। ଏହି ଅବସରରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବି.ଡି.ଓ.ଙ୍କ ଜରିଆରେ ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସରେ ଯୋଗଦେଲେ ଓଡିଶାର ୪ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ୪ ଜଣ ବରିଷ୍ଠ ପୂର୍ବତନ ପ୍ରଶାସନିକ ଅଧିକାରୀ ଦଳରେ ଯୋଗଦେଇଛନ୍ତି। ସେମାନେ ହେଲେ ଏମ୍‌ଏସ୍‌ଏମ୍‌ଇ ର ପୂର୍ବତନ ସଚିବ ପଞ୍ଚାନନ ଦାସ, ଷ୍ଟିଲ୍ ଓ ମାଇନ୍‌ସର ସ୍ୱତନ୍ତ୍ର ସଚିବ, ବିଶ୍ୱନାଥ ଆଚାର୍ଯ୍ୟ, ଅବସରପ୍ରାପ୍ତ ବି.ଡ଼ି.ଏ. ସଚିବ ଏବଂ ରାଜ୍ୟ ଘରୋଇ ବିଭାଗ (ପ୍ରୋଟକଲ) ସ୍ୱତନ୍ତ୍ର ସଚିବ ରବୀନ୍ଦ୍ର ନାଥ ମିଶ୍ର, ଅବସର ପ୍ରାପ୍ତ ଓ.ଏ.ଏସ୍‌., ଶ୍ରୀ ଉଦ୍ଧବ କର କଂଗ୍ରେସରେ ଯୋଗ ଦେଇଛନ୍ତି।

ଏହି ଉପଲକ୍ଷେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କଂଗ୍ରେସ ପ୍ରଭାରୀ ଡଃ ଏ. ଚେଲ୍ଲା କୁମାର ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଏମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି କଂଗ୍ରେସ ଦଳରେ ଆନୁଷ୍ଠାନକ ଭାବେ ସାମିଲ କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଭୂଜବଳ ମାଝି, ଡଃ ଲଲାଟେନ୍ଦୁ ମହାପାତ୍ର, ମାନସ ଚୌଧୂୁରୀ, ସୁଦର୍ଶନ ଦାସ, ତରୁଣ ମିଶ୍ର, ଅଶୋକ ଦାସ, ମନୋରଞ୍ଜନ ଦାସ, ରଜନୀ ମହାନ୍ତି, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ମୋତିଲାଲ ଦାସ, ନରୋତମ ନାୟକ, ପ୍ରଦୀପ ମହାପାତ୍ର, ମିହିର ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଦୀପକ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ପ୍ରଭାତ ପ୍ରତାପ ବଳିଆର ସିଂ, ପ୍ରମୁଖ ଅଂଶ୍ର ଗ୍ରହଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା କଂଗ୍ରେସର ନୂଆ କର୍ମକର୍ତ୍ତାଙ୍କ ନାମ, ରହିଲେ ପାଞ୍ଚ ଜଣ ବରିଷ୍ଠ ଉପସଭାପତି

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ କମିଟର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରୁ ଏହି ତାଲିକା ପ୍ରକାଶ ପାଇଛି। ଶରତ ପଟ୍ଟନାୟକ ନୂଆ ସଭାପତି ହେବା ପରେ ଏହି ତାଲିକା କରାଯାଇଛି। ଏଥିରେ ପାଞ୍ଚ ଜଣ ବରିଷ୍ଠ ଉପସଭାପତି ଥିବା ବେଳେ ବାର ଜଣ ଉପସଭାପତି ଅଛନ୍ତି। ସେମାନେ ହେଲେ

ସେହିପରି ଏହି ତାଲିକାରେ 67 ଜଣଙ୍କୁ କାର୍ଯ୍ୟକାରୀ କମିଟିକୁ ମନୋନିତ କରାଯାଇଛି। ଏଥିରେ ଖୋଦ ସଭାପତି ଶରତ ପଟ୍ଟନାୟକଙ୍କ ସହିତ ନରସିଂହ ମିଶ୍ର, କାହ୍ନୁ ଲେଙ୍କା, କେପି ସିଂହଦେଓ, ନିରଂଜନ ପଟ୍ଟନାୟକ ପ୍ରମୁଖ ରହିଛନ୍ତି।

ଏଥିରେ 39 ଜଣଙ୍କୁ ସାଧାରଣ ସଂପାଦକ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନେ ହେଲେ ରବିନ୍ଦ୍ର ମଲ୍ଲିକ, ଲଲାଟେନ୍ଦୁ ମହାରଥା, ଘାସିରାମ ମାଝି, ନିମାଇ ସରକାର ପ୍ରମୁଖ ରହିଛନ୍ତି।

ଏହି ତାଲିକାରେ 30 ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ପ୍ରିୟଜିତ ରାୟ, ସନାତନ ମିଶ୍ର, ଅଭିଳାଷ ମନିଆ, ସଂଗ୍ରାମ କେଶରୀ ଦାସ ପ୍ରମୁଖ ରହିଛନ୍ତି।

ପୂର୍ବରୁ ଏଆଇସିସି ପ୍ରଦେଶ କଂଗ୍ରେସ ପାଇଁ ବିଜୟ ପଟ୍ଟନାୟକଙ୍କୁ ପ୍ରଚାର କମିଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି। ଶରତ ପଟ୍ଟନାୟକ ସଭାପତି ହେବା ପରେ ଦଳର ନବେକଳବର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଭୁବନେଶ୍ବର ଫେରିବେ ବିଜୟ ପଟ୍ଟନାୟକ, କଂଗ୍ରେସର ବଡ ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବର ଫେରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀରେ କଂଗ୍ରେସ ଦଳରେ ଯୋଗଦେବା ପରେ ଭୁବନେଶ୍ବର ଫେରୁଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ ପ୍ରଦେଶ କଂଗ୍ରେସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସେ ଆସନ୍ତାକାଲି ଦିନ ୧୧ ଟା ୩୦ ରେ ଭୁବନେଶ୍ୱର ବିମାନବନ୍ଦର ରେ ପହଞ୍ଚିବା ପରେ ତାଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ କଂଗ୍ରେସ ଭବନ ନିଆଯିବ। ସେଠାରେ ଦଳ ତରଫରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ବିଜୟ ପଟ୍ଟନାୟକ ଏକ ସାମ୍ୱାଦିକ ସମ୍ମିଳନୀରେ ଉଦବୋଧନ ଦେବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଦେଶ କଂଗ୍ରେସ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ, ଭାରତ ଯୋଡୋ ଅଭିଯାନ ଉପରେ ରଖିଲେ ମତ

ଭୁବନେଶ୍ୱର: ସଂପ୍ରତି ଦେଶରେ କଂଗ୍ରେସ ଦଳ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ପ୍ରତି ଦେଶବାସୀଙ୍କର ଅଭୁତପୂର୍ବ ଜନ ସମର୍ଥନ ମିଳୁଛି। ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଲେଖକ ଇତ୍ୟାଦି ବିଭିନ୍ନ ବର୍ଗର ଲୋକମାନେ ଏହା ସହିତ ଯୋଡ଼ି ହେଉଛନ୍ତି। ଓଡ଼ିଶାରେ ମଧ୍ୟ ଏହାର ଆଭାସ ମିଳିଛି। ଗତକାଲି ଓଡ଼ିଶାର ବୁଦ୍ଧିଜୀବି, ଲେଖକ, ସାମାଜିକ କର୍ମୀ, ପୂର୍ବତନ ପ୍ରଶାସକ, କଳାକାର ପ୍ରମୁଖ ଏହା ସହିତ ଯୋଡ଼ି ହୋଇଛନ୍ତି।

ଏହି ଉପଲକ୍ଷେ ଆୟୋଜିତ ଏକ ବୁଦ୍ଧିଜୀବୀ ଓ ସାମାଜିକ ସମ୍ମିଳନୀରେ ଯୋଗ ଦେଇ ସେମାନେ ଭାରତ ଯୋଡ଼ୋ ଯାତ୍ରା ପ୍ରତି ସେମାନଙ୍କର ସମର୍ଥନ ଜ୍ଞାପନ କରିଛନ୍ତି। ଭୁବନେଶ୍ୱର ସ୍ଥିତ ରେଡକ୍ରସ ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଯୋଗଦେଇ ଦେଶର ସାଂପ୍ରତିକ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଦୂରବସ୍ଥା ସମୟରେ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ମାନେ ନୀରବ ଦ୍ରଷ୍ଟା ହୋଇ ନରହି ବାହାରକୁ ଆସି ଏହାର ପ୍ରବାଦ କରିବାକୁ ଆହ୍ୱାନ ଦେଇଥିଲେ।

ଆର ଏସ ଏସ ଓ ବିଜେପିର ଜନବିରୋଧି ନୀତି, ସମ୍ବିଧାନ ପ୍ରତି ଅସମ୍ମାନ, ଦରଦାମ ଓ ବେକାରୀକୁ ନିୟନ୍ତ୍ରଣ କରିବାରେ ବିଫଳତା ବିରୁଦ୍ଧରେ ସେମାନେ ସ୍ୱର ଉତୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ଦଳର ଜାତୀୟ ପ୍ରବକ୍ତା ଶ୍ରୀ ଜୟରାମ ରମେଶ ଏଥିରେ ଯୋଗଦେଇ ଭାରତ ଯୋଡ଼ୋର ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ସମ୍ପ୍ରତି କେନ୍ଦ୍ରର ବିଜେପି ଦେଶକୁ ଘୃଣା ଓ ବିଦ୍ୱେଷ ଭିତରକୁ ନେଇ ଯାଉଛି। ଧନୀ ଓ ଗରିବ ଭିତରେ ପାର୍ଥକ୍ୟ ବଢ଼ି ବଢ଼ି ଚାଲିଛି। ଦେଶର ଏକତା ଓ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଛି।

ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ଦେଶବାସୀଙ୍କୁ ଯୋଡ଼ିବା ସହିତ ବିଜେପିକୁ ସେଥିରୁ କ୍ଷାନ୍ତ ହେବାକୁ ବାଧ୍ୟ କରିବା ଆଜିର ଆହ୍ୱାନ ବୋଲି ସେ କହିଥିଲେ। ବରିଷ୍ଟ ସାମ୍ବାଦିକ ରବିଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗ ଦେଇ ଓଡ଼ିଶାରେ ବିଜେଡ଼ି ଓ କେନ୍ଦ୍ର ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଏବଂ ଏହି ଦୁଇ ଶକ୍ତିକୁ ପରାସ୍ତ କରିବାପାଇଁ ସେ ଓଡ଼ିଶାରେ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନଙ୍କୁ ନିବେଦନ କରିଥିଲେ।

ଭାରତର ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀମତୀ ଅରୁଣା ରାୟ ଏଥିରେ ଯୋଗଦେଇ ବିଭେଡକାରୀ ଓ ସାମ୍ପ୍ରଦାୟିକ ଶକ୍ତି ଦେଶପାଇଁ ବିପଦ ଏବଂ ଏହା ବିରୁଦ୍ଧରେ ସମସ୍ତେ ଏକାଠି ହେବା ଆଜି ଜରୁରୀ ବୋଲି କହିଥିଲେ। ପୂର୍ବତନ ବିଚାରପତି ଶ୍ରୀ ମନୋରଞ୍ଜନ ମହାନ୍ତି ଗାନ୍ଧୀଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରି ସାମ୍ପ୍ରଦୟିକ ଶକ୍ତିକୁ ପରାସ୍ତ କରିବାପାଇଁ ପ୍ରସ୍ତାବ ରଖିଥିଲେ। ବିଶିଷ୍ଟ ପ୍ରଶାସକ ଶ୍ରୀ ଅରବିନ୍ଦ ବେହେରା ସମ୍ପ୍ରତି ରାଜନୀତି ରେ ମୂଲ୍ୟବୋଧର ଅବକ୍ଷୟ ଉପରେ ଚିନ୍ତା ପ୍ରକଟ କରିବା ସହିତ କଂଗ୍ରେସ ତାର ମୌଳିକ ମୂଲ୍ୟବୋଧ ଉପରେ ରାଜନୀତିକୁ ଶାଣିତ କରିବାକୁ ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନୟ ରଥ, ଗାନ୍ଧୀ ଯୁବ ଫାଉଣ୍ଡେସନ ଅଧ୍ୟକ୍ଷ ବିଶ୍ୱଜିତ ରାୟ, ପ୍ରଫେସର ବିଜୟ ବହିଦାର, ପ୍ରଫେସର ଖାରବେଳ ମହାନ୍ତି, ପ୍ରଫେସର ଅମିୟ ମହାନ୍ତି, ପ୍ରଫେସର ବସନ୍ତ ମଲ୍ଲିକ, ମଧୁମିତା ରାୟ, ପ୍ରଦୀପ ପ୍ରଧାନ, ନଟବର ଖୁଂଟିଆ,କେଦାର ମିଶ୍ର, ବିଦ୍ୟୁତ ମହାନ୍ତି,ଦେବୀ ପୃଷ୍ଟି, ମନୋଜ ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋଙ୍କ ସହିତ ବିସ୍ମୟ ମହାପାତ୍ର, ଅମିୟ ପାଣ୍ଡବ ଓ ସୁଦର୍ଶନ ଦାସ ପରିଚାଳନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବନ୍ୟା ମୁକାବିଲା ପାଇଁ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ, ଆହ୍ବାନ ଦେଲେ କଂଗ୍ରେସ ସଭାପତି

ଭୁବନେଶ୍ୱର : ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ବନ୍ୟାରେ ୧୫ ଟି ଜିଲ୍ଲା ପ୍ରଭାବିତ ହୋଇଥିଲାବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପାଣି ଘେରରେ ରହି ଚରମ ଦୁର୍ଦ୍ଦଶାରେ କାଳତିପାତ କରୁଛନ୍ତି। ସରକାରଙ୍କର ଅଦୁରଦର୍ଶିତା ଓ ଅପରିଣାମଦର୍ଶିତା ପାଇଁ ରାଜ୍ୟବାସୀ ବନ୍ୟାରେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଯଦି ରାଜ୍ୟ ସରକାରଙ୍କର ସତ୍‌ସାହସ ଅଛି ଓ ବନ୍ୟାର ନିୟନ୍ତ୍ରଣ ପାଇଁ ସାମନ୍ୟତମ ଆନ୍ତରିକତା ଅଛି ତେବେ ସର୍ବଦଳୀୟ ଓ ବିଶେଷଜ୍ଞମାନଙ୍କ ବୈଠକ ଡାକନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଆହ୍ୱାନ ଜଣାଇଛନ୍ତି।

କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ସଂଘଠିତ ହେଉଥିବା ବନ୍ୟା ପରିପ୍ରେକ୍ଷୀରେ କଂଗ୍ରେସ ଦଳ ପକ୍ଷରୁ ଏକ ବନ୍ୟା ଅନୁଧ୍ୟାନକାରୀ କମିଟି ରାଜ୍ୟର ପ୍ରଭାବିତ ୧୫ ଜିଲ୍ଲା ଗ୍ରସ୍ତ କରି ପରିସ୍ଥିତି ପରିଖି ଥିଲେ ଓ ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ସେଥିରୁ ଯାହା ନିର୍ଯ୍ୟାସ ବାହାରିଲା ସରକାର କେବଳ ମିଛ ପ୍ରଚାରରେ ବ୍ୟସ୍ତ ବୋଲି ଜଣାପଡ଼ିଲା

ଏହି ବୈଠକରେ କଂଗ୍ରେସ ବନ୍ୟା ଅନୁଧ୍ୟାନକାରୀ କମିଟିର ଅଧ୍ୟକ୍ଷ ତଥା ପୂର୍ବତନମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ ପି.ସି.ସି ସଭାପତିଙ୍କ ଅଭିଯୋଗକୁ ସମର୍ଥନ କରିବା ସହ କହିଛନ୍ତି ଯେ, ସରକାରଙ୍କର ବିଫଳତା ପାଇଁ ଆଜି ରାଜ୍ୟରେ ସରକାରୀକୃତ ବନ୍ୟା ଦେଖାଦେଇଛି।

ସେହିପରି ବନ୍ୟା ପ୍ରଭାବିତ ଅଂଚଳରେ କଂଗ୍ରେସ ଦଳ ପକ୍ଷରୁ ରିଲଫ୍ ସହାୟତା ପର୍ଯ୍ୟାପ୍ତ ପରିମାଣରେ ରିଲଫ୍ ସହାୟତା ଯୋଗାଇ ଦିଆଯାଇଥିବା ଯୋଗୁଁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ପିସିସି ସଭାପତି ଶ୍ରୀଯକ୍ତ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଓ ପି.ସି.ସି କୃଷକ ସେଲ୍‌ର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରାଜଭବନ ଘେରିବ ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: ଆଜି ରାଜଭବନ ଘେରିବ ରାଜ୍ୟ କଂଗ୍ରେସ। ବର୍ତ୍ତମାନ ଦେଶରେ ଯେପରି ଦରଦାମ ବୃଦ୍ଧି ହୋଇଛି, ବେକାରୀ ସମସ୍ୟା, ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଲାଗୁ ବିରୋଧରେ ଏହି ଘେରାଉ କରିବ।

ପିସିସି ସଭାପତିଙ୍କ ନେତୃତ୍ୱରେ କେନ୍ଦ୍ର ବିରୋଧରେ ଦଳ ପ୍ରତିବାଦ ସଭା କରିବା ସହ ରାଜ୍ୟପାଳଙ୍କୁ ଦାବିପତ୍ର ଦେବ। ସେହିପରି ଜିଲ୍ଲାସ୍ତରରେ ମଧ୍ୟ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ।

ଏ ନେଇ ପ୍ରଦେଶ କଂଗ୍ରେସ ତରଫରୁ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି। ସେହିପରି ରାଜ୍ୟ ସରକାରଙ୍କ ବିଫଳ ନିତିକୁ ନେଇ ମଧ୍ୟ ଏହି ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୋନିଆ ଗାନ୍ଧୀଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଦୀପ ଦାନ

ଭୁବନେଶ୍ୱର: ଜାତୀୟ କଂଗ୍ରେସର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ତରଫରୁ ଆଜି ରାମ ମନ୍ଦିର ସାମନାରେ ୧୦୮ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ ପ୍ରଭୁ ଜଗନ୍ନାଥ ଶ୍ରୀମତୀ ଗାନ୍ଧୀଙ୍କୁ ଶୀଘ୍ର ଅଶେଷ ଆଶୀର୍ବାଦ କରନ୍ତୁ ପ୍ରଭୁଙ୍କ କୃପା ତାଙ୍କ ଉପରେ ସବୁବେଳେ ରହୁ । ସେ ଯଥାଶୀଘ୍ର ସଂପୂର୍ଣ୍ଣ ଆରୋଗ୍ୟ ହୋଇ ସାଧାରଣ ଜୀବନକୁ ଶୀଘ୍ର ଫେରନ୍ତୁ ।

ଦେଶ ଏକ ଘଡ଼ିସନ୍ଦି ମୁହୂର୍ତ ଦେଇ ଗତି କରୁଛି । ଏଭଳି ସ୍ଥିତିରେ ତାଙ୍କର ନେତୃତ୍ୱର ଦୃଢ଼ ଆବଶ୍ୟକତା ରହିଛି । ଏହି ସମୂହ ଦ୍ୱୀପଦାନ କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ସୁବ୍ରତ ମହାପାତ୍ର, ଶ୍ରୀମତୀ ରଶ୍ମି ମହାପାତ୍ର, ଶ୍ରୀମତୀ ଚୈତାଳୀ ପଟ୍ଟନାୟକ, ରିନା ସାହୁ, ରଜନୀ ମହାନ୍ତି, ମିହିର ଆଚାର‌୍ୟ୍ୟ, ଜୟକୃଷ୍ଣ ସୁବୁଦ୍ଧି, ମଂଟୁ ମଲ୍ଲିକ, ଦେବୀପ୍ରସାଦ ବାହାଲିଆ, ଶତୃଘନ ବେହେରା, ମାନସ ସେଠୀ, ମୋହନ ଜେନା, ସ୍ପନ୍ଦନ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠାରୁ କଂଗ୍ରେସର ଆକ୍ରମଣାତ୍ମକ ପଦକ୍ଷେପ, ଦିଲ୍ଲୀରୁ ଫେରିବେ ସଭାପତି

ଭୁବନେଶ୍ବର: ଆଜିଠାରୁ ପ୍ରଦେଶ କଂଗ୍ରେସର ଆରମ୍ଭ ହେବ ଆକ୍ରମଣାତ୍ମକ ପଦକ୍ଷେପ। କାରଣ ହେଲା ରାଜ୍ୟ କଂଗ୍ରେସର ସଭାପତି ଭାବେ ଶରତ ପଟ୍ଟନାୟକଙ୍କ ନାମ ଘୋଷଣା ହୋଇଛି। ହେଲେ ସେ ଏ ପର୍ଯ୍ୟନ୍ତ କଂଗ୍ରେସ ଭବନରେ ଦାୟିତ୍ବ ଗ୍ରହଣ କରି ନାହାଁନ୍ତି। ଆଜି ସେ ନୂଆଦିଲ୍ଲୀରୁ ଫେରୁଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରୁ ସେ ସିଧା କଂଗ୍ରେସ ଭବନ ଆସି ମଙ୍ଗ ସମ୍ଭାଳିବେ।

ଆଜି ଶରତ ପଟ୍ଟନାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିବା ପାଇଁ କଂଗ୍ରେସ ତରଫରୁ ଏକ ବଡ ଶୋଭାଯାତ୍ରାରର ଆୟୋଜନ କରାଯାଇଛି। ବିମାନ ବନ୍ଦରରୁ ତାଙ୍କୁ ସ୍ବାଗତ କରାଯାଇଛି ଶୋଭାଯାତ୍ରାରେ କଂଗ୍ରେସ ଭବନ ଅଣାଯିବ। ଏହାପରେ ସେ ଆଗାମୀ ନିର୍ବାଚନ ପାଇଁ ଆରମ୍ଭ କରିବେ ପଦକ୍ଷେପ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ କଂଗ୍ରେସର ନବ ସଂକଳ୍ପ ଚିନ୍ତନ ଶିବିର, ଟାର୍ଗେଟରେ କେନ୍ଦ୍ର ରାଜ୍ୟ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବ ସଂକଳ୍ପ ଶିବିର ଭୁବନେଶ୍ୱର ଇନିଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରର୍ସ ସଭାକକ୍ଷରେ ଅନୁଷ୍ଠିତ ହୋଇଥିଲା। ଅଖିଳ ଭାରତ କଂଗ୍ରେସ କମିଟିର ଉଦୟପୁର ନବ ସଂକଳ୍ପ ଚିନ୍ତନ ଶିବିରର ନିଷ୍ପତିକୁ ସାରା ଓଡ଼ିଶାରେ କାର୍ଯ୍ୟକାରୀ କରିବା ନେଇ ଆଜି ଏହି ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥିଲା।

ସର୍ବପ୍ରଥମେ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ତତ୍ୱାବଧାନରେ ଦଳୀୟ ପତାକା ଉତୋଳନ କରାଯାଇଥିଲା ଏବଂ ସଭାକକ୍ଷରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ବିଗତ ୮ ବର୍ଷ ଧରି ଏ ସରକାର ଦେଶକୁ ଲୁଟ କରିବାଛଡ଼ା ଆଉ କିଛି କରିନାହିଁ । ଦେଶବାସୀଙ୍କୁ ଆଛେଦିନର ସ୍ୱପ୍ନ ଦେଖାଇ ଲୋକମାନଙ୍କ ଉପରେ ମହଙ୍ଗାଇର ବୋଝ ଲଦିଦିଆଯାଇଛି।

ଅଟା, ଅଣ୍ଡା, ପନିପରିବା, ମାଛ, ତେଲ, ଲୁଣ, ଡାଲି ପ୍ରଭୃତି ଅତ୍ୟାବଶ୍ୟକୀୟ ପଦାର୍ଥର ଦାମ ୨୦୧୪ ରେ ଯାହାଥିଲା ଆଜି ଶତପ୍ରତିଶତ ବଢ଼ିଯାଇଛି । ଲୋକଙ୍କ ପାଖରେ ରୋଜଗାର ନାହିଁ । ଭାରତ ବର୍ଷର ୪୫ କୋଟି ଲୋକ ଆଜି ବେରୋଜଗାର ହୋଇ ଯାଇଛନ୍ତି । ବେରୋଜଗାରୀ ମୋଦି ସରକାର ସମୟରେ ୪୫ ବର୍ଷର ରେକର୍ଡ ଭାଙ୍ଗିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଏହି ଶିବିରରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡଃ ଏ ଚେଲା କୁମାର ନିଜ ଅଭିଭାଷଣରେ କହିଥିଲେ ଯେ ସାରା ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରାଯିବ। ଏବଂ ସାରା ଓଡ଼ିଶାରେ କୋଣ ଅନୁକୋଣକୁୁ କଂଗ୍ରେସ ଚିନ୍ତାଧାରାର ବାର୍ତା ପହଂଚାଯିବ। କେନ୍ଦ୍ରରେ ଦୀର୍ଘ ୮ ବର୍ଷ ଧରି ଏକ ଜନବିରୋଧି ସାଂପ୍ରଦାୟିକତା ସୃଷ୍ଟି କରୁଥିବା ଏକ ସରକାର ବିରୁଦ୍ଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଏକ ଜନବିପ୍ଳବ ସୃଷ୍ଟି କରିବ। ଠିକ୍ ସେହିପରି ଭାବରେ ଦୀର୍ଘ ୨୨ ବର୍ଷଧରି ରାଜ୍ୟର ଜଳ, ଜଙ୍ଗଲ, ଜମି ଓ ଖଣି ଲୁଟ କରିଥିବା ସରକାର ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ହେବ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର କହିଲେ ଯେ ଓଡ଼ିଶାର ସସସ୍ତ ଖଣିକୁ ରାଜ୍ୟ ସରକାର ନିଜସ୍ୱ ହାତକୁ ଯଦି ନିଅନ୍ତି ତେବେ ରାଜ୍ୟ ୧ଲକ୍ଷ ଟଙ୍କା ରାଜସ୍ୱ ପାଇବ ମାତ୍ର ଓଡ଼ିଶା ସରକାର କାହା ସ୍ୱାର୍ଥରେ ଏହା କରୁ ନାହାନ୍ତି ତାହା ଜଣା ନାହିଁ। ଭବିଷ୍ୟତ ପାଇଁ ସରକାର ଏହାପାଇଁ ବହୁମୂଲ୍ୟ ନିଶ୍ଚୟ ଦେବେ। ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଲେଯେ କଂଗ୍ରେସ ଭିତରେ ଏକତା ଏକାନ୍ତ ଆବଶ୍ୟକତା ରହିଛି। କଂଗ୍ରେସର ଶୃଙ୍ଖଳା ସବୁସ୍ତରରେ ଏକାନ୍ତ କାମ୍ୟ।

ଆମ ଭିତରେ ଥିବା କନ୍ଦଳ ଯୋଗୁଁ ଆଜି କଂଗ୍ରେସ ଦୁର୍ବଳ ହୋଇଛି। ଫଳରେ ଆମେ ବିରୋଧିଙ୍କୁ ଉପଯୁକ୍ତ ଭାବରେ ଲଢ଼ି ପାରିଲୁ ନାହିଁ। ଓଡ଼ିଶାର ଜନସାଧାରଣ ଉଭୟ ମୋଦୀ ଓ ନବୀନ ସରକାର ଉପରେ ଅତିଷ୍ଠ ହୋଇ ସାରିଛନ୍ତି । ରାଜ୍ୟର ଛାତ୍ର, ଶିକ୍ଷିତ ଯୁବକ, କୃଷକ, ସାଧାରଣ ମହିଳାଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ, ନିମ୍ନ ମଧ୍ୟବିତ, ଶ୍ରମିକ କେହି ଖୁସିରେ ନାହାଁନ୍ତି। ୨୨ ବର୍ଷ ଭିତରେ ପାହାଡ ଭଳି ପ୍ରତିଶ୍ରୁତି ଲୋକଙ୍କୁ ଦିଆଯାଇଛି, କିନ୍ତୁ ଗୋଟିଏ ହେଲେ ପ୍ରତିଶ୍ରୁତି ପାଳନ ହୋଇନାହିଁ।

ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ପଂଚାନନ କାନୁନଗୋ ଏଆଇସିସି ସଂପାଦକ ଶ୍ରୀ ରୁଦ୍ର ରାଜୁ, ଶରତ ରାଉତ, ସାଂସଦ ସପ୍ତଗିରି ଉଲ୍ଲାକା, ସସ୍ମିତା ବେହେରା, ବିଧାୟକ ସୁରେଶ କୁମାର ରାଉତରାୟ, ରାଜନ ଏକ୍କା, ଅଧିରାଜ ମୋହନ ପାଣିଗ୍ରାହି, ସନ୍ତୋଷ ସିଂ ସାଲୁଜା, ଦାଶରଥି ଗମାଙ୍ଗ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସ୍ମୃତି ଲେଙ୍କା ପ୍ରମୁଖ ଅଭିଭାଷଣରେ କହିଥିଲେ ଯେ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତା ଓ ଜନବିରୋଧି ନୀତି ନେଇ କଂଗ୍ରେସ ପ୍ରତ୍ୟେକ ପରିବାର ପାଖରେ ପଂହଚିବ ।

କଂଗ୍ରେସ ବସୁଧୈବ କୁଟୁମ୍ବକମ ନୀତିରେ ବିଶ୍ୱାସ କରେ ଆସନ୍ତା ଅଗଷ୍ଟ ୯ ଠାରୁ କଂଗ୍ରେସ ଭାରତ ଯୋଡ ଅଭିଯାନ ଆରମ୍ଭ କରିବ କରିବ । ଭାରତ ବର୍ଷକୁ ବିଭାଜନକାରୀ ସାଂପ୍ରଦାୟିକ ଶକ୍ତି କବଳରୁୂ ରକ୍ଷା କରିବା ପାଇଁ ସଂକଳ୍ପ ପାରିତ ହୋଇଛି । ଭାରତ ବର୍ଷର ସ୍ୱାଧୀନତା ପରବର୍ତୀ ପର୍ଯ୍ୟାୟରେ ଭାରତ ବର୍ଷର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲଭଭାଇ ପଟେଲ, ମୌଲାନା ଆବୁଲ କାଲାମ ଆଜାଦ, ଡ଼. ବି. ଆର ଆମ୍ବେଦକରଙ୍କ ଦୂରଦୃଷ୍ଟି ଯୋଗୁଁ ଭାରତ ବର୍ଷରେ ଏମ୍‌ସ, ଆଇଆଇଟି, ଆଇଆଇଏମ ଠାରୁ ଆରମ୍ଭ କରି ବୃହତ ନଦୀ ବନ୍ଧ ଯୋଜନା, ବୃହତ ଶିଳ୍ପ ଏବଂ ବିଦ୍ୟୁତ, ଦୁଗ୍ଧ ଉତ୍ପାଦନ କରି ସବୁଜ ବିପ୍ଳବ, ଶ୍ୱେତ ବିପ୍ଳବ ଓ ହରିତ ବିପ୍ଳବ କରିଥିଲା କିନ୍ତୁ ଆଜିର ଭାରତ ବର୍ଷରେ ଯେଉଁ ଯାତୀୟ ସଂପତି ଦେଖୁଛନ୍ତି ସେ ବୀମା କମ୍ପାନୀ ଠାରୁ ଆରମ୍ଭ କରି ରେଳପଥ, ବିମାନବନ୍ଦର, ବ୍ୟାଙ୍କ, ବିଏସନେଲ ଆଜି ଏହି ଅପାରଗ ସରକାର ବିକ୍ରୀ କରିଚାଲିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କୁ କଂଗ୍ରେସର କଡା ସମାଲୋଚନା, କହିଲେ ଏପରି କଥା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବାରମ୍ବାର କୁହନ୍ତି ଆଇନ୍ ତା’ ବାଟରେ ଯିବ । କିନ୍ତୁ ଆଇନ ନା ତା’ ବାଟରେ ଯାଉଛି ନା ଅପରାଧିମାନଙ୍କୁ ଧରିବା ବାଟରେ ଯାଉଛି । ରାଜ୍ୟରେ ସଂଗଠିତ ହେଉଥିବା ଅପରାଧିଗୁଡ଼ିକରେ ଶାସକ ବିଜୁ ଜନତା ଦଳର ନେତା, ମନ୍ତ୍ରୀମାନଙ୍କର ସମ୍ପ୍ରତି ଯୋଗୁଁ ଆଇନ ରାଜ୍ୟରେ ସଂପୂର୍ଣ୍ଣ ଭାବେ ଅବଟାରେ ଯାଉଛି ବୋଲି ବିଜୁ ଜନତା ଦଳ ଓ ସରକାରଙ୍କୁ କଡ଼ା ଟାର୍ଗେଟ କରିଛି କଂଗ୍ରେସ ।

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା’ ବାଟରେ ଯିବ ବୋଲି କହନ୍ତି । କେବଳ ମୁଖ୍ୟମନ୍ତ୍ରୀ ନୁହେଁ, ବିଜୁ ଜନତା ଦଳର ବରିଷ୍ଠ ନେତା ମନ୍ତ୍ରୀ ଓ ସାଧାରଣ ସଦସ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଏହି ଉକ୍ତିକୁ ବହୁଳ ଭାବରେ ପ୍ରଚାର ଓ ପ୍ରସାର କରନ୍ତି ।

ବୋଧହୁଏ ଶାସକ ବିଜୁ ଜନତା ଦଳର ନେତା, ମନ୍ତ୍ରୀମାନେ ଭାବନ୍ତି ଯେ, ଆଇନ୍ ତା’ ବାଟରେ ପଳେଇବ କିନ୍ତୁ ସେଥିପାଇଁ ବିଜୁ ଜନତା ଦଳର ନେତା, କର୍ମୀମାନେ ଅପରାଧ କରିବାକୁ ପଛଉନାହାଁନ୍ତି । ଅପରାଧ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ପୁଲିସ୍ ପ୍ରଶାସନ ଏହି ଶାସକ ଦଳ ସମର୍ଥିତ ଗୁଣ୍ଡାମାନଙ୍କର ସମର୍ଥକ ହୋଇଥିବା ସେ ଅଭିଯୋଗ କରିଥିଲେ ।

ରାଜ୍ୟ ସରକାର ମାନ୍ୟବର ସୁପ୍ରିମ୍‌କୋର୍ଟରେ ଆଫିଡେବିଟ୍ ଦେଇ ପରୋକ୍ଷରେ ସ୍ୱୀକାର କରିଛନ୍ତି ନାରୀ ନିର୍ଯ୍ୟାତନା, ଧର୍ଷଣ, ହତ୍ୟା ଓ ନାବାଳିକା ନିର୍ଯ୍ୟାତନାରେ ଓଡ଼ିଶା ଦେଶରେ ସର୍ବାଗ୍ରେ । ନାରୀ ନିର୍ଯ୍ୟାତନାରେ ଅପବାଦ ମୁଣ୍ଡାଇଥିବା ଓଡ଼ିଶା ଯୋଗୁଁ ବୋଧହୁଏ ରାଜ୍ୟ ସରକାର ନାରୀ ପ୍ରତି ହେଉଥିବା ନିର୍ଯ୍ୟାତନା ମାମଲାରେ କେସ୍ ଦରଦ ନ କରିବାକୁ ପୁଲିସ୍ ପ୍ରଶାସନକୁ ଅଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ରାଜ୍ୟର ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଲିସ୍ ଏତଲାକୁ ଦରଜ କରିନଥିଲା ।

ଅନ୍ୟପଟେ ଶାସକ ଦଳର ବିଧାୟକଙ୍କ ବିରୋଧି ଯୌନ ଶୋଷଣ ମାମଲା ଭୁବନେଶ୍ୱର ଖଣ୍ଡଗିରି ଥାନାରେ ପଞ୍ଜିକୃତ ହୋଇପାରୁନାହିଁ । ମାନ୍ୟବର ସୁପ୍ରିମ୍‌କୋର୍ଟ ସ୍ପଷ୍ଟଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ସଙ୍ଗିନ୍ ଦଫା ମାମଲାରେ ପୁଲିସ୍ ଏତଲା ପଞ୍ଜିକରଣ କରିବାକୁ ବାଧ୍ୟ । କିନ୍ତୁ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଧର୍ଷଣ, ହତ୍ୟା, ମହିଳା ଓ ଶିଶୁ ନିର୍ଯ୍ୟାତନା, ଅପହରଣ ମାମଲାରେ ମଧ୍ୟ ପୁଲିସ୍ ଜାଣିଶୁଣି ଅଭିଯୋଗଗୁଡ଼ିକର ପଞ୍ଜିକରଣ କରୁନାହିଁ, ଯାହା ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶନାମାର ଖୋଲା ଉଲଘଂନ ଏବଂ ପୁଲିସର ଏତାଦୃଶ ମନୋଭାବ ଜାରି ରହିଲେ ରାଜ୍ୟରେ ମହିଳା ଓ ନାବାଳିକାମାନେ ସୁରକ୍ଷିତ ନୁହଁନ୍ତି ।

ଯେଉଁଥିପାଇଁ ଅସନ୍ତୋଷସ୍ୱରୂପ ରାଜ୍ୟରେ ବି.ଜେ.ଡ଼ି ସେ ବେଟି ବଚାଓ ଭଳି ସ୍ଲୋଗାନ ଆରମ୍ଭ ହୋଇଗଲାଣି । ମହିଳା ସଶକ୍ତିକରଣର ନାରା ଦେଉଥିବା ରାଜ୍ୟ ସରକାର ପ୍ରକୃତରେ ମହିଳାଙ୍କୁ ଶୋଷଣ କରୁଛି । ମମିତା, ମାଧବୀଲତା, ଇତିଶ୍ରୀ, କୁନ୍ଦୁଲି, ବେବିନା ଭଳି ବହୁ ଯୁବତୀଙ୍କୁ ହତ୍ୟା କରାଯାଉଛି ଏବଂ ଏ ଘଟଣାର ହତ୍ୟାକାରୀମାନେ ଆଇନର ପରିଧି ଭିତରେ ଆସୁନାହାନ୍ତି ।

ପ୍ରତ୍ୟେକ ଅପରାଧି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀମାନଙ୍କ ଉପରେ ଶାସକ ବିଜୁ ଜନତା ଦଳର ନେତାମନ୍ତ୍ରୀ, ପ୍ରଶାସନ ଓ ପୁଲିସ୍‌ର ପ୍ରସନ୍ନ ଆର୍ଶିବାଦ ଥିବା ଭଳି ମନେ ହେଉଛି । ଅପରାଧିଙ୍କୁ ଦଣ୍ଡିତ କରିବାକୁ ଗଠିତ ହେଉଥିବା ଏ ବ୍ୟବସ୍ଥାର ଅବ୍ୟବସ୍ଥା ଯୋଗୁଁ ଆମ ପୂର୍ବ ପୁରୁଷମାନେ ଦୁଃଖିତ ହେଉଥିବେ । ଏହି ସମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଓ ମୁଖପାତ୍ର ମନୋରଞ୍ଜନ ଦାସ ଓ ଅମିୟ ପାଣ୍ଡବ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଆସିଲା ଡାକରା, ବାହାରି ପଡିଲେଣି ସୁର ରାଉତରାୟ

ଭୁବନେଶ୍ବର : ଆସନ୍ତା 9 ତାରିଖରେ ଦଳର ସମସ୍ତ ବିଧାୟକମାନେ ଦିଲ୍ଲୀରେ ହାଜର ହୁଅ। ଏହିପରି ଏକ ନିର୍ଦ୍ଦେଶ ଦେଇଛି ଏଆଇସିସି। ଫଳରେ କଂଗ୍ରେସ ବିଧାୟକମାନେ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରୁଥିବାର ଜଣାପଡିଛି। ଏ ନେଇ ସୂଚନା ଦେଇଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଏଥିରେ କୁହାଯାଇଛି ଯେ, ରାହୁଲ ଗାନ୍ଧୀ ସବୁ ବିଧାୟକଙ୍କୁ ଭେଟି ଆଲୋଚନା କରିବେ।

ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। କାରଣ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। ଫଳରେ ପରବର୍ତ୍ତି ସଭାପତି କିଏ ହେବ ସେ ନେଇ ଚାଲିଛି ଆଲୋଚନା। ଏହିପରି ଏକ ସ୍ଥିତିରେ ବିଧାୟକଙ୍କୁ ଦିଲ୍ଲୀ ଡକରା ଏହି ଚର୍ଚ୍ଚାକୁ ଆହୁରି ଜୋର କରିଛି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନକୁ ନେଇ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଏପରି କଥା

ଭୁବନେଶ୍ୱର: ଆମେ ସ୍ୱାଧୀନତାର ୭୫ ବର୍ଷର ଅମୃତ ମହୋତ୍ସବ ପାଳନ କରୁଥିଲା ବେଳେ ଆଜି ଆମ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା କିଭଳି ଚାଲିଛି ତାହା ଆଜି ଏକ ବଡ଼ପ୍ରଶ୍ନବାଚୀ ହୋଇପଡିଛି ବୋଲି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅତି କ୍ଷୋଭର ସହିତ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ମହାତ୍ମା ଗାନ୍ଧୀଙ୍କର ଭାରତ ବର୍ଷରେ ଆଜି ଯେଉଁଭଳି ଭାବରେ ହିଂସା, ଦ୍ୱେଷ, ଘୃଣା, ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀ ନିର୍ଯ୍ୟାତନା ହୁ ହୁ ହୋଇ ବଢ଼ିଚାଲିଛି, ତଦ୍ୱାରା ମହାତ୍ମା ଗାନ୍ଧୀ, ନେହେରୁ, ପଟେଲ ଇତ୍ୟାଦି ମହାମନିଷଙ୍କର ସ୍ୱପ୍ନକୁ ଯେ ଆମେ ପ୍ରତିଦିନ କୁଠାରଘାତ କରୁଛୁ,ଏହା ମୋତେ ବ୍ୟକ୍ତିଗତ ଭାବେ ବହୁ ବ୍ୟଥିତ କରୁଛି ।

ଆମେ ସମସ୍ତେ ଯେଉଁମାନେ ରାଜନୀତି କରୁଛୁ, ଏବଂ ସାଧାରଣ ଜୀବନରେ ଅଛୁ, ସେମାନଙ୍କର ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ବିନା ଏଭଳି ଦୁର୍ନୀତି, ହିଂସା, ଭ୍ରଷ୍ଟାଚାର ବୃଦ୍ଧି ସମ୍ଭବ ହୋଇପାରିବ ନାହିଁ । ଏ ରାଜ୍ୟରେ ୨୨ ବର୍ଷର ବିଜେଡ଼ି ସରକାର କେବଳ ଲୋକମାନଙ୍କୁ ପ୍ରତିଶ୍ରୁତି ଓ ପ୍ରତାରଣାଛଡ଼ା ସାଧାରଣ ଜନତାଙ୍କର ସମସ୍ୟାକୁ ଦୂର କରିବାରେ ଅସମର୍ଥ ହୋଇଛି ।

ପ୍ରଥମଥର ପାଇଁ ଭାରତ ବର୍ଷ ଏଭଳି ଏକ ପ୍ରଧାନମନ୍ତ୍ରୀ ପାଇଛି ଯାହାଙ୍କର ପ୍ରତିଦିନର ମୁଖ୍ୟ କାମ ହେଉଛି ମିଛ କହିବା ଏବଂ ମିଛକୁ ସତରେ ପରିଣତ କରିବା ପାଇଁ ଗଣମାଧ୍ୟମକୁ ଅସ୍ତ୍ରରୂପେ ବ୍ୟବହାର କରିବା । ଶ୍ରୀ ପଟ୍ଟନାୟକ ସୋର ବିଜେଡ଼ି ବିଧାୟକ ପର୍ଶୁରାମ ଧଡ଼ାଙ୍କ ହିଂସା ଓ ଗୁଣ୍ଡାଗିରି କଥା ଉଠାଇଲେ । ସୋରରେ ଜଣେ ବୟସ୍କ ପୂର୍ବତନ ବିଧାୟକ ବର୍ତମାନର ବିଜେଡ଼ି ବିଧାୟକଙ୍କୁ ପଂଚାୟତକୁ ଆସିଥିବା ଅର୍ଥ ବାବଦରେ ପ୍ରଶ୍ନଟିଏ ପଚାରିଥିଲେ । ଏକ ପ୍ରଶ୍ନ ପଚାରିବା କ’ଣ ବଡ଼ ଅପରାଧକି? ଏଥିଯୋଗୁଁ ବିଜେଡ଼ି ବିଧାୟକ ପୂର୍ବତନ ବିଧାୟକଙ୍କୁ ମାରିବା ଓ ତାଙ୍କୁ ଅପମାନିତ କରିବା ଆମ ଗଣତନ୍ତ୍ର ପ୍ରତି ଉପହାସ କି ନାହିଁ?

ସୁବ୍ରତ ବାଗଚି ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀଙ୍କୁ ଶ୍ରୀ ପ୍ରଶଂସା କରି କହିଲେ ଯେ ସେମାନେ ତାଙ୍କଦ୍ୱାରା ଅର୍ଜିତ ଅର୍ଥକୁ କିଭଳି ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବାପାଇଁ ସେ ଚେଷ୍ଟିତ । ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି ଯଦି ଏ ରାଜ୍ୟର ଶାସନ ବ୍ୟବସ୍ଥା ସ୍ୱଚ୍ଛ ତାହାହେଲ ଅଙ୍ଗନୱାଡ଼ି କର୍ମଚାରୀ, କନେଷ୍ଟବଳ, କିରାଣୀ ଓ ଏମାନଙ୍କ ପାଖରୁ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସଂପତି ଆସୁଛି କେଉଁଠୁ? ଯଦି ଏମାନଙ୍କ ପାଖରୁ ଏତେ ଟଙ୍କା ବାହାରୁଛି ତାହାହେଲେ ୨୨ ବର୍ଷର ସରକାରଙ୍କର ଏମଏଲଏ, ମନ୍ତ୍ରୀ ଓ ଦଳର ବିଭିନ୍ନ ଛାମୁଆ ତଥା ବଡ଼ ବଡ଼ ବାବୁମାନଙ୍କ ପାଖରେ କେତେ ଶହ କୋଟି ଟଙ୍କା ଅଛି । ଏସବୁର ହିସାବ ନବୀନ ବାବୁ ୨୨ ବର୍ଷଭିତରେ ଥରୁଟିଏ ଦେଲେ ନାହିଁ ।

ପରିବର୍ତନ ଆପେ ଆପେ ଆସେ ନାହିଁ ଜନସାଧାରଣଙ୍କ ଦ୍ୱାରା ପରିବର୍ତନ ହିଁ ଆସେ। ତେଣୁ ଓଡ଼ିଶାର ଚାରି କୋଟି ୫୦ଲକ୍ଷ ଭାଗ୍ୟ ବିଧାତାଙ୍କୁ ମୋର ବିନମ୍ର ନିବେଦନ ଓ ଅନୁରୋଧ ଆପଣ ଏକ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଚାର କରି ଆସନ୍ତା ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନିର୍ବାଚିତ କରନ୍ତୁ । ଲୋକ ଅନୁଭବ କଲେଣି ପରିବର୍ତନ ଏକାନ୍ତ ଆବଶ୍ୟକ । ଆପଣମାନେ ପରିବର୍ତନର ବାହାକ ହୁଅନ୍ତୁ, ପରିବର୍ତନ ଅପରିହାର୍ଯ୍ୟ ।

ଲୋକ ବୁଝିଥିଲେ କଂଗ୍ରେସ ଭଲ ଭୋଟ ପାଇବ ଦୁର୍ନୀତି, ଭ୍ରଷ୍ଟାଚାର, ବାହୁବଳ ଓ ଅର୍ଥବଳ, ହିଂସା ଓ ନିର୍ଯ୍ୟାତନାକୁ ଯଦି ଆମେ ପୃଷ୍ଠପୋଷକତା କରିବୁ ଆମ ଗଣତନ୍ତ୍ର ନିଶ୍ଚୟ ଅଧିକରୁ ଅଧିକ ନିମ୍ନଗାମୀ ହେବ । ରାଜ୍ୟରେ ଓବିସିିସି ମାନଙ୍କୁ ନେଇ ଉଭୟ ରାଜନୈତିକ ଦଳ ବହୁତ କୁମ୍ଭୀର କାନ୍ଦଣା କାନ୍ଦନ୍ତି କିନ୍ତୁ ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତାଙ୍କର ହକ୍‌କୁ ରାଜ୍ୟ ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ଦେବାରେ ବିଫଳ ।

କିନ୍ତୁ ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସ ୪୪.୭୮ ପ୍ରତିଶତ ଓବିସି ବର୍ଗରୁ ପ୍ରାର୍ଥୀ ଦେଇଛି । ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଆମେ ସମସ୍ତେ ରାଜନୀତି କରିବା ଉଚିତ ବୋଲି ଉପଦେଶ ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ, ପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ, ପିସିସି ମୁଖପାତ୍ର ରଜନୀ ମହାନ୍ତି, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବିଧାୟକ କାଙ୍ଗାଳି ପଣ୍ଡାଙ୍କ ବିୟୋଗ, ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର: ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା କାଙ୍ଗାଳି ପଣ୍ଡାଙ୍କ ଆଜି ପରଲୋକ ହୋଇଯାଇଛି।  କାଙ୍ଗାଳିବାବୁ ଜଣେ ସ୍ପଷ୍ଟବାଦୀ, ଗାନ୍ଧୀବାଦୀ ନେତାଭାବେ ପରିଚିତ ଥିଲେ । ସେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବହୁ ଜନମଙ୍ଗଳ କାର୍ଯ୍ୟ କରିଛନ୍ତି। ସେ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ସେ ବେଶ ପରିଚିତ ଥିଲେ।

କାଙ୍ଗାଳି ଚରଣ ପଣ୍ଡାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି ଯେ କାଙ୍ଗାଳି ବାବୁ ଦୀର୍ଘଦିନ ଧରି କଂଗ୍ରେସ ଦଳରେ ରହି ସଂଗଠନକୁ ସୁଦୃଢ଼ କରିବାପାଇଁ ସଦାସର୍ବଦା ଚେଷ୍ଟା ଜାରି ରଖିଥିଲେ । କାଙ୍ଗାଳି ବାବୁଙ୍କ ବିୟୋଗ ରାଜ୍ୟ ରାଜନୀତିରେ ବିଶେଷ କରି କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି । ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ୨୯ ନଂ ଜୋନରେ କଂଗ୍ରେସର ମାରାଥନ ପ୍ରଚାର

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୨୯ ନଂ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସର ମାରାଥନ ପ୍ରଚାର କରାଯାଇଛି । ଉକ୍ତ ଜୋନର କଂଗ୍ରେସ ପ୍ରାର୍ଥୀ ପ୍ରଶନ୍ନ ଦାସ ସପକ୍ଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ କୋରଡ଼କଂଟା ଗ୍ରାମରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ବିଜେପି ଓ ବିଜେଡ଼ିର କଳା ଶାସନ ବିରୋଧରେ ଘରକୁ ଘର ଯାଇ ଜନସାଧାରଣଙ୍କୁ କହିବା ସହ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦେଇ ସ୍ୱଚ୍ଛ ନିର୍ମଳ ଶାସନ ଆଣିବା ପାଇଁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟୀକା ପ୍ରାର୍ଥିନୀ ରଶ୍ମି ମହାପାତ୍ର, ପିସିସି ମୁଖପାତ୍ର ରଜନୀ ମହାନ୍ତି, ବ୍ଲକ ସଭାପତି ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ବେଣୁଧର ପାତ୍ର, ଉପସଭାନେତ୍ରୀ ଶୁଭଦ୍ରା ମିଶ୍ର, ବରିଷ୍ଠ କଂଗ୍ରେସ ନେତା ମୋହନ ଗାନ୍ଧୀ, କ୍ଷୀରୋଦ ବେହେରା, ସରୋଜ ମହାନ୍ତି, ଦେବୀପ୍ରସାଦ ସ୍ୱାଇଁ, ସେକ ତାକୁୱିନ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପଂଚାୟତ ନିର୍ବାଚନରେ ଆଦିବାସୀ ସଂରକ୍ଷଣରେ ସରକାର ଚଞ୍ଚକତା କରିଛନ୍ତି,କଂଗ୍ରେସର ଅଭିଯୋଗ

ଭୁବନେଶ୍ୱର: ରାଜ୍ୟ ସରକାର ଆଗାମୀ ପଂଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷଣରେ ଚଂଚକତା କରିଛନ୍ତି। ଏପରିକି ସମ୍ବିଧାନ ଏବଂ ଆଇନ୍‌କୁ ମଧ୍ୟ ଅଣଦେଖା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରାଜ୍ୟରେ ଆଦିବାସୀମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୨୨.୫ ଶତାଂଶ ଥିବା ବେଳେ ସେମାନଙ୍କୁ ୨୩ ଟି ଜିଲ୍ଳା ଓ ୧୯୫ଟି ବ୍ଲକରେ ସରପଂଚ ଏବଂ ସମିତି ଅଧ୍ୟକ୍ଷ ପଦରେ ସଂରକ୍ଷଣ ନଦେବା ସରକାରଙ୍କର ଆଦିବାସୀମାନଙ୍କ ପ୍ରତି ବୈମାତୃକ ମନୋଭାବର ପରିଚାୟକ ବୋଲି କଂଗ୍ରେସ କହିଛି।

ଆଦିବାସୀମାନଙ୍କୁ ସଂରକ୍ଷଣ ଦେବା କ୍ଷେତ୍ରରେ ଯେଉଁ ତାଲିକା ବିଭିନ୍ନ ଜିଲ୍ଲାମାନଙ୍କରେ ପ୍ରକାଶ ପାଇଛି ସେଥିରେ ଅସଂଗତି ରହିଛି ଏବଂ ଅନେକ ପଂଚାୟତ ଓ ବ୍ଲକ ଆଦିବାସୀ ଜନସଂଖ୍ୟା ବହୁଳ ଥିବା ବେଳେ ସେମାନଙ୍କୁ ସଂରକ୍ଷଣର ସୁଯୋଗ ଦିଆଯାଇ ନାହିଁ । ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ମାନଙ୍କର ମେଳି ଓ ଆନ୍ଦୋଳନ ଦେଖାଦେଇଛି ।

କଂଗ୍ରେସ ସେମାନଙ୍କର ଆନ୍ଦୋଳନକୁ ସମର୍ଥନ କରିବା ସହିତ ରାଜ୍ୟ ସରକାର ତୁରନ୍ତ ଆଦିବାସୀ ମାନଙ୍କର ସଂରକ୍ଷଣ କ୍ଷେତ୍ରରେ ସଂଶୋଧିତ ତାଲିକା ପ୍ରକାଶ କରି ନିର୍ବାଚନକୁ ଯାଆନ୍ତୁ ବୋଲି କଂଗ୍ରେସ ଦାବି କରିଛି । ତାହା ନହେଲେ ଆଦିବାସୀ ମାନେ ସେମାନଙ୍କର ସାମ୍ବିଧାନିକ ଓ ଆଇନଗତ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ପିସିସି ଆଦିବାସୀ ସେଲର ଅଧ୍ୟକ୍ଷ ଭୁଜବଳ ମାଝୀ ଚେତାବନୀ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବିବାଦୀୟ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଦାବୀ କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର : ମହିଳାଙ୍କୁ ସମ୍ମାନ ଓ ମୋ ପରିବାର ସ୍ଲୋଗାନ ଦେଉଥିବା ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁ କିଭଳି ବିବାଦୀୟ ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ପ୍ରଶ୍ନ କରିଛି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା, ଉପସଭାପତି ତଥା ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ ଏହି ଦାବୀ କରିଛନ୍ତି।

ରାଜ୍ୟର ଜଣେ ମନ୍ତ୍ରୀ ଯେପରି ମହିଳାମାନଙ୍କ ସମ୍ମୁଖରେ ଓ ମହିଳାମାନଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଶବ୍ଦ ପ୍ରୟୋଗ କରୁଥିବାର ଭିଡିଓ ଭାଇରାଲ ହୋଇଛି ସେ ସମ୍ପର୍କରେ ଦଳ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ନୀରବତା କାହିଁକି ବୋଲି ପ୍ରଶ୍ନ ପଚାରିଛନ୍ତି । ଏହା ପୂର୍ବରୁ ସଂପୃକ୍ତ ମନ୍ତ୍ରୀ ଯିଏକି ପୂର୍ତ, ପଂଚାୟତରାଜ ଓ ଆଇନ ବିଭାଗ ପରି ଦାୟୀତ୍ୱରେ ରହିଛନ୍ତି । ସିଏ କିପରି ବହୁଚର୍ଚ୍ଚିତ ମାହାଙ୍ଗା ଡର୍ବଲ ମର୍ଡର ଘଟଣାରେ ନିଜ ନାମକୁ ଚାର୍ଜସିଟ୍‌ରୁ ବାଦ ଦେବାପରେ କୋର୍ଟ ଦ୍ୱାରା ଭର୍ତ୍ସିତ ହୋଇଥିଲେ ତାହାର ଉଦାହରଣ ଦେଇ ଏହା କ’ଣ ବହୁ ପ୍ରଚାରିତ ୫-ଟି ର ସ୍ୱଚ୍ଛତା ବୋଲି ଜାଣିବାକୁ ଚାହିଁଥିଲେ।

ସଂପୃକ୍ତ ମନ୍ତ୍ରୀ ନିଜ ଆଡ଼ୁ ଇସ୍ତଫା ଦେବା ଉଚିତ୍ ନଚେତ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ସେ ଦାବି କରିଛନ୍ତି। ବାଙ୍କୀର ପୂର୍ବତନ ବିଧାୟକ ମଧ୍ୟ ନୂଆବର୍ଷରେ ନାରୀମାନଙ୍କୁ କିଭଳି ବ୍ୟବହାର କରିଛନ୍ତି ତାହା ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଛି। ନବୀନ ବାବୁ ଏସବୁ ଜାଣିପାରୁଛନ୍ତି କି ନାହିଁ, ପଚାରିବା ସହ ଯଦି ଜାଣିମଧ୍ୟ ନୀରବ ରହୁଛନ୍ତି ତାର ଫଳାଫଳ ଭୋଗିବାକୁ ସେ ପ୍ରସ୍ତୁତ ରୁହନ୍ତି ବୋଲି ଚେତାବନୀ ଦେଇଥିଲେ ।

ରାଜ୍ୟପାଳ ମଧ୍ୟ ଏ ଘଟଣାରେ ହସ୍ତକ୍ଷେପ କରିବା ସହ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଡ. ପଟ୍ଟନାୟକ ଦାବିକରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମନୋରଞ୍ଜନ ଦାଶ, ଅମିୟ ପାଣ୍ଡବ ଏବଂ ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମେ ସଂରକ୍ଷଣ ଓ ପରେ ନିର୍ବାଚନ ଦାବୀ କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ଶ୍ରୀ ସନ୍ତୋଷ ସିଂ ସାଲୁଜା, ବିଧାୟକ, ଶ୍ରୀ ଜ୍ଞାନଦେବ ବେଉରା, ଅଧ୍ୟକ୍ଷ ପଛୁଆ ବର୍ଗ ବିଭାଗ ପ୍ରଦେଶ କଂଗ୍ରେସ କମିଟି ଓ ଶ୍ରୀ ଚିନ୍ମୟ ସୁନ୍ଦର ଦାସ ଆଜି ଲୋକସଭା ଭବନରେ ପଂଚାୟତରାଜ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଭେଟି ଓଡ଼ିଶାରେ ଆଗାମୀ ପଂଚାୟତ ନିର୍ବାଚନରେ ପଛୁଆବର୍ଗମାନଙ୍କ ପାଇଁ ଉଚ୍ଛେଦ କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ପୂନଃ କାଏମ କରିବାପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

କଂଗ୍ରେସ ଦଳ ତରଫରୁ ପ୍ରଥମେ ସଂରକ୍ଷଣ ଓ ପରେ ନିର୍ବାଚନ ଦାବିକୁ ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି । ଏହି ଦାବିପତ୍ର ଗ୍ରହଣ କରି ପ୍ରମୁଖ ଶାସନ ସଚିବ, ଏହାଉପରେ ସରକାର ତର୍ଜମା କରିବା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ଦଳ ତରଫରୁ ପ୍ରଦାନ କରାଯାଇଥିବା ଦାବି ପତ୍ରକୁ ସରକାର ବିଚାରକୁ ନନେଲେ କଂଗ୍ରେସ ଦଳ ଖୁବଶୀଘ୍ର ନ୍ୟାୟଳୟକୁ ଯିବାପାଇଁ ନିଷ୍ପତି ନେଇଥିବା ପ୍ରକାଶ ।

Categories
ଆଞ୍ଚଳିକ

ପ୍ରଦେଶ କଂଗ୍ରେସ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଉତ୍ସବ ପାଳିତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ ମାଷ୍ଟରକ୍ୟାଂଟିନ୍ ଛକ ସ୍ଥିତ ପଣ୍ଡିତ ନେହେରୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନ ପରିସରରେ ନେହେରୁଙ୍କ ପ୍ରତିମୂର୍ତିରେ ପିସିସି ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଯଜେ୍ଞଶ୍ୱର ବାବୁ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ପଦ୍ମାକର ଗୁରୁ, ହଳଧର ସେଠୀ, ଜ୍ୟୋତିଷ ସାହୁ, ସ୍ୱାଧୀନବାଳା ଦାସ, ରଜନୀ ମହାନ୍ତି, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ଅଭିଶେକ ମହାନନ୍ଦ, ରାଜକିଶୋର ବାରିକ, ଭାସ୍କର ସେଠୀ, ସଂଜୟ ମିଶ୍ର, ସଂକୁନା କହଁର, ମନୋରଞ୍ଜନ ରାଉତରାୟ, ଜୟକୃଷ୍ଣ ସୁବୁଦ୍ଧି, ଖଗେଶ୍ୱର ମଲ୍ଲିକ, ମିହିର ଆଚାର୍ଯ୍ୟ, ରଞ୍ଜିତ ପାତ୍ର, ନଳିନୀକାନ୍ତ ନାୟକ, ଦେବେନ୍ଦ୍ର ପ୍ରସାଦ ଦାସ, ଦେବୀ ପ୍ରସାଦ ସେଠୀ, ସୁବାଷ ପ୍ରଧାନ, ମୁନି ଥାପ୍ପା, ବିଂରଚି ବାରିକ, କୁଳମଣି ସାହୁ, ମିତ୍ରଭାନୁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନେହେରୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବନ୍ଦ ଡାକରାକୁ ବିଜେଡିର ବିରୋଧ, ବିଜେପିର ଇସାରରେ କଂଗ୍ରେସ ନାଚୁଛି ବୋଲି କଲେ ସମାଲୋଚନା

ଭୁବନେଶ୍ୱର : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବୀ କରି ଓଡିଶା ବନ୍ଦ ଡାକରା ଦେଇଥିବା ପ୍ରଦେଶ କଂଗ୍ରେସକୁ କଡା ସମାଲୋଚନା କରିଛି ବିଜେଡି। କଂଗ୍ରେସ ବିଜେପିର ବି ଟିମ ଭାବେ କାର୍ଯ୍ୟ କରୁଛି ଏବଂ ତାଙ୍କ ଇସାରାରେ ନାଚୁଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ସେ କହିଛନ୍ତି ଯେ, ବିଗତ ଦୁଇ ବର୍ଷ ମଧ୍ୟରେ କୋଭିଡ ମହାମାରୀ ଲୋକଙ୍କ ଜୀବନ ଏବଂ ଜୀବିକାକୁ ନଷ୍ଟ କରିଦେଲା । କୋଟି କୋଟି ଚାକିରୀ ଚାଲିଗଲା ଏବଂ ଅର୍ଥନୀତି ପଛେଇ ଗଲା । ଲକଡାଉନ ପରେ ଗତ କିଛି ମାସ ହେଲା ଓଡିଶାର ଲୋକମାନେ ନିଜ ପାଦରେ ଛିଡାହୋଇଛନ୍ତି ଓ କାମକୁ ଫେରିଛନ୍ତି । ସେମାନେ କାମ ଚାହୁଁଛନ୍ତି ଏବଂ କୋଭିଡ କାରଣରୁ ହରାଇଥିବା ଜୀବିକାର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ବନ୍ଦ ଡାକରା ଯୋଗୁଁ ରୋଜଗାର ହରାଉଥିବା ଲୋକେ କଂଗ୍ରେସକୁ କ୍ଷମା କରିବେ ନାହିଁ ବୋଲି ସସ୍ମିତ କହିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଆସନ୍ତାକାଲି ଓଡିଶା କଂଗ୍ରେସ ଏକ ବନ୍ଦ ଡାକରା ଦେଇଛି ଯାହା ଦ୍ୱାରା ଓଡିଶାର ୪.୫ କୋଟି ଲୋକଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପଡିଛି। ପରିବାର ଏକ ରୋଜଗାରିଆ ବଢିଲା ଝିଅକୁ ହରାଇଛି ଏବଂ ଏହି ଘଟଣାରେ ଆମେ ସମସ୍ତେ ଅତ୍ୟନ୍ତ ଦୁଃଖିତ । ଏହି ମାମଲାକୁ ରାଜନୀତିକରଣ ନ କରିବାକୁ ପରିବାର ଲୋକେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଏବଂ ତଦନ୍ତରେ ସେମାନେ ସନ୍ତୁଷ୍ଟ ଅଛନ୍ତି ।

ତଥାପି କଂଗ୍ରେସ ଏହି ମାମଲାରେ ହୀନ ରାଜନୀତି କରିବାକୁ ଓଡିଶା ବିଜେପି ସହ ହାତ ମିଳାଇଥିବା ଜଣାପଡିଛି । ଏହି ପ୍ରସଙ୍ଗରେ ଯଦି ଓଡିଶା କଂଗ୍ରେସ ନିକଟରେ କୌଣସି ପ୍ରମାଣ ଅଛି, ସେମାନେ କୋର୍ଟ ଯାଇ ନ୍ୟାୟ ଲୋଡିପାରିବେ, କିନ୍ତୁ ଏହା ବଦଳରେ ବନ୍ଦ ଡାକରା ଦେବା ଅତ୍ୟନ୍ତ ନିଷ୍ଠୁର ଆଚରଣ ।

ଏଥିରୁ ସ୍ପଷ୍ଟ ହୋଇଛି ଯେ ଓଡିଶା କଂଗ୍ରେସ ବର୍ତ୍ତମାନ ଓଡିଶା ବିଜେପିର ବି-ଟିମ୍ ଭାବେ କାର୍ଯ୍ୟ କରୁଛି । ଏହାର ଦୁର୍ବଳ ଆର୍ଥିକ ସ୍ଥିତି ହେତୁ ଓଡିଶା କଂଗ୍ରେସର କାର୍ଯ୍ୟକଳାପ ଓଡିଶା ବିଜେପିରୁ ଆର୍ଥିକ ସହାୟତା ପାଉଥିବା ଭଳି ଜଣାପଡୁଛି । ଯେକୌଣସି ପୃଷ୍ଠପୋଷକତା ବିନା ସର୍ତ୍ତରେ ଯେ ନୁହେଁ ତାହା ଆମେ ସମସ୍ତେ ଜାଣିଛେ । ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡିଶା କଂଗ୍ରେସ ଓଡ଼ିଶା ବିଜେପିର ଇସାରାରେ ନାଚୁଛି ।

ଓଡ଼ିଶା କଂଗ୍ରେସ ଆଉ ଲୋକଙ୍କ ପ୍ରସଙ୍ଗ ଯେପରିକି ମୂଲ୍ୟ ବୃଦ୍ଧି, ବେକାରୀ, କୃଷକ ଆନ୍ଦୋଳନ ଇତ୍ୟାଦି ଉଠାଇବାକୁ ଚାହୁଁନାହିଁ । ଓଡିଶା ବିଜେପି ଯାହା କରିବାକୁ କହୁଛି ତାହା ଏମାନେ କରୁଛନ୍ତି । ସେମାନଙ୍କର ଉଦ୍ଦେଶ୍ୟ ପୀଡିତାଙ୍କ ପାଇଁ ନ୍ୟାୟ ନୁହେଁ ବରଂ ସେମାନଙ୍କ ଦଳ ପ୍ରାସଙ୍ଗିକ ରହିବା ସହିତ ଓଡିଶା ବିଜେପିର ଭଲ ନଜରରେ ରହିବ ଯାହା ଦ୍ୱାରା ଏହା ଓଡିଶା କଂଗ୍ରେସକୁ ସହାୟତା ମିଳିପାରିବ ବୋଲି ଡକ୍ଟର ପାତ୍ର କହିଛନ୍ତି ।

ଆମେ ଓଡିଶା କଂଗ୍ରେସକୁ ଅନୁରୋଧ କରୁଛୁ ଯେ ଓଡିଶା ବିଜେପିର ଏକ ବି-ଟିମ୍ ଭାବରେ ନ ରୁହନ୍ତୁ ଏବଂ ଆସନ୍ତାକାଲି ଦେଇଥିବା ବନ୍ଦ ଡାକରାକୁ ପ୍ରତ୍ୟାହାର କରନ୍ତୁ । ଓଡ଼ିଶାର ଲୋକମାନେ ବନ୍ଦ ଚାହାନ୍ତି ନାହିଁ । ସେମାନେ କାମକୁ ଯାଇ ନିଜର ରୋଜଗାର କରିବାକୁ ଚାହୁଁଛନ୍ତି । ଓଡ଼ିଶା କଂଗ୍ରେସ ଓଡ଼ିଶାର ଲୋକଙ୍କୁ ରୋଜଗାର କରିବାର ଅଧିକାରରୁ ବଞ୍ଚିତ କରିବା ଉଚିତ ନୁହେଁ । ରୋଜଗାର ହରାଇବା ଦ୍ୱାରା ଓଡିଶାବାସୀଙ୍କ ଜୀବନ ଦୁର୍ବିସହ ହେବ ଯେଉଁଥିପାଇଁ ରାଜ୍ୟବାସୀ କଦାପି ଓଡିଶା କଂଗ୍ରେସକୁ କ୍ଷମା କରିବେ ନାହିଁ ଏବଂ ବନ୍ଦର ପ୍ରାୟୋଜକ ସାଜିଥିବା କଂଗ୍ରେସର ଏ-ଟିମ୍‍ ଓଡିଶା ବିଜେପିକୁ ଲୋକେ ଠିକଣା ସମୟରେ ଉଚିତ୍‍ ଜବାବ ଦେବେ ।

ଓଡ଼ିଶାର ଲୋକମାନେ ଉଭୟ ଓଡ଼ିଶା କଂଗ୍ରେସ ଓ ଓଡିଶା ବିଜେପିର କଳୁଷିତ ରାଜନୀତିକୁ ଦେଖିଛନ୍ତି । ତଥାପି ଓଡ଼ିଶା କଂଗ୍ରେସ ଏଥିରୁ କିଛି ଶିଖିଲା ନାହିଁ, ଯେଉଁଥିପାଇଁ ଓଡିଶା ରାଜନୀତିରେ ନିଜର ପ୍ରାସଙ୍ଗିକତା ହରାଇଛି । ଆମେ ଓଡିଶା କଂଗ୍ରେସକୁ ଅନୁରୋଧ କରୁଛୁ ଯେ ଯଦି ଆପଣଙ୍କ ନିକଟରେ କୌଣସି ପ୍ରମାଣ ଅଛି ତେବେ ଆପଣ କୋର୍ଟକୁ ଯାଆନ୍ତୁ ବୋଲି ସସ୍ମିତ ଆହ୍ବାନ ଦେଇଛନ୍ତି।

ସେ କହିଛନ୍ତି ଯେ, ଆମେ ଜାଣୁ ଆପଣ କୋର୍ଟକୁ ଯିବେ ନାହିଁ କାରଣ ଆପଣଙ୍କ ନିକଟରେ କୌଣସି ପ୍ରମାଣ ନାହିଁ, କିନ୍ତୁ ଆପଣ ଏହି ହୀନ ରାଜନୀତିରେ ଲିପ୍ତ ରହିବେ । ବିଗତ ଦେଢ ବର୍ଷଧରି କୋଭିଡ ମହାମାରୀ ଯୋଗୁଁ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ସାଧାରଣ ଲୋକଙ୍କ ପାଇଁ କିଛି ସହାନୁଭୂତି ଦେଖାନ୍ତୁ, ନଚେତ ଓଡିଶାବାସୀ ଆପଣଙ୍କୁ ଭୁଲିବେ ନାହିଁ କି କ୍ଷମା ବି କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପିସିସି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ପାଳିତ

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୫୪ତମ ଜୟନ୍ତୀ ଉତ୍ସବ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ସକାଳେ ଭୁବେନଶ୍ୱର ଗୋପବନ୍ଧୁ ଛକ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।

ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏକ ବାର୍ତାରେ କହିଥିଲେ ଯେ ଗୋପବନ୍ଧୁ ତ୍ୟାଗ, ଜନସେବା ଓ ଆଦର୍ଶର ମୂର୍ତିମନ୍ତ ପ୍ରତୀକଥିଲେ । ଆଜିର ଏହି ପବିତ୍ର ଦିବସରେ ଆମ୍ଭେମାନେ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ତାହାହିଁ ଗୋପବନ୍ଧୁଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାଶ, ଅମୀୟ କୁମାର ପଟ୍ଟନାୟକ, ବିଶ୍ୱଜିତ ଦାଶ, ପଦ୍ମାକର ଗୁରୁ, ଦୀପକ ମହାପାତ୍ର, ଜ୍ୟୋତିଷ ସାହୁ, ରଜନୀ ମହାନ୍ତି, ଲିଙ୍ଗରାଜ ସାହୁ, ସୁବ୍ରତ ମହାପାତ୍ର, ମନୋରଞ୍ଜନ ରାଉତରାୟ, ସଂକୁନା କହଁର, ଭାସ୍କର ସେଠୀ, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ସାଗର ପରିଡ଼ା, ଖଗେଶ୍ୱର ମଲ୍ଲିକ, ରଞ୍ଜିତ ପାତ୍ର, ମନୋଜ ସାହୁ, ଦେବରାଜ ମିଶ୍ର, ଶ୍ରୀଧର ବଳିଆର ସିଂ, ଶୁଭ୍ରଜ୍ୟୋତି ଲେଙ୍କା, ଅକ୍ଷୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।